ପ୍ରବନ୍ଧ

ଏମିତି ବି ହୁଏ……

Trilochan Das's Odia Prose Emiti Bi Hue

ତେବେ ଏ ଧରଣର ଘଟଣାକୁ କ’ଣ ବୋଲି କହିବା ? ଆକସ୍ମିକତା ? ଦାୟିତ୍ୱହୀନତା ନା ଅତି ସକ୍ରିୟତା ?

ପ୍ରସ୍ଥ-୧

ସେ ଜଣେ ବିଖ୍ୟାତ ସାହିତ୍ୟିକ । ସାହିତ୍ୟ ଜଗତର ଏକ ହସ୍ତୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା ସାରଳା ପୁରସ୍କାର ଲାଭ କରିଥିବା ଏହି ପ୍ରଥିତଯଶା ସାହିତ୍ୟିକଙ୍କର ଆମ ଭଳି ଅଛନ୍ତି ଅସଂଖ୍ୟ ବିଦଗ୍ଧ ପାଠକ । ତା’ ଛଡ଼ା ସେ ଗୋଟେ ପ୍ରସିଦ୍ଧ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଏବଂ ସମୟକ୍ରମେ ଅଧ୍ୟକ୍ଷ ଥାଇ ସେବା ନିବୃତ୍ତ ହୋଇଥିବା ହେତୁ ସେ ସବୁ ଗଣମାଧ୍ୟମର ଜଣେ ପରିଚିତ ବ୍ୟକ୍ତିତ୍ଵ ।

କିଛି ବର୍ଷ ତଳର ଘଟଣା । ଗୋଟେ ଅଳସ ସନ୍ଧ୍ୟାରେ ସେ ଚା’ ପାନ କରୁଥିବା ବେଳେ ତାଙ୍କ ସହଧର୍ମିଣୀ ଏକ ଟି.ଭି ନ୍ୟୁଜ୍ ଚ୍ୟାନେଲରେ ଆଞ୍ଚଳିକ ଖବର ଦେଖୁ ଥିଲେ । ହଠାତ୍ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି, ଯେତେବେଳେ ତାଙ୍କ ନଜର ପଡିଲା ପରଦା ତଳେ ସ୍କ୍ରଲ୍ ହେଉଥିବା ଏକ ଖବର ଉପରେ, ଯେଉଁଥିରେ ଲେଖାଯାଇଥିଲା ଯେ କିଛି ଘଣ୍ଟା ପୂର୍ବରୁ ତାଙ୍କ ସ୍ଵାମୀଙ୍କର ଦେହାନ୍ତ ହୋଇଯାଇଛି ଏବଂ ସେଥିପାଇଁ ବିଭିନ୍ନ ବ୍ୟକ୍ତି ଶୋକ ପ୍ରକାଶ କରି ମିଡିଆ ହାଉସକୁ ବାର୍ତ୍ତାମାନ ପଠାଇଛନ୍ତି । ସେ ତୁରନ୍ତ ସ୍ଵାମୀଙ୍କୁ ଡାକ ପକାଇଲେ । ସାର୍ ଆସି ଦେଖିଲେ ଯେ ସତରେ ଆଜି ତାଙ୍କର ମହାପ୍ରୟାଣ ହୋଇଯାଇଥିବାର ଖବର ବିଶେଷ ଖବର ଭାବରେ ପରଦା ତଳେ ଅବିରାମ ଚାଲିଛି । ସାର୍ ମଧ୍ୟ କିଂ କର୍ତ୍ତବ୍ୟ ବିମୂଢ ହୋଇଗଲେ ଆଉ ସଙ୍ଗେ ସଙ୍ଗେ ଉକ୍ତ ଟିଭିର ନ୍ୟୁଜରୁମକୁ ଫୋନ୍ କରି ଜଣାଇବା ପରେ ଖବର ପ୍ରସାରଣ ବନ୍ଦ ହେଲା । ଶେଷରେ ବୁଝୁ ବୁଝୁ ଜଣାପଡ଼ିଲା ଯେ ସାରଙ୍କ ସମାନ ନାମ ଓ ସଂଜ୍ଞାଧାରୀ ଜଣେ ବ୍ୟକ୍ତିଙ୍କର କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।

ତେବେ ଏ ଧରଣର ଘଟଣାକୁ କ’ଣ ବୋଲି କହିବା ? ଆକସ୍ମିକତା ? ଦାୟିତ୍ୱହୀନତା ନା ଅତି ସକ୍ରିୟତା ?

ପ୍ରସ୍ଥ -୨

କିଛି ଦିନ ତଳେ ଆମ କଲୋନୀର କିଛି ବରିଷ୍ଠ ନାଗରିକ ସକାଳୁ ସକାଳୁ ଆମ ଘରେ ପହଞ୍ଚି ଜଣାଇଲେ ଯେ ପରସ୍ପର ଯୋଗାଯୋଗରେ ରହିବା, ଭଲ ମନ୍ଦରେ ସାହାଯ୍ୟର ହାତ ବଢ଼ାଇବା, ସର୍ବୋପରି ନିଜ ପିଲାମାନଙ୍କ ଅନୁପସ୍ଥିତିରେ ନିଜର ଏକଲାପଣକୁ ଦୂର କରିବା ପାଇଁ ସେମାନେ ଗୋଟେ ହ୍ଵାଟ୍ସଆପ୍ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ମୋର ସମ୍ମତି ପାଇଲେ ସେଥିରେ ମୋତେ ଅନ୍ତର୍ଭୁକ୍ତ କରିବେ । ଅତି ଆଗ୍ରହ ସହକାରେ ସେହି ମୁହୁର୍ତ୍ତରେ ସେମାନଙ୍କର ସହଯୋଗୀ ହୋଇଗଲି ।

କିନ୍ତୁ “ସୃଷ୍ଟି”(ହ୍ଵାଟ୍ସଆପ୍)ର ଜନ୍ମ ପରେ, ସେ ଦିଶାହରା ହୋଇ ନିଜ ସ୍ରଷ୍ଟାଙ୍କର ଉଦ୍ଦେଶ୍ୟ ଭୁଲି ଅମଡ଼ାବାଟରେ ମାଡ଼ି ଚାଲିଲା । ନିଜ ନିଜ ଖବର ଗୌଣ ହୋଇଗଲା । ବନ୍ଧୁମାନେ ଏବେ ନିଜର ଲୁକ୍କାୟିତ ପ୍ରତିଭା ତ ପ୍ରକାଶ କଲେ, ତା ସହିତ ରଙ୍ଗୀନ୍ ମିଜାଜର ମଧ୍ୟ ପରିଚୟ ଦେଲେ ।

କିନ୍ତୁ ଅନ୍ୟମାନଙ୍କଠୁ ନିଆରା ଥିଲେ ବନ୍ଧୁ ଆର୍ତ୍ତତ୍ରାଣ ବାବୁ । ସେ ନିଜ ପିତାମାତାଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ଗତବର୍ଷ ପିତାଙ୍କର ମହାପ୍ରୟାଣ ପରେ ଅତ୍ୟନ୍ତ ମର୍ମାହତ ହୋଇପଡିଥିଲେ । ଯେତେବେଳେ ଦେଖା ହେଲେ ବି ସେ ନିଜ ବାପାଙ୍କ ବିଷୟରେ ହିଁ କହୁଥିଲେ । ପ୍ରକାଶ ଥାଉ କି, ଆର୍ତ୍ତ ବାବୁଙ୍କ ଦିବଂଗତ ପିତା ଏକଦା ଜଣେ ପ୍ରଭାବଶାଳୀ ଅମଲା ଥିଲେ ଏବଂ ସେଥିପାଇଁ ତାଙ୍କର ବାଲ୍ୟଜୀବନ ଅତ୍ୟନ୍ତ ଅୟସରେ କଟିଥିଲା ।

ସେଦିନ ଥାଏ ମହାଶିବରାତ୍ରି । ଗତ ବର୍ଷ ଏହି ପବିତ୍ର ଦିବସରେ ଆର୍ତ୍ତତ୍ରାଣ ବାବୁଙ୍କ ପିତାଙ୍କର ଏକ ଅସ୍ଵାଭାବିକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ତ ସମସ୍ତଙ୍କୁ ଆସେ, କିନ୍ତୁ ତାଙ୍କ ପିତାଙ୍କ ବିବାଦିତ ପରିସ୍ଥିତିରେ ମୃତ୍ୟୁ ତାଙ୍କୁ ଏକ ଶକ୍ତ ଆଘାତ ଦେଇଥିଲା ।

ସେଦିନ ସକାଳୁ ଗ୍ରୁପରେ ପ୍ରଥମ ବାର୍ତ୍ତା ଥିଲା ଆର୍ତ୍ତତ୍ରାଣ ବାବୁଙ୍କର । ସେ ନିଜ ପିତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲେ ଯେ ବଞ୍ଚିଥିଲେ ବାପାଙ୍କର ଆଜି ଅଠାଅଶୀ ବର୍ଷ ବୟସ ହୋଇଥାନ୍ତା । ମୁଁ ମେସେଜ୍ ଦେଖି ପ୍ରତି ବାର୍ତ୍ତା ଲେଖି ବସିଲି । ହଠାତ୍ ଟିଂ ଟିଂ କରି ଆଠ ଦଶଟା ମେସେଜ୍ ଆସିଗଲା । ଏବେ ଲେଖିବା ବନ୍ଦ କରି ମେସେଜ୍ ଦେଖିବାକୁ ଆରମ୍ଭ କଲି । କିମାଶ୍ଚର୍ଯମ୍ !!! ପ୍ରଥମ ବାର୍ତ୍ତା ଥିଲା, “Happy birthday to mausa”. ଦ୍ଵିତୀୟ ଜଣକ ଲେଖିଥିଲେ “Many many happy returns of the day”. ଆଉ ତା ପର ଲେଖାଗୁଡ଼ିକ ଥିଲା ଜନ୍ମଦିନ ଶୁଭେଚ୍ଛା ସମ୍ପର୍କିତ।

ଆଉ ଆଗକୁ ପଢ଼ିବାର ଧୈର୍ଯ୍ୟ ନ ଥିଲା । ସଙ୍ଗେ ସଙ୍ଗେ ଆର୍ତ୍ତତ୍ରାଣ ବାବୁଙ୍କୁ ଫୋନ୍ କରି ତୁରନ୍ତ ଏଭଳି ଅବିମୃଶ୍ୟକାରୀ ବାର୍ତ୍ତା ଉପରେ ସ୍ପଷ୍ଟୀକରଣ ଲେଖିବାକୁ କହିଲି । କିନ୍ତୁ ସେତେବେଳକୁ ଡେରି ହୋଇ ଯାଇଥିଲା । ଏହା ଭିତରେ ସଂକ୍ରମଣର ବ୍ୟାପକତା ଏତେ ବଢି ଯାଇଥିଲା ଯେ ଆର୍ତ୍ତତ୍ରାଣ ବାବୁ ତାଙ୍କ ପ୍ରତିଷେଧକ ବାର୍ତ୍ତା ଆଉ କିଛି କାମ କରିବ ନାହିଁ ଭାବି ଚୁପ୍ ରହିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top