ଅନୁଭୂତି

ଅବାଧ୍ୟତାର ପରିଣତି

Dr Anita Panda

ଯଦି ତୁ ମତେ ଦୁଇ କଲେଜର ଜେନେସିସ୍ ଠିକ୍ ଭାବରେ କହି ଶୁଣାଇବୁ ତେବେ ମୁଁ ତୋ ମତାମତକୁ ସମ୍ନାନ ଦେବି । ନଚେତ୍ ମନେ ରଖ ତତେ ମୋ କଥା ମାନିବାକୁ ହେବ ।

ଅବାଧ୍ୟତାର ପରିଣତି

-: ପୂର୍ବରୁ :-

ବହୁଦିନ ପରେ ମାଉସୀ (କୁନୁବାବୁର ମା) ବେବି (ତାଙ୍କ ଝିଅ) ସଙ୍ଗେ ଆମ ଘରକୁ ବୁଲି ଆସିଥିଲେ । ଗାଁରେ ତାଙ୍କର ଜଣେ ସମ୍ପର୍କୀୟଙ୍କର ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ଭୁବନେଶ୍ୱରେ ଗୋଟିଏ ଘର ତିଆରି କରାଉଛନ୍ତି । ତେଣୁ ମଉସା (ସୁନ୍ଦର ରାୟ ବାବୁ) ସେଠାରେ ପୁରାଦିନ ବ୍ୟସ୍ତ ରହିବେ । ବେବି ସଙ୍ଗେ ସେ ‘ଟୁଲୁ’ (ବଡନନାଙ୍କ ପୁଅ)କୁ ଦେଖିବାକୁ ଆସିଗଲେ । ମାଉସୀ ବେଶୀ କାମ କରି ପାରନ୍ତିନି ସିନା ବରାଦ କରି ସବୁ କାମ ସୁଚାରୁ ରୂପେ କରାଇ ପାରନ୍ତି । କିଏ କହେ ସେ ବହୁତ ମୋଟା ତ ତେଣୁ କାମ କରିପାରନ୍ତିନି । କିଏ କହେ କଲେକ୍ଟରଙ୍କର ପତ୍ନୀ କାମ କରିବେ? ତାଙ୍କ ଷ୍ଟେଟସ୍ କୁ ନେଇ ସେ ନିଜକୁ ସମସ୍ତଙ୍କ ଠାରୁ ଦୂରରେ ରଖିବାକୁ ଚାହାନ୍ତି । ଆଉ କିଏ କହେ ମୁଁ କିନ୍ତୁ ଏ ସବୁ ମନ୍ତବ୍ୟରେ ଟିକିଏ ବି ଏକମତ ହୁଏନା । କାହିଁକି ନା ମାଉସୀ ଖୁବ୍ ସ୍ନେହୀ,ବହୁ ମେଳାପୀ ।

ମାଉସୀ ଆଉ ନୂଆବୋଉଙ୍କର ଚାହାପାନ ଆସର ଜମିଥିଲା । ଆମ ଦୁହିଁଙ୍କୁ ପାଖକୁ ଡାକି ଜଳଖିଆ ପ୍ଲେଟରୁ କିଛି ନେବାକୁ କହିଲେ, ମାତ୍ର ନୂଆବୋଉ ଆମ ପାଇଁ ସ୍ୱତନ୍ତ୍ର ପ୍ଲେଟ ମଗାଇ ସାରି ଥିଲେ । ବେବି ମୋ ଠାରୁ ଗୋଟାଏ ବର୍ଷ ସାନ । ମାତ୍ର ଏବେ ମୋ ଠାରୁ ଖୁବ୍ ବଡ ମନେ ହେଉଛି । କାହିଁକି ନା ଏମିତି ତ ସେ ଡେଙ୍ଗା ଏଇ ବର୍ଷକ ଭିତରେ ସେ ଖୁବ୍ ମୋଟା ହୋଇ ଯାଇଛି । ସେମାନେ ଏବେ ମଧ୍ୟ ଭଦ୍ରକ ରେ ଅଛନ୍ତି । ଭଦ୍ରକ ବିଷୟରେ ଅସରନ୍ତି ଗପ ।

ପୁଣି ଥରେ ମାଉସୀ ଆମ ଦୁହିଁଙ୍କୁ ପାଖକୁ ଡାକିଲେ । ନିଜ ଜଳଖିଆ ପ୍ଲେଟ,ପାଣି ଗ୍ଲାସ୍ ଉଠାଇ ନେଇ ତାଙ୍କ ପାଖରେ ବସିଲୁ ।

ମାଉସୀଙ୍କର ପୁଅ ଝିଅ ମିଶାଇ ସାତଟି । ତେଣୁ ସେ ପିଲାର ମନ କଥା ଭଲଭାବେ ବୁଝି ପାରନ୍ତି । କହିଲେ –

୧୯୬୦ରୁ ଆଜି ଭିତରେ ତୁମ ଘରକୁ କେତେ ଖୁସି ଆସିଲାଣି, ମିସେସ ପଣ୍ଡାଙ୍କର ୧୯୬୦ରେ ଲକ୍ଷ୍ମୀ ପ୍ରତିମା ଭଳି ଝିଅ, ଏବେ ପୁଅ ଏ ଦୁହେଁ ପଣ୍ଡା ବାବୁଙ୍କ ଉପରେ ଯିବେ । କେତେ କେତେ ନାଁ କମାଇବେ । ଭଗବାନ ଦୁହିଁଙ୍କୁ ଦୀର୍ଘାୟୁ କରନ୍ତୁ । ପୁଅ, ଝିଅଙ୍କର ପ୍ରଶଂସା ଶୁଣିଲେ କୋଉ ମା ବାପାର ଛାତି କୁଣ୍ଡେ ମୋଟ ନ ହୋଇଯାଏ । ନୂଆବୋଉ ବା ସେଥିରୁ କେମିତି ବାଦ୍ ଯାଇପାରନ୍ତି ।

ଆହୁରି କେତେ କଥା ତୁମେ ଛାଡିଗଲ ମା? କହିଲା ବେବି ।

ଅନୁଦେଇଙ୍କର ପାଠ ଆରମ୍ଭ ଆଉ ମାଟ୍ରିକ୍ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାର ସବୁ ଝିଅଙ୍କ ଠାରୁ ବେଶୀ ନମ୍ୱର ରଖିଛନ୍ତି । କଲେଜରେ ତାଙ୍କୁ ସ୍କଲାରସିପ୍ ମିଳିବ ।

ଆଲେ ହଁତ, ଅନୁ ମାଟ୍ରିକ୍ ପାସ୍ କଲାଣି । ମୁଁ ତାକୁ ସବୁବେଳେ କୁନୁବାବୁ ସଙ୍ଗେ ତୁଳନା କରେ । ଦୁହେଁ ସମବୟସୀ ତ ! କୋଉ କଲେଜରେ ନାଁ ଲେଖେଇବୁ ? ନନାଙ୍କୁ କହ ରେଭେନ୍ସା କଲେଜରେ କରାଇ ଦେବେ । ମୋ ଆଡକୁ ଚାହିଁ କହିଲେ ମାଉସୀ ।

ଆଡମିଶନ୍ କରେଇଦେବେ କ’ଣ, ଅନୁ ଦେଇଙ୍କୁ ତ ମେରିଟ୍ ରେ ମିଳିବ । ମୋ ଆଡକୁ ଚାହିଁ କହିଲା ବେବି ଶୈଳବାଳା ପାଇଁ ଆପ୍ଲିକେସନ୍ ଦିଆଯାଇଛି । କହିଲେ ନୂଆବୋଉ । ଠିକ୍ ଅଛି, ଶୈଳବାଳା ବି ଭଲ । ଉଇମେନ୍ସ କଲେଜ । ୟା ନାଚ ଗାନା ବହୁ କାମରେ ଆସିବ । ତୁମେ ତ ସେଇ କଲେଜର, ତୁମକୁ ବେଶୀ ଜଣାଥିବ । ଚାଲ୍ ଲୋ ବେବି, ଡ୍ରାଇଭରକୁ ଡାକ । ପହଞ୍ଚିବାକୁ ଦି ଘଣ୍ଟା ଲାଗିଯିବ । ୟେ କଟକ, ଭୁବନେଶ୍ୱର ମା । ହାଓଡା ବ୍ରିଜ୍ ଭାବିଲ କି ? ବୀର ଭାଇ ପଇଁଚାଳିଶ ମିନିଟ୍ ରେ ପହଞ୍ଚାଇ ଦେବ । ନୂଆ ବୋଉଙ୍କ ପାଖେ ତୁମେ ଆଉ କପେ ଚାହା ପିଅ । ମୁଁ ଅନୁଦେଇଙ୍କ ରୁମ୍ ରୁ ତାଙ୍କ କାରସାଦୀ ଦେଖି ଆସୁଛି ।

ଦୁଇ ବର୍ଷ ତୋ ପାଖରେ ଥିଲା, କିଛି ଶିଖିଲୁ ତା ଠୁ ? ହଉ ଯା । ହେଲେ ବେଶୀ ଡେରି କରିବୁନି । ବାପା ଅପେକ୍ଷା କରିଥିବେ । ମାଉସୀ, ବେବି ଯିବା ପରେ ମୁଁ ଦୁଇ କଲେଜ ବିଷୟରେ ଚିନ୍ତା କରି ଚାଲିଥିଲି । ବାପା, ବଡନନା ଦୁହେଁ ଚାହାନ୍ତି ଶୈଳବାଳା । ମୋ ନିଜର ଏତେ ବେଶୀ ବିଚାର କରିବାର ଶକ୍ତି ନାହିଁ । ମାତ୍ର ବଡନନା, ନୂଆବୋଉଙ୍କ ମଧ୍ୟରେ ଏଇ ବିଷୟ ନେଇ ତର୍କ ଆଜି ମୁଁ ଖାଇବା ଟେବୁଲ୍ ରେ ଶୁଣିଲି । ସୁଶୀ ନାନୀ କିଛି ମତାମତ ନ ଦେଲେ ମଧ୍ୟ ମୁଁ ତାକୁ ମୋ ଚିନ୍ତା ବିଷୟରେ କହି ମନ ହାଁ – ନାଁ କରେ । ସେ ବି ନାହିଁ, ବାହା ହୋଇ ଶାଶୁଘରେ । ମିଲୁ( ବଡନନାଙ୍କ ଝିଅ) ମାତ୍ର ଦୁଇବର୍ଷର ପିଲାଟା । ହେ ଭଗବାନ୍, ମିଲୁକୁ ଶୀଘ୍ର ବଡ କରିଦିଅ ।

ଯେତେ ଚେଷ୍ଟା କଲେ ମଧ୍ୟ ଶୋଇ ପାରିଲିନି । ବାପା କହୁଥିଲେ,”କେବଳ ପୁରୁଣା ନୁହେଁ ପ୍ରଖ୍ୟାତ ଏବଂ ଏଷ୍ଟାବ୍ଲିସଡ୍ କଲେଜ । ଓଡିଶାର ଯେତେ ବଡ ବଡ ପ୍ରତିଷ୍ଠିତ ଲୋକମାନଙ୍କୁ ଦେଖୁଛୁ ସମସ୍ତେ ରେଭେନ୍ସା କଲେଜରୁ ପଢିଛନ୍ତି । ବଡନନାଙ୍କର ମତ ମଧ୍ୟ ସେଇଆ ଥିଲା । ”

ରେଭେନ୍ସା କଲେଜରେ ଆଡମିଶନ୍ ର ଶେଷ ତାରିଖ । ମାତ୍ର ଏଇ ବିଷୟ ନେଇ ନୂଆବୋଉ ତାଙ୍କ କଥା ନ ରହିଲା ବୋଲି ଦୁଃଖ ନ କରନ୍ତୁ । ଦୁଇଟି ଯାକ କଲେଜର ପ୍ରୋସ୍ପେକ୍ଟସ ଆଣି ବାରଂବାର ଆମୂଳ ଚୂଳ ପଢିଲି । ଯଦି କିଛି ଏଥିରୁ ସଲ୍ୟୁସନ ମିଳିଯାଏ । ବଡନନା ଅଫିସରୁ ଆସି ଫ୍ରେସ୍ ହୋଇ ଅଫିସ୍ ରୁମ୍ ରେ ବସିଲେ । ପାଖରେ ବାପା । ମତେ ଡାକରା ଆସିଲା ।

ମୁଁ କାଲି ଅଫିସରୁ କାହାକୁ ପଠାଇ ତୋର ଆଡମିଶନ୍ ରେଭେନ୍ସା କଲେଜରେ କରାଇ ଦେଉଛି । ଦୃଢ କଣ୍ଠରେ କହିଲେ ବଡନନା ନାଁ ମୁଁ ଭାବୁଛି, ଶୈଳବାଳା ମୋ ପାଇଁ ଭଲ ରହିବ ମାତ୍ର କାହିଁକି ? ମଧୁସୂଦନ ଦାସଙ୍କ ଜୀବନୀ ଖୁବ୍ ଭଲ ଲାଗେ । ବହୁ ଜ୍ଞାନୀ ସେ ଏଇ କଲେଜଟି ତାଙ୍କ ପୋଷ୍ୟା ପୁତ୍ରୀଙ୍କର ଦ୍ୱାରା ପ୍ରତିଷ୍ଠିତା ।

ଯେଉଁ ଉତ୍କଳଗୌରବ ମଧୁସୂଦନଙ୍କ ବିଷୟରେ କହୁଛୁ, କେବଳ ସେଇ ମହାନ୍ ବ୍ୟକ୍ତି ନୁହନ୍ତି, ଉତ୍କଳମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର,ଡକ୍ଟର ପ୍ରାଣକୃଷ୍ଣ ପରିଜା, ଶ୍ରୀ ନିତ୍ୟାନନ୍ଦ କାନୁନଗୋ, ଶ୍ରୀ ବିଶ୍ୱନାଥ ଦାସ ଓଡିଶାର ମୁଖ୍ୟମନ୍ତ୍ରୀ ସମୂହ (ଶ୍ରୀ ହରେକୃଷ୍ଣ ମହାତାବ, ଶ୍ରୀମତି ନନ୍ଦିନୀ ଶତପଥୀ, ଶ୍ରୀ ବିଜୁ ପଟ୍ଟନାୟକ, ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ରବିରାୟ) ଓଡିଶାର ସମସ୍ତ ବଡ ବଡ ସାହିତ୍ୟିକ ରେଭେନ୍ସା କଲେଜରୁ ଶିକ୍ଷା ଲାଭ କରି ଓଡିଶାର ଗୌରବ ଧ୍ୱଜା ସଣ୍ଢୂର୍ଣ୍ଣ ଭାରତ ବର୍ଷରେ ଉଡାଉଛନ୍ତି । ଏଇ କଲେଜଟି ହେଉଛି ଓଡିଶାର ପ୍ରଥମ କଲେଜ ।

ଶୈଳବାଳା କଲେଜଟି ଉତ୍କଳ ଗୌରବ ମଧୁସୂଦନଙ୍କ ଘରେ ଅବସ୍ଥିତ । ଏତେବଡ ଜ୍ଞାନୀ ମହାପୁରୁଷଙ୍କର ଚଳ ପ୍ରଚଳ ଯେଉଁ ଘରେ ହେଉଥିଲା,
କେତେବେଳେ କେମିତି ସେଇ ସ୍ଥାନ ମାନଙ୍କରେ ବସିବାର ତ ସୌଭାଗ୍ୟ ମିଳିବ ।

ଏ ସବୁ ଜଷ୍ଟ ଇମୋସନ୍, ନଥିଙ୍ଗ ପ୍ରାକ୍ଟିକାଲ । ବିରକ୍ତି ସହ କହି ଉଠିଗଲେ ବଡନନା ।

ବଡନନା ଉଠି ଯିବା ପରେ ମତେ ନିଶ୍ଚିତ ଖରାପ ଲାଗିଲା । ମାତ୍ର ପ୍ରକୃତ କଥାଟି ମୁଁ କେମେତି ପ୍ରକାଶ କରିବି?

ନନା ଠିକ୍ କହିଲା “ଏ ସବୁ ଇମୋସନ ପିଲାମାନଙ୍କ ପାଖେ ଦେଖାଯାଏ । ତୁ ଏବେ ବଡ ହୋଇ ଗଲୁଣି” କହିଲେ ବାପା ।

ନୂଆବୋଉ ତ ପୁଣି ସେଇ କଲେଜରେ ପଢୁଥିଲେ । ସେ କଲେଜ କ’ଣ ଖରାପ ?

ତୋ ବାପା, ଭାଇ ଯେଉଁ କଲେଜରେ ପଢି ଏତେ ଉପରକୁ ଯାଇ ପାରିଛନ୍ତି ତୁ ଭାଉଜ ପିଛା ଧରିବାକୁ ଚାହୁଁଛୁ ? ହଁ, ମୋର ଶେଷ ସିଦ୍ଧାନ୍ତ,ମୁଁ ଶୈଳବାଳା ଉଇମେନ୍ସ କଲେଜରେ ପଢିବି, କାଲି ଦିନଟା ଚାଲିଗଲେ ଶତ ଚେଷ୍ଟା କଲେ ବି ତୁ ଆଉ ରେଭେନ୍ସାରେ ଆଡମିଶନ୍ ପାଇବୁନି । ଟିକିଏ ଚଢା ଗଳାରେ କହିଲେ ବାପା ।

ମୁଁ କିଛି ନ କହି ତଳକୁ ମୁହଁ ପୋତି ଛିଡା ହୋଇରହିଲି, ବଡ ମାନଙ୍କର ଅବାଧ୍ୟତା ମଣିଷକୁ ବହୁ ଅସୁବିଧାରେ ସମ୍ମୁଖୀନ କରାଇଥାଏ । ମୋର ଯାହା ମନେ ହୁଏ ତୁ ରେଭେନ୍ସା କଲେଜ ବିଷୟରେ କିଛି ଜାଣିନୁ, ଦୁଇଟି ଯାକ କଲେଜର ଜେନେସିସ୍ ମୁଁ ଖୁବ୍ ଭଲ କରି ପଢିଛି ବାପା, ମାତ୍ର ମୋର ଶେଷ ସିଦ୍ଧାନ୍ତ ମୁଁ କହି ସାରିଛି ।

ଏଥର କ’ଣ ଟିକିଏ ଚିନ୍ତା କରି ଅପେକ୍ଷା କୃତ ନରମ ଗଳାରେ ବାପା କହିଲେ,”ଯଦି ତୁ ମତେ ଦୁଇ କଲେଜର ଜେନେସିସ୍ ଠିକ୍ ଭାବରେ କହି ଶୁଣାଇବୁ ତେବେ ମୁଁ ତୋ ମତାମତକୁ ସମ୍ନାନ ଦେବି । ନଚେତ୍ ମନେ ରଖ ତତେ ମୋ କଥା ମାନିବାକୁ ହେବ । ”

ବାପାଙ୍କ କଥାରେ ମୁଁ ମନକୁ ମନ ହସି ପକାଇଲି । ଇମୋସନାଲ୍ ହେବାଟା ପିଲା ଗୁଣ, ଆଉ ବାପା ଯାହା କହୁଛନ୍ତି ତାର କଲେଜ ଆଡମିଶନ୍ ସହ ସଂପର୍କ । କେଉଁ ଏକ ବଡ ଲେଖକଙ୍କର ଗୋଟିଏ ପଂକ୍ତି ମନକୁ ଆସିଲା,”ସ୍ୱର୍ଗକୁ ନିଶୁଣୀ ନାହିଁ,ବଡ ଲୋକଙ୍କୁ ଉତ୍ତର ନାହିଁ । ” ବାପାଙ୍କ କଥାର ପ୍ରତିବାଦ ନ କରି ମୁଁ କହିବା ଆରମ୍ଭ କଲି ।

ତା’ପରେ

To Top