ଅନୁଭୂତି

ଏସବୁ କେବଳ ଗୋଟିଏ ଗୋଟିଏ ମୁହୂର୍ତ୍ତର କଥା

Prasanta Kumar Behera's odia cognition Esabu Kebala Gotie Gotie Muhurttar Kathaa

ହଉ ଯା, କଟକରେ ପହଞ୍ଚି ମୋତେ ଫୋନ୍ ରେ ଜଣାଇଦେବୁ । ” ହିଁ ମୋ ପାଇଁ ଏମିତି ଆଶୀର୍ବାଦ ହୋଇ ଠିଆ ହେଲା , ଯାହା ଫଳରେ ଏତେବଡ ଦୁର୍ଘଟଣା ହୋଇ ମଧ୍ୟ ମୋର କୌଣସି ଯାଗାରେ ସାମାନ୍ୟ ଖଣ୍ତିଆଟିଏ ମଧ୍ୟ ହୋଇନାହିଁ ।

କଲେଜର ଅଧ୍ୟକ୍ଷ ଡ଼. ନିରଞ୍ଜନ ବିଶ୍ୱାଳ ବିଭାଗୀୟ ମୁଖ୍ୟମାନଙ୍କ ମିଟିଙ୍ଗ ଆହ୍ବାନ କରିଥିଲେ ଠିକ୍ ଦିନ ୧୧ଟା ସମୟରେ । ସେଇ ମୁତାବକ ମୁଁ କଟକରୁ ସକାଳ ୯.୩୦ ସୁଦ୍ଧା ବାଇକ୍ ଧରି ବାହାରିଗଲି । ଜଗତସିଂହପୁରରେ ପହଞ୍ଚି ବୋଉ ପାଖରେ କିଛି ସମୟ କଟାଇ କଲେଜରେ ମିଟିଙ୍ଗ୍ ଆଟେଣ୍ଡ୍‌ କଲି । ମିଟିଙ୍ଗ ପାଖା ପାଖି ଦେଢଘଣ୍ଟା ଚାଲିଲା ଅର୍ଥାତ୍ ମଧ୍ଯାହ୍ନ ୧୨.୩୦ ପର୍ଯ୍ୟନ୍ତ । ଦିନ ୧୨.୩୦ ରେ ଜଗତସିଂହପୁରରୁ ବାହିରି ଗୋଟେ ଘଣ୍ଟା ପରେ ଅର୍ଥାତ୍ ୧.୩୦ ରେ କଟକରେ ପହଞ୍ଚି ମୋର ମଧ୍ଯାହ୍ନ ଭୋଜନ କରିବାରେ କୌଣସି ଅସୁବିଧା ନଥିଲା । ଏମିତିରେ ମୋର ଲଞ୍ଚ୍ ଖାଇବାର ସମୟ ଦିନ ୨ଟା ପରେ ହି ନିର୍ଦ୍ଦିଷ୍ଟ ହୋଇଥାଏ । କିନ୍ତୁ ସେଦିନ ମୋ ବୋଉର ନିର୍ଦ୍ଦେଶ ଥାଏ ଯେ, ” ଭାଉଜ ରୋଷେଇ କରିଥିବ, ତେଣୁ ତୁ କଲେଜରୁ ଫେରି ଏଠି ଖାଇକି କଟକ ଯିବୁ ।”

ବୋଉର ନିର୍ଦ୍ଦେଶ ମୁତାବକ ଦିନ ୧.୩୦ରେ ମଧ୍ଯାହ୍ନ ଭୋଜନ ସାରି କଟକ ଅଭିମୁଖେ ବାଇକ୍ ଦୌଡ଼ାଇଲି । କିଛି ସମୟ ରେଷ୍ଟ୍‌ ନେଇ କଟକ ଫେରିବାରେ ଅସୁବିଧା ନଥିଲା, କିନ୍ତୁ କାଳେ ବର୍ଷା ହେବ ସେଇ ଭୟରେ ସେଇ କୋହଲା ପାଗରେ ଜଗତସିଂହପୁରରୁ ବାହାରି ଆସିଲି । ଖରା ନାହିଁ କି ବର୍ଷା ମଧ୍ୟ ନାହିଁ, ଯାହାକୁ କୁହନ୍ତି ପୁରା ରଜ ପାଗ ! ଆଉ ଦିନ ୧ଟା ପରେ ସଟ୍ ଡାଉନ୍ ଲାଗୁ ହୋଇଯିବାରୁ ସବୁ ଦୋକାନ ବଜାର ବନ୍ଦ ହେବା ସହିତ ରାସ୍ତାରେ କାଁଭାଁ କେତେୋଟି ଗାଡିମଟର ଯାତାୟାତ କରୁଥାଏ । ସବୁଆଡ଼େ କେମିତି କେମିତି ଗୋଟେ ଫାଙ୍କା ଫାଙ୍କା ଲାଗୁଥାଏ । ଆଉ ସେଇ ଭିତରେ ମୋ ବୁଲେଟ୍ ୭୦/୮୦ ସ୍ପିଡ଼୍ ରେ ଧାବମାନ ହୋଇଥାଏ ।

ଏଇ ଗତ ଦୁଇବର୍ଷ ହେବ ଏମିତି ବାଇକ୍‌ରେ ଯିବା ଆସିବା ମୋର ଚାଲିଛି । ଯେହେତୁ ସବୁବେଳେ ଏକୁଟିଆ ଯାଏ ଆସେ, ତେଣୁ କେତେବେଳେ କଣସବୁ ଭାବନା ମୁଣ୍ତରେ ପଶେ ପୁଣି ଚାଲିଯାଏ, ସେସବୁ ବିଷୟରେ ଖୁଲମ୍ଖୁଲା ଆଲୋଚନା ବିସ୍ତାର ଆକାରରେ ଏଠି ଦେଇହେବ ନାହିଁ । ପ୍ରକୃତରେ ସେ ସବୁ ଗୋଟିଏ ଗୋଟିଏ ମୁହୂର୍ତ୍ତର କଥା କେବଳ ! କେତେବେଳେ କେଉଁ ଓଡିଆ ଗୀତ ଗୁଣୁଗୁଣୁ କରି ବୋଲାଯାଏ ତ ଆଉ କେତେବେଳେ ହିନ୍ଦୀ ଗୀତର ଆବୃତି ପାଟିରୁ ବାହାରି ଆସେ । ଯେଉଁଠି ରାସ୍ତା ପୁରା ଫାଙ୍କା ଦେଖେ ସେଠି ପ୍ରଚଣ୍ଡ ଶବ୍ଦ କରି ଗୀତ ମଧ୍ୟ ସମୟେ ସମୟେ ବାହାରି ଆସେ ! କିନ୍ତୁ ମୁଁ ଯେହେତୁ ସିଙ୍ଗର୍ ନୁହେଁ ତେଣୁ ସେଇ ପ୍ରଚଣ୍ଡ ଶବ୍ଦ ସବୁକୁ କଣ କୁହାଯିବ ତା’ର ଏକ ଜ୍ୱଳନ୍ତ ଉଦାହରଣ ଏଠାରେ ଦିଆଯାଇ ପାରେ !

୧୯୯୦ ମସିହାର ସେପ୍ଟେମ୍ବର୍ କି ଅକ୍ଟୋବର ମାସର କଥା । କଲେଜର ୧୧୩ ନମ୍ୱର ରୁମ୍ ପୁରା ଖୋଲାମେଲା ହେତୁ ସେଠି ବସି ପବନ ଖାଇବାକୁ ଜଣେ ଛାତ୍ର ହିସାବରେ ମୁଁ ଭାରି ପସନ୍ଦକରେ । ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ହିସାବରେ ସେତେବେଳେ ମୁଁ ପଢୁଥାଏ । ସମୟ ଦିନ ଦୁଇଟା ପାଖା ପାଖି ହେବ । ସେଇ ସମୟରେ ରୁବୁ ( ମୋର ବଂଧୁ ଦିଲୀପ ମିତ୍ର ) ଆଉ ମୁଁ ସେଠି ବସିଥାଉ । ହଠାତ୍ ମୋର କାଇଁ ଗୋଟେ ହିନ୍ଦୀ ଗୀତ ଗାଇବାକୁ ମନ ହେଲା । ଦିନ ୨ଟା ପରେ କଲେଜ ପୁରା ଫାଙ୍କା ଥିବା ହେତୁ ସାମ୍ନାରେ ଜଣେ ଶ୍ରୋତା ଥିଲେ ମଧ୍ୟ ବଡ଼ପାଟିରେ ଗୀତ ଗାଇବା ଷ୍ଟାର୍ଟ କରିଦେଲି । ୩୧ ବର୍ଷ ତଳର ଘଟଣା ହେଲେ ବି ସେଇ ଗାଇଥିବା ଗୀତଟି ଆଜି ମୋର ମନେ ଅଛି । କେତେ ଗୀତ କେତେବେଳେ ଗାଇଛି କିଛି ମନେ ନାହିଁ କିନ୍ତୁ ସେଇ ଗୀତ କଥା ମନେ ରହିବାର କାରଣ ବି ରହିଛି । ସେଇ ଗୀତଟି ହେଉଛି :—–

” ରମ୍ୱା ହୋ ହୋ … ସମ୍ୱା ହୋ ହୋ ……”

ମୁଁ ଗୋଟେ ଡେସ୍କ୍ ଉପରେ ବସି ଗୋଡ ଦୁଇଟିକି ବେଞ୍ଚ୍‌ରେ ରଖି ଯାହାକୁ କୁହନ୍ତି ପୁରା ଫ୍ରିଲି ସେ ଗୀତ ଗାଉଥାଏ ଆଉ ରୁବୁ ଜଣେମାତ୍ର ଶ୍ରୋତା ହିସାବରେ ବେଞ୍ଚ୍‌ରେ ବସି ସେଇ ଗୀତକୁ ଶୁଣିବାକୁ ଏକପ୍ରକାର ବାଧ୍ୟ ହୋଇଥାଏ । ସେଇ ରୁମ୍‌ରେ କମର୍ସ ପିଲାଙ୍କର ଗୋଟେ ଗ୍ରୁପ୍ କ୍ଲାସ୍ ଥିଲା କି କ’ଣ, ସେଥି ପାଇଁ କମର୍ସର ସେ ସମୟର ଜଣେ ଭଲ ଅଧ୍ୟାପକ ହିସାବରେ ନାମ କମାଇଥିବା କେ. ଚନ୍ଦ୍ରାୟ ସାର୍ ହାତରେ ପିଲାଙ୍କ ଆଟେନ୍ଡାନ୍ସ୍ ରେଜିଷ୍ଟର୍ ଧରି ରୁମ୍‌କୁ ପ୍ରବେଶ କଲେ । ମୁଁ ଦୁଆର ମୁହଁ ଆଡ଼କୁ ପଛକରି ବସିଥିବାରୁ ଏବଂ ରୁବୁ କଲେଜ ପଡ଼ିଆ ଆଡକୁ ତା’ ଦୃଷ୍ଟି ନିକ୍ଷେପକରି ମୋ ଗୀତ ଶୁଣୁଥିବାରୁ ଚନ୍ଦ୍ରାୟ ସାରଙ୍କ ଆଗମାନଙ୍କୁ ଆମେ କେହି ଜାଣି ପାରିଲୁ ନାହିଁ । ସେ ବୋଧେ ଚୁପ୍ ଚାପ୍‌ମୋ ଗୀତ ବୋଲିବାର ଭାବ ଭଙ୍ଗି ସହିତ ସ୍ୱର, ତାଳ ଓ ଲୟକୁ କିଛି ସମୟ ନିରିକ୍ଷଣ କରିସାରି ମୋ ପିଠିରେ ହାତମାରି ଡାକିବାରୁ ମୁଁ ବଡ଼ ପାଟିରେ ରଡିକରି ଉଠିଲି,” କିଏ ସେଏେଏଏ ??”

ରୁବୁ ମୋ ଗୀତ ଭିତରେ ଏ ଶବ୍ଦ କରିବା ଶୁଣି ଏପଟକୁ ତା ଦୃଷ୍ଟି ଫେରାଇ ଜଣେ ସାର୍‌ଙ୍କୁ ମୋ ପଛରେ ଠିଆ ହୋଇଥିବାର ଦେଖି ସଙ୍ଗେ ସଙ୍ଗେ ବସିଥିବା ସ୍ଥାନରୁ ଉଠିପଡ଼ି ନମସ୍କାର କଲା । ତା’ ଦେଖା ଦେଖି ମୁଁ ମଧ୍ୟ ଡେସ୍କ୍ ଉପରୁ ଡ଼େଇଁପଡି ସାରଙ୍କ ଆଡକୁ ବୁଲିଯାଇ ନମସ୍କାର କରି ତାଙ୍କ ସାମ୍ନାରେ ଠିଆ ହୋଇରହିଲି ।

ସାର୍ ଖୁବ୍ ଧୀରେ ସୁସ୍ଥେ ମୋତେ କହିଲେ, “ଆଚ୍ଛା ବାବୁ ! ଏ ତମେ କ’ଣ ଗୀତ ବୋଲୁଛ ? ଯଦି ବୋଲୁଛ, ତାକୁ ଟିକେ ସ୍ୱର ଦେଇ ବୋଲିଲେ ହୁଅନ୍ତାନି ? ଗୀତକୁ କଣ ଏମିତି କର୍କଶ ଆଉ ବିକଟାଳ ସ୍ୱରରେ ବୋଲାଯାଏ ? ଏମିତି ବୋଲିଲେ କେମିତି ହେବ ? ଗୀତର ମର୍ଯ୍ୟାଦା ଖୁବ୍ ହାନି ହେଉଛି !!”

ଚନ୍ଦ୍ରାୟ ସାର୍ ବ୍ରହ୍ମପୁର ସାଇଡ୍‌ର ଲୋକ, ଖାଣ୍ଟି ଓଡ଼ିଆ ନୁହନ୍ତି, ତେଣୁ ତାଙ୍କ ପ୍ରତି କଥାରେ ବ୍ରହ୍ମପୁର ସାଇଡ୍‌ର ତେଲୁଗୁ ଛୁଙ୍କ ମିଶା ଓଡିଆ ଶବ୍ଦ ସବୁ ବାହାରେ । ତାଙ୍କ କଥା ଶୁଣି ରୁବୁ ହସି ଉଠିଲା ଏବଂ ମୁଁ କିଛି ଆଉ ନକହି କେବଳ ତଳକୁ ମୁହଁ କରି ଠିଆହୋଇ ରହିଲି । ତା’ ପରେ ସେ ଆଉ କିଛି ନ କହି ଯେମିତି ଆସିଥିଲେ ସେମିତି ପଳାଇଲେ ।

ତେବେ ସେଇଦିନଠାରୁ ଚନ୍ଦ୍ରାୟ ସାରଙ୍କ ସେଇ କେଇପଦ କଥାର ପ୍ରଭାବ ମୋ ଉପରେ ଏମିତି ମାତ୍ରାରେ ପଡିଲା ଯେ, ଆଉ କେବେ କୌଣସି ଦର୍ଶକ ସାମ୍ନାରେ ଗୀତ ଗାଇବାକୁ ଏଯାବତ୍ ମୁଁ ମନକରିନାହିଁ । ଏଇ ନିକଟରେ ସୁଦୂର କୋରାପୁଟ ଜିଲ୍ଲାର ଉମରକୋଟରୁ ଯୁବ କବୟିତ୍ରୀ ତଥା କବିତା ଗପ ଆଦିକୁ ଖୁବ୍ ଚମତ୍କାର ଢଙ୍ଗରେ ସମୀକ୍ଷା କରୁଥିବା ସୁଶ୍ରୀ ରାଧାରାଣୀ ସରକାର ମୋତେ ମେସେଜ କରି କହିଲେ, ” ସାର୍ ଏଠିକା ” ଦାସିଆ ସାଂସ୍କୃତିକ ପରିଷଦ ” ରୁ ଅନଲାଇନ୍ ରେ ଗୁଗୁଲମିଟ୍ ମାଧ୍ୟମରେ ଏକ କବତା ପାଠୋତ୍ସୋବ ଅନୁଷ୍ଠିତ ହେବ । ଆପଣ ନିଶ୍ଚୟ ଜଏନ୍ କରି ଗୋଟିଏ କବିତା ପଢିବେ ।”

ରାଧାରାଣୀଙ୍କ ପାଖରୁ ଏଇ ପ୍ରପୋଜାଲ୍ ପାଇବାପରେ ମୋ ମୁଣ୍ତ ଭିତରେ ୩୧ ବର୍ଷତଳର ସେଇ ଘଟଣା ସହିତ ଚନ୍ଦ୍ରାୟ ସାର୍ କହିଥିବା କେଇପଦ କଥା କାନରେ ପ୍ରତିଧ୍ବନିତ ହେଲା । ଏଣେ ମୋର ସମସ୍ତ କବିତା ପ୍ରାୟ ପ୍ରେମ ପ୍ରଣୟ ଉପରେ ଲେଖା ଯାଇଥିବାରୁ ସେଇ କବିତାକୁ ମୋର ଏବର ଏଇ ଦାଢିଯୁକ୍ତ ମୁହଁରେ କର୍କଶ ଆଉ ବିକଟାଳ ଶବ୍ଦରେ ପଢିଲେ ଶ୍ରୋତାମାନଙ୍କ ଉପରେ କଣ ପ୍ରଭାବ ପଡିବ ଚିନ୍ତାକରି ରାଧାରାଣୀଙ୍କୁ କହିଲି, ” ମୁଁ ନିଶ୍ଚୟ ସେଇ କବିତା ଆସରରେ ଅନଲାଇନରେ ଯୋଗଦେବି କିନ୍ତୁ କବିତା ଗାଇବିନାହିଁ । ଭୟଙ୍କର ଚେହେରାରେ ପ୍ରେମ କବିତା ପଢିଲେ ଲୋକମାନେ ହସିବେ । ତେଣୁ ମୁଁ କେବଳ ଶ୍ରୋତା ହେବି ।”

ରାଧାରାଣୀ ମୋ କଥାରେ ହସିହସି କହିଲେ, ” ନାଇଁ ସାର୍ ! ଆପଣ ସେମିତି କାଇଁ ଭାବୁଛନ୍ତି ? ଥରେ କବିତା ପଢିକି ଦେଖନ୍ତୁ , ନିଶ୍ଚୟ ସମସ୍ତେ ପସନ୍ଦ କରିବେ ।”

ରାଧାରାଣୀଙ୍କୁ ମୁଁ ସେଇ ୩୧ ବର୍ଷତଳେ ଘଟିଥିବା ଘଟଣାକୁ ନକହି ଶେଷକୁ କହିଲି, ” ହଉ ଦେଖିବା କଣ ହେଉଛି ! ”

କିନ୍ତୁ ମନରେ ଦୃଢ଼ ନିଷ୍ପତି ନେଇସାରିଥାଏ ଯେ, ଆନ୍ୟମାନଙ୍କ ସାମ୍ନାରେ କବିତା ଗାଇବାର ପ୍ରଶ୍ନ ହିଁ ଉଠୁନି । ମୋର କଲେଜ ବେଳର ସେଇ ପ୍ରତିଜ୍ଞା ଏପର୍ଯ୍ୟନ୍ତ ବଳବତ୍ତର ରହିଛି ଆଉ ଆଗକୁ ରହିବ ମଧ୍ୟ।”

ତେବେ ଏକୁଟିଆ ବାଇକ୍‌ରେ ଯିବାବେଳେ ଫାଙ୍କା ଥିବା ରାସ୍ତାରେ କେତେବେଳେ କେମିତି ବଡ଼ ପାଟିରେ ଗୀତ ଗାଇପକାଏ । ସେଠି ସିଙ୍ଗର୍ ମୁ୍ଁ ଆଉ ଶ୍ରୋତା ବି ମୁଁ ସ୍ୱୟଂ ! ଅନ୍ୟମାନେ ଏମିତି ଫାଙ୍କା ରାସ୍ତାରେ ଗଲାବେଳେ ଅଦ୍ଭୁତ କାମସବୁ କରୁଥିବେ କି ନାହିଁ ମୋତେ ଜଣାନାହିଁ । କିନ୍ତୁ ମୁଁ ରାସ୍ତାର ଉଭୟ ପଟ ସହିତ ସାମ୍ନାକୁ ଅନାଇଁ ବାଇକ୍‌ରେ ସବାର୍ ହୋଇ ଗଲାବେଳେ କେବେ କେବେ ଗୀତ ତ ଆଉ କେତେବେଳେ ବିଭିନ୍ନ ଭାବନା ସବୁ ମୋ ମୁଣ୍ତରେ ସବାର୍ କରିଥାଏ । ଏମିତିରେ ଭାବିଲେ ସେସବୁ କେବଳ ସେଇ ମୁହୂର୍ତ୍ତର ଘଟଣାସବୁ ।

ଏବେ କେବେ କବିତା ସଂକଳନ ‘ ପ୍ରେମ ଫଲଗୁ ‘ ରେ ଥିବା କିଛି କବିତାର କେଇଧାଡ଼ି ଆବୃତି କରିଦିଏ ଯେମିତି କି :—-

” ତୋର କଥାରେ କଥାରେ
କହଭଲା ଏତେ
ରଖିଛୁ କାହିଁକି ମହୁ

ତୋର ଆଖିରେ ଆଖିରେ
କହ କିଂପା ଫୁଟେ
ଅଲିଭା କାମନା ଦାଉ ।

ମହୁର ଲୋଭରେ
ଉଡି ମୁଁ ଚୁମ୍ୱିଲି
ତୋ ଅଧର କୁସୁମ ଯେବେ

ମଧୁର ଦଂଶନ
ପାଇବାକୁ ତୋ’ର
ଆଶା ମୁଁ ରଖିଲି ସେବେ । “

ପୁଣି କେତେବେଳେ ମନରେ ଆସିଲେ ଗୁଣୁଗୁଣୁ ହୁଏ :—

” ବିତି ଯାଉ ମୋର ସକଳ ମୁହୁର୍ତ୍ତ
ତୋ ରୂପ ବଂଦନା ଗାଇ
ବିତି ଯାଉ ମୋର ଏ ସାରା ଆୟୁଷ
ତୋ ପ୍ରେମ ପରଶ ପାଇ ।

ସକଳ ବିଳାସ ନୁହେଁ ଆଗୋ ରାଣୀ
ତୋ ତନୁ ବିଳାସ ତୁଲ
କେ କଳି ପାରିବ ତୋ ରୂପ ବିଭବ
କେ ବୁଝିବ ତାର ମୂଲ । “

ଆଉ କେଉଁ କ୍ଷଣରେ ମନରେ ଆସେ :—

“ଜାଣିଛି ଗୋ ବଂଧୁ ଜାଣିଛି
ଆମେ ହଜିଯିବା କାଳ ସାଗରେ
ଧୋଇଦେବ ଢେଉ ପାଦଚିହ୍ନ ଆମ
ଆଉ ଫେରିବାନି ଏଇପଥରେ ।

ଆମେ ଛାଡିଯିବା ଆମ ପ୍ରେମଗୀତି
ବିରହ ମିଳନର ମଧୁଝର
କାଳ ଘୋଷୁଥିବ ଝାଉଁର ମର୍ମରେ
ଆମ ପ୍ରଣୟ ମାଧୁରୀ ସୁର । “

କେବଳଯେ ପ୍ରେମ ଫଲଗୁରେ ଥିବା କବିତା ଆବୃତି କରେ ତାହା ମଧ୍ୟ ଠିକ୍ ନୁହେଁ । ସମୟେ ସମୟେ ଅନ୍ୟ କବିତା ମଧ୍ୟ ଆପେ ଆପେ ପାଟିରୁ ବାହାରି ଆସେ ଯେମିତି କି ପ୍ରେମ ପ୍ରମୟର କବି ମାୟାଧର ମାନସିଂହଙ୍କର ଏଇ କବିତା : —-

“ଶୁଣିବ ଯେବେ ପ୍ରିୟାଗୋ ମୋ’ର
ପ୍ରଣୟୀ ତବ ଜଗତେ ନାହିଁ,
ଆସିବ ମୋ’ର ଭସ୍ମ ପାଶେ
ଦେବଗୋ ତା’ରେ ଦେହର ଛାଇ ।

ପାରିବ ଯଦି ଭସ୍ମପରେ
ପଦ୍ମପାଦ ଚାଳିବ ଧୀରେ,
ଜୀବନ ପୁଣି ଲଭିବି ସଖୀ
ନିଶ୍ଚୟ ମୁଁ ମରଣ-ତୀରେ ! “

ଖାଲି ଯେ ରାସ୍ତାରେ ଗଲାବେଳେ ସେଇସବୁ ଉଦ୍ଭଟ ଚିନ୍ତାଧାରା ମୁଣ୍ତରେ ପଶେ ସେମିତି କହିବା ମଧ୍ୟ ନିହାତି ଭୁଲ୍ । କଲେଜରେ ଅଧ୍ୟାପକ ହିସାବରେ ଯୋଗଦେବା ପରେ ବିବେକାନନ୍ଦଙ୍କ ଷ୍ଟାଚ୍ୟୁ ପାଖା ପାଖି ଏରିଆରେ ଗଲାବେଳେ ସେଇ ପାଖରେ ଥିବା ବରଗଛ ଦେଖିଲେ ମନ ହୁଏ ଏବେ ଟିକେ ଯାଇ ସେଇ ବର ଓହଳରେ ଝୁଲିଲେ ହୁଅନ୍ତାନି ! ସେଇ ଯେମିତି ସେତେବେଳେ ୧୯୮୬ ମସିହାରୁ ୧୯୯୧ ମସିହା ଭିତରେ ମୋ ପଢିବା ସମୟରେ ବିନା କୌଣସି ଲାଜ ସରମରେ ଝୁଲୁଥିଲି ! ମନ ହେଲେ ମଧ୍ୟ ଆଉ ଯାଇ ଝୁଲିବା ସମ୍ଭବ ହୋଇପାରେ ନାହିଁ । ସେଇ ବରଗଛ ଥାଏ, ମାଟି ତଳକୁ ଲମ୍ୱି ଆସିଥିବା ସେଇ ଓହଳ ଯେମିତି ହାତଠାରି ଡାକୁଥାଏ ଆଉ କହୁଥାଏ ” କଣ ଚିହ୍ନି ପାରୁନ ? ଆଜିକାଲି କାଇଁ ଆଉ ଝୁଲିବାକୁ ଆସୁନ ? ତମେ ସେଇ ପିଲାଟି ଯିଏ ସବୁବେଳେ ମୋତେ ଧରି ଝୁଲୁଥିଲ ? ”

ମୁଁ ମଧ୍ୟ ସେଇ ସମୟରେ ମନେମନେ ତା’ର ସେଇ ସବୁ ପ୍ରଶ୍ନର ଉତ୍ତର ରଖେ । ତାକୁ କହେ , ” କଣ କରିବି ଯେ, ଆଉ କଣ ସେଇ ପୂର୍ବର ଅବସ୍ଥାକୁ ଫେରିହେବ ? ସେତେବେଳେ ଛାତ୍ରଥିଲି, ମନ ହେଉଥିଲା ତ ଝୁଲୁଥିଲି, ହେଲେ ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ମୁଁ ଜଣେ ଶିକ୍ଷକ ଆଉ ମୋ ଛାତ୍ରଛାତ୍ରୀମାନେ ଏଠି ଆତଯାତ ହେଉଛନ୍ତି । ତେଣୁ ଆଉ ସେଇ ଛାତ୍ରବେଳର ଅବସ୍ଥାକୁ ଫେରି ତୋ ସହିତ ଝୁଲିବା ମୋ ପାଇଁ ଏକବାରେ ଅସମ୍ଭବ ।”

ତେବେ ମନ ଭିତରେ ଲୁକ୍କାୟିତ ଭାବରେ ଥିବା ସେଇ ସବୁ ଫିଲିଙ୍ଗ୍‌ସ କୁ କେତେବେଳେ କିଏ ସୁବିଧା ସ୍ଥିତି ଦେଖି କାର୍ଯ୍ୟରେ ପରିଣତ କରନ୍ତି କି ନାହିଁ ମୋତେ ଜଣାନାହିଁ । କିନ୍ତୁ ଦିନେ ସୁବିଧାଦେଖି ମୁଁ ସେଇ କଲେଜ ବେଳର ପିଲାଟେ ପାଲଟିଯାଇ ବରଗଛ ଓହଳରେ ଧୁମ୍ ଝୁଲିଥିଲି । ଅବଶ୍ୟ ଦିନରେ ନୁହେଁ , ସମ୍ପୂର୍ଣ୍ଣ ରାତି ଅଧରେ ! ସେଦିନ କଥା ଆଜି ବି ମୋର ମନଭିତରେ ସେମିତି ସତେଜ ହୋଇ ରହିଛି । ୨୦୦୫ ମସିହା ଡିସେମ୍ୱର ମାସର କଥା । ଆମ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ କୌଣସି ଏକ ଦୂରସ୍ଥାନକୁ ପିକ୍‌ନିକ୍ ରେ ଯିବାପାଇଁ ସେଦିନ ସ୍ଥିର କରିଥିବାରୁ ରାତି ୧୨ଟା ପରେ କଲେଜ କ୍ୟାମ୍ପସରୁ ବସ୍ ବାହାରିବାର ଥିବାରୁ ମୁଁ କିଛି ପିଲାଙ୍କୁ ରାତି ୧୧ଟା ସୁଦ୍ଧା ଆସି ବସ୍ ରେ ଆନୁସାଙ୍ଗିକ ଜିନିସପତ୍ର ସବୁ ଲଦିବାକୁ କହିଥିଲି ଆଉ ସେଇ ହିସାବରେ ଠିକ୍ ରାତି ୧୧ଟାରେ ଆସି କଲେଜରେ ପହଞ୍ଚିଗଲି । କିନ୍ତୁ ସେଠି ପହଞ୍ଚି ଦେଖିଲି କୌଣସି ପିଲା ନାହାନ୍ତି କି ବସ ସେ ଯାଏ କଲେଜ କ୍ୟାମ୍ପସକୁ ଆସିନଥାଏ । ବରଗଛମୂଳେ ଏକୁଟିଆ ଠିଆହୋଇ ଥିବାରୁ ମନରେ କେବେଠୁ ବସାବାନ୍ଧିଥିବା ସେଇ ଓହଳରେ ଝୁଲିବା କଥା ମନେ ପଡିଗଲା । ଜିଣିଥିଲି ଆଗକୁ ଯେକୌଣସି ମୁହୂର୍ତ୍ତରେ ବସ୍ କିମ୍ୱା ଛାତ୍ରମାନେ ଆସିଯିବେ ଆଉ ସେଥି ସହିତ ମୋର ଝୁଲିବା ପୁଣି ସ୍ଥଗିତ ରହିବ ! ଧୀରେ ସୁସ୍ଥେ ବରଗଛର ଉଚ୍ଚ ଡାଳରୁ ମାଟି ଆଡକୁ ଲମ୍ୱି ଆସିଥିବା ଓହଳ ଆଡକୁ ଚାଲିଲି । କଲେଜରେ ପଢିବା ବେଳେ ବହୁତ ଓହଳରେ ଝୁଲାଝୁଲି କରୁଥିଲେ ମଧ୍ୟ ଏଇ ନିଦ୍ଧିଷ୍ଟ ଓହଳରେ ସବୁଠୁ ବେଶି ଝୁଲିଥିଲି । ଶରୀରର ସବୁ ଶକ୍ତିଦେଇ ଉଚ୍ଚକୁ ଡେଇଁପଡି ଓହଳକୁ ଏମିତି ଷ୍ଟାଇଲ୍ ରେ ଧରିଲି ଯେମିତି ମୋ ପାଦ ନିହାତି ଗେଟେ ଫୁଟ ଉପରେ ରହିବ । ସେମିତି ଧରି ଝୁଲିବା ଆରମ୍ଭ କରିଛି ତ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ପାଖରୁ ଜଣେ ଟର୍ଚ୍ଚଲାଇଟ୍ ମାରିମାରି ମୋ ଆଡ଼କୁ ଦୌଡ଼ି ଆସିବା ସହିତ ” ସେଠି କିଏ ବୋଲି ” ପଚାରୁଥାଏ ।

ଏମିତି ପରିସ୍ଥିତି ହେବ ମୁଁ ଆଦୌ ଆଶା କରିନଥିଲି । ଚୁପ୍ ଚାପ୍ ବର ଓହଳରୁ ହାତ ଛାଡି ଠିଆ ହୋଇ ରହିଲି । ସେ ଲୋକଟି ପାଖରେ ପହଞ୍ଚି ଲାଇଟ୍ ମୋ ମୁହଁକୁ ମାରି ପ୍ରଥମେ ଦେଖିନେଲା ଓ ତା’ପରେ କହିଲା, ” ସାର୍ ଆପଣ ? ଏତେ ରାତିରେ ଏଠି କଣ ଏମିତି ବର ଓହଳରେ ଝୁଲୁଛନ୍ତି ?”

ସେଇ ଲୋକଟି ଆମ କଲେଜର ରାତ୍ରିଜଗୁଆଳ ଶ୍ରୀଯୁକ୍ତ ବନ ବିହାରୀ ଭୋଇ ଥିଲେ । ସେ କଲେଜରେ ୧୯୮୨ ମସହିହାରୁ ଓ୍ୱାଚମ୍ୟାନ୍ ଭାବରେ କାର୍ଯ୍ୟକରିଆସୁଥିଲେ । ମୁଁ କଲେଜରେ ପଢିବା ସମୟରୁ ତାଙ୍କୁ ଦେଖି ଆସିଛି । ଖୁବ୍ ପରିଶ୍ରମୀ ଲୋକ ଆଉ ନିଜ ଡିଉଟିରେ କେବେ ବି ଅବହେଳା କରିବାର ଆଦୌ ନଜିର୍ ନାହିଁ । କଲେଜରେ ଅଷ୍ଟମପ୍ରହରୀ ଠାରୁ ଆରମ୍ଭକରି ଯେତେ ଭୋଜିହୁଏ ସେ ଅଳ୍ପ ପଇସାନେଇ ସବୁ କଦଳୀପତ୍ର ଖାଇବା ପାଇଁ ଦେଇଥାନ୍ତି । କେତେବେଳେ କେମିତି ଚାହା ପିଇବାକୁ ମୋ ଠାରୁ କିଛି ରେଜା ପଇସା ମୁହଁ ଖୋଲି ମାଗି ନିଅନ୍ତି । ସେ ଲୋକ ଆଜି ସ୍ୱର୍ଗରେ । ଏଇ ଚାରିବର୍ଷ ତଳେ କଲେଜରୁ ଡିଉଟି ସାରି ଘରକୁ ଫେରିବାପରେ ବ୍ରେନ୍ ଷ୍ଟ୍ରୋକ୍ ରେ ମାତ୍ର ୫୭ ବର୍ଷ ବୟସରେ ମୃତ୍ଯୁ ବରଣ କଲେ ।

ସେଦିନ ମୁଁ ତାଙ୍କୁ କହିଲି, “ଆମ ପିଲା ଆଜି ପିକ୍‌ନିକ୍ ଯିବେ ତ ସେଥି ପାଇଁ ଆସିଛି । ତମେ କିନ୍ତୁ କାହାକୁ କହିବନି ଯେ, ରାତିରେ ମୁଁ ଏଠି ବର ଓହଳରେ ଝୁଲୁଥିଲି ବୋଲି ।”

ସେ ହସି ହସି କହିଲେ, ” ନାଇଁ ସାର୍ , ମୁଁ କାଇଁ ସେ କଥା କହାକୁ କହିବି ! ଆପଣ ନିଶ୍ଚିନ୍ତ ରୁହନ୍ତୁ । ”

ତେବେ ୨୦୦୫ ମସିହାରୁ ୨୦୧୭ ମସିହାରେ ତାଙ୍କ ମୃତ୍ଯୁ ପର୍ଯ୍ୟନ୍ତ ସେ କାହାକୁ ବି ସେ କଥା କହିନଥିଲେ ବୋଲି ମୁଁ ଆଜି ବି ଦୃଢ଼ ନିଶ୍ଚିତ । ଶେଷକୁ ସେଇକଥାକୁ ମୁଁ ନିଜେ ଆଜି ଏଇ ଆଲେଖ୍ୟ ” ଏସବୁ କେବଳ ଗୋଟିଏ ଗୋଟିଏ ମୁହୂର୍ତ୍ତର କଥା” ରେ ପ୍ରକାଶ କରୁଛି । କିନ୍ତୁ ସବୁଠୁ ଦୁଃଖର ବିଷୟ ହେଉଛି, ୧୯୬୩ ମସିହାରୁ କଲେଜ ପ୍ରତିଷ୍ଠା ହେବା ଦିନରୁ ଯେଉଁ ସପ୍ତ ବରଗଛ ଆମ କଲେଜର ଶୋଭା ବଢାଉଥିଲା ତାହା ଆଜି ଗୋଟିଏ ବି ନାହିଁ । ଏଇ ଗତ କୋଡିଏ ବର୍ଷ ଭିତରେ ଗୋଟି ଗୋଟେ ହୋଇ କିଏ ଉପୁଡିଗଲା ତ ଆଉ କିଏ ମରିଗଲା , ଏମିତିରେ ସବୁଗଛ ପୁରା ବିଲୋପ ହୋଇଗଲେ । ଏବେ ଦୁଇଟି ବରଗଛର ଚାରା ସେଇ ସବୁ ସ୍ଥାନରେ ରୋପଣ କରାଯାଇ ଯତ୍ନର ସହିତ ବଢାଯାଉଛି ।

ବର୍ତ୍ତମାନ ଆସନ୍ତୁ ଫେରିଯିବା ଆଜିର ସେଇ ଗୋଟିଏ ମୁହୂର୍ତ୍ତର କଥାକୁ । ବାଇକ୍ ସେମିତି ଚାଲିଥାଏ କଟକ ଅଭିମୁଖେ । ଅଥଙ୍ଗା ନହଭଙ୍ଗା ପାଖରେ ଜଗତସିଂହପୁର କଟକ ରାଜପଥ ଛାଡି ମାଛଗାଁ କେନାଲ କଡରେ ଯାଇଥିବା ରାସ୍ତାରେ ଯାଉଥାଏ । ଦିନ ୨ଟା ୨୫ ମିନିଟ୍ ହେବ, ରାସ୍ତା ପୁରା ଫାଙ୍କା । ଖରା ନାହିଁ କିମ୍ୱା ବର୍ଷା ମଧ୍ୟ ନାହିଁ , ସେଇ କୋହଲିଆ ପାଗରେ ଅଳ୍ପଦୂରରେ ଥିବା ଦେବୀ ନଦୀ ଆଡୁ ପବନ ଅଳ୍ପ ଅଳ୍ପ ଭାଷି ଆସୁଥାଏ । ଏପଟେ ମାଛଗାଁ କେନାଲ୍ ରେ ଟୋପେ ବି ପାଣି ନଥାଏ । ବିରିବାଟି ପାଖରେ ଉଭୟେ ତାଳଦଣ୍ତା ଓ ମାଛଗାଁ କେନାଲ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଥିବାରୁ କଟକ ଯୋବ୍ରା ପାଖରୁ ମହାନଦୀର ଜଳକୁ ସମ୍ପୂର୍ଣ୍ଣ ଅଟକାଯାଇଛି । ସେଇ ସୁଲୁ ସୁଲୁଆ ପବନରେ ପୁରା ଫାଙ୍କା ରାସ୍ତାରେ ମୁଁ ପୁରା ରୋମାଣ୍ଟିକ୍ ଅନ୍ଦାଜରେ ଗୋଟେ ହିନ୍ଦୀ ଗୀତ ଧିମା ଧିମା ସ୍ୱରରେ ଗାଇଗାଇ ଚାଲିଥାଏ । ଗୀତଟି ଅଭିମାନ ଚଳଚିତ୍ରର ଥିଲା ଯାହର କିଛି ପକ୍ତି ନିମ୍ନରେ ରଖୁଛି : —-

ତେରି ବିଂଦିଆ ରେ, ଆଏ ହାଏ, ତେରି ବିଂଦିଆ ରେ
ସାଜନ ବିଂଦିଆ ଲେ ଲେଗି ତେରି ନିଂଦିଆ
ରେ ଆଏ ହାଏ, ତେରି ବିଂଦିଆ ରେ …..
ସାଜନ ନିଂଦିଆ ଲେ ଲେଗି, ଲେ ଲେଗି, ଲେ ଲେଗି
ମେରି ବିଂଦିଆ, ରେ ଆଏ ହାଏ ….

ମୋ ଗୀତର ତାଳେ ତାଳେ ବାଇକ୍ ଦୌଡୁଥାଏ ଆଉ ଠିକ୍ ସେତିକି ବେଳେ ବାମପଟରେ ଥିବା ଗୋଟେ ବଡ଼ବୁଦା ମୂଳରୁ ଗୋଟେ ଗାଈ ତୀବ୍ର ବେଗରେ ମୋ ସାମ୍ନା ଦେଇ ପଳାଇଲା ଓ ତା’ ପଛେ ପଛେ ଗୋଟେ ବିରାଟକାୟ ଷଣ୍ଢ ଅନୁରୂପ ଗତିରେ ପୁରା ମୋ ବାଇକ୍ ସାମ୍ନାକୁ ଆସିଗଲା ।

ମୁଁ ଚମତ୍କାର ଢଙ୍ଗରେ ବୋଲୁଥିବା ଗୀତର ଆଏ ହାଏ ଟା ବଡପାଟିରେ ରୂପାନ୍ତରିତ ହୋଇଗଲା ” ହେ ! ହେ ! ଇରେ ଇରେ ” ରେ ଆଉ ତା’ ସହିତ ସମସ୍ତ ଦମ୍ ଦେଇ ବ୍ରେକ୍ ମାରିଦେଲି । ନିର୍ଘାତ ବ୍ରେକ୍ ମାରିବା ଦ୍ୱାରା ବୁଲେଟର ପଛଚକ ସରର୍ କରି ରାସ୍ତାରେ ଖସିବା ଆରମ୍ଭକଲା । ମୁଁ ଜାଣିଗଲି ଆଉ କୌଣସି ମତେ ଗାଡିକୁ କଣ୍ଟ୍ରୋଲ୍ କରିହେବନି । ରାସ୍ତା ଉପରେ ଗାଡି ସହିତ ପଡିବା ସୁନିଶ୍ଚିତ । ଏମିତିରେ ବୁଲେଟ୍ ଓଜନଦାର ଗାଡି ( ଯାହାର ଓଜନ ୨ କ୍ୱିଣ୍ଟାଲ୍ ରୁ ଅଧିକ ହେବ ) ଆଉ ଏହା ଯଦି ଗୋଡ, ହାତ କିମ୍ୱା ଅଣ୍ଟା ଉପରେ ପଡିଲା ତେବେ ସେସବୁ ବଡି ପାର୍ଟ ମୋର ଭାଙ୍ଗିବାକୁ ମୁହୂର୍ତ୍ତଟେ ବି ଲାଗିବନି ।

ତେଣୁ ସେଇ କ୍ଷଣିକ ଭିତରେ ନିଷ୍ପତି କରିନେଲି ଯେ, ବୁଲେଟ୍ ଧରାଶାୟୀ ହେବା ପୂର୍ବରୁ ମୁଁ ତା’ ଉପରୁ ସବୁ ଶକ୍ତି ଲଗାଇ ଲମ୍ପମାରିବା ନିହାତି ଦରକାର । ସେତେବେଳକୁ ରାସ୍ତାର ବାମ ପଟରୁ ମୁଁ ବୁଲେଟ୍‌କୁ କାଟିକାଟି ଡାହାଣ ପଟକୁ ଅର୍ଥାତ୍ ମାଛଗାଁ କେନାଲ୍ ର ପୁରା ପାଖା ପାଖି ଆଣି ସାରିଥାଏ ଆଉ ଶେଷକୁ ବାଇକ୍‌ର ହେଣ୍ତେଲ୍ କୁ ବାମ ପଟକୁ ଯେତେ ଯୋର୍ ଦେଇ ମୋଡିହେବ , ମୋଡିଦେଇ ଡାହାଣପଟକୁ ଜମ୍ପ୍ ମାରିଦେଲି ଠିକ୍ ଯେମିତି ସିନେମାରେ ଷ୍ଟଣ୍ଟମ୍ୟାନ୍ ମାନେ ଲମ୍ପ ଦିଅନ୍ତି । ଫଳରେ ମୁଁ ପିଚୁ ରାସ୍ତାରେ ଲ୍ୟାଣ୍ତ ନକରି କେନାଲ୍ ସାଇଟ୍ ରେ ଥିବା ମାଟି ଓ ତା’ଉପରେ ଉଠିଥିବା ଘାସ ଉପରେ ଯାଇ ପଡିଲି । ପ୍ରଥମେ ଠିଆହୋଇ ତା’ପରେ କେମିତି ପଡିଲି ମୋର ମନେ ନାହିଁ । କିଛି ସମୟପାଇଁ ମୋ ମେମିରି ଯେମିତି କୁଆଡେ ଗାଏବ୍ ହୋଇଗଲା । ମୋ ସେଇ ଅବସ୍ଥା ବୋଧହୁଏ ଦୁଇ ତିନି ମିନିଟ୍ ପର୍ଯ୍ୟନ୍ତ ରହିଥିବା ଅସମ୍ଭବ ନୁହେଁ । ସାମ୍ନାରେ ଜଣେ କିଏ ମୋତେ ଗୋଟେ ବୋତଲରୁ ପାଣି ପିଇବାପାଇଁ ଦେଉଥାଏ । ସେ ଲୋକର ମୁହଁଟି ମୋତେ କିନ୍ତୁ କ୍ଲିଅର୍ ଦେଖାଯାଉନଥାଏ । ଝାପ୍ସା ଝାପ୍ସା ଦେଖାଯାଉଥାଏ । ପୂର୍ବଦିନ ପ୍ରବଳ ବର୍ଷା ହୋଇଥିବାରୁ ସେ ମାଟି ସମ୍ପୂର୍ଣ୍ଣ ଓଦା ଥାଏ ଆଉ ମୋ ଦୁଇ ହାତରେ କିଛି କାଦୁଅ ମଧ୍ୟ ଲାଗିଥାଏ । ଆସ୍ତେ ଆସ୍ତେ ମୋତେ ସବୁ କ୍ଲିଅର୍ ଦେଖାଗଲା । ପ୍ରଥମେ ମୋର ଦୁଇ ହାତ ଓ ଗୋଡ ହଲାଇ ପରଖିନେଲି କାଳେ କିଏ ଭାଙ୍ଗିଥିବ ବୋଲି । ଦେଖିଲି ହାତ ଗୋଡ ଠିକ୍ ଅଛି, କିନ୍ତୁ ମୁଣ୍ତ ଖୁବ୍ ଭାରି ଭାରି ଲାଗୁଛି । ମୁଣ୍ତରୁ ହେଲମେଟ୍ କାଢି ଚାରି ଆଡକୁ ଦେଖିଲି । ସେତେବେଳକୁ ସେ ଗାଈ ଓ ଷଣ୍ଢ ଉଭୟେ ସେ ନାଳ ଡେଇଁ କେତେଟା ବିଲ ପାରିହୋଇ ଗାଆଁ ମୁହାଁ ହେଲେଣି । ମୁଁ କିନ୍ତୁ ତାଙ୍କ ପାଇଁ ସେଇ ରାସ୍ତା କଡରେ ବସି ହାତ ଗୋଡ ସାଇଜ୍ କରୁଥାଏ ଠିଆ ହେବାକୁ । ପାଖରେ ଗୋଟେ ହିରୋହୁଣ୍ତା ମଟର ବାଇକ୍ ସାଇଡ୍ ଷ୍ଟାଣ୍ଡ୍ ସାହାର୍ଯ୍ୟରେ ଠିଆ ହୋଇଥାଏ । ଜାଣିଲି ଯେଉଁ ଲୋକଟି ମୋତେ ପାଣି ଯାଚୁଥିଲେ ଏ ବାଇକ୍ ତାଙ୍କର । ଖୁସି ଲାଗିଲା ଏଇ କରୋନା କାଳରେ ମଧ୍ୟ ଲୋକଟି ମାନବିକତା ଦେଖାଇ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ମୁଁ ଯେମିତି ପଡିଥିଲି ସେମିତି ବସିଥାଏ । ସେ ଲୋକଟି ଚେଷ୍ଟା କରୁଥାଏ ଯାଣିବାକୁ ମୋ ଗୋଡ ଠିକ୍ ଅଛି କି ନାହିଁ । ମୁଁ ଆସ୍ତେ ଆସ୍ତେ ବସିଥିବା ସ୍ଥାନରୁ ଉଠି ଠିଆହେଲି । ସେ ଲୋକଟି ଖୁସି ହୋଇ କହିଲେ , ” ଯା’ ହେଉ ଆପଣଙ୍କର ଗୋଡ ହାତ କିଛି ବି ହୋଇନି ! ମୁଁ ଆପଣଙ୍କ ୧୦୦ ମିଟର୍ ପଛରେ ଥିଲି, ଆପଣ ଗାଡିଛାଡି ଡେଇଁ ନଥିଲେ ରାସ୍ତା ଉପରେ ଗାଡିସହିତ ପଡିଥିଲେ ଖୁବ୍ ଅସୁବିଧା ହୋଇଥାନ୍ତା । ”

ମୁଁ ଠିଆ ହେବାରୁ ସେ ରାସ୍ତା ଉପରେ ପଡିଥିବା ବୁଲେଟ୍ କୁ ଉଠାଇବାକୁ ଚେଷ୍ଟାକଲେ । ପତଳା ହୋଇ ଏଇ ୪୦ ବର୍ଷର ଯୁବକ ହୋଇ ମଧ୍ୟ ସେ ବୁଲେଟ୍ କୁ ଉଠାଇବାକୁ ସକ୍ଷମ ହୋଇପାରିଲେ ନାହିଁ । ତେଣୁ ମୋତେ କହିଲେ ଆସନ୍ତୁ ଗାଡିଟା ଉଠାଇଦେବା । କିନ୍ତୁ ମୋ’ ମୁଣ୍ତ ସେମିତି ଭାରିଭାରି ଲାଗୁଥିବାରୁ ତାଙ୍କୁ କହିଲି, ” ବ୍ୟସ୍ତ ହୁଅନ୍ତୁନି, ବାଇକ୍ ପଡିଥାଉ , ମୁଣ୍ତଟା କାଇଁ ଟିକେ ଭାରି ଭାରି ଲାଗୁଛି । ”

ସେ ମୋ କଥା ଶୁଣି ବାଇକ୍ ଛାଡି ମୋ ପାଖକୁ ଆସି ଭଲକରି ମୁଣ୍ତକୁ ଦେଖିଲେ, କେଉଁଠି କିଛି ଖଣ୍ଡିଆ ନଥାଏ । ହାତ ଗୋଡ ମଧ୍ୟ ଭଲକରି ଦେଖିନେଲି, କୌଣସି ଯାଗାରେ କିଛି ଖଣ୍ଡିଆ ହୋଇ ନଥାଏ । ବାମ ପାଦରେ ଥିବା ଯୋତାଟି ପୁରା ଫାଟି ଯାଇଥିଲେ ବି ପାଦର କିଛି ହୋଇନଥାଏ । ମୁଁ ଗାଡି ଛାଡି ଡେଇଁ ପଡ଼ିବା ପୂର୍ବରୁ ଯେଉଁ ବାମ ପଟକୁ ହେଣ୍ତେଲ୍ ମୋଡିଦେଇଥିଲି, ସେଥି ପାଇଁ ଗାଡି ତଳେ ପଡିବାପରେ ଘୋଷାଡ଼ି ହୋଇ ପୁଣି ଜଗତସିଂହପୁର ଆଡକୁ ମୁହଁ କରି ପଡିଥାଏ । ସେଇ ଭିତରେ ଆଉ କିଛି ରାସ୍ତାରେ ଯାଉଥିବା ଲୋକ ସେଠି ଅଟକିରହି ବୁଲେଟ୍ ଉଠାଇଲେ । ୧୦ ମିନିଟ୍ ପରେ ଟିକେ ଭଲ ଲାଗିବାରୁ ବୁଲେଟ୍ ଆଡକୁ ଦୃଷ୍ଟି ନିକ୍ଷେପ କଲି । ସାମ୍ନା ପଟରୁ ବହୁତ ଅଂଶ ଭାଙ୍ଗିରୁଜି ଚୁର୍‌ମାର୍ ହୋଇଯାଇଥାଏ । ହେଡ୍ ଲାଇଟ୍ ପୁରା ଗାଡିରୁ ବାହାରି ତଳେ ପଡି ଭାଙ୍ଗି ଯାଇଥାଏ । ହେଣ୍ତେଲ୍ ମାଡଖାଇ ଉପରକୁ ଉଠିଆସିଥାଏ । ସାମ୍ନା ମଡଗାଡ୍ ସହିତ ତେଲ ଟାଙ୍କି ବଙ୍କା ଟଙ୍କା ହୋଇଯାଇଥାଏ । ସାମ୍ନା ପଟରୁ ଗଡିକୁ ଯିଏ ଦେଖିବ ସେ ନିଶ୍ଚୟ ଭାବିବ, ଯଦି ଗାଡି ଅବସ୍ଥା ଏମିତି ତାହେଲେ ଯିଏ ଚାଳକ ତା’ ଅବସ୍ଥା କଣ ନହୋଇଥିବ ।

ଗାଡିର ସାମ୍ନା ପଟ ଏମିତି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଉଭୟେ ଚକା ସହିତ ଇଂଜିନ୍ ର କିଛୁ କ୍ଷତି ହୋଇ ନଥିଲା । ସେଲ୍ଫ ଷ୍ଟାର୍ଟ ମାରି ଦେଖିଲି ଗାଡି ଷ୍ଟାର୍ଟ ହୋଇଗଲା । ଗାଡି ଚଳାଇବାରୁ ଜଣାପଡିଲା ହେଣ୍ତଲ୍ ମାଡରେ ବଙ୍କାହୋଇ ଟିକେ ଟିକେ ଗୋଟେ କଡକୁ ଢଳୁଛି । ସବୁଲୋକମାନଙ୍କୁ ଧନ୍ୟବାଦ ଦେଇ ସେଠୁ ଆସ୍ତେ ଆସ୍ତେ ସେଇ ଭଙ୍ଗା ଗାଡିରେ କଟକ ଆସିଲି । ବାଟରେ ଆଉ ସେ “ତେରି ବିନ୍ଦିଆ ରେ…” ଗୀତ ଅଦୌ ମନେ ପଡୁନଥାଏ ।

କିନ୍ତୁ ଗୋଟିଏ କଥା ସେଇ ଭିତରେ ମନେ ପଡୁଥାଏ, ତାହା ହେଲା ମୁଁ ଖାଇସାରି ବୋଉକୁ ଯେତେବେଳେ କହିଲି ଯାଉଛି ବୋଲି, ଆଉ ବୋଉର ଏତିକି କଥା , ” ହଉ ଯା, କଟକରେ ପହଞ୍ଚି ମୋତେ ଫୋନ୍ ରେ ଜଣାଇଦେବୁ । ” ହିଁ ମୋ ପାଇଁ ଏମିତି ଆଶୀର୍ବାଦ ହୋଇ ଠିଆ ହେଲା , ଯାହା ଫଳରେ ଏତେବଡ ଦୁର୍ଘଟଣା ହୋଇ ମଧ୍ୟ ମୋର କୌଣସି ଯାଗାରେ ସାମାନ୍ୟ ଖଣ୍ତିଆଟିଏ ମଧ୍ୟ ହୋଇନାହିଁ । କେବଳ ଯାହା ଉଚ୍ଚ ଲମ୍ପ ଦେଇ ତଳେ ପଡିବାରୁ ଶରୀରର ବିଭିନ୍ନ ଅଂଶରେ ଦରଜର ପ୍ରକୋପକୁ ଅନୁଭବ କରିହେଉଛି ।

ଶେଷରେ ଏତିକି ସ୍ଥିର ଭାବରେ କୁହାଯାଇ ପାରେ ଯେ, ଏସବୁ କେବଳ ଗୋଟିଏ ଗୋଟିଏ ମୁହୂର୍ତ୍ତର କଥା ଛଡା ଆଉ କିଛି ନୁହେଁ ।

To Top