ହଜାର ହଜାର ବର୍ଷ ତଳର କଥା । ସେତେବେଳେ ବଣ ମୁଲକର ରାଜା ଥିଲା ବାଘ । ତା’ମନ୍ତ୍ରୀ ଥିଲା ବିଲୁଆ । ବେଳେ ବେଳେ ରାଜ୍ୟର ପଶୁମାନଙ୍କ ଭିତରେ ଗଣ୍ଡଗୋଳ ହୁଏ । ଝଗଡ଼ା କରୁଥିବା ପଶୁମାନେ ରାଜା ଦରବାରକୁ ଆସନ୍ତି । ରାଜା ମନ୍ତ୍ରୀ ସାହାଯ୍ୟରେ ବିଚାର କରି ଦୋଶୀକୁ ଦଣ୍ଡ ଦିଅନ୍ତି ।
ଦିନେ ବୁଢ଼ା ଭାଲୁଟିଏ ଦରବାରରେ ପହଞ୍ଚି କହିଲା – ହଜୁର, ମୋ ଗୁହାରି ଟିକିଏ ଶୁଣନ୍ତୁ । ମୁଁ ବୁଢ଼ା ହେଲିଣି । ଚାଲିବାକୁ ବଳ ପାଉନାହିଁ । ନିଜେ ଆହାର ଯୋଗାଡ଼ କରିପାରୁ ନାହିଁ । ମୋର ଯୁଆନ ପୁଅଟିଏ ଅଛି । ତାକୁ ମୁଁ ଖୁଆଇ ପିଆଇ ପିଲାରୁ ବଡ଼ କଲି । ଏବେ ସେ ମୋତେ ଖାଇବାକୁ ଗଣ୍ଡେ ଦେଉନାହିଁ । ଆପଣ ଦୟାର ଅବତାର ମୋ ଗୁହାରି ବୁଝନ୍ତୁ ।
ରାଜା ଭାଲୁର ପୁଅକୁ ଡକାଇ ଏ ବିଷୟରେ ପଚାରିଲେ ।
ଭାଲୁ ପୁଅ କହିଲା- ହଜୁର , ଆଖି ଛୁଇଁ କହୁଛି । ମିଛ କହୁଥିଲେ ମୋଁ ଆଖି ଫୁଟିଯାଉ । ମୁଁ ନିତି ମୋ ବାପା ମା’ଙ୍କ ଲାଗି ଘରକୁ ଆହାର ଆଣି ଦେଉଛି ।
ବିଲୁଆ ପଚାରିଲା – ତାହାହେଲେ ତୋ’ବୁଢ଼ା ବାପା ଏମିତି କହୁଛି କାହିଁକି ?
ଭାଲୁପୁଅ କହିଲା – ହଜୁର,କାଲି ମୁଁ ବଢ଼ିଆ ମହୁଫେଣାଟିଏ ପାଇଲି । ତାକୁ ଚାଖି ଦେଖିଲି,ଭାରି ମିଠା ଲାଗୁଛି ତେଣୁ ଲୋଭରେ ମହୁତକ ଖାଇଗଲି । ଫେଣାରେ ନାଁକୁ ଟିକେ ମହୁ ଲାଗିଥିଲା । ତାକୁ ଆଣି ବାପାଙ୍କୁ ଦେଲି । ସେଥିପାଇଁ ବାପା ମୋ ଉପରେ ରାଗିଯାଇ ଏପରି କହୁଛନ୍ତି ।
ବିଲୁଆ ବୁଢାଭାଲୁକୁ ପଚାରି ବୁଝିଲା ଯେ,କଥାଟା ପୂରା ସତ । ତେଣୁ ସେ ଭାଲୁ ପୁଅକୁ କହିଲା –ଦେଖ,ଭଲ ସୁଆଦିଆ ଜିନିଷ କଦାପି ଏକାକୀ ଖାଇବ ନାହିଁ । ତାହା ବାଣ୍ଟିକୁଣ୍ଟି ଖାଇବ ।
ତା ‘ପରେ କେତେକ ଗଧ ଆସି ଦରବାରରେ ପହଞ୍ଚିଲେ ।
ଗଧଟି କହିଲା-ମହାରାଜ, ଆମ ମୁଖିଆ ଗଧ ବହୁତ ଅନ୍ୟାୟ କରୁଛି । ଦୋଷୀକୁ ଦଣ୍ଡ ନ ଦେଇ ନିର୍ଦ୍ଦୋଷକୁ ମନ ଇଚ୍ଛା ଦଣ୍ଡ ଦଉଛି ।
ରାଜା ମୁଖିଆ ଗଧକୁ ପଚାରିଲେ – ତୁ ବିଚାର କଲା ବେଳେ ଅନ୍ୟର ସାହାଯ୍ୟ ନେଉଛୁ କି ନାହିଁ ?
ମୁଖିଆ ଗଧ କହିଲା – ନା, ହଜୁର, ମୁଁ ନିଜେ ବିଚାର କରି ଦୋଷୀକୁ ଦଣ୍ଡ ଦେଉଛି ।
ତାହା ଶୁଣି ରାଜା କହିଲେ – ଏଇଠି ହିଁ ତୋର ଭୁଲ ରହିଗଲା । ଜଣେ କେବଳ ବିଚାର କଲେ ତାହା ଏକପାଖିଆ ହୋଇଯାଇପାରେ । ବିଚାର ଠିକ ନ ହେଲେ ଦୋଷୀ ଖସିଯିବ, ନିର୍ଦ୍ଦୋଷ ଦଣ୍ଡ ପାଇବ । ଏଣିକି ଆଉ ଜଣେ ଦୁଇ ଜଣ ବୁଦ୍ଧିମାନ ଗଧକୁ ପାଖରେ ରଖି ବିଚାର କରିବୁ ।
ଗଧ ମାନେ ଚାଲିଗଲା ପରେ ହରିଣୀଟାଏ ତ’ଝିଆ ସହିତ ଦରବାରରେ ପହଞ୍ଚି କହିଲା-ମହାରାଜ,ମୋ ଦୁଃଖ ଶୁଣନ୍ତୁ । ମୋର ଏଇ ଝିଅଟି ତା’ବାଟରେ ସେ ଏକୁଟିଆ ଯାଉଥିଲା । ଏତିକିବେଳେ ଗଧଟି ବିନା କାରଣରେ ତାକୁ ପଛପଟୁ ଲାତ ମାରି ଏହାର ଗୋଡ଼କୁ ଜଖମ କରି ଦେଇଛି ।
ରାଜା ଗଧକୁ ଦଣ୍ଡ ଦେଲେ । ତା’ପରେ ହରିଣକୁ କହିଲେ – ଦେଖ,ଏକୁଟିଆ ବାଟ ଚାଲିବା ଠିକ ନୁହେଁ ବିପଦ ପଡ଼ିପାରେ ।
ହରିଣ ଚାଲିଯିବା ପରେ ଦରବାରରେ ହାଜର ହେଲେ ପଲେ ମାଙ୍କଡ଼ ।
ତା’ଭିତରୁ ଗୋଟିଏ ମାଙ୍କଡ଼ କହିଲା – ମହାରାଜ ,କାଲି ରାତିରେ ଆମ ମୁଖିଆଙ୍କ ରତ୍ନ ହାରଟିଏ ଚୋରି ହୋଇଯାଇଛି । ସମସ୍ତେ ମୋତେ ଚୋର ବୋଲି କହୁଛନ୍ତି । ମୁଁ ଜମା ଚୋରି କରିନାହିଁ । କରିଥିଲେ ଏଇଠି ମୋ ମୁଣ୍ଡ କାଟି ଦିଅନ୍ତୁ ।
ଆଉ ଗୋଟିଏ ମାଙ୍କଡ଼ କହିଲା – ଏ ପକ୍କା ଚୋର, ହଜୁର ଆମେ ସମସ୍ତେ ରାତିରେ ସୋଇଥିଲୁ । ଏ ଜଣେ ହିଁ ଚେଇଁ ରହିଥିଲା ସତ କଥା କି ନାହିଁ ପଚାରନ୍ତୁ । ଏ ନେଇନି ତ ଆଉ କିଏ ନେଇଛି ?
ରାଜା ମାଙ୍କଡ଼କୁ ପଚାରିବାରୁ ସେ ଚେଇଁ ରହିଥିବା କଥା ସତ ବୋଲି କହିଲା । ସେଠୁ ସବୁ ମାଙ୍କଡ଼ ଏକ ସଙ୍ଗେ ପାଟି କଲେ-ଚୋର,ଚୋର ! ହଜୁର ଏହାର ମୁଣ୍ଡ କାଟି ଦିଅନ୍ତୁ ।
ତାହା ଶୁଣି ସେଇ ମାଙ୍କଡ଼ କାନ୍ଦି କାନ୍ଦି କହିଲା- ମୁଁ ହାର ଚୋରି କରି ନାହିଁ, ମହାରାଜ ଏ ସମସ୍ତେ ମିଛରେ ମୋତେ ଚୋର କରୁଛନ୍ତି ।
ଏତିକିବେଳେ ମୁଖିଆ ମାଙ୍କଡ଼ର ପୁଅ ଦୌଡି ଦୌଡି ଆସି ଦରବାରରେ ପହଞ୍ଚି କହିଲା-ହଜୁର, ସେ ମାଙ୍କଡ଼କୁ ଦଣ୍ଡ ଦିଅନ୍ତୁ ନାହିଁ । ହାରଟି ଅଧରାତିରେ ମୁଁ ଅନ୍ୟ ସ୍ଥାନରେ ରଖି ଦେଇଥିଲି । ଏ ସେହି ରତ୍ନହାର ।
ରତ୍ନହାର ଦେଖି ସବୁ ମାଙ୍କଡ଼ ଚୁପ ହୋଇଗଲେ । ସେଠୁ ରାଜା କହିଲେ – ଦେଖ,ଗୋଟିଏ ସମାନ୍ୟ ଭୁଲ ପାଇଁ ନିରୀହ ମାଙ୍କଡ଼ଟି ଏବେ ମୃତ୍ୟୁଦଣ୍ଡ ପାଇଥାନ୍ତା । ଯେଉଁଠି ସମସ୍ତେ ଶୋଇଥିବେ, ସେଠି ଜଣେ ଚେଇଁ ରହିବା ନାହିଁ । ଚେଇଁ ରହିଲେ ଏମିତିକା ଅନର୍ଥ ଘଟିବ । ହେଉ ଯାଅ ।
ରାଜାଙ୍କ ଜୟକାର କରି ସବୁ ମାଙ୍କଡ଼ ସେଠାରୁ ଚାଲିଗଲେ
ମହାଭାରତରେ ବିଦୁର କହିଛନ୍ତି
ଏକାକୀ ନ କର ଆହାର ସୁଆଦିଆ ଜିନିଷ ,
ନ କର ବିଚାର ଏକାକୀ ଗୋଲକଥା ବିଶେଷ;
ବାଟ ନ ଚାଲିବ ଏକଲା; ଲୋକ ଅନେକ ଯହିଁ
ଶୋଇଥିବେ ନିଦେ, ସେଠାବେ ଏକା ନ ରହ ଚେଇଁ ।ଏକଃ ସ୍ଵାଦୁ ନ ଭୁଞ୍ଜୀତ ଏକଶ୍ଚାର୍ଥାନ୍ନ ଚିନ୍ତୟେତ୍ ।
ଏକୋନ ଗଚ୍ଛେଦଧ୍ଵାନଂ ନୈକ ଚ ସୁପ୍ତେଷୁ ଜାଗୃୟାତ୍ ।।
ନୀତିକଥା : ଏକାକୀ ସୁଆଦିଆ ଜିନିଷ ଖାଇବ ନାହିଁ । ଗୋଲମାଳର ନିଷ୍ପତ୍ତି ଜଣେ ଲୋକ କରିବ ନାହିଁ । ଏକଲା ବାଟ ଚାଲିବ ନାହିଁ । ଯେଉଁଠି ଅନେକ ଲୋକ ନିଦରେ ଶୋଇଥିବେ, ସେଠାରେ ଏକା ଚେଇଁ ରହିବ ନାହିଁ । ଏସବୁ ମାନି ନ ଚାଲିଲେ ଅନିଷ୍ଟ ହେବ ।