କବିତା

ଗୋଟେ ବିକ୍ଷିପ୍ତ ସକାଳର ଦୃଶ୍ୟ

Dr Mousumi Parida's odia poem Gote Bikshipta Sakaalara Drushya

କେବେ ଅଳିଆଗଦା ତ କେବେ
ଜରାଶ୍ରମ..ତୋ’ର ଠିକଣା.. !!

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁ ଆସିଲୁ ଓ ଚାଲିଗଲୁ
ବାଜା ବାଣ ଘଂଟାଘଂଟିର ଆର୍ତ୍ତନାଦ ଭିତରେ !
ଟୋପେ ଆଶ୍ୱାସନା ଓ କେଇ ଅସରା ଲୁହରେ ବୁଝେଇଦେଲୁ.. ନା ଦେବୀର “ଦେବୀପଣ” ସରେ ନା ଅସୁରର “ଅସୁରପଣ” ମରେ !

ଦେବୀକୁ ଏମିତି ଯିବାକୁ ହୁଏ..
ନଦୀନାଳର ମାଳମାଳ ମୁଣ୍ଡ, ବିକ୍ଷିପ୍ତଆଭୂଷଣରେ
କ୍ରମଶଃ ଫିକା ପଡିଆସୁଥିବା ଭରା ନଈର ଉଦବେଳନ ବା ଖିଆଲି ଭସାବଉଦଟେ ପରି.. !

ତୋ’ର ଖିଆଲ ନଥାଏ ମହିଷାସୁରର ପାଉଁଶରୁ ଲକ୍ଷ ଲକ୍ଷ ମହିଷା ଜନ୍ମନିଅନ୍ତି ! ତୋ “ଦେବୀପଣ” କିନ୍ତୁ ଶୋଇପଡିଥାଏ
କଅଁଳ ସକାଳରେ କେତେ ସବୁ
ମିଛ ସମ୍ବନ୍ଧରେ କ୍ଷତାକ୍ତ ହୋଇ..!

ଘଂଟାଘଂଟିର ନାଦରେ ତୋ’ ବୁକୁଫଟା କାନ୍ଦଣା !
ଝୁଣାଧୂପର ଧୂଆଁରେ ଅସ୍ପଷ୍ଟ ଦିଶେ ତୋ’ ଲୁହ !!
ଅବିରରେ ଦେହର କୋଉ କ୍ଷତ ଲୁଚାଉ ତୁ ..!! କ୍ଷତରେ ସିଆଁ ମାନବୀଟିଏ ତୁ !
ଦେହ ଓ ମନରେ ଦରଜ ମାରୁଥିବା ମାଟିର ପ୍ରତିମା !!

କେବେ ଅଳିଆଗଦା ତ କେବେ
ଜରାଶ୍ରମ..ତୋ’ର ଠିକଣା.. !!

ତୋ ଖଣ୍ଡାରେ ଧାର ଥାଏ କି ନା
ଶର କିମ୍ବା ତ୍ରିଶୁଳ ଶାଣିତ ଥାଏ କି ନା
ଅସଂଖ୍ୟ ମହିଷାସୁର କିନ୍ତୁ
ତୋ’ ରୂପରେ କାମନା ଜର୍ଜରିତ ହୁଅନ୍ତି ..।
ତୁ ଜାଣୁନି ଦେବି ! ଅସୁରର ଭଗ୍ନାଂଶରୁ
ଅସଂଖ୍ୟ ଅସୁର ଜନ୍ମନିଅନ୍ତି..
ତୁ କିନ୍ତୁ ଯେଉଁଠି ମିଶୁ ସେଠୁ ଅସହାୟତା କୁହୁଳୁଥାଏ .. !!

ଏଥର ପୁଣି ଆସିଲୁ ଭ୍ରମିତ କରି,
ମନେପକେଇଦେଲୁ ନାରୀର ଗୋଟେ ରୂପ ଦେବୀ, ଅପରପାର୍ଶ୍ୱଟି ବେଦନା ସିକ୍ତ ଅସହାୟତା, ଯନ୍ତ୍ରଣା ବିଜଡିତ ହୃଦୟରେ ବୈକଲ୍ୟ.. ! ପୋଷ ପୋଷ ଲୁହ
ଆଞ୍ଜୁଳା ଆଞ୍ଜୁଳା ଅବଶୋଷ,
ଅଧିକାର, କର୍ତ୍ତବ୍ୟର ପଣ, ସବୁ ଦେଇ
କିଛି ନ ପାଇବାର ଖେଳରେ ସେ ସବୁବେଳେ ହାରେ |
ଜାଣିଛି, ତୋତେ ଏସବୁ କହିଲାବେଳକୁ
ଅନ୍ୟାୟର ସାଗର କୂଳ ଲଂଘୁଥିବ.. !
ତୁ ଜଳସମାଧି ଘେନି ମେଂଚେ କାଦୁଅ ପାଲଟି ସାରିଥିବୁ !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top