ଭାରି ସରସ ଅଳପ ଅଳସ ଲାଗଇ ସତେ ମିତ ,
ପଡ଼ିଲେ ଥରେ ନିତି ଚର୍ଯ୍ୟାରେ କରଇ କ୍ଷତି ବହୁତ,
ଧୀରେ ମନ୍ଥରେ ଆବୋରି ନିଏ ସଦଗୁଣ ସବୁ ସେତ,
ବୁଝିବା ଆଗରୁ ତାର କୌଶଳ ଜୀବ ହୁଏ ବିଧ୍ୱସ୍ତ ।
ରଖିବା ସବୁବେଳେ ଅଳସ ପଣଠୁ ନିଜକୁ ଦୁରେ ,
କର୍ମଠ କରିବା ସର୍ବାଙ୍ଗ ବଳ ଥିବା ଯାଏଁ ଶରୀରେ ,
ମନୋବଳ ଯେପରି ଭାଙ୍ଗି ନ ଯାଉ ଅଧେ ଅବା ଥରେ,
ଆଳସ୍ୟକୁ ହରାଇ ଖୋସିବା ଏ କଥା ଚିର କାନରେ ।
ମନୋବଳ ଦୃଢ଼, ଅଳସ ଅଳ୍ପ , ନୁହଁଇ ଗଳ୍ପ କେବେ,
ଖୋଜିଲେ ଏସବୁରେ ସମାନତା ‘ଳ’ କୁ ପାଇବା ସର୍ବେ,
ବ୍ୟଞ୍ଜନ ବର୍ଣ୍ଣ ‘ ଳ ‘ ଅକ୍ଷରଟି ବ୍ୟବହୃତ ହୁଏ ଦର୍ପେ,
ପ୍ରାରମ୍ଭେ ନୁହେଁ ମଝିରେ ରହି ଶବଦ ଗଢ଼େ ସେ ଗର୍ବେ ।
ଶିଖିବା ଏବେ ‘ ଳ ‘ ଲେଖିବା ସହଜ ଭାରି ଯେ ଅଟଇ,
ରଖିବା ସମଭାଗ କରି ଛୋଟ ଚକୁଳି କୁ ପେଟେଇ ,
ପଡିଥିବେ ଫାଳ ଦୁଇ ଗୋଟି କଡ଼କୁ କଡ ଲଗାଇ,
ଦୁଃଖି ମନେ ମା’ ଚକୁଳି କୁ ଦଉଥିବେ ଧୀରେ ଅନାଇ ।
ମମତାମୟୀ ମା’ ବୁଝିଗଲା ସନ୍ତାନ ଦରଦ କଥା ,
ଭାଙ୍ଗିଦେଲା ନିଜକୁ ଅଧାରୁ ହେଉ ପଛେ ଯେତେ ବ୍ୟଥା,
ଘୋଡ଼ାଇ ଦେଲା ଦୁହିଁଙ୍କୁ ଯାଇ ଗାଇ ମମତାର ଗାଥା,
ଛୁଆଙ୍କୁ ବୁଝାଇଲା ପରିଶ୍ରମ ତାଙ୍କ ନ ଯିବ ବ୍ୟଥା ।
ଦେଖ ହେ ପିଲେ ଭଲ କରି ଥରେ ଆମର ଆକୃତିଟି,
ତିନିହେଁ ମିଶି ଗଢିଅଛେ କେଡେ ସୁନ୍ଦର ଅକ୍ଷରଟି ,
ଏଇ ହେଉଛି ଓଡ଼ିଆ ଭାଷାର ଅମୂଲ୍ୟ ‘ ଳ ‘ ବର୍ଣ୍ଣଟି,
ଶିଶୁଙ୍କ ଶିକ୍ଷାରେ ଆସି ଧନ୍ୟ ହେଲା ଆମ ଜୀବନଟି ।
