ଏତେ ବଡ଼ ଦୁନିଆକୁ
ଚଳାଉଛି ଯିଏରେ,
ତାହାଠାରୁ ବଡ଼ ଆଉ,
କୁହ, ଅଛି କିଏ ରେ ।
ମାଟି, ପାଣି, ପବନ, କି
ସୂରୁଯର ଆଲୋକ,
ଉପରେ ବ୍ୟାପିଅଛି ଯେ
ଆକାଶର ମୂଲକ ।
ଏ ପାଞ୍ଚ ତତ୍ତ୍ୱକୁ ପରା
ପଞ୍ଚଭୂତ କହନ୍ତି,
ଏମାନଙ୍କୁ ନେଇ ସିଏ
ସଂସାରକୁ ଗଢ଼ନ୍ତି ।
ଜୀବଜନ୍ତୁ, ଗଛଲତା,
ଯେତେ ଯାହା ଦେଖୁଛ,
ପାଞ୍ଚ ମହାଭୂତ ବିନା
ବଞ୍ଚିବେ କି, ବୁଝୁଛ ?
ମଣିଷକୁ ସିଏ ଯଦି
ବୁଦ୍ଧି, ବଳ ଦେଲାରେ,
ମନ୍ଦ କାମେ ମଣିଷ ତା’
କିଆଁ ଲଗାଇଲାରେ ।
ମାଟିରେ ମିଶାଇ ବିଷ
ଜୀବ ଯେତେ ମାରିଲା,
ସେ ମାଟିରୁ ଉପୁଜିବା
ବିଷ ଫଳ ଖାଇଲା ।
ଗଛ ହାଣି ବଣକୁ ସେ
କରିଦେଲା ପଦାରେ,
ସେ କାରଣେ ଋତୁ ବେଳେ
ବର୍ଷା ନେଲା ବିଦାରେ ।
ଯାବତୀୟ ଆବର୍ଜନା
ନଦୀରେ ସେ ଛାଡ଼ିଲା,
ଜଳ ପ୍ରଦୂଷଣ ଲାଗି
କେତେ ରୋଗେ ପଡ଼ିଲା ।
ଧୂଳିଧୂଆଁରେ ପବନ
ପ୍ରଦୂଷିତ ହେଲାରେ,
ତାହା ଲାଗି ରୋଗ ଭୋଗି
ମଣିଷ ତ ମଲାରେ ।
କମାଣ, ବନ୍ଧୁକ, ବୋମା,
ବିକଟାଳ ଶବଦେ,
କମ୍ପୁଛି ଆକାଶ ଏବେ
ଭୟାତୁର ସରବେ ।
ଗଢ଼ିବା, ପାଳିବା, ନାଶ
କରିବା ଯା’ ଖେଳରେ,
କି କରିପାରିବୁ ତୋ’ର
ଛୋଟ ବୁଦ୍ଧି ବଳରେ ?
