ଉପନ୍ୟାସ

ମୁଠାଏ ମାଟି

Ashok Biswal's Odia Novel Muthae Maati

ଠିକ କହିଛ ଅବିନାଶ । ମୁଁ ଖୁସି ଯେ ତୁମେ ନିଜର ମନକୁ ନିୟନ୍ତ୍ରଣ କରିବା ଶିଖିଗଲଣି ଏତିକି ଦେଖାରେ ।

ମୁଠାଏ ମାଟି

ମୋର ଯିବା ସମୟ ହୋଇଯାଉଛି ଅବିନାଶ ।- ଛାଇ କହିଲା । ଛାଇ ଖୁସି ହୋଇଯିବା କଥା । ଏତେ ଧନ୍ୟବାଦ ଯେ ଅବିନାଶ ଦେଉଛି । ତାର ମୁହଁରେ କିଛି ରେଖା ଫୁଟିଲାନି । ଏକ ସନ୍ୟାସୀର ନିର୍ଲିପ୍ତତା । ସୈନିକ କର୍ତ୍ତବ୍ୟର ପାଳନ ସମୟରେ କେବଳ କର୍ତ୍ତବ୍ୟ କଥା ଭାବେ । କିଛିରେ ମନ ବିଚଳିତ ହେବନି ।

ସତରେ ତୁମେ ଚାଲିଯିବ ।- ଅବିନାଶ ଦୁଃଖର ସହ କହୁଥିଲା । ତା ଭିତରେ କେତେ ପରିବର୍ତ୍ତନ ଆସିଯାଇଥିଲା । ଛାଇ ଚାଲିଗଲେ ସେ କଣ ନିଜ ପୁରୁଣା ଦୁନିଆକୁ ଫେରିଯିବ ଆଉ ଧିଆଁରେ ଘେରିଥିବା ଅତୀତକୁ ଧରି ବଞ୍ଚି ରହିବ?

ଆଉ ମୁଁ ରହିପାରିବି ନାହିଁ ଅବିନାଶ । ଏତକି ସମୟ ପର୍ଯ୍ୟନ୍ତ ମୋର ଯାତ୍ରା ତୁମ ସହ । ଏହା ପ୍ରକୃତିର ନିୟମ । କିଛି ଭାଙ୍ଗି ହେବନି ।

ଅବିନାଶ ଏକ ଦୀର୍ଘ ଶ୍ୱାସ ନେଲା । ତଥାପି ବି ଛାଇ ମଣିଷଟା ଚାଲିଯାଉ ବୋଲି ସେ ମୋଟେ ଚାହୁଁ ନଥିଲା । ଏତେ ସମୟ ଧରି ତା ସହ କଥା ହେବା ଫଳରେ ତା ଭିତରେ ଅନେକ ନଦୀ ଉଚ୍ଛୁଳି ପଡିଥିଲା, ଅନେକ ବାଧା ଭାଙ୍ଗି ଯାଇଥିଲା । ସେ ନିଜେ ଏବେ ନଦୀର ପ୍ରବାହ ଭଳି ବୋହି ଯାଉଥିଲା ।

ମନ କହୁଛି ତୁମେ ଯାଅନି । ମୁଁ ସୈନିକ ନୁହେଁ । କିନ୍ତୁ ତୁମକୁ ତୁମର ଯାତ୍ରାରୁ ଅଟକାଇବିନି ।- ଅବିନାଶ ନିଜକୁ ସମ୍ଭାଳି ନେଇ କହିଲା । ଯୁଦ୍ଧରେ ଏକ ପୋଷ୍ଟକୁ ରକ୍ଷା କରିବା ପାଇଁ ସବୁବେଳେ ସାଥି ସୈନିକର ଆବଶ୍ୟକତା ନଥାଏ । ନିଜର ମନୋବଳ ନେଇ, ନିଜର ଦୃଢନିଷ୍ଠା ନେଇ ସେ ନିଜର କର୍ତ୍ତବ୍ୟ କରେ । ଅନ୍ୟକୁ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଅଟକାଏ ନାହିଁ । ସୈନିକର ଶୃଙ୍ଖଳା ସେଇଟା ।

ଠିକ କହିଛ ଅବିନାଶ । ମୁଁ ଖୁସି ଯେ ତୁମେ ନିଜର ମନକୁ ନିୟନ୍ତ୍ରଣ କରିବା ଶିଖିଗଲଣି ଏତିକି ଦେଖାରେ ।

ସେ ମାଟି ମୁଠାକ ଏଇଠି ଛାଡିଯିବ ।

ସେତକ ତ ମୋ ଶେଷ ଯାତ୍ରାର ସନ୍ତକ ।

ତୁମେ ତ ଆଉ ସଶରୀରରେ ଯାତ୍ରା କରିବନି । ତେଣୁ କଣ ପାଇଁ ସେ ମାଟି ମୁଠାକ ନେଇଯିବ? ସେଇ ମାଟି ମୁଠାକଦେଇ ଦିଅ ।

ଲାଲ ରକ୍ତରେ ସିକ୍ତ ସେଇ ମାଟି ମୁଠା । ତୁମ ହାତ ସବୁବେଳେ ଲାଲ ହୋଇଯିବ । ସ୍ୱପ୍ନରେ, ଜାଗ୍ରତରେ ତୁମେ ସେ ଲାଲ ମାଟିକୁ ପାଇବ । କିଛି ପଥର ଗୁଣ୍ଡ । କଣ କରିବ ଏ ମାଟି ମୁଠାକୁ ?

ମୋ ଆଗରେ ରଖିବି ।

ଅବିନାଶ । ଆବେଗରେ ଏତେ ଆଗକୁ ଚାଲିଯାଅନି । ସେ ମାଟି ସହସ୍ର ବୀରଙ୍କର ଝାଳର ମାଟି । ଅଜସ୍ର ଦେଶଭକ୍ତଙ୍କର ରକ୍ତସିକ୍ତ ମାଟି । ତୁମେ ସମ୍ଭାଳି ପାରିବନି । ତୁମ ଦେହ ଶିତେଇ ଉଠିବ ।

ଅବିନାଶ ଅଟକିଗଲା । ତାର ଆଖି ବନ୍ଦ ହୋଇ ଆସିଲା । ତାର ଦେହ ଥରୁଥିଲା । ହାତ, ଗୋଡ ସବୁ ଥରୁଥିଲା । ସେ କିନ୍ତୁ ତଳେ ପଡିଯାଉ ନଥିଲା । ତା ମନ ଭିତରେ ଏକ ତୀବ୍ର ଲଢେଇ ହେଉଛି ବୋଲି ଜଣା ଯାଉଥିଲା । ଏକ ଅତି ପ୍ରବଳ ଲଢେଇ । ସେ ନିଜକୁ ସ୍ଥିର କରୁଥିଲା । ଘରର ସବୁ ଆଲୋକ ଯେମିତି ତା ଉପରେ କେନ୍ଦ୍ରୀଭୂତ ହୋଇଥିଲା ।

ତୁମେ ମୋତେ ସେତିକି ଦେଇ ଦିଅ । ମୁଁ ସମ୍ଭାଳିବି । ମୋ ମନ ଭିତରେ ଉଙ୍କିମାରି ଦେଖ ତୁମର କଳିଙ୍ଗ ହିଲସ । ତୁମର କଳିଙ୍ଗ ରେଜିମେଣ୍ଟାଲ ସେଣ୍ଟର । ତୁମର କଳିଙ୍ଗା ୟୁନିଟ । ମୁଁ ତୁମପାଇଁ ଏକ ବୀରତ୍ୱର ସ୍ମାରକ ତିଆରି କରିଛି । ଦେଖିନିଅ ଥରେ । ତୁମର ଆସଲ୍ଟ ରାଇଫଲସ୍ ସେଠାରେ ଶହୀଦର ସ୍ମାରକୀ ହିସାବରେ ଶୋଭାପାଉଛି । ତୁମର ଅସ୍ତ୍ରର ସାମାନ୍ୟତମ ଅସମ୍ମାନ ହୋଇନି । ସମାଜ ମଧ୍ୟ ବିଶୃଙ୍ଖଳିତ ହୋଇନି । କେହି ସେଠାରୁ ସେହି ରାଇଫଲସ୍କୁ ହଟାଇ ପାରିନାହାନ୍ତି । କେହି ସେ ରାଇଫଲସ୍କୁ ହଟାଇବେନି ମଧ୍ୟ ।- ଅବିନାଶ କହିଲା । ତା ଆଖି ବନ୍ଦ ଥିଲା ।

ଅବିନାଶ, ଅବିନାଶ । କଣପାଇଁ ଏତେ କଷ୍ଟ କରି ତିଆରି କଲ ତୁମେ । ଏ କଳିଙ୍ଗ ହିଲସ୍ ମୋର ସ୍ମୃତି ହୋଇ ରହିବ । ଅବିନାଶ, କେତେ କଷ୍ଟ କରିଥିବ ତୁମେ । ବାସ୍, ମୋର ବିଦାୟ ନେବା ସମୟ ଆସିଗଲାଣି ଆଉ ରହିପାରିବିନି ।– ତା ସ୍ୱର ଅସ୍ପଷ୍ଟ ହୋଇଯାଉଥିଲା । ବହୁତ ଧିର ହୋଇଯାଉଥିଲା । କାନରେ ଶୁଣି ନହେଲା ଭଳି ସ୍ୱର । ବାହରେ ଆଲୁଅ ଆସିନି । ତଥାପି ଗାଢ ଅନ୍ଧାର ଅଛି ।

ଅବିନାଶ, ମୁଁ ତୁମର ଆଖିରେ ମୋର କଳିଙ୍ଗ ହିଲସକୁ ଦେଖିବି ଚିରଦିନ ପାଇଁ । ତୁମ ସମାଜର ହାତରେ ମୁଁ କଳିଙ୍ଗ ରେଜିମେଣ୍ଟକୁ ତିଆରି ହେବା ଦେଖିବି । ତୁମ ଦୁନିଆର ଆଖିରେ ମୁଁ ମୋର ଗୌରବକୁ ଚିରଦିନ ପାଇଁ ପ୍ରଜ୍ଜ୍ୱଳିତ ହେବାର ଦେଖିବି ।

ଅବିନାଶ, ମୁଁ ବଞ୍ଚିବି ତୁମମାନଙ୍କ ଶ୍ୱାସରେ ।

ଅବିନାଶ, ମୋର ସ୍ମୃତି ଗଢା ହେବ ତୁମ ସମାଜର ତ୍ୟାଗରେ ।

ଅବିନାଶ, ମୁଁ ପୁନଃର୍ଜୀବନ ନେବି ତୁମ ନୂଆ ଦୁନିଆର ହାତରେ ।

କାହା ମନରେ ନିଜର କର୍ତ୍ତବ୍ୟ ପାଇଁ ସାମନ୍ୟତମ ସନ୍ଦେହ ନଥିବ ।

ତୁମେ ନିଜ ପାଇଁ ନୁହଁ, ନିଜ ସମାଜର ଗର୍ବ ଓ ଗୌରବ ପାଇଁ ବଞ୍ଚିବ ।

ତୁମକୁ ମୁଁ ଶୃଙ୍ଖଳା ଶିଖାଇଛି । ତୁମକୁ ମୁଁ ତ୍ୟାଗ ଶିଖାଇଛି ଅବିନାଶ । ସାରା ବିଶ୍ୱରେ ତୁମର ଗୌରବଗାଥା ପ୍ରଚାରିତ ହେବ ଏବେ ।

ସମସ୍ତେ ତୁମମାନଙ୍କୁ ଅତି ସମ୍ମାନର ଦୃଷ୍ଟିରେ ଦେଖିବେ ।

ତୁମେ ଆଉ ଅପରିଚିତ ରହିଯିବ ନାହିଁ ।

ତୁମେ ସବୁବେଳେ ସୈନ୍ୟଭଳି ମୁଣ୍ଡ ଉଠାଇ ଏ ହିଲସ୍କୁ ଦେଖିବ ।

ଅବିନାଶ ତୁମେ କେତେ ଯତ୍ନର ସହ ତିଆରି କରିଛି । ଏ ହିଲସ୍ ମୋର ନୁହେଁ କେବଳ, ତୁମର, ମୋର, ସବୁ ପରିବର୍ତ୍ତନ ଭାବୁଥିବା ଲୋକଙ୍କର । ସବୁ ବୀର ସୈନିକଙ୍କର ଯେଉଁମାନେ କେବେ ହାରିବେନି ।

ତୁମର ପତାକା ଫରଫର ହୋଇ ଉଡୁଛି । ଦେଖୁଛ କେମିତି ଉଡୁଛି ।

ଅବିନାଶ । ଏ ପତାକା କେବେ ତଳକୁ ଓହ୍ଲାଇବନି । କେବେ ଛିଡିବନି ।

ଗଛଟାଏ ହଲୁନି । କିନ୍ତୁ ସେ ପତାକା ସେମିତି ଫରଫର ହୋଇ ଉଡୁଛି ।

ସେ ତ ଉଡିବ ଅବିନାଶ । ତୁମ ହାତରେ ଥିବା ମାଟି ମୁଠାକରେ ସୀମାନ୍ତର ସବୁ ଶହୀଦ ସୈନ୍ୟଙ୍କର ନିଃଶ୍ୱାସ ଭରି ରହିଛି । ସେମାନେ ଜୀବନ୍ତ ଅବିନାଶ । ସେମାନେ ସେ ପତାକାରେ ଜୀବନ୍ତ । ସେମାନଙ୍କର ନିଃଶ୍ୱାସରେ ଏ ପତାକା ଉଡୁଛି । ଆଉ ସେମାନଙ୍କର ନିଃଶ୍ୱାସ କେବେ ବନ୍ଦ ହେବନାହିଁ । ତୁମ ସମାଜର ବିଶ୍ୱାସର ଏ ପତାକା ଅବିନାଶ । ତୁମ ନିଃଶ୍ୱାସରେ ଏ ପତାକା ଉଡୁଥିବ ।

ଅବିନାଶ ପତାକା ପବନରେ ଉଡେନାହିଁ । ପତାକା ଉଡେ ବଳିଦାନରେ । ପବନରେ ଖଣ୍ଡିଏ କପଡା ଉଡେ, ଖରା ବର୍ଷା ଖାଇ ମଳିନ ପଡିଯାଏ । ତା ପରେ ବାତ୍ୟା ପବନରେ ଖଣ୍ଡ ଖଣ୍ଡ ହୋଇ ଛିଡି ଉଡିଯାଏ । ସୈନିକଙ୍କର ନିଃଶ୍ୱାସରେ ତିଆରି ପତାକା ମଳିନ ପଡେନା । ଖରା ବର୍ଷା, ଶୀତ କାକର ସବୁଦିନ ସମାନ ପତାକାର ପାଇଁ, ସବୁବେଳେ ଫରଫର ହୋଇ ଉଡେ । ସୈନିକ ଥକେନା । ପତାକା ସେମିତି ଛିଣ୍ଡି ଉଡି ଯାଏନା ।

ଅବିନାଶ । ଆଉ ଏ ପତାକା କେବେ ଛିଡିବନି । ତୁମର କଳିଙ୍ଗ ହିଲସ୍ରେ ସବୁବେଳପାଇଁଉଡୁଥିବ । –ଛାଇ ମଣିଷ ଏତେ କଥା କହିଚାଲିଥିଲା ।

ଛାଇ ମଣିଷକୁ ଆଲୁଅ ଆସିବା ଆଗରୁ ଯିବାକୁ ପଡିବ । ପକ୍ଷୀମାନେ ମଧ୍ୟ ରାବ ଦେଇ ନାହାନ୍ତି । ତା ଆଖି ଉଦାସ ହୋଇ ଯାଉଥିଲା । ଆଖିର ଚାରିପଟେ ଧୂଆଁ ଗାଢା ହୋଇ ଆସିଲା । ମଣିଷଟା ଅନ୍ଧାରୁଆ ହୋଇ ଆସିଲା । ସେ ଭିତରେ ଧିରେ ଆଖି ହଜିଯାଉଥିଲା । ବହୁତ ଧିରେ ସବୁକିଛି ଧୂଆଁଳିଆ ହୋଇଯାଉଥିଲା । ଧିରେ ଧୂଆଁର ରଙ୍ଗ ବଦଳିବାକୁ ଆରମ୍ଭ କଲା । ହାଲକା କଳା ଧୂଆଁ । ତାପରେ ଧୂଆଁର ରଙ୍ଗ ନାରଙ୍ଗୀ, ତାପରେ କମଳା ହୋଇଯାଉଥିଲା । ସେ ଭିତରୁ ଏକ ଆଖି ଉଙ୍କି ମାରୁଥିଲା । ଆଖି ଡୋଳା ସ୍ପଷ୍ଟ ଜଣାପଡୁଥିଲା ।

ତୁମେ ସତରେ ହଜିଯିବ?- ଅବିନାଶ ଶେଷ ଆଡକୁ ବିଚଳିତ ହୋଇପଡିଲା । ଏତେ କଥା ଶୁଣି ତା ଆଖି ଧିରେ ଖୋଲିଯାଇଥିଲା । ତା ଆଖି ଆଗରେ ସେ ଛାଇ ମଣିଷ ଅସ୍ପଷ୍ଟ ହୋଇଯାଉଥିଲା । ସେ କିଛି ବୁଝି ପାରୁନଥିଲା । ଏମିତି ସବୁ ଧୂଆଁର ବଳୟ କଣପାଇଁ ସୃଷ୍ଟି ହୋଇଗଲା ?

ଅବିନାଶ ମୁଁ ତୁମକୁ ତୁମ ମାଗିଥିବା ମାଟି ମୁଠାକ ଦେଇଯାଉଛି ।- ଛାଇ ଧିରେ କହିଲା । ତାର ସ୍ୱର ଧୂଆଁ ବୁଲୁଥିବା ହେତୁ ଲମ୍ବା ହୋଇଯାଉଥିଲା । ଅବିନାଶର ଆଖି ଶୁନ୍ୟ ହୋଇ ଆସୁଥିଲା । ସେ ନିଜ ଭିତରେ କିଛି ଜୋରରେ ବୁଲୁଥିବା ଅନୁଭବ କରୁଥିଲା ।

ଅବିନାଶ, ଗଲୱାନର ବୀର ସୈନିକକଙ୍କ ଶେଷ ରକ୍ତ ରଞ୍ଜିତ ମାଟି ମୁଠାକ ମୁଁ ତୁମକୁ ଦେଇ ଯାଉଛି ।- ଛାଇ ଆଉଥରେ କହିଲା । ଏବେ ତାର ସ୍ୱର ଭାଙ୍ଗି ଭାଙ୍ଗିଆସୁଥିଲା । ଅବିନାଶ କଣ ଘଟୁଛି ଜାଣି ପାରୁ ନଥିଲା ।

ହାତ ବଢାଅ ଅବିନାଶ, ମୁଁ ଟିକିଏ ଡେରିକଲେ ତୁମକୁ ଏ ମାଟି ମୁଠାକ ଦେଇ ପାରିବିନି ।- ସେ ଛାଇ କହିଲା । ଏବେ ତା ସ୍ୱର କେଉଁ ଦୂରରୁ ବାହରି ଆସିବା ଭଳି ଲାଗୁଥିଲା । ତାର ମୁହଁ ଚାରିପାଖେ କମଳା, ଧଳା ରଙ୍ଗର ଧୂଆଁ ଜୋରରେ ବୁଲୁଥିଲା । ସେ ଭିତରୁ ମୁହଁର ଆକୃତି ଖାଲି ବାରି ହେଉଥିଲା କିନ୍ତୁ ଆଖି ଅତି ସ୍ପଷ୍ଟ ଥିଲା । ଅବିନାଶ କିଛି ନଭାବି ତା ହାତ ଆଗକୁ ବଢାଇ ଦେଲା ।

ଛାଇ ମଣିଷର ହାତ ଧୂଆଁ ଭିତରୁ ବାହାରି ଆସିଲା । ସେ ହାତକୁ ମଧ୍ୟ ଧଳା, କଳା ଧୂଆଁ ଘେରି ଯାଇଥିଲା । ଅବିନାଶର ହାତ ଖୋଲାଥିଲା । ସେ ହାତକୁ ଆଞ୍ଜୁଳି କରିନେଲା ।
ଏକ ବରଫ ଶୀତଳ ହାତ ତାକୁ ଛୁଇଁଗଲା । ହିମ ଶୀତଳ ଆଙ୍ଗୁଠି । ଅବିନାଶ ଥରିଗଲା । ଛାଇ ମଣିଷଟା ଏତେ ଥଣ୍ଡା ଥିଲା । ସେ ଘରେ ଭିତରର ଏତେ ଥଣ୍ଡାକୁ ଜାଣି ପାରିନଥିଲା । ଛାଇ ମଣିଷର ହାତରୁ କିଛି ଗୁଣ୍ଡ ମାଟି ଝରିପଡିଲା । ସେ ମାଟି ଉଷୁମ ଲାଗୁଥିଲା । ମଣିଷ ଦେହର ଉଷୁମ । ଛାଇ ମଣିଷ ନିଜର ପାପୁଲିକୁ ଓଲଟାଇ ଦେଲା ଆଉ ଅବିନାଶ ନିଜ ଆଞ୍ଜୁଳିକୁ ବନ୍ଦ କରିନେଲା । ତା ଭିତରେ ଏକ ଉଷୁମ ଚରି ଯାଉଥିଲା ।

ଅବିନାଶ । ଏ ମାଟି ମୋର ସ୍ମୃତି ।– ଏକ ଭଙ୍ଗା ଦଦରା ସ୍ୱର କହୁଥିଲା । ପ୍ରତିଟି ଶବ୍ଦ ଭାଙ୍ଗି ଯାଉଥିଲା । ସେ ଶବ୍ଦକୁ ବୁଝିବା ମଧ୍ୟ କଷ୍ଟ ହେଉଥିଲା । ଏ ଭିତରେ ଘର ସାମାନ୍ୟ ଅନ୍ଧାରିଆ ହୋଇ ଆସିଲା । ଧୂଆଁରୁ ଧଳା, କମଳା, ନାରଙ୍ଗୀ ରଙ୍ଗର ହାଲକା ଆଲୋକ ବିଚ୍ଛୁରଣ ହେଉଥିଲା । ସେଇ ଯାହା ଆଲୋକ । ଏବେ ଧିରେ ଛାଇ ମଣିଷର ଦେହ ଧୂଆଁରେ ମିଳେଇ ଯାଇଥିଲା । ତାର ମୁହଁ ମଧ୍ୟ ଧୂଆଁ ଭିତରେ ଲୁଚି ଯାଇଥିଲା ।

ସକାଳର ପ୍ରଥମ ଆଲୋକକୁ ଏ ମାଟି ଦାନ କରିଦେବ ଅବିନାଶ ।- ଛାଇ ମଣିଷର ଶେଷ କଥା କେଉଁ ଅନନ୍ତ ଦୂରରୁ ଭାସି ଆସିଲା । ଏଥର କିନ୍ତୁ ଶବ୍ଦ ଅତି ସ୍ପଷ୍ଟ କିନ୍ତୁ ଧିର ଥିଲା । ଘରେ ଧୂଆଁ ବହୁତ ଜୋରରେ ବୁଲିବାକୁ ଲାଗିଲା । ସେ ଭିତରେ ପଡିଲେ ଯେମିତି ସବୁକିଛି ଘୂର୍ଣିବଳୟ ଭିତରକୁ ଚାଲିଯିବ ଆଉ କେଉଁ ଅନନ୍ତ ଗହ୍ୱରକୁ ଚାଲିଯିବ । ସେ ଭିତରକୁ ସବୁ ଟାଣି ହୋଇଯାଉଥିଲା । ଛାଇ ମଣିଷ ଚାରିପାଖେ ବୁଲୁଥିବା ଧୂଆଁ, ସବୁ ଟାଣି ହୋଇଗଲା । ସେ ଆଖି ଅବିନାଶକୁ ଏକଦମ ସ୍ଥିର ଦୃଷ୍ଟିରେ ଅନାଇଥିଲା । ଟିକିଏ ପଲକ ପଡୁନଥିବା ଆଖି, ସମ୍ମୋହନର ଆଖି । ସେ ଆଖି କଣ କହୁଥିଲା? କିନ୍ତୁ ସେଥିରେ କିଛି ହଲୁଥିବା ଭାବନା ନଥିଲା ଯଦିଓ ଚାରିପାଖେ ଏତେ ଜୋରରେ ଧୂଆଁ ବୁଲୁଥିଲା । ଅବିନାଶ ଏକ ଧ୍ୟାନରେ ସେହି ଆଖିକୁ ଅନାଇ ରହିଥିଲା । ତା ଆଞ୍ଜୁଳି ବନ୍ଦ ହୋଇଥିଲା ଆଉ ତା ଦେହରେ ଏକ ଉଷୁମ ପଶିଯାଉଥିଲା । କାନରେ କିଛି ଆର୍ତ୍ତ ଚିତ୍କାର ନଥିଲା । ସବୁକିଛି ନିସ୍ତବ୍ଧ ।

ଅବିନାଶ ଆଗରେ ଏକ ପାହାଡ ଧୂଆଁରେ ତିଆରି କରିନେଲା । ଏକ ସୁନେଲୀ ପାହାଡ । ସେ ପାହାଡର ଚୂଡାରୁ ସେଇ ସ୍ଥିର ଆଖି ଦେଖାଯାଉଥିଲା । ଆଖିର ଆକାରର ଅନେକ ଛୋଟ ଧୂଆଁର ବୃତ୍ତ ସେମିତି ଜୋରରେ ବୁଲୁଥିଲା । ଟାଣି ହୋଇଯାଉଥିବା ଗର୍ତ୍ତର ଆକାର ବଢିଗଲା ଆଉ ସେ ଭିତରକୁ ଆଖି ଦୁଇ ଟାଣି ହୋଇଗଲା । ହଠାତ୍ ତୀବ୍ର ଆଲୋକର ଧାର ଛୁଟି ଆସିଲା ଆଉ ସବୁ କିଛି ଧଡ୍ ଧଡ୍ ହେଲା । ଅବିନାଶ ଆଖି ବନ୍ଦ କରିଦେଲା । ଏତେ ଆଲୋକ ସହ୍ୟ କରିବା ପାଇଁ ତା ଦୃଷ୍ଟିରେ ଶକ୍ତ ନଥିଲା । ତା ଦେହକୁ ସେହି ତୀବ୍ର ଆଲୋକ ଯେମିତି ପାଣିରେ ଗାଧୋଇ ଦିଏ, ସେମିତି ଗାଧୋଇ ଦେଇଥିଲା ।

ଅବିନାଶ କ୍ଷଣେ ଏକଦମ ପଥର ଭଳି ସ୍ଥିର ହୋଇଗଲା । ସବୁକିଛି ନୀରବ, ନିସ୍ତବ୍ଧ । କିଛି ବୁଲୁଥିବା ଆଲୋକ ବା ଛାଇ ନଥିଲାା ଧୂଆଁ ଆଉ ନଥିଲା । ସେ ଆଖି ଖୋଲିଲା । ଘରେ ବିଦ୍ୟୁତ ଆଲୋକ, ଅତି ମଳିନ, କିନ୍ତୁ ଜିନିଷସବୁ ବାରି ହେଉଥିଲା । ଛାଇ ମଣିଷ ଆଉ ନଥିଲାା ଘର ଭିତରେ ଜିନିଷ ପତ୍ର ଏଣେତେଣେ ଖେଳାଇ ହୋଇ ପଡିଥିଲା । ଘରେ କିଛି ଘଟିଯାଇଛି ତାର ପ୍ରମାଣ । ସତରେ କିଛି ଘଟିଯାଇଛି । ସେ ନିଜ ଆଞ୍ଜୁଳିକୁ ଆନଇଲା । ତା ଆଞ୍ଜୁଳି ବହୁତ ଜୋରରେ ବନ୍ଦ ଥିଲା । ସେଥିରୁ କିଛି ଧକ୍ ଧକ୍ ହେଉଥିବାର ଅନୁଭବ ହେଉଥିଲା । ସେଇଟା ସେ ଭିତରେ ଥିବା କିଛି ଜୀବନ ନା ତା ନିଜ ହୃତପିଣ୍ଡର ଶବ୍ଦ ? ଧକ୍ ଧକ୍ ସେ ଅନୁଭବ କରୁଥିଲା ।

ଆଉ କେଇ ମୁହୂର୍ତ୍ତରେ ଭିତରକୁ ଆଲୋକ ଆସିଯିବ । ବାହାରେ ପକ୍ଷୀମାନଙ୍କ କାକଳୀ କେଉଁ ଦୂରରୁ ଶୁଣାଯାଉଥିଲା । ସେ ଆଞ୍ଜୁଳୀ ଧିରେ ଖୋଲିଲା । ଛାଇ ମଣିଷ ତାକୁ ମୁଠାଏ ମାଟି ଦେଇ ଯାଇଛି । ବରଫର ଆଙ୍ଗୁଠିରେ ଥିବା ଉଷୁମ ମାଟି । ସେ ମାଟି ଧରିବା ପରେ ଅବିନାଶ ଏକଦମ ନିଶ୍ଚିତ ହୋଇ ଯାଇଥିଲା । ତା ଭିତରେ କିଛି ଆନ୍ଦୋଳନ ନଥିଲା । କିଛି ଡର ଆସୁ ନଥିଲା । ସେ ମାଟିରେ ତ କଣ ଥିଲା? କଣ ପାଇଁ ମନ ଭିତରେ ଏକ ସାନ୍ତ୍ୱନା ଭରିଦେଇଥିଲା । ଯେତେବେଳେ ଏତେ ଧୂଆଁ, ଆଲୋକ, ଚିତ୍କାର, ଏତେ ଡର ଭୟ ଥିଲା ସେତେବେଳେ ସେ କଣପାଇଁ ଏକଦମ ନିଶିନ୍ତ ଥିଲା ? କଣ ଅଛି ଏ ମାଟିରେ ?

ତାକୁ ପ୍ରଥମ ଆଲୋକରେ ମାଟିକୁ ତର୍ପଣ କରିବାକୁ ପଡିବ । ଏଇଟା ତା ପାଇଁ ନିର୍ଦ୍ଧେଶ ଥିଲା ଛାଇର । ତା ସ୍ମୃତିର ସମର୍ପଣ । ଦିନର ଆଲୋକରେ ସେ ମାଟିକୁ ଧରି ରଖି ପାରିବନି । ତଥାପି ସମୟ ବାକିଅଛି । ସେ ସେଇ ମାଟିକୁ ଦେଖିବାକୁ ଭାବିଲା । ତାକୁ ମନରେ କିଏ ମନା କରୁଥିଲା । ବୋଧହୁଏ ସେଇ କେଉଁ ଯୁଗର ପୁରୁଣା ଶତାବ୍ଦୀ ଶତାବ୍ଦୀର ଉଦାସୀନାତା, ଶତାବ୍ଦୀ ଶତାବ୍ଦୀର ସ୍ଥାଣୁତା । କିନ୍ତୁ ସେ ନିଜକୁ ସମ୍ଭାଳି ନେଲା । ସେ ବାସ୍ତବତା ଠାରୁ ଦୌଡି ପଳାଇବ ନାହିଁ । ମାଟିକୁ ପ୍ରଥମ ଆଲୋକକୁ ତର୍ପଣ କରିବ ।

ତାର ଆଞ୍ଜୁଳି ଖୋଲିଗଲା । ଓଦା ଲାଲ ମାଟି । ସବୁ ମାଟିର କଣିକାରେ ଲାଲ ରଙ୍ଗ ମିଶିଯାଇଛି । ସବୁ କଣିକା ହୃତପିଣ୍ଡ ଭଳି ଧକ୍ ଧକ୍ କରୁଛି । ସେଥିରୁ ରକ୍ତ ଛିଟିକି ଆସୁଛି ଆଉ ସେଇ ମୁଠାଏ ମାଟିରେ ମିଛଶିଯାଉଛି । ସବୁ କଣିକାମାନଙ୍କରୁ ଯୁବକମାନଙ୍କ ମୁହଁମାନ ଉଙ୍କି ମାରୁଛି । ସେମାନେ ହସୁଛନ୍ତି । କାହା ମୁହଁରେ ସାମାନ୍ୟତମ ଯନ୍ତ୍ରଣା ନାହିିଁ । ସମସ୍ତେ ହସୁଛନ୍ତି । ସେମାନେ ଗୀତ ଗାଉଛନ୍ତି । ସେମାନେ ଧାଡି କରି ଚାଲୁଛନ୍ତି । ବିରାଟ ପର୍ବତ ପଛରୁ ସୂର୍ଯ୍ୟ ଉଙ୍କି ମାରୁଛି । କିନ୍ତୁ ସେମାନେ ଚାଲୁଛନ୍ତି । କେଉଁଠି ନଅଟକି ଚାଲୁଛନ୍ତି । ସେମାନେ ସବୁ ଶୃଙ୍ଗ ବିଜୟ କରୁଛନ୍ତି । କେହି ଟଳି ପଡୁନାହାନ୍ତି । କେହି ଥକି ଠିଆ ହୋଇନାହାନ୍ତି । କାହାର ପାଦ ଅସ୍ଥିର ହେଉନି । କାହାର ମୁଣ୍ଡ ନାଇଁ ଯାଉନି । ତାପରେ ମାଟିର କଣିକା ସବୁ ଲାଲ ହୋଇ ଯାଉଛି । ପ୍ରତିଟି କଣିକା ମଣିଷର ହୃତପିଣ୍ଡରେ ପରିଣତ ହୋଇଯଉଛି । ପୁଣି ସେ କଣିକା ଏକ ହସୁଥିବା ମୁହଁରେ ବଦଳିଯାଉଛି । ଅବିନାଶ ଆଉ ଅନାଇ ପାରିଲାନି । ନିଜ ଆଲମିରରାରେ ଥିବା ସବୁଠାରୁ ସଫା କପଡା ବାହାର କରି ଟେବୁଲ ଉପରେ ରଖିଦେଲା । ସେଇ କପଡାରେ ସେ ମାଟିକୁ ଅଜାଡି ଦେବ । ଗୋଟିଏ କଣିକା ଧୂଳି ହୋଇ ତଳେ ପଡିବନି ।

ତାପରେ ସବୁଠାରୁ ଧଳା କପଡାକୁ ଟେବୁଲ ଉପରେ କହୁଣୀରେ ଆଣି ସଜାଇ ଦେଲା । ନିଜ ହାତରେ ଥିବା ମାଟିକୁ ଅତି ଯତ୍ନରେ ସେହି କପଡାରେ ଓଜାଡି ଦେଲା । ତା ହାତରୁ ଶେଷ କଣିକା ଚାଲିଯିବାପରେ ହାତଟା ଏକଦମ ଗରମ ହୋଇଗଲା । ଅଗଣିତ ହୃତପିଣ୍ଡକୁ ଧରିଥିବା ହାତ ଗରମ ହୋଇଯିବା କଥା । ସେ ନିଜ ଭିତରେ ଆଗ୍ନେୟଗିରିର ପ୍ରବାହ ଅନୁଭବ କରୁଥିଲା । ତା ଦେହର ରକ୍ତ, ହାଡ, ମାଂସ ସବୁକିଛି ତରଳ ହୋଇ ଅତି ଜୋରରେ ଦୌଡୁଛି । ସେ ଆଖି ବନ୍ଦ କରି କ୍ଷଣେ ସ୍ଥିର ହୋଇଗଲାା ପକ୍ଷୀମାନେ ଦୂରରୁ କୂଜନ କରୁଥିଲେ । ସେ ନିଜକୁ ସମ୍ଭାଳିନେଲା ଆଉ ଆଉ ଆଖି ଖୋଲିଲା । ଦୁଇ ପଲକରେ ଆଲୋକ ଆକାଶରେ ଦେଖାଯିବ ଏବଂ ପକ୍ଷୀମାନେ ତା ଘର ଚାରିପାଖରେ ଡାକିବେ । ସେ ଧଳାକପଡାରେ ଥିବା ଲାଲ ମାଟିକୁ ଗୁଡାଇଦେଇ ଠିକ ଭାବେ ଆଲୋକରୁ ଦୂରରେ ରଖିଦେବା ପରେ ଏ ମାଟିକୁ ସକାଳର ନୂଆଆଲୋକରେ ନଦୀ ବା ସମୁଦ୍ରର ଜଳରେ ତର୍ପଣ କରିବ । ମାଟିକୁ ଗୁଡାଇ ଦେବା ଆଗରୁ ସେ ମାଟିକୁ ଚାହିଁଲା । ମାଟି ସୁନେଲୀ ହୋଇଯାଇଥିଲା । ସେଥିରୁ ଅଗଣିତ ହସୁଥିବା ମୁହଁ ଦେଖାଯାଉଥିଲା । ସେ ମାଟିକୁ ଭଲଭାବେ ପୁଡିଆ କରି ଆଲମିରରେ ରଖିଦେଲା ।

କିଛି ସମୟପରେ ଅବିନାଶ ଝରକା ଦେଇ ବାହାରକୁ ଅନାଇଲା । ପାହାଡ ଶିଖରରେ ପ୍ରଥମ ସୂର୍ଯ୍ୟ କିରଣ ପଡିଛି । ଲାଲ ସୂର୍ଯ୍ୟ କିରଣ । ପାହାଡଟା କେମିତି ଲାଲ ଦେଖାଯାଉଛି । ଗଛ, ପଥର, ମାଟି ସବୁ କେମିତି ସାମାନ୍ୟ ଲାଲ ଦେଖାଯାଉଛି । ଲାଲ ଟିଞ୍ଜ । ତାକୁ ଲାଗିଲା ପାହାଡ ଶିଖରକୁର କିଛି ତୀବ୍ର ଆଲୋକର ରେଖା ଚାଲିଗଲା । ପାହାଡ ଉପରଟା ଦାଉ ଦାଉ ହୋଇ ଜଳିଉଠିଲା । ଯେମିତି ଏକ ହୀରାରୁ ତୀବ୍ର ଆଲୋକ ବିଚ୍ଛୁରିତ ହେଉଛି । ଆଉ ସେହି ଆଲୋକର ରେଖା ସେଉଠୁ ସବୁଆଡକୁ ପହଁରି ଯାଉଛି ।

କଳିଙ୍ଗ ହିଲସ୍ । – ଅବିନାଶ କହି ଉଠିଲା ।

ତାର ତିଆରି କଳିଙ୍ଗ ହିଲସରେ ଠିକ ଉପରେ ସକାଳର ପ୍ରଥମ ରେଖା ପଡିଛି । ସେଇ ପାହାଡ ହେଉଛି ମିଳେଇଯାଇଥିବା ଛାଇର ସ୍ମୃତି । ସେଇଟା ହେଉଛି କଳିଙ୍ଗ ରେଜିମେଣ୍ଟ କମାଣ୍ଡ ସେଣ୍ଟର । ଏକ ମହାସମୁଦ୍ରକୁ ସେଇ ରେଜିମେଣ୍ଟ କଣ୍ଟ୍ରୋଲ କରୁଛି । ଅବିନାଶ ଏକ ଲମ୍ବା ନିଃଶ୍ୱାସ ନେଲା । ପକ୍ଷୀମାନେ ତା ଘର ଚାରିପାଖରେ ଏକାଠି ହୋଇଥିଲେ ।

ସେ ଭଲ କରି ଅନାଇଲା । ଛାଇ ମଣିଷ ଦେଇଥିବା ଆସଲ୍ଟ ରାଇଫଲସ ପାହାଡ ଉପରେ ଓଲଟା ହୋଇ ପୋତା ଯାଇଛି । ରାଇଫଲସ କେବେଠାରୁ ତା ଟେବୁଲରୁ ସେ ପାହାଡକୁ ଚାଲିଯ୍ଧବ ପାହାଡର ଶୋଭା ଆଉ ମର୍ଯ୍ୟାଦ ବଢାଉଛି ।

ମୁଁ କଳିଙ୍ଗ ହିଲସକୁ ତୁମକୁ ସମର୍ପିତ କରୁଛି ।

ତୁମ ବଳିଦାନ ମରିବ ନାହିଁ କେବେ ।

କଳିଙ୍ଗ ହିଲସର ପାହାଡରେ ତୁମର ଆସଲ୍ଟ ରାଇଫଲସରେ କେବେ କଳଙ୍କି ଲାଗିବନି ।

ତୁମର ବୀରତ୍ୱର ଗାରିମାରେ ଶତ ଶତ ଅବିନାଶ ଅନୁପ୍ରାଣିତ ହେବେ । ସେମାନେ ତୁମର ଦିଆଯାଇଥିବା ମୁଠାଏ ମାଟିକୁ ବ୍ୟର୍ଥରେ କେବେ ତଳେ ଫୋପାଡି ଦେବେନି । ସେ ମାଟିକୁ ସୁନାରେ ପରିବର୍ତ୍ତନକରିବେ ।- ଅବିନାଶ କହିଲା ।

ତା ଉପରେ ତୀବ୍ର ଲାଲ କିରଣ ଆସି ପହଁରିଗଲା । ସେ ଆଖି ବନ୍ଦ କରିଦେଲା । ଆଖି ଖୋଲା ପରେ ଦେଖିଲା ଏକ ସୁନେଲି ରାସ୍ତା କଳିଙ୍ଗ ହିଲସକୁ ଲମ୍ବି ଯାଇଛି । ଏକ ବିଶାଳ ରଥ ଗଡି ଯାଉଛି । ଲକ୍ଷ ଲକ୍ଷ ଲୋକ ଠିଆ ହୋଇଛନ୍ତି ।

ଜୟ ଜଗନ୍ନାଥ ।- ତା କାନ ପାଖରେ ଛାଇ ମଣିଷର ଶେଷ ଶବ୍ଦ, ପ୍ରଧାନୀର ଲଢାଇର ଶବ୍ଦ ପହଞ୍ଚୁଥିଲା । କଳିଙ୍ଗ ରେଜିମେଣ୍ଟର ଆରଧ୍ୟ ଦେବତା ହେଉଛନ୍ତି ନିଜେ ମହାବାହୁ ଜଗନ୍ନାଥ । କଳିଙ୍ଗ ହିଲସରେ ନିଜେ ଅଛନ୍ତି ମହାବାହୁ ।

ସେ ମନେ ମନେ କହି ଉଠିଲା- ଜୟ ଜଗନ୍ନାଥ । ତାକୁ ଲାଗିଲା ତା ଦେହରେ ଅସୀମ ଶକ୍ତିର ସ୍ଫୁରଣ ହେଉଛି । ତାର ଦୃଷ୍ଟି ଅତି ସ୍ପଷ୍ଟ ହୋଇଯାଉଛି । ମନରେ ସାମାନ୍ୟତମ ସନ୍ଦେହ ନାହିଁ ।

ଆଗକୁ ବହୁତ କାମ ଅଛି । ଛାଇ ମଣିଷର କଥା ଅନୁସାରେ ମାଟି ସକାଳର ନୂଆ କିରଣରେ ତର୍ପଣ କରାଯିବ ।ଅବିନାଶ ଅନେକ ଭାବିଲା । କେଉଁଠି ସେ ମାଟିକୁ ସମର୍ପଣ କରିବ ସୂର୍ଯ୍ୟର ପ୍ରଥମର ଆଲୋକକୁ ।

ମହୋଦଧି ? ନଦୀ ସମୁଦ୍ରର ସଙ୍ଗମ ସ୍ଥଳ ?ସେ ସମର୍ପଣ କରିବ ମୁଠାଏ ମାଟିକୁ ସେଇ ସଙ୍ଗମରେ ।

ଅବିନାଶ ତାପରେ ଚାଲିଗଲା ସମୁଦ୍ରକୂଳକୁ । ସେଇଠି ଭାବୁଥିଲା ମାଟି ମୁଠାକର କଥା । ଗୁରୁତେଜ ସିଂର ବୀରତ୍ୱ ଆଉ ପ୍ରଧାନୀର କୌଶଳ କଥା । ଏତେ ସୁକୌଶଳୀ ଯୋଦ୍ଧା ସେମାନେ । ଏ ମାଟି ସେମାନଙ୍କର ରକ୍ତରେ ରଞ୍ଜିତ । ଅତି ଶୁଚୀତାର ସହ ତାକୁ ସାଇତି ସମର୍ପଣ କରାଯିବ । ସେ ଧଳା କପଡାକୁ ଅନାଇଲା । ଭିତରେ ସେହି ମାଟି । ବାହାରଟା କେମିତି ସୁନେଲି ସୁନେଲୀ ଲାଗୁଥିଲା । ଶହୀଦ ସୈନିକମାନଙ୍କ ମାଟି କଣ ବାହାରୁ ସୁନେଲୀ ଲାଗେ? ତାହେଲେ କଣ ସେଥିରେ ଅସୁମାରୀ ସ୍ୱପ୍ନ ସାଇତା ଯାଇଛି ।
ସେ ମହାମିଳନର ସ୍ଥାନରେ ପହଞ୍ଚିଲା । ଆଖି ଆଗରେ ସମୁଦ୍ର କାହିଁ କାହିଁ ଦୂରକୁ ଚାଲିଯାଇଛି । ଆଖି କେବଳ ନୀଳ ଜଳକୁ ଦେଖୁଛି । ସେପଟେ କାହିଁ କେତେ ଦୂରରେ ସ୍ଥଳ ଥିବ । ତୀବ୍ର ରେଖା ମହାସମୁଦ୍ରର ଦିଗବଳୟକୁ ଚିରି ଆଉ କେତେ ତଟକୁ ଛୁଇଁ ଯିବ । କଳିଙ୍ଗ ହିଲସ୍ରୁ ଆଲୋକର ରେଖା ବୋହିଯିବ । ସେ ନଦୀକୁ ଅନାଇଲା । ନଦୀରେ ପାଣି ଭରିଯାଇଛି ଆଉ ସମୁଦ୍ରରେ ନିଜ ରୂପ ହରାଇ ବସୁଛି । କେଉଁଠୁ ବୋହି ଆସିଛି ଏ ନଦୀ । ଅସୁମାରୀ ଛୋଟ ଛୋଟ ଅନାମେଧୟ ଝରଣାର ଶେଷ ରୂପ ଏ ନଦୀ ମହା ସମୁଦ୍ରରେ ନିଜ ରୂପ ହରାଇ ବସୁଛି ।

ଆକାଶ ଧିରେ ସଫା ହୋଇ ଆସୁଥିଲା । ଲହଡି ଛୋଟ ଛୋଟ ଥିଲା । ଦିନର ସହ ଲହଡିର ଆକାର ବଢିଯିବା ଏବେ ସମୁଦ୍ର ଏକ ପୋଖରୀର ପାଣି ଭଳିଶାନ୍ତ । ନଦୀପାଣି ମଧ୍ୟ ଶାନ୍ତ । ସବୁ ଶାନ୍ତ ହୋଇଯାଇଛି । ଏକ ମହାସମର ପରେ ସବୁ ଶାନ୍ତ ହୋଇଯାଏ । ଅବିନାଶ ଛାତିଏ ପାଣିକୁ ଚାଲିଗଲା । ପାଣି ତାକୁ ଉଷୁମ ଲାଗୁଥିଲା ଆଶ୍ଚର୍ଯ୍ୟ ଜନକ ଭାବେ । ସେ ପାଣିରେ ଥାଇ ପୂର୍ବ ଆକାଶକୁ ଅନାଇଲା । ସକାଳର ପ୍ରଥମ ରେଖା ସହ ସେ ମାଟିକି ତର୍ପଣ କରିବ । ଆଗର ସମୁଦ୍ର।ନ୍ତ ଥରଲା । ପକ୍ଷୀଟିଏ ପୂର୍ବ ଆକାଶରେ ଉଡୁଥିଲା । ଧିରେ ସୂର୍ଯ୍ୟ ଉପରକୁ ଉଠିଆସିଲା ।

ସକାଳର ପ୍ରଥମ ଲାଲ ରେଖା । ସବୁ ବୀର ସୈନିକଙ୍କ ରକ୍ତରେ ରଞ୍ଜିତ ହୋଥିବା ସୂର୍ଯ୍ୟର ଲାଲ ରଙ୍ଗ । ଏହାଠାରୁ ଅଧିକ ଲାଲ ରଙ୍ଗ ସମ୍ଭବ ନୁହେଁ ।

ସେ ନିଜର ପୁଟୁଳି ଖୋଲିଲ ଆଉ ମାଟି ମୁଠାକୁ ଆଖି ବନ୍ଦ କରି ମୁଠାଇ ଧରିଲା । ସେହି ମାଟିକୁ ଚାହିଁବାକୁ ତାର ସାହାସ ନଥିଲା । ସେହି ବୀର ସୈନିକମାନଙ୍କ ଆତ୍ମାକୁ କେହି ଦେଖିବା ଉଚିତ ନୁହେଁ ।

ସେ ହାତ ଉଠାଇ ଦେଲା । ମାଟି ତା ଆଞ୍ଜୁଳିରେ । ତା ମୁହଁରେ ସୂର୍ଯ୍ୟ କିରଣ ପଡୁଥିଲା । ତାର ଆଖି ଆଗରେ କେତେ ଯେ ଆଲୋକ ନାଚୁଥିଲା । ସବୁ ବନ୍ଦ ଆଖିରେ । ସେ ମାଟିକୁ ଆଖି ବନ୍ଦ କରି ତର୍ପଣ କଲା । ପାଣି ଛିଟିକି ପଡୁଥିଲାା ତାର ଆଞ୍ଜୁଳି ଖାଲି ହୋଇଯାଇଥିଲା । ସେ ଆଖି ଖୋଲିଲା ।

ପାଣିର ରଙ୍ଗ ଲାଲ ହୋଇଯାଇଛି ଆଉ ତା ଠାରୁ ନୂଆ ସୂର୍ଯ୍ୟ ପର୍ଯ୍ୟନ୍ତ ଲାଲ ସ୍ରୋତ ବୋହିଯାଉଛି ।

ସେ ପଛକୁ ଅନାଇଲା । ପଛରେ ଏକ ବିଶାଳ ପାହାଡ ମାଟିରେ ମୁଣ୍ଡ ଟେକିଛି । କଳିଙ୍ଗ ହିଲସ୍ । ସେଇଟା କଳିଙ୍ଗ କମାଣ୍ଡ ସେଣ୍ଟର । ସେ ପାହାଡରେ ଛାଇ ମଣିଷ ଦେଇଥରବା ଆସଲ୍ଟ ରାଇଫଲସ୍ ପୋତାଯାଇଛି । ତାର କଥା, ଭାବନା ଏବେ ରୂପ ନେଉଛି । ସେ ତା କଡକୁ ଅନାଇଲାା ଦୁଇ କଡରେ ଜଙ୍ଗଲ । ସେ ଭିତରୁ କିଛି ଲୁଣା ଜଙ୍ଗଲ । କେଉଁଠି କେଉଁଠି ଧଳା ବାଲିର ରେଖା । ଏକ ବିଶାଳ ମନ୍ଦିର ମୁଣ୍ଡ ଟେକିଛି ନଡିଆ ଗଛର ମଝିରୁ । ସେ ମୁଣ୍ଡ ନୁଆଁଇଲା ।

ଆଖି ଖୋଲିଲାବେଳକୁ ଦେଖିଲା ସହସ୍ର ସହସ୍ର ଆମ୍ଫିବିଆନ ସୈନିକ ପାଣଭିରି ବାହାରି ଆସୁଛନ୍ତି । ସେମାନେ ସମସ୍ତେ କଳିଙ୍ଗ କମାଣ୍ଡ ସେଣ୍ଟର ଆଡକୁ ମାର୍ଚ୍ଚ କରି ଚାଲିଛନ୍ତି । ସେମାନେ ସମସ୍ତେ ମହା ସମୁଦ୍ରର କୂଳର ରକ୍ଷକ । ସେମାେନେ ସେଇ ମାଟି ମୁଠାରୁ ଜନ୍ମ ନେଇଛନ୍ତି । ଆଉ ମାଟି ମୁଠାରୁ ଗଢି ଉଠିଛି କଳିଙ୍ଗା ହିଲସ ।

ଅବିନାଶ ଆଖି ବନ୍ଦ କରିଦେଲା । ତାର ଶରୀର ନୂଆ ସୂର୍ଯ୍ୟର କିରଣରେ ପାଣି ଭିତରେ ଉଦ୍ଭାସିତ ହୋଇ ଉଠିଥିଲା ।

-ସମାପ୍ତ-

ଲୋକପ୍ରିୟ ଲେଖା

To Top