ଅନୁଭୂତି

ଟୀକାକରଣ …….

Prasanta Kumar Behera's odia cognition Tikakarana

ରାଜ୍ୟ ସରକାରଙ୍କର ଏହି ଦ୍ରୁତ ଟୀକାକରଣ ନିଷ୍ପତି ନିଶ୍ଚିନ୍ତ ଭାବରେ ଖୁବ୍ ସ୍ୱାଗତଯୋଗ୍ୟ ।

କରୋନା ଲଢ଼େଇରେ ଏବେ ମୁଖ୍ୟ ଅସ୍ତ୍ର ହୋଇଛି ଟୀକାକରଣ । ଏ ଭିତରେ ସାରା ଦେଶରେ ଟୀକାକରଣକୁ ତ୍ବରାନ୍ବିତ କରିବାକୁ ସବୁ ପ୍ରକାରର ପ୍ରୟାସ ଜାରି ରହିଛି ।

ଚଳିତ ବର୍ଷ ଜାନୁଆରୀ ୧୬ରୁ ଆମ ଦେଶରେ ଆରମ୍ଭ କରାଗଲା ପ୍ରଥମ ପର୍ଯ୍ୟାୟ ଟୀକାକରଣ, ଯେଉଁଥିରେ ହେଲ୍ଥକେୟାର ଓ ଫ୍ରଣ୍ଟଲାଇନ୍ ଓ୍ୱାକର୍ସ ଅର୍ଥାତ୍ ଡ଼ାକ୍ତର, ନର୍ସ, ପୋଲିସ୍ ଇତ୍ୟାଦି ପଦବୀରେ କାର୍ଯ୍ୟକରୁଥିବା ଲୋକମାନଙ୍କ ସହିତ ତା ୦୧/୦୧/୨୦୨୨ ସୁଦ୍ଧା ଯେଉଁମାନଙ୍କ ବୟସ ୬୦ ହେଉଥିବ ସେମାନଙ୍କୁ ଏହି ଟୀକା ଦିଆଯିବା ବ୍ୟବସ୍ଥା କରାଗଲା ।

ତା ୨୫/୦୩/୨୦୨୧ରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ବ୍ୟବସ୍ଥାରେ ୪୫ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କୁ ଟୀକା ଦେବାକୁ ନିର୍ଦ୍ଦେଶ ଆସିଲା । ଆଉ ଏବେ ମେ’ ପହିଲାରୁ ସାରା ଦେଶରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହୋଇଛି । ସେପଟେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶର ନାଗରିକମାନେ ମଧ୍ୟ ଟିକା ନେବାକୁ ଅପେକ୍ଷାରେ ଅଛନ୍ତି ।

ୟୁନିସେଫ୍ ( UNICEF ) ଇଣ୍ତିଆ ତରଫରୁ ଆପଣ କାହିଁକି ଟୀକାନେବା ନିହାତି ଦରକାର ( Why should you get the Covid – 19 vaccine ? ) ଏଥିପାଇଁ ନିମ୍ନରେ ଥିବା ୩ଟି କାରଣ ଦର୍ଶାଯାଇଛି :—-

୧ – ଟିକାକରଣ ପରେ ସୃଷ୍ଟି ହେଉଥିବା ଆଣ୍ଟି ବଡ଼ିସ୍ ଆପଣଙ୍କୁ ରୋଗରୁ ରକ୍ଷାକରିବ । ( Vaccines produce protection against a disease after developing anti- bodies )

୨ – କୋଭିଡ଼୍ ସଂକ୍ରମଣ ହେଲେ ମଧ୍ୟ ଆପଣଙ୍କ ପାଇଁ ଏତେ କ୍ଷତିକାରକ ହେବନାହିଁ । ( You will be at a reduced risk from the illness.)

୩ – ଟୀକାକରଣ ହେବା ଦ୍ୱାରା ଆପଣ ନିଜ ପରିବାର ସହିତ ନିଜକୁ ଓ ଆପଣଙ୍କର ଚାରିପାଶ୍ୱରେ ଥିବା ଲୋକମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିପାରିବେ । ( By getting vaccinated, you protect yourself and your family and those around you from being infected.

ତେଣୁ ବର୍ତ୍ତମାନ ହିଁ ଟୀକା ନିଅନ୍ତୁ । ( Vaccinate Now )

ତା ୧୧/୦୫/୨୦୨୧ରିଖରେ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନର ( WHO ) ବୈଜ୍ଞାନିକ ଡ଼ା. ସୌମ୍ୟା ସ୍ୱାମୀନାଥନ ପୋଷଣ କରିଥିବା ମତ ହେଉଛି, – ” ଭାରତରେ ବ୍ୟାପୁଥିବା କରୋନା ଭାଇରସ୍ ଡ଼ବଲ ମ୍ୟୁଟାଣ୍ଟ ଭାରିଏଣ୍ଟ ହୋଇଥିବା ହେତୁ ଏହା ଅଧିକ ସଂକ୍ରମକ ଓ ସଂକ୍ରମଣକାରୀ । ଏହା ଶରୀରକୁ ପ୍ରତିରକ୍ଷା ପ୍ରତିକ୍ରିୟାରୁ ଦୂରେଇ ଦେଉଛି । ଏଥିରେ ବୃଦ୍ଧି ହେଉଥିବା ସଂକ୍ରମଣ ଭୂତାଣୁର ନୂଆ ନୂଆ ପ୍ରକାର ସୃଷ୍ଟିର ଆଶଙ୍କା ମଧ୍ୟ ଉଦ୍ରେକ କରୁଛି ଯାହାକି ଅଧିକ ବିପଦଜନକ ହୋଇପାରେ । ଏଣୁ କେବଳ ଟୀକାକରଣ କରି ଏହି ସଂକ୍ରମଣର ଜଟିଳତା ହ୍ରାସ କରାଯାଇ ପାରିବ ବୋଲି ଡ଼ା. ସ୍ୱାମିନାଥନ କହିଛନ୍ତି ।

ତେବେ ଏସବୁକୁ ସଂକ୍ଷେପରେ କହିଲେ ଏମିତି ହେବ — ” ଆପଣ କରୋନା ଟୀକା ନେଲେଣି ତ ? ଯଦି ଏଯାଏ ନେଇନାହାନ୍ତି ତେବେ ଆଉ କାଳ ବିଳମ୍ବ କରନ୍ତୁ ନାହିଁ । ଶୀଘ୍ର ଆସି ନେଇଯାଆନ୍ତୁ। ନିଜେ ଟୀକା ନେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତୁ । ତା ସହିତ ଯେଉଁ ମାନେ ଅନଲାଇନ୍ ରେ ପଞ୍ଜିକରଣ କରି ପାରୁନାହାନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ଭୁଲନ୍ତୁ ନାହିଁ।

ପ୍ରଥମେ ପ୍ରଥମେ ଯେତେବେଳେ ଏହି ଟୀକାକରଣ ପ୍ରକ୍ରୀୟା ଚାଲିଲା, ଲୋକମାନେ ଏହାକୁ ଏତେ ଗୁରୁତ୍ବ ଦେଲେନାହିଁ । ଭାବିନେଲେ, କରୋନା ଆସି ଚାଲିଗଲାଣି, ଆଉ ଟୀକା ନେବାର କିବା ଆବଶ୍ୟକ ? କିଛି କିଛି ଜାଗାରେ ତ ଫ୍ରଣ୍ଟଲାଇନ୍ ଓ୍ୱର୍କସ୍ ( Frontline Workers ) ମାନେ ଟୀକା ନେବାକୁ ମନ ନ ବଳାଇବାରୁ ସେଠିକା କଲେକ୍ଟର ସେମାନଙ୍କର ଦରମା ଦେବେନାହିଁ ବୋଲି ଧମକ ଦେବାର ଖବର ମଧ୍ୟ ଶୁଣାଯାଇଥିଲା ।

କରୋନାର ଦ୍ୱିତୀୟ ଲହର ଆସି ଭାରତରେ ଏପରି ବିପଜ୍ଜନକ ସ୍ଥିତିରେ ପହଞ୍ଚିବାରେ ବହୁ କାରଣ ଭିତରେ ଯାହା ପ୍ରମୁଖ ତାହା ହେଉଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନଙ୍କର ପ୍ରଥମେ ପ୍ରଥମେ ଏହାକୁ ରୋକିବାକୁ ସେମିତି କଡ଼ା ପଦକ୍ଷେପ ନ ନେବା ଏବଂ ସେଇ ବ୍ୟାପୁଥିବା ସମୟରେ ବିଭିନ୍ନ ରାଜ୍ୟରେ ଚାଲୁଥିବା ଭୋଟ ପ୍ରକ୍ରିୟାକୁ ବନ୍ଦ ନକରିବା, ଧର୍ମାନୁଷ୍ଠାନ ମାନଙ୍କ ଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ ପ୍ରକାରର ଧର୍ମୀୟ କାର୍ଯ୍ୟ ଉପରେ ଅଂକୁଶ ନ ଲଗାଇବା ଏବଂ ସର୍ବୋପରେ ଭାରତର ଜନସାଧାରଣ ସଚେତନ ନ ହେବା ଆଦି ମୁଖ୍ୟତଃ ଦାୟୀ ।

ଯେତେବେଳେ ହୁ ହୁ ହୋଇ କରୋନା ରୋଗୀଙ୍କ ସଂଖ୍ୟା ସାରା ଦେଶରେ ବଢିବାକୁ ଲାଗିଲା ଏବଂ ଦିଲ୍ଲୀ ସମତେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ର ଘୋର ଅଭାବ ହେତୁ ଲେକମାନେ ଜୀବନ ହରାଇବା ଆରମ୍ଭିଲା, ସେତେବେଳେ କେନ୍ଦ୍ର ସରକାର ଚେତିବା ସହିତ ଲୋକମାନଙ୍କ ଭିତରେ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହେଲା । କରୋନାର ଏହି ଭୟଙ୍କର ରୂପ ଦେଖି ଲୋକମାନେ କେମିତି କରୋନା ଟିକା ନେଇ ପକାଇବେ ସେଥି ପାଇଁ ବିକଳ ହେବା ଖୁବ୍ ସ୍ୱାଭିବିକ ଥିଲା । ପୂର୍ବରୁ ମେଡ଼ିକାଲ୍ ମାନଙ୍କରେ କରୋନା ଟୀକା ନେବାକୁ ଆଦୌ ଭିଡ଼ ହେଉନଥିବା ବେଳେ ହଠାତ୍ ସେଇ ସ୍ଥିତି ବଦଳିଯାଇ ସବୁଠାରେ ଭିଡ଼ ଦୃଷ୍ଟି ଗୋଚର ହେଲା । ଏହି ସମୟରେ ମଧ୍ୟ ଟୀକାର ଅଭାବ ଦେଖାଗଲା ଆଉ ସେଥି ପାଇଁ ଟିକାକରଣ ପାଇଁ କରାଯାଇଥିବା କିଛି ସେଣ୍ଟରକୁ ଓଡ଼ିଶାରେ ସାମୟିକ ଭାବରେ ବନ୍ଦ କରାଗଲା ।

ଭାରତରେ ଏହି କୋଭିଡ୍ -୧୯ ଟୀକା ଦୁଇଟି ପ୍ରାଇଭେଟ୍ କମ୍ପାନୀ ଯୋଗାଉଛନ୍ତି । ସିରମ୍ କମ୍ପାନୀ ଦ୍ୱାରା କୋଭିସିଲ୍ଡ୍ ଓ ଭାରତ ବାୟୋଟେକ୍ କମ୍ପାନୀ କୋଭାକ୍ସିନ୍ ଟିକା ପ୍ରସ୍ତୁତକରୁଛନ୍ତି । ଆମ ରାଜ୍ୟ ଓଡ଼ିଶାରେ କେନ୍ଦ୍ର ସରକାର ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କୁ କରୋନାଟୀକା ମାଗଣାରେ ରାଜ୍ୟ ସରକାରଙ୍କ ମାଧ୍ୟମରେ ଯୋଗାଉଥିବା ବେଳେ, ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ମାଗଣାରେ ଟୀକାକରଣ କରିବେ ବୋଲି ନିଷ୍ପତି ନେଇଛନ୍ତି ।

ଏଇ ଲେଖକ ୪୫ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ନେବାକୁ ଯୋଗ୍ୟ । କିନ୍ତୁ ପ୍ରଥମ କରୋନା ଲହର ସମୟରେ କରୋନା ଆକ୍ରାନ୍ତ ହୋଇଥିବରୁ ଆଉ କରୋନା ହେବନି ଭାବି ଟୀକା ନେବାକୁ ତତ୍ପରତା ପ୍ରକାଶ କରିନଥିଲି । ମନେ ମନେ ଭାବିଥିଲି ଯେ, କରୋନାପରେ ସୃଷ୍ଟି ହୋଇଥିବା ଆଣ୍ଟି ବଡ଼ିସ୍ ପାଇଁ କରୋନା ହେବନାହିଁ । କିନ୍ତୁ ପରେ ଜଣାପଡିଲା ଯେ, ପୂର୍ବରୁ କରୋନା ହୋଇଥିବା ଲୋକମାନଙ୍କୁ ପୁଣି କରୋନା ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ଗତମାସ ଶେଷ ଆଡ଼କୁ ଅର୍ଥାତ୍ ତା ୨୯/୦୪/୨୦୨୧ ରିଖରେ ଜୀବନକୁ କୌଣସି ପ୍ରକାରେ ବଞ୍ଚାଇବା ପାଇଁ ଅନଲାଇନ୍ ରେ ଟୀକା ନେବାକୁ ଉଭୟ ସ୍ୱାମୀ ସ୍ତ୍ରୀ ନାମ ପଞ୍ଜିକରଣ କରିଦେଲୁ । ଏବେ କଟକରେ ଅବସ୍ଥାନ କରୁଥିବାରୁ ନିକଟରେ ଥିବା ଏକ ସରକାରୀ ଡ଼ାକ୍ତରଖାନାରେ ଯାଇ ଟୀକା ନେବାକୁ ସମୟ ଓ ତାରିଖ ମଧ୍ୟ ନିର୍ଦ୍ଦିଷ୍ଟ ହୋଇଗଲା । ମୋର ଟିକା କରଣ ପାଇଁ ତା ୧୫/୦୫/୨୦୨୧ ରିଖର ସମୟ ସକାଳ ୯ ଟାରୁ ୧୨ ଭିତରେ ମଧ୍ୟ ସେଇ ଅନଲାଇନ୍ ରେ ସ୍ଥିର ହୋଇଗଲା । କିନ୍ତୁ ତା ୦୫/୦୫/୨୦୨୧ ରିଖରେ ପଞ୍ଜିକୃତ ହୋଇଥିବା ମୋ ମୋବାଇଲ୍ ନମ୍ୱରକୁ ଏକ ମେସେଜ୍ ଆସିଲା, ଯେଉଁଥିଲେ ଲେଖାଥିଲା ଯେ, ” ଆପଣଙ୍କର ଟୀକାକରଣ ପାଇଁ ଧାର୍ଯ୍ୟ ହୋଇଥିବା ତା ୧୫/୦୫/୨୦୨୧ କୁ ବାତିଲ୍ କରାଯାଇଛି ଏବଂ ସେଥିପାଇଁ ଦୁଃଖ ପ୍ରକାଶ କରୁଛୁ । ( Scheduled vaccination on 15/05/2021 is cancelled, inconvenience is regreted. )

ଆଉ ଥରେ ଅନଲାଇନରେ ରେଜିଷ୍ଟେଶନ୍ କରିବାପାଇଁ ଚେଷ୍ଟାକରିବାରୁ ମୁଁ ଅବସ୍ଥାନ କରୁଥିବା ଜାଗାପାଖ ଟୀକାକରଣ ସେଣ୍ଟରରେ ସବୁ ବୁକ୍ କରାଯାଇସାରିଛି । ଏବେ କରୋନାର ଏଭଳି ପରିସ୍ଥିତିରେ ବାହାରକୁ କୁଆଡ଼େଯାଇ ଟୀକା ନେବା ସମ୍ଭବ ହେବନାହିଁ ଚିନ୍ତାକରି ଘରପାଖରେ ଥିବା ସେଣ୍ଟରରେ ଯେବେ ଅନଲାଇନରେ ଫାଙ୍କା ଦେଖାଇବ, ସେଇଦିନକୁ ଅପେକ୍ଷା କରିବାଛଡ଼ା ଅନ୍ୟଗତି ନାହିଁ । ତେବେ ସବୁଠାରୁ ଅସୁବିଧାରେ ପଡ଼ୁଛନ୍ତି ଏବେ ସେଇ ଲୋକମାନେ ଯେଉଁମାନେ ପୂର୍ବରୁ ଗୋଟେ ଡ଼ୋଜ୍ ଟୀକା ନେଇସାରିଥିଲେ ଏବଂ ଏବେ ଦ୍ୱିତୀୟ ଡ଼ୋଜ୍ ନେବାକୁ ଅପେକ୍ଷାରେ ଅଛନ୍ତି । ପ୍ରଥମ ଡ଼ୋଜ୍ ନେବାବେଳେ ପାଇଥିବା ସାଟିଫିକେଟ୍ ରେ କ୍ଲିଅର୍ କରି ଲେଖା ଯାଇଛି ଯେ, ଅମକ ତାରିଖରୁ ସମକ ତାରିଖ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ହେବ । କିନ୍ତୁ ଅନଲାଇନ୍ ରେ ଘର ପାଖା ପାଖି କୌଣସି ଜାଗାରେ ଟୀକା ନେବାକୁ ରେଜିଷ୍ଟ୍ରେଶନ୍ କଲାବେଳକୁ ଆଉ ଫାଙ୍କା ନାହିଁ ବୋଲି ଦେଖାଉଛି ।

ଏଠାରେ ଏଇ ଦ୍ୱିତୀୟ ଡୋଜ୍ ଟିକାକରଣକୁ ନେଇ ଏକ ଦୃଷ୍ଟାନ୍ତ ରଖିବା ଠିକ୍ ହେବ । ଗତ ଜାନୁଆରୀ ମାସରେ ଆମ ଏସ.ଭି.ଏମ. କଲେଜର ଇଂରାଜୀ ବିଭାଗର ମୁଖ୍ୟ ପଦରୁ ଅବସରପ୍ରାପ୍ତ ପ୍ରଫେସର ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏବେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ପାଖରେ ଅବସ୍ଥାନ କରୁଥିବା ହେତୁ ଅନଲାଇନ୍ ରେ ରେଜିଷ୍ଟ୍ରେଶନ୍ କରି ତା ୨୭/୦୩/୨୦୨୧ ରିଖରେ ଜଟଣୀ ସରକାରୀ ମେଡିକାଲରେ ପ୍ରଥମ ଡୋଜ୍ ଟୀକା ନେଇଥିଲେ । ତାଙ୍କର ଦ୍ୱିତୀୟ ଡୋଜ୍ ୨୨/୦୪/୨୦୨୧ ରୁ ୨୨/୦୫/୨୦୨୧ ମଧ୍ୟରେ ନେବାକୁ ହେବ ବୋଲି ତାଙ୍କୁ ପ୍ରଦତ୍ତ ସାର୍ଟିଫିକଟ୍ ରେ ଉଲ୍ଲେଖ ରହିଛି । କିନ୍ତୁ ଅନଲାଇନ୍ ରେ ଜଟଣୀ ପାଖା ପାଖି କୌଣସି ଜାଗାରେ ଟୀକାକରଣ ପାଇଁ ଫାଙ୍କା ନଥିବାରୁ ଜୀବନ ବିକଳରେ ମୋତେ ଫୋନ୍ କରି କହିଲେ , ” ଜଟଣୀରେ ମୁଁ କୋଭିସିଲ୍ଡ୍ ନେଇଥିଲି, ଏବେ କିନ୍ତୁ ଜଟଣୀ ପାଖା ପାଖି କୌଣସି ଜାଗାରେ ଫାଙ୍କା ନାହିଁ, ଭୁବନେଶ୍ବରରେ ତ କୋଭାକ୍ସିନ୍ ଦିଆଯାଉଛି । ମୁଁ ପ୍ରଥମ ଡ଼ୋଜ୍ ଯେହେତୁ କୋଭିସିଲ୍ଡ୍ ନେଇଛି, ସେଇ ଟିକାକୁ ମୋତେ ଦ୍ୱିତୀୟ ଡ଼ୋଜ୍ ରେ ନେବାକୁ ହେବ । ଏଣେ ନିଦ୍ଧିଷ୍ଟ ହୋଇଥିବା ସମୟ ପଳାଉଛି , କଣ ଆଉ କରିବି ? ଟିକେ କଟକରେ ବୁଝ, ପ୍ରଇଭେଟ୍ ରେ ହେଉ ପଛେ ଟଙ୍କା ଦେଇ କେମିତି ଟୀକାଟା ନେଇଯାଆନ୍ତି । ”

ମୁଁ କଟକର ବିଭିନ୍ନ ଜାଗା ଅନଲାଇନ୍ ରେ ଦେଖିଲି । କେଉଁଠାଇଁ ବି ଫାଙ୍କାଥିବା ପାଇଲିନାହିଁ । ଶେଷକୁ ତାଙ୍କୁ ସେ କଥା କହିବାରୁ ସେ ଆଉଜଣେ ବଂଧୁଙ୍କ ଜରିଆରେ ସୁଦୂର ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ମେଡିକାଲ୍ ରେ ତା ୧୦/୦୫/୨୦୨୧ ରିଖରେ ଟୀକାନେବାକୁ ଅନଲାଇନ୍ ରେ ରେଜିଷ୍ଟ୍ରେଶନ୍ କଲେ । ଜଟଣୀରୁ ହିନ୍ଦୋଳର ଦୂରତା ୧୪୦ କିଲୋମିଟର ରୁ ଅଧିକ ହେବ । ବାଧ୍ୟହୋଇ ସେଦିନ ରାତି ୩ରୁ ଉଠି ଗୋଟେ କାର୍ ଭଡ଼ାକରି ସକାଳ ୮ଟାରେ ହିନ୍ଦୋଳରେ ଯାଇ ପହଞ୍ଚି ଲାଇନ୍ ଦେଇ ବହୁ କଷ୍ଟରେ ଦିନ ୧୨ଟା ବେଳକୁ ଟୀକା ନେବାକୁ ସକ୍ଷମ ହେଲେ ।

ଦିନ ୧୨.୧୫ ରେ କାର୍ ରେ ଜଟଣୀ ଫେରୁଥିବା ବେଳେ ମୋତେ ଫୋନ କରି କହିଲେ, ” ବୁଝିଲ ପ୍ରଶାନ୍ତ, ମୁଁ ପ୍ରବଳ ଭିଡ଼ ଭିତରେ ପଶି ଟୀକା ତ କୌଣସି ପ୍ରକାରରେ ନେଇଗଲି, କିନ୍ତୁ ସାଙ୍ଗରେ ଯେ, କରୋନାକୁ ଆଣିନି ସେମିତି କହିପାରୁନି । ଯାହା ହେବାରଥିବ ହେବ । ସେ ଅନଲାଇନ୍ ରେଜିଷ୍ଟ୍ରେଶନ୍ ର କୌଣସି ମୁଲ୍ୟନାହିଁ । ସେଠି ଯେତେକହିଲି ଯେ, ମୋର ସ୍ଲଟ୍ ବୁକ୍ ହୋଇଛି,କେହି କିଛି ଶୁଣିବାକୁ ନାରାଜ୍ । ସେଇ ଭିଡ଼ ଭିତରେ ପଶି ଟୋକନ୍ କରି ଟୀକା ନେଲି । ”

ଦୁର୍ଗା ସାରଙ୍କ ଠାରୁ ସେମିତି କଥା ଶୁଣି ମୁଁ ଜାଣିଗଲି ଯେ, ନିଉଜ୍ ରେ ଯେଉଁ କୁହାଯାଉଛି ” ଟୀକା କେନ୍ଦ୍ର ସାଜିବନି ତ କରୋନା ହଟସ୍ପଟ୍ ” ବା ” ଟିକା କେନ୍ଦ୍ର ନା କରୋନା ଆମଦାନୀ କେନ୍ଦ୍ର ” ତାହା ସମ୍ପୂର୍ଣ୍ଣ ଠିକ୍ ।

ତେବେ ସେ ଯାହା ବି ହେଉ, ଟିକାକରଣ ହେଉଛି ବର୍ତ୍ତମାନ ଆମପାଖରେ ଉପଲବ୍ଧ ଏକମାତ୍ର ଅସ୍ତ୍ର କରୋନାକୁ ହରାଇବା ପାଇଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ତା ୧୦/୦୫/୨୦୨୧ ରିଖରେ ରାଜ୍ୟରେ ଦ୍ରୁତ ଟୀକାକରଣ ପାଇଁ ବିଦେଶରୁ ଟୀକା କିଣିବା ନିଷ୍ପତି ନେବା ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ଗ୍ଲୋବାଲ୍ ଟେଣ୍ତର ଆହ୍ୱାନ କରିବ ଏବଂ ଏହି ପ୍ରକ୍ରୀୟାକୁ ରାଜ୍ୟ ବୈଷୟିକ ଓ ପରିଚାଳନା କମିଟି ତନ୍ନ ତନ୍ନ କରି ବୁଝିବ ।

ରାଜ୍ୟ ସରକାରଙ୍କର ଏହି ଦ୍ରୁତ ଟୀକାକରଣ ନିଷ୍ପତି ନିଶ୍ଚିନ୍ତ ଭାବରେ ଖୁବ୍ ସ୍ୱାଗତଯୋଗ୍ୟ । ତେବେ ଟୀକାକରଣ କେନ୍ଦ୍ର ସଂଖ୍ୟା ବଢାଇବା ସହିତ ସେଠାରେ ଯେପରି ଅଧିକ ଭିଡ଼ ନହୋଇ ଶୃଙ୍ଖଳିତ ଭାବରେ ଟୀକ ଦିଆଯିବ ସେ ଦିଗକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ନିହାତି ଆବଶ୍ୟକ । ଅନଲାଇନ୍ ରେ ଟୀକାକରଣ ପାଇଁ ରେଜିଷ୍ଟ୍ରେଶନ୍ କରି ଆସୁଥିବା ଲୋକ ଏବଂ ବିନା ରେଜିଷ୍ଟ୍ରେଶନ୍ ରେ ଆସୁଥିବା ଲୋକମାନଙ୍କୁ କେଉଁ ଉପାୟରେ ଟୀକାକରଣ କଲେ ସମସ୍ୟା ଉପୁଜିବ ନାହିଁ ସେଥି ପାଇଁ ସୁବ୍ୟବସ୍ଥା ହେବା ନିହାତି ଆବଶ୍ୟକ । ଏମିତିରେ ବିପର୍ୟ୍ଯୟକୁ ଦକ୍ଷତାର ସହିତ ପରିଚାଳନା କରିବାରେ ନବୀନ ପଟ୍ଟନାୟକ ସରକାରଙ୍କର ଏକ ସ୍ୱତନ୍ତ୍ର ଇମେଜ୍ ରହିଛି ଏବଂ ଏଯାଏ ଓଡ଼ିଶା କରୋନାକୁ ନିଜ ଅକ୍ତିଆର୍ ରେ ରଖିଥିବାରୁ ବିଶ୍ୱସ୍ତରୀୟ ସଂଥାମାନେ ପ୍ରଶଂସା କରୁଥିବାର ଦୃଷ୍ଟିରେ ପଡୁଛି ।

ଏ ସବୁ ବାଦ୍ ଜନସାଧାରଣ ମଧ୍ୟ ନିଜେ ନିଜେ ସଚେତନ ହେବା ନିହାତି ଦରକାର । ଟୀକା ନେବା ସହ ସାମାଜିକ ଦୂରତା, ସଂଗରୋଧ, ମାସ୍କ୍ ଓ ସାନିଟାଇଜର୍ ବ୍ୟବହାର ନିହାତି ଜରୁରୀ । ଆମ୍ଭେମାନେ ସଚେତନ ହେବା ସହିତ ସରକାର କରୁଥିବା ସମସ୍ତ ନିୟମ ମାନିଲେ କରୋନା ହାରିବ, ଆମେ ଜିତିବା ଏଥିରେ ତିଳେହେଁ ସନ୍ଦେହ ନାହିଁ ।

To Top