ହଇରେ ତେଣେ ଅନାଇଁ କଣ ଭାବୁଛୁ ? ସେ ଭେଣ୍ତିଆ ଟୋକାଟେ ହୋଇ ବାରଦ୍ୱାର ବୁଲିବୁଲି ହାତପତାଇ ମାଗି ଖାଉଛି । ଯିଏ ଥରେ ମାଗିକି ଖାଇଲାଣି ସେ ଆଉ କେବେ ଲାଗିକି ଖାଇବ ନାହିଁ । ଧିକ୍ ତା’ ପୁରୁଷ ପଣିଆକୁ । ତୁ କାମରେ ଧ୍ୟାନ ଦେଇ ଏଠି ଆସି ସିମେଣ୍ଟ୍ ରେ ବାଲି ଫେଣ୍ଟ୍ ।
” ମାଆ ଭିଖ ଦିଅ ବାବୁ ଭିକ୍ଷା ମିଳୁ ”
ଏତିକି ଶବ୍ଦକୁ ପାଟିରେ ବାରମ୍ୱାର ଧରି ଘର ଦ୍ୱାର ମୁହଁରେ ଭେମାରଡ଼ି ଛାଡୁଥାଏ ଲୋକଟା । ତେବେ ଲୋକଟା ବୁଦ୍ଧିମାନ ନିଶ୍ଚିତ ଥିଲା । ଏକାଥରେ ମାଆ ଓ ବାବୁ ଉଭୟଙ୍କୁ ସଂବୋଧନ କରୁଥିଲା ମାନେ ଯିଏ ବି ଘରେ ଥିବ ଆସିଯିବ ତା’ ପାଇଁ ଭିକ୍ଷା ନେଇ । ସେଇ ଘର ଦ୍ୱାର ମୁହଁରେ ନଅ ଜଣ ଲୋକ କାମ କରୁଥାନ୍ତି । ସେମାନଙ୍କ ମଧ୍ୟରୁ ଚାରି ଜଣ ରାଜମିସ୍ତ୍ରୀ ଆଉ ଅବଶିଷ୍ଟ ପାଞ୍ଜଜଣ ହେଉଛନ୍ତି ମୁଲିଆ । ଏତେ ଲୋକ ସେଠି କାମ କରିବା ବେଳେ ପରସ୍ପର ସହିତ କଥାବାର୍ତ୍ତା ହେଉଥିବା ନିହାତି ସ୍ୱାଭାବିକ କଥା । ସେମାନଙ୍କ ପାଟିକୁ ଦବାଇ ଦେଇ ଗୃହକର୍ତ୍ତାଙ୍କ କାନରେ ନିଜର ଶବ୍ଦ ପହଞ୍ଚାଇବା ଉଦ୍ଦେଶ୍ୟରେ ବିକଟାଳ ରଡ଼ି ଛାଡ଼ି ଚାଲିଥାଏ ଭିକାରୀ ଜଣକ ।
ଆଜିକାଲି ଯଦିଓ ଏକ ବା ଦୁଇ ଟଙ୍କିଆ ମୁଦ୍ରା ସରକାରଙ୍କ ନିୟମରେ ଅକାମୀ ହୋଇନାହିଁ, କିନ୍ତୁ ଭିକାରୀମାନେ ତାହାକୁ ଅଚଳବୋଲି କାହିଁ କେବେଠାରୁ ଘୋଷଣା କରିସାରିଛନ୍ତି । ଆଉ ଟଙ୍କିକିଆ ଚାଉଳ ଯେବେଠାରୁ ସରକାର ଦେଲେଣି ସେବେଠାରୁ ଭିକ୍ଷାରେ ଚାଉଳ ନେବାକୁ ଭିକାରୀମାନେ ପସନ୍ଦ ବି କରୁନାହାନ୍ତି । ଲୋକଟିର ଭେମାରଡ଼ିକୁ ଯେତେ ଶୀଘ୍ର ସମ୍ଭବ ବନ୍ଦ କରିବା ଚକ୍କରରେ ମୁଁ ଗୋଟେ ପାଞ୍ଚ ଟଙ୍କିଆ ମୁଦ୍ରା ଧରି କବାଟ ଖୋଲି ଘର ଭିତରୁ ବାହାରି ଆସିଲି । ବାହାରେ ଏତେ ଲୋକ କାମ କରୁଥିଲେ ସୁଦ୍ଧା ଘରେ କବାଟକିଳି ବସିବାର କାରଣ ହେଉଛି ସିମେଣ୍ଟ୍ ବାଲି ଅଦିର ଧୂଳିକଣା ଉଡ଼ିବା । ବାପାଙ୍କ ଦ୍ୱାରା ଘରଟି ପ୍ରାୟ ଚାଳିଶି ବର୍ଷ ତଳେ ତିଆରି ହୋଇଥିଲା ଏବଂ ସମୟର ସ୍ରୋତରେ ସେଇ ଘରର ହାଲତ୍ ଯାହା ହୋଇଥିଲା ତାହା ନିହାତି ମରାମତି ଖୋଜୁଥିଲା । ଆଉ ଆଜି ସେଇ ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏଇ ଭିକାରୀର ଆବିର୍ଭାବ ହୋଇଛି ।
ଲୋକଟିକୁ ଦ୍ୱାର ଦେଶରେ ଦେଖୁଦେଖୁ ମୁଁ କିଛି ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଗଲି । ପଚିଶ କି ଛବିଶ ବର୍ଷର ସେଇ ଯୁବକ ଜଣକ ଶିବ ଭକ୍ତ ହୋଇଥିବାର ପ୍ରମାଣ ଦେଖାଇବାକୁ ସବୁ ପ୍ରକାର ବନ୍ଦୋବସ୍ତ କରି ଆସିଥାଏ । ମୁଣ୍ତରେ ଠିକ୍ ନାକ ଉପରକୁ ଲଲାଟ ଦେଶରେ ଲମ୍ୱା ସରୁ ସିନ୍ଦୁର ଗାର ମାରିଦେଇ ଡାହାଣ ହାତରେ ଗୋଟେ କଡ଼ା ପିନ୍ଧିଥାଏ । ତା’ ମୁହଁରେ ହୋଇଥିବା ଚର୍ମର ସ୍ତର ସ୍ତର ଭାଙ୍ଗରୁ ଜଣା ପଡୁଥାଏ ଯେ ସେ ଗଞ୍ଜେଇକୁ ରୀତିମତ ସେବନ କରି ମହାଦେବଙ୍କ ପାଖଲୋକ ହେବାକୁ ଏ ଭିତରେ ଯୋଗ୍ୟତା ହାସଲ କରିସାରିଛି । ହାତରେ ତ୍ରିଶୂଳ ଯାଗାରେ ଗୋଟେ ସଲିଡ଼୍ ବାଉଁଶ ତଡ଼ା ଧରିଥାଏ । ଜଣେ ବୃଦ୍ଧ ହାତରେ ବାଉଁଶ ବାଡ଼ି ଧରିବା ଆଉ ଏଇ କାଟର ଟୋକାଟେ ସେଇ ବାଡ଼ି ଧାରଣ କରିବା ନିଶ୍ଚୟ ଅଲଗା ଅଲଗା ଦିଗକୁ ଏହା ସୂଚିତ କରିବ । ସିଧା ଭାବରେ କହିବାକୁ ଗଲେ ସେଇ ବାଉଁଶ ବାଡ଼ିକୁ ଏଇ ଯୁବକ ଜଣକ ଦରକାର ବେଳେ ମାରଣାସ୍ତ୍ର୍ର ଭାବରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ହିଁ ଧରିଥାଏ । ମୁହଁରେ କିଛି ମାତ୍ରାରେ ଦାଢି ବି ରଖିଥାଏ । ମୁହଁସାରା ନଉଠି ଠାଆ ଠାଆ ଦାଢି ଉଠିଥିବାରୁ କିଛି ମାତ୍ରାରେ ଦାଢି ବୋଲି କହିବା ଠିକ୍ ହେବ । ଅବଶ୍ୟ ଲୋକଟି ମୁଣ୍ତରେ ଜଟା ରଖିନଥିଲା । ସେତିକି ଯଦି ରଖିଦେଇଥାଆନ୍ତା ତେବେ ସ୍ୱୟଂ ଦେବଦେବ ମହାଦେବ ଆବିର୍ଭାବ ହେଇଗଲେ ବୋଲି ଲୋକେ ଭାବିଥାନ୍ତେ । ତେବେ ଲୋକଙ୍କର ବିଶ୍ୱାସ ଜନ୍ମାଇ ଭିକ୍ଷା ସାଉଁଟିବା ଉଦ୍ଦେଶ୍ୟରେ ଗୋଟେ ଫଟା ସାର୍ଟ ସହିତ ଚିରା ଗାମୁଛାଟେ ହାଫ୍ ପ୍ୟାଣ୍ଟ ଉପରେ ଗୁଡ଼ାଇ ଦେଇଥାଏ ।
ଲୋକଟା ଧରିଥିବା ଏକ ଷ୍ଟିଲ ତାଟିଆରେ ପାଞ୍ଚଟଙ୍କିଆ ମୁଦ୍ରାଟା ପକାଇଦେଇ ମୁଁ ବୁଲିପଡ଼ି ଘର ଭିତରକୁ ଆସିବାକୁ ଉପକ୍ରମ କରୁକରୁ ସେ ପୁଣି ଡ଼ାକିଲା , ” ବାବୁ ସାଇକେଲଟା ଏଠି ରଖିଦେଇ ଭିକ୍ଷା ପାଇଁ ଯାଉଛି, ଚାରିଟାବେଳେ ଫେରିବି ।”
ମୁଁ କେବଳ ମୁଣ୍ତ ହଲାଇ ସମ୍ମତି ପ୍ରଦାନ କରି ଘର ଭିତରକୁ ପ୍ରବେଶ କରିବା ମାତ୍ରେ ମୋ ସହଧର୍ମିଣୀ ମୋତେ ସଜାଗ କରିବାକୁ ଯେପରି ପୁରା ତୟାର୍ ଥିଲl । ସେ ମୋତେ ସତର୍କ କରିବା ମର୍ମରେ କହିଲା, ” ସେ ଲୋକ କିଏ ତମେ ଚିହ୍ନିଚ ? କେଉଁଠୁ ଚୋରିକରି ସେ ସାଇକେଲ ଆଣିଥିବ, ପୋଲିସ୍ ଆସି ଏଠି ପହଞ୍ଚିବ । ତାକୁ ଶୀଘ୍ର କୁହ ସେ ତା ସେଇକେଲ ଏଠୁ ନେଇକି ଯାଉ ।”
ବୁଝିଗଲି ଏତେଦିନେ ସହଧର୍ମିଣୀ ଗୋଟେ ବଡ଼ ବୁଦ୍ଧିମାନର କଥା କହିଛି । ଯେଉଁକଥା ମୋ ମୁଣ୍ତରେ ପଶିନଥିଲା ସେଇକଥା କହିଦେଇ ମୋତେ ଚେତେଇ ଦେଇଥିବାରୁ ତା’ ପରି ଚାଲାକ ଚତୁର ସ୍ତ୍ରୀଟେ ପାଇଛି ବୋଲି ମନରେ କିଛି ମାତ୍ରାରେ ଗର୍ବ ବି ଆସିଗଲା । ସେ ଚୋର ଆଉ ପୋଲିସ୍ କଥା କହୁକହୁ ମୋର ଜଣେ ଚିହ୍ନା ପରିଚୟ ଲୋକ ସହିତ ଘଟିଥିବା ଗୋଟେ ଉପାଖ୍ଯାନ କଥା ମନେପଡ଼ିଗଲା ।
ଏଇ ମାତ୍ର ଦୁଇ ବର୍ଷ ତଳେ ଘଟଣାଟି ଘଟିଥିଲା । ମୋ ସହିତ ଚିହ୍ନା ଥିବା ଲୋକଟି ସୁନାରୀ ବଣିଆ ନହୋଇ ମଧ୍ୟ ସୁନା କିଣାବିକା କରୁଥାଏ । ଲୋକଙ୍କଠାରୁ ପୁରୁଣା ସୁନା ଜିନିଷ କିଣି ତାକୁ ନୂଆ ଜିନିଷରେ ରୂପାନ୍ତରିତ କରି ବିକିଲେ ଭଲ ଦୁଇପଇସା ଲାଭ ହୁଏ । ଆଉ ଯଦି କେହି ଚୋରା ସୁନା ଜିନିଷ ଆଣି ବିକ୍ରିକଲା ତେବେ ତ ସୋନେ ପେ ସୁହାଗା ଜାଣ । କିଛି ଲୋକ ତ କେବଳ ସେଇ ମୌକା ଅପେକ୍ଷାରେ ଥାଆନ୍ତି । ଚୋର ପାଖରୁ ସୁନା ଜିନିଷ କିଣିଲେ ସେ ଆଉ ଏତେ ମୁଲଚାଲ କରେନାହିଁ । ଯାହା ମିଳିଲା ସେତିକିରେ ଜିନିସକୁ ହସ୍ତାନ୍ତର କରିଦେଇ ଚୋରଟି ଅନୈତିକ ଉପାୟରେ ପାଇଥିବା ଟଙ୍କାକୁ ଧରି କୁଆଡ଼େ ଫେରାର୍ ହୋଇଯାଏ ତାହା କହିବା ମୁସ୍କିଲ୍ ।
ଜାଣତରେ ହେଉ ବା ଅଜଣାତରେ ହେଉ ମୋ ସହିତ ପରିଚିତ ଲୋକଟି ଗୋଟେ ଚୋରଠାରୁ ସୁନା ଜିନିଷ କିଣି ତାକୁ ବାଡ଼ିଆପିଟା କରି ଭାଙ୍ଗି ତରଳାଇ ଖାଣ୍ଟିସୁନା ବାହାର କରିଦେଲା । କିନ୍ତୁ ସେଇ ଜିନିଷଟି ଜଣେ କୋଟିପତି ଘରୁ ଚୋରଟି ଉଠାଇଥିଲା । ସେଥିରେ କେବଳ ସୁନା ନଥିଲା, ତା’ ସହିତ ହୀରା ନିଳା ମୋତି ଆଦି ବହୁ ଦାମିକା ଜିନିଷ ବି ସେଇ ହାରରେ ଖଚିତ ହୋଇଥିଲା । ଯେହେତୁ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସେଇ ହାରଟି ଥିଲା, ସ୍ୱାଭାବିକ ଭାବରେ ସେଇ କୋଟିପତି ଜଣଙ୍କ ଥାନାରେ ଏତଲା ଦେଇ ସେଇ ମୂଲ୍ୟବାନ ଜିନିଷ କେମିତି ତାଙ୍କ ପାଖକୁ ଫେରିବ ସେଥି ପାଇଁ ସବୁପ୍ରକାର ପ୍ରେସର୍ ବି ପକାଇଲେ । ପୁଲିସ୍ ବି ଦିନରାତି ଏକ କରି ଲାଗିଯାଇ ସୁଫଳ ପାଇଲା । ତା’ମାନେ ଫାଇନାଲି ଚୋରଟି ଧରା ପଡ଼ିଗଲା । ଆଉ ଚୋରଟି ଧରାପଡ଼ିବା ସହିତ ମୋ ସହିତ ପରିଚିତ ଲୋକଟିକୁ ବି ପୁଲିସ୍ ଥାନାକୁ ଉଠାଇନେଲା ।
ବର୍ତ୍ତମାନ ପୁଲିସ୍ ଲାଗିଥାଏ ସେଇ ମୂଲ୍ୟବାନ ହାରକୁ ଯେକୌଣସି ମତେ ରିକଭରି କରିବା ପାଇଁ । କିନ୍ତୁ ଚୋରଠାରୁ କିଣିଥିବା ମୋ ପରିଚିତ ଲୋକଟି ବାରମ୍ୱାର କହୁଥାଏ ଯେ, ତାକୁ ସେ ତରଳାଇ ଦେଇଛି । ମିଛ କହୁଛି କି ସତ କହୁଛି ସେଇକଥାର ସତ୍ୟତା ହାସଲ କରିବା ପାଇଁ ଥାନାରେ ପୁଲିସ୍ ଯାହାସବୁ କରଣୀୟ ନିଶ୍ଚୟ କରିଥିବ । ପୁଲିସ୍ ପ୍ରଥମରୁ ଧରିନେଇଥିଲା ଯେ, ଲୋକଟି ମିଛ ହିଁ କେବଳ କହୁଛି । ଏତେ ଟଙ୍କାର ହାରକୁ ହାତଛଡ଼ା କରିବାକୁ ଚାହୁଁନାହିଁ ଏଇ ବଣିଆ ଜଣଙ୍କ । ଶେଷକୁ ତାକୁ ଧରି ନିଆଗଲା ସେଇ ସ୍ଥାନକୁ ଯେଉଁଠି ସେ ବାଡ଼ିଆପିଟା କରି ଜିନିଷଟିକୁ ଭାଙ୍ଗି ତରଳାଇଥିଲା । ସେଠି ପହଞ୍ଚି ପୁଲିସ୍ ଜାଣିଗଲା ଯେ, ଲୋକଟି ସତ ହିଁ କହୁଥିଲା । ସେଇ ଘର ସାମ୍ନାରେ କିଛି ମୁଲ୍ୟବାନ ହୀରା ଖଣ୍ଡ ପଡ଼ିଥିଲା । ଆଉ କିଛି ମାସ୍ତୁଲ ପ୍ରହାର ଖାଇ ଭାଙ୍ଗିରୁଜି ସେଇ ବାଲିରେ ମିଶିଯାଇଥିଲା ଯାହାକୁ ବାଲି ଖେଳାଇବାରୁ ମିଳିଲା । ମୋଟ ଉପରେ ସେଇ ଗହଣାର ନବେ ଭାଗ ଦାମୀ ପଥର ମିଳିଗଲା ଆଉ ଯେଉଁ ଦଶ ଭାଗ ମିଳିଲା ନାହିଁ ତାହା ସେଇ ତିନି ଦିନ ଭିତରେ ଲୋକଙ୍କ ଯାତାୟାତରେ କେଉଁଠି ହଜି ଯାଇଥିବ ।
ପୁଲିସ୍ ସହିତ ଅନ୍ୟ ଦେଖଣାହାରି ଜାଣିଗଲେ ଯେ, ଏଇ ଚୋରା ଜିନିଷ କିଣା ଲୋକଟି ଜଣେ ସୁନାରୀ ବଣିଆ ଆଦୌ ନୁହେଁ । ଏ ଲୋକଟି କେବଳ ସୁନା ଛଡ଼ା ଆଉ କୌଣସି ଦାମିକା ପଥର ବା ଧାତୁକୁ ଚିହ୍ନି ନାହିଁ । ଫଳତଃ ଏତେ ଦାମିକା ହାରକୁ ପାଇ ପିଟାପିଟି କରି ଭାଙ୍ଗିପକାଇଛି । ସେ ଲୋକଟିର ଶେଷକୁ ପୁଲିସ୍ ଚୋରି ଜିନିଷ କିଣିବା ପାଇଁ ଲାଗୁଥିବା ଦଫା ଲଗାଇ କୋର୍ଟ ଫରଓ୍ୱାଡ଼ କରିଦେଲା । ପାଖା ପାଖି ୪ ମାସ ଜେଲରେ ରହିବା ପରେ ଚୋର ବେଲ୍ ପାଇ ଆଗ ଜେଲରୁ ଆସିଲା ତା’ପରେ ଯାଇ ସେ ଲୋକ ହାଇକୋଟ୍ ରୁ ବେଲ୍ ରେ ବାହାରିଲା । ସେଇ କେଇଟା ଦିନ ଭିତରେ ଥାନା କୋର୍ଟରେ ସେ ଯାହା ଖର୍ଚାନ୍ତ ହେଲା ତାହା ତା’ର ଆର୍ଥିକ ସ୍ଥିତିକୁ ପୁରା ଦୋହଲାଇ ଦେଲା । ତେଣୁ ଲୋଭକରି ଚୋରା ଜିନିଷ କମ୍ ରେଟରେ କିଣି କି ଅବସ୍ଥା ହେବାକୁ ହୁଏ ତାହା ଏଇ କେସ୍ ରେ ପ୍ରମାଣିତ ହୋଇଗଲା ।
ଛାଡନ୍ତୁ ଏବେ ଆଜିର ଘଟଣାକୁ ଯିବା । ଏଠି ଜଣେ ଅଚିହ୍ନା ଲୋକ ଗୋଟେ ସାଇକେଲ ମୋ ଘର ସାମ୍ନାରେ ରଖି ଭିକ୍ଷା କରିବାକୁ ଯିବାକୁ କହୁଛି ଆଉ ମୋ ସ୍ତ୍ରୀ ମୋତେ ସେଇକଥାକୁ ଚେତାଇ ଦେଇଛି । ଚୋରା ଜିନିଷ ତାହା ସାଇକେଲ ହେଉ ଅଥବା ମୂଲ୍ୟବାନ ହାର, ପୁଲିସ୍ ଏକା ଦଫା ହିଁ ଲଗେଇଦଇ କୋର୍ଟ ଫରଓ୍ୱାଡ୍ କରିଦେବ ।
ଗୋଟିଏ ମୁହୁର୍ତ୍ତ ମାତ୍ରରେ ସ୍ଥିର କରିନେଲି କ’ଣ କରିବାକୁ ହେବ । ବଡ଼ପାଟି କରି ଲୋକଟିକୁ ଡାକ ଛାଡ଼ିଲି, ” ଓ ବାବୁ , ଶୁଣ ଶୁଣ । ତମ ସାଇକେଲ ଏଠୁ ନିଅ । ”
ଲୋକଟି ସେତେବେଳକୁ ଆମ ମୁଖ୍ୟ ଫାଟକ ପାଖା ପାଖି ହୋଇସାରିଥାଏ । ମୋ ଡ଼ାକ ଶୁଣି ଫେରିଆସି କହିଲା,” ବାବୁ ମାତ୍ର ଚାରି ଘଣ୍ଟା ପାଇଁ ମୋ ସାଇକେଲ ଏଠି ରହିବ । ଦେଖିବେ ଠିକ୍ ଚାରିଟା ବେଳକୁ ଆସି ସାଇକେଲ ନେଇଯିବି । ”
ତାକୁ କହିଲି, ” ତମେ ତମ ସାଇକେଲ ନେଇ ଭିକ୍ଷା କର । କିଏ ମନା କରୁଛି ? ”
ସେ ଖୁବ୍ ଧୀରସ୍ଥିର ଭାବରେ ବୁଝାଇ କହିଲା, ” ଦେଖ ବାବୁ, ସାଇକେଲ ଧରି ଭିକ୍ଷା ମାଗିଲେ କେହି ବି ଭିକ୍ଷା ଦେବେନି ।”
ଚିନ୍ତାକରି ଦେଖିଲି ଲୋକଟା ଠିକ୍ ହିଁ କହୁଛି । ତାକୁ ବୁଦ୍ଧି ଦେବାକୁ ଯାଇ କହିଲି, ” ଗୋଟେ କାମ କର , ସେଠି ଆମ ଘର ସାମ୍ନାରେ ଯେଉଁ ମନ୍ଦିର ଅଛି ତା’ ସାମ୍ନାରେ ସାଇକେଲ ରଖିଦେଇ ଯାଅ ।”
ସେ କିନ୍ତୁ ଛାଡ଼ିବାର ଲୋକ ନଥିଲା । କହିଲା, ‘ ଦେଖ ବାବୁ, ସେଠି ରଖିଲେ ପାଉଡ଼ର୍ ଖିଆ ପାର୍ଟି ମୋ ସାଇକେଲକୁ ନେଇ ଏଇ ପଚାଶ କି ଶହେ ଟଙ୍କାରେ କାହାକୁ ବିକିଦେଇ ନିଶା ଖାଇଦେବେ । ଏଇଠି ଆପଣଙ୍କ ଘର ହତା ଭିତରେ ରହିଲେ ମୋ ସାଇକେଲ ନିରାପଦରେ ରହିବ । ”
ତା’ କଥା ଶୁଣି ମନେମନେ ଭାବିଲି, ନିଜେ ତ ଚଉହଦି ନିଶା ଖାଉଥିବ , ଅଥଚ ଅନ୍ୟମାନଙ୍କୁ ପାଉଡ଼ର ପାର୍ଟି ବୋଲି କହୁଛି । ଏମିତି ବି ହୋଇଥାଇ ପାରେ ଯେ, ଦିନବେଳା ଭିକ୍ଷା ନାମରେ ବୁଲି ବୁଲି କେଉଁଠି ରାତିରେ ଆସି ଚୋରିଚାରି କରିହେବ ସେଇ କଥା ଭଲକରି ଦେଖାଚାହାଁ କରି ସ୍ଥାନ ନିରୁପଣ କରୁଥାଇ ପାରେ ଏଇ ଲୋକଟି । ତେବେ ସେ ଯାହା ହେଉ ମୁଁ ଏଥର ଯଥା ସମ୍ଭବ କଡ଼ା ସ୍ୱରରେ କହିଲି, ” ଦେଖ ! ତମକୁ ମୁଁ ଚିହ୍ନିନି କି ଜାଣିନି । ଏ ସାଇକେଲ ତମର କି ଆଉ କାହାର ହୋଇଥିବ କିଏ ଜାଣେ ? ସାଇକଲ ଧର ଚାଲ ଏଠୁ ।”
ଲୋକଟା ଏଥର ନିଜର ସାଇକେଲ ବୋଲି ପ୍ରମାଣିତ କରିବାକୁ କିଛି ଅଦ୍ଭୁତ କଥା କହିପକାଇଲା । ସାଇକେଲ ର ଚେହେରା ଯାହା ସେଥିରୁ ସ୍ପଷ୍ଟ ଜଣାପଡୁଥାଏ ଯେ ନିହାତି ପୁରୁଣା ଆଉ ଯେ କୌଣସି ମୁହୁର୍ତ୍ତରେ ଅଚଳ ହୋଇଯିବ । ସେଇ ଭଙ୍ଗା ସାଇକେଲ ଆଡ଼କୁ ମୋ ଦୃଷ୍ଟି ଆକର୍ଷଣ କରି କହିଲା, ” ବୁଝିଲ ବାବୁ, ମୁଁ ହେଉଛି ଏଠିକା ଭିକାରୀ ଆସୋସିଏସନ୍ ର ନେତା । ଏ ଯେଉଁ ଫୁଟ୍ ରେଷ୍ଟ୍ ସାଇକେଲ ରେ ଲାଗିଛି ଦେଖୁ୍ଛ, ସେଥିରେ ପରା ମୋ ସ୍ତ୍ରୀ କେରିୟରରେ ବସି ପାଦ ରଖେ । ମୁଁ କାଇଁ କାହା ସାଇକେଲ ଆଣିବି । ସତ କହୁଛି ଏ ମୋ ସାଇକେଲ ।”
ସେ ଦେଖାଉଥିବା ସ୍ଥାନକୁ ଆଖି ପକାଇଲି । ଦେଖିଲି ସତରେ ଗୋଟେ ଷ୍ଟିଲ୍ ର ଫୁଟ୍ ରେଷ୍ଟ୍ ସେ ସାଇକେଲରେ ଲଗାଇଛି, ଆଉ ତା’ ପାଖା ପାଖି କିଛି ନାଲି କପଡ଼ା ବି ବାନ୍ଧିଛି । ତା’ ସ୍ତ୍ରୀ ସେଥିରେ ପାଦ ଥୋଇ ବସେ ବୋଲି କହିବାଟା କାଇଁ ମିଛ ବୋଲି ଲାଗିଲାନାହିଁ । ତେବେ ସେ ଏଇ ଏରିଆର ଭିକାରୀ ମାନଙ୍କର ନେତା ବୋଲି ପରିଚୟଦେଇ ମୋତେ ଗୁଡ଼େ ହସିବାର ଖୋରାକ ଯୋଗାଇଲା । ମୋ ସହିତ ସେଠି ଆମ ଘର ରିପ୍ୟାରଂ କାମ କରୁଥିବା ମୁଲିଆ ଓ ମିସ୍ତ୍ରୀମାନେ ବି ହସୁଥାନ୍ତି ତା କଥାରେ ।
ଚିନ୍ତାକଲି ଯେ, ଲୋକଟିର ଫଟୋ ଉଠାଇ ରଖିବା ଠିକ୍ ହେବ । ଯଦି ଚୋରା ସାଇକେଲ ହୋଇଥିବା ଏବଂ ସେ ଯିବାପରେ ପୁଲିସ୍ ଆସି ପହଞ୍ଚିବ ତେବେ ଏଇ ଉଠାଯାଇଥିବା ଫଟୋ କାମରେ ଆସିପାରେ । ତେଣୁ ମୋ ମୋବାଇଲରେ ତା’ ଫଟୋ ଉଠାଇବାକୁ ଉଦ୍ୟତ ହେଲାବେଳେ ସେ ବି ଚମତ୍କାର ଢଙ୍ଗରେ ପୋଜ୍ ଦେଇ ଠିଆ ହୋଇଗଲା ।
ଲୋକଟି ଏବେ ଜାଣିଗଲା ଯେ, ତା’ ଉତ୍ତରରେ ମୋର ବିଶ୍ୱାସ ଆସିଗଲା ବୋଲି । ସେ ଦ୍ରୁତ ଗତିରେ ପୁଣି ଚାଲିଲା ଭିକ୍ଷା ମାଗିବାକୁ । ଠିକ୍ ଦିନ ତିନିଟା ବେଳକୁ ଫେରି ଆସି ତା’ ସାଇକେଲ ନେଇ ଯିବାକୁ ବାହାରିଲା । ମୁଁ ବି ସେଠି ଥାଇ ତାକୁ ଦେଖୁଥାଏ । କାମ କରୁଥିବା ଲୋକମାନଙ୍କ ଭିତରୁ ଜଣେ ତାକୁ ପଚାରିଲା, ” କଣ ଆଜି ଏତେ ଶୀଘ୍ର ଫେରି ଆସିଲ ?”
ସେ ବି ପୁରା ବିନ୍ଦାସ୍ ହୋଇ କହିଲା, ” ଟାର୍ଗେଟ୍ ଫୁଲଫିଲଡ଼୍ । ଏଇ ଚାରି ଘଣ୍ଟାରେ ଛଅ ଶହ ହୋଇଗଲା । ଏବେ ଭାଟିକୁ ଯାଇ ସେଠୁ କାମ ସାରି ଘରକୁ ଫେରିବି ।”
ଲୋକଟି ଇଂରାଜୀ ଶବ୍ଦ ବି ଠିକ୍ ସ୍ଥାନରେ ବ୍ୟବହାର କରି କହିପାରୁଛି ମାନେ ମୁଁ ଜାଣିଗଲି ସେ କିଛି ମାତ୍ରାରେ ଶିକ୍ଷିତ ମଧ୍ୟ । ସେ ଏବେ ଭାଟିକୁ ଯିବ ମାନେ ଦେଶୀ ମଦ ପିଇ ଘରକୁ ଫେରିବ । ତା’ ଉତ୍ତର ଶୁଣି ଜଣେ ୨୫ ବର୍ଷର ମୁଲିଆ ମୋ ମୁହଁକୁ ବଲବଲ ହୋଇ ଅନାଇଥାଏ ଓ ଆଉ ଜଣେ ମୁଲିଆର ଆଖି ସେ ଭିକାରୀ ଆଡ଼କୁ ଥାଏ । ମୋ ମୁହଁକୁ ଚାହିଁଥିବା ମୁଲିଆଟି ଯେପରି ମୋତେ ପଚାରୁଥାଏ , ଆମେ ସକାଳ ୯ରୁ ଆସି ସଂଧ୍ୟା ୫ ପର୍ଯ୍ୟନ୍ତ ଏଠି ଝାଳନାଳ ହୋଇ ପରିଶ୍ରମ କରି ମାତ୍ର ୪୦୦ ଟଙ୍କା ମଜୁରି ପାଇବୁ ଅଥଚ ଏ ଭିକାରୀ ମାତ୍ର ଚାରି ଘଣ୍ଟାରେ ୬୦୦ ରୋଜଗାର କରି ଭାଟିକୁ ଯାଉଛି ଦିନ ଥାଉଥାଉ ।
ତେବେ ସେତିକି ବେଳେ ଜଣେ ବୟସ୍କ ମିସ୍ତ୍ରୀ ପାଟିକରି ମୋ ଆଡ଼କୁ ଚାହିଥିବା ମୁଲିଆକୁ କହିଲା, ” ହଇରେ ତେଣେ ଅନାଇଁ କଣ ଭାବୁଛୁ ? ସେ ଭେଣ୍ତିଆ ଟୋକାଟେ ହୋଇ ବାରଦ୍ୱାର ବୁଲିବୁଲି ହାତପତାଇ ମାଗି ଖାଉଛି । ଯିଏ ଥରେ ମାଗିକି ଖାଇଲାଣି ସେ ଆଉ କେବେ ଲାଗିକି ଖାଇବ ନାହିଁ । ଧିକ୍ ତା’ ପୁରୁଷ ପଣିଆକୁ । ତୁ କାମରେ ଧ୍ୟାନ ଦେଇ ଏଠି ଆସି ସିମେଣ୍ଟ୍ ରେ ବାଲି ଫେଣ୍ଟ୍ ।”