ଅଣୁଗଳ୍ପ

ସୈତାନର ଅଟ୍ଟହାସ୍ୟ

Pradipta Sundar Moharana's odia short story Saitaanra Attahaasya

ଭାଇ ! ରୋହନ୍ ଆମର ଗାଡି ମସ୍ତ ଚଲାଏ ! ମୋ ବାପାଙ୍କର ହଣ୍ଡା ୟୁନିକର୍ଣ୍ଣକୁ ରାମ୍ପି କି ଚଲାଏ, ଇଏ ତ ତା’ ନିଜ ପଲ୍ସର୍ ।

ସୈତାନର ଅଟ୍ଟହାସ୍ୟ

କଟକ ସହରର ଏକ ସଳଖ ରାସ୍ତା ମିସନ୍ ରୋଡ୍ । ସେହି ରସ୍ତାର ଏକ ପାର୍ଶ୍ୱରେ ରୋହନ୍ ଆଜି ବସି ଥାଏ, ତା ପାଇଁ ନୂଆ କିଣା ହୋଇଥିବା ବଜାଜ୍ କମ୍ପାନି ଦ୍ୱାରା ନିର୍ମିତ ପଲ୍ସର୍ – ୨୨୦ ମୋଟର ସଇକଲଟି ଉପରେ । କଳା ଚକ ଚକ ନୁଆ ଗାଡିଟି ତା’ର ଆତ୍ମସମ୍ମାନର ପ୍ରତୀକ । ଏକ ଉଚ୍ଚ ମଧ୍ୟବିତ୍ତୀୟ ପରିରବାରର କର୍ତ୍ତା ଗୋପାଳ ବାବୁଙ୍କ ର ଏକ ମାତ୍ର ପୁତ୍ର ସିଏ । ମାଁ ସୁଲୋଚନା ଦେବୀ ବୃତ୍ତିରେ ଡାକ୍ତର ଏବଂ ରୋହନ୍‌କୁ ନେଇ ଯଥେଷ୍ଟ ଗର୍ବିତ – “କାହିଁକି ଗାଡିଟିଏ ଦେବିନି ଯେ ? ପୁଅ ମୋର ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିଛି। ମୁଁ ପଇସା କାହାପାଇଁ ରୋଜଗାର କରୁଛି?” ହେଲେ ମଧ୍ୟ ସେ ଅନୁଭବ କରନ୍ତି କି , ନିଜର କର୍ମବ୍ୟସ୍ତ ଜୀବନ ମଧ୍ୟରେ ସେ ରୋହନ୍‌କୁ କିଛି ମାତ୍ରାରେ ବୁଝିପାରିନାହାନ୍ତି, ରୋହନ୍ ତାଙ୍କଠାରୁ କଥା ଲୁଚାଏ ।

ରୋହନ୍ ସେଦିନ ଦିପହର ତିନିଟା ବେଳେ, ତା’ର ସେହି ନୁଆ ଗାଡିଟି ଉପରେ ସଦର୍ପେ ବସିଥାଏ । କିନ୍ତୁ କାହାକୁ ଅପେକ୍ଷା କରିଛି ସିଏ ?- କିଛି ସମୟ ମଧ୍ୟରେ ଘୁଁ ଘୁଁ କରି ତିନି ଜଣ ବାଇକ୍ ଆରୋହୀ ଆସି ପହଞ୍ଚିଲେ । ବୟସରେ ଦୁଇଜଣ ତା’ଠାରୁ କିଛି ବଡ ଲାଗୁଥାନ୍ତି । ଅଉ ଜଣେ ରୋହନ୍‌ର ଖେଳ-ସାଙ୍ଗ ପୁପୁନ୍ । ରାକେଶ୍ କହିଲା, “ବାଃ ! ଘୋଡା ଆସିଗଲା? ତା’ହେଲେ ଏବେ ସାଙ୍ଗ ମୋହର ଦଉଡିବ।” କଡରେ ଠିଆହୋଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣେ କହିଲେ “ଏ ଖେଳରେ ଘୋଡା ନୁହେଁ ଉଡାଜାହଜ ଦରକାର୍ !” ପୁପୁନ୍ ଉତ୍ତର ଦେଲା , “ଭାଇ ! ରୋହନ୍ ଆମର ଗାଡି ମସ୍ତ ଚଲାଏ ! ମୋ ବାପାଙ୍କର ହଣ୍ଡା ୟୁନିକର୍ଣ୍ଣକୁ ରାମ୍ପି କି ଚଲାଏ, ଇଏ ତ ତା’ ନିଜ ପଲ୍ସର୍ ।” – “ହଉ ଦେଖିବା କିଏ କେତେ ପାଣିରେ ଅଛି। ଖାଲି କୁନା ଭାଇ ଆସିଯାଉ।”- ଭାଇ ଜଣଙ୍କ ଉତ୍ତର ଦେଲେ ।

ସମସ୍ତେ ରାସ୍ତାକୁ ଅନାଇ ରହିଲେ କୁନାଭାଇଙ୍କ ଅପକ୍ଷାରେ । “ହେଇତ ! କୁନା ଭାଇ ଅସିଗଲାଣି ” – ପୁପୁନ୍ କହିଲା । କଳାରଙ୍ଗର ଖାନ କମିଜ୍ ପିନ୍ଧିଥିବା , ମଧ୍ୟବୟସ୍କ କୁନାଭାଇଙ୍କୁ କିଏ ଜଣେ ୟାମାହା ବାଇକ୍‌ରେ ନେଇ ଆସିଥାଏ । ପାଖକୁ ଆସି କହିଲେ “ପାର୍ଟି ! ଆସିଗଲ ସବୁ? ହଉ ଏବେ ମାଲ୍ କାଢ ! ସମସ୍ତେ ସେ ହାତରେ ଖୋଲି ଧରିଥିବା ରୁମାଲ୍ ଉପରେ, ରବରରେ ବନ୍ଧା ହୋଇଥି୍ବା ନିଜ ନିଜ ପକେଟ୍‌ରୁ କାଢି, ଟଙ୍କା ବିଡା ଗୁଡିଏ ରଖିଲେ । ରୋହନ୍ ମଧ୍ୟ ତା’ ମାଁଙ୍କଠାରୁ ଜିନ୍ସ୍ ପ୍ୟାଣ୍ଟ୍ ଓ ସାର୍ଟ କିଣିବା ପାଇଁ ଦେଇଥିବା ଟଙ୍କା ବିଡାକୁ ରୁମାଲ୍ ଉପରେ ରଖିଲା ।

କୁନା ଭାଇ ସବୁ ପଇସା ଗଣିସାରି କହିଲା “ଦେଖ ସମସ୍ତେ ! ସବୁ ମିଶି ଦଶ ହଜାର୍ ଅଛି । ମୋ କମିସନ୍ ପନ୍ଦରଶହ କଟିଗଲା । ଅଜି ଆମ ରେସ୍, ମିସନ୍ ରୋଡ୍‌ରୁ ବାହାରି ଚଣ୍ଡି ଛକ, ସେଠୁ ଷ୍ଟାଡିଅମ୍ କଡ ଦେଇ ଗଡଗଡିଆ ଘାଟ, ତା’ପରେ ମାତାମଠରୁ ମଣିସାହୁ ଛକ ଯିବ ଓ ତା’ପରେ, ବକ୍ସି ବ‍ଜାର୍ ଦେଇ କନିକା ଛକରେ ସରିବ – ସମୟ ୫ ମିନିଟ୍ ”। ସବୁ ଛକରେ ଥିବା ଟ୍ରାଫିକ୍ ପୋଲିସ୍ ପାଖରେ ଭୋଗ ଲାଗିସାରିଛି । କେହି ତୁମକୁ ଅଟକେଇବେ ନାହିଁ। ସେମାନେ ତୁମମାନଙ୍କୁ ଚିହ୍ନିବା ପାଇଁ, କେବଳ ଡାହାଣ ହାତରେ ଲାଲ୍ ରୁମାଲ୍ ବାନ୍ଧି ରଖିଥିବ । ଟ୍ରାଫିକ୍ ପୋଲିସଙ୍କ ଭୋଗ ପାଇଁ ପନ୍ଦରଶହ କଟିଲା, ତ, ତୁମ ଚାରି ୪ଜଣଙ୍କ ଭିତରୁ ଜିଏ ରେସ୍ ଜିତିଲା, ବାକି ସାତ ହଜାର ତା’ର । ସନ୍ଧ୍ୟା ପାଞ୍ଚଟା ବେଳେ ଆସି, ଖଟିରେ ମୋଠୁଁ ପଇସା ନେଇଯିବ ।

ପଇସା ସାଉଁଟୁ ସାଉଁଟୁ କୁନା ଭାଇ କହିଲା “ହଉ ତାହେଲେ ପାର୍ଟି ! ଏବେ ରେଡି ହେଇଯାଅ”। କଥାଟି କହି କୁନା ଭାଇ ହାତରେ ରୁମାଲ୍‌ଟିଏ ଧରିଲେ । ରାକ୍ଷସ ପରି ଗଁ ଗଁ ଗର୍ଜନ କରି, ଧଳା ଧୁଆଁ ଛାଡି , ତିନୋଟି ଗାଡି ଏକ ସିଧା ଧାଡିରେ ଠିଆ ହେଲେ । ରୋହନ୍ ମୁଣ୍ଡ ବୁଲାଇ ଦେଖିଲା ବେଳକୁ , କଡରେ ଯେଉଁ ଅଜଣା ଭାଇ , ତା’କୁ ଚ୍ୟାଲେଞ୍ କରିଥିଲେ, ସେ ଟିକେ ପଛରେ ଗୋଟେ ଛୋଟ ମଦବୋତଲରୁ ମଦ ପିଇସାରି ବୋତଲ୍‌ଟିକୁ ରାସ୍ତା କଡରେ ପକାଉଥିଲେ । ପାଖକୁ ଆସି ରୋହନ୍‌କୁ କହିଲା, “କିରେ କଣ ଦେଖୁଛୁ , ଗାଡିରେ ପେଟ୍ରୋଲ୍ ପଡିବ, ଅଉ ମୋ ଟାଙ୍କିରେ ପଡିବ ନାହିଁ। ଏବେ ଦେଖ୍ ମୋ ଗାଡି କେମିତି ଉଡିବ । ଚାଲ୍ ,ଏବେ ରାସ୍ତାକୁ ଦେଖ।”

ଗର୍ଜୁଥିବା ଚାରୋଟି ଯନ୍ତ୍ର ରାକ୍ଷସ ଅପେକ୍ଷା କରଥା’ନ୍ତି କୁନାଭାଇଙ୍କର ଦଶରୁ ଏକ ପର୍ଯ୍ୟନ୍ତ ଗଣା ସରିବାକୁ।, ହାତରୁ ରୁମାଲ ଖସିଲା, ଚାରୋଟି ରକ୍ତ-ପିପାସୁ ଯନ୍ତ୍ର ରାକ୍ଷସ ଛୁଟିଲେ ମିସନ୍ ରାସ୍ତାରେ , ସତେ ଯେମିତି କାହାର ରକ୍ତ ପିଇବା ପାଇଁ । ଅଳ୍ପ ସମୟ ମଧ୍ୟରେ କିଛି ଦୂରରେ ନୂଆ କଳାରଙ୍ଗର ପଲ୍ସର୍ ଗାଡିଟି ଖସି ଯାଉଥିବାର ଦିଶୁଥାଏ । ଯନ୍ତ୍ର ରାକ୍ଷସ ଟି ଖସି ଖସି ପିଟି ହୋଇଗଲା ରାସ୍ତା କଡର ଏକ ପଥର କାନ୍ଥରେ , ଆଉ ସାଥିରେ ଟାଣି ନେଇଗଲା ତାହାର ସବାରିଟିକୁ । ରାସ୍ତା ଉପରେ, ଟକ୍‌ଟକ୍‌ ଲାଲ୍ ରଙ୍ଗର ରକ୍ତ ବହି ଯାଉଥାଏ । ଶରୀର ନିସ୍ତବ୍ଦ – କିନ୍ତୁ, ଯନ୍ତ୍ରଟି ଗର୍ଜି ଚାଲି ଥାଏ। ସତେ ଯେପରି ସେ ଏ ପର୍ଯ୍ୟନ୍ତ ମଧ୍ୟ ସେ ଅତୃପ୍ତ ।

ଆଉ କିଛି ରୁଣ୍ଡ ହୋଇଥିବା ଗହଳି ମଧ୍ୟରେ, ନିଜ ରକ୍ତ ରେ ଜୁଡୁବୁଡୁ ହୋଇ ଭବିଷ୍ୟତର ଏକ ଉଜ୍ୱଳ ତାରକା ଆଜି ଲିଭିଲିଭି ଯାଉଥାଏ । “ମୁଁ ଦେଖିଛି କେଡେ ଜୋର୍‌ରେ ଗାଡି ଚଲାଉ ଥିଲା ସେ। ହେଲମେଟ୍ ପିନ୍ଧି ଥିଲେ ମୁଣ୍ଡ ଫାଟି ନଥାନ୍ତା ।” – “ଆଜିକାଲି ପିଲାଙ୍କୁ କିଏ ବୁଝେଇବ ?” ଏମିତି ଅନେକ୍ ଅଛି ଗଳ୍ପ ଓ ସମବେଦନା ।

ମିସନ୍ ରୋଡ୍‌ରେ ଥିବା ଗିର୍ଜା ଘଣ୍ଟା ସନ୍ଧ୍ୟା ପ୍ରାର୍ଥନା ପାଇଁ ବାଜି ଉଠିଲା। ଡାକଥାଏ, “ଆସ ସ୍ୱର୍ଗର ରାଜ୍ୟ ଓ ମୁକ୍ତି ତୁମର ପ୍ରତିକ୍ଷା କରିଛି ।” ରୋହନର ଶ୍ୱାସ– ପ୍ରଶ୍ୱାସ ବନ୍ଦ ହେବା ସହିତ, ଯନ୍ତ୍ର ରକ୍ଷସଟି ମଧ୍ୟ ଗର୍ଜନ କରିବା ବନ୍ଦ କରିସାରି ଥାଏ। ଅଉ ଘଣ୍ଟାର ନାଦକୁ ତାଚ୍ଛଲ୍ୟ କରି ସଇତାନ୍ ଆହୁରି ବଡ ପାଟିରେ ନିଜର ବିଜୟ ଗର୍ବରେ ହସୁଥାଏ , ଅଟ୍ଟହାସ୍ୟ ଦେଉଥାଏ । ଆଜି ସଇତାନ୍ ପୁଣି ଜିତିଲା ।

ଲୋକପ୍ରିୟ ଲେଖା

To Top