ମତେ ୮ ବର୍ଷ, ବାପା ନିମାପଡ଼ାରୁ ଦିଗପହଣ୍ଡି ବଦଳି ହୋଇ ଆସିଲେ । କିଛି ଦିନପରେ ଜେଜେବାପାଙ୍କୁ ଗାଁରୁ (କେନ୍ଦ୍ରାପଡ଼ା) ଆମ ପାଖକୁ ନେଇ ଆସିଲେ । ବାପା ଯେଉଁ ଜାଗାକୁ ବଦଳି ହୁଅନ୍ତି, ସେଠି ରହିବାର କିଛି ଦିନପରେ ଜେଜେବାପାଙ୍କୁ ସେ ଜାଗା ବୁଲାଇବାକୁ ଆଣନ୍ତି । ଜେଜେବାପା ନିଜ ଘର ବଳଦେବଜୀଉ ମନ୍ଦିର ପାଖ ଛାଡି ଅନ୍ୟ କେଉଁଠି ରହିବାକୁ ଭଲ ପାଆନ୍ତି ନାହିଁ । ଆସନ୍ତି ମାସେ ଦି ମାସେ ରହି ପୁଣି ପଳାଇ ଯାଆନ୍ତି । ବଳଦେବଜୀଉଙ୍କ ସନ୍ଧ୍ୟା ଆଳତୀ ସେ ପ୍ରତିଦିନ ଦର୍ଶନ କରନ୍ତି । ଗାଁକୁ ଗଲେ, ମୁଁ ମଧ୍ୟ ଜେଜେବାପାଙ୍କ ସହ ମନ୍ଦିର ଯାଏ । ବଡ ଠାକୁରଙ୍କ ଆଳତୀ ପରେ ପରେ ବେଢାରେ ଥିବା ସମସ୍ତ ଦେବ, ଦେବୀଙ୍କର ଆଳତୀ ଜଣଙ୍କ ପରେ ଜଣେ ହୋଇ ଚାଲନ୍ତି । ଗୋଟିଏ ଠାକୁରଙ୍କ ଆଳତୀ ନସରୁଣୁ ଆଉ ଗୋଟିଏ ଠାକୁର/ଠାକୁରାଣୀଙ୍କ ଆଳତୀ ହୁଏ । ତେଣୁ ଆପଣ ବି ସେତିକି ତତ୍ପର ଥିବେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ । ବେଶ୍ ମଜା ଲାଗେ ମତେ, ମୁଁ ଜେଜେବାପାଙ୍କ ପଛେ ପଛେ ଧାଇଁଥାଏ ।
ଜେଜେବାପା ଯେତେବେଳେ ବଳଦେବଜୀଉଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହୁଅନ୍ତି, ପାଖାପାଖି ୩/୪ ମିନିଟ୍ ଲମ୍ବା ହୋଇ ମୁଣ୍ଡିଆ ମରା ଚାଲିଥାଏ, ମୁଁ ଅନାଇଥାଏ ଯେ ଠାକୁରଙ୍କୁ ଏପରି ମୁଣ୍ଡିଆ ମରାଯାଏ । ମନ୍ଦିରରୁ ବାହାରକୁ ଆସିଲେ ଛୋଟ ମୋଟ ଦୋକାନ ପଡିଥାଏ, ଜେଜେବାପା ଅଣ୍ଟା ଖୋସଣିରୁ ପଇସା କାଢି ବାଦାମବାଲାକୁ ଦିଅନ୍ତି । ସେ ଗୋଟିଏ ବାଦାମ ପୁଡିଆ ମୋ ହାତକୁ ଦେଇ ଦିଅନ୍ତି । ୧୦/ ୧୨ଟି ବାଦାମ ଥାଏ, ମୋର ହେଇଯାଏ, ଘରେ ପହଞ୍ଚିଲା ବେଳକୁ ବାଦାମ ସରିଯାଇଥାଏ । ଜେଜେବାପାଙ୍କୁ ବାପା କେନ୍ଦ୍ରାପଡ଼ାରୁ ଆଣିଲେ ଦିଗପହଣ୍ଡି । ଜେଜେବାପା ଆସିଲେ, ବୋଉ ଆଉ ବଡପାଟି କରି ମତେ ବିଗିଡି ପାରେନି, ବାଡେଇ ମଧ୍ୟ ପାରେନି । ମୁଁ ଜେଜେବାପାଙ୍କ ପାଖକୁ ଚାଲିଯାଏ ।
ଦିଗପହଣ୍ଡିରେ ଆମେ ଯେଉଁ ଘରେ ଥିଲୁ, ତା’ର ଦାଣ୍ଡ ଦୁଆରର ଏରୁଣ୍ଡି ବନ୍ଧ ମାନେ ଦୁଆର ବନ୍ଧ ୧ ଫୁଟ୍ କି ତା’ଠୁ ଟିକେ ଅଧିକ ହେବ । ସେତେବେଳେ ମୁଁ ଭାବୁଥିଲି କାହିଁକି ଏତେ ବଡ କରାଯାଇଛି ? ଏବେ ବୁଝୁଛି ଉଚ୍ଚ ନ ହେଲେ, ଛୋଟ ଗୁରୁଣ୍ଡୁ ଥିବା ଛୁଆ ଘର ବାହାରକୁ ଚାଲିଯିବ, ସେଥିପାଇଁ ଉଚ୍ଚ ଥିଲା । ଆମର ପ୍ରଥମ ବଖରାଟା ଦୁଇ ମହଲା, ଛାତ ସିମେଣ୍ଟର ନୁହେଁ ପଟା ତିଆରି, ମୋଟା ପଟାର ଛାତ ତା’ ଉପର ବଖରାର ଛାତ ଟାଇଲର । ତା’ ପାଖକୁ ବାରଣ୍ଡା ଭଳିଆ ଦୁଆର କହିଲେ ଚଳେ, ତା’ ଛାତ ସିମେଣ୍ଟର । ଗୋଟିଏ ୪ ଫୁଟରେ ୨ ଫୁଟର ରେଲିଂ ଲଗା ଖୋଲା ଜାଗା, ସେହି ସିମେଣ୍ଟ ଛାତର ବାଁ ପଟକୁ ଅଛି ଆଲୁଅ ଆସିବା ପାଇଁ । ବର୍ଷା ହେଲେ ତା’ ଉପରେ ଗୋଟିଏ ଟିଣ ଘୋଡାଯାଏ ଓ ଗୋଟିଏ ପଥର ରଖାଯାଏ । ଗଞ୍ଜାମ ପଟର ଘର ସବୁ ଲମ୍ବା ଲମ୍ବା । ଗୋଟିଏ ପରେ ଗୋଟିଏ କୋଠରୀ ଲମ୍ବାରେ ତିଆରି ହୋଇଥାଏ । ହଁ, ସିମେଣ୍ଟ ଦୁଆର ପରେ ଆଉ ଗୋଟିଏ ବଡ କୋଠରୀ, ତା’ ଆଗକୁ ବାଁ ପରେ ଟିକେ ଜାଗା ଓ ଡାହାଣ ପଟକୁ ରୋଷେଇ ଘର । ସେହି ବାଁ ପଟେ ବାରି ଦୁଆରର କବାଟ ଲାଗିଛି, ତା ଆଗକୁ ବାରିପଟେ ଗୋଟେ କୂଅ ଅଛି । କୁଅ ପର୍ଯ୍ୟନ୍ତ ସିମେଣ୍ଟ । ତା’ପରେ ଆଉ ୧୦ ଫୁଟ୍ ଖଣ୍ଡେ ହେବ ମାଟି ଜାଗା । ସେଇଠି ପୋଇ, ଝୁଡୁଙ୍ଗ, ଶିମ୍ବ ଏସବୁ ଗଛ ଲାଗିଥାଏ । ବର୍ଷାଦିନେ ସଁବାଳୁଆ ହୁଏ, ମୋର ବେଶ ମଜା । ମୁଁ, ସଁବାଳୁଆ ଧରେ । ଗୋଟିଏ ବାଉଁଶ କଣି ୬/୮ଇଞ୍ଚର କଣି ହେବ, ସେଥିରେ ସଁବାଳୁଆ ଧରି ଆଣେ । ସଁବାଳୁଆ କାଠିର ବାଁରୁ ଡାହାଣକୁ ଗଲେ ମୁଁ ଡାହାଣ ହାତ ଛାଡି କାଠିର ବାଁ ପଟ ମୁଣ୍ଡକୁ ଧରେ । ସେ ବାଁକୁ ଆସିଲେ ମୁଁ ବାଁପଟ ଛାଡି ଡାହାଣ ପଟ ଧରେ ଏପରି ଧରି ଧରି ତାକୁ ଦାଣ୍ଡକୁ ନେବାକୁ ଚାହେଁ । ହେଲେ, ମୋ ବୋଉ ହାବୁଡରେ ପଡିଯାଏ । ତା’ ପାଟି ଚାଲେ – ହଉ ତୋ ହାତରେ ତା’ ରୁମ ଲାଗି ଯେତେବେଳେ କୁଣ୍ଡାଇ ହେଇ ଫଳିବ ମତେ ଦେଖିବୁ , ତଳେ ସେ ସଁବାଳୁଆ ପଡୁ ତା’ପରେ ତୁ ମୋତେ ଚିହ୍ନିବୁ ଇତ୍ୟାଦି, ଇତ୍ୟାଦି । ହେଲେ, ସେ ମୋତେ ବାଡେଇବାକୁ ଆସେନି କାରଣ ସଁବାଳୁଆ ତଳେ ପଡିଯିବ, ତାକୁ ହିଁ ତଳ ସଫା କରିବାକୁ ପଡିବ । ଆଉ ଯଦି ମୁଁ ବାରିରୁ ଘର ଭିତରକୁ ପଶିନି, ସେ ମୋତେ ଦେଖି ନେଲା, ବାଡି ଧରି ଠିଆ ହେଇଥିବ – ତୁ ସଁବାଳୁଆ ଫୋପାଡି କରି ଆସିବୁ ନ ହେଲେ ବାଡେଇବି । ମୁଁ ବାଧ୍ୟ ହେଇ, ଫୋପାଡି କରି ଚୁପଚାପ୍ ଠିଆ ହୁଏ । ସେ ଭିତରକୁ ଗଲେ ମୁଁ ଯାଏ ।
ଜେଜେବାପା ସେ ସମୟରେ ନଥିଲେ, ମାନେ ସଁବାଳୁଆ ଜନ୍ମ ସମୟରେ ନଥିଲେ, ପରେ ଆସିଲେ । ମୁଁ କିଛି ପକାଇଦେଲେ, ଢାଳିଦେଲେ ବୋଉ ମୋତେ – “କଣ ହେଲା ରହ” କହୁ କହୁ ମୁଁ ସବୁ ଛାଡିଛୁଡି ଦୌଡେ । ଦାଣ୍ଡଘର କବାଟଟା ଦିଆ ହେଇଥିଲେ, ମୁଁ ଜଲଦି ଯାଇପାରେ ନାହିଁ । ଦାଣ୍ଡଘରେ ଉପର ମହଲାକୁ ଯିବାକୁ ଗୋଟାଏ ମୋଟା କାଠ ପଟାର ମଜବୁତ ସିଢି ଲାଗିଥାଏ । ସେହିପଟେ ସମସ୍ତେ ଉପର ମହଲାକୁ ଯାଆନ୍ତି, ମୁଁ ସିଢି ଚଢି ଦୌଡେ । ବୋଉ ଥରେ ଲମ୍ବା ପହଁରା ଧରି ମୋ ପଛରେ ଦୌଡିଛି, ମୁଁ ସିଢି ଚଢି ଗଲି, ସେ ଉପରୁ ତଳକୁ ବାଡେଇଲା ମୋ ଦେହରେ ବାଜିଲାନି । ମୁଁ ଉପରକୁ ଚଢିଯାଉ ଜେଜେବାପାଙ୍କ ପାଖରେ ବସିଗଲି । ଜେଜେବାପା ପଚାରିଲେ – କ’ଣ ? ମୁଁ କହିଲି ନା । ବୋଉ ମୋ ପଛରେ ସିଢିରେ ଠିଆ ହେଇଛି । କହିପାରିବିନି “ବୋଉ ଗୋଡାଉଛି”। ଜେଜେବାପାଙ୍କ ପାଖରେ ବସି ଯେତେବେଳେ ମୁଁ ପଛକୁ ଅନାଇଲି, ଜେଜେବାପା ମଧ୍ୟ ପଛକୁ ଅନାଇଲେ, ବୋଉ ଚୁପ ଚାପ ତଳକୁ ଓହ୍ଲାଇ ପଳାଇଲା । ଜେଜେବାପା ବୁଝିଗଲେ ଇଏ କ’ଣ କରିକି ଆସିଛି ।
ଦିନେ ସନ୍ଧ୍ୟାବେଳେ ଜେଜେବାପା ବାହାରକୁ ବାହାରିଲେ ମୁଁ ବି ଚାଲିଲି । ସେଠି ପହଞ୍ଚିଲା ପରେ ମୁଁ ଦେଖିଲି, ଏତ ଆମ ହେଡମାଷ୍ଟର, ତା’ ହେଲେ ଏଇଟା ତାଙ୍କର ଘର । ତାଙ୍କର ବଡ ମନ୍ଦିର ଅଛି । ବ୍ରାହ୍ମଣ ଆସି ଆଳତୀ କଲେ କୀର୍ତ୍ତନ ହେଲା । ସେହି ଥରେ ଯାଇଛି, ତା’ ପରେ ଆାଉ ଯେତେବେଳେ ଜେଜେବାପା ଯାଆନ୍ତି, ମୁଁ ହେଡମାଷ୍ଟରଙ୍କ ଘରକୁ ଯାଏନି । ଚୁପଚାପ ରହିବାକୁ ପଡେ ତ, ସେଥିପାଇଁ ଯାଏନି ।

ଜେଜେବାପା ନାତିନାତୁଣୀ ମାନଙ୍କ ସହ
୧୯୮୧ ମସିହା, ବଡବୋଉଙ୍କ ଦେହ ଖରାପ ହେଇଗଲା, ଆମେ ସେତେବେଳେ ଜୁନାଗଡ (କଳାହାଣ୍ଡି)ରେ ଥାଉ । ବାପାଙ୍କ ପାଖରେ ଟେଲିଗ୍ରାମ୍ ପହଞ୍ଚିଲା, ବାପା ଆମ ସମସ୍ତଙ୍କୁ ଧରି ଗାଁ କୁ ଆସିଲେ । ବଡବୋଉ ଫୁଲି ଯାଇଥାନ୍ତି, ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ୨୦ ଦିନ ଭିତରେ ବଡବୋଉ ଚାଲିଗଲେ । ଆମେ ଗାଁରେ ରହିଲୁ ଘର ସମ୍ଭାଳିବାକୁ, କେହି ସ୍ତ୍ରୀଲୋକ ନଥିଲେ ତେଣୁ ବୋଉ ରହିଲେ ଘର କଥା ଦେଖିବ, ଜେଜେବାପା ଚାହିଁଲେ । କାରଣ ବଡବୋଉ ୫ ବର୍ଷର ଝିଅ ଛାଡି ଯାଇଥିଲେ । ତିନୋଟି ଛୁଆ ତାଙ୍କର, ବହୁତ ଛୁଆ ମରିଯାଇ ଥିଲେ ଜନ୍ମ ହେବା ପରେ ପରେ । ଦ୍ୱିତୀୟ ଛୁଆ ହାଇସ୍କୁଲରେ ପଢୁଥିଲା ଆଉ ତୃତୀୟ ସ୍କୁଲ ଯାଇନଥିଲା । ମୋର ଏକାଦଶ ମୁଁ ପଢିବି କେମିତି ? ପରୀକ୍ଷା ଦେବି କେମିତି ? ଏ ସ୍କୁଲରେ ତ ମୋ ନାଁ ଲେଖା ହେଇନି । ତିନି ମାସ ମୁଁ ସ୍କୁଲ ଯାଇନି କି ପଢିନି । କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ତିଥିରେ ବଡବୋଉ ଚାଲିଗଲେ, ମୋର ସବୁକିଛି ଏପଟ ସେପଟ ହେଇଗଲା । ଜେଜେବାପା ଛୁଆମାନଙ୍କୁ ଖୁବ୍ ଭଲ ପାଆନ୍ତି । ତେଣୁ ଘର ସମ୍ଭାଳିବାକୁ ବୋଉ ଓ ଆମେ ଗାଁ ରେ ହିଁ ରହିଲୁ ।
୧୯୮୬ ମସିହା ବେଳକୁ ଜେଜେବାପା ଦୂର୍ବଳ ହେଇ ଗଲେଣି । ଆମ ଜେଜେବାପା ଭୀଷଣ ରାଗି । ବୋହୂମାନେ ପୁରା ଥରହର । ଜେଜେବାପା, ଜେଜେମା (ମୁଁ ବର୍ଷକର ଥିଲି ଜେଜେମା ଚାଲିଗଲେ) ମଲାପରେ, ବାୟାବାବାଙ୍କ ଦୀକ୍ଷିତ ହେଇଗଲେ । ସକାଳେ ଠାକୁର ପୂଜା ପରେ ଗିନି ବଜାଇ କୀର୍ତ୍ତନ କରନ୍ତି । କୀର୍ତ୍ତନ ସରୁସରୁ ତାଙ୍କ ପଛପଟେ ଚଟ ଓ ପାଣି ଗିଲାସ ଥୁଆ ହୋଇଯାଇଥାଏ । ନଚେତ୍ ସେ ଦାଣ୍ଡକୁ ପଳାନ୍ତି । ସମସ୍ତେ ବଡ ହୁସିଆର ଗିନି ମାଡକୁ କାନେଇଥାନ୍ତି । କୀର୍ତ୍ତନପରେ ଚଟରେ ବସିବେ, ବସିବାର ୧ ମିନିଟ୍ ଭିତରେ ଖାଇବା ଜିନିଷ ତାଙ୍କ ପାଖରେ ଥୁଆହେଇଥିବ । ନହେଲେ ଚାଲିଲେ ଦାଣ୍ଡକୁ । ବେଳେବେଳେ ଥୋଇବା ଡେରି ହୁଏ କାରଣ ଖାଇବା ବାଢି ରୋଷେଇ ଘରୁ ଆଣି ତାଙ୍କ ପାଖରେ ପହଞ୍ଚିଲା ବେଳକୁ ଯଦି ୧ ମିନିଟ୍ ହେଇଗଲା ସରିଲା । ଘରେ କେହି ଛୁଆ ଥିଲେ ବୋଉକୁ ଅସୁବିଧା ହୁଏନି, ସେ ବାଢିଦିଏ, ଆମେ ଥୋଇଦଉ । ଥରେ ବୋଉ ଭାତ ଥାଳି ଆଣିଲା ବେଳକୁ ଜେଜେବାପା ଉଠି ଚାଲିଲେ । ବୋଉ ମୋ ପାଖରେ ପହଞ୍ଚି – “ବୁଢୀ, ତୋ ବୁଢା ପଳେଇଲା ଧ ଧ” କହିଲା । ମୁଁ ସାଙ୍ଗେ ସାଙ୍ଗେ ଯାଇ ଜେଜେବାପାଙ୍କୁ ମାଡିବସି ଧରିଲି । ସେ ମୋ କବଜାରୁ ମୁକୁଳିବାକୁ ଚାହିଁଲେ, ମୁଁ କହିଲି -” ଭିତରକୁ ଚାଲ ଏତେ ରାଗୁଛ କଣ ? ଚାଲ ଖାଇବ” । ଆସି ଖାଇଲେ । ଆଉ ଥରେ କେହି ନାହାନ୍ତି । ବୋଉ, ଜେଜେବାପା ଚଟରେ ବସିବା ଆଗରୁ ଥାଳି ଥୋଇ ଠିଆ ହେଇଛି । ଜେଜେବାପା କହିଲେ, – “ମୁଁ କଣ କୁକୁର ? ଆଗରୁ କଣ ଥୁଆ ହେଇଛି” । ବାସ୍ ସରିଲା ମୁଁ ଆସିଲା ପରେ ଜେଜେବାପା ଖାଇଲେ, ସେଦିନ ମୁଁ ଘରେ ନଥିଲି । ସେ ଭାତ ଅନ୍ୟ କିଏ ଖାଇଥିବ ।

ଜେଜେବାପା ବଡ଼ ନନାଙ୍କ ସହ
ମୋ ଜେଜେବାପା ତାଙ୍କ ପିଲାଦିନ କଥା ମୋ ଆଗରେ ଗପନ୍ତି । ଭଲ ଦୁଃଖସୁଖ ଚାଲେ । ମୁଁ ଶୁଣେ, ସେ ଗପନ୍ତି । ତାଙ୍କୁ କେହି ସମୟ ଦିଅନ୍ତିନି, ବସନ୍ତିନି ତାଙ୍କ ପାଖରେ । ମୁଁ ତାଙ୍କ ପାଖରେ ବସେ, ତାଙ୍କୁ ଖାଇବା ପିଇବାକୁ ଦିଏ । ସକାଳେ ସେ ଅଧ ଗିଲାସେ ଚା ପିଅନ୍ତି ଆଉ କିଛି ଖାଆନ୍ତିନି, ମୁଁ ୪ଟା ବିସ୍କୁଟ୍ ଓ ଚା ଦେଲି ଖାଇଲେ । ଉପରବେଳା ବି ଖାଲି ଚା ଆଉ କିଛି ନୁହେଁ, ମୁଁ ତାକୁ ବି ବଦଳାଇଲି । କେତେବେଳେ ଚୁଡା ଉପମା କେତେବେଳେ ମୁଢି ଦିଏ, କେତେବେଳେ ୨ଟା ବିସ୍କୁଟ୍ । ଆଗେ ସେ କେବଳ ଖରାବେଳେ ଓ ରାତିରେ ଖାଉଥିଲେ । ଦୁର୍ବଳ ହେବା ପରେ ମୁଁ ଜବରଦସ୍ତ ସବୁ ବଦଳାଇଦେଲି । ପାଣି ବାଲଟିଏ ଖରାରେ ମୁଁ ଥୋଇଥାଏ । ତାଙ୍କ ଇଚ୍ଛାରେ ସେ ଗାଧାନ୍ତି ୧୧ଟା, ୧୨ଟା, ଗୋଟିଏ ବି ହେଇଯାଏ । ବାହାରେ କାହା ସହିତ ଗପୁଥିଲେ, ସେ ଆସିବା ଡେରି କରନ୍ତି । ଜେଜେବାପା ସବୁଦିନ ସୋରିଷ ତେଲ ଲଗାଇ ଗାଧାନ୍ତି, ମୁଁ ଥିଲେ ପିଠିରେ ଲଗାଇ ଦିଏ । ଯେଉଁ ଦିନ ପିଠିରେ ମାରିଲା ବେଳକୁ ମୋ ହାତରେ ବହୁତ ମଳି ଲାଗେ, ତା’ ପରଦିନ ବଡନନାଙ୍କୁ କୁହାଯାଏ ସେ ସାବୁନ ମାରି ଜେଜେବାପାଙ୍କୁ ଗାଧେଇ ଦିଅନ୍ତି ।
ମୁଁ ଗୋଟାଏ ଭଲ କଥା ଜଣାଇବାକୁ ଭୁଲିଗଲି । ଆମେ ଯେତେବେଳେ ବାହାରେ ଥିଲୁ, ବର୍ଷକୁ ଥରେ ଗାଁକୁ ଆସୁ ସକାଳୁ ଜେଜେବାପା ତାଙ୍କ ଉଠା ଚୁଲିରେ କାଉଁରିଆ କାଠି ଜାଳି ମାଟି ହାଣ୍ଡିରେ ପାଣି ବସାଇ ମାଗନ୍ତି – “ଚା ପତି ଆଣେ, ଚିନି, ଲୁଣ ଓ ତେଜପତ୍ର ଆଣ ” ଆମେ ଦେଇ ଦଉ । ଜେଜେବାପା ଚା’ କରନ୍ତି, କି ବାସ୍ନା ! ଜେଜେବାପା ଆମକୁ ଥାଳିଆ ଆଣିବାକୁ କୁହନ୍ତି, ସବୁ ପିଲା ଥାଳିଆ ଧରି ବସିଯାଉ । ମୁଁ କିନ୍ତୁ ସବୁଦିନ ବସେ । ସେ ଥାଳିଆରେ ସମସ୍ତଙ୍କୁ ଚା ଦିଅନ୍ତି, ରାତିର ରୁଟି ଲଗାଇ ମୁଁ ଖାଇଦିଏ । ଚା ବସୁ ବସୁ ମୁଁ ଦାନ୍ତ ଘସି ଦିଏ । ଜେଜେବାପାଙ୍କ ହାତ ତିଆରି ଚା ଏବେ ବି ମନେ ପଡେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ବୋହୂମାନେ କରିକି ଦିଅନ୍ତିନି କି ? ସକାଳ ୬ଟାରେ କେହି ଗାଧେଇ ନଥାନ୍ତି । ଘରର ସବୁକାମ ସାରି ଗାଧେଇଲା ବେଳକୁ ଡେରି ହୁଏ । ସେ ନିଜେ କରି ପିଅନ୍ତି ଆଉ ଆମ ସମସ୍ତଙ୍କୁ ପିଆନ୍ତି, ସେଥିରେ ସେ ଖୁସି ।
ଥରେ ମୁଁ କୌଣସି କାରଣରୁ ରାଗି କରି ଖାଇ ନଥାଏ । ବାପା ଘରେ ଥିଲେ, ଜାଣିଲେ ଆସି କହିଲେ – “ବୁଢୀ ଯା ଖାଇଦେ” । ମୁଁ କହିଦେଲି – “ନା ଯିବିନି” । ବାସ୍, ବାପାଙ୍କ ଗଳାଟା ଟିକେ ଚଢା ହେଇଗଲା “ଯା କହୁଛି ,ଖାଇବୁ ଯା” । ମୁଁ ଆଉ କିଛି କହିଲିନି କି ଖାଇବାକୁ ଗଲିନି । ବାପା ରୋଷେଇ ଘର ଆଡକୁ ଗଲେ ,ସେଠୁ ପୁଣି ରଡି -ଛାଡିଲେ – “ବୁଢୀ ଆସ ଖାଇବୁ” । ମୁଁ ଚୁପ୍ । ବାପା କହିଲେ – “ଆସିବୁ ନା ଦେଖିବୁ, ଚୁପଚାପ୍ ଆସ” । ମୋ ପାଖ କୋଠରୀରେ ମୋ ଜେଜେବାପା ଖାଇସାରି ଗଡୁଥାନ୍ତି । ଆଉ କି ତାଙ୍କୁ ନିଦ ହୁଏ, ସେ ଡାକ ଛାଡିଲେ – “ବୁଢୀ” । ମୁଁ – “ଆଜ୍ଞା” । ସେ – “ଯା, ମା’ ଟା ପରା ଖାଇଦେବୁ ଯା” । ମୁଁ ଜେଜେବାପାଙ୍କୁ – “ହଁ ଯାଉଛି” କହିଲି, କିନ୍ତୁ ଗଲିନି । ବାପା ସେପଟୁ ପାଟି କଲେ – “ଆସିବୁ ନା ମୁଁ ଯିବି” । ଜେଜେବାପା ବିଛଣା ଛାଡି ଉଠିଆସି ମୋ ଦୁଆର ମୁହଁରେ ବସିଲେ । ଜେଜେବାପାଙ୍କୁ ଦେଖି ବାପା ଆଉ ମୋ ପାଖକୁ ଆସିଲେ ନାହିଁ । ମୋ ଜେଜେବାପା କିନ୍ତୁ କହି ଚାଲିଥାନ୍ତି – “ମାଆଟା ପରା ଯା ଖାଇଦେ” । ମୁଁ ବାଧ୍ୟ, ଉଠି କର ଗଲି କାନ୍ଦି କାଟି ପୁରା ଉଚ୍ଛନ୍ନ ୨/୪ ଗୁଣ୍ଡା ଖାଇ ଉଠିଗଲି । ବାପା ଆଉ କିଛି କହିଲେନି । ଗେହ୍ଲା ନାତୁଣୀ ତାଙ୍କର ମାଡ ନ ଖାଉ ସେଥିପାଇଁ, ମୋ ଜେଜେବାପା, ମୋ ଦୁଆର ମୁହଁ ବାହାରେ ବସି ରହିଲେ ।
୧୯୯୨ ମସିହାରେ ୯୨ ବର୍ଷରେ କାର୍ତ୍ତିକ ପୂର୍ଣ୍ଣମୀ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମୋ ଜେଜେବାପା ଦୁନିଆ ଛାଡି ଚାଲିଗଲେ । ଜେଜେବାପା ଯେଉଁଠି ବି ଥାଅ ଭଲରେ ଥାଅ ।
