ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଝୋଟିପକା ହାତେ ଧଳା ଗୋଲାପ
ଗୋଲାପରେ ଦୁଇ ଶିଖା,
ଜାଣିଛି ମୁଁ ଆଗୋ ପଦ୍ମଗନ୍ଧା
ଏ ଶିଖା ତୋ ପ୍ରେମଲେଖା ।
ପଢିଛି ମୁଁ ତୋ ହୃଦ ପୃଷ୍ଠା
ଓଠ ରଙ୍ଗେ ଓଦା ଅକ୍ଷର,
ବୁଝିଛି ଯେଉଁ ସପନରେ
ମତୁଆଲା ଆଖି ତୋର ।
ଦୀପାବଳିର ଆଲୋକ ଉତ୍ସବେ
ତୋ ହାତରେ ଗୋଲାପ ଦୀପ,
ସେ ଦୀପ ଆଲୋକରେ ଆଗୋ
ଆଲୋକିତ ମିଠା ପାପ ।
ପ୍ରେମ ଯଦି ପାପ ସୁବାସ ତାର
ନନ୍ଦନବନ ଗନ୍ଧ,
ସେ ଗନ୍ଧେ ମୋହିତ ଆମେ ଦୁହେଁ
ହୃଦୟେ ଗୁଞ୍ଜରିତ ମଧୁ ଛନ୍ଦ ।
