ତମେ ନାହଁ ବୋଲି
ମୋର ଏ ସୀମାହୀନ ଉଦ୍ଗ୍ରୀବ
ଦୁଇ ବାହୁ ଭିତରେ
ହୃତ୍ପିଣ୍ଡ କୁ ଯା ଆସ କରୁଥିବା
କ୍ଲାନ୍ତ ବାୟୁ ଭିତରେ
ଶରୀରର ସମସ୍ତ ରକ୍ତ ମାଂସ
ଶଙ୍ଖା ସିନ୍ଦୁର ଅତର
ପିନ୍ଧାଲୁଗା ଓ ସବୁ ଗଣ୍ଠିର ଗୁମାନ
ଭାଙ୍ଗିରୁଜି ଭରିଯାଅ ତମେ
ମୋର ସବୁ ଶୂନ୍ୟସ୍ଥାନ ।
ନଈକୂଳେ କଦମ୍ବ ମୂଳେ
ଏବେ ମୁଁ ନିର୍ଦ୍ବନ୍ଦରେ ତମ ସହ
ଖୁବ ବେଶୀ ବୁଲାବୁଲି କରେ ।
ନିର୍ଭୟରେ ତୁମକୁ ଛାତିରେ ଚାପିଧରିବାକୁ
ଦୁଃସାହସ କରିପାରେ
ଚକ ଚକ ଉଜ୍ଜ୍ୱଳ ଦିନ ଆଲୁଅରେ
କାରଣ ସମସ୍ତେ ଜାଣନ୍ତି
ତମେ ଆଉ ନାହଁ ବୋଲି ଏ ସଚରାଚରେ ।