ଅଣୁଗଳ୍ପ

ମିକୁର ପ୍ରଥମ ବର୍ଷା

Suhani Rout's odia short story Mikura Prathama Barshaa

ପବନର ଏମିତି ଦୁଷ୍ଟାମି ଦେଖି ଖିଲି ଖିଲି ହୋଇ ହସି ଉଠୁଥାଏ ମିକୁ । ହେଲେ ତାର ସେ ହସ କିଛି କ୍ଷଣରେ ଉଭେଇ ଗଲା ଯେବେ ହଠାତ୍ ଗୋଟେ ମୋଟର ଗାଡି ଆସି ସେ ଗୁଣ୍ଡୁଚି ମୂଷାଟି କିଛି ପ୍ରତିକ୍ରିୟା ଦେବା ଆଗରୁ ହିଁ ଚାଲି ଯାଇଥିଲା ତା ଉପର ଦେଇ ।

ହୃଦୟର ସ୍ତବ୍ଦ ବାତାବରଣକୁ ଝୁମାଇ ପକାଉଥିବା ଭିଜା ମାଟିର ସେ ବାସ୍ନା ଯେମିତି ପବନରେ ଭାସି ଭାସି ଆସୁଥାଏ ଆଉ ମେଞ୍ଚା ମେଞ୍ଚା ହୋଇ ବାଡ଼େଇ ଦେଇ ଯାଉଥାଏ ମିକୁର କୁନି ଶ୍ୱାସନଳୀର ପତଳା ଦରଜାଟିକୁ । ଦଲକାଏ ଦଲକାଏ ବର୍ଷା ଛିଟା ଆସି ଅଟକାଇ ଦେଉଥାନ୍ତି ତାର କୋମଳ ସୂକ୍ଷ୍ମ ଆଖି ପତାଗୁଡ଼ିକୁ ଯେମିତି ସେ ଛିଟା ସବୁ ସାଥୀ ହୋଇ ବାଟ ଓଗାଳି କହୁଥାନ୍ତି ଆଉ କିଛି କ୍ଷଣ ସେ ସେଇଠି ଅଟକି ଯାଆନ୍ତା କି ତାର କୁନି ହୃଦୟ ସେ ମୂହୁର୍ତ୍ତକୁ ଆଖି ବନ୍ଦ୍ କରି  ସେମିତି ଅନୁଭବ କରି ଚାଲନ୍ତା କି । ହେଲେ ବର୍ଷାର ସେ ପିଲାଳିଆମି ଆଗରେ ମିକୁ ହାରିଯିବା ଆଗରୁ ହିଁ ମାଆ  ମିକୁର ଟିକି ମୁହଁକୁ ଚନ୍ଦ୍ରମା ସୂର୍ଯ୍ୟଙ୍କୁ ଢାଙ୍କିଲା ପରି ନିଜ ସୂତା ଶାଢ଼ୀର କାନିରେ ଘୋଡାଇ ଦେଲେ । ହେଲେ ତାର ବଡ ବଡ ଆଖିରେ ସେ ଦୁଷ୍ଟ ଡୋଳା ଦୁଇ କାନିର ଝାପସା କ୍ଷୁଦ୍ର କଣା ଦେଇ ବାହାରକୁ ଦେଖିବା ପାଇଁ ଏପାଖ ସେପାଖ ବାଟ ଖୋଜୁ ଥାଆନ୍ତି । ବର୍ଷାର ଏ ମନ ଛୁଆଁ ଅନୁଭବ ହୁଏତ ୭ ବର୍ଷର କୁନି ଝିଅ ମିକୁ ପାଇଁ ଖୁବ୍ ନୂଆ ଥିଲା ତାହା ତାର ବଡ ବଡ ଆଖି ଦୁଇରେ ଭରି ରହିଥିବା କୌତୁହଳରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ପାଦରେ ଥିଲା ତାର ନାଲି ରଙ୍ଗର ପ୍ରିୟ ଯୋତା ଯାହାକୁ ପିନ୍ଧି  ସେ ସେଇ ଆବଡ଼ା ଖାବଡ଼ା ରାସ୍ତାରେ ନାଚି ନାଚି ଚାଲି ଥାଏ ପମ୍ ପମ୍ ଶବ୍ଦ କରି । ସେ ଶବ୍ଦ ଶୁଣିବାକୁ ମିକୁକୁ ଭାରି ମଜା ଆସୁଥାଏ । ମାଟି ରାସ୍ତାର ସେ ନାରଙ୍ଗୀ ପଥର ଗୁଡ଼ିକ ଯେପରି ତ୍ରିଭୁଜ ବର୍ଗକ୍ଷେତ୍ର ବୃତ୍ତ ପରି ମନେ ହେଉ ଥାଏ ଯାହା ତାକୁ ମାଆ ପଢ଼ାଇ ଥିଲେ ସେ ସବୁକୁ ମିକୁ ବଡ ଧ୍ୟାନର ସହ ନିରୀକ୍ଷଣ କରି ଆଗେଇ ଚାଲି ଥାଏ ।

ହେଲେ ହଠାତ୍ ସେଇ ନିରୀକ୍ଷଣ କରୁ ଥିବା ତାର ଦୁଇ ଆଖି ବାଟରେ ପଡ଼ି ଥିବା ବଡ ପଥର ଖଣ୍ଡଟିକୁ ନିରୀକ୍ଷଣ କରି ପାରିଲା ନାହିଁ । ଫଳରେ ତାର ଯୋତା ଦୁଇ ପଥର ସହ ଯୁଦ୍ଧ କରି ହାରି ଯିବାରୁ ମୁହଁ ମାଡ଼ି ସେଇ ମାଟି ରାସ୍ତାରେ ପଡ଼ି ଯାଏ ମିକୁ । ମୁହଁ ଉଠାଇ ଆଉ ସେ କାନ୍ଦିବ କଣ ?? ଯେତେବେଳେ ସେ ମୁହଁ ଉପରକୁ ଉଠାଏ ତାକୁ ଦେଖୁ ଥାଏ ଆଉ ଦୁଇ ହଳ କୁନି ଆଖି । ସେ ଆଖି ଦୁଇ ଥାଏ ଗୋଟେ କୁନି ଗୁଣ୍ଡୁଚି ମୂଷା ଛୁଆର । ଜୁଳୁ ଜୁଳୁ କରି ତାର କିଟି କିଟି କଳା ଭ୍ରମର ପରି ଆଖିରେ ସେ ଚାହିଁ ରହିଥାଏ ଯେପରି ମଣିଷ ଛୁଆ ଟିଏ ସେ ପ୍ରଥମ ଥର ପାଇଁ ଦେଖୁଛି । ମିକୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଥାଏ ଏପରି ଜୀବ ସେ ଯେ ଆଗରୁ କେବେ ଦେଖି ନଥିଲା । ତାର କୋମଳ ଶରୀର ମିକୁକୁ କଣ୍ଢେଇ ଟିଏ ପରି ଦୃଶ୍ୟମାନ ହେଉଥାଏ । ହେଲେ ଯେମିତି ସେ କୌତୁହଳରେ ତାକୁ ଧରିବାକୁ ହାଥ ଆଗକୁ ବଢ଼ାଇଛି ଗୋଟିଏ ଡ଼ିଆଁରେ ଆଖି ପିଛୁଳାକେ ସର୍ କରି ପାଖ ବୁଢ଼ା କୃଷ୍ଣଚୂଡ଼ା ଗଛ ଉପରକୁ ଚଢି ଯାଇ ଅଧା ବାଟରେ ବସି ରହି ମିକୁକୁ ଚାହିଁଥାଏ  ମିକୁ ଦୁନିଆର ସେ ନୂତନ ଜୀବଟା।

ଏତେ ସବୁ ଘଟଣା ଘଟିବା ଭିତରେ ମିକୁ ଯେ ନିଜକୁ ପୁରା ପୁରି ଭୁଲିଯାଇ ଥାଏ । ତାର ଦେହରେ ଲାଗି ଥିବା କାଦୁଅ ଯେ ତାକୁ ଅନୁଭବ ହିଁ ହେଉ ନ ଥାଏ । ମିକୁର ଏମିତି ଅବସ୍ଥା ଦେଖି ମାଆ ହସି ହସି ତାର ଜାମାକୁ ଝାଡି ଦେଉଥାନ୍ତି ହେଲେ ମିକୁ କି ସେ ସବୁକୁ ଖାତିର କରେ ?? ତାର ଆଖି ତ ଖାଲି ଖୋଜୁ ଥାଏ ସେଇ ଜୀବକୁ। ” କି ସୁନ୍ଦର୍ ଦିସୁଛି ସେ !!! ତାର ସେ ଚକମକିଆ ଆଖି  ବାବାଙ୍କ କଳା ଦାମିକିଆ ଚଷମା ଠାରୁ ବି ଅଧିକ ଚମକୁଛି । ଏତେ ଜୋର୍‌ରେ ଦୌଡି ସେ ଗଛରେ କେମିତି ଚଢ଼ି ଗଲା ଯଦି ମୁଁ ତା ସାଙ୍ଗ ହୁଅନ୍ତି ସେ ମୋତେ ବି ଚଢ଼ିବାକୁ ଶିଖାଇ ଦିଅନ୍ତା କେତେ ମଜା ହୁଅନ୍ତା । ” ଏମିତି କେତେ କଣ କଥା ଘୁରି ବୁଲୁଥାଏ ମିକୁ ମନ ସାରା । ହଠାତ୍ ଦଲକାଏ ପବନ ସହ ମେଞ୍ଚାଏ କୃଷ୍ଣଚୂଡ଼ା ଫୁଲ ଆସି ଖୁସିରେ ଆଲିଙ୍ଗନ କରି ପକାଇଲା ତାକୁ ସେଇ ଆଲିଙ୍ଗନରେ କୁନି ଝିଅ ମିକୁ ତାର ଭାବନା ରାଇଜରୁ ଭ୍ରମିତ ହୋଇଗଲା ।

ମିକୁ ଫୁଲଗୁଡ଼ିକ ଉଠାଇବାକୁ ପବନ ସହ ଉଡ଼ି ଯାଉଥିବା ଫୁଲ ପଛରେ ଦୌଡିବାକୁ ଲାଗିଲା । କୁନି କୁନି କୃଷ୍ଣଚୂଡ଼ା ଫୁଲ କେତେଟା ହାଥରେ ଧରି ମିକୁ ପଛକୁ ବୁଲିପଡେ ତ ହଠାତ୍ ତାକୁ ଶୁଭେ ଖୁବ୍ ଜୋରେ ଘୋ ଘା ର ଶଦ୍ଦ । ନିଜ ଦୁଇ ଛୋଟ ଛୋଟ ହାତରେ କାନକୁ ଚାପି ଦେଇ ଆଶ୍ଚର୍ଯ୍ୟ ହୋଇ ଚାହେଁ ସେ ପଛକୁ । ସେ ଦେଖେ ଅନେକ ଲୋକ ଦଳ କରି ପିମ୍ପୁଡ଼ି ମିଠାକୁ ଘେରି ଗଲା ପରି ଗୋଲ ହୋଇ ଛିଡ଼ା ହୋଇ ରହିଛନ୍ତି । ଏତେ ସଂଖ୍ୟାରେ ଲୋକ ଠୁଳ ହୋଇଛନ୍ତି କିଏ କାହାକୁ କିଛି ଗୋଟାଏ କହୁଛି ତ ପୁଣି  କିଏ ନିଜ ଫୋନ୍ କାଢି ଭିଡିଓ କରୁଛି । ସେ ବୁଝି ପାରୁ ନଥାଏ ଲୋକମାନେ ଏମିତି ଗୋଲ ହୋଇ କାହିଁକି ଛିଡ଼ା ହୋଇଛନ୍ତି । ସେ ଗୋଲ ଭିତରେ କିଏ ଅଛି ଦେଖିବା ପାଇଁ ସେ ଆଣ୍ଠୁ ମାଡ଼ି ଲୋକମାନଙ୍କ ଗୋଡ଼ ତଳୁ ଥିବା ଫାଙ୍କା ଦେଇ ଦେଖିବାକୁ ଚେଷ୍ଟା କରେ ତ ଦେଖେ ଲୋକ ଟିଏ ପଡ଼ି ରହିଛି । ତାର ମନରେ ପ୍ରଶ୍ନ ଉଙ୍କି ମାରେ, ” ଆରେ ଏ ଲୋକଟା ଏମିତି ରାସ୍ତା ମଝିରେ ପଡ଼ି ରହିଛି କାହିଁକି ?? ତାର କଣ ଘର ନାହିଁ ?? ” ଏତିକି ଭାବିବା ଭିତରେ ମିକୁର ହାତକୁ ନିଜ ଆଡକୁ ଟାଣି ଆଣିଲେ ମାଆ। ମାଆଙ୍କ ରାଗରୁ ବଞ୍ଚିବା ପାଇଁ ସୁନା ପିଲାଟିଏ ପରି ମାଆଙ୍କ କାନିରେ ମୁହଁ ଲୁଚାଇ ପକାଇ ମିକୁ । ମାଆ ତା ହାତକୁ ଟାଣି ଆଣି ନିଜ ପାଖରେ ଛିଡ଼ା କରି ଦିଅନ୍ତି । ହେଲେ ମିକୁର ଦୃଷ୍ଟିରେ ଆସେ ପୁଣି ସେଇ ଗୁଣ୍ଡୁଚି ମୂଷା ଛୁଆଟିଏ । ଗଛର ଲତା ଗୁଡ଼ିକୁ ଚୁମ୍ବନ କଲା ପରି କେବେ ଏ ପତ୍ର ତ ପୁଣି କେବେ ସେ ପତ୍ରକୁ ଟିକେ ଟିକେ କରି ଛୁଇଁ ଆସି ଲତାର ସୂକ୍ଷ୍ମ ଦେହରେ ଦୋଳି ଖେଳୁ ଥାଏ ସେ ଜୀବ ଟିଏ । ହେଲେ ପବନ ଯେ ଭାରି ଦୁଷ୍ଟ ତାର ଏମିତି ଖୁସିରେ ଦୋଳି ଖେଳିବାର ମଜାକୁ ସହି ନ ପାରି ଆସି ବାଡ଼େଇ ହୋଇ ଯାଏ ସେଇ ଲତା ଦେହରେ । ଲତାରୁ ଭାରସାମ୍ୟ ହରାଇ ଗୁଣ୍ଡୁଚି ମୂଷାଟି ଖସି ପଡିଲା ରାସ୍ତା ଉପରେ ଠୁଳ ହେଇଥିବା କେତେଟା ପତ୍ର ଉପରେ।

ପବନର ଏମିତି ଦୁଷ୍ଟାମି ଦେଖି ଖିଲି ଖିଲି ହୋଇ ହସି ଉଠୁଥାଏ ମିକୁ । ହେଲେ ତାର ସେ ହସ କିଛି କ୍ଷଣରେ ଉଭେଇ ଗଲା ଯେବେ ହଠାତ୍ ଗୋଟେ ମୋଟର ଗାଡି ଆସି ସେ ଗୁଣ୍ଡୁଚି ମୂଷାଟି କିଛି ପ୍ରତିକ୍ରିୟା ଦେବା ଆଗରୁ ହିଁ ଚାଲି ଯାଇଥିଲା ତା ଉପର ଦେଇ । ଚିତ୍କାର କରି ଉଠିଲା ମିକୁ ଖନି ମାରି ଯାଉଥିବା ପାଟିରେ , ” ମାଆ …. ମାଆ ତାକୁ ଧଅ……. ” । ହେଲେ ୟା ଆଗରୁ କି ତା ମାଆ ମିକୁ କଥା ଶୁଣି ଆଗକୁ ବଢ଼ନ୍ତୁ ସେହି ପରିବେଶରେ ପ୍ରବେଶ କରି ସାରିଥିଲା ଆଉ ଏକ ଜୀବ । ସେ ଜୀବ ଟିଏ ଗୋଟାଏ କୁକୁର ହେଲେ ସେ କୁକୁର ଟି ଗୁଣ୍ଡୁଚି ମୂଷାଟିକୁ କ୍ଷତି କରିବାକୁ ଚେଷ୍ଟା କରୁ ନ ଥାଏ । ସେ ଥିଲା ତାର ଅତି ପ୍ରିୟର ବନ୍ଧୁ ଯିଏ ତା ବନ୍ଧୁ ସହ ଘଟିଥିବା ଏ ଲୋମହର୍ଷକାରୀ ଦୃଶ୍ୟ ଦେଖି ଛାତି ସମ୍ଭାଳି ରହି ନ ପାରି ଦୌଡି ଆସିଛି । ମିକୁ ଅବାକ୍ ହୋଇ ଚାହିଁ ରହିଥାଏ ଆଉ ସେ କୁକୁର ଟି ବିକଳ ହୋଇ ତାର ପାଣିରେ ପୂର୍ଣ୍ଣ ପରି ଝଲସୁଥିବା ଆଖି ରେ  ବିକଳ ହୋଇ ଚାରି ଆଡକୁ ଥରେ ଆଖି ବୁଲାଇ ଆଣି ପୁଣି ଥାଏ   ଚାହୁଁ ଥାଏ ଗୁଣ୍ଡୁଚି ମୂଷାଟିକୁ । ଗୋଡ଼କୁ ଏପଟ ସେପଟ ପକାଇ ତାକୁ ଶବ୍ଦ ମାଧ୍ୟମରେ ଉଠାଇବାକୁ ଚେଷ୍ଟା କରୁଥାଏ । ନିଜ ନାକରେ ବାରମ୍ବାର ସେ ଚେତା ଶୂନ୍ୟ ଜୀବଟିକୁ ଠେଲି ବାକୁ ଚେଷ୍ଟା କରୁଥାଏ କାଳେ ସେ ଥରେ ଆଖି ଖୋଲି ଚାହିଁବ ହେଲେ ତା ଯେ ବୃଥା ବୋଲି ମନେ ହେଉ ଥାଏ । ଏତିକି ବେଳେ ମିକୁ ମୁଣ୍ଡକୁ କିଛି ଗୋଟାଏ ଠୁକିଲା ଆଉ ମାଆଙ୍କ ହାତ ଛାଡ଼ି ଦେଇ ସେ ସଙ୍ଗେ ସଙ୍ଗେ ନିଜର ଯୋତା ଓହ୍ଲେଇ ଦେଇ ଦୌଡିଲା ତାଙ୍କରି ଆଡକୁ। ସେ କୁକୁରଟି ସାହାର୍ଯ୍ୟର ଆଶାରେ ମିକୁ ଚାରି ପଟେ କୁଦା ମାରୁ ଥାଏ । ଦେଖୁ ଦେଖୁ ନିଜ ଯୋତା ମଧ୍ୟରେ ଛୋଟ ଗୁଣ୍ଡୁଚି ମୂଷାକୁ ପୁରାଇ ସଡ଼କ କଡ଼କୁ ଦୌଡିଲା ମିକୁ ଆଉ ତା ପଛରେ ଗୁଣ୍ଡୁଚି ମୂଷାଟିର ସେଇ ଅସହାୟ ବନ୍ଧୁ । ମାଆଙ୍କ ପାଖରେ ପହଞ୍ଚି ସଙ୍ଗେ ସଙ୍ଗେ ଗୁଣ୍ଡୁଚି ମୂଷାଟିକୁ ତଳେ ଥୋଇ ଦେଇ ନଳାରୁ ତାର କୁନି ପାପୁଲିରେ ପାଣି ଆଣିବାକୁ ଚେଷ୍ଟା କରୁଥାଏ ମିକୁ ହେଲେ ସେ ଯେତେ ଚେଷ୍ଟା କରୁଥାଏ ତାର ସେ କୁନି ପାପୁଲି ଦୁଇ ପାଣିକୁ ଆୟତ୍ତ କରିବାକୁ ଥିଲେ ଅସମର୍ଥ। ” ଧେତ୍ …. ଏ ଆସୁନି ” ଏତିକି କହି ନିଜ ହାତକୁ ରାଗରେ ଛାଟି ଦେଲା ମିକୁ । ହେଲେ ଆଶ୍ଚର୍ଯ୍ୟ କୁକୁରଟି ବୁଝି ପାରି ସଙ୍ଗେ ସଙ୍ଗେ ଦୌଡି ଆସି ନିଜ ପାଟିରେ ଆଞ୍ଜୁଳେ ଭଳିଆ ପାଣି ଭରି ନେଇ ସଙ୍ଗେ ସଙ୍ଗେ ଢ଼ାଳି ଦେଲା ସେ ଗୁଣ୍ଡୁଚି ମୂଷାଟି ଉପରେ ହେଲେ ଏ କଣ ?? ସେ ଗୁଣ୍ଡୁଚି ମୂଷା ଯେ କିଛି ପ୍ରତିକ୍ରିୟା ଦେଲାନି । ଦୁଃଖରେ ଭାଙ୍ଗି ପଡ଼ି ଗୋଡ଼ ଭାଙ୍ଗି ବସି ପଡ଼ିଲା ସେ କୁକୁରଟି କେବଳ ଯେ ସୁଭୁଥାଏ ତାର ଦୁଃଖ ଭରା କୁଁ କୁଁ ଶବ୍ଦ । ଠିକ୍ ସେତିକି ବେଳେ କୁକୁରଟି ନିଜ ଉପରେ କିଛି ଗୋଟାଏ ଅନୁଭବ କରିଲା । ଯେମିତି ହଠାତ୍ ମୁହଁ ବୁଲେଇ ଦେଖେ ସେ ଯେ ଥିଲା ସେଇ ଚେତାଶୂନ୍ୟ ଗୁଣ୍ଡୁଚି ମୂଷା ଛୁଆଟିଏ ଯିଏ କିଛି ସମୟ ଆଗରୁ ଚେତା ହରାଇ ପଡ଼ି ଥିଲା ଆଉ ଏବେ ନିଜ ବନ୍ଧୁ କୁକୁରକୁ ପାଖରେ ପାଇଁ ତା ଉପରେ ସର୍ ସର୍ କରି ଖୁସିରେ ବୁଲି ଆସୁ ଥାଏ । କୁକୁରଟି ସେଇ ଗୁଣ୍ଡୁଚି ମୂଷା ପାଖକୁ ଯାକି ଯାଇ ଆଖି ବୁଜି ନିଜର ଖୁସି ଜାହିର କରୁଥାଏ ଯେମିତି ତାକୁ କେତେ ଜନ୍ମର ଆନନ୍ଦ ସେଇ ମୂହୁର୍ତ୍ତରେ ମିଳି ଯାଇଛି । ଦୁଇ ବନ୍ଧୁଙ୍କର ଏପରି ଅପୂର୍ବ ମିଳନ ଦେଖି କୁନି ଝିଅ ମିକୁ ଜୋରେ ଜୋରେ ତାଳି ମାରି ନାଚିବାକୁ ଲାଗିଲା । ତାର ଖୁସିର ଅନୁଭୂତି ତାର ମନ ଖୋଲା ହସରେ ଝଲସୁ ଥାଏ । ମିକୁର ଖୁସି ଦେଖି ମାଆ ମଧ୍ୟ ଖୁବ୍ ଖୁସି ହୋଇ ତା ମୁଣ୍ଡରେ ହାତ ବୁଲେଇ ଆଣୁ ଥାଆନ୍ତି ହେଲେ ଠିକ୍ ସେତିକି ବେଳେ ମିକୁ ମାଆଙ୍କ ହାତକୁ ଧରି ପକାଇ ଖନି ମାରି ଯାଉଥିବା ପାଟିରେ , ” ମାଆ ଭଲ ହେ.. ଲା ନା ସେ କୁକୁର ପାଖରେ ଫୋନ୍ ନଥିଲା “। କୁନି ଝିଅଟିର ହଠାତ୍ ଏମିତି କଥା ଶୁଣି ଏମିତି କହିବାର କାରଣ ପଚାରିଲେ ମାଆ । ମିକୁ ବଡ ହସ ଟିଏ ଦେଇ , ” ମାଆ ତା.. ତହେଲେ ତ ସେ କୁକୁର ଟା ଖାଲି ଫଟୋ ନେଇ ପାରି ଥାଆନ୍ତା ନା ସେ ଅଙ୍କଲଙ୍କ ପରିକା ??” । ଝିଅର ଏମିତି ପ୍ରଶ୍ନର କିଛି ଉତ୍ତର ନ ଥାଏ ମାଆଙ୍କ ନିକଟରେ । ସେ ଫେରି ଯିବା ଆଗରୁ ସେ ଗୁଣ୍ଡୁଚି ମୂଷା ଆଉ କୁକୁର ଉପରେ ଥରୁଟିଏ ନଜର ବୁଲେଇଆଣି ପଛକୁ ଥରେ ଫେରି ଚାହିଁଲେ ସେଇ ଭିଡ଼ ଆଡକୁ ଯାହା ସେଯାଏଁ ମଧ୍ୟ ଥିଲା ଗହଳିରେ ପରିପୂର୍ଣ୍ଣ ।

 

1 Comment

1 Comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top