
ଅନ୍ୟ ଜଣକୁ ଖୁବ୍ ଭଲକରି ବୁଝିବା ପାଇଁ ବୟସର ପରିପକ୍ୱତା ଆମର ଆସିନି । ତେଣୁ ମୋର ଉତ୍ତର ନାଁ
ବିବାହ ଝଲକ-: ପୂର୍ବରୁ :-
ବିଜେବି କଲେଜରେ କେମିତି ଦୁଇ ବର୍ଷ କଟିଗଲା ମତେ ଜଣା ପଡିଲାନି ପ୍ରି ପ୍ରଫେସନାଲ୍ ଫାଇନାଲ୍ ପରୀକ୍ଷା ଶେଷ ହୋଇଯାଇଛି । ସମସ୍ତେ ଗାର୍ଲସ୍ କମନ୍ ରୁମ୍ରେ ବସି ହୋ ହାଲ୍ଲା କରୁଥିଲେ । ଗାର୍ଲସ୍ କମନ୍ ରୁମ୍ର ପଶ୍ଚିମକୁ ପ୍ରିନ୍ସିପାଲ୍ଙ୍କ ଅଫିସ୍, ପୂର୍ବକୁ କରିଡର, ଦକ୍ଷିଣରେ ବାହାରକୁ ଯିବାପାଇଁ ଦୁଇଟା କବାଟ ଖୋଲା ମୁକ୍ତ ଅଗଣାକୁ । ଉତ୍ତରରେ ଗୋଟିଏ ବଗିଚା, ବଗିଚାକୁ ଲାଗି ବିରାଟ ପାଚେରୀ । ବଗିଚାକୁ ଦୁଇଟି ଝରକା ଉନମୁକ୍ତ । ଏଇ ବଗିଚାଟି ପ୍ରିନ୍ସପାଲ୍ଙ୍କ ଝରକା ଆଡକୁ ବିସ୍ତୃତ ତେଣୁ ଖୁବ୍ ସୁନ୍ଦର ଲାଲୁ(ମାଳୀ)ୟାର ସ୍ପେଶିଆଲ ଯତ୍ନ ନିଏ । ଝରକା ପାଖରେ ବସି ବଗିଚା ଉପଭୋଗ କରିବାକୁ ଖୁବ୍ ଭଲ ଲାଗେ । ତେଣୁ ସାଙ୍ଗମାନେ ହୋ ହଲ୍ଲା କରୁଥିବା ସମୟରେ ମୁଁ ନୀରବରେ ବସି ସେଇ ବଗିଚା ଆଡକୁ ଚାହିଁ ରହିଥାଏ । ମାତ୍ର ସାଙ୍ଗମାନେ ତାହା କରାଇ ଦେଇନଥାନ୍ତି । ଆଜି ସେଇ ବଗିଚାକୁ ଶେଷଥର ପାଇଁ ଆଖି ପୁରାଇ ଦେଖିବା ପାଇଁ ବସି ଗଲି, ସବୁଦିନିଆ ରୀତି ନୀତି ଆରମ୍ଭ ହେଲା, ମାନସୀ, ନୟନା, ଶୈଳ, ସଂଘମିତ୍ରା ଆସି ପାଖରେ ବସିଲେ । ମିତା(ସଂଘମିତ୍ରା) ଆରମ୍ଭ କଲା
ତୁମେମାନେ କେତେ ଲକି । କଲେଜ ପଢା ଶେଷ,ଏବେ ସବୁ ମେଡିକାଲ କଲେଜକୁ ଯିବ । ଆମକୁ ଆହୁରି ବର୍ଷେ ରଗଡିବାକୁ ହେବ ।
ଆମେ ବର୍ଷେ ଆଗରୁ ରଗଡା ଆରମ୍ଭ କରିଥିଲୁ ଯେ, କହିଲା ଶୈଳ । ଶୈଳଟା କଲେଜରେ ମୁହଁ ଖୋରୀ ରୂପେ ପରିଚିତ । ସେ ଯେତିକି ବେଶୀ ଚବର ଚବର ହୁଏ, ନୟନା, ମାନସୀ ସେତିକି ବେଶୀ ଚୁପ୍ ଚାପ୍ । ଟିକିଏ ରହି ପୁଣି ଶୈଳ ଆରମ୍ଭ କଲା । ତତେ କିଏ କହିଲା ଯେ ଆମେ ସମସ୍ତେ ପାସ୍ କରିଯିବୁ ବୋଲି । ଏମାନଙ୍କ କଥା ନିଆରା । ମୋର ଆଶା ନାହିଁ ।
ଆମକୁ ବି ସେଇଆ ମନେ ହେଉଛି, ଏକା ସଂଗେ କହି ଉଠିଲେ ମାନସୀ ଆଉ ନୟନା ।
ଛୁଟିରେ କ’ଣ ସବୁ ପ୍ରୋଗ୍ରାମ କରାଯାଇପାରେ । ସେଇ ହେଲା ଆଲୋଚନାର ବିଷୟ ବସ୍ତୁ ।
ତୁ ତ ମେଡିକାଲ ଯିବାପାଇଁ ଆୟୋଜନ କରିବୁ । କହିଲା ମାନସୀ ।
ସତ କହିବି ମାନସୀ, ମୋର ମେଡିକାଲ ଯିବାକୁ ଜମା ଇଚ୍ଛା ନାହିଁ, ନଟବର ସାର୍(ନଟବର ସାମନ୍ତରାୟ)ଙ୍କ ଭଳି ଓଡ଼ିଆ ପ୍ରଫେସର ହେବାପାଇଁ ଇଚ୍ଛା ।
କେହି କାହାଭଳି ହୋଇପାରନ୍ତିନି, ସମସ୍ତଙ୍କର ନିଜ ନିଜର ଇନ୍ ବିଲ୍ଟ ଆଇଡେଣ୍ଟିଟି ଥାଏ, ନଟବର ସାର୍ ଓଡିଆରେ ଓଡିଶା ପ୍ରସିଦ୍ଧ, ହୁଏତ ତୁ ଡାକ୍ତର ହୋଇ ବିଶ୍ୱପ୍ରସିଦ୍ଧ ହେବୁ । କହିଲା ଶୈଳ ।
କଥା କହିବା ପ୍ରତିଯୋଗୀତା ହେଲେ ମୁଁ ଦୃତ ଭାବେ କହିପାରେ ତୁ ପ୍ରଥମ ସ୍ଥାନ ଅଧିକାର କରିବୁ । ମତେ ତୋ ଭଳି କଥା କହିବା ଶିଖାଇ ଦେ ନା ।
ହଁ ଶିଖାଇବାକୁ ତ ପଡିବ, ତୁ ଆମକୁ ପାଠ ପଢାଇଛୁ ।
ମୁଁ ବହୁତ ସ୍ୱାର୍ଥୀ ଶୈଳ, ତୁମମାନଙ୍କୁ ବୁଝାଇଲେ ମୋର ରିଭିଜନ ହୋଇ ଯାଉଥିଲା ।
ସେଇ ତ ତୋର ଗ୍ରେଟ୍ନେସ୍, ବଉଳ ସଂଗେ ମୁଁ ଜନ୍ମରୁ ଅଛି । ସ୍କୁଲ, କଲେଜ ସବୁ ଏକାଠି, କେବେ ଥରଟେ ମୁଁ ତା ଠାରୁ ସାହାଯ୍ୟ ପାଇଛି ?
ଆମେ ସମସ୍ତେ ତ ପାସ୍ ହୋଇଯିବା । ମୋ ମନ ଦୁଃଖ ହେଉଛି ଆଉ ଜୀବନରେ ବଟନୀ ପଢି ପାରିବିନି । କଥାର ମୋଡ ବଦଳାଇ କହିଲି ।
ନନାମାନଙ୍କ କଥାରୁ ବାହାରିଯା, ବଟାନୀ ଅନର୍ସ ନେଇ ପଢ । ମୋ ପାଇଁ ଭଲ । ତୋ ସାଙ୍ଗରେ ପାଠ ନ ପଢି ପାରିଲେ କ’ଣ ହେଲା, ଏକାଠି ଏଇ ଭୂବନେଶ୍ୱରରେ ତ ରହିବା ।
ଶୈଳ ଠିକ୍ କହୁଛି, କାଞ୍ଚନ ଅପା (ନୟନାର ବଡ ଭଉଣୀ) ଗତବର୍ଷ ମେଡିକାଲରେ ପଶିଛନ୍ତି । ଦିନରାତି କାନ୍ଦୁଛନ୍ତି । ମେଡିକାଲ ପାଠ ବହୁତ କଷ୍ଟ, ଜାଣିଛୁ, ନିଜ ହାତରେ ଶବ କାଟିବାକୁ ପଡେ । ଛିଃ, ପୁଣି ସେଇ ହାତରେ ଭାତଗୁଣ୍ଡା ପାଟିକୁ ନେବ । କହିଲା ପ୍ରଭାତ
ରଖ୍ ରଖ୍ ସେତିକି ପ୍ରଭାତ, ତୁ ତ ମେଡିକାଲ, ନୟନା ତତେ ବି ତ ଡିସାବଲ୍ କୋଟାରେ ମେଡିକାଲ ମିଳିଯିବ । ଆଉ ମାନସୀ ! ବାପାଙ୍କ ବଡ ପୋଷ୍ଟ୍ର ବ୍ୟବହାର କରିବ । ମୁଇଁ ଏକା ରହିଯିବି ।
ହଠାତ୍ ପାଟିଗୋଳ ବନ୍ଦ ହୋଇଗଲା ।
ଆମ ହୋ ହଲ୍ଲା ପ୍ରିନ୍ସିପାଲ୍ଙ୍କ ଅଫିସକୁ ଶୁଣାଗଲା ବୋଧେ । ପିଅନ ପଠାଇଛନ୍ତି, ଶୈଳକୁ ପ୍ରିନ୍ସପାଲ୍ଙ୍କ ଅଫିସ ଯିବାକୁ ହେବ । ବହୁତ ଭଡ ଭଡ କରୁଥିଲା । ଫୁସ୍ ଫୁସ୍ କରି ମୋ କାନରେ କହିଲା ମାନସୀ ।
ମତେ ? ଆରେ ପ୍ରଭାତ ଆଗରେ ମୁଁ କିଏ ? ହେଲେ ଆମେ ସମସ୍ତେ ଭୂଲ୍ ଥିଲୁ । ରାମୁ ସଂଗେ ଜଣେ ପୃଥୁଳ କାୟା ଭଦ୍ରମହିଳା । ଚାରିଆଡକୁ ନଜର ପକାଇ କାହାକୁ ଯେମିତି ଖୋଜୁଥିଲେ ।
ଦେଖ୍ ଦେଖ୍ ସୁସଜ୍ଜିତ ଗୋଟିଏ ଗୁଣ୍ଢୁଣୀ ହାତୀ ।
ସେମିତି କାହାକୁ କୁହାଯାଏନା ଶୈଳ,
ଆରେ ପଛକୁ ଦେଖ ନା, ପୁଣି ମତେ କହିବୁ ।
ପ୍ରଥମତଃ ପଛକୁ ବୁଲି କାହାକୁ ଦେଖିବା ଅସୌଜନତା । ଦ୍ୱିତୀୟରେ ତୁ ବର୍ତ୍ତମାନରେ ବିଶ୍ୱାସ କରୁ । ଅତୀତ, ଭବିଷ୍ୟ ତୋ ପାଇଁ ମାନେ ରଖେନା,
ଗ୍ରେଟ୍ ୟାର ।
ସେ ୟାର ଫ୍ୟାର ମତେ କହିବୁନି । ତାହା ମତେ କିଏ ଗାଳି ଦେବା ଭଳି ଲାଗେ ।
ସବୁ ବିଷୟରେ ଆଗକୁ ହେଲେ କ’ଣ ହେବ? ମୁଁ ତୋ ଠାରୁ ହିନ୍ଦୀରେ ଆଗ, ମନେ ରଖିଥା ମୁଁ ତୋ ଠାରୁ ପରିଚୟ (ହିନ୍ଦୀ ପରୀକ୍ଷା)ରେ ଆଗେ ରହିବି ।
ତୁମ ମାନଙ୍କର ସ୍କୁଲରେ ହିନ୍ଦୀ ଥିଲା । ମୁଁ ୟା ପୂର୍ବରୁ କେବେ ହିନ୍ଦୀ ପଢିନଥିଲି । ଅ…ଆ..ତ ଏଇ ବର୍ଷ ଶିଖିଲି ।
ଆଡେ ଚାହିଁଲୁ, ମୁଁ କିଏ?
ଭଦ୍ର ମହିଳାଙ୍କ ସ୍ୱରରେ ମୁଁ ପ୍ରକୃତିସ୍ଥ ହେଲି, ମୁହଁଟା ଖୁବ୍ ପରିଚିତ, ମାତ୍ର ଅନ୍ୟ ସବୁରେ ପରିବର୍ତ୍ତନ । ପ୍ରଥମତଃ ସେ ଦିନର ସେଇ ସାଲୁଆର କମିଜ ନୁହେଁ, ପରିଧାନ ଖୁବ୍ ଦାମୀକା ଏକ ସମ୍ୱଲପୁରୀ ସିଲ୍କ ଶାଢୀ, କାନର ସେ ଫାଶିଆ (ରିଙ୍ଗ) ନାହିଁ ବଡ ଝୁମୁକୀ, ଗଳାରେ ସେ ଲମ୍ୱା ସରୁଚେନ୍ ବଦଳରେ ଏକ ଚାରିଇଞ୍ଚ ଚଉଡାର ସୁନାହାର, ହାତରେ ୩-୪ଟା ମୁଦି, ସେଥିରୁ ଗୋଟାଏ ଖୁବ୍ ଚକ ମକ୍ କରୁଛି । ଡାୟମଣ୍ଡ୍ ହୋଇଥିବ ।
ଗୀତା, ଭାଗବତଙ୍କ ପାଦରେ ମୋର ସାଦର ନମସ୍କାରମ୍ ।
ମୁଁ ତୋ କଳେହୀ ବନ୍ଧୁ ମାନଙ୍କ ମଧ୍ୟରୁ ନୁହେଁ ।
ଠିକ୍ ଅଛି, ଓଁ ଶାନ୍ତି, ଶାନ୍ତି, ଶାନ୍ତି….
ଅ ଶୋଭରୁ ଶୋଭନା
ତୁ ଆଉ ବଦଳିଲୁ ନି ।
ମୁଁ ବଦଳିଯାଏ ବୋଲି ତୁ ସତରେ ଚାହୁଁଛୁ?
ଆରେ ତୁମେ ଦୁହେଁ ପୁରୁଣା ଦୋସ୍ତ, ଶୈଳ କହିଲା ।
ନାଁ ଶୈଳ, ଆମେ ପୁରୁଣା ଦୁଶୁମନ । ହିନ୍ଦୀ ଠିକ୍ ହେଲା ।
ନାଁ, ଦୁଶୁମନ ନୁହେଁ ଦୁଶ୍ମନ୍ । ହିନ୍ଦୀରେ ବେଶୀ ଭାଗ ହଲନ୍ତ ଲଗାଇବାକୁ ହୁଏ । ଆରେ ନୟନା, ମାନସୀ ଆମେ କେଉଁଠୁ ଘେରାଏ ବୁଲି ଆସିବା । ଏ ଦୁହିଁଙ୍କର ତ ଏବେ ଗପ ପେଡି ଖୋଲିବ । ମୋର ବାନ୍ଧବୀ ସେମାନଙ୍କ ଚଲା ପଥକୁ ଚାହିଁ ରହିଲା ।
କ’ଣ ଏତେ ଦେଖୁଛୁ?
ଚନ୍ଦ୍ରରେ କଳଙ୍କ, ଅର୍ଥାତ୍ କେତେ ସୁନ୍ଦର ଝିଅଟିଏ, ଗୋଟିଏ ଚାଉଳରେ ଗଢା, ହେଲେ ଈଶ୍ୱର ତାକୁ ଛୋଟୀ କରାଇଛନ୍ତି ।
ଈଶ୍ୱରଙ୍କୁ ବୃଥାରେ ଦୋଷ ଦେନା ଏତେ ସୁନ୍ଦର ଝିଅଟିକୁ ସଂସାରକୁ ପଠାଇଥିଲେ, ମା ବାପାଙ୍କର ଅଜ୍ଞତା ଖୁବ୍ ଗୁଣର ଝିଅଟିଏ, ତଥାପି ବାହାଘର ପ୍ରସ୍ତାବ ଭାଙ୍ଗି ଯାଉଛି । ତେଣୁ ପାଠ ପଢି ନିଜ ଗୋଡରେ ଠିଆ ହେବା ତାର ଚରମ ଲକ୍ଷ୍ୟ । ବାପା ମାଙ୍କୁ ବହୁଦୂରରେ ଛାଡି ଆସି ଦଦେଇଙ୍କ ପାଖରେ ରହି ପାଠ ପଢୁଛି ।
ଯାହା ଭାଗ୍ୟରେ ଥାଏ ।
ନାଁ ଏହା ଭାଗ୍ୟ ନୁହେଁ, କେବଳ ନୟନାର ମାତା ପିତା ନୁହନ୍ତି, ଦୁନିଆର ଶହ ଶହ ହଜାର ହଜାର ପିତାମାତା ଏ ବିଷୟରେ ଅଜ୍ଞ । ଜାଣିଛୁ ବହୁ ବର୍ଷ ଧରି ଏଇ ରୋଗଟି ହଜାର ହଜାର ପିଲା ମାନଙ୍କୁ ଅପଙ୍ଗ କରି ଦେଉଥିଲେ ମଧ୍ୟ ମାତ୍ର ୨୫ ବର୍ଷ ପୂର୍ବେ ଅର୍ଥାତ୍ ୧୯୦୦ ମସିହାରେ ଏହା ଜନ ଗୋଚରକୁ ଆସିଲା । ସେ ପର୍ଯ୍ୟନ୍ତ ସମସ୍ତେ ଏଇ ଦୋଷଟିକୁ ତୋରି ଭଳି ଅତି ସାଧାରଣ ଭାବେ ଈଶ୍ୱରଙ୍କୁ ଦୋଷୀ କରୁଥିଲେ । ବସନ୍ତ ଭ୍ୟାକ୍ସିନ ସଦୃଶ ଏଇ ରୋଗଟି ପାଇଁ ଭ୍ୟାକ୍ସିନ ବାହାର କରିବା ପାଇଁ ଆମେରିକାର ବହୁ ଗବେଷକ ଅଗ୍ରସର ହୋଇଥିଲେ । ୧୯୪୦ ରେ ଜନ୍ ଏଣ୍ଡର୍ସ ତାଙ୍କ ସହକର୍ମୀ ମାନଙ୍କ ସହ ବଷ୍ଟନ୍ର ଶିଶୁ ଚିକିତ୍ସାଳୟରେ ଗବେଷଣା ଆରମ୍ଭ କରିଥିଲେ । ସେଥିପାଇଁ ତାଙ୍କୁ ୧୯୫୪ରେ ନୋବେଲ୍ ପ୍ରାଇଜ୍ ମଧ୍ୟ ଲାଭ ହୋଇଥିଲା । ମାତ୍ର ଜାଣିଛୁ ଦଶବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ମଧ୍ୟ ଏହାର ପ୍ରସାର ଭାରତରେ ନାହିଁ, ମୁଁ ସତ କହୁଛି । ମୁଁ ଯଦି ଡାକ୍ତରୀ ପଢେ ତେବେ ଶିଶୁ ରୋଗ ଉପରେ ଗବେଷଣା କରି ଭାରତକୁ ପୋଲିଓ ମୁକ୍ତ କରାଇବି ।
କ’ଣ ପୁଣି ମୋର ଓଡିଆ ନା ସଂସ୍କୃତ କ୍ଲାସ୍ ନେବା ଆରମ୍ଭ କଲୁଣି ?
ଅଳ୍ପ ହସି କହିଲି, ନାଁ ବିଜ୍ଞାନ, ଆଚ୍ଛା ଛାଡ୍ ତୋ ବିଷୟରେ ତୋ ମିଷ୍ଟରଙ୍କ ବିଷୟରେ କହ । ଗୀତା, ଶାନ୍ତି ଟିକି, ରୁଲି ଏବେ କ’ଣ କରୁଛନ୍ତି ?
ସମସ୍ତେ କ’ଣ ତୋ ଭଳି ବୋକୀ । ବାହା ହୋଇ ସମସ୍ତେ ସାରିଲେଣି । ଦୁହିଁଙ୍କର ବର ଫକୀର ମୋହନ କଲେଜରେ ଅଛନ୍ତି । ଆଉ ଦୁଇ ଜଣଙ୍କର କଟକରେ ।
ଆଉ ତୋ ବର?
ଜାଣିଛୁ, ବେଶୀ କ’ଣ କହିବି?
ମୁଁ କେମିତି ଜାଣିବି? ମୋର ତ ଆଇଡିଆ ନ ଥିଲା ଯେ ତୁ ବାହା ହେଲୁଣି ବୋଲି ।
ବୁୂଲି ତତେ ତାଙ୍କ ବାପା ଭାଇଙ୍କ ବିଷୟରେ କହି ନାହାନ୍ତି?
ବୁୂଲି? କାହା କଥା କହୁଛୁ ।
ଭାଇସ୍ଚାନ୍ସଲରଙ୍କ ପୁଅ ।
ଆଚ୍ଛା, ତୁ ରବୀ (ନାମ ବଦଳ ) ସାରଙ୍କ ଭାଉଜ । ତେଣୁ ତୁ ମଧ୍ୟ ନମସ୍ୟା ।
ପ୍ରକୃତରେ ନମସ୍ୟା ହେବା ପାଇଁ ହକ ଦାବୀ କରିବାକୁ ମୁଁ ଆସିଛି । ଅତୀତରେ ମୁଁ ତତେ କ’ଣ ବ୍ୟବହାର କରିଥିଲି । ସେ ସବୁ ଭୂଲି ଆମ ବୁୂଲିଙ୍କୁ ନିଜର କଲେ ତୁ ମତେ କ୍ଷମା କରିଛୁ ବୋଲି ଜାଣିବି ।
ମତେ କ୍ଷମା କରିବୁ, ମୁଁ ତୋ ପ୍ରସ୍ତାବରେ ଏକ ମତ ନୁହେଁ ।
ମାତ୍ର କହିଁକି?
ଜାଣେନା ।
ଅଜବ ଝିଅ, ବିନା କାରଣରେ କେହି କୌଣସି ପ୍ରସ୍ତାବକୁ ପ୍ରତ୍ୟାଖାନ କରେ?
ଆମ କଲେଜରେ ଖୁବ୍ ଭଲ ଭଲ ବ୍ରାହ୍ମଣ ଝିଅ ଅଛନ୍ତି । ମୁଁ ଆମ ନୂଆବୋଉଙ୍କ ଭାଇନାଙ୍କ ପାଇଁ କେତେ ଜଣଙ୍କୁ ବାଛିଛି । ତୁ ଚାହିଁଲେ ମୁଁ ତତେ ସାହାଯ୍ୟ କରିପାରେ ।
ମାତ୍ର ମଣ୍ଟୁ ତତେ ଚାହାନ୍ତି ।
”ଆଜି ମୋର କିଛି ଗୁଣ ତାଙ୍କୁ ଭଲ ଲାଗିଲା ବୋଲି ସେ ମତେ ଚାହୁଁଛନ୍ତି । ଯଦି କାଲି ଆଉ କାହାର —-“ଅଳ୍ପ ହସି କହିଲି ।
…….. ବାନ୍ଧବୀକୁ ରବୀ ସାର୍ଙ୍କ ଗାଡିରେ ବସାଇ ଗେଟ୍ ଭିତରକୁ ପଶିଲି । ପଛରୁ କାହାର ଡାକରେ ପ୍ରକୃତିସ୍ଥ ହେଲି ।
ଆରେ ପିନାକୀ (ନାମ ବଦଳ) ତୁମେ ! ଦେହ ଭଲ ନାହିଁକି ? ନାଁ ପରୀକ୍ଷା ପାଇଁ ରାତି ଦିନ ଅନିଦ୍ରା ରହି ପରିଶ୍ରମ କରୁଥିଲ । ହଁ,ବାବା ବେଷ୍ଟ୍ ଟେନ୍ଥ ଷ୍ଟୁଡେଣ୍ଟ୍ । ଆମେ କେଉଁ କ୍ଷେତର ମୂଳୀ ।
ତୁମେ ମତେ କେବେ ବୁଝିବା ପାଇଁ ଚେଷ୍ଟା କରିନ । ଖୁବ୍ ଉଦାସ ହୋଇ କହିଲା ପିନାକୀ ।
ପିନାକୀର ଉଦାସ ଚେହେରା ମତେ ଜମା ଭଲ ଲାଗେନା । ତେଣୁ ପ୍ରକୃତ କଥାଟି ମୋ ପାଟିରୁ ବାହାରି ଆସିଲା ।
ଦରକାର ଅପେକ୍ଷା ବହୁତ ବେଶୀ ।
ମିଛ କହୁଛ । ମୋ ମୁହଁକୁ ସିଧା ଭାବରେ ଚାହିଁ କହିଲା ପିନାକୀ ।
କେବେ ମୁଁ ତୁମକୁ ଅପମାନ କରିଛି?
ନାଁ,
ତେବେ?
କିନ୍ତୁ ମୋ ଅନ୍ତରକୁ ପଢିବାକୁ ଚେଷ୍ଟା କରିନ ।
ଖୁବ୍ ଭଲ ଭାବେ କିରିଛି ।
ତେବେ ଆଜିର ଏସବୁ ପ୍ରହେଳିକା?
ପ୍ରହେଳିକା? କ’ଣ କହୁଛ ମୁଁ ତୁମ କଥା କିଛି ବୁଝିପାରୁନି । ମୁଁ ନୟନା, ମାନସୀ ଶୈଳକୁ ଡାକୁଛି । ଫେୟାରୱେଲ ଚାହା ପିଆଅ ।
କଥା କାଟିବାକୁ ଚେଷ୍ଟା କରନା, ରବୀ ସାର୍ଙ୍କର ତୁମ ପ୍ରତି ଆଟ୍ରାକ୍ସନ୍ ଦେଖି ମୁଁ ନିଜକୁ ବୁଝାଇବାକୁ ଚେଷ୍ଟା କରିଥିଲି । ମାତ୍ର ଆଜି ଯାହା ସବୁ ଦେଖିଲି….
କ’ଣ ସବୁ ଦେଖିଲ ପିନାକୀ ?
ଜୋର୍ରେ ମୁଣ୍ଡ ବଥାଉଛି, ଆମେ ଚାହା ପିଇବାକୁ ଯାଉଛୁ । ତୋ ବାନ୍ଧବୀ ଗଲେ? ପିନାକୀ କୁ ବି ଡାକି ଆଣ । ଧନୀଘର ପିଲା, ଉପରକୁ ସ୍କଲରସିପ୍ ପାଉଛି । ଚାହା କପେ କପେ ପିଆଇ ପାରିବନି କହିଲା ଶୈଳ ।
…. କେବଳ ଚାହା ନୁହେଁ, ତା ସାଙ୍ଗକୁ ବରା, ପିଆଜି ଏବଂ ସିଙ୍ଗଡା । ଖୁବ୍ ଆନନ୍ଦରେ ପାଞ୍ଚ ଜଣ ଯାକ ଖାଇ ଚାଲିଥିଲୁ ।
ତୁମ କଥା ଅଧା ରହିଗଲା ପିନାକୀ ?
ଥାଉ ପରେ ।
”କ’ଣ ଏମିତି ଗୁପ୍ତ କଥା ଯେ! ଏ ଟୋକୀର ପୁଣି ଗୁପ୍ତ କଥା! ଇମ୍ପସିବଲ୍” କହିଲା ଶୈଳ ।
”ଇମ୍ପସିବଲ୍ ନୁହେଁ ଶୈଳ! ଚୁପ୍ ସଇତାନ କୁହ ।” କହିଲା ପିନାକୀ ।
ଇଏ ପୁଣି ଚୁପ୍ ସଇତାନ! କୁହ କୁହ ପିନାକୀ, ମୁଁ ଇମ୍ପେସେଣ୍ଟ୍ ହୋଇ ଗଲିଣି ।
ତୁମ ମାନଙ୍କୁ ମଧ୍ୟ କହିନି !
କୋଉ କଥା ?
ଝିଅ ଦେଖା ପର୍ବ ।
ବାସ୍ କର ପିନାକୀ । କ’ଣ ଆଜେ ବାଜେ ବକି ଚାଲିଛ ! ବିରକ୍ତି ସହ କହିଲି
”ଆଚ୍ଛା, ଗୁଣ୍ଠୁଣୀ ହାତୀ ତେବେ ପିମ୍ପୁଡିଟିକୁ ପିଠିରେ ବସାଇ ନେବାକୁ ଆସିଥିଲେ ? ତୁମେ ପର୍ସ ବାହାର କରନି ପିନାକୀ ଆଜି ଏ ଟ୍ରିଟ୍ ଦେବ” । ଡେଇଁ ପଡିଲା ଭଳି କହିଲା ଶୈଳ
ପ୍ଲିଜ୍ ଏ ସବୁ ବନ୍ଦ କର । ସେ ମୋର ସ୍କୁଲ ସାଙ୍ଗ
ଆମର କ’ଣ କେହି ସ୍କୁଲ ସାଙ୍ଗ ନାହାନ୍ତି ! କଥା ଯାଇ ଏଠି । ବୁଡି ବୁଡି ପାଣି ପିଉଥିଲୁ ।
ମାତ୍ର ଦିଟା ମାସ ହେଲା ରବୀ ସାର୍ ଆସିଛନ୍ତି । ଏତେ ଆଗକୁ କଥା ବଢିଗଲା ! ମୁଁ ପାଠରେ ବୁଡି ରହି ଏତେ କଥା ଜାଣିପାରି ନଥିଲି ।
ବାସ୍ କର ପିନାକୀ, ତୁମେମାନେ ଯେମିତି ଭାବୁଛ ସେମିତି କିଛି ନୁହେଁ ମୁଁ ଶୋଭନାକୁ କହିଲି,” ଆଜି ମୁଁ ତୋ ଦିଅରଙ୍କୁ ଯେଉଁ କାରଣରୁ ହେଉ ପସନ୍ଦ ଆସିଲି ବୋଲି ପତ୍ରବାହକ ରୂପେ ଭାଉଜଙ୍କୁ ପଠାଇ ଦେଲେ, କାଲି ଯଦି ମୋ ଠାରୁ ଆହୁରି ଭଲ କେହି ତାଙ୍କ ଆଖି ଆଗକୁ ଆସିଯାଏ ତେବେ ମୋର ସ୍ଥାନ କେଉଁଠି? ଅନ୍ୟ ଜଣକୁ ଖୁବ୍ ଭଲକରି ବୁଝିବା ପାଇଁ ବୟସର ପରିପକ୍ୱତା ଆମର ଆସିନି । ତେଣୁ ମୋର ଉତ୍ତର ନାଁ” ପିନାକୀର କଥା କାଟି କହିଲି ।
“ମୁଁ ତେବେ ବୟସର ପରିପକ୍ୱତା ଆସିବା ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଅପେକ୍ଷା କରିବି ।” କହି ବିଦାୟ ନେଲା ପିନାକୀ ।
– ତା’ପରେ –