ଅନୁଭୂତି

ବୁଦ୍ଧଂ ଶରଣମ୍ ଗଚ୍ଛାମି

Dr Anita Panda

ତୁମ କଲେଜର କେଇଟା ଝିଅ ବଡ ଉର୍ଦ୍ଦଣ୍ଡୀ । ସରଳ ଝିଅ ଗୁଡାଙ୍କୁ କେତେ ଟରଚର୍ କରନ୍ତି । ସେ ଯଦି ରେଭେନ୍ସା କଲେଜରେ ପଢୁଥାନ୍ତା । ଆଜି ତାର ଏ ଦୁରାବସ୍ଥା ହୋଇ ନଥାନ୍ତା ।

ବୁଦ୍ଧଂ ଶରଣମ୍ ଗଚ୍ଛାମି

-: ପୂର୍ବରୁ :-

ସାଧାରଣତଃ ମୁଁ ପରିଚିତ କାହାକୁ ଦେଖିଲେ କଥା କହିବା ପୂର୍ବରୁ ମୃଦୁହସରେ ସ୍ୱାଗତ କରେ । ଆଜି କରିଡର୍‌ରେ କୁକୁ ଅପାଙ୍କୁ ସେଇମିତି ସ୍ୱାଗତ କରିଥିଲେ ।

“ହ୍ୱାଟ୍ ଇଜ୍ ଦେୟାର୍ ଟୁ ଲାଫ୍ ? ଆମ ଆଇ ଏ ଜୋକର୍ ??” କହି କୁକୁ ଅପା ମୋ ଆଡକୁ ଏକ ବିରକ୍ତି ଚାହାଣୀ ଦେଇ ଚାଲିଗଲେ ।

ନିଶ୍ଚିତ ଭାବେ ମୁଁ କ’ଣ ଗୋଟାଏ ମସ୍ତବଡ ଭୂଲ କରିଛି ବୋଲି ଅନୁତାପ କଲି ।

ଷଡମାସିକ ପରୀକ୍ଷା ଶେଷ ହୋଇ ଯାଇଛି, ୟାପରେ ବଡଦିନ ଛୁଟି ହେବ, ହଷ୍ଟେଲ ଝିଅମାନେ ଘରକୁ ଯିବା ପାଇଁ ବ୍ୟବସ୍ଥା କରୁଛନ୍ତି ।

ଆଜି ପୁଣି ଶୋଭା ଦିଦି ପ୍ରାର୍ଥନା କ୍ଲାସ୍ ପରେ ରହିବାକୁ କହିଲେ । ସେ ଦିନ ଭଳି ଅନ୍ୟମାନଙ୍କୁ ଯିବାକୁ କହିଲେନି । ହାତରେ ମୀନା ବଜାର କାଗଜ ଖଣ୍ଡକ ଧରି କହିଲେ, “ତୁମ ବୁଦ୍ଧଂ ଶରଣଂ ଗଚ୍ଛାମିଗଳ୍ପଟି ପଢିଲି । ଖୁବ୍ ଉଚ୍ଚକୋଟୀର ହୋଇଛି । ମନେ ହୁଏ ଖୁବ୍ ଜୀବନ୍ତ । ହେଲେ ଗଳ୍ପଟିର ଅନ୍ତ ମତେ ଖୁବ୍ ଦୁଃଖ ଦେଲା । ଈଶ୍ୱର ଯେତେବେଳେ ମଣିଷକୁ ଦୁନିଆକୁ ପଠାନ୍ତି ତା ସହ ବହୁ ବହୁ ସହନଶକ୍ତି ମଧ୍ୟ ପଠାଇଥାଆନ୍ତି । ତୁମ ଗଳ୍ପର ନାୟିକା ଶୀଖା ସମସ୍ୟା ସହ ଯୁଦ୍ଧ କରି ତାର ସମାଧାନ କରିବା ଉଚିତ୍ ଥିଲା । ଆତ୍ମହତ୍ୟା ମହାପାପ । ତୁମେ ଏଥର ଛୁଟିରେ ଘରକୁ ନ ଯାଇ ହଷ୍ଟେଲରେ ରହିବ । ମୁଁ ତୁମକୁ ବୁଦ୍ଧଙ୍କ ବିଷୟରେ କେତେ ଗୁଡିଏ ବହି ପଢିବାକୁ ଦେବି । ସେଇ ସବୁ ପଢି ବୁଦ୍ଧ ଦେବଙ୍କ ଜୀବନ ଦର୍ଶନ ଉପରେ କିଛି ଲେଖିବାକୁ ଚେଷ୍ଟା କରିବ । ଛୁଟିରେ ହଷ୍ଟେଲ ଖାଲି ହୋଇଯିବ, ମାତ୍ର ତୁମ ପାଇଁ ଗେଷ୍ଟ ରୁମ୍‌ରେ ବ୍ୟବସ୍ଥା ହୋଇଯିବ । ଆମର ଜଣେ ପୁରୁଣା ଛାତ୍ରୀ ଗତବର୍ଷ ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଥିଲା । ସେ ମଧ୍ୟ ତୁମ ସଙ୍ଗେ ରହିବ ।”

ସେ ମଧ୍ୟ କଳା ଛାତ୍ରୀ ?

ହଁ,ମାତ୍ର ଛାତ୍ରୀ ତ ଛାତ୍ରୀ, କଳା ବିଜ୍ଞାନରେ କ’ଣ ଫରକ୍ ସମ୍ମତି ଜଣାଇ ବିଦାୟ ନେଲି ସତ, ମାତ୍ର ମୋର ମାନସିକ ଚିନ୍ତା ବହୁତ ବଢିଗଲା । କାଲିର ସେଇ ଚିନ୍ତାଗ୍ରସ୍ତ ମନଦେଇ କଲେଜ କମନ୍ ରୁମ୍ ଆଡକୁ ଆଗେଇଲି, ହଷ୍ଟେଲ ଝିଅମାନେ ମେସ୍‌କୁ ଖାଇବା ପାଇଁ ଚାଲି ଯାଇଥିଲି । କଲ୍ୟାଣୀକୁ ଖୋଜିବା ପାଇଁ କମନ୍ ରୁମ୍ ଭିତରକୁ ପଶିଲି । ସମବେତ ସ୍ୱରରେ ଚମକି ପଡିଲି ।

“ଚାରି ଫୁଟ ଉଚ୍ଚ, ପଚିଶ କିଲୋ ଓଜନ ନିପଟ ମଫସଲୀ ଝିଅ, ସାଇବାବା ବାଳ ଏବଂ ବନ୍ଦର ନାକ (ମୋ ନାକ ଅପେକ୍ଷା କୃତ ଟିକିଏ ଉଚ୍ଚ) କେଉଁ ନାଟକ ପାର୍ଟି ପାଇଁ ଯାଉଛି ବୋଧେ । ଦେଖତ ୟାର ଫୁଟାଣୀ, ଆମ କଲେଜରେ ଏମିତିକା ମେଷ ପାଇଁ ସ୍ଥାନ ନାହିଁ ।”

କଲ୍ୟାଣୀକୁ ଖୋଜିବା ଆଶା ମନରେ ମାରି ହଷ୍ଟେଲ ଫେରି ଆସିଲି । ସେଇଥିଲା ମୋର କଲେଜରେ ଶେଷ ଦିନ । ଶୋଭାଦିଦିଙ୍କ ଆଜ୍ଞା ଅବଜ୍ଞା କରି ନଥିଲି ସତ, ମାତ୍ର ଆଗକୁ କିଛି ଲେଖି ପାରି ନଥିଲି । ସମସ୍ୟାଟିକୁ ମଧ୍ୟ କାହା ଆଗରେ ପ୍ରକାଶ କରି ପାରୁ ନଥିଲି । ଏଇ ବୋଧେ ଅବାଧ୍ୟତାର ପରିଣତି । ଅନୁତାପ ଅଗ୍ନିରେ ନିଜକୁ ନିଜେ ତିଳ ତିଳ କରି ଦଗ୍ଧ କରୁଥିଲି । ଷଡମାସିକ ପରୀକ୍ଷା ବହୁ ମନସ୍ତାପ ମଧ୍ୟରେ ଦେଇଥିଲି ମଧ୍ୟ ମା ସରସ୍ୱତୀଙ୍କ ଦୟାରୁ ଭଲ ନମ୍ୱର ଥିଲା । ମାତ୍ର ଅସମ୍ଭବ ରୂପେ ମୁଁ ଅସୁସ୍ଥ ହୋଇ ପଡିଲି । ଏ ଅସୁସ୍ଥତାର ଚେର କେଉଁଠି ? ସାଧାରଣତଃ ମୋତେ ଥଣ୍ଡା, ଜ୍ୱର କିମ୍ବା ମୋର ପେଟ ଖରାପ ହୁଏନି, ମୁଁ ଅନୁଭବ କଲି ମତେ ଖୁବ୍ ଅବଶ ଲାଗୁଛି, ପାଠ ପଢାରେ ମନ ନିବେଶ କରି ପାରୁନି, ସଦା ସର୍ବଦା ଭୟରେ କାତର । ଏମିତି କେଉଁ ରୋଗ ମତେ ଗ୍ରାସିଲା । ବାପା କହନ୍ତି ମାନସିକ ରୋଗ ନାମରେ ମଧ୍ୟ ଗୋଟିଏ ରୋଗ ଅଛି । ମୁଁ ବର୍ତ୍ତମାନ ମାନସିକ ରୋଗୀ ନୁହେଁତ ?

ଭୁବନେଶ୍ୱରରେ ଆମ ଘର ତୋଳା କାମ ଚାଲିଛି । ଓଲ୍ଡ ଟାଉନ୍‌ରେ ମାଉସୀ ମା ମନ୍ଦିରକୁ ପାଖ । ଘର କାମ ସୁରୁଖୁରିରେ ହେବା ପାଇଁ ତାର ତତ୍ତ୍ୱାବଧାନ ନିହାତି ଆବଶ୍ୟକ । ବର୍ତ୍ତମାନ ଆମ ପରିବାରର ସମସ୍ତେ ସେଇ ଘର ପାଖକୁ “ଅଞ୍ଜଳୀ ଭବନ” ନାମକ ଏକ ଭଡା ଘରକୁ ଚାଲିଯାଇଛନ୍ତି । ବର୍ତ୍ତମାନ ଯଦି ମୁଁ ସେଠାକୁ ଯାଏ ମୋ ଅସୁସ୍ଥତା ନେଇ ସମସ୍ତେ ବ୍ୟସ୍ତ ହେବେ । କେଜାଣି ଏହାକୁ ସେମାନେ କେମିତି ଭାବେ ଗ୍ରହଣ କରିବେ ? ମହର୍ଗରୁ ଯାଇ କାନ୍ତାରରେ ପଡିବନି ତ !

ଅନ୍ୟ ଝିଅମାନଙ୍କ ଭଳି ମୋର ଅନ୍ୟ ବେକାର ଖର୍ଚ୍ଚ ନାହିଁ । ସ୍କଲରସିପ୍ ମିଳୁଥିବା ଅର୍ଥ ମୋ ହଷ୍ଟେଲ ଖର୍ଚ୍ଚ ପାଇଁ ପ୍ରଚୁର । ତେଣୁ ମଉସା(କଲ୍ୟାଣୀ ବାପା) ଦିନେ କହିଲେ, କଲ୍ୟାଣୀ କହୁଥିଲା ତୁ ପରୀକ୍ଷାରେ ଭଲ କରିଛୁ ମା…. ମନଦେଇ ପଢାପଢି କର । ବାର୍ଷିକ ପରୀକ୍ଷାରେ ଭଲ ନ ହେଲେ ବୃତ୍ତି କଟିଯିବ । ଛନକା ପଶିଲା, ଆଗକୁ କିଛି ଚିନ୍ତା କରିପାରିଲିନି ।

ଆଜିକାଲି ମୁଁ କ୍ଲାସ୍ ଯାଉନି । ଏମିତିକି କଲ୍ୟାଣୀ ଘରକୁ ଯିବା ମଧ୍ୟ ବନ୍ଦ କରି ଦେଇଛି । ସେମାନଙ୍କ ମତରେ ମୁଁ ବାର୍ଷିକ ପରୀକ୍ଷା ପାଇଁ ଜୋର୍‌ସୋର୍‌ରେ ପଢାପଢି କରୁଛି । ଆଖି ବନ୍ଦ କରି ଭଗବାନଙ୍କ ଠାରୁ କ୍ଷମା ପ୍ରାର୍ଥନା କଲି ।

ମାୟା—-ମୋ କ୍ଲାସ୍‌ର ହିନ୍ଦୁସ୍ତାନୀ ଝିଅଟିଏ । ବାପା ଜଣେ ପ୍ରାଇମେରୀ ସ୍କୁଲରେ ଶିକ୍ଷକ । ଅନ୍ୟ ମାତା ପିତାଙ୍କ ଭଳି ବାରମ୍ବାର ହଷ୍ଟେଲ ଆସନ୍ତି ନି । ମତେ ସେ ବହୁତ ଭଲ ଲାଗନ୍ତି । କଥା କଥାରେ ଦିନେ ମାୟାକୁ କହିଲି, “ମଉସା ବହୁତ ଦିନ ହେଲା ଆସି ନାହାନ୍ତି ।”

ଆମ ଆର୍ଥିକ ଅବସ୍ଥା ତ ତତେ ଜଣା । ଏତେ ଗୁଡାକ ଭାଇ ଭଉଣୀ, ରାଉରକେଲାରୁ କଟକ ଆସିବାରେ କେତେ ଖର୍ଚ୍ଚ ଜାଣିଛୁ ।

ମୋ ପାଖେ କିଛି ବଳକା ପଇସା ଅଛି । ତୁ ଟିକେଟ୍ ପଠାଇ ଦେ ନା । ବୋକୀ…ମା, ବାପା କେବେ ପାଠ ପଢୁଥିବା ପିଲାମାନଙ୍କ ପଇସା ଗ୍ରହଣ କରିବେ ? ଏହା ଦ୍ୱାରା ତାଙ୍କର ଅପମାନ ହେବ ।

ଅପମାନ….ପୁଣି ସେ କୁକୁଅପାଙ୍କ ଭଳି କହିବେ । ହ୍ୱାଟ୍ ଇଜ୍ ଦ ନିଡ ଫର ଷ୍ପେଣ୍ଡିଙ୍ଗ ମନି ଫର ମାଇ ଟିକେଟ୍…ନାଁ….ନାଁ…ଥାଉ…

ତୁ ଖରାପ ଭାବିଲୁ କି ? ତୋ ମୁହଁ ଶୁଖିଗଲା ଯେ !

ନାଁ…ନାଁ… ମୁଁ ଭାବୁଥିଲି ତୋର କେତେ ବୁଦ୍ଧି । ଏ କଥା ତ ମୋ ମନକୁ ଜମା ଆସି ନଥିଲା । ମୁଁ ଗୋଟାଏ ନିପଟ ବୋକୀ ।

ତୁ ବୋକୀ ନୋହୁ, ଖୁବ୍ ସରଳ । ଦୁନିଆରେ ସରଳ ମାନଙ୍କୁ ବହୁ ବିପତ୍ତିର ସାମନା କରିବାକୁ ପଡେ । ଏହା ମୁଁ କହୁନି । ବାପା ତତେ ପ୍ରଥମ ଥର ଦେଖି କହିଥିଲେ ।

ରାଷ୍ଟ୍ର ଭାଷାରେ ରାଷ୍ଟ୍ର ମଉସା (ମାୟା ବାପା ରାଷ୍ଟ୍ର ସାର୍, ରାଷ୍ଟ୍ର ମଉସା ନାମରେ ପରିଚିତ) ପ୍ରଥମ ହୁଏତ କାର୍ଯ୍ୟକାରୀ ମାନେ ରାଷ୍ଟ୍ରଭାଷା ନାମ ଦୁନିଆ ଦାରୀରେ ଜୀବନରେ ବହୁ କଷ୍ଟ ଉଠାଉଛନ୍ତି ।

ରାଷ୍ଟ୍ର ମଉସା ହଷ୍ଟେଲ୍ ଗେଷ୍ଟ ରୁମ୍‌ରେ ବସିଥିଲେ । ତାଙ୍କ ଆସିବା କଥା ମୁଁ ମାୟାଠୁ ଶୁଣିଥିଲି । ତେଣୁ ସେ ଆସିବା ପୂର୍ବରୁ ମୁଁ ଗେଷ୍ଟ ରୁମ୍‌ରେ ଯାଇ ବସିଥିଲି । ରାଷ୍ଟ୍ର ମଉସାଙ୍କ ପାଦ ଛୁଇଁଲି ।

ଯୁଗ୍ ଯୁଗ୍ ଜୀଓ ବଚ୍ଚୀ ।

ମାୟା ସଙ୍ଗେ କଥା ବାର୍ତ୍ତା କରି ମୁଁ ଟିକିଏ ହିନ୍ଦୀ ବୁଝି ପାରୁଥିଲି । ତେଣୁ ତାଙ୍କ ଆଶୀର୍ବାଦର ମର୍ମ୍ମ ବୁଝି ପାରିଲି ।

ତୁମାରା ମନ କ୍ୟୁଁ ଇତନା ଉଦସ ହୈ ବେଟା ସଂପୂର୍ଣ୍ଣ ନ ବୁଝି ପାରିଥିଲି ମଧ୍ୟ କହିଲି ନାଁ ମଉସା ଦୁଃଖ କାହିଁକି କରିବି । ମାୟାକୁ ଦେଖି ରାଷ୍ଟ୍ର ମଉସା କହିଲେ, ୟେ ବଚ୍ଚୀ ସେ କହୋ କବିତା, କାହାନୀ ଲିଖନା ଶୁରୁ କରେ ।

ମଉସାଙ୍କୁ ଜଣାଥିଲା ମୁଁ ତାଙ୍କ ହିନ୍ଦୀ ବୁଝି ପାରିବିନି । ତେଣୁ ମାୟା ଜରିଆରେ କହିଲେ ।

ରାଷ୍ଟ୍ର ମଉସାଙ୍କ ଠାରୁ ବିଦାୟ ନେଇ ତାଙ୍କ ଆଦେଶ କ୍ରମେ ଲେଖିବା ଆରମ୍ଭ କଲି । ଯାହା ଗଳ୍ପ ନ ଥିଲା କିମ୍ବା କବିତା । ମାତ୍ର ଗୀତି କବିତା ଯାହା ମଧ୍ୟରୁ କତୋଟି ଆକାଶବାଣୀ କଟକ ରେଡିଓ କାର୍ଯ୍ୟକ୍ରମରେ ଗାୟକ, ଗାୟିକା ମାନଙ୍କ କଣ୍ଠ ସ୍ୱର ଜରିଆରେ ପ୍ରସାର ହୋଇଥିଲା । ପ୍ରତିଗୀତ ପାଇଁ ମତେ ଚାରିଅଣା (ପଚିଶ ପଇସା) ମଧ୍ୟ ମିଳିଥିଲା ।

ବାର୍ଷିକ ପରୀକ୍ଷା ନ ଦେବାର ଗୂଢ ରହସ୍ୟ ମୋର ଶୁଭ ଚିନ୍ତକ ମାନଙ୍କୁ ସ୍ପଷ୍ଟ ରୂପେ ଜଣା ନ ଥିଲେ ମଧ୍ୟ ସମସ୍ତେ ଦୁଃଖ କରିଥିଲେ । କଟକ ଛାଡି ଭୂବନେଶ୍ୱର ଯିବା ସମୟରେ ପ୍ରତିନାନୀ କେବଳ ଏତିକି କହିଥିଲେ,”ଲୋକାଲ ଗାଡିଆନ କ’ଣ ପାଇଁ ରଖାଯାଏ । କିଛି ଅସୁବିଧା ଥିଲାତ ମତେ କହିଥାନ୍ତୁ । ତୋ ନନାର କେତେ ମନ କଷ୍ଟ ହେବ କହିଲୁ?”

ବଡସାର୍ କହିଲେ,”ତୁମେ ତାର ଲୋକାଲ ଗାଡିଆନ ଥିଲ । ତୁମେ ତାର ସୁବିଧା ଅସୁବିଧା ଖବର ବୁଝିବାର ଥିଲା । ତୁମ କଲେଜର କେଇଟା ଝିଅ ବଡ ଉର୍ଦ୍ଦଣ୍ଡୀ । ସରଳ ଝିଅ ଗୁଡାଙ୍କୁ କେତେ ଟରଚର୍ କରନ୍ତି । ସେ ଯଦି ରେଭେନ୍ସା କଲେଜରେ ପଢୁଥାନ୍ତା । ଆଜି ତାର ଏ ଦୁରାବସ୍ଥା ହୋଇ ନଥାନ୍ତା । ଏମିତି ନୁହେଁ କି ଆମ କଲେଜର ଛାତ୍ର ଛାତ୍ରୀ ମାନେ ଜୁନିଅର ମାନଙ୍କୁ ହଇରାଣ କରନ୍ତିନି । ମାତ୍ର କାହା ଉପରେ ବ୍ୟକ୍ତିଗତ ଆଞ୍ଚ ଆସିବାକୁ ଦିଅନ୍ତିନି, ବାସ୍, ଗୋଟାଏ ମାସ ପରେ ସବୁ ନରମାଲ୍ । ବିଶେଷ କରି ୟା ଭଳି ସରଳ ପିଲା ମାନଙ୍କୁ ତ ମୁଣ୍ଡରେ ବସାଇ ରଖନ୍ତି ।”

ସାର୍‌ଙ୍କ କଥାରେ ଭୋ ଭୋ ହୋଇ କାନ୍ଦି ଉଠିଲି । ପ୍ରତିନାନୀ ମୋର ଆଖି ପୋଛି ସାନ୍ତ୍ୱନା ଦେଉଥିଲେ । କ’ଣ ବେଦ ଅଶୁଦ୍ଧ ହୋଇଗଲା ଯେ, ତୁ ତ ଏବେ ମଧ୍ୟ ଡାକ୍ତରୀ ପାଠ ପାଇଁ ଅଣ୍ଡର ଏଜ୍ । ଆସନ୍ତା ବର୍ଷ ନନା ପାଖରେ ରହି ବିଜେବି କଲେଜରେ ପଢିବୁ । ହଁ, ତୋର ବୃତ୍ତି କଟିଯିବ । କିଛି କଥା ନାହିଁ, ମେଡିକାଲ୍‌ରେ ବୃତ୍ତି ପାଇବାକୁ ଚେଷ୍ଟା କରିବୁ ।

ତା’ପରେ

To Top