
ତୋର ଚାରିଟାରେ ଉଠିବା ଅଭ୍ୟାସ । ମାତ୍ର ୫ଘଣ୍ଟା ଶୋଇବୁ ! ଦେହ ଖରାପ ହୋଇଯିବ ।
ଭଦ୍ରକ ହାଇସ୍କୁଲରେ ପ୍ରଥମ ଦିନ-: ପୂର୍ବରୁ :-
କ୍ଲାସ୍ ୧୦ମ ରୁମ୍ଟା ମୁଁ ପ୍ରଥମରୁ ଯାଇ ଦେଖି ଆସିଥିଲି । କ୍ଲାସ୍ ରୁମ୍ଟା ମୋତେ ଖୁବ୍ ଭଲ ଲାଗିଥିଲା । ପହଁଞ୍ଚିବା ବେଳକୁ କ୍ଲାସ୍ ଆରମ୍ଭ ହୋଇଯାଇଥିଲା । ଦୁଆର ଆଡକୁ ପଛକରି ଜଗନ୍ନାଥ ସାର (ଗଣିତ) ପଢାଉ ଥିଲେ । ସବୁପିଲା ମାନଙ୍କ ନଜର ମୋ ଉପରେ ବିଶେଷକରି ଝିଅମାନଙ୍କର ବହୁ ସମୟ ପରେ ସାର୍ ପଛକୁ ବୁଲି ଚାହିଁ ମୋତେ ଭିତରକୁ ଡାକିଲେ । ଗାଁ ସ୍କୁଲରେ ପଢିବା ବେଳେ ମୁଁ ଆଉ ସୁଶୀ ନାନୀ ବାହାରେ ଚପଲ ଖୋଲି କ୍ଲାସ୍ ରେ ପସୁଥିଲୁ । ତେଣୁ ଚପଲ ଖୋଲି ଭିତରକୁ ପସିଲି, ଠାରରେ ସାର୍ ମତେ ଚପଲ ପିନ୍ଧି ପସିବାକୁ କହିଲେ । ଅନିତା ନନ୍ଦି ପାଖରେ ସାମନା ବେଞ୍ଚରେ ବସିବାକୁ ଇଙ୍ଗିତ ଦେଲେ । ଅଧଘଣ୍ଟାକ ଭିତରେ ମୋ ମୁଣ୍ଡ ଗରମ । କିଛି ମୁଣ୍ଡରେ ପସୁନି, କ’ଣ କେମିତି ହେବ । କ୍ଲାସ୍ ଶେଷ କରି ସାର୍ ଚାଲି ଗଲେଣି । ତା’ ପରେ କ୍ଲାସ୍ ର ଛୁଟିରେ ଥିବାରୁ ଫ୍ରି ପିରିୟଡ, ସବୁ ପୁଅମାନେ ବାହାରକୁ ଚାଲିଗଲେ । ହେଲେ ଝିଅମାନେ ମୋତେ ଘେରି ବସିଥିଲେ । ନମିତା ସମସ୍ତଙ୍କୁ ମୋର ପରିଚୟ କରାଇ ଦେଉଥିଲା । ଇଏ ଭଦ୍ରକ ସେକେଣ୍ଡ ଅଫିସରଙ୍କ ସାନ ଭଉଣୀ, ନୂଆକରି ଟ୍ରାନ୍ସଫର ହୋଇ ଆସିଛନ୍ତି ।
“ତୋ ନାଁ କ’ଣ?” ବହୁତ ଗୁଡାଏ ସ୍ୱର
“ଅନୀତା….” ଅନୀତା ଆଡକୁ ଚାହିଁ କହିଲି ।
ମୁଁ ତୋ ନାଁ ପଚାରୁଛି, ଶୁଭନିକା ରୁକ୍ଷ କଣ୍ଠରେ କହିଲା
ଅନୀତା କହିଲା ପରା ।
ଆରେ ବାଃ…ଆମ କ୍ଲାସ୍ ରେ ଦୁଇଜଣ ଅନୀତା ।
ଅଷ୍ଟମ, ନବମ କେଉଁ ସ୍କୁଲରୁ ଆସିଛୁ ?
ତା ଭାଇଙ୍କର ବଦଳି ଚାକିରୀ, ସେ କ’ଣ ଗୋଟିଏ ବର୍ଷକରୁ ବେଶୀ ରହି ପାରୁଥିବେ । କହିଲା ନମିତା ନାଁ…ନାଁ… ତୁ ଆମକୁ ବହୁତ ଭଲ ଲାଗୁଛୁ । ଆମ ସ୍କୁଲ ଛାଡି ଯିବୁନି, ହେମଲତାର କଣ୍ଠ ସ୍ୱର ।
ଏତେ ସବୁ କଥା ଶୁଣି ପୁରାପୁରି ଛାନିଆ ହୋଇଯାଇଥିଲି ।
ତୁ ଡରୁଛୁ କାହିଁକି ? ଆମେ ସମସ୍ତେ ତୋର ସାଙ୍ଗ । ହେଲେ ମନେ ହେଉଛି ତୁ ଆମ ସମସ୍ତଙ୍କ ଠାରୁ ବୟସରେ ସାନ ।
ନାଁ,ଡରିବି କାହିଁକି ? ଆମେ ସବୁ ଫ୍ରେଣ୍ଡ ।
ଆଚ୍ଛା ଏବେ ଏତିକି ଥାଉ । ଖେଳ ଛୁଟିରେ. ସାର୍ କ’ଣ ପଢାଇଲେ ବୁଝି ପାରିନି । ମତେ ଟିକିଏ ବୁଝେଇ ଦେଲୁ ଶୁଭନିକା କହିଲା ହେମଲତା ।
ଏଥର ଅଙ୍କ ବୁଝେଇବାକୁ ମୁଁ ପଇସା ନେବି ।
“କେତେ କୁହ, ମୁଁ କାଲି ଆଣି ଦେଇ ଦେବି ।” ଧୀରେ ଧୀରେ କହଲି ।
ଶୁଣ ଶୁଣ ଏ ଗଧି ବି ବୁଝିନି ।
ଆରେ ନାଇଁମ ଶୁଭନିକା । ସେ ଡେରିରେ ଆସିଲାତ । କହିଲା ନମିତା ।
ପ୍ରାଣକୃଷ୍ଣ (ବିଜ୍ଞାନ) ସାର୍ ପିଶିବାରୁ ସମସ୍ତେ ଚୁପ୍ ଚାପ୍ ହୋଇ ନିଜ ନିଜ ସିଟ୍ ରେ ବସି ପଡିଲେ ।
ସନ୍ଧ୍ୟାରେ ବଡ ନନା କିଛି ପଚାରିବା ପୂର୍ବରୁ କହିଲି, ଗଣିତ କ୍ଲାସରେ ଜଗନ୍ନାଥ ସାର୍ କ’ଣ ଗୋଲ ଗୋଲ କରି କିଛି ପଢାଉଥିଲେ । କିଛି ମୁଣ୍ଡରେ ପଶିନି । ଆଜି ଦଶମର କ୍ଲାସ୍ ତ । ୩୦ ଥିଅରମ୍ । ଆଚ୍ଛା ଆଚ୍ଛା ବୃତ୍ତ ପଢାଉଥିବେ । ସେଥି ପାଇଁ ଚିନ୍ତା କରନା । ତୋର ଗଣିତ ନାହଁ । ହୋମ୍ ସାଇନ୍ସ ।
ନାଁ ମୁଁ ଗଣିତ ପଢିବି । ନହେଲେ ଶୁଭନିକା ମତେ ଗଧି କହିବ ।
ସବୁଥିରେ ଜିଦି କରନା । ଏଇଟା ତୋ ପାଇଁ କଷ୍ଟ ସାଧ୍ୟ ହେବ । ତାଛଡା ତା ପାଇଁ ଅଲ୍ଟରନେଟିବ ତ ଅଛି । ୟା ପଛରେ ଲାଗି ତୁ ଅନ୍ୟ ବିଷୟ ଗୁଡିକ ଉପରେ ଗୁରୁତ୍ୱ ଦେଇ ପାରିବୁନି ।
ନାଁ, ମୁଁ ଆଜି ଠୁ ୯ଟାରେ ନ ଶୋଇ ୧୧ଟାରେ ଶୋଇବି । ସେଇ ଦୁଇଘଣ୍ଟା କେବଳ ଗଣିତ କରିବି ।
ତୋର ଚାରିଟାରେ ଉଠିବା ଅଭ୍ୟାସ । ମାତ୍ର ୫ଘଣ୍ଟା ଶୋଇବୁ ! ଦେହ ଖରାପ ହୋଇଯିବ ।
ମାତ୍ର କେତେ ମାସ କଥାତ । ତାପରେ ପୁଣି ଠିକ୍ ଟାଇମ୍ ରେ ଶୋଇବି । ଆପଣମାନେ ଶୋଇ ପଡିବେ । ମୋ କ୍ଷୀର ଗ୍ଲାସ୍ଟା ଆଗରୁ ରଖିଦେବେ ।
ଥଣ୍ଡା ହୋଇଯିବ । ତୋର ଗରମ ପିଇବା ଅଭ୍ୟାସ ।
ଥରେ ବାପା କହୁଥିଲେ କିଛି ପାଇବାକୁ ହେଲେ କିଛି ଛାଡିବାକୁ ପଡେ । ମତେ ଅଙ୍କ ଠିକ୍ ଭାବେ ଆସିଲେ ମୁଁ ପୁଣି ଗରମ କ୍ଷୀର ପିଇବି ।
ଥରେ ମୋ ମୁହଁକୁ ଆଉ ଥରେ ହାତ ଘଡି ଆଡକୁ ଚାହିଁ ସେ ଉଠିଗଲେ । ହେଁ ଆର ଦିନଠୁ ଆରମ୍ଭ ହୋଇଗଲା ଚାଷ । ଅଙ୍କ ଚାଷ
– ତାପରେ –