ସେ ଦାନାକନାର ହେଉ ବା ସିଂହାସନ ଦଖଲ କରିବାର, ସମାଜ ସହିତ ହେଉ ବା ନିଜ ସହ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ କେବେ ସରେନି । ପ୍ରତି ମୁହୂର୍ତ୍ତରେ ସେ ଲଢୁଥାଏ ନିଜ ସହ, ସମାଜ ସହ, ସର୍ବୋପରି ଭାଗ୍ୟ ଓ ଭବିତବ୍ୟ ସହ । ଯେଉଁଠି ସଂଘର୍ଷ ନଥାଏ, ସେଠି ଜୀବ ଜଡରେ ବିବର୍ତ୍ତିତ ହୁଏ । ଜଡମାନଙ୍କର ବିଘଟନ ପ୍ରକ୍ରିୟା ଚାଲିଥାଏ, ବୃଦ୍ଧି ନଥାଏ । ଜୀବମାନଙ୍କ ପରି କୋଷିକା-ବୃଦ୍ଧିର ସଂଘର୍ଷ ଜଡଟେ କରିନଥାଏ । ବାସ୍ତବରେ ଜୀବ ବୃଦ୍ଧି ହେବାକୁ ସଂଘର୍ଷ କରିଥାନ୍ତି, ଜଡ କ୍ଷୟ ହେବାରେ । ସମୟ ଆସେ ଜୀବ ପଂଚତତ୍ତ୍ୱରେ ବିଲୀନ ହୋଇ ରୂପାନ୍ତରିତ ହୁଏ । ଋତୁ, ସ୍ଥିତି ଓ ପାରିପାଶ୍ୱିର୍କ କ୍ରିୟା ପ୍ରକ୍ରିୟା ସହ କ୍ରମଶଃ ଜଡର ରୂପାନ୍ତର ଘଟୁଥାଏ । ଈଶ୍ୱରଙ୍କ ସଂସାରର ପ୍ରତ୍ୟେକ ଜୀବ ଓ ଜଡ ବିଭିନ୍ନ ପ୍ରକାରର ସଂଘର୍ଷରେ ଲିପ୍ତ । ସେ ହେଉ ପଛେ କ୍ଷୟବୃଦ୍ଧିର ।
ମାତୃଗର୍ଭରେ ଭ୍ରୂଣ ରୂପେ ବିକଶିତ ହେବାଠାରୁ ଭୂମିଷ୍ଠ ହେବାପରର ଅସରନ୍ତି ସଂଘର୍ଷ ଭିତରେ ସେ ନିଜକୁ ପ୍ରତିଷ୍ଠିତ କରେ । କେତେବେଳେ ପାରିପାର୍ଶ୍ଵିକ ଅବସ୍ଥା ତ କେବେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଲଢି ନିଜକୁ ପ୍ରମାଣିତ କରେ ତ ପୁଣି କେବେ ନିଜ ସହ ସଂଘର୍ଷ କରି କ୍ଷତାକ୍ତ ହେଉଥାଏ ! ଭାବବିନିମୟ ଚେଷ୍ଟାରେ ଅସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରୁକରୁ ଠିକ୍ ଶବ୍ଦଟେ କହିପକାଏ । ଠିକ୍ ଶବ୍ଦଟେ କହିବାକୁ ପୁଣି ତାକୁ ନିଜ ସହ କେତେ ଯେ ସଂଘର୍ଷ କରିବାକୁ ପଡିଥାଏ ତା ବି ସେ ଜାଣିନଥାଏ ।
ଏମିତିକି ନିଜ ପାଦରେ ଶକ୍ତ ଭାବେ ଛିଡାହେବାକୁ ସେ ଅନେକବାର ଝୁଣ୍ଟେ । ତଳେ ପଡିବା ପରେ ହିଁ ଛିଡାହେବାର କଳା ଶିଖେ । ସେମିତି ହାତରେ ଜିନିଷଟେ ଠିକ୍ରେ ଧରିବାକୁ ସେ କେତେଥର ତାକୁ ତଳେ ପକାଇ ଭାଙ୍ଗିଥାଏ ଓ ନିଜେ ସେଥିରେ ଲହୁଲୁହାଣ ହୋଇଥାଏ ସେସବୁର ହିସାବ ନଥାଏ ! ପ୍ରକୃତି ଓ ସ୍ଥିତି ସହ ସେ ବି ସାମିଲ୍ ହୁଏ ସାମର୍ଥ୍ୟାନୁସାରେ । ଶାରୀରିକ, ଆର୍ଥିକ, ସାମାଜିକ ଓ ଆତ୍ମିକ ସ୍ତରରେ କ୍ଷମ ହେବାକୁ ତାକୁ ଲାଗିଯାଏ ବର୍ଷ ବର୍ଷ ।
ଏବେ କିନ୍ତୁ ସମୟ ବଦଳିଛି । ଜୀବନ ଖାଲି ଭାତଲୁଣର ସମସ୍ୟା ହୋଇ ରହିନି ବୋଲି ସେ ବିଭିନ୍ନ ସମସ୍ୟା ଖୋଜୁଛି ସଂଘର୍ଷ କରିବାକୁ । ନିଜକୁ ତିଆରି କରୁଛି ସମସ୍ୟା ପାଇଁ । ସଂଘର୍ଷ କେତେବେଳେ ନିଜ ସହ ତ କେତେବେଳେ ସ୍ଥିତି ଓ ପରିବେଶ ସହ, ଅସରନ୍ତି ସମସ୍ୟା ଓ ଅଭାବ ସହ ! ଧନୀ ଦରିଦ୍ର ନିର୍ବଶେଷରେ ସମସ୍ତେ ଜୀବନର ଯୁଦ୍ଧ ଲଢୁଛନ୍ତି ବିଭିନ୍ନ ରୂପରଙ୍ଗରେ । ବିନା ସଂଘର୍ଷରେ କେହି ତିଷ୍ଠିପାରେନା । ବଞ୍ଚିବାର ଯାନ୍ତ୍ରିକତା ଭିତରେ ନିଜକୁ ଅଣନିଃଶ୍ୱାସୀ କରିବାକୁ ସେ ବାଧ୍ୟହୁଏ । ସୁବିଧା ହାସଲ କରିବାକୁ ଗୁଡେ ମିଛ କହେ । ଅନ୍ୟକୁ କ୍ଷତାକ୍ତ କରିବାକୁ ବି ପଛାଏନି । କଳ ବଳ ଛଳରେ କ୍ଷମତା ହାସଲ କରି ଅନ୍ୟ ମଥାର ଆକାଶ, ପାଦତଳର ପୃଥିବୀକୁ ହଟାଇବାକୁ ମସୁଧା କରେ । ଛଳନା, ପ୍ରତାରଣା ଓ ଷଡଯନ୍ତ୍ର ମାଧ୍ୟମରେ ସେ ସିଂହାସନକୁ ଜାବୋଡିଧରେ । କାରଣ ସିଂହାସନ ବି ପରିବର୍ତ୍ତନ ଲୋଡେ । କ୍ଷମତାଶାଳୀର ଦୁନିଆ ଏ । ଏଠି ବୁଦ୍ଧିମତାର ମୂଲ୍ୟ ନାହିଁ ! କାରଣ କ୍ଷମତାଶାଳୀମାନେ ବୁଦ୍ଧିମତାର ତଂଟି ଚିପି ଅଣନିଶ୍ୱାସୀ କରିବାରେ ନିପୁଣ ! ବିଡମ୍ବନା ଏଇଆ ଯେ ଅନ୍ୟମାନେ ଆଖି ଥାଇ ଅନ୍ଧ ପରି ଯେଝା ବାଟରେ ଚାଲିଯାଉଥିବାରୁ କ୍ଷମତାଶାଳୀର ସିଂହାସନ ଅଟଳ, ଅପରାଜେୟ ।
ଏଠି କେହିଜଣେ ପ୍ରତାଡିତ ହେଉଥିବାର ଦେଖି ଆହା ଚୁ’ ଚୁ’ କହି କିଛି ଭଦ୍ରବେଶୀ ସେଠାରୁ ଧାଇଁପଳାନ୍ତି । ଯଦିଓ ତାକୁ ବଞ୍ଚାଇବାର କୌଶଳ ସେମାନଙ୍କୁ ଜଣାଥାଏ । ଅନ୍ୟ ଦୁଃଖରେ ଦୁଃଖୀ ହେବାର ଉତ୍କୃଷ୍ଟ ଅଭିନୟ କରି ନିଜ ଆଖିରେ ବି ଅଙ୍ଗୁଳି ଗେଞ୍ଜିପାରନ୍ତି ଛଦ୍ମବେଶୀମାନେ । ଜଟିଳ ଜୀବନଧାରଣ ଭିତରେ ଜୋକ ପରି ଅନ୍ୟର ରକ୍ତ ଶୋଷି ସାମ୍ରାଜ୍ୟ ବିସ୍ତାର କରୁଥାନ୍ତି ଅଥଚ ଜୀବନର ସାଧାରଣ ପ୍ରବହମାନତାକୁ ଗ୍ରହଣ କରିପାରନ୍ତିନି । ହଁ କିଛି ପୋଷା ମଣିଷଙ୍କୁ ହାତବାରିସି କରି ସତକୁ ମିଛ ଓ ମିଛକୁ ସତ କରିବାରେ ଏମାନେ ଅତୁଳନୀୟ । ରାମାୟଣ ମହାଭାରତ ପରି ପବିତ୍ର ଗ୍ରନ୍ଥକୁ ନିଜ ସୁବିଧାନୁସାରେ ଅନ୍ୱୟ କରି ସିଂହାସନ ପାଇଁ ଧୃତରାଷ୍ଟ୍ରଙ୍କ ଲୋଭକର ସକାରାତ୍ମକ ତର୍ଜମା କରନ୍ତି । ନିଜ ଅପାର ଶକ୍ତିକୁ ବଳବତ୍ତର ରଖିବାକୁ ଅହଙ୍କାରୀ ଦୁର୍ଯ୍ୟୋଧନ ପରି ଗୋଟି ଚଳାଇ ଛଳନା ରଚନ୍ତି । ଅତ୍ୟଧିକ କ୍ରୋଧ ଓ ପ୍ରତିଶୋଧପରାୟଣ ହୋଇ ନାରୀକୁ ବିବସନା କରିବାକୁ ବି ପଛାନ୍ତିିନି ।
ତେଣୁ ବୁଝିବାକୁ ହେବ ସେମାନେ କୁରୁବଂଶର ଅନ୍ତିମ ପରିଣତିକୁ ଭ୍ରୂକ୍ଷେପ କରନ୍ତିନି କିମ୍ବା ଶ୍ରୀକୃଷ୍ଣ ଆଉ ଆସିବେନି ବୋଲି ଦୃଢନିଶ୍ଚିତ । ସାମୟିକ ଭୋଗବିଳାସ ପାଇଁ ଯେକୌଣସି ସ୍ତରକୁ ଏମାନେ ଯାଇପାରନ୍ତି, ଅନ୍ୟକୁ ଛଳି ନିଜ ଅସ୍ତିତ୍ୱ ବଜାୟ ରଖିପାରନ୍ତି । ତେଣୁ ସତ୍ୟ, ନ୍ୟାୟ ଓ ସ୍ୱାଧିକାର ପାଇଁ ଲଢୁଥିବା ପ୍ରତ୍ୟେକ ପାଣ୍ଡବ ଜାଣିରଖନ୍ତୁ- ସଖା ଆଉ ଆସିବେନି! ଆବଶ୍ୟକ ହେଲେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ବନବାସ କିମ୍ବା ଅଜ୍ଞାତବାସରେ ଯିବାକୁ ପଡିବ । ସାରା ସଂସାରକୁ ମିଥ୍ୟା କହି ଭୟଭୀତ କରିରଖିଥିବା ଦୁରାଚାରୀମାନଙ୍କୁ ସାମ୍ନା କରିବାକୁ ନିଜକୁ ଶକ୍ତ କରିବାକୁ ହେବ । ଘୋଡାଶାଳ ଓ ରୋଷଶାଳରେ ସେବା ଯାଚିଦେବାକୁ ହେବ । ଆବଶ୍ୟକ ପଡିଲେ ବୃହନ୍ନଳା ବନିଯିବାକୁ ପଡିବ ।
ରାବଣର ଛଦ୍ମବେଶ ଓ ଅର୍ଜୁନଙ୍କ ଛଦ୍ମବେଶରେ ଆକାଶ ପାତାଳ ପ୍ରଭେଦ! ଜଣେ ପ୍ରତିହିଂସାପରାୟଣ ହୋଇ ବିକାରଗ୍ରସ୍ତ ମନରେ ପରନାରୀକୁ ହରଣ କରିଥିଲା ଆଉଜଣେ ଅନ୍ୟାୟର ପ୍ରତିଶୋଧ ନେଇ ନିଜ ଅଧିକାର ଫେରିପାଇବାକୁ ପ୍ରତିଶ୍ରୁତିବଦ୍ଧ ଥିଲା । ଆଜିର ଏ ଛଦ୍ମବେଶୀ କ୍ଷମତାନ୍ଧମାନେ ରାବଣ ପରି ପ୍ରତିଶୋଧପରାୟଣ, ଅହଙ୍କାରକବଳିତ ଓ ଛଳନାରେ ମତ୍ତ । ସେମାନେ ଅତୀତରୁ କୌଣସି ଶିକ୍ଷାଲାଭ କରିନାହାନ୍ତି କିମ୍ବା କରିବାକୁ ଇଚ୍ଛୁକ ନୁହନ୍ତି । ତେଣୁ ଏ ଦୁର୍ଯ୍ୟୋଧନର ଯୁଗ ଯେଉଁଠି କୌରବମାନଙ୍କ ଜିତାପଟ । ସାଧାରଣ ଲୋକେ ମିଛକୁ ମିଛ କିମ୍ବା ସତକୁ ସତ ବୋଲି ପ୍ରମାଣିତ କରିବା ତ ଦୂରର କଥା କହିବାକୁ ବି ସାହସ ରଖନ୍ତିନି ବୋଲି ପାଣ୍ଡବମାନେ ଅଜ୍ଞାତବାସରେ ଯିବାକୁ ବାଧ୍ୟ! କାରଣ ହେ ଅର୍ଜୁନ ! ସଖା ଆଉ ଆସିବେନି ! ହେ ପାଞ୍ଚାଳି ! ତୁମେ ରାଜରାସ୍ତାରେ ନିଜ ସମ୍ମାନ ପାଇଁ ଯେତେ ନେହୁରା ହେଲେ ବି ସେ ଆଉ କୋଟିବସ୍ତ୍ର ଯୋଗାଇ ଦେବେନି ! କାରଣ କ୍ଷମତାସୀନ ଦୁରାଚାରୀମାନଙ୍କ ଦ୍ୱାରା ଶିକୁଳିବଦ୍ଧ ସେ ! ନହେଲେ ଗୋପୀମାନଙ୍କଠାରୁ ଚାଲିଯିବା ପରେ ହୁଏତ ସେ ହୃଦୟହୀନ ପାଲଟିଯାଇଛନ୍ତି ! ନିଜକୁ ଶକ୍ତ ବନାଇ କହିଦିଅ- ଥାଉ, ଆଉ ଆସ ନାହିଁ ସଖା ! ଏମାନେ ଯେ ତୁମକୁ ବି ବିବସନା କରିପକେଇବେ ! କାରାଗାରରେ ବନ୍ଦୀ କରି ଅପବାଦ ଉଡାଇବେ । ଏମାନଙ୍କ ପାରିବାପଣକୁ ତୁମେ ହୁଏତ ଆକଳନ କରିପାରିନଥିବ । ଏମାନେ କଂସ, ରାବଣ, ହିରଣ୍ୟକଶିପୁମାନଙ୍କଠାରୁ ବି ନିର୍ମମ !
ତୁମ ଅପମାନକୁ ଶୁଣୁଛୁ ସିନା ଦେଖିବାକୁ କ’ଣ ଧୈର୍ଯ୍ୟ ଅଛି ! କ୍ଷମତାଲିପ୍ସୁ ଓ ତିନି ମାଙ୍କଡ ପାଲଟିଥିବା ସୁବିଧାବାଦୀ ସମସ୍ତେ କୋଳାକୋଳି, ମୋହାସକ୍ତ! କ୍ଷମତାକୁ ଆୟତ୍ତରେ ରଖିବାକୁ ଅନ୍ୟମାନଙ୍କ ବୁଦ୍ଧିକୁ ଆପଣା ପାଦତଳେ ଖଟାଇବା ଚକ୍ରାନ୍ତରେ ଏମାନେ ବେଶ୍ ସଫଳ । ପ୍ରକୃତିର ରୋଷରେ ପୃଥିବୀ ଅଧା ଧ୍ୱଂସ ହେଲେ ବି ଏମାନେ ବଦଳିବେନି ନା କମିବ ଏମାନଙ୍କ ଔଦ୍ଧତ୍ୟ । ଏଥର ବୋଧେ ସତ୍ୟ ପରାଜୟ ଲଭିବାର ପାଳି ! ପ୍ରକୃତି ଉପରେ ଛାଡିଦିଆଯାଉ ସତ ମିଛ, ନ୍ୟାୟ ଅନ୍ୟାୟର ମିଶାଣ ଫେଡାଣ! କାନ ଡେରି ଶୁଣ – ଉତ୍ତର କଣ ଆସୁଛି !
