ଆଗତ ସନ୍ଧ୍ୟାର ଇଷତ୍ ନୀଳ ମିଶା ମ୍ଲାନ ଆକାଶରେ ଟିକିଟିକି ତାରାଗୁଡ଼ିକ ଚହଟିବା ଆଗରୁ ବାସନ୍ତୀ ବୋଉ ଲୁଗା ତୋଳିବାକୁ ଛାତ ଉପରକୁ ଆସେ । ଏ ଅଭ୍ୟାସ ତା’ର କାହିଁ କେତେ ଦିନର । ଛାତକୁ ଉଠି ଘେରାଏ ପବନରେ ଦୋହଲୁଥିବା ଶୁଖିଲା ଲୁଗାଗୁଡ଼ିକ ଉପରେ ପରସ୍ତେ ହାତ ସାଉଁଳାଇ ଆଣେ । ତା’ ପରେ କ’ଣ ଭାବି ଲଥ୍ କରି ବସିପଡେ ମୁକୁଳା ଛାତର ଗୋଟା କଣରେ । କିଛି ସମୟ ଯାଏଁ ସେହି ମୁକୁଳା ଛାତ ତା’ ପାଇଁ ପାଲଟି ଯାଏ ଏକ ଉନ୍ମୁକ୍ତ ପୃଥିବୀ । ଦୁଇ ଆଣ୍ଠୁକୁ ଭାଙ୍ଗିଦେଇ ତଳେ ଭରାଦେଇ ଚାହିଁ ରହେ ଦୂର ଦିଗ୍ବଳୟ ଆଡେ । ତା’ ଚାହାଣିରେ ଭରି ରହିଥାଏ ଏକ ଅସମାହିତ ଆତୁରପଣ, ଯାହାକୁ ସେ ଚାହିଁ ମଧ୍ୟ କାହା ଆଗରେ ପ୍ରକାଶ କରି ପାରି ନଥାଏ ।
ଛାତ ଉପରକୁ ଆସିଲେ ହିଁ ଏହି ଆତୁରତା ତାକୁ ବେଶୀ ବେଶୀ ମାଡିପଡେ । ସେ ପ୍ରଗଳ୍ଭ ହୁଏ । ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚାଇ ଲୁଚାଇ କାନ୍ଦେ । ସେହି କାନ୍ଦର ମୃଦୁ ଲହର ଦେଇ ଚେଇଁ ଉଠେ ବିତି ଯାଇଥିବା ଦିନର ଅପାଶୋରା ଚିତ୍ର । ଯାହା ତାକୁ କାଲି ପରି ଲାଗେ । ଯେପରି ସେହି ଅେଙ୍ଗ ନିଭା ସ୍ମୃତିଗୁଡାକ ପୁଣି ଥରେ ଜୀବନ୍ତ ହୋଇଉଠି ତା’ ଚାରିପାଖରେ ନାଚି ଯାଉଛି । ଏଇ ଯେପରି କାନ ପାଖରେ ଗୁଞ୍ଜରି ଯାଉଛି ତା’ ପ୍ରିୟ ପୁରୁଷର ବାସନ୍ତୀ ବୋଉ ଡାକ ।
ଏମିତି ତଳ ଦି’ ଯାଆଙ୍କୁ ଛାଡିଦେଲେ ପ୍ରାୟ ସାହିପଡିଶା ସଭିଏଁ ତାକୁ ବାସନ୍ତୀ ବୋଉ ବୋଲି ହିଁ ସମ୍ୱୋଧନ କରିଥାନ୍ତି । ମାତ୍ର ସେହି ଡାକଟି ଯେତେବେଳେ ନିଜ ପ୍ରିୟ ମଣିଷ ମୁହଁରୁ ଶୁଣେ, ଛାତିରେ ଅଲଗା ଶିହରଣ ଖେଳିଯାଏ । ମନ ଯେପରି ସମୟ ବାରି କାନେଇଥାଏ ସେହି ଡାକର ସ୍ପର୍ଶ ଟିକେ ପାଇଁ । ଯେପରି ଏକ ପ୍ରତ୍ୟାଶିତ ଉଦ୍ଗ୍ରୀବତା ତାକୁ ଅଥୟ କରି ପକାଏ ସେହି ଡାକର ସାନ୍ନିଧ୍ୟ ପାଇଁ ।
ତାକୁ ଯେତେବେଳେ ଷୋହଳ ବର୍ଷ ହୋଇଥିଲା, ବାପା ବୋଉ ବ୍ୟସ୍ତ ହୋଇ ପଡିଥିଲେ ବାହାଘର ପାଇଁ । ବଢିଲା ଝିଅ ଯେତେ ଅଧିକ ଦିନ ଘରେ ରହିବ ସେତେ ମୁଣ୍ଡ ଉପରେ ବୋଝ ବୋଲି ବୁଝାଇ ଦେଇଥିଲା ମଧ୍ୟସ୍ଥି । ଟିପଣା ମିଳାଇ ପ୍ରସ୍ତାବ ରଖିଥିଲା, ସହର କଚେରୀ ଛକରେ ପୁଅର ଖିଲିପାନ ଦୋକାନ । ଭାରି ଭଲ ବେଉଷା । ତିନି ଭାଇରେ ଇଏ ବଡ । ତଳ ଦୁଇ ଭାଇ ରାମତୁଲ୍ୟ ମାନନ୍ତି ବଡ଼କୁ । କହିବ ଯଦି ମୁଁ କଥା ଆଗକୁ ବଢେଇବି ।
ନିପଟ ମଫସଲ ଅଭାବୀ ପରିବାରର ଝିଅ ସିଏ । ଝିଅ ବାଡୁଅ ରହିଲେ ଚିନ୍ତା ଘାରିଥାଏ ଜନମକଲା ପିତା ମାତାଙ୍କୁ । ତତ୍କ୍ଷଣାତ ରାଜି ହୋଇ ଯାଇଥିଲେ ସେହି ପ୍ରସ୍ତାବରେ । ଦିନ କେଇଟା ପରେ ତୋଳା କନିଆ ହୋଇ ଆସିଥିଲା ଏଇ ଘରକୁ ।
ପ୍ରଥମେ ପ୍ରଥମେ ଏକ ଯୌଥ ପରିବାରରେ ଆସି ଚଳିବା ଟିକେ ଅସହଜ ବୋଧ ହୋଇଥିଲା ତାକୁ । ଆଗରୁ ରୋଷେଇଘର ଦାୟିତ୍ୱ ଶାଶୁ ସମ୍ଭାଳୁ ଥିଲେ । ସିଏ ଘରର ବଡ଼ବୋହୂ ହୋଇ ଆସିବା ପରଠୁଁ ସେହି ଜାଗାଟା ତାକୁ ତୁଲାଇବାକୁ ପଡିଲା ।
ବହୁ ବର୍ଷ ତଳୁ ଶ୍ୱଶୁରଙ୍କର ପରଲୋକ ହୋଇ ସାରିଥିଲା । ବାହା ହୋଇ ଆସିବା ପରଠାରୁ ସେ ଭୁଲି ଯାଇଥିଲା ଯେ ତା’ର ଗୋଟିଏ ନାଁ ଅଛି ବୋଲି ! ଘରର ବଡବୋହୂ ହୋଇଥିବାରୁ ଶାଶୁ ଡାକନ୍ତି, “ବୋହୂ… ବୋହୂ…” ବୋଲି । ତଳ ଦିଅର ଦୁଇ ଜଣ ଡାକନ୍ତି ନୂଆବୋଉ ତ ସ୍ୱାମୀଙ୍କ ମୁଁହରେ କୌଣସି ଡାକ ପଶେନି, ସେ କେବଳ, “ହେଇ… ଶୁଣୁଛ… ବା ସେହିପରି କିଛି ସମ୍ୱୋଧନ କରିଥାନ୍ତି । ତାଙ୍କର ଏପରି ଡାକିବାର ଅଭ୍ୟାସଟା ପାଖାପାଖି ବର୍ଷେ ଯାଏଁ ରହିଥିଲା । ଯେତେବେଳ ବାସନ୍ତୀ ଜନ୍ମ ହୁଏ, ତା’ପରେ ଯାଇ ତାଙ୍କ ଡାକ ବଦଳେ । ହେଇ ଶୁଣୁଛ… ସମ୍ୱୋଧନରୁ ସହସା ପରିବର୍ତ୍ତିତ ହୁଏ “ବାସନ୍ତୀ ବୋଉ” ଡାକରେ । ତା’ ଦେଖାଦେଖି ବାକି ଚିହ୍ନାଜଣା ଲୋକ ବି ସେହି ନାମରେ ଡାକିବା ଆରମ୍ଭ କରି ଦିଅନ୍ତି ।
ଏମିତି କୋଉ ଦିନ ନାହିଁ, ପାହାନ୍ତି ପହରୁ କୂଅ ମୂଳେ ଗାଧୁଆ ସାରି ସେଇ ଓଦା ଲୁଗାରେ ଉଇଁଲା ସୂର୍ଯ୍ୟଙ୍କୁ ଓଳଗି ନ ହୋଇଛି । ଦୁଇ ଯୋଡହାତକୁ ଥରକୁ ଥର ମୁଣ୍ଡରେ ବାଡେଇ କେତେ କ’ଣ ମନାସିଛି ? ସ୍ୱାମୀର ସୁମଙ୍ଗଳ । ଶାଶୁଙ୍କ ନୀରୋଗ ଦୀର୍ଘଆୟୁ । ଦୁଇ ଦିଅରଙ୍କ ପାଇଁ ସୁନାର ମନଲାଖି ଦୁଇ ସାନ ଯା’ । ପୁରୁଣା ଖଞ୍ଜା ଚାଳିଆ ଘର ବଦଳରେ ସ୍ଥାୟୀ ମଜବୁତ୍ ଛାତର ଛାଇ । ଏମିତି କେତେ କ’ଣ ସମୟ ଆଉ ପରିସ୍ଥିତି ସହ ତା’ ଗାଧୁଆ ପରର ଗୁଣୁଗୁଣୁ ନିରବ ମନାସ ଭିତରେ ଜାଗା ନିଏ । କେତେ ଅବା ପୂରଣ ହୁଏ ଆଉ କ’ଣ ଅଛିଣ୍ଡା ରହିଥାଏ, ତାହା ସେଇ ବାସନ୍ତୀ ବୋଉକୁ ଜଣା ! ଆଉ ଯାହାକୁ ଜଣା, ତାହା ହେଉଛି ସେଇ ବାଡି କୂଅ ଚଉତରା ଠାରୁ କିଛି ଦୂରରେ ଛିଡା ହୋଇଥିବା କୁଣ୍ଡେ ମୋଟର ଆମ୍ୱ ଗଛ । ଯିଏ ଭରା ବଉଳ ଋତୁର ବାସରେ ସୁଦ୍ଧା ବାସନ୍ତୀ ବୋଉକୁ ତା’ ଏକାଗ୍ର ହୋଇ ମନାସିବା ପ୍ରୟାସରୁ କେବେ ଆନମନା ସୁଦ୍ଧା କରି ପାରିନାହିଁ । ଭରା ବଉଳର ରୂପରେ ପୁରି ଉଠୁଥିବା ସେହି ଆମ୍ୱଗଛ ବି ପତ୍ର ଝଡାର ଅସହାୟତାକୁ ଭୋଗେ । ଋତୁଚକ୍ର ଓ ସମୟ ଚକ୍ରର ଗଡାଳିକାରେ ବାସନ୍ତୀ ବୋଉ ଜୀବନ ଅଗଣାର ଆମ୍ୱଗଛଟିକୁ ଯେ ଦିନେ ପତ୍ର ଝଡାର ଏକ ଅନିଶ୍ଚିତ ଭାଗ୍ୟ ଭୋଗ କରିବାକୁ ପଡିବ, ଏ କଥା କିଏ ବା ଜାଣିଥିଲା ? ତା’ ସଂସାରର ରଥ ହଠାତ୍ ଯେପରି ମାଟି କାମୁଡି ଅଟକି ଯାଇଥିଲା ସେହି ଖବରରେ ।
ସେତବେଳକୁ ପଞ୍ଚମ ଶ୍ରେଣୀରେ ପଢୁଥିବା ଝିଅ ବାସନ୍ତୀ ଅଗାଧୁଆ କେନାଲ୍ ତୁଠରୁ ଫେରି ଆସି କାନ୍ଦିକାନ୍ଦି କୁଣ୍ଢାଇ ପକାଇ ଅଭିଯୋଗ କରିଥିଲା, “ବୋଉ, ସାହିଲୋକ ମୋତେ ଆଜି ଗାଧୁଆ ତୁଠରେ ନାନା କଥା ଶୁଣାଇଲେ । ତୋ ବାପା ପଦନକୁ କୋଢ଼ କୁଷ୍ଠ ହୋଇ ଯାଇଛି ! ଦଇବ ଅଭିଶାପ ପଡିଛି ! ଏବେ ସେ ବଡ ରୋଗରେ ଘାଣ୍ଟି ହେବ ! ଆହାଃ… ବିଚରା ରୁଖ ବେୱା ! ତା’ ପୂରିଲା ଘରଟାରେ ଘୁଣ ଲାଗିଗଲା ଯେ! କହି ରାହା ଧରି ଆହୁରି ଜୋରେ କାନ୍ଦି ଚାଲିଲା ।
ଛାତିରୁ ପୋଷେ ରକ୍ତ ଶୁଖିଗଲା ପରି ତା’ କଥା ଶୁଣି କାଠପ୍ରାୟ ହୋଇ ଯାଇଥିଲା ବାସନ୍ତୀ ବୋଉ । କିଛି ଦିନ ହେବଣି ସ୍ୱାମୀ ପାଦ ଆଙ୍ଗୁଠିକୁ ଥରକୁ ଥର ଡାକ୍ତରଖାନା ଯାଇ ବ୍ୟାଣ୍ଡେଜ୍ କରାଇ ଆସୁଥିବାର ସେ ଦେଖୁଥିଲା । କ’ଣ ବାଜି ଖଣ୍ଡିଆ ହୋଇ ଯାଇଥିବ ଭାବି ସେତେଟା ଗୁରୁତ୍ୱ ଦେଇ ନ ଥିଲା କଥାଟାକୁ । ସବୁବେଳେ ମୁହଁ ଶୁଖାଉ ବସି ରହୁଥିଲେ ଘରଟା ଭିତରେ । କିଛି ନା କିଛି ବାହାନା ଦେଖାଇ ଦୋକାନ ଯିବା ପ୍ରାୟ ବନ୍ଦ କରି ଦେଇଥିଲେ । କେତେବେଳେ ମଝିଆ ନ ହେଲେ ସାନକୁ ଦୋକାନ ଦାୟିତ୍ୱ ଦେଇ ଦେଉଥିଲେ । ତାଙ୍କଠି ଏପରି ହତୋତ୍ସାହଭରା ଆଚରଣ ଦେଖି ଦେଖି କେମିତି ମାଡି ହୋଇ ପଡୁଥିଲା ସିଏ ଭିତରେ ଭିତରେ ।
ଥରେ ସାହାସ ବଳାଇ ପଚାରି ଦେଇଥିଲା, କ’ଣ କିଛି ହୋଇଛି କି ? ନା ଦୋକାନ ଯାଉଛ ନା ଘରେ ଠିକ୍ରେ ରହୁଛ । ମୋତେ ଟିକେ ଭଲା କହୁନ?
କିଛି ନ କହି ଛୁଆଙ୍କ ପରି ଭୋ’ ଭୋ’ କାନ୍ଦଟେ ଛାଡି ଘରୁ ଉଠି ସେହିପରି ଗାମୁଛାରେ ଲୁହ ପୋଛି ପୋଛିକା ସିଧା ପଳେଇ ଯାଇଥିଲେ ପାଖ ପଡ଼ିଆକୁଓ ସେଇଠି ପୋଖରୀ ହୁଡାରେ ଢେର୍ ରାତି ଯାଏ ବସି ରହିଥିଲେ ଜିଅନ୍ତା ହୁଙ୍କାଟାଏ ପରି । କେତେ ନେହୁରା ନିମନ୍ତ ହେଲା ପରେ ଘରକୁ ଫେରିଥିଲେ ।
ଟିକେ କ’ଣ ଗୋଟେ ବଡ ହୋଇ ଯାଇଛି ଭାବି ସେଇଦିନ ହିଁ ପାପ ଟିକେ ଟିକେ ଛୁଇଁଥିଲା ତା’ର ମନକୁ । ବାସନ୍ତୀ ଯୋଉଦିନ କେନାଲ୍ ତୁଠରୁ ଆସି ବୟାନ କରିଥିଲା ଲୋକଙ୍କ ମୁହଁର ଅଭିଯୋଗକୁ, ତା’ପରଠୁ ଅଧାମରି ଯାଇଥିଲା ବାସନ୍ତୀ ବୋଉ ।
ତାକୁ ଲାଗୁଥିଲା, କୂଅ ମୂଳେ ନିତି ଗାଧୋଇ ସାରି ଯୋଡ ହସ୍ତରେ ଏ ଯାଏଁ ଯାହା ଯାହା ମନାସୀ ଆସିଥିଲା ଆଉ ଯାହା ଯାହା ପାଇଥିଲା, ସେ ସବୁ ଯେମିତି ଓଲଟ ପାଲଟ ହୋଇ ସାରିଛି ନିକିତି ପାଲିରେ । ତା’ ପାଇଁ ଆଉ ସୁଖ ଦୁଃଖ ବୋଲି ସମାନ କିଛି ନାହିଁ । ଦୁଃଖର ପଲା ଏପରି ଓଜନିଆ ହୋଇ ପଡିଛି ଯେ ତା’ ଆଗରେ ସୁଖର ପଲା ଅସ୍ତିତ୍ୱହୀନ ଶୂନ୍ୟତା ପରି କେଉଁ ଊଦ୍ଧ୍ୱର୍ରେ ମିଳାଇ ଯାଇଛି ।
ସେହିଦିନଠୁ ନୂଆ କରି ତୋଳା ତା’ ଛାତ ଘରର ଖଞ୍ଜା ଭିତରେ କେଉଁ ଅଶୁଭ ଦୃଷ୍ଟି ତା’ର କାୟା ବିସ୍ତାର ଆରମ୍ଭ କରି ଦେଇଥିଲା ଯେମିତି ! ସତଟା ପ୍ରଘଟ ହେଲା ପରେ ନା ଶାଶୁ ନା ଦିଅର କି ଯାଆ କାହା ମୁହଁକୁ ସୁଦ୍ଧା ଖାଦ୍ୟରୁ ଦାନାଏ ରୁଚୁ ନ ଥାଏ । କ୍ରମଶଃ ସନ୍ଧ୍ୟା ଗାଢ ଧରିବା ସହ ସେହି ଅଶୁଭ ଦୃଷ୍ଟିର ଛାଇ ଆହୁରି ବହଳ ପାଲଟିବା ପରି ଲାଗିଲା, ଯେତେବେଳେ ବାହାରୁ ଖବର ଆସି ପହଞ୍ଚିଲା, “କୁଷ୍ଠ ରୋଗୀ ବୋଲି ଧରା ପଡିଲାରୁ ଲାଜରେ ପଦନ ବେହେରା ଟାଉନ୍ ଛାଡ଼ି କୁଆଡେ ଚାଲି ଯାଇଛି! ଲୋକେ ତାକୁ ଆଜି ଆଳି ଆଡୁ କଲିକତାକୁ ଯାଉଥିବା ବସ୍ରେ ଉଠି ଯିବାର ଦେଖିଛନ୍ତି । ” ସେତକ ଯେପରି ତା’ ପାଇଁ ଦାରୁଣ ବିଚ୍ଛେଦର ଏକ ଅମଙ୍ଗଳିଆ ଦୁଇ ଧାଡି ଥିଲା । ତାଙ୍କ ବିଷୟରେ ଶୁଣିଥିବା ସେହି ଶେଷ ଦୁଇ ପଦ ।
ତିରିଶି ବର୍ଷ ପହଁରି ଗଲାଣି ଏହା ଭିତରେ । କାହିଁ କେବେଠୁ ଶାଶୁଙ୍କ ସ୍ୱର୍ଗବାସ ହୋଇ ସାରିଛି । ବାସନ୍ତୀ ବଡ ହୋଇ ପାଠ ପଢି ବିଏ ପାସ୍ କରିଛି । ପୁଣି ବାହା ହୋଇ ତା’ ସ୍ୱାମୀ ସଂସାର ଧରି ସୁରଟରେ ରହିଗଲାଣି କେବେଠୁଁଓ ବର୍ଷକୁ ଥରେ ଅଧେ ଘରକୁ ଆସେ । କେବେ କେବେ ତା’ ପିଲାଙ୍କ କାମ ଚାପରେ ଆସି ପାରେନା । ସବୁଥର ଫେରିଗଲା ବେଳେ ତାକୁ କେତେଥର କାକୁତି ମିନତି ହୋଇ ଅନୁରୋଧ କରି କହିଛି, “ବୋଉ, ତୁ ଚାଲ… ମୋ ପାଖରେ ସେଠି ରହିବୁ । ବୟସ ହେଲାଣି । କେତେ ଦିନ ଏକୁଟିଆ ଏଠି ଦିନ ଗଣି ବେଳ କାଟୁଥିବୁ । ଦି’ ଖୁଡି ପିଲାଝିଲା ଓ ନାତି ନାତୁଣୀକୁ ଧରି ଯେଝା ଯେଝା ସଂସାରରେ ରହିଲେ । ଯେଝା ଜଞ୍ଜାଳ ତାଙ୍କୁ ବଳି ପଡୁଥିବ । ତୁ ତୁଚ୍ଛାଟାରେ କାହାପାଇଁ ଏଠି ଏକୁଟିଆ ପଡି ରହିଛୁ କହିଲୁ ? ଏତେଗୁଡାଏ ବର୍ଷ ବିତିଗଲା ପରେ ବି ଭାବିଚୁ କି ବାପା ଆଉ ଫେରିବେ…?”
ବାସନ୍ତୀ ବୋଉ ଏଇ କେତେ ବର୍ଷ ଭିତରେ ଝିଅ ମୁହଁରେ ଏପରି ଅନୁନୟଭରା ଶବ୍ଦ ସବୁ ଶୁଣି ଶୁଣି ଦେହ ଘଷିଆ କରି ଦେଇଛି । ଝିଅ ତା’ର କହେ । ଯେତେଥର ଆସେ, ଥରକରୁ ଦୁଇ ଚାରିଥର କହେ । ବୋଉ ପାଖରୁ କିଛି ପ୍ରତିକ୍ରିୟା ନ ଦେଖି ମୁହଁ ଶୁଖାଇ ଫେରିଯାଏ ପୁଣି ସୁରଟକୁ ।
ସେତେବେଳେ ବାସନ୍ତୀ ବୋଉର ଆଚରଣ ଏକ ଅଦ୍ଭୁତ ପ୍ରକାର ପାଲଟି ଯାଏ । ଝିଅକୁ ଲେଉଟାଇ ନା ମୁହଁ ଖୋଲି ସାଙ୍ଗରେ ଯିବାକୁ ମନାକରେ, ନା ତା’ ମୁହଁରୁ ଯିବାର କିଛି ସମ୍ମତି ସୂଚକ ଲକ୍ଷଣ ବୁଝାପଡେ । ସେହିପରି ଖଟ ଉପରେ ବସି ହାତର ପିନ୍ଧା କାଚ କେଇ ପଟକୁ ଆର ହାତରେ ଉପର ତଳ ଉପର କରି ଚାଲିଥାଏ । ସକେଇ ହେବା ପରି ତା’ ମୁହଁର ପ୍ରକଟ କୋହକୁ ବାରି ପାରି ବାସନ୍ତୀ ସବୁଥର ରିକ୍ତହସ୍ତରେ ବିଦାୟ ନେଇ ଫେରିଯାଏ ।
ଏତେ ବର୍ଷ ଧରି ତା’ ତଳର ଦୁଇ ସାନ ଯାଆ କେବେ ତାକୁ ସାହସ କରି ପଚାରି ନାହାନ୍ତି । ତଥାପି ହାତରେ ପିନ୍ଧିଥିବା ଏଇ ପାଣିକାଚ ଓ ଶଙ୍ଖାକୁ ନେଇ ଆଜି ବି ସେଇ ପୁରୁଣା କୂଅ ଚଉତରା ମୂଳେ ଗାଧୋଇ ସାରି କମ୍ପିଲା ଯୋଡ ହସ୍ତରେ ମୁଣ୍ଡରେ ଠୁକ୍ ଠୁକ୍ କରି ମନାସ କରେ । ତା’ ଦୁଇ ଯୋଡ ହସ୍ତର ମଝି ଫାଙ୍କରେ କଅଁଳା ସୂର୍ଯ୍ୟକିରଣରୁ ଧାପେ ପଶି ଆସି ତା’ ନିସ୍ତେଜ ଆଖିରେ ଆଶାର ଚମକ ବୁଣିଥାଏ । ଜୁଡୁବୁଡୁ ଓଦା ଲୁଗାରେ ବୃନ୍ଦାବତୀଙ୍କ ପାଖରେ ମୁଣ୍ଡିଆ ମାରି ଲୁହା କଣ୍ଟାରେ କପାଳରେ ସିନ୍ଦୁର ନାଏ, ସିନ୍ଥି ସଜାଏ । ପଦନର ଏହି ଲମ୍ୱା ଅବଧିର ଶୂନ୍ୟସ୍ଥାନ ଘରର ବାକି ଭାଇ, ଭାଉଜ, ଝିଆରୀ ପୁତୁରା ଏମିତିକି ପାଖ ପଡୋଶୀଙ୍କ ଭିତରେ ଭରଣା ହୋଇ ଯାଇଛି ଛାଏଁ ଛାଏଁ । ପଦାନ ଭଳି ଗୋଟେ ରକ୍ତ ମାଂସଧାରୀ ମଣିଷଟେ ଥିଲା, ତାହା ସମସ୍ତଙ୍କ ପାଇଁ ଗୋଟିଏ ବିସ୍ମୃତ ଚରିତ୍ର ପାଲଟି ଯାଇଥିଲା କେବେଠୁଁ । ହେଲେ ବାସନ୍ତୀ ବୋଉର ଆସ୍ଥା ଭରଷା ତା’ର ବଜ୍ରପ୍ରାୟ ଦୁଇପଟ ପାଣିକାଚ ଉପରେ । ଯାହାକୁ ସବୁଦିନ ସିନ୍ଦୂର ନାଇଲା ପରେ ମଥାରେ ଛୁଇଁ ତା’ର ବଜ୍ରପଣର ଆୟୁଷକୁ ଆହୁରି ବଢାଇ ଦିଏ । ଘରର ଛୋଟରୁ ବଡ ତା’ର ଏଇ ଆଚରଣକୁ ଏକ ପ୍ରକାର ମାନସିକ ବିକୃତି ଭାବି ଅଣଦେଖା କରନ୍ତି । ଶାଶୁ ଥିବାବେଳେ ତଳ ଦୁଇ ଭାଇ ଓ ଯାଆଙ୍କୁ ତାଗିଦ୍ କରି କହି ଯାଇଛନ୍ତି, ଶଙ୍ଖା ସିନ୍ଦୂର ଓହ୍ଲାଇବା ବିଷୟରେ ତାକୁ କେବେ କିଛି କହିବ ନାହିଁ । ଜୀବନ୍ତ ଅବସ୍ଥାରେ ଛାଡି ଯାଇଥିବା ତାଙ୍କର ଏହି ଦୁଇପଦ ଉପଦେଶକୁ ଘରେ ସଭିଁଏ ମାନି କେହି କେବେ ଏ ବିଷୟରେ ପ୍ରଶ୍ନ ଉଠାଇ ନାହାଁନ୍ତି ।
ବାସନ୍ତୀ ବୋଉର ସବୁଠାରୁ ନିରାପଦ ଥାନ ଏହି ଚାରି ଚଉତା ଛାତ ଖଣ୍ଡିକ । ଯାହାରି ଉପରେ ଆଜି ବି ଅସଂଖ୍ୟ ନିବିଡ଼ ସ୍ମୃତିର ଛାଇ ସବୁ ପହଁରି ବୁଲୁଥିବାର ସେ ଦେଖିପାରେ । ମନେପଡେ ଛୋଟ ଖଞ୍ଜାଘର ବୋଲି ଖରାଦିନେ ଗରମ ଗୁଳୁଗୁଳିର ଅଦଉତି ଅସହ୍ୟ ହୋଇଯାଏ । ସେତେବେଳେ ବାସନ୍ତୀ ବାପା ରାତିରେ ଦୋକାନରୁ ଫେରି ପିଣ୍ଡା ପାଖରୁ ଡାକ ଛାଡନ୍ତି । ଆଗରୁ କୂଅରୁ ବାଲଟିଏ ପାଣି କାଢି ସଜିଲ୍ କରି ରଖିଥାଏ । ଧୁଆଧୋଇ ପରେ ସେ ସିଧା ଉଠି ଯାଆନ୍ତି ଛାତ ଉପରକୁ । ସେଇଠି ବଢା ଭାତଥାଳି ଆଣି ରଖିଦିଏ । ହାତ ବିଞ୍ଚଣା ଘୁରାଇ ମନ ତଳର ସବୁ ସାଇତା ସରାଗକୁ ପରଶି ପକାଏ । ଛୋଟ ଘର, ହାଉ ହାଉ ଲୋକ ଭିତରେ ଯୋଉ କଥା ମଉଳା ଫୁଲ ପରି ଅକୁହା ରହି ଯାଇଥାଏ, ସେସବୁ ପାଣି ଛଟା ପାଇ ଭାବନାର ବାସକୁ ଚହଟାଇ ଥାଆନ୍ତି । ପଦନାର ଖିଆ ସରିଥାଏ କେତେବେଳୁ । ଅଇଁଠା ଥାଳି ଛାତ ଉପରେ ପଡିଥାଏ । ଚାରିପାଖରେ ରାତି ବଢୁଥାଏ । ଦୁହେଁ ପ୍ରାଣ ଖୋଲା ଗପର ଆସର ଭିତରେ ହଜିଯାଇ ଥାଆନ୍ତି ଢେର୍ ବେଳ ଯାଏଁ । ତାହାର ସାକ୍ଷୀ କେବେ ସେଇ ନିଛାଟିଆ ରାତି ଆକାଶର ଲାଜକୁଳୀ ଦ୍ୱିତୀୟା ଜହ୍ନ ପୁଣି କେବେ ଶାଢୀର କାନି ପରି ପୁନେଇ ଜୋଛନାରେ ଭାସୁଥିବା ପତଳା ମେଘର ଚାଦର ।
ତୋଳା କନିଆ ସାଜି ସବାରୀରେ ବସିବା ଦିନ ତା’ ମନକୁ ପାହାଡ଼ ପ୍ରାୟ ଏକ ଅଜଣା ଶଙ୍କା ଚାପି ରଖିଥିଲା । “ଭାଗ୍ୟରେ କେମିତି ଗେରସ୍ତ ପଡିବ? ସୁଖ ଦବ କି ଦୁଃଖ ଦବ?” ଏସବୁ କଥାକୁ ଭାଳି ଭାଳି ଛନକା ପଶି ଯାଇଥିଲା । ସବାରୀକୁ ଉଠିବା ପରେ ବୋଉ ତା’ ଲହରା କାନ୍ଦଣାକୁ କ୍ଷଣିକ ପାଇଁ ଥମ୍ କରି ମୁଣ୍ଡରେ ହାତ ବୁଲାଇ ଭରସା ଦେଇ କହିଥିଲା, “ଯା’ଲୋ… ମା’ ଯା… ଗାଁ ଠାକୁରାଣୀ ମା’ ମନ୍ଦାରେଶ୍ୱରୀ ତୋର ସାହା । ସେଇଠି ପିଲାବେଳେ ତା’ ଆଗରେ ଧୂପଦୀପ ଦେଇ ବଢିଚୁ । ସିଏ ତୋ କପାଳରେ ନିଶ୍ଚୟ କୋଟିନିଧି ବର ଯୋଖିଥିବ ।”
ସତକୁ ସତ ଧନରେ ନ ହେଲା ନାହିଁ, କୋଟିନିଧିର ହୃଦୟ ଖଣ୍ଡେ ଥିଲା ତା’ ଗେରସ୍ତର । ଖିଲିପାନ ଦୋକାନ ଖଣ୍ଡେରୁ ବଡ କୁଟୁମ୍ୱ ଚଳେଇ ବାକି ତଳ ଦି’ ଭାଇଙ୍କ ପାଇଁ ବି ଟାଉନ୍ ମୋଟର ଷ୍ଟାଣ୍ଡ ଓ ପୋଲ ଛକରେ ଅଲଗା ଅଲଗା କେବିନ୍ ପକାଇ ଦୋକାନ ଖୋଲି ଦେଇଥିଲେ । ଦାନାପାଣି ଯୋଗାଡ ସହ ଦୁଇ ଜଣଙ୍କୁ ଦି’ହାତ କରାଇ ନିଜ କର୍ତ୍ତବ୍ୟରେ ସାମାନ୍ୟ ସୁଦ୍ଧା ହେଳା କରି ନ ଥିଲେ ।
“ହେଲେ, ସମସ୍ତଙ୍କ କଥା ବୁଝୁଥିବା ଲୋକଟା ନିଜ ଦେହ ପା’ କଥା କେମିତି ଠିକ୍ରେ ନିଘା କରି ପାରିଲା ନାହିଁ? ରୋଗର ଉପସର୍ଗଟାକୁ ପ୍ରଥମରୁ ଡାକ୍ତର ଦେଖାଇ ଉପଚାର କରିଥିଲେ କଥା ଏତେବାଟ ଯାଏଁ ବିଗିଡି ଯାଇ ନଥାନ୍ତା ? ଲୋକଲଜ୍ଜ୍ୟା ଓ ଅନ୍ଧବିଶ୍ୱାସକୁ ଧରି ଲୋକଟା ଜିଇ ମଧ୍ୟ ଶହେ ମରଣକୁ ନେଇ ବଞ୍ଚି ରହିଲା ତ ରହିଲା, ପୁଣି ଶେଷକୁ ନିରୁଦ୍ଧିଷ୍ଟ ବି ହୋଇଗଲା?” ଏବେ ଯେତେବେଳେ ସେହି ବର୍ଷ ବର୍ଷ ଧରି ଜୁଝି ହେଉଥିବା ତାଙ୍କ ଅବର୍ତ୍ତମାନର ଶୂନ୍ୟତାକୁ ନେଇ ନିଜକୁ ପ୍ରଶ୍ନ କରେ, ପ୍ରତି ବଦଳରେ ଏକ ତୀବ୍ର ଦୀର୍ଘଶ୍ୱାସକୁ ସାଉଁଟେ ଯାହା ।
ପୁଣି ଛାଆଁକୁ ଛାଁ ନିଜକୁ ବୁଝାଇ କହେ, “ତାଙ୍କର ଅବା କି ଦୋଷ ? ସେତେବେଳେ ଏହି ରୋଗଟାକୁ ଏତେ ବଡ କରି ଗଣୁଥିଲେ ଯେ, ୟାର ଡାକ୍ତରୀ ଉପଚାର ଅଛି ବୋଲି ସହଜେ ଭରସି ପାରୁ ନ ଥିଲେ । କାହା ଠେଇଁ ଯଦି ଲକ୍ଷଣ ବାହାରିଲା, ମାଛି ପଡିଲେ ନବଖଣ୍ଡ ପରି ପ୍ରଘଟ ହୋଇ ଯାଉଥିଲା ଦୁନିଆକୁ । ରୋଗୀଟା ବିଚରା କରିଥାନ୍ତା ବା କ’ଣ ?” ତା’ ଅଝଟ ମନକୁ କେବେ କେବେ ବୈଶାଖି ଝାଞ୍ଜି ପରି ଏହି ସବୁ ପ୍ରଶ୍ନ ଦୋହଲେଇ ଦିଏ । ପୁଣି ବଢେଇଦିଏ ଅନ୍ତରର କ୍ଷୋଭକୁ । ଅଭିମାନର ଗଣ୍ଠିଲି ଫିଟାଇ ତା’ ଭିତରୁ ସରଳ ଦୃପ୍ତ ସ୍ୱରଟିଏ ବାହାରି ଆସି କହେ, “ଏହି ସମାଜ କରି କରି ବାସନ୍ଦ କରିଥାନ୍ତା! ନିଆଁ ପାଣି ଅଟକ କରିଥାନ୍ତା! ଯାଇ ଯାଇ ସେତିକି ତ ! ମଲା ଏତିକି ଡରରେ ସାତଜନ୍ମର ବନ୍ଧନ କାଟି କୁଆଡେ ଚାଲିଗଲ ଯେ! ତମ ଅପେକ୍ଷାର ରାସ୍ତାରେ ନୈରାଶ୍ୟଭରା ସମୟର ବହଳ ଧୂଳି ଜମି ସାରିଲାଣି ଏହା ଭିତରେ । କିନ୍ତୁ ମୋ ଆତୁର ପ୍ରାଣ କହୁଛି, ଏଇ ଇହକାଳରେ ଦେହରୁ ଘଟ ଛାଡିବା ଆଗରୁ ତମ ଦୁଇ ଆଖି ସହ ଜୀବିତ ଅବସ୍ଥାରେ ଆଖି ଥରୁଟେ ମିଳେଇବି । ଏହା ପରେ କେମିତି ଏକ ଅସହନୀୟ ଭାବରୁଦ୍ଧ ଅବସ୍ଥା ଗ୍ରାସ କରି ପକାଏ ତାକୁ । କୋହ ସହ କଇଁ କଇଁ କାନ୍ଦର ଜୁଆର ଉଠିଆସେ ଏତେ ତୀବ୍ର ଭାବରେ ଯେ ସେ ମୁହଁକୁ ଲୁଚାଇ ଧାଇଁଯାଏ ବାଡିପଟର ନିକାଞ୍ଚନକୁ ।
ସେଦିନ ଥାଏ ଅକ୍ଷୟ ତୃତୀୟା । ଘରର ଆଉ କାହା ପାଇଁ ସେହି ଦିନର ମହତ୍ତ୍ୱ କ’ଣ ଥାଉ ବା ନ ଥାଉ, ବାସନ୍ତୀ ବୋଉ ପାଇଁ ଯେପରି ଦିନଟି ଥାଏ ସ୍ମୃତିର ସ୍ମାରକୀ ପରି । ଏହିଦିନ ତାଙ୍କ ସହ ହାତ ଗଣ୍ଠି ପଡିଥିଲା ଜନ୍ମ ଜନ୍ମାନ୍ତର ପାଇଁ । କେମିତି ଅବା ଭୂଲି ପାରନ୍ତା ଏଇ ଦିନଟିକୁ ! ସବୁଦିନ ପରି ସକାଳୁ ପୁରୁଣା କୂଅ ମୂଳରୁ ଗାଧୋଇ ଆସି ଭଲ ସଫା ଶାଢୀଟିଏ ପିନ୍ଧିଲା । ତା’ପରେ ଥାକ ପାଖରେ ଠିଆହେଲା । ସେଠି ରଖିଥାଏ ସିନ୍ଦୂର ଫରୁଆ । ଏତିକି ଯାଏ ଥିଲା ତା’ର ନିତିଦିନିଆ ଅଭ୍ୟାସ । ହେଲେ ସେଦିନ ମନରେ ଟିକେ ଅଲଗା ଭାବି ବସିଲା । ସ୍ୱାମୀ ନିରୁଦ୍ଧିଷ୍ଟ ହେବା ପରଠାରୁ କେବେ ଅଇନାରେ ମୁହଁ ଦେଖି ନ ଥିଲା । ସେଦିନ କାହିଁକି ମନକଲା ଅଇନା ଦେଖି ସିନ୍ଦୂର ନାଇବ । ଦୋ’ ଦୋ’ ପାଞ୍ଚ ହୋଇ ସତକୁ ସତ ଟ୍ରଙ୍କ୍ ଖୋଲି ତା’ ଭିତରୁ କପଡା ଘେର ଭିତରେ ସମାଧି ନେଇ ସାରିଥିବା ପୁରୁଣା ଅଇନାକୁ କାଢି ଝରକାର ବନ୍ଧରେ ଥୋଇଲା । ଫରୁଆ ଭିତରୁ କଣ୍ଟାକୁ କାଢିଲା । ବହୁ ବର୍ଷର ଅନ୍ତର ପରେ ଦେଖୁଥିଲା ନିଜ ଚେହେରାକୁ । ବୟସର ଫାଙ୍କ ଚରି ଆସିଥିବା ସେହି ମୁହଁରେ କୋଶ କୋଶ ଦୂରର ଖାଁ ଖାଁ ପଣକୁ ସାମ୍ନା କରୁଥିଲା । ଦୁଇ ଆଖି ଡୋଳା ଭିତରେ କାହାର ଯେପରି ହଜିଲା ଚେହେରା ଉଦ୍ଗ୍ରୀବ ହୋଇ ଚାହିଁ ରହିଥାଏ ତା’ ଆଡକୁ । ଆଖି ଟେକି ଚାହିଁଲା କପାଳକୁ । ଯୋଉଠି ଗାଧୁଆ ପରେ ପୋଛି ହୋଇ ଯାଇଥିଲା ସଧବାର ଚିହ୍ନ । ଓଃ… ଅସହ୍ୟ ହୋଇ ପଡିଲା ଦେଖି । ସିନ୍ଦୂର ଫରୁଆରୁ ସିନ୍ଦୂରକୁ ଲୁହା କଣ୍ଟାରେ ମାଡି ଭରିଦେଲା ତା’ର ଅପୂର୍ବ ଛୁଆଁ । ସେଇ ନାଲି ରଙ୍ଗକୁ ଭରା ଭରା ଆଖିରେ ବସି ନିରୀକ୍ଷଣ କରି ଚାଲିଥାଏ ।
ହଠାତ୍ ରାସ୍ତା ପଟୁ ପଡେ଼ାଶୀ ଘର ନଛି ବୋଉ ଧପାଲି ପଶି ଆସୁ ଆସୁ ଚିତ୍କାର କରି ଉଠିଲା, “ଆଲୋ, ଜାଣିଲୁଣି ବାସନ୍ତୀ ବୋଉ… ପଦନ ବଞ୍ଚିଛି ! ତାକୁ ପୁରୀ ବଡ଼ଦାଣ୍ଡରେ ନଛି ବାପା ଖୋଦ୍ ଦେଖିଛନ୍ତି ! କଥା ବି ହେଇଛନ୍ତି ବୋଲି ଏଇ ସକାଳୁ ଫୋନ୍ କରି କହୁଥିଲେ !” ଶୁଣୁ ଶୁଣୁ ଅକଳ୍ପନୀୟ ଖୁସିରେ ବାସନ୍ତୀ ବୋଉ ଧାଇଁ ଆସୁଥିଲା ବାଟଘର ଆଡକୁ । ତା’ ହାତର ବଜ୍ର ପାଣିକାଚସବୁ ଦୂରରୁ ଝଣଝଣ ଶୁଭୁଥାଏ କାନକୁ ।
