କବିତା

ବିସ୍ଥାପନ ପାଇଁ ବିଜ୍ଞାପନ

Dr Dilip Kumar Swain's odia poem Bisthapana Paain Bigyapana

ଏ କଥା କ’ଣ ପୁଅ ବୁଝେ
ମାଟିମୁଠାକୁ ଟଙ୍କା ମୁଠାଏ
ମାଟି ବଦଳରେ ଲୋଡ଼ା କଂକ୍ରିଟ୍ ଆଭିଜାତ୍ୟ ।

ବିସ୍ଥାପନ ପାଇଁ ବିଜ୍ଞାପନ

ବାପପୁଅର ଝଗଡ଼ା ଦେଖିବାକୁ
ଦାଣ୍ଡରେ ଦାଣ୍ଡେ ଲୋକ ।

ବାପ ବିସ୍ଥାପନ ବିରୋଧୀ ଜନମଞ୍ଚର ସମ୍ପାଦକ
ପୁଅ ସପକ୍ଷବାଦୀଙ୍କ ସଦସ୍ୟ ।
ବାପ ଜାଣେ ବୁନିଆଦୀକୁ
ମାଟି ନୁହଁ ଇଏ ସାତପୁରୁଷର ବୋଝ
କାନ୍ଧରେ ଯୁଗ ଯୁଗର କିମ୍ୱଦନ୍ତୀ
ଧାନ, ପାନ, ମୀନ ନୁହେଁ
ଏଇ ଚାଳଘର
ପୂର୍ବଜଙ୍କ ମାଟି ବୈକୁଣ୍ଠ ।

ଏ କଥା କ’ଣ ପୁଅ ବୁଝେ
ମାଟିମୁଠାକୁ ଟଙ୍କା ମୁଠାଏ
ମାଟି ବଦଳରେ ଲୋଡ଼ା କଂକ୍ରିଟ୍ ଆଭିଜାତ୍ୟ ।

ଏକ ସରଳ ଉଦାହରଣ
ଆମ ଗାଁ ଶୁକୁଟାର ପାଣିପାଟ ଜମି ଦି’ମାଣ
କଷି ଧରେନା ବୋଲି ମାଟିରେ
ଏବେ କମ୍ପାନୀ ପଇସାରେ ମାଲାମାଲ
ବୁଲେଟ୍ ଗାଡ଼ି ଓ ବଉଳ ଫୁଲିଆ ବିଧବାଟେ ଧରି
ରାତିସାରା ରଙ୍ଗବତୀ ନାଚିଲେ ବି
ସରୁ ନାହିଁ ସୁଧଟଙ୍କା
ବ୍ୟାଙ୍କରେ ଗଡୁଚି ମୂଳଧନ ।

ପ୍ଲାଷ୍ଟର ଖସୁଥିବା ପୁରୁଣା ଘରର କାନ୍ଥ ପରି
ବାପର ଭାଗ୍ୟ ।

ଛାଡ଼ିଯିବାକୁ ହେବ ମାଟି
ନଈ, ନାଳ, ସମୁଦ୍ରର ଶେଯ
ଜେଜଙ୍କ ସମାଧି, ବରଗଛ ।

ଏବେ ଗୋଟିଏ ପରିଚୟ
ବିସ୍ଥାପିତ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top