ଅନୁଭୂତି

ଉଚ୍ଚ ଶିକ୍ଷାର ପ୍ରୟାସ

Dr Anita Panda

ପୁଣି ଏକ ସନ୍ତୁଳନ । ଏମ୍ସରୁ କଲ୍ ଆସିଛି । ଶିଶୁ ବିଭାଗ ନୁହେଁ ଚକ୍ଷୁ ବିଭାଗ ପାଇଁ ।

ଉଚ୍ଚ ଶିକ୍ଷାର ପ୍ରୟାସ

କହନ୍ତି “ବିରାଡି କପାଳକୁ ଶିକା ଛିଡିଲା” । କେବଳ ଏମ୍.ବି.ବି.ଏସ୍ କରି ରହିବା ପାଇଁ ମୋର ଆଦୌ ଇଚ୍ଛା ନ ଥିଲା । ଉଚ୍ଚ ଶିକ୍ଷା ପାଇଁ ଅଭିଳାଷା । ସେ ପୁଣି ପେଡିଆଟ୍ରିକ୍ସ ରେ ।

୧୯୭୧ ମସିହାରେ ଆମର ଇଣ୍ଟରନ୍ସିପ ଶେଷ ହେଲା । ଖୁବ୍ ଗର୍ବର ସହ ଆମେ ଓଡିଶା ମେଡିକାଲ୍ କାଉନ୍ସିଲ୍ ରେ ନିଜ ନିଜର ନାମ ପଂଜୀକରଣ କଲୁ । ବର୍ତ୍ତମାନ ଆମେ ସମସ୍ତେ ସାର୍ଟିଫାଇଡ୍ ଡାକ୍ତର ।

କେଉଁ କାରଣରୁ କେଜାଣି, ଏ ବର୍ଷ ଓଡିଶା ପି.ଏସ୍.ସି ପରୀକ୍ଷା ହେବନି ବୋଲି ସରକାରଙ୍କ ଠାରୁ ଚେତାବନୀ ଆସିଲା । ତେବେ ଓଡିଶାର ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଡାକ୍ତର କ’ଣ ଘରେ ବସି ରହିବେ ! କେତେଜଣ ଓଡିଶା ବାହାରକୁ ଚାକିରୀ ଉଦ୍ଦେଶ୍ୟରେ ବାହାରି ଗଲେ । ଅନ୍ୟ ମାନେ ନିଜ ନିଜର ଜନ୍ମସ୍ଥାନକୁ ଫେରି ଯାଇ ପ୍ରାକ୍ଟିସ କରିବା ଆରମ୍ଭ କରିଦେଲେ । ବାକୀ କେତେଜଣ ଷ୍ଟୁଡିଅସ୍ ଷ୍ଟୁଡେଣ୍ଟ ନିଜ ନିଜ ଘରେ ବସି ଉଚ୍ଚ ଶିକ୍ଷା ପାଇଁ ପଢାପଢି କଲେ ।

ପେଡିଆଟ୍ରିକ୍ସରେ ପୋଷ୍ଟଗ୍ରାଜୁଏସନ୍ କରିବା ପାଇଁ ଭାରତର ବିଭିନ୍ନ ପ୍ରାନ୍ତର ମେଡିକାଲ୍ କଲେଜ ମାନଙ୍କର ଟିପ୍ପଣୀ ଏକାଠି କଲି । ଯାହା ଜାଣିଲି ସେ ହେଲା ସି.ଏମ୍.ସି ଭେଲୋର୍ ଏବଂ ଏ.ଆଇ.ଆଇ.ଏମ୍.ଏସ୍ ଭାରତର ସବୁଠାରୁ ଉଚ୍ଚକୋଟୀର । ସି.ଏମ୍.ସି ରେ ହାଉସ୍ ଜବ୍ ପାଇଁ ନିବେଦନ ପତ୍ର ପଠାଇଲି ଏବଂ ଅକ୍ଟୋବର ୧୮ ତାରିଖରେ ଇଣ୍ଟରଭିଉ ପାଇଁ କଲ୍ ଆସିଲା । ହେଲେ ବାପା ଏବଂ ସାନ ନନାଙ୍କର ଏକାଜିଦି ଗାଁରେ କ୍ଲିନିକ୍ ଖୋଲେ । ଆଜ୍ଞା ଅବଜ୍ଞା କରିବାକୁ ସାହସ ନ ଥିଲା ।

ସେପ୍ଟେମ୍ୱର ୨୫ ତାରିଖ । ଆମ ଘରେ ଗୋଟିଏ ଫଙ୍କସନ୍ ର ଆୟୋଜନ ଥିଲା । ସମସ୍ତ ଅତିଥି ମଧ୍ୟରେ ଜଣେ ବିଶିଷ୍ଟ ଅତିଥି ଥିଲେ ଯେ କି ଓଡିଶା ବାହାରେ ରହନ୍ତି । ବାପାଙ୍କ ଠାରୁ ମୋର ଡାକ୍ତର ହେବା ଖବର ଶୁଣି ମୋ ବାହାଘର ସମ୍ୱନ୍ଧରେ ପ୍ରଶ୍ନ କଲେ ମାତ୍ର ବାପାଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ଲାଭ କଲେନି ।

ଘରେ ବସାଇ ରଖିବା ତ ଠିକ୍ ହେବନି !

ନାଁ,ସେ ଗାଁରେ ରହି ଗାଁ ବାସୀ ମାନଙ୍କର ସେବା କରିବ ।

ଓଃ—ଖୁବ୍ ଭଲ ପ୍ରସ୍ତାବ ।

ମାତ୍ର ସେ ଜମା ମଙ୍ଗୁନି । କହୁଛି ଉଚ୍ଚ ଶିକ୍ଷା ପାଇଁ ଓଡିଶା ବାହାରକୁ ଯିବ ।

ଏତିକିରେ ଭଦ୍ରବ୍ୟକ୍ତି ଖୁବ୍ ଜୋର୍ ରେ ହସିବାକୁ ଲାଗିଲେ । ପରେ ପରେ କହିବା ଆରମ୍ଭ କଲେ “ଏ କୋଡିଏ କିଲୋ ଓଜନର ଲିଲି ପୁଟ୍ କୁ ଓଡିଶା ବାହାରେ ପାସଙ୍ଗରେ ପକାଇବେ?”

ଅତିଥିଙ୍କର କଟୁ ମନ୍ତବ୍ୟରେ ମୁଁ ବହୁ ଆଘାତ ପାଇଥିଲି ମଧ୍ୟ ମନରେ ସ୍ଥିର କରିନେଲି, “ଯେମିତି ହେଲେ ମୁଁ ସି.ଏମ୍.ସି ଭେଲୋର୍ ଯିବି । କିଏ ପାସଙ୍ଗରେ ପକାଉ କି ନାହିଁ ।

ଭେଲୋର୍ ରେ ପହଞ୍ଚି ଜାଣିବାକୁ ପାଇଲି ହିନ୍ଦୁ ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଅପେକ୍ଷାକୃତ ଅଧିକ ପ୍ରତିବନ୍ଧକ । ସେ ଯାହା ହେଉ, ପେଡିଆଟ୍ରିକ୍ସ ରେ “VACANCY ନାହିଁ” କହି ସେଲ୍ ହସ୍ପିଟାଲ୍ (ଚକ୍ଷୁ ବିଭାଗ)ରେ ମତେ ବର୍ଷକ ପାଇଁ ଆପଏଣ୍ଟମେଣ୍ଟ ମିଳିଲା ।

ଛଅମାସ ଚକ୍ଷୁ ବିଭାଗରେ କାମ କଲା ପରେ ମୁଁ ଡାଃ ଆନା ଥୋମାସ୍ ଙ୍କର ବହୁତ ନିକଟରୁ ଆସିଯାଇଥିଲି । ମତେ ସେ ସମସ୍ତ ଆଇ କ୍ୟାମ୍ପରେ ନେଇ ଯାଉଥିଲେ । ହସ୍ପିଟାଲ୍ ରେ ମଧ୍ୟ ଛୋଟ,ମୋଟ ଅପରେସନ କରାଉଥିଲେ । ଚକ୍ଷୁ ବିଭାଗ ପ୍ରତି ମୋର ମଧ୍ୟ ଅଶେଷ ଏକାଗ୍ରତା ଆସି ଯାଇଥିଲା । ଛଅମାସ ପରେ । କେହି ଏକ ଭି.ଆଇ.ପି ଙ୍କ ପୁଅ, ଚକ୍ଷୁ ବିଭାଗ ପାଇଁ ଇଚ୍ଚୁକ ଥିଲେ । ତେଣୁ ମତେ କୌଣସି ନନ୍ କ୍ଲିନିକାଲ ବିଭାଗକୁ ଯିବା ପାଇଁ ଅର୍ଡର ଆସିଥିଲା । ହେଲେ ମୋ ଭାଗ୍ୟ ତେଜ ଥିଲା ବୋଧେ । ସଂପୂର୍ଣ୍ଣ ହସ୍ପିଟାଲ୍ ରେ କେବଳ ପେଡିଆଟ୍ରିକ୍ କୁ ବାଦ୍ ଦେଲେ ଅନ୍ୟ କୌଣସି ବିଭାଗରେ VACANCY ନ ଥିଲା । ମୁଁ ଭାରତ ପ୍ରସିଦ୍ଧା ପ୍ରଫେସର ମାଳତୀ ଯାଦବଙ୍କ ଅଧିନରେ ପେଡିଆଟ୍ରିକ୍ ଜଏନ୍ କଲି ।

ଓଡିଶା ପି.ଜିର ଅନୁଭୂତି:-

ଛଅମାସ ପେଡିଆଟ୍ରିକ୍ସରେ ଡିଉଟି କରିବା ପରେ ମୁଁ ମୋର ହାଉସ୍ ଜବ୍ ର duration ବଢାଇଥିଲି । ସେଇ ସମୟରେ ଓଡିଶା ପେଡିଆଟ୍ରିକ୍ସ ପି.ଜି ଇଣ୍ଟରଭିଉ କଲ୍ ମିଳିଲା । ମୋର ଭେଲୋର୍ ଛାଡିବାକୁ ଇଚ୍ଛା ନ ଥିଲା । ମାତ୍ର ପ୍ରଫେସର ମାଳତୀ ଯାଦବଙ୍କର ମନ୍ତବ୍ୟ ଥିଲା, “ଅନିଶ୍ଚିତ ବସ୍ତୁ ଉପରେ ଭରସା କରି ନିଶ୍ଚିତ ବସ୍ତୁକୁ ଅନାଦର କରିବା ବୁଦ୍ଧିମାନର ସୂଚନା ଦିଏନା । ”

ପ୍ରଫେସର୍ ମାଳତୀ ୟାଦବଙ୍କର ଅମୂଲ୍ୟ ଗାଇଡାନ୍ସ ମତେ ଥିଓରୀ ପରୀକ୍ଷାରେ ସର୍ବ ପ୍ରଥମ ସ୍ଥାନ ଅଧିକାର କରାଇ ପାରିଥିଲା । ଆଡମିଶନ୍ ପାଇଁ ଅର୍ଡର ମିଳିଥିଲା ।

ଆଡମିଶନ୍ ପାଇଁ ବଡବାବୁଙ୍କ ପାଖେ ପହଞ୍ଚିଲି । ସେ ଆଡମିଶନ୍ ପାଇଁ ବହୁତ ବ୍ୟସ୍ତ ଅଛନ୍ତି, ତେଣୁ ନିଜ ରୋଲ୍ କଲ୍ ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିବାକୁ କହିଲେ ।

ସାଢେ ଚାରିଟା ବାଜି ଯାଇଥିଲେ ମଧ୍ୟ କେହି ଡାକି ନ ଥିଲେ । ସେଇ ସମାନ ଜବାବ୍ । ବାହାରକୁ ଆସିଲି ସତ ମାତ୍ର ମନରେ ସନ୍ତୁଳନ । ଆଡମିଶନ୍ ରଦ୍ଦ କରି ଦେବେ ନି ତ! ଆଉ ଥରେ ଭିତରକୁ ଗଲି ।

“ଆଡମିଶନ୍ ଟାଇମ୍ ପାଞ୍ଚଟା ପର୍ଯ୍ୟନ୍ତ ଥିଲା । ତୁମେ ନ ଆସିବାରୁ ୱେଟିଙ୍ଗ୍ ଲିଷ୍ଟ କ୍ୟାଣ୍ଡିଡେଟ୍ କୁ ନିଆ ସରିଛି । ”

ଦୁଃଖରେ ଭାଂଗି ପଡିଥିଲି । ପୁଣି ମନକୁ ସାନ୍ତ୍ୱନା ଦେଲି କଟକର ବାତା ବରଣ ମୋ ପାଇଁ ଅନୁକୂଳ ନୁହେଁ । ଏମ୍.ବି.ବି.ଏସ୍ ରେ ଟ୍ରାନ୍ସଫର ନେଇ ଯାଇଥିଲି ବୋଲି ଡିଗ୍ରୀ ପାଇବାର ସୌଭାଗ୍ୟ ଅର୍ଜନ କଲି ।

ହତୋତ୍ସାହା ନ ହୋଇ ସବୁଆଡକୁ ନିବେଦନ ପତ୍ର ପଠାଉଥିଲି । ଜିପ୍ମର୍ ରେ ମତେ ଡି.ସି.ଏଚ୍ ରେ ସିଟ୍ ମିଳିଥିଲା ।

ଏ. ଆଇ. ଆଇ. ଏମ୍. ଏସ୍ ଇଣ୍ଟରଭିଉ:-

ପୁଣି ଏକ ସନ୍ତୁଳନ । ଏମ୍ସରୁ କଲ୍ ଆସିଛି । ଶିଶୁ ବିଭାଗ ନୁହେଁ ଚକ୍ଷୁ ବିଭାଗ ପାଇଁ ।

ବହୁଜଣ ପ୍ରାର୍ଥୀ । ରୀତିମତ ପରୀକ୍ଷା । ସଂପୂର୍ଣ୍ଣ ୩ ଦିନ ପରୀକ୍ଷା ସକାଳେ ୩ ଘଣ୍ଟା ଲେଖାଏଁ ଥିଓରୀ ଏବଂ ଦୁଇ ପହରେ କ୍ଲିନିକାଲ୍ ।

ଇଣ୍ଟରଭିଉ ପାଇଁ ବାରଜଣଙ୍କୁ ଡକାଯାଇଥିଲା । ଛଅଟି ସିଟ୍ । ଆଠ ଜଣ ଇଣ୍ଟରନାଲ୍ କ୍ୟାଣ୍ଡିଡେଟ୍ । ମୋ ନମ୍ୱର ନଅରେ ଥିଲା । ସମସ୍ତଙ୍କ ଠାରୁ ସେଇ ହତୋତ୍ସାହ ବାଣୀ । ଛଅଟିସିଟ୍ । ଆଠ ଜଣ ଇଣ୍ଟରନାଲ୍ କ୍ୟାଣ୍ଡିଡେଟ୍ । ସନ୍ଧ୍ୟା ସାତଟାରେ ତାମିଲ୍ ନାଡୁ (ବର୍ତ୍ତମାନ ଚେନାଇ) ପାଇଁ ଜି.ଟି ଏକ୍ସପ୍ରେସ୍ । ବେକାରରେ ସମୟ ନଷ୍ଟ କରିବା କଥା ।

ମନ ମାନି ନ ଥିଲା- ଯୁଦ୍ଧ କ୍ଷେତ୍ରରୁ ଫେରି ଯିବା ମଣିଷଟି କାପୁରୁଷ । ଇଣ୍ଟରଭିଉ ଦେଇ ସାରି ଫେରୁଥିଲି । ପ୍ରଫେସର ଦୟାଲ୍ ଚିଫ୍ ଅଫିସରୁ ବାହାରକୁ ଆସୁଥିଲେ, ମତେ ଦେଖି କହିଲେ, “ଦୁଃଖ କରନା ମାତ୍ର ଛଅଟି ସିଟ୍ । ଆଠଜଣ ଇଣ୍ଟରନାଲ୍ କ୍ୟାଣ୍ଡିଡେଟ୍ । ହବ ଯଦି ଏଠାରେ ବର୍ଷଟାଏ ହାଉସ୍ ଜବ୍ କରି ଦେ । ଏବେ ସିନା ମନେ ହେବ ବର୍ଷେ ହରାଉଛୁ । ମାତ୍ର ଏମ୍ସ୍ ରେ ପିଜି ମିଳିଗଲେ ସବୁ ଭୂଲି ହୋଇଯିବ ।

ପୁରା ଅଢେଇ ଦିନ ମୁଁ ପ୍ରଫେସର ଦୟାଲ୍ ଙ୍କ କଥା ଚିନ୍ତା କରି ଚାଲିଥିଲି । ଡିପ୍ଲୋମା, ଡିଗ୍ରୀ କୋର୍ସ ରେ ବହୁତ ଫରକ । ସାଉଥ୍ ରେ ଡିପ୍ଲୋମା ଦୁଇବର୍ଷ । ସେଇ ଅନୁସାରେ ଡିଗ୍ରୀ କୋର୍ସ ଚାରିବର୍ଷ ହୋଇଯିବ । ଫରକ୍ କୋଉଠି ରହିଲା । ନାଁ, ଫରକ୍ ନିଶ୍ଚୟ ଅଛି । ସେ ଶିଶୁ ବିଭାଗ ।

ରୁମ୍ ଖୋଲି ଭିତରକୁ ପଶିଲି । ଟେଲିଗ୍ରାମ୍ ଟିଏ ପଡିଛି, ଛନକା ପଶିଲା । ଟେଲିଗ୍ରାମ ଅର୍ଥାତ କୌଣସି ପରୀକ୍ଷା କିଂବା କୌଣସି ଅଶୁଭ ଜନକ ବହୁ କଷ୍ଟରେ ତଳୁ ଉଠାଇ ଖୋଲିଲି । “ସିଲେକ୍ଟେଡ୍ ଫର ପିଜି ଅପ୍ଥାଲ୍ମୋଲୋଜି ଆଟ୍ ଏମ୍ସ୍ । ସେଣ୍ଡ ୟୋର କନସେଣ୍ଟ ଇମିଡିଏଟ୍ଲୀ । ”

ଓଡିଶା ଅନୁଭୂତି ମନକୁ ବାର ବାର ଆସୁଥିଲା । ନିଜକୁ ନିଜେ କହିଲି “ଫେଲିୟୋର ଇଜ୍ ଦ ପିଲାର ଅଫ୍ ସକ୍ସେସ୍ । ” ତା ଛଡା ପ୍ରୟାସ କେବେ ହେଲେ ବୃଥା ଯାଏନା ।

To Top