ମୁଁ ମୋ ଝରକାରେ ଝୁଙ୍କି ପଡ଼ି
ଯେବେ ଆକାଶକୁ ଚାହିଁଲି
ଆକାଶଟା ସାରା ଘୋଟିଥିଲା
ଘନ ଅନ୍ଧକାର !
ମୋ ଆଖି ଦୁଇ ଯାହା ଖୋଜୁଥିଲା
ତାହା ଶୂନ୍ୟତାର କେଉଁ ଏକ କୋଣରେ
ହଜି ଯାଇଥିଲା ।
ତଥାପି ମୋ ପ୍ରୟାସରେ ପଡ଼ିଲାନି ପୂର୍ଣ୍ଣଚ୍ଛେଦ ।
ରାତିରେ ପକ୍ଷୀ ସବୁ
ଡେଣା ଝାଡ଼ି ଏଣେ ତେଣେ
ଠିକ୍ ମୋ ପରି କିଛି ବୋଧେ ଖୋଜୁଥିଲେ ।
ମୁଁ ଚାହୁଁଥିଲି ସେମାନଙ୍କ ସହ
ଡେଣାରେ ଡେଣା ମିଶାଇ ଉଡ଼ିବାକୁ,
ସେମାନଙ୍କ ସାଥୀ ହେବାକୁ
ସକାଳ ପର୍ଯ୍ୟନ୍ତ ।
କିନ୍ତୁ ହାଏ,
ମୁଁ ଦେଖୁଥିଲି ମାଳ ମାଳ ଅନ୍ଧକାର
ନିଶବ୍ଦତା, ଶୂନ୍ୟ ଆକାଶ
ମୁଁ ଅନୁଭବ କରୁଥିଲି
ଏ ଅନ୍ଧାର ଘୋଟିଛି ଆକାଶରୁ ମୋ ଶେଯ ଯାଏ
ପୁଣି ମୋ ହୃଦୟଟା ସାରା !
