ଅଣୁଗଳ୍ପ

ସ୍ମାର୍ଟଫୋନ୍‌ ଚାଷଜମି

Pradipta Sundar Moharana's odia short story Smartphone Chashajami

ତୁ ବହି ରୂପକ ଜମି ଉପରେ ହଳ ଚଳାଇ ଶିଖିନାହୁଁ, ଅଧିକା ଜମି ନେଇ କ’ଣ କରିବୁ ? ସ୍ମାର୍ଟ ଫୋନ୍ ଅଧିକା ପଢିବା ପାଇଁ ଜମି । ସ୍ମାର୍ଟ ଫୋନ୍ ଏବେ ତୋ ପାଇଁ ନୁହେଁ ।

ସ୍ମାର୍ଟଫୋନ୍‌ ଚାଷଜମି

ଆନନ୍ଦ ଦୂର୍ଗାପୂଜା ଛୁଟିରେ ଘରକୁ ଆସିଥିଲା, ଆଉ ସାଥିରେ ଆଣିଥିଲା ବୋଝେ ବହି ; ବହିଗୁଡିକର ସମୁଦାୟ ଓଜନ ବୋଧହୁଏ ତା ନିଜ ଓଜନଠାରୁ ଅଧିକ ହେବ । ଗାଁ ର ମଳି ମୁଣ୍ଡିଆ, ଅଣପାଠୁଆ ଚାଷୀ ଅନନ୍ତର ଗୋଟିଏ ବୋଲି ପୁଅ ସିଏ । ଅନନ୍ତ ଭାଗ ଚାଷ କରି ଯାହା ଆଣେ, ସେଥିରେ ଘର ଚାଲେ । ଅଭାବ ଅନାଟନ ଅନେକ, କିନ୍ତୁ, ଏସବୁ ଅଭାବ ମଧ୍ୟରେ, ପୁଅ ର ପାଠପଢା ବ୍ୟାଘାତ ହେଉ, ଅବା ପୁଅର କୌଣସି ଆବଶ୍ୟକତା ଅପୂରଣ ହୋଇ ରହିଯାଉ; ଏ ସୁଯୋଗ କର୍ମଠ ଓ ମିତବ୍ୟୟୀ ଅନନ୍ତ ଦେଇନାହିଁ । ଭଲ ବାପାଟିଏ ସିଏ।

ଆନନ୍ଦ, ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ଆବାସିକ ବିଦ୍ୟାଳୟରେ ପଢେ । ଆଉ ମାସକୁ ମାସ ଅନନ୍ତ ଓ ଚମ୍ପା ତାର ପଢା ଖର୍ଚ୍ଚ ପଠାନ୍ତି, ଅବା କେବେ କେବେ ନିଜେ ଯାଇ ବାନ୍ଧି ଦିଅନ୍ତି । ସମୟକ୍ରମେ ଆନନ୍ଦର ଖର୍ଚ୍ଚ ବି ବଢିଛି । ନୂଆ ନୂଆ ପୋଷାକ, ସାଙ୍ଗମାନଙ୍କ ପାଇଁ ପାର୍ଟି, ଦୈନିକ ବାହାର ଖାଦ୍ୟ ପାଇଁ ପଇସା ଠାରୁ ଆରମ୍ଭ କରି , ହେୟାର୍ କ୍ରିମ୍ ଆଉ ଡିଓଡ୍ରାଣ୍ଟ୍ ଏମିତି କେତେ କ’ଣ ଭୁବନେଶ୍ୱରରେ ରହି ପଢିବା ପାଇଁ ଅନନ୍ତର ଆବଶ୍ୟକତା ଚିଠାରେ ଯୋଡିହୋଇଯାଇଛି । ଛୁଟିରେ ଆସିଲେ, ଏହିସବୁ ଜିନିଷ ପାଇଁ ପଇସା ନେଇଯିବ ବୋଲି ଆନନ୍ଦ, ତା’ ବାପାଙ୍କୁ ଆଗରୁ ଜଣାଇ ଦେଇଥିଲା ।

ଅନନ୍ତ ବୁଝିପାରୁନଥିଲା, ଏସବୁ ଆନନ୍ଦର ଇଚ୍ଛା ନା ଆବଶ୍ୟକତା । ହଁ, ଏଇ କିଛିଦିନ ଆଗରୁଆନନ୍ଦ କ’ଣ ଗୋଟେ ସ୍ମାର୍ଟ୍ ଫୋନ୍ ମାଗିଛି: କହୁଛି ପାଠ ପଢିବା ପାଇଁ ସ୍ମାର୍ଟ୍ ଫୋନ୍ ଟିଏ ନିହାତି ଦରକାର । ପୁଅର ବଡ ବସ୍ତାନିଟିକୁ ଦେଖି ଅନନ୍ତ ପଚାରିଲା, “ଆରେ ଅଣ୍ଡା(ଆନନ୍ଦର ସ୍ନେହ ନାମ), ତୁ ସବୁ ବହି ପଢୁଛୁ ? ମୁଁ ଅଷ୍ଟମ ଶ୍ରେଣୀରେ ପଢିଲା ବେଳକୁ ତ ଏତେ ବହି ନଥିଲା ।” ବାପାଙ୍କ ଉପରେ ଚିଡି ଉଠି ଆନନ୍ଦ କହିଲା, “ବାପା, ମୁଁ କେତେଥର କହିଛି ମୋତେ ସେ ଅଣ୍ଡା ନାଁରେ ଡାକିବନି ବୋଲି ।” ଜିଭଟିକ କାମୁଡିଦେଇ ସ୍ନେହୀ ଅନନ୍ତ କହିଲା, “ଆରେ, ତୁ ଜନ୍ମ ହେଲାବେଳେ ତୋ ମୁଁହ ଗୋଲଗାଲ୍ ଅଣ୍ଡା ଭଳି ଦିଶୁଥିଲା, ତେଣୁ ତୋ ମା’ ତୋତେ ଅଣ୍ଡା ବୋଲି ଡାକିଲା । ଆମେ ପିଲାବେଳୁ ତୋତେ ଏହି ନାଁ ଧରି ଡାକି ଆସୁଅଛୁ , ଅଭ୍ୟାସ କ’ଣ ସହଜରେ ଯାଉଛି ?” କିଛି ସମୟ ଚୁପ୍ ରହି ଅନନ୍ତ ପୁଣିଥରେ କହିଲା, “କିନ୍ତୁ ଧନ, କହ ତ ଭଲା, ଆଗରୁ ତୋତେ ଅଣ୍ଡା ଡାକିଲେ, ତୁ ତ ଚିଡି ଯାଉନଥିଲୁ, ଏବେ କାହିଁକି ଚିଡୁଛୁ ? ତାହା ଛଡା ତୋ ସାଙ୍ଗମାନେ କ’ଣ ତୋତେ ତୋର ପୂରା ନାଁ , ଆନନ୍ଦ ନାରାୟଣ ପ୍ରଧାନ ବୋଲି ଡାକନ୍ତି? ତୋତେ ସ୍ନେହରେ କିଛି ଡାକ ନାଁରେ ଡାକନ୍ତି ନାହିଁ ?

ଆନନ୍ଦ କହିଲା, “କେହି ବାପା ମା , ତାଙ୍କ ପୁଅକୁ ଏମିତି ଅସନା ନାଁ ଦିଅନ୍ତି ? ମୋ ସାଙ୍ଗମାନେ ମୋତେ ଆଣ୍ଡିଜ୍ ଡାକନ୍ତି ଆଣ୍ଡିଜ୍ – ଭଲ ଶୁଭୁଛି ନା ନାହିଁ?” ଅନନ୍ତ ଫିକ୍ କିନା ହସି ଦେଇ କହିଲା, “ଆଣ୍ଡିଜ୍ ? କିରେ, ତା ମାନେ କ’ଣ” ? ଆନନ୍ଦ କହିଲା, “ମାନେ କିଏ ଜାଣିଛି ? ମୁଁ ଜାଣିନି, କିନ୍ତୁ,ଭଲ ଲାଗୁଛି , ଫରେନ୍ ଫରେନ୍ ଲାଗୁଛି। ତୁମେ କ’ଣ ଜାଣିବ, ତୁମେ ତ ଇଂଲିଶ୍ ରେ ପଦେ କଥା ବି ହୋଇପାରନାହିଁ ।

ଅଣ୍ଡା କଥା ଶୁଣି, ଅନନ୍ତ ହଠାତ୍ କରି ଗମ୍ଭୀର ହୋଇ ଉଠିଲା । ଅନନ୍ତ ମଧ୍ୟରେ ଲୁଚିରହିଥିବା ବାପାଟି, କିଛି ସମୟ ଚୁପ୍ ହୋଇ, ମୁଁହ ତଳକୁ ପୋତି ବସି କିଛି ଭାବିବାକୁ ଲାଗିଲା । ଆନନ୍ଦ ଭାବିଲା, ଏଇଟା ସ୍ମାର୍ଟ୍ ଫୋନ୍ କଥାଟି ଉଠାଇବାର ଉଚିତ୍ ସମୟ । ନୀରବତା ଭାଙ୍ଗି ଆନନ୍ଦ କହିଲା, “ବାପା, ମୋ ସ୍ମାର୍ଟ୍ ଫୋନ୍ କଥା କ’ଣ ଭାବିଲ କୁହ ? କେବେ କିଣି ଦବ କୁହ ? ମୁଁ ଗୋଟେ ଦିଟା ଭଲ ମଡେଲ୍ ବାଛି ରଖିଛି ।

ଅନନ୍ତ, ଅଣ୍ଡାର ପ୍ରଶ୍ନର ଉତ୍ତର ଦେଇ କହିଲା, “ଦେଖ୍ ଆନନ୍ଦ ! ମୋ ବାପା ଛୋଟ ବୟସରେ ଚାଲିଗଲେ ବୋଲି , ମୁଁ ନବମ ଶ୍ରେଣୀରେ ନାମ ଲେଖାଇ ପାରିଲିନି, ହଳ ଧରିଲି, ଆଉ ତା’ ପରେ ଚଷା କାମ କରୁଛି । ମୋର ଇଂରାଜୀ ଜ୍ଞାନ, ତୋ ଠାରୁ କମ୍ ହୋଇଥାଇପାରେ, କିନ୍ତୁ, ମୁଁ ଭଲଭାବରେ ଜାଣେ; ଚାଷ କରିବା ଯାହା, ପାଠ ପଢିବା ତାହା । ଜମିକୁ ଉର୍ବର ଓ ଫଳପ୍ରସୂ କରିବାକୁହେଲେ ଲଙ୍ଗଳକୁ ଜମି ଭିତରେ ମଡାଇବାକୁ ପଡେ, ଲଙ୍ଗଳକୁ ଖସରେଇନେଲେ ବୋଧହୁଏ, କାମ ଶୀଘ୍ର ସରିଯିବ , କିନ୍ତୁ ତାହା କେବଳ ତାହା କେବଳ ଜମିକୁ ଅଧିକ ଟାଣ କରିବ । ଆଉ ଏତେ ଶକ୍ତ କରିଦେବ କି ଯେଉଁଥିରେ ଗୋଟିଏ ବୀଜ ମଧ୍ୟ ଅଙ୍କୁରିତ ହେବ ନାହିଁ । ମୁଁ ଟିକିଏ ଆଗରୁ ଦ୍ୱନ୍ଦ୍ୱରେ ଥିଲି ସ୍ମାର୍ଟ୍ ଫୋନ୍ ତୋର କେତେ ଦରକାର । ଏବେ ଜାଣିଲି, ତୁ ବହି ରୂପକ ଜମି ଉପରେ ହଳ ଚଳାଇ ଶିଖିନାହୁଁ, ଅଧିକା ଜମି ନେଇ କ’ଣ କରିବୁ ? ସ୍ମାର୍ଟ ଫୋନ୍ ଅଧିକା ପଢିବା ପାଇଁ ଜମି । ସ୍ମାର୍ଟ ଫୋନ୍ ଏବେ ତୋ ପାଇଁ ନୁହେଁ ।

ଆନନ୍ଦ ବ୍ୟତିବ୍ୟସ୍ତ ହୋଇ କହି ଉଠିଲା, “କାହିଁକି ନୁହେଁ ? ମୁଁ ଇଣ୍ଟରନେଟ୍ ବ୍ୟବହାର କରି ପଢିବି ! ନୂଆ କଥା ଜାଣିବି, ନ ହେଲେ ମୁଁ ପଛରେ ପଡିଯିବି ।

ଅନନ୍ତ ବାହାରକୁ ଯାଉ ଯାଉ ବୁଲିପଡି କହିଲା, “ଆଣ୍ଡିଜ୍, ଦକ୍ଷିଣ ଆମେରିକାରେ ଥିବା ଏକ ପର୍ବତମାଳା । ମୁଁ ସପ୍ତମ ଶ୍ରେଣୀ ଭୂଗୋଳ ବହିରେ ପଢିଥିଲି । ତୁ ତୋ ନାଁ ର ମାନେ ଜାଣିନାହୁଁ ! ଯଦି ଜାଣିନାହୁଁ, ତେବେ ତୋ’ ବହି ଚାଷ କରିବା ଆରମ୍ଭ କର ।

ଆନନ୍ଦ, ଗତ ରଜ ଛୁଟିରେ କିଣିଥିବା ସ୍କୁଲ୍ ଆଟଲାସ୍ ଟିକୁ ତା ବ୍ୟାଗ୍ ରୁ କାଢିଲା । ହାତରେ ଧରି, ପ୍ରଶାନ୍ତ ମହାସାଗର , ଦକ୍ଷିଣ ଆମେରିକା ଓ ତହିଁରେ ଥିବା ଆଣ୍ଡିଜ୍ ପର୍ବତମାଳାକୁ ଖୋଜିବାରେ ଲାଗିଲା । ସେ ବୁଝିସାରିଥିଲା କି, ତା’ର ସ୍ମାର୍ଟ୍ ଫୋନ୍ ଚାଷ ଜମି ଏବେ ଆଉ ଆବଶ୍ୟକ ନଥିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top