ପ୍ରବନ୍ଧ

କବିର ଦୁସ୍ତର ନିୟତି ଓ କବି ପ୍ରସାଦ-୧

୧୯୯୯ ମସିହା ନଭେମ୍ୱର ମାସ ୨୧ ତାରିଖରେ କେନ୍ଦ୍ରାପଡ଼ା ସହର ମଧ୍ୟରେ ଥିବା ବୈକୁଣ୍ଠ ଭବନ ନାମକ ବାସଭବନରେ ପୀଡ଼ା ଓ ଯନ୍ତ୍ରଣାରେ ଜର୍ଜରିତ ଏକ କାକୁସ୍ଥ ପ୍ରାଣ ଅବଶେଷରେ ବୈକୁଣ୍ଠଲୋକ ପ୍ରାପ୍ତ ହୋଇଥିଲା । ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ୱକାଳ ରୋଗଶଯ୍ୟାରେ ଅନ୍ଧ ପ୍ରାୟ ଆଉଟିପାଉଟି ହେଉଥିବା ଏହି କ୍ଷୀଣ ଜରାଗ୍ରସ୍ତ ଶରୀରଟିକୁ ନିଜର ଦୁସ୍ତର ନିୟତିରୁ ମୁକ୍ତି ମିଳିଥିଲା । ଶେଷ ଜୀବନରେ ଏହି ପ୍ରଲମ୍ୱିତ ଚରମ ଦୁଃଖ କାଳରେ ନା ପାଖରେ ଥିଲା ଅର୍ଥରାଶି ନା କାହାର ସମବେଦନା । ଏମିତିକ ଆତ୍ମୀୟସ୍ୱଜନମାନେ ମଧ୍ୟ ତାଙ୍କ ଶେଷ ଶଯ୍ୟା ନିକଟରେ ଦିନେ ସୁଦ୍ଧା ଛିଡ଼ା ହୋଇ ନଥିଲେ । ଅର୍ଥବିହୀନ ଓ ଔଷଧ ବିହୀନ ଏକ କରୁଣ ଜୀବନର ପରିଣତି କଥା ଆମେ ଆଗରୁ ଗଣକବି ବୈଷ୍ଣବ ପାଣିଙ୍କ ଜୀବନରୁ ଜାଣିଥିଲୁ । ଗଣକବିଙ୍କ ଜୀବନ ଅଭାବରୁ ଆରମ୍ଭ ଓ ଅଭାବରେ ଶେଷ ହୋଇଥିଲା । ମାତ୍ର ଏହି ଆଲୋଚ୍ୟ ପ୍ରତିଭାଧାରୀ ବ୍ୟକ୍ତିଙ୍କର ଜୀବନ ପ୍ରାଚୁର୍ଯ୍ୟରୁ ଆରମ୍ଭ ହୋଇଥିଲା । ବୟସର ମଧ୍ୟବର୍ତ୍ତୀକାଳ ଥିଲା ଆଡ଼ମ୍ୱରରେ ରସୋତ୍ତୀର୍ଣ୍ଣ ! କିନ୍ତୁ ଅନ୍ତିମ ଅବସାନ ଘଟିଥିଲା ଚରମ ଅଭାବ ଓ ଦୁର୍ଭାଗ୍ୟର କବଳିତ ଛାୟା ତଳେ । ଏହି ଘଟଣାଟି କେବଳ ଆଉ ଥରେ ଆମ ପ୍ରଦେଶ ବା ମୂଲକରେ ପ୍ରଚଳିତ କବି ଓ କଳାକାରଟିଏ ହୋଇ ଜନ୍ମ ହେବାର ଅଭିଶାପ କଥାଟିକୁ ଦୋହରାଇଥାଏ ।

ଗତ ବିଂଶ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳରେ ଜଣେ ପରିଚିତ ପଠିତ କବି ଓ ନାଟ୍ୟକାରର ଖ୍ୟାତି ଲାଭ କରିଥିବା ସ୍ୱର୍ଗତଃ କବି ପ୍ରସାଦ ମହାପାତ୍ର ଏହିପରି ଜଣେ ବିଡ଼ମ୍ୱିତ କବି ଭାଗ୍ୟର ମଣିଷ ଥିଲେ । ଏକଦା ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫ୍‌ରୁ ଅର୍ଥରାଶି ପୁରସ୍କାର, ଯଦୁମଣି ସାହିତ୍ୟ ସଂସଦରୁ ପୁରସ୍କାର ଓ ସମ୍ମାନଜନକ କଳିଙ୍ଗ ଭାରତୀ ଅନୁଷ୍ଠାନ ତରଫ୍‌ରୁ ସମ୍ମାନୀତ ହୋଇଥିବା ଏହି ବ୍ୟକ୍ତି ଜଣକ କେବଳ ସାହିତ୍ୟ କାହିଁକି ଶିକ୍ଷା ଓ ଶିକ୍ଷା ସଂଗଠନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ ।

ପଟ୍ଟାମୁଣ୍ଡାଇ ଟାଉନ୍ ଠାରୁ ଅନତି ଦୂରରେ ଅବସ୍ଥିତ ଅରୁଆକଦଳୀ ବଣ ଗ୍ରାମରେ ୧୯୧୫ ମସିହାରେ କବି ପ୍ରସାଦଙ୍କ ଜନ୍ମ । ତାଙ୍କ ବଂଶ ଇତିହାସରୁ ଯାହା ଜଣାପଡ଼ିଥାଏ ଯେ ସେ ଏକ ସୁସଂସ୍କୃତ ଓ ସଂସ୍କାରସମ୍ପନ୍ନ ପରିବାରରୁ ଆସିଥିଲେ । ଏକଦା ପୁରୀ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ପୂଜା ଅର୍ଚ୍ଚନାରେ ନିଯୋଗ ଥିବା ଏକ ପୁରାଣ ପଣ୍ଡା ବଂଶର ନିଧି ପୁରାଣ ପଣ୍ଡା ନାମକ ଜନୈକ ବ୍ରାହ୍ମଣ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ତତ୍କାଳୀନ ରାଜା ନରେନ୍ଦ୍ରଙ୍କ ନିମନ୍ତ୍ରଣ ପାଇଥିଲେ । କିଛି ବର୍ଷ କେନ୍ଦ୍ରାପଡ଼ାରେ ଅବସ୍ଥାନ କଲାପରେ ତାଙ୍କୁ ପୁଣି ଆଳିର ଲକ୍ଷ୍ମୀବରାହଜୀଉ ମନ୍ଦିରକୁ ସେବା ନିମନ୍ତେ ପ୍ରେରଣ କରାଯାଇଥିଲା । ସେହି ସମୟଠାରୁ ସେ ସ୍ଥାୟୀ ଭୂମିପଟ୍ଟା ଓ ଭୂସମ୍ପଦ ପ୍ରଭୃତି ପାଇ ଅରୁଆକଦଳୀବଣ ଗ୍ରାମରେ ସ୍ଥାୟୀ ଭାବରେ ବସବାସ କରିଥିଲେ । ନିଧିପୁରାଣ ପଣ୍ଡାଙ୍କ ପୁତ୍ରମାନଙ୍କ ମଧ୍ୟରୁ ମୁକ୍ତାର କାର୍ଯ୍ୟ କରୁଥିବା ବୈକୁଣ୍ଠନାଥ ମହାପାତ୍ର କବି ପ୍ରସାଦଙ୍କ ପିତା ଥିଲେ । ଏହି ମୁକ୍ତାର ବୈକୁଣ୍ଠନାଥ ପରବର୍ତ୍ତୀ ସମୟରେ ସନ୍ଥ ବୈକୁଣ୍ଠନାଥ ନାମରେ ପରିଚିତ ହୋଇଥିଲେ । ସେ ସଂସ୍କୃତ ଶ୍ରୀମଦ୍ ଭାଗବତର ଓଡ଼ିଆ ପଦ୍ୟାନୁବାଦ କରି ସମୁଦାୟ ନଅ ଖଣ୍ଡରେ ଏହାକୁ ପ୍ରକାଶିତ କରିଥିଲେ । ଓଡ଼ିଆ ଧର୍ମସାହିତ୍ୟର ଧାରାରେ ତାଙ୍କର ଏହି ଅବଦାନ ଏକ ସ୍ମରଣୀୟ ସମ୍ପଦ ରୂପେ ଗୃହୀତ ହୋଇଥାଏ । ଏହାଛଡ଼ା ସେ ଅନେକ ଧାର୍ମିକଭାବ ସମ୍ୱଳିତ କ୍ଷୁଦ୍ର ଓ ଖଣ୍ଡକାବ୍ୟ ପ୍ରଭୃତି ରଚନା କରିଥିବାର ମଧ୍ୟ ଜଣାଯାଇଥାଏ । ଯେଉଁଗୁଡ଼ିକ ଏବେ ଦୁଷ୍ପାପ୍ର୍ୟ ଅଟେ । ପିତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଏହି କବିପ୍ରତିଭାଟିକୁ କବି ପ୍ରସାଦ ନିଜର ସ୍ୱକୀୟ ସୃଜନଶୀଳତାର ପୁଟ ଦ୍ୱାରା ସମୃଦ୍ଧ ଓ ବିକଶିତ କରିବାରେ ସମର୍ଥ ହୋଇଥିଲେ । ମାଇନର୍ ସ୍କୁଲ୍‌ରେ ପାଠପଢୁଥିବା ସମୟରେ ତାଙ୍କର କାବ୍ୟ କବିତା ରଚନା ପ୍ରତି ଉନ୍ମୁଖତା ପ୍ରକାଶ ପାଇଥିବାର ଦେଖାଯାଇଥିଲା । ସେହି କିଶୋର ଅବସ୍ଥାରୁ ହିଁ ସେ ନିରବଧି ଓ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସୃଜନ କର୍ମରେ ମଗ୍ନ ରଖିଥିଲେ । ଅବଶ୍ୟ ନିଜ ଜୀବନର ଶେଷ ଦୁଇ ଦଶନ୍ଧିକାଳ କୌଣସି ବିରାଗବଶତଃ ହେଉ କିମ୍ୱା ଏକ ଅପ୍ରକାଶ୍ୟ ଅଭିମାନ ବଶତଃ ହେଉ ନିଜକୁ ସାହିତ୍ୟଠାରୁ ଦୂରେଇ ରଖିବାକୁ ଚାହିଁଥିଲେ ।

୧୯୩୨ ମସିହାରେ କବିପ୍ରସାଦ କଟକର ରେଭେନ୍ସା କଲିଜେଏଟ୍ ସ୍କୁଲ୍‌ରୁ ସଫଳତାର ସହିତ ମାଟ୍ରିକ୍ ପାସ୍ କରିଥିଲେ । ତା’ପରେ ଓଡ଼ିଶାର ଅଗ୍ରଗଣ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ରେଭେନ୍ସା କଲେଜ୍‌ରୁ ୧୯୩୭ ମସିହାରେ ବି.ଏ. ପାସ୍ କରିବାର ଗୌରବ ଅର୍ଜନ କରିଥିଲେ । ଶିକ୍ଷକତା ବୃତ୍ତି ପ୍ରତି ନିଜର ରୁଚି ଓ ଆଗ୍ରହ ଥିବାରୁ ଲୋଭନୀୟ ସରକାରୀ ଚାକିରୀ ପ୍ରତି ମନ ନ ବଳାଇ ରାଧାନାଥ ଟ୍ରେନିଂ କଲେଜ୍‌ରୁ ଶିକ୍ଷାଦାନ ବିଷୟରେ ଡିପ୍ଲୋମା କୋର୍ସରେ ନାମ ଲେଖାଇଥିଲେ । ପରେ ସେ ଏହି ଶିକ୍ଷାବୃତ୍ତିକୁ ନିଜର ଜୀବନ ଓ ଜୀବିକା ରୂପେ ବାଛି ନେଇଥିଲେ । ବୃତ୍ତିରେ ଶିକ୍ଷକ ଓ କୃତିରେ ସାହିତ୍ୟିକ ହେବାର ସୌଭାଗ୍ୟ କେବଳ ତାଙ୍କ ଭାଗ୍ୟରେ ଜୁଟି ନଥିଲା । ଏହା ପୂର୍ବରୁ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଜାତୀୟତାବାଦର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସହିତ ଉଭୟ ଶିକ୍ଷାକର୍ମ ଓ ସାହିତ୍ୟକର୍ମକୁ ସେମାନଙ୍କ ଜୀବନର ବ୍ରତରୂପେ ଗ୍ରହଣ କରିଥିଲେ । ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ସ୍ୱାଭିମାନ ସମ୍ପନ୍ନ ଅନେକ ଉଚ୍ଚଶିକ୍ଷିତ ଓଡ଼ିଆ ଯୁବକମାନେ ସରକାରୀ ଚାକିରୀକୁ ପଦାଘାତ କରି ଏକ ମହାନ୍ ଆଦର୍ଶକୁ ସାକାର କରିବାକୁ ଯାଇ ସେମାନଙ୍କ ଜୀବନକୁ ଉତ୍ସର୍ଗ କରିଥିବାର ଦୃଷ୍ଟାନ୍ତ ମିଳିଥାଏ । ତତ୍କାଳୀନ ଓଡ଼ିଶାର ଅନଗ୍ରସର ଶିକ୍ଷାବ୍ୟବସ୍ଥାର ପ୍ରସାର ନିମନ୍ତେ କବିପ୍ରସାଦ ସେହିପରି ଏକ ଆଦର୍ଶରେ ଅନୁପ୍ରାଣିତ ବିରଳ ବ୍ୟକ୍ତିତ୍ୱ ଥିଲେ ।

ସାହିତ୍ୟ ସାଧନାକୁ ଛାଡ଼ି କବିପ୍ରସାଦଙ୍କ ସମଗ୍ର ଜୀବନ ଥିଲା ଶିକ୍ଷାଦାନ, ଶିକ୍ଷାୟତନ ନିର୍ମାଣ ଓ ଶିକ୍ଷା ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକ ଲିଖନ ପରି କର୍ମରେ ଚଳଚଞ୍ଚଳ । ତାଙ୍କର ଶିକ୍ଷକତା କାଳରୁ ବ୍ୟାପକ ଅଞ୍ଚଳକୁ ଯଦି ବିଚାରକୁ ନିଆଯାଏ ତା’ହେଲେ ତାଙ୍କୁ ଜଣେ ସଫଳ ଭ୍ରାମ୍ୟମାଣ ଶିକ୍ଷକ ବୋଲି କୁହାଯାଇପାରିବ । ଶିକ୍ଷାର ବିକାଶ ଓ ପରିପ୍ରଚାର ନିମନ୍ତେ ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚଉବନ ଖଣ୍ଡ ବିଦ୍ୟାଳୟ ପ୍ରତ୍ୟକ୍ଷ ବା ପରୋକ୍ଷ ଉଦ୍ୟମରେ ସ୍ଥାପନା କରିଥିଲେ, ତାହା ପୁଣି ସେତେବେଳର ମୁଖ୍ୟସ୍ରୋତ ଠାରୁ ବିଚ୍ଛିନ୍ନ ଗଡ଼ଜାତ ଅଞ୍ଚଳ ଓ ଉପକୂଳର ବିଭିନ୍ନ ଦୂରନ୍ତ ଗ୍ରାମାଞ୍ଚଳମାନଙ୍କରେ । ଯେଉଁ ସମୟରେ ଓଡ଼ିଶାର ସମୁଦାୟ ଷୋହଳ ଅଣା ମଣିଷରୁ ବାରଅଣା ମଣିଷ ଅଶିକ୍ଷା ଓ ଅଜ୍ଞାନତାର ଅନ୍ଧକାର ମଧ୍ୟରେ କାଳ ଅତିବାହିତ କରୁଥିଲେ, ସେହି ସମୟରେ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ପ୍ରାପ୍ତ କବିପ୍ରସାଦ ଶିକ୍ଷାଦାନ ପରି ମହତ୍ କର୍ମକୁ ଆଦରି ନେଇଥିଲେ । ପ୍ରଥମେ ଗଡ଼ଜାତ ନୀଳଗିରି, ତା’ପରେ କେନ୍ଦୁଝର ଓ ଚମ୍ପୁଆ ପରେ ନରସିଂହପୁର ପୁଣି ସେଠାରୁ ଚାକିରୀ ପରିତ୍ୟାଗ କରି ନିଜ ପୈତୃକ ଗ୍ରାମଠାରେ ବଡ଼ଭାଇଙ୍କ ସହିତ ମିଶି ଉଚ୍ଚଶିକ୍ଷାଶ୍ରମ ପ୍ରତିଷ୍ଠା କରିଥିଲେ । ସେହି ସମୟରେ ବେସରକାରୀ ଉଦ୍ୟମରେ ଆରମ୍ଭ ହୋଇଥିବା ପଟ୍ଟାମୁଣ୍ଡାଇ ଏମ୍.ଏନ୍. ହାଇସ୍କୁଲ୍‌ର ଦାୟିତ୍ୱ ବହନ କରି ଏହି ସ୍କୁଲ୍‌କୁ ଏକ ସଫଳ ବିଦ୍ୟାଳୟର ମାନ୍ୟତା ଦେବାରେ ଅଗ୍ରଣୀ ଭୂମିକା ନେଇଥିଲେ । ୧୯୭୦ ମସିହା ପରେ ସେ ସ୍ଥାୟୀଭାବେ ପରିବାର ସହ ଆସି କେନ୍ଦ୍ରାପଡ଼ା ସହରରେ ଅବସ୍ଥାନ କରିଥିଲେ । କେନ୍ଦ୍ରାପଡ଼ାରେ ଅବସ୍ଥାନ କାଳରେ ସେ ସହର ନିକଟସ୍ଥ ଫକୀରାବାଦ ଗ୍ରାମରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷା ଓ ଶିକ୍ଷାୟତନ ସହିତ ନିଜକୁ ସଂଶ୍ଳିଷ୍ଟ ରଖିଥିଲେ । ତାଙ୍କୁ ବୟସର ବାର୍ଦ୍ଧକ୍ୟ ଗ୍ରାସ କରିବା ପର୍ଯ୍ୟନ୍ତ ସେ ଜଣେ ସକ୍ରିୟ ଶିକ୍ଷାକର୍ମୀର ଭୂମିକାକୁ ଅଦମ୍ୟ ଉତ୍ସାହ ଓ ନିଷ୍ଠାପରତାର ସହିତ ନିଭାଇ ଚାଲିଥିଲେ ।

ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ସେ ସମୟରେ ଭଲ ଓ ଉପଯୁକ୍ତ ପାଠ୍ୟପୁସ୍ତକ ଅଭାବକୁ ପରିଲକ୍ଷିତ କରି ସେ ଜଣେ ଦକ୍ଷ ପାଠ୍ୟପୁସ୍ତକ ରଚୟିତାର ଭୂମିକାକୁ ମଧ୍ୟ ନିର୍ବାହ କରିଥିଲେ । ତାଙ୍କଦ୍ୱାରା ରଚିତ ପାଠ୍ୟପୁସ୍ତକ ଓ ସହାୟକ ପୁସ୍ତକ ଗୁଡ଼ିକ ମଧ୍ୟରୁ ସମ୍ପାଦିତ ଭୂଗୋଳ ବହିଟି ମାଟ୍ରିକୁଲେସନ୍ ସିଲାବସ୍‌ରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହାଛଡ଼ା ନିଉ ପପୁଲାର ସିରିଜ୍‌ରେ ତାଙ୍କଦ୍ୱାରା ରଚିତ ଇଂରାଜୀ ବ୍ୟାକରଣ କନଭରସେସନ୍, କମ୍ପୋଜିସନ୍ ଓ ଟ୍ରାନ୍ସଲେସନ୍ ପ୍ରଭୃତି ପୁସ୍ତକ ଛାତ୍ର ମହଲରେ ଖୁବ୍ ଗ୍ରହଣୀୟ ହୋଇପାରିଥିଲା । ତାଙ୍କ ଜୀବନର ସମୁଦାୟ ଚଉରାଅଶୀ ବୟସର ପରମାୟୁ ଭିତରୁ ସେ ଅର୍ଦ୍ଧେରୁ ଅଧିକ କାଳ ଶିକ୍ଷାକ୍ଷେତ୍ରରେ ନିବେଶ କରିଥିଲେ । ଏଥି ନିମନ୍ତେ ମୋଟାଅଙ୍କର ଦରମା ଓ ସାବାସି ବଦଳରେ ତାଙ୍କୁ ଅନେକ ଜାଗାରେ ମିଳିଥିଲା ତିରସ୍କାର । କିନ୍ତୁ ଶିକ୍ଷା ଓ ଶିକ୍ଷାଦାନକୁ ନିଜ ଜୀବନର ଏକ ନିଷ୍ଠବ୍ରତ ରୂପେ ଗ୍ରହଣ କରିସାରିଥିବା କବିପ୍ରସାଦ ଶେଷ ପର୍ଯ୍ୟନ୍ତ ଏଥିରୁ କେବେ ବିରତ ରହିନଥିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top