ଚକ୍ରାନ୍ତର ଚକ୍ରବ୍ୟୁହକୁ
ଭେଦ ନ ପାରି, ଇତି. . .
ହୋଇଗଲା ଇତିହାସ !
ଅନୁଶାସନର କୁରୁକ୍ଷେତ୍ରେ
ସ୍ୱଚ୍ଛତାର ଦୁନ୍ଦୁଭି ବଜାଉଥିବା
ସପ୍ତରଥୀ- ମହାରଥୀମାନଙ୍କ ସହ
ଏକାକିନୀ. . . ଯୁଝି ଯୁଝି
ଜୀବନ ଯୁଦ୍ଧରେ ବିଚାରୀ,
ହାରିଗଲା ବିଦ୍ରୋହିଣୀ
ଶିକ୍ଷୟିତ୍ରୀ ଇତିଶ୍ରୀ ।
ପାରିଲେନି କେହି
ସାହା ଭରସାର ଶଙ୍ଖ, ଚକ୍ର ଧରି;
ଶିକ୍ଷା ଆଉ ଶିକ୍ଷାୟତନର
ରଣାଙ୍ଗନେ,
ପାପୀ, ଦୁରାଚାରୀ-ଭ୍ରଷ୍ଟାଚାରୀ
ଦୁର୍ଯ୍ୟୋଧନ-ଦୁଃଶାସନମାନଙ୍କ
କାମନାର ନିଆଁରେ
ହୁତ୍ହୁତ୍ ହୋଇ ଜଳୁଥିବା
ନିରିମାଖୀ ଇତିଶ୍ରୀ
କଞ୍ଚା ଦେହଟାକୁ ଉଦ୍ଧାର କରି !
ବରଂ, ଛକାପଞ୍ଝାର ପଶାଖେଳି
କ୍ଷମତାଲିପ୍ସୁ ବାହୁବଳି
ରାଜନୀତିର ଯଜ୍ଞକୁଣ୍ଡେ
ରାତାରାତି କିରୋସିନି ଢାଳି
ଜାଳିଦେଲେ,
ନିରୀହା ଅବଳା ଶିକ୍ଷୟିତ୍ରୀର
ଜୀବନ ଜୁଇ ।
ବାଜି ଉଠିଲା, ଘନଘନ
କାନ୍ଦଣାର କେନ୍ଦରା ଗୀତ
ଗାଁରୁ ସହର ଆଉ ରାଜ୍ୟ ରାଜଧାନୀ ଯାଏଁ
ନିମିଷକ ମଧ୍ୟେ,
ପୋଡ଼ି ପାଉଁଶ ହୋଇଗଲା
ସମୟର ହରିତ୍ ଡାଳରେ
ଶତସହସ୍ର ବେବିନା, ନିର୍ଭୟା
ଆଉ ସୁଜାତାଙ୍କ ପରି
ସ୍ୱପ୍ନଫୁଲ ଫୁଟାଇବାର ସବୁ ଉଦ୍ଦାମତା !