‘ଜ’ ରୁ ଜୀବଜନ୍ତୁ, ‘ଜ’ ରୁ ଜଙ୍ଗଲ,
‘ଜ’ ରୁ ଜଗତେ ଜନ,
‘ଜ’ ରୁ ଜମିବାଡ଼ି, ‘ଜ’ ରୁ ଜଳବାୟୁ,
ସବୁତ ‘ଜଳ’ ର ଅଧୀନ ।
‘ଜ’ ରୁ ଜୀବନ ଚକ୍ର ଜରାଜୀର୍ଣ୍ଣ ,
ଜୀବିକା ଜୀବନ ଶୂନ୍ୟ ‘ଜଳ’ ବିହୀନ,
‘ଜ’ ରୁ ଜିଇଁବାର ଶକ୍ତି ବିଲୋପ ପାଇଯିବ ,
ଏ ଧରାରୁ ଅପସରି ଗଲେ ଜଳର ମାନ ।
‘ଜ’ ରୁ ଜହ୍ନ,
ଜହ୍ନରେ ମିଳିନାହିଁ ଜଳର ସନ୍ଧାନ,
ଯେଉଁଥିପାଇଁ ମାନବ ନ ରହି ସେଠି,
ଜାଗା କିଣି ମଧ୍ୟ ଦୂରରୁ ଦେଖୁଅଛି ଜହ୍ନ ।
‘ଜ’ ‘ଜ’ ବୋଲି ‘ଜ’ ରୁ ପାଇଲୁ,
କେତେ ଯେ ନୂଆ ଶବ୍ଦ ଗଣ,
ଏହି ‘ଜ’ ଟିକୁ କୁହାଯାଏ ‘ବର୍ଗେ ଜ’ ,
ଓଡ଼ିଆ ବର୍ଣ୍ଣମାଳାରେ ପାଇଛି ଯିଏ ବିଶିଷ୍ଟ ସ୍ଥାନ ।
ଆଜି ଶିଖିବା ‘ଜ’ ଲେଖିବା,
ସିଲଟ ଖଡ଼ି ଧରି ଆସ ପିଲାଏ ବସିବା,
ବ୍ୟସ୍ତ ନ ହୋଇ ଧୈର୍ଯ୍ୟ ଧରିବା,
କଷ୍ଟ ନୁହେଁ ଭାରି ସହଜ ଏଇ ‘ଜ’ ଲେଖିବା ।
ଖଡ଼ି ରଖି ସିଲଟ ଉପରେ,
ତଳୁ ଉପରକୁ ଛୋଟିଆ ସିଧା ଗାରଟେ ଟାଣିବା,
ସେହି ଗାରକୁ ବାମକୁ ମୁହଁ କରି,
ଆଉ ଗୋଟେ ଛୋଟ ସିଧା ଗାର ଟାଣିବା ।
ଅଳପ ଦୂର ଟାଣି ନେଇ ଗାର,
ଟିକିଏ ବଙ୍କେଇ ପୁଣି ତଳକୁ ଟାଣି ନବା,
ପ୍ରଥମ ଗାର ର ମୂଳ ସିଧାରେ,
ଏହି ଗାରଟିକୁ ଶେଷ କରିବା ।
ସେହି ଗାରର ଶେଷ ମୁଣ୍ଡକୁ,
ଅଧା ଗୋଲ୍ ଭଳି ବାମ ପଟକୁ ଉପରକୁ ଉଠେଇବା,
ପୂର୍ବରୁ କଣେଇ ଥିବା ଗାର ସିଧାରେ,
ଟିକିଏ ଭିତରକୁ ମୋଡ଼ି ପୁଡ଼ା କରିବା ।
ସେହି ପୁଡ଼ାକୁ ଟିକିଏ ପଛକୁ ନେଇ,
ଟୋପି ଭଳି ପୁନଃ ଅର୍ଦ୍ଧ ଗୋଲ୍ କରିବା,
ଯାହାର ଶେଷ ମୁଣ୍ଡ ପ୍ରଥମ ଗାରର,
ଅନ୍ତଃ ସ୍ଥାନକୁ ଲଗେଇ ମୁଣ୍ଡିଆ ମାରୁଥିବ ।
ସରିଗଲା ଏବେ ଲେଖା ଲେଖି କଥା,
ବର୍ଗେ ଜ କୁ ଭଲେ ଭଲେ ଶିଖିବା ପ୍ରଥା ,
ଅଧିକ ରୁ ଅଧିକ ଗୁଡ଼ାଏ ଶବ୍ଦ ଜାଣିଲେ,
ଗାଇବା ସଭିଏଁ ମିଶି ‘ଜ’ ର ଶବ୍ଦ ଗାଥା ।