– ପୂର୍ବରୁ –
ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।। ୨.୨୭।।
ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ ।
ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ ।
ଇଂରାଜୀରେ ଗୋଟିଏ ଲୋକପ୍ରିୟ ଢଗ ଅଛି, “ମୃତ୍ୟୁ ପରି ସୁନିଶ୍ଚିତ” । ବେଞ୍ଜାମିନ୍ ଫ୍ରାଙ୍କ୍ଲିନ୍ କହିଥିଲେ: “କେବଳ ମୃତ୍ୟୁ ଏବଂ କର ଜୀବନରେ ସୁନିଶ୍ଚିତ ଅଟେ” । ଜୀବନରେ ସବୁଠାରୁ ବଡ ସତ୍ୟ ଏହା ଯେ ଆମେ ସମସ୍ତେ ଦିନେ ମୃତ୍ୟୁ ମୁଖରେ ପଡ଼ିବା । ମନସ୍ତତ୍ତ୍ୱବିତ୍ମାନେ ମୃତ୍ୟୁର ଭୟକୁ ଜୀବନର ସବୁଠାରୁ ବଡ଼ ଭୟ ରୂପେ ବିବେଚନା କରନ୍ତି । ପତଞ୍ଜଳୀ ଯୋଗ ଦର୍ଶନରେ ମଧ୍ୟ ଅଭିନିବେଶ ବା ଯେ କୌଣସି ମୂଲ୍ୟରେ ବଞ୍ଚିରହିବାର ପ୍ରଚେଷ୍ଟାକୁ ମାୟିକ ବୁଦ୍ଧିର ଏକ ଗୁଣ ଭାବରେ ବର୍ଣ୍ଣନା କରାଯାଇଛି । ଯାହାର ଜନ୍ମ ହୁଏ, ତା’ର ମୃତ୍ୟୁ ସୁନିଶ୍ଚିତ । ତେଣୁ ଯେତେବେଳେ କୌଣସି ଘଟଣା ନିଶ୍ଚିତ, ତା ପାଇଁ ଅନୁଶୋଚନା କାହିଁକି ? ମହାଭାରତରେ ଏହିପରି ଏକ ଘଟଣା ବର୍ଣ୍ଣନା କରାଯାଇଛି । ବନବାସ ସମୟରେ, ଦିନେ ଜଙ୍ଗଲରେ ବୁଲୁଥିବା ସମୟରେ ପାଣ୍ଡବମାନେ ତୃଷାଗ୍ରସ୍ତ ହୋଇ ଏକ କୂଅ ନିକଟରେ ପହଞ୍ଚି ଥିଲେ । ଯୁଧିଷ୍ଠିର ଭୀମଙ୍କୁ ସେମାନଙ୍କ ପାଇଁ ପାଣି ଆଣିବାକୁ କହିଲେ । ଭୀମ ଯେତେବେଳେ କୂଅ ପାଖକୁ ଗଲେ, କୂଅ ଭିତରୁ ଜଣେ ଯକ୍ଷ କହିଲେ, “ପ୍ରଥମେ ମୋର ପ୍ରଶ୍ନର ଉତ୍ତର ଦେଲେ ହିଁ ମୁଁ ତୁମକୁ ପାଣି ନେବାକୁ ଅନୁମତି ଦେବି” । ଭୀମ ତାଙ୍କ କଥାକୁ କର୍ଣ୍ଣପାତ ନ କରି ପାଣି କାଢିବାକୁ ଉଦ୍ୟତ ହୁଅନ୍ତେ ଯକ୍ଷ ତାଙ୍କୁ କୁଅ ମଧ୍ୟକୁ ଟାଣି ନେଲେ । କିଛି ସମୟ ପରେ ଭୀମ ନ ଫେରିବାର ଦେଖି, ଯୁଧିଷ୍ଠିର ବ୍ୟସ୍ତ ହୋଇ ଅର୍ଜୁନଙ୍କୁ କ’ଣ ହୋଇଛି ଦେଖିବା ପାଇଁ ଏବଂ ପାଣି ଆଣିବା ପାଇଁ ପଠାଇଲେ । ଅର୍ଜୁନ ଯେତେବେଳେ କୁଅ ନିକଟରେ ପହଞ୍ଚି ଥିଲେ, ତାଙ୍କୁ ମଧ୍ୟ ଯକ୍ଷ କହିଲେ, “ ମୁଁ ତୁମ ଭାଇଙ୍କୁ ବନ୍ଦୀ କରିସାରିଛି । ମୋର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ପୂର୍ବରୁ ପାଣି ନେବା ପାଇଁ ଚେଷ୍ଟା କର ନାହିଁ । ଅର୍ଜୁନ ମଧ୍ୟ ତାଙ୍କ କଥା ଶୁଣିଲେ ନାହିଁ, ଏବଂ ଯକ୍ଷ ତାଙ୍କୁ ମଧ୍ୟ କୁଅ ମଧ୍ୟକୁ ଟାଣିନେଲେ । ତାପରେ ନକୁଳ ଓ ସହଦେବ ସେଠାକୁ ଗଲେ ଏବଂ ସେମାନଙ୍କର ମଧ୍ୟ ସେହି ଦଶା ହେଲା । ଶେଷରେ ଯୁଧିଷ୍ଠିର ନିଜେ କୁଅ ନିକଟକୁ ଆସିଲେ । ଏଥର ମଧ୍ୟ ଯକ୍ଷ କହିଲେ, ତୁମେ ଯଦି କୁଅରୁ ପାଣି ପିଇବାକୁ ଚାହୁଁଛ ତାହେଲେ ମୋ ପ୍ରଶ୍ନର ଉତ୍ତର ଦିଅ, ନଚେତ୍ ତୁମ ଚାରି ଭାଇଙ୍କ ପରି ତୁମକୁ ମଧ୍ୟ ମୁଁ କୁଅ ଭିତରକୁ ଟାଣିନେବି । ଯୁଧିଷ୍ଠିର ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ରାଜି ହେଲେ । ବାସ୍ତବରେ ମୃତ୍ୟୁର ଦେବତା ଯମରାଜ ହିଁ ଛଦ୍ମ ବେଶରେ ଯକ୍ଷ ରୂପରେ ଥିଲେ । ସେ ଷାଠିଏଟି ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଯୁଧିଷ୍ଠିର ସଠିକ ଭାବେ ଦେଇଥିଲେ ।
ତନ୍ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା: କିଂ ଆଶ୍ଚର୍ଯ୍ୟମ୍ ? ସଂସାରରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କ’ଣ ? ଯୁଧିଷ୍ଠିର ଉତ୍ତର ଦେଲେ:
ଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଳୟମ୍
ଶେଷାଃ ସ୍ଥିରତ୍ୱମ୍ ଇଚ୍ଛନ୍ତି କିମାଆଶ୍ଚର୍ଯ୍ୟମତଃ ପରମ୍ (ମହାଭାରତ)
“ପ୍ରତି ମୁହୂର୍ତ୍ତରେ ଲୋକେ ମରୁଛନ୍ତି । ଜୀବିତ ରହିଥିବା ଲୋକେ ଏହିସବୁ ଘଟଣା ଦେଖୁଛନ୍ତି, କିନ୍ତୁ ତଥାପି ସେମାନେ ଚିନ୍ତା କରୁନାହାନ୍ତି ଯେ ଦିନେ ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବେ । ଏହାଠାରୁ ବଳି ଆଶ୍ଚର୍ଯ୍ୟ ଆଉ କ’ଣ ହୋଇପାରେ ? ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବୁଝାଉଛନ୍ତି ଯେ ଜୀବନର ଅନ୍ତ ଅନିବାର୍ଯ୍ୟ ଅଟେ, ତେଣୁ ଜ୍ଞାନୀ ବ୍ୟକ୍ତି ଏପରି ଏକ ନିଶ୍ଚିତ ଘଟଣା ପାଇଁ ଅନୁଶୋଚନା କରିବା ଉଚିତ ନୁହେଁ ।
ପରିଶେଷରେ ପ୍ରଶ୍ନଟିଏ ଉଙ୍କି ମାରିପାରୀ କି ଏ ଆତ୍ମନ ର ଯାତ୍ରା କେଉଁଦିଗରେ ? କ’ଣ ଏ ମାନବ ଜୀବନରେ ଆତ୍ମାର ଉତ୍ଥାନ ସମ୍ଭବ? ଶ୍ରୀ କୃଷ୍ଣ ଏହା ବିଷୟରେ ଶ୍ରୀମଦ୍ଭଗବତ ଗୀତାରେ କହୁଛନ୍ତି।
ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍ ।
ଆତ୍ମେବ ହ୍ୟାତ୍ମନୋ ବନ୍ଧୁରାମୈôବ ରିପୁରାତ୍ମନଃ ।।୫।।
ମନର ଶକ୍ତି ଦ୍ୱାରା ନିଜର ଉତ୍ଥାନ କର, ନିଜର ପତନ କରାଅ ନାହିଁ;
କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।
ଆମର ଉତ୍ଥାନ କିମ୍ବା ପତନ ପାଇଁ ଆମେ ଦାୟୀ ଅଟୁ , ଓ କେବଳ ବିବେକ ଯୁକ୍ତ ମନ ଦ୍ବାରା ଏହାର ଉତ୍ଥାନ ସମ୍ଭବ । ଆମ ପାଇଁ ଅନ୍ୟ କେହି ଭଗବତ୍ ପ୍ରାପ୍ତିର ମାର୍ଗ ଅତିକ୍ରମ କରିବେ ନାହିଁ । ସନ୍ଥ ଏବଂ ଗୁରୁ ଆମକୁ ରାସ୍ତା ଦେଖାଇବେ, କିନ୍ତୁ ଏଥିରେ ଯାତ୍ରା ଆମକୁ ହିଁ କରିବାକୁ ପଡ଼ିବ । ହିନ୍ଦୀରେ ଗୋଟିଏ ଦୋହା ଅଛି; ଏକ୍ ପେଡ୍ ଦୋ ପକ୍ଷୀ ବୈଠେ, ଏକ ଗୁରୁ ଏକ ଚେଲା, ଅପନୀ କରନୀ ଗୁରୁ ଉତରେ, ଅପନୀ କରନୀ ଚେଲା, “ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ବସିଛନ୍ତି – ଜଣେ ଗୁରୁ ଓ ଜଣେ ଶିଷ୍ୟ । ଗୁରୁ ନିଜ କର୍ମ ଦ୍ୱାରା ଓହ୍ଲାଇବେ ଏବଂ ଶିଷ୍ୟ ମଧ୍ୟ ନିଜ କର୍ମ ଦ୍ୱାରା ହିଁ ଓହ୍ଲାଇବାକୁ ସକ୍ଷମ ହେବ ।”
ଏହି ଜନ୍ମ ପୂର୍ବରୁ ଆମର ଅସଂଖ୍ୟ ଜନ୍ମ ରହିଛି ଏବଂ ସବୁ ସମୟରେ ଭଗବତ୍ ପ୍ରାପ୍ତ ମହାପୁରୁଷମାନେ ସଂସାରରେ ରହିଛନ୍ତି । କୌଣସି ଏକ ସମୟରେ ସଂସାରରେ ଯଦି କେହି ସନ୍ଥ ନ ଥାନ୍ତେ, ତେବେ ସେହି ସମୟରେ କୌଣସି ଜୀବ ଭଗବତ୍ପ୍ରାପ୍ତି କରିପାରନ୍ତେ ନାହିଁ । ତାହେଲେ ମନୁଷ୍ୟ ଜୀବନରେ ଜୀବ ନିଜର ଭଗବତ୍ ପ୍ରାପ୍ତିରୂପୀ ଲକ୍ଷ୍ୟ ହାସଲ କରିବ କିପରି ? ସେଥିପାଇଁ ଭଗବାନ ଏହାର ବ୍ୟବସ୍ଥା କରିଥାଆନ୍ତି, ଯେପରି ସବୁ ଯୁଗରେ ମହାପୁରୁଷଗଣ ସଂସାରରେ ରହି, ସାଧକମାନଙ୍କର ପଥ ପ୍ରଦର୍ଶନ କରିବା ସହିତ ମାନବ ସମାଜକୁ ଉଦ୍ବୁଦ୍ଧ କରିପାରିବେ । ଆମର ଅନନ୍ତ ପୂର୍ବ ଜନ୍ମରେ ଆମେ ବହୁବାର ଭଗବତ୍ ପ୍ରାପ୍ତ ମହାପୁରୁଷ ମାନଙ୍କର ସଂସ୍ପର୍ଶରେ ଆସିଥିବା, ଅଥଚ ଏଯାବତ୍ ଆମର ଭଗବତ୍ ପ୍ରାପ୍ତି ହୋଇନାହିଁ । ତା’ର କାରଣ, ମାର୍ଗଦର୍ଶନର ଅଭାବ ନୁହେଁ, ବରଂ ମହାପୁରୁଷମାନଙ୍କର ଉପଦେଶ ଗ୍ରହଣ କରିବା ବା ତାହା ପାଳନ କରିବାରେ ଆମର କୁଣ୍ଠିତ ମନୋଭାବ ଅଟେ । ତେଣୁ ଆମର ବର୍ତ୍ତମାନର ଆଧ୍ୟାତ୍ମିକ ସ୍ଥିତି ପାଇଁ ସର୍ବପ୍ରଥମେ ଆମେ ନିଜକୁ ଦାୟୀ ମନେକରିବା ଉଚିତ । ଏହାଦ୍ୱାରା ଆମର ମନୋବଳ ଦୃଢ଼ ହେବ ଯେ ଯଦି ଆମେ ନିଜକୁ ଏହି ସ୍ଥିତିକୁ ଆଣିପାରିଛୁ ତେବେ ନିଜ ଉଦ୍ୟମରେ ଆମେ ଉଚ୍ଚସ୍ତରକୁ ମଧ୍ୟ ଯାଇପାରିବା ।
ଆଧ୍ୟାତ୍ମିକ ଉନ୍ନତି ପଥରେ ଆମେ ଯେତେବେଳେ କିଛି ବିପର୍ଯୟ ଦେଖିଥାଏ, ଆମେ ଅଭିଯୋଗ କରିଥାଏ ଯେ ଅନ୍ୟମାନେ ଆମ ରାସ୍ତାରେ ସମସ୍ୟା ଉତ୍ପନ୍ନ କରୁଛନ୍ତି ଏବଂ ସେମାନେ ଆମର ଶତ୍ରୁ ଅଟନ୍ତି । କିନ୍ତୁ ଆମର ବଡ଼ ଶତ୍ରୁ ଆମ ନିଜର ମନ ଅଟେ । ଏହା ବିଧ୍ୱଂସକ ରୂପେ ପୂର୍ଣ୍ଣତା ପ୍ରାପ୍ତିର ଆମର ସମସ୍ତ ଉଦ୍ୟମକୁ ବ୍ୟର୍ଥ କରିଦେଇଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ଏକ ପକ୍ଷରେ, ଆତ୍ମାର ସର୍ବଶ୍ରେଷ୍ଠ ହିତାକାଂକ୍ଷୀ ଭାବରେ, ମନଠାରେ ଆମକୁ ସର୍ବାଧିକ ଲାଭାନ୍ୱିତ କରିବାର ଶକ୍ତି ରହିଛି । ଅନ୍ୟ ପକ୍ଷରେ, ଆମର ପରମ ଶତ୍ରୁ ଭାବରେ, ସର୍ବାଧିକ ହାନି କରିବାର କ୍ଷମତା ମଧ୍ୟ ଏହାର ରହିଛି । ଏକ ଶୃଙ୍ଖଳିତ ମନ ଅନେକ ଲାଭଦାୟକ ଉଦ୍ୟମକୁ ସଫଳ କରିପାରେ, ଯେତେବେଳେ କି ଏକ ବିଶୃଙ୍ଖଳ ମନ, ଚେତନାକୁ ନିକୃଷ୍ଟତମ ଚିନ୍ତନ ସ୍ତରକୁ ଖସାଇ ଦେଇପାରେ ।
ତେବେ ଆମେ ଆତ୍ମାକୁ ଆମର ପରମ ମିତ୍ର କରିବା କିପରି?
ଆମର ଆତ୍ମାକୁ ଆମର ପରମ ମିତ୍ର କରିବା ପାଇଁ, ମନର ସ୍ୱଭାବକୁ ଜାଣିବା ଜରୁରୀ ଅଟେ । ଆମର ମନ ଚାରୋଟି ସ୍ତରରେ କାର୍ଯ୍ୟ କରିଥାଏ ।
୧. ମନ: ଯେତେବେଳେ ଏହା ବିଚାର ଉତ୍ପନ୍ନ କରେ, ଏହାକୁ ମନ କୁହାଯାଏ ।
୨. ବୁଦ୍ଧି: ଯେତେବେଳେ ଏହା ବିଚାରର ବିଶ୍ଲେଷଣ କରି ନିଷ୍ପତ୍ତି ନିଏ, ଏହାକୁ ବୁଦ୍ଧି କୁହାଯାଏ ।
୩. ଚିତ୍ତ: ଯେତେବେଳେ ଏହା ବ୍ୟକ୍ତି ବା ବସ୍ତୁଠାରେ ଆସକ୍ତ ହୋଇଯାଏ, ଏହାକୁ ଚିତ୍ତ କୁହାଯାଏ ।
୪. ଅହଂକାର: ଯେତେବେଳେ ଏହା ନିଜକୁ ଶରୀର ମନେକରି ମାୟିକ ଧନ, ପ୍ରତିପତ୍ତି, ସୌନ୍ଦର୍ଯ୍ୟ, ଓ ବିଦ୍ୟା ଇତ୍ୟାଦି ପାଇଁ ଗର୍ବିତ ହୁଏ, ଆମେ ଏହାକୁ ଅହଂକାର କହିଥାଏ ।
ଏହି ଚାରିଗୋଟି ଭିନ୍ନ ଭିନ୍ନ ତତ୍ତ୍ୱ ନୁହଁନ୍ତି । ଏମାନେ କେବଳ ମନର କାର୍ଯ୍ୟ କରିବାର ଚାରୋଟି ସ୍ତର ଅଟନ୍ତି । ତେଣୁ ଏମାନଙ୍କୁ ଆମେ କେବଳ ମନ, ବା ମନ-ବୁଦ୍ଧି, ବା ମନ-ବୁଦ୍ଧି-ଅହଂକାର, ବା ମନ-ବୁଦ୍ଧି-ଚିତ୍ତ-ଅହଂକାର କହିପାରିବା । ଏମାନେ ସମସ୍ତ ଗୋଟିଏ ହିଁ ତତ୍ତ୍ୱକୁ ବୁଝାଇଥାଆନ୍ତି ।
ଆଧ୍ୟାତ୍ମିକତାରେ ଯେଉଁମାନେ ଉଚ୍ଚ କକ୍ଷରେ ଅବସ୍ଥାପିତ, ସେମାନେ ଅହଂକାରକୁ ଦମନ କରିଥାଆନ୍ତି, ଯିଏ ଆମକୁ କର୍ମର କର୍ତ୍ତା ଭାବରେ ଅଭିମାନଯୁକ୍ତ କରିଥାଏ । ସେପରି ସ୍ଥିତିରେ ଜଣେ ଉପଲବ୍ଧି କରିପାରେ ବାସ୍ତବରେ ଆତ୍ମା କିଛି କରେ ନାହିଁ । ଏହିପରି ଉଚ୍ଚକୋଟିର ଆତ୍ମା, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ସେ ନିଜକୁ ଜ୍ଞାନର ସେହି ଉଚ୍ଚସ୍ତରକୁ ନେଇ ଯାଆନ୍ତୁ ଏବଂ ନିଜକୁ ଅକର୍ତ୍ତା ବିବେଚନା କରି ସମସ୍ତ ଅହଂକାର ତ୍ୟାଗ କରି, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ଏବଂ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତୁ ନାହିଁ ।
ଏଠାରେ ବ୍ୟବହାର କରାଯାଇଥିବା ଅହଂକାର ଶବ୍ଦର ଅର୍ଥ ଫ୍ରଏଡ଼ିଆନ ମନୋବିଜ୍ଞାନର ଶବ୍ଦାର୍ଥ ଠାରୁ ଭିନ୍ନ ଅଟେ । ସିଗ୍ମଣ୍ଡ ଫ୍ରଏଡ୍ (୧୮୫୬-୧୯୩୯), ଅଷ୍ଟ୍ରିୟାର ଜଣେ ସ୍ନାୟୁବିଶେଷଜ୍ଞ, ମନ କିପରି କାର୍ଯ୍ୟ କରେ, ସେ ସମ୍ପର୍କରେ ମନୋବିଜ୍ଞାନର ପ୍ରଥମ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ । ତାଙ୍କ ମତରେ, ଅହଂକାର ‘ବାସ୍ତବ ମୁଁ’ ଅଟେ, ଯାହା ଆମର ଅଦମ୍ୟ ଇଚ୍ଛା (ଇଡ୍) ଏବଂ ସାମାଜିକ-ନୈତିକ ମୂଲ୍ୟବୋଧ (ବିବେକ) ମଧ୍ୟରେ ଏକ ସେତୁ ରୂପେ କାର୍ଯ୍ୟ କରିଥାଏ ।
ଭିନ୍ନ ଭିନ୍ନ ଶାସ୍ତ୍ର, ସେଥିରେ ବର୍ଣ୍ଣିତ ତତ୍ତ୍ୱକୁ ସ୍ପଷ୍ଟ କରିବା ଉଦ୍ଦେଶ୍ୟରେ, ମନର ବ୍ୟବହାର ଉପରୋକ୍ତ ଚାରିପ୍ରକାର ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରକାରରେ କରିଥାଆନ୍ତି । କିନ୍ତୁ ସମସ୍ତେ ସେହି ଗୋଟିଏ ଆଭ୍ୟନ୍ତରୀଣ ଉପକରଣକୁ ଇଶାରା କରିଥାଆନ୍ତି, ଯାହାକୁ ଗୋଟିଏ ଶବ୍ଦରେ ଅନ୍ତଃକରଣ, ବା ମନ କୁହାଯାଏ ।
ଉଦାହରଣ ସ୍ୱରୂପ:
– ପଞ୍ଚଦଶୀ ଏହି ଚାରୋଟି ସ୍ତରକୁ ଏକତ୍ର ‘ମନ’ କହିଥାଏ, ଏବଂ ତାହାକୁ ଭୌତିକ ବନ୍ଧନର କାରଣ ରୂପେ ଅଭିହିତ କରିଥାଏ।
– ଭଗବଦ୍ ଗୀତାରେ, ଶ୍ରୀକୃଷ୍ଣ ମନ ଓ ବୁଦ୍ଧିକୁ ଦୁଇଟି ତତ୍ତ୍ୱ ରୂପେ ବିବେଚନା କରି, ସେମାନଙ୍କୁ ଭଗବାନଙ୍କର ଶରଣାଗତ କରିବାର ଆବଶ୍ୟକତା ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି ।
– ଯୋଗଦର୍ଶନ, ପ୍ରକୃତିର ଭିନ୍ନ ଭିନ୍ନ ଉପାଦାନମାନର ବିଶ୍ଲେଷଣ କରିବାକୁ ଯାଇ, ତିନୋଟି ତତ୍ତ୍ୱର ଉଲ୍ଲେଖ କରିଥାଏ; ମନ, ବୁଦ୍ଧି ଓ ଅହଂକାର ।
– ଶଙ୍କରାଚାର୍ଯ୍ୟ, ଆତ୍ମା ନିମନ୍ତେ ଉପଲବ୍ଧ ଉପକରଣର ବ୍ୟାଖ୍ୟା କରିବାକୁ ଯାଇ, ମନକୁ ଚାରି ଶ୍ରେଣୀରେ ବିଭକ୍ତ କରିଛନ୍ତି- ମନ, ବୁଦ୍ଧି, ଚିତ୍ତ ଏବଂ ଅହଂକାର ।
ଅତଏବ, ଶ୍ରୀକୃଷ୍ଣ ଯେତେବେଳେ କହୁଛନ୍ତି ମନର ଉପଯୋଗ କରି ନିଜର ଉତ୍ଥାନ କର, ତାଙ୍କର ତାତ୍ପର୍ଯ୍ୟ, ଉଚ୍ଚତର ମନ ଦ୍ୱାରା ନିମ୍ନତର ମନର ଉତ୍ଥାନ କରିବା ଅଟେ । ଅନ୍ୟ ଶବ୍ଦରେ, ଆମେ ବୁଦ୍ଧିର ଉପଯୋଗ କରି ମନକୁ ନିୟନ୍ତ୍ରଣ କରିବା ଉଚିତ । ଶ୍ରୀକୃଷ୍ଣ ଆତ୍ମା ସମ୍ବନ୍ଧୀୟ ପଶ୍ଚାଚାପର କାରଣ ଶ୍ଲୋକ ୨.୨୦ରେ ଏବଂ ଶରୀର ସମ୍ବନ୍ଧୀୟ ପଶ୍ଚାତାପର କାରଣକୁ ଶ୍ଲୋ ୨.୨୭ରେ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ଉଭୟକୁ ସେ ଏହି ଶ୍ଲୋକରେ ସମାହିତ କରିଛନ୍ତି । ଦେବର୍ଷି ନାରଦ ଯୁଧିଷ୍ଠିରଙ୍କୁ ଏହି ଅନୁରୂପ ଉପଦେଶ ଶ୍ରୀମଦ୍ ଭାଗବତମ୍ରେ ଦେଇଛନ୍ତି :
ଯନ୍ ମନ୍ୟସେ ଧ୍ରୁବଂ ଲୋକଂ ଅଧ୍ରୁବଂ ବା ନ ଚୋଭୟମ୍
ସର୍ବଥା ନ ହି ଶୋଚ୍ୟାସ୍ତେ ସ୍ନେହାଦ୍ ଅନ୍ୟତ୍ର ମୋହଜାତ୍ (୧.୧୩.୪୪)
ବ୍ୟକ୍ତିକୁ ତୁମେ ନିତ୍ୟ ଆତ୍ମା ରୂପେ କିମ୍ବା କ୍ଷଣସ୍ଥାୟୀ ଶରୀର ରୂପେ ବିଚାର କରିପାର ଅଥବା ଆତ୍ମା ଓ ଶରୀରର ଏକ ଅଚିନ୍ତ୍ୟ ମିଶ୍ରଣ ରୂପେ ପରିକଳ୍ପନା କରିପାର, କୌଣସି ସ୍ଥିତିରେ ତୁମେ ତାହା ସମ୍ବନ୍ଧରେ ଶୋଚନା କରିବା ଉଚିତ ନୁହେଁ ।
ମାୟିକ କ୍ଷେତ୍ରରେ, ପ୍ରତ୍ୟେକ ଆତ୍ମା ତିନି ପ୍ରକାରର ଶରୀର ଦ୍ୱାରା ଆବଦ୍ଧ ଥାଏ- ସ୍ଥୁଳ ଶରୀର, ସୁକ୍ଷ୍ମ ଶରୀର, କାରଣ ଶରୀର ।
ସ୍ଥୂଳ ଶରୀର: ପ୍ରକୃତିର ପାଞ୍ଚ ପ୍ରକାର ସ୍ଥୁଳ ଉପାଦାନରେ ଗଠିତ: ପୃଥିବୀ, ଜଳ, ତେଜ, ବାୟୁ ଏବଂ ଆକାଶ ।
ସୂକ୍ଷ୍ମ ଶରୀର: ଅଠରଟି ଉପାଦାନରେ ଗଠିତ: ପଞ୍ଚ ପ୍ରାଣ ବାୟୁ, ପାଞ୍ଚ କର୍ମେନ୍ଦ୍ରିୟ, ପାଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି ଏବଂ ଅହଂକାର ।
କାରଣ ଶରୀର : ଅନନ୍ତ ଜନ୍ମର ସଂଚିତ କର୍ମକୁ ନେଇ କାରଣ ଶରୀର ଗଠିତ ।
ମୃତ୍ୟୁରେ ଆତ୍ମା ସ୍ଥୁଳ ଶରୀର ତ୍ୟାଗ କରି ସୂକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଗମନ କରିଥାଏ । ଭଗବାନ ଆତ୍ମାର ସୂକ୍ଷ୍ମ ଶରୀର ଓ କାରଣ ଶରୀର ଅନୁସାରେ ତାକୁ ଏକ ସ୍ଥୁଳ ଶରୀର ପ୍ରଦାନ କରିଥାନ୍ତି ଏବଂ ସେହି ଉଦ୍ଦ୍ୟେଶରେ ଏକ ଉପଯୁକ୍ତ ମାତୃ ଗର୍ଭକୁ ପଠାଇ ଦିଅନ୍ତି । ଆତ୍ମା ଗୋଟିଏ ସ୍ଥୁଳ ଶରୀର ତ୍ୟାଗ କରି ଅନ୍ୟ ଏକ ନୂତନ ସ୍ଥୁଳ ଶରୀର ପ୍ରାପ୍ତ କରିବା ମଧ୍ୟରେ ଏକ ସଂକ୍ରମଣକାଳୀନ ଅବଧି ରହିଥାଏ, ଯାହା କେତେ ସେକେଣ୍ଡ ଠାରୁ ଆରମ୍ଭ କରି କେତେ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ତେଣୁ ଜନ୍ମ ପୂର୍ବରୁ ଆତ୍ମା ସୁକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଅବ୍ୟକ୍ତ ଭାବରେ ରହିଥାଏ । ମୃତ୍ୟୁ ପରେ ମଧ୍ୟ ଏହା ଅବ୍ୟକ୍ତ ସ୍ଥିତିରେ ରହେ । ମଝିରେ କେବଳ ଏହା ପ୍ରକଟ ହୋଇଥାଏ । ତେଣୁ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବାର କୌଣସି ଯଥାର୍ଥତା ନାହିଁ ।
ଆଶ୍ଚର୍ଯ୍ୟବତ୍ପଶ୍ୟତି କଶ୍ଚିଦେନ-
ମାଶ୍ଚର୍ଯ୍ୟବଦ୍ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ଯ୍ୟବଚ୍ଚୈନମନ୍ୟଃ ଶୃଣୋତି
ଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ ।।୨୯।।
କେହି କେହି ଆତ୍ମାକୁ ଏକ ଆଶ୍ଚର୍ଯ୍ୟ ରୂପରେ ଦେଖନ୍ତି, କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରିଥାଆନ୍ତି । ପୁଣି କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଏବଂ ଆଉ କେତେକ ଏହାକୁ ଶୁଣିଲେ ମଧ୍ୟ ବୁଝିପାରନ୍ତି ନାହିଁ ।
କ୍ଷୁଦ୍ରାତି କ୍ଷୁଦ୍ର ପରମାଣୁ ଠାରୁ ଆରମ୍ଭ କରି ଅତି ବୃହତ୍ ଛାୟାପଥ ପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଏକ ଚମତ୍କାର ଅଟେ, କାରଣ ସେସବୁ ଭଗବାନଙ୍କର ଅଦ୍ଭୁତ ସୃଷ୍ଟି ଅଟେ । ଛୋଟ ଗୋଲାପଟିଏ ତାର କମନୀୟତା, ସୁଗନ୍ଧ ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେତେ ଅଦ୍ଭୁତ! ପରମ ଆଶ୍ଚର୍ଯ୍ୟ ସ୍ୱୟଂ ଭଗବାନ ଅଟନ୍ତି । ଏପରି କୁହାଯାଏ ଯେ ଅନନ୍ତ ଶେଷ, ଯାହା ଉପରେ ଭଗବାନ ବିଷ୍ଣୁ ଶୟନ କରିଥାଆନ୍ତି, ସୃଷ୍ଟିର ପ୍ରାରମ୍ଭରୁ ନିଜର ଦଶ ସହସ୍ର ମୁଖରେ ଭଗବାନଙ୍କର ଯଶଗାନ କରି ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିପାରି ନାହାଁନ୍ତି ।
ଆତ୍ମା, ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବା ଦୃଷ୍ଟିରୁ ଆହୁରି ଆଶ୍ଚର୍ଯ୍ୟଜନକ ଅଟେ, କାରଣ ଏହା ଭୌତିକ ସ୍ଥିତିର ଅନୁଭବାତୀତ ଅଟେ । ଯେପରି ଭଗବାନ ଦିବ୍ୟ ଅଟନ୍ତି, ତାଙ୍କରି ଅଂଶ ଆତ୍ମା ମଧ୍ୟ ଦିବ୍ୟ ଅଟେ । ଏହି କାରଣରୁ, କେବଳ ବୁଦ୍ଧି ବଳରେ ଏହାକୁ ବୁଝିବା ସମ୍ଭବ ନୁହେଁ କାରଣ ଏହାର ଅସ୍ତିତ୍ୱ ଓ ସ୍ୱରୂପ ବିଷୟରେ କଳନା କରିବା କଠିନ ଅଟେ । କଠୋପନିଷଦ କହେ:
ଶ୍ରବଣାୟାପି ବହୁଭିର୍ୟ୍ୟୋ ନ ଲଭ୍ୟଃ ଶୃଣ୍ୱନ୍ତୋଽପି ବହବୋ ଯଂ ନ ବିଦ୍ୟୁଃ ।
ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋଽସ୍ୟ ଲବ୍ଧାଽଶ୍ଚର୍ଯ୍ୟୋ ଜ୍ଞାତା କୁଶଳାନୁଶିଷ୍ଟଃ ।।(୧.୨.୭)
ଜଣେ ଆତ୍ମଜ୍ଞାନୀ ଶିକ୍ଷକ ଅବା ଗୁରୁ ଦୁର୍ଲଭ ଅଟନ୍ତି । ଏହିପରି ଜଣେ ଶିକ୍ଷକ ଅବା ଗୁରୁଙ୍କ ଠାରୁ ଆତ୍ମ ଜ୍ଞାନର ବିଦ୍ୟା ଶ୍ରବଣ କରିବାର ସୁଯୋଗ ଆହୁରି ଦୁର୍ଲଭତର । ସୌଭାଗ୍ୟବଶତଃ ସେପରି ସୁଯୋଗ ଯଦି ମିଳେ, ତେବେ ସେହି ବିଷୟକୁ ହୃଦୟଙ୍ଗମ କରିପାରୁଥିବା ଭଳି ବିଦ୍ୟାର୍ଥୀ ଦୁର୍ଲଭତମ ଅଟନ୍ତି । ସେଥିପାଇଁ ଜଣେ ଜ୍ଞାନୀ ପୁରୁଷ କେବେ ବି ହତୋତ୍ସାହିତ ହୁଅନ୍ତି ନାହିଁ ଯେ ତାଙ୍କର ଆନ୍ତରିକ ଉଦ୍ୟମ ସତ୍ତ୍ୱେ, ଆତ୍ମା ସମ୍ବନ୍ଧୀୟ ବିଜ୍ଞାନ ବିଷୟରେ ଜାଣିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରନ୍ତି ନାହିଁ ବା ଆଗ୍ରହୀ ହେଲେ ମଧ୍ୟ ବୁଝି ପାରନ୍ତି ନାହିଁ । ଭକ୍ତକବି ଆହ୍ୱାନ ଦେଉଛନ୍ତି , “ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ, ନିଃଶବ୍ଦ ଜୀବନସ୍ରୋତ ଧାଉଁଛି କିପରି” । ହେ ଆତ୍ମନ୍ , ସେ ଆହ୍ୱାନ ମୁଁ ଶୁଣିପାରିଛି।
ଶବ୍ଦ ସରିପାରେ , ସରିପାରେ ଲେଖନୀର କାଳି,
ହେ ଆତ୍ମନ ! ପ୍ରକଟିବ ନାହିଁ ଆତ୍ମା ତତ୍ତ୍ବ
ଦିବା ନିଶି ଭାଳି ଭାଳି
ଅତଏବ , ଉଠି ଠିଆ ହେବି , ଜାଗ୍ରତ ହେବି ମୁଁ
ଜ୍ଞାନାଞ୍ଜନ ବେନି ନେତ୍ରେ ମଳି
ସତ୍ୟ ଯୁଗରେ ବଞ୍ଚିବି, ତ୍ୟଜି ଯୁଗ ଦଣ୍ଡ କଳି
