ଅଜା ଆଈ ଗଲେ ଯାତରା ଦେଖି ,
କୁନା କୁନି ଥିଲେ ସାଥିରେ ଲାଖି।
କାନ୍ଧେ ବସାଇଲେ କୁନାକୁ ଅଜା,
ଆଈ କୋଳେ କୁନି ପାଇଲା ମଜା।
ଘୋଡ଼ା ନାଚ ଆହାଃ କେଡ଼େ ସୁନ୍ଦର,
ଡେଣା ମେଲେ ଯେବେ ଟାହିଆ ପର।
ମେଢ଼ କମ୍ପାଏ ବେଲୁନ ପେଁ – କାଳୀ ,
ଜମେ ସେଇଠି ପିଲାଙ୍କ ଗହଳି।
ନାତି ମନ ଲୋଭିଲା ଗୁଡ଼ି ନାଲି ,
ନାତୁଣୀ ଖୋଜିଲା ମାଟିର ଚୁଲି।
ଖଡା ଦୁଇ ବିଡା ଧରିଲେ ଆଈ ,
ଅଜା କିଣିଲେ ବିଞ୍ଚଣାଟେ ଯାଇ ।
ସଭିଏଁ ଖାଇଲେ ଘୁଗୁନି ବରା ,
ଦିଅଁ ଦରଶନେ ଫେରିଲେ ପରା ।
