ନୀତିକଥା

ଗଧଗଧିଆ କଥା

Basudev Mohapatra's odia niti kathaa Gadha Gadhia Kathaa

ଧିକ୍ ତୁମ ଧନକୁ ! ତାହା ଆଜି ଅଛି, କାଲି ନ ଥିବ । ଅନ୍ୟ ପ୍ରତି ଭଲ ଆଚରଣ ନ କରି ତୁମେ ଛୋଟ ହୋଇଯାଇଛ । ତୁମ ଆଖି ଆଗରେ ବିଲୁଆ ଛଟପଟ ହୋଇ ମରିଗଲା ।

ଗଧଗଧିଆ କଥା

ନଈର ଗୋଟିଏ ପାଖରେ ମସ୍ତବଡ଼ ବଣ । ଦଶକୋଣ ଯାଏଁ ବ୍ୟାପିଥାଏ । ସେଥିପାଇଁ ତା’ ନା ଦଶକୋଶିଆ ବଣ । ସେହି ବଣରେ ବିରାଟ ଏକ ପଶୁ ରାଇଜ । ଏ ରାଇଜର ରଜା ଥିଲା ସିଂହ । ପ୍ରତି ପଶୁ ଜାତିର ଜଣେ ମୁଖିଆ ଥିଲା । ସବୁ ମୁଖିଆ ରାଜାର କଥା ମାନି ଚଳୁଥିଲେ ।

ବଣରେ ଗଧ ପଡ଼ା ଓ ଗଧିଆ ପଡ଼ା ଲାଗିଲାଗି ଥିଲା । ମୁଖିଆ ଗଧ ଓ ମୁଖିଆ ଗଧିଆ ଭିତରେ ଭଲ ପଡେ଼ । ସେମାନେ ସାଥି ହୋଇ ଆହାର ଖୋଜି ବାହାରନ୍ତି । ଗଧ ଘାସ ପଡ଼ିଆରେ ଚରେ । ଗଧିଆ ଶିକାର ଖୋଜିବାରେ ଲାଗିଯାଏ । ଖାଇ ସାରିବା ପରେ ଦିହେଁ ନଈ କୂଳରୁ ସାଥି ହୋଇ ଯାଆନ୍ତି । ସେଠି ପାଣି ପିଇ ନିଜ ନିଜ ବସାକୁ ଫେରିଆସନ୍ତି ।

ଗଧ ବିଚରା ଭାରି ସିଧାସିଧା । ସମସ୍ତଙ୍କ ସହ ମିଶିମିଶି ଚଳେ । କାହାକୁ କେବେ କଡ଼ା କଡ଼ା କଥା କହେ ନାହିଁ । ବିପଦ ଆପଦ ବେଳେ ଅନ୍ୟ ପଶୁମାନଙ୍କୁ ସାହାଯ୍ୟ କରେ । କେବେ ରାଗେ ନାହିଁ, କି କାହା ସହିତ ଝଗଡ଼ା କରେ ନାହିଁ । ସେଥିପାଇଁ ମୁଖିଆ ଗଧକୁ ସବୁ ପଶୁ ଭଲ ପାଉଥିଲେ । ତା’ର ପ୍ରଶଂସା କରୁଥିଲେ ।

ମୁଖିଆ ଗଧିଆ ଥିଲା ଠିକ୍ ତା’ର ଓଲଟା । ସେ ସବୁବେଳେ କେବଳ ନିଜ ସୁଖସୁବିଧା ଦେଖୁଥାଏ । କଥାକଥାକେ ରାଗେ । ଗରିବ ନିରୀହ ପଶୁମାନଙ୍କୁ ଛି’ ଛିକାର କରେ । ସେମାନଙ୍କ ଆଗରେ ନିଜ ବଡ଼ପଣିଆ ବଖାଣେ । ସେଥିପାଇଁ ତାକୁ କେହି ଭଲ ପାଉ ନ ଥିଲେ ।

ଥରେ ସେଇ ବଣରେ ଅକାଳ ପଡ଼ିଲା । ଖରାଦିନ ଯାଇ ବର୍ଷାଦିନ ଆସିଲା । କିନ୍ତୁ ଆକାଶରେ ମେଘର ଦେଖାନାହିଁ । ଭୂଇଁ ଉପରେ ଟୋପାଏ ବି ପାଣି ପଡ଼ି ନ ଥାଏ । ଚାଇଁ ଚାଇଁ ଖରା ମାରୁଥାଏ । ଚାହୁଁ ଚାହୁଁ ପଡ଼ିଆମାନଙ୍କରେ ଘାସ ଶୁଖିଗଲା । ଭୂଇଁ ଫାଟି ଆଁ ହୋଇଗଲା । ଗଛର ପତ୍ରସବୁ ଶୁଖି ତଳେ ଝଡ଼ି ପଡିଲା ।

ଏବେ ଗାଈଗୋରୁ, ଘୋଡ଼ାଗଧ, ଛେଳିମେଣ୍ଢା ଆଦି ଚିରା ପଶୁମାନଙ୍କ ଭିତରେ ଭାଳେଣି ପଡ଼ିଲା । କ’ଣ ଖାଇ ବଞ୍ଚିବେ ସେମାନେ ? ଏତିକିବେଳେ ମୁଖିଆ ଗଧ ମନ କ’ଣ ଆସିଲା କେଜାଣି । ଦିନସାରା ଲାଗିଗଲା ଗୋଟିଏ କାମରେ । ବଣରୁ ଶୁଖିଲା ଘାସ ଓ ପତ୍ର ଗୋଟାଇ ଆଣି ତା’ ଭଣ୍ଡାର ଘରେ ସାଇତି ରଖିଲା ।

ତାହା ଦେଖି ମୁଖିଆ ଗଧିଆ ମୁଖିଆ ଗଧକୁ କହିଲା- କିରେ, ତୋ’ ମଥା କ’ଣ ବିଗିଡ଼ି ଗଲାଣି ? ବାହାର ଅଳିଆ ଆଣି ଘରେ ପୂରାଉଛୁ କାହିଁକି ?

ମୁଖିଆ ଗଧ କହିଲା- ଏସବୁ ଆଜି ନ ହେଲେ କାଲି କାମରେ ଆସିବ ।

ଦିନେ ବିଲୁଆଟିଏ ଭୋକରେ ବିକଳ ହୋଇ ମୁଖିଆ ଗଧିଆ ଘରେ ପହଞ୍ଚିଲା । କହିଲା- ମୁଖିଆ ବାବୁ, ଆଜିକି ତିନିଦିନ ହେଲା ଖାଡ଼ା ଉପାସ । ମୋତେ କିଛି ଖାଇବାକୁ ଦିଅ । ଆହାର ବିନା ମୋ ଜୀବନ ଚାଲିଯିବ ।

ମୁଖିଆ ଗଧିଆ ତା’ ଘରେ ବହୁତ ଶିକାର ଜିନିଷ ରଖିଥାଏ । ଏହା ଥିଲା ତା’ର ଧନ । ଏଥିଲାଗି ସେ ଧନୀ ବୋଲାଏ, ଅନ୍ୟ ଆଗରେ ଛାତି ଫୁଲାଇ କହେ । ହେଲେ କାହାକୁ ସେଥିରୁ କାଣିଚାଏ ଦିଏ ନାହିଁ । ବିଲୁଆକୁ ଦେବ ଆଉ କ’ଣ ? ଓଲଟି ତାକୁ ନାଲି ଆଖି ଦେଖାଇ କହିଲା- ବାହାର ଏଠୁ ! ସତେ ଯେମିତି ମୋ ଘରେ ଆଣି ରଖିଥିଲା ୟା ଜିନିଷ ।

ବୁଲିଆ ପଡ଼ିଉଠି ପାଖ ଗଛ ମୂଳଯାଏଁ ଗଲା । ସେଇଠି ଆହାର ବିନା ତା’ ପ୍ରାଣ ଚାଲିଗଲା ।

ଆଉ ଦିନ କର ଘଟଣା । କେତେକ ଚରା ପଶୁ ଭୋକିଲା ହୋଇ ମୁଖିଆ ଗଧ ଘରେ ପହଞ୍ଚି କହିଲେ- ମୁଖିଆ ବାବୁ, ଭୋକରେ ପେଟ ଜଳୁଛି । ଆମକୁ କିଛି ଖାଇବାକୁ ଦିଅ ।

ମୁଖିଆ ଗଧ ତା’ ଭଣ୍ଡାର ଘରୁ ଶୁଖିଲା ଘାସପତ୍ର ଆଣି ସେମାନଙ୍କ ଆଗରେ ରଖି ଦେଇ କହିଲା- ଏହାକୁ ବାଣ୍ଟିକୁଣ୍ଟି ଖାଅ । ବଣରୁ ସାଉଁଟି ଆଣିଥିଲି । ଏହାକୁ ମୋର ବୋଲି କହିବି କାହିଁକି ? ସବୁ ଭଗବାନ୍ ଦେଇଛନ୍ତି । ପୁଣି, ତାହା ସଭିଙ୍କ ପାଇଁ, କେବଳ ମୋ ପାଇଁ ନୁହେଁ ।

ପଶୁମାନେ ଖାଇସାରି ମୁଖିଆ ଗଧକୁ ଧନ୍ୟ ଧନ୍ୟ କଲେ । ସେମାନେ ଖାଇବା ପରେ ଅଳ୍ପ କିଛି ଶୁଖିଲା ଘାସପତ୍ର ଥିଲା । ଗଧ ସେଇତକ ଖାଇ ରାତି ବିତାଇଲା । ହେଲେ ସେଥିରେ ତା’ ପେଟ ପୂରି ନ ଥିଲା ।

ଦିନେ ଗୋଟିଏ ବରଗଛ ତଳେ ଅନେକ ପଶୁ ଶୋଇ ଥକା ମାରୁଥାନ୍ତି । ଦି’ପହର ବେଳ । କଥା ଆରମ୍ଭ କଲା ଘୋଡ଼ା- ବର୍ଷା ଏଯାଏଁ ହେଲାନି । ଘାସ ବିନା ଆଉ କେତେ ଦିନ ଏମିତି ବଞ୍ଚିବା ?

ଗାଈ କହିଲା- ଆଉ କେତେ ଦିନ ଏମିତି ଚାଲିଲେ ବଣର ଚରା ପଶୁମାନେ ମରିଯିବେ ।

ଏତିକିବେଳେ ମୁଖିଆ ଗଧିଆ କହିଲା- ଘାସଖିଆ ପଶୁମାନେ ଏଣିକି ମାଛ, ମାଉଁସ ଖାଆନ୍ତୁ । ତା’ ନ ଖାଇଲେ ମରନ୍ତୁ !

ଏଥିରେ ଚରା ପଶୁମାନେ ରାଗିଗଲେ । ଷଣ୍ଢ କହିଲା- କାହିଁକି ଏତେ ବଡ଼ ବଡ଼ କଥା କହୁଛ, କିହୋ ? ଧିକ୍ ତୁମ ଧନକୁ ! ତାହା ଆଜି ଅଛି, କାଲି ନ ଥିବ । ଅନ୍ୟ ପ୍ରତି ଭଲ ଆଚରଣ ନ କରି ତୁମେ ଛୋଟ ହୋଇଯାଇଛ । ତୁମ ଆଖି ଆଗରେ ବିଲୁଆ ଛଟପଟ ହୋଇ ମରିଗଲା । ତାକୁ କ’ଣ କହିଲ ? ଆଜି ଆମକୁ ଏଠି କ’ଣ କହୁଛ ? ମୁଖିଆ ଗଧକୁ ଦେଖ । କେତେ ଭଲ ଆଚରଣ ତାଙ୍କର । ପାଖରେ ଧନ ନାହିଁ । କିନ୍ତୁ ଭଲ ଆଚରଣ ଲାଗି ସେ କେତେ ବଡ଼ ହୋଇଯାଇଛନ୍ତି !

ମୁଖିଆ ଗଧିଆକୁ ବହୁତ ଅପମାନ ଲାଗିଲା । ସେ ମୁଣ୍ଡ ପୋତି ସେଠାରୁ ଚାଲିଗଲା ।

ମହାଭାରତରେ ବିଦୁର କହିଛନ୍ତି-
ଭଲ ଆଚରଣ କରିବ ସଦା,
ଧନ ଆସେ, ପୁଣି ହୁଏ ତ’ ବିଦା ।
ସରିଗଲେ ଧନ ସଦାଚାରୀର,
ଛୋଟ ଲୋକେ ଗଣା ନୋହେ ନିକର ।
ଭଲ ଆଚରଣ ଛାଡ଼ିଲେ, ବାବୁ,
ଜାଣିବ ତୁମର ସରିଲା ସବୁ ।

ବୃତ୍ତଂ ଯତେର୍ନ ସଂରକ୍ଷେତ୍ ବିତ୍ତମିତି ଚ ଜାତି ଚ ।
ଅକ୍ଷୀଣୋ ବିତ୍ତତଃ କ୍ଷୀଣୋ ବୃତ୍ତତସ୍ତୁ ହତୋ ହତଃ ।।

 

To Top