ଅନୁଭୂତି

ସ୍ୱାର୍ଥପର ଏ ଦୁନିଆଁ

Madhusmita Panigrahi's odia cognition Swarthapara E Duniaan

ତେଣୁ ଆମେ ଅନୁମାନ କରି “ଟମି… ଟମି …” ବୋଲି ଡ଼ାକିଲୁ ସେ ମଧ୍ୟ ଡାକ ଶୁଣି ପାଖକୁ ଆସିଲା ଯାହା ଦେଲୁ ଖାଇଲା ।

ସ୍ୱାର୍ଥପର ଏ ଦୁନିଆଁ

ସ୍ୱାର୍ଥପର ଏ ଦୁନିଆଁରେ ନିସ୍ବାର୍ଥପରଙ୍କ ସ୍ଥିତି ବହୁତ ସଙ୍କଟାପନ୍ନ । ଆଜିର ସମାଜରେ “ଜୋର ଯା’ର ମୂଲକ ତା’ର” ତେଣୁ “ଧର୍ମର ହେବ ଜୟ” ବଦଳରେ ଏଠି ଶୁଭାଯାଏ “ଅଧର୍ମର ହେବ ଜୟ” । ପାପର ଛାୟା ତଳେ ଥିବା ବ୍ୟକ୍ତି ଏଠି ପାଇଯାଏ ମୁକ୍ତି, ଯେଉଁଠିକି ପୂଣ୍ୟବାନ ବ୍ୟକ୍ତିମାନେ ଗଭୀର ସମୁଦ୍ରରେ ଡୁବି ଯାଆନ୍ତି । ଏଠାରେ ଯେଉଁମାନେ ନିଜର ସ୍ୱାର୍ଥ ଭୁଲିଯାଇ ଅନ୍ୟମାନଙ୍କର ସ୍ବାର୍ଥରକ୍ଷା ପାଇଁ ସଦା ଚେଷ୍ଟା କରିଥାନ୍ତି , ଯଦି କେବେ ତା’ର ସ୍ବାର୍ଥରକ୍ଷାରେ ବାଧା ଉପୁଜିଲା ତେବେ ସିଏ ବାଲିପଡିଯାଏ ଏ ଅଧର୍ମ ଦାଣ୍ଡରେ । ସେଥିପାଇଁ କେହି ପଶ୍ଚାତାପ କରନ୍ତିନି ବରଂ ସେହି ଖୁସିରେ ମଉଜ ମଜଲିସ ପାଇଁ ଆଗଭର ହୋଇ ପଡନ୍ତି ।

ଏହିପରି ଏକ ଦୁର୍ଘଟଣା ଘଟି ଯାଇଛି ଗୋଟିଏ ନିରୀହ ପଶୁ ଉପରେ । ଯିଏକି ତାର ସବୁ ସୁଖ ଶାନ୍ତି ଅଜାଡି ଦେଇଥିଲା କିଛି ସ୍ୱାର୍ଥପର ବ୍ୟକ୍ତିମାନଙ୍କ ପାଇଁ । ସେ କି ଜାଣିଥିଲା ଯେଉଁମାନଙ୍କ ପାଇଁ ସେ ତାର ଜୀବନ ରୂପକ ଦୀପ ଶିଖାଟି ଜାଳିଥିଲା ଦିନେ ସେହିମାନେ ହିଁ ଏହି ଦୀପଶିଖାଟି ଜଳିଗଲାପରେ ଦିପଟିକୁ ପାଦରେ ମାଡି ଭାଙ୍ଗିଦେବେ ।

ଦୀପ ରୂପକ କୁକୁରଟିର ନାଁ ଥିଲା ଟମି । କଥାରେ ଅଛି କୁକୁର ହେଉଛି ଏକ ବିଶ୍ବାସୀ ପ୍ରାଣୀ । ସେହିଭଳି ଅତ୍ୟନ୍ତ ବିଶ୍ବାସୀ ଥିଲା ଆମର ଟମି । ଜାଣିନାହିଁ ଏହି ଟମି କେଉଁଠୁ କେବେ ଆସିଲା । ବାସ ଏତିକି ଜାଣିଥିଲି ସେ ଆମ ହଷ୍ଟେଲର ଲେଡ଼ିଜ ଅନ୍ତେବାସୀମାନଙ୍କର ବଡିଗାର୍ଡ଼ ଥିଲା । ଆମ୍ଭେମାନେ ଯେଉଁଆଡ଼େ ଯାଉ ସେ ଆମ ପଛେ ପଛେ ଯାଇ ଥାଏ । ଆମେ ହଷ୍ଟେଲରୁ ସ୍କୁଲ କୁ ଗଲେ ସେ ଆମ ହଷ୍ଟେଲ ମେନ ଗେଟ ପର୍ଯ୍ୟନ୍ତ ଛାଡିବାକୁ ଯାଏ । ଆମ୍ଭେମାନେ ଯାହା ଦେଉ ତାହା ଖାଏ । ହଷ୍ଟେଲକୁ କୌଣସି ଅଚିହ୍ନା ଲୋକ ପଶିବାର ଦେଖିଲେ ଆମକୁ ଡାକିଦିଏ । ଆମମାନଙ୍କୁ କେହି ଖରାପ ନଜରରେ ଦେଖିଲେ ସେ ଆଦୌ ସାହିପାରେ ନାହିଁ । ଏବେ ମଧ୍ୟ ତା’ କଥା ମନେପଡିଲେ ବହୁତ କାନ୍ଦ ଲାଗେ ।

ଯେତେବେଳେ ମୁଁ ପ୍ରଥମେ ହଷ୍ଟେଲ କୁ ଆସିଥିଲି, ମୋ ମାମୁଁଙ୍କୁ ଟମି ଜୋରରେ ଦୌଡି ଦୌଡି ଘଉଡ଼ାଇ ଦେଇଥିଲା ମାତ୍ର ମୋତେ କିଛି କଲା ନାହିଁ । ସେହି ଦିନଠାରୁ ମୁଁ ଟମିର ବିଶ୍ବାସୀ ପଣିଆକୁ ବୁଝିପାରିଥିଲି । କିଛି ଦିନ ପରେ ଟମିକୁ ବାହାର ବୁଲାକୁକୁର ମାନେ କ୍ଷତ ବିକ୍ଷତ କରି ପକାଇଲେ । ବିଚରା ଟମି ଯନ୍ତ୍ରଣାରେ ଛଟପଟ ହେଉଥାଏ । ଆମେମାନେ ସବୁ ଜାଣିଶୁଣି ମଧ୍ୟ ତା’ର କିଛି ଉପଚାର କରିପାରୁ ନ ଥାଉ । ଟମିର ସାନ୍ତ୍ୱନା ପାଇଁ ଆମେ ତାକୁ ଅନ୍ୟ କୁକୁରମାନଙ୍କ ନିକଟକୁ ନ ଛାଡିବା ବ୍ୟତୀତ ଆଉ କିଛି କରିପାରୁ ନ ଥାଉ । ଯେତେ ଯାହା ହେଲେ ବି ସେ କୁକୁର ଜାତି କାଳେ କାମୁଡିବେ । ସେ ଯାହା ବି ହେଉ ଟମିର ଘା’ ଧୀରେ ଧୀରେ ବଢିବାକୁ ଲାଗିଲା । ତା ଦେହରୁ ଦୁର୍ଗନ୍ଧ ବାହାରିବାରୁ ଆମର ଟମି ପ୍ରତି ଘୃଣାଭାବ ଦିନକୁ ଦିନ ବଢ଼ିବାରେ ଲାଗିଲା ।

କିଛିଦିନ ପରେ ଖରାଛୁଟିରେ ସମସ୍ତେ ଘରକୁ ଗଲୁ । ଘରୁ ଫେରିଲା ବେଳକୁ ହଷ୍ଟେଲ ରେ ଟମିର ରକ୍ତ ପଡିଥାଏ । ଆମେ ଭାବିଲୁ ଟମି ମରିଯାଇଛି । ହେଲେ ହଠାତ ଦିନେ ସନ୍ଧ୍ୟାରେ ଠିକ ଟମି ପରି ଦେଖା ଯାଉଥିବା ଗୋଟିଏ କୁକୁର ହଷ୍ଟେଲକୁ ପଶିଆସିଲା । କିନ୍ତୁ ତାର ଦେହ ଟମି ପରି ହାଟଟା କଟଟା ନ ଥିଲା । ଅବଶ୍ୟ ତା ଦେହସାରା ଗୁଡାଏ ଘା’ର ଚିହ୍ନ ଥାଏ । ତେଣୁ ଆମେ ଅନୁମାନ କରି “ଟମି… ଟମି …” ବୋଲି ଡ଼ାକିଲୁ ସେ ମଧ୍ୟ ଡାକ ଶୁଣି ପାଖକୁ ଆସିଲା ଯାହା ଦେଲୁ ଖାଇଲା ।
କିନ୍ତୁ ଧୀରେ ଧୀରେ ତାମିର ମସ୍ତିଷ୍କ ଆଉ କାମ କଲା ନାହିଁ । ସେ ଖାଲି ଆମମାନଙ୍କୁ ଛାଡି ଅନ୍ୟ ଯାହାକୁ ଦେଖେ ଦଉଡ଼ିଯାଏ କାମୁଡ଼ିବାକୁ । କାଳକ୍ରମେ ଅନ୍ୟମାନଙ୍କ ଘରୁ ଜିନିଷପତ୍ର ଆଣି ହଷ୍ଟେଲ ରେ ଜମା କଲା , ବହୁ ଲୋକଙ୍କୁ କାମୁଡି ଖଣ୍ଡିଆ ଖାବରା କରିପକାଇଲା । ତା’ପାଇଁ ଲୋକେ ଆମକୁ ବହୁତ ଗାଳି, ଅପବାଦ ଦେଲେ । ଯୁଆଡେ ଗଲେ ଲୋକେ ଆମକୁ ଟମିର ହିରୋଇନ କହି କମେଣ୍ଟ କରନ୍ତି । ଆମ ସାର ତାକୁ ନେଇ ମ୍ୟୁନିସିପାଲଟିରେ ଛାଡ଼ିଦେବାକୁ ମଧ୍ୟ କହିଥିଲେ ।

ହଠାତ ଦୁଇ ତିନି ଦିନ ପରେ ଆମ ତଳ ଶ୍ରେଣୀର ଝିଅଟିଏ ଟମି କୁ ବିସ୍କୁଟ ନେଇକି ଦେବା ବେଳେ ଟମି ତା’ର ହାତକୁ କାମୁଡି ପକାଇଲା । ବହୁତ ରକ୍ତ ବାହାରିଲା ସେ ଝିଅ ହାତରୁ । ଆମ୍ଭମାନଙ୍କୁ ମଧ୍ୟ କାମୁଡ଼ିବାକୁ ଗୋଡ଼ାଇଲା । ଆମେ ସମସ୍ତେ ତାକୁ ଭୟ କରିଗଲୁ । ସାର ଓ ମାଡାମ ତାକୁ ଗୋଟିଏ ଘରେ ଏକୋଇଶ ଦିନ ରଖିବାକୁ କହିଲେ । କାରଣ ସେ ଝିଅକୁ କାମୁଡିଥିବାର ଏକୋଇଶ ଦିନ ପର୍ଯ୍ୟନ୍ତ ଯଦି ଟମି ସୁରକ୍ଷିତ ରହେ ତେବେ ସେ ଝିଅର ଘା ଶୀଘ୍ର ଶୁଖିଯିବ ବୋଲି ଡାକ୍ତର କହିଥିଲେ ।

ତେଣୁ ଏକୋଇଶ ଦିନ ପୂରିଗଲାପରେ କିଛି ଲୋକଙ୍କୁ ପଇସା ଦିଆଯାଇ ଟମିକୁ ସେହି ଘରେ ବନ୍ଦଥିବା ଅବସ୍ଥାରେ ଜୋର ଜବରଦସ୍ତ ଫାସୀ ଦିଆଯାଇ ମାରିଦିଆ ଗଲା । ବାସ ହଷ୍ଟେଲରେ ଖେଳିଗଲା ଦୁଃଖର ଛାୟା । ଅନ୍ତେବାସୀମାନଙ୍କ ଆଖିରୁ ଝରିପଡିଲା ଟୋପା ଟୋପା ରକ୍ତବିନ୍ଦୁ । ଯେମିତି ଲାଗିଲା ଶାମୁକା ଭିତରେ ସୁରକ୍ଷିତ ଥିବା ମୁକ୍ତା ଉପରେ ପଡିଗଲା ବିପଦ । କାରଣ ଏବେ ଆଉ ସେହି ସୁରକ୍ଷା ପ୍ରଦାନକାରୀ ଶାମୁକା ନାହିଁ । ଶୁଖିଯାଇଛି ଆଜି ସାତତାଳ ସମୁଦ୍ରର ପାଣି, ଆଉ ଫାଟିଯାଇଛି ସେଇ ସିନ୍ଦୁର ଫରୁଆ । ଏବେ ବୁଢ଼ୀ ଅସୁରୁଣୀ ର ଜୀବନ ବିପଦରେ । ସତରେ ସେହି ଗାଁ’ର ବାଳୁଙ୍ଗା ଟୋକା ମାନଙ୍କ ଦାଉରୁ “ଟମି ହିଁ” ଏକମାତ୍ର ଆମକୁ ସୁରକ୍ଷା ଦିଏ । ଏବେ ଭାବୁଛି କି ଯଦି ଆମେମାନେ ସମସ୍ତେ ମିଳିମିଶି ଗୋଟିଏ ଭଲ ପଶୁ ଡାକ୍ତରଙ୍କୁ ପରାମର୍ଶ କରି ଟମିକୁ ଚିକିତ୍ସା କରିଥାନ୍ତୁ, ତେବେ ନିଶ୍ଚୟ ସେ ଆଜି ଆମ ଗହଣରେ ଥାଆନ୍ତା ।

ମାତ୍ର ସେ ସମୟରେ ଆମର ତା’ପ୍ରତି ଥିବା ଘୃଣା ଏବଂ ସ୍ୱାର୍ଥପରତା , ତା’କୁ ଆମଠୁ ଦୂରେଇ ନେଲା ।

To Top