ପିଲାଦିନ କଥା ପଡ଼ିଲେ
ପୁରୁଣା କଥାର ପେଡ଼ି ଖୋଲି
ମୋ ଆଗରେ ଠିଆ ହୁଏ
ଭୋକର ବ୍ରହ୍ମରାକ୍ଷସ ।
ଭୋକର ଚୁଲ୍ଲୀ ଜଳେ ପେଟରେ
ଚୁଲ୍ଲୀରେ ଜଳେ ବୋଉ ।
ବୋଉ ଭାତ ହେଲାଣି
ପଚାରି ପଚାରି ଶୋଇପଡ଼େ ସାନଭାଇ
ଧୂଆଁରେ ଦିଶେନି ବାପାଙ୍କ ମୁହଁ
ଭୋକର ଭଉଁରି ଭିତରେ
ଆମ ଭାଇଭଉଣୀଙ୍କ ଷଠିଘର
କେବେ ଅଭାବରେ କୁମ୍ଭୀର ଟାଣେ ତ
ମୁହଁ ମୋଡ଼ି ଦିଅନ୍ତ ଆମକୁ ଈଶ୍ୱର !
ଏହି ଭୋକ ପାଇଁ
ଭଉଣୀ ବାହା ହେଲା ଦୋବେଇ ବର
ଚିଲମ ଟାଣି ଟାଣି ବାପା ହଜିଗଲେ ଅନ୍ଧାରରେ
ପିଲାଦିନ ସାରା ଧୂଆଁ
ଭୋକର, ଚିଲମର, ବୋଉ ଲୁହର ।
ମୋ ମୁହଁ ଦେଖି କ’ଣ ଭାବୁଚ କି ?
ଏ ମୁହଁ ନୁହଁ
ଧୂଆଁର ଦୁର୍ଦ୍ଦିନ !
ବୋଉ ଥିଲେ
ଭୋକ ଫେରିଯାଏ
ବୋଉ ତୁ ଆ’ !