ପ୍ରବନ୍ଧ

ମହାନ ଲୋକସେବକ, ରାଜନେତା ସୁରେନ୍ଦ୍ର ନାଥ ନାୟକ

Shri Nihar Ranjan Sabat's Odia Prose Mahaan Lokasebaka, Raajaneta Surendra Nath Nayak

ତାଙ୍କ ଜୀବନର ମୂଳ ଉଦ୍ଦେଶ୍ୟ ଥିଲା ସମାଜ ସେବା । ଦୁର୍ନୀତି ବିରୋଧରେ ସେ ସବୁବେଳେ ସ୍ୱର ଉଠାଉଥିଲେ ଏବଂ ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ଚେଷ୍ଟିତ ଥିଲେ ।

ଓଡ଼ିଶାର ରାଜନୈତିକ ଓ ସାମାଜିକ କ୍ଷେତ୍ରର ଇତିହାସରେ ସୁରେନ୍ଦ୍ରନାଥ ନାୟକ ଏକ ପ୍ରମୁଖ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ । ସେ ରାଜ୍ୟ ରାଜନୀତିରେ ସୁର ନାୟକ ବା ସୁର ବାବୁ ଭାବରେ ଥିଲେ ପରିଚିତ । ଜନସେବା ଓ ଦୁର୍ନୀତି ବିରୋଧରେ ଅବିରତ ସଂଗ୍ରାମ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ତାଙ୍କର ଜୀବନଯାତ୍ରା ଏକ ପ୍ରବହମାନ ନଦୀ ପରି ଥିଲା, ଯାହା ରାଜ୍ୟ ତଥା ରାଜ୍ୟବାସୀଙ୍କ ସୁଖଦୁଃଖ ସହିତ ଗଭୀର ଭାବରେ ଜଡ଼ିତ ହୋଇ ରହିଥିଲା । ସେ ଥିଲେ ଜନସେବାର ପ୍ରତୀକ, ଯିଏ ନିଜ ଜୀବନକୁ ଅବହେଳିତ, ଗରିବ ଓ ନିଷ୍ପେସିତ ମାନଙ୍କ ଉନ୍ନତି ଏବଂ ସମାଜରେ ନ୍ୟାୟ ପ୍ରତିଷ୍ଠା ପାଇଁ ଉତ୍ସର୍ଗ କରିଥିଲେ । ୧୯୩୭ ମସିହା ମେ ମାସ ସତର ତାରିଖରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ଛୁରୀଅନା ଗ୍ରାମପଞ୍ଚାୟତର ଅଣକଣା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ ବ୍ୟକ୍ତିତ୍ୱ ନିଜର କର୍ମ ଓ ସଂଗ୍ରାମ ମାଧ୍ୟମରେ ଓଡ଼ିଶାବାସୀଙ୍କ ହୃଦୟରେ ନିଜର ସ୍ମୃତି ଚିହ୍ନ ଛାଡ଼ି ଯାଇଛନ୍ତି ।

ପିତା ନାରାୟଣ ନାୟକ ଜଣେ ସାଧାରଣ ଚାଷୀ ଥିଲେ । ଗ୍ରାମୀଣ ପରିବେଶରେ ବଢ଼ି ଉଠିଥିବା ସୁରେନ୍ଦ୍ରନାଥ ବାଲ୍ୟକାଳରୁ ଗାଁ ଲୋକଙ୍କ ସୁଖଦୁଃଖ ଓ ଅଭାବକୁ ନିକଟରୁ ଦେଖିଥିଲେ । ଏହି ଅନୁଭବ ତାଙ୍କ ମନରେ ସମାଜସେବାର ବୀଜ ବୁଣିଥିଲା । ସେ ଶ୍ରୀମତୀ ଚାରୁବାଳା ଦେବୀଙ୍କୁ ବିବାହ କରିଥିଲେ ଏବଂ ଏକ ସୁଖୀ ପରିବାର ଗଢ଼ି ତୋଳିଥିଲେ ଦୁଇ ପୁଅ ଓ ତିନି ଝିଅଙ୍କୁ ନେଇ । ତାଙ୍କର ପାରିବାରିକ ବୃତ୍ତି ଥିଲା ଚାଷ, ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଶିକ୍ଷକତାକୁ ବୃତ୍ତି ରୂପେ ଗ୍ରହଣ କରି ଜନସେବା କ୍ଷେତ୍ରରେ ଗଭୀର ରୁଚି ରହିଥିବା ଯୋଗୁଁ ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ।

୧୯୬୦ ମସିହାରେ, ସୁର ବାବୁ ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ୧୯୬୭ ମସିହା ପର୍ଯ୍ୟନ୍ତ ସେହି ପଦରେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ରାଜନୈତିକ ପଦବୀ ତାଙ୍କୁ ଗ୍ରାମୀଣ ଜନଜୀବନର ସମସ୍ୟାକୁ ନିକଟରୁ ବୁଝିବାର ସୁଯୋଗ ଦେଇଥିଲା । ୧୯୬୮ ମସିହାରେ ବସ୍ ଭଡ଼ା ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବା ସମୟରେ ସେ ଗିରଫ ହୋଇଥିଲେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରେରଣାରେ ସାଧାରଣ ନିର୍ବାଚନ ରାଜନୀତିରେ ପ୍ରବେଶ କରି ପ୍ରଥମ ଥର ପାଇଁ ୧୯୭୧ ମସିହାର ବିଧାନ ସଭା ନିର୍ବାଚନରେ ସେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପଞ୍ଚମ ଓଡ଼ିଶା ବିଧାନସଭାକୁ ହୋଇଥିଲେ ନିର୍ବାଚିତ । ଏହା ପରେ ସେ ସପ୍ତମ, ନବମ, ଦଶମ, ଏକାଦଶ (ଉପ-ନିର୍ବାଚନ), ଦ୍ୱାଦଶ, ଏବଂ ତ୍ରୟୋଦଶ ଓଡ଼ିଶା ବିଧାନସଭାକୁ ଯଥାକ୍ରମେ ୧୯୭୭ ଓ ୧୯୮୫ରେ ଜନତା ପାର୍ଟି, ୧୯୯୦ ଓ ୧୯୯୬ରେ ଜନତା ଦଳ, ୨୦୦୦ ଓ ୨୦୦୪ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ସମୁଦାୟ ସାତ ଥର ନିର୍ବାଚିତ ହୋଇଥିଲେ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ । ଉପକୂଳ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରୁ ବାରମ୍ବାର ବିଜୟୀ ହେବା ତାଙ୍କ ଲୋକପ୍ରିୟତା ତଥା ନେତୃତ୍ୱ ପ୍ରତି ଜନସାଧାରଣଙ୍କର ରହିଥିବା ଅତୁଟ ବିଶ୍ୱାସ, ପ୍ରଗାଢ଼ ଆସ୍ଥା ଓ ଭଲପାଇବାକୁ ସୂଚାଇଥାଏ ।

୧୯୭୦ ଓ ୧୯୮୦ ଦଶକ ଥିଲା ଭାରତୀୟ ରାଜନୀତିରେ ଅସ୍ଥିରତାର ସମୟ, ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ଗୁଡ଼ିଏ କ୍ଷେତ୍ରୀୟ ଦଳର ଅଭ୍ୟୁଦୟ ଘଟିଥିଲା । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ସେ ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷା ଆଇନ ବା ମେଣ୍ଟେନାନ୍ସ ଅଫ ଇଣ୍ଟରନେଲ ସିକ୍ୟୁରିଟି ଆକ୍ଟ (ମିସା) ଅଧୀନରେ ଗିରଫ ହୋଇଥିଲେ । ସେହିପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସଂଗ୍ରାମୀ ମନୋଭାବକୁ ଅତୁଟ ରଖି ସେ ରାଜନୈତିକ ପ୍ରଭାବ ବଜାୟ ରଖିବା ସହ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ ।

ତାଙ୍କର ଜୀବନ ଥିଲା ଜନସେବାର ଏକ ଅନୁପମ ଗାଥା, ଯେଉଁଠି ପ୍ରତ୍ୟେକ ପଦକ୍ଷେପ ରାଜ୍ୟ ତଥା ରାଜ୍ୟବାସୀଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ । ଓଡିଶା ବିଧାନ ସଭାର ଉପବାଚସ୍ପତି ପଦରୁ ଆରମ୍ଭ କରି ରାଜସ୍ୱ, ଅବକାରୀ, ପଞ୍ଚାୟତିରାଜ, ଗଣଶିକ୍ଷା, କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଏବଂ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଭାବରେ ସେ ଦକ୍ଷତା, ଶ୍ରଦ୍ଧା, ନିଷ୍ଠାର ସହ କାର୍ଯ୍ୟକରି ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆଗେଇନେବାରେ ଗ୍ରହଣ କରିଛନ୍ତି ଉଲ୍ଲେଖନୀୟ ଭୂମିକା ।

୧୯୭୭ ମସିହା ଜୁଲାଇ ମାସ ସତେଇଶ ତାରିଖରୁ ୧୯୮୦ ମସିହା ଫେବୃଆରୀ ମାସ ସତର ତାରିଖ ପର୍ଯ୍ୟନ୍ତ ସେ ସପ୍ତମ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଗଣତନ୍ତ୍ରର ନିରପେକ୍ଷ ପ୍ରହରୀ ଭାବରେ ବିଧାନସଭାର କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିବା ସହିତ ନିରପେକ୍ଷତା, ନ୍ୟାୟପରାୟଣତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଉଚ୍ଚ ମାନଦଣ୍ଡ ସ୍ଥାପନ କରି ଉପବାଚସ୍ପତି ଭଳି ଗାରିମାମୟ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିଥିଲେ ଏବଂ ଗୌରବବୃଦ୍ଧି କରିଥିଲେ ।

ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାରରେ ୧୯୯୦ ମସିହା ମାର୍ଚ୍ଚ ମାସ ପନ୍ଦର ତାରିଖରୁ ୧୯୯୧ ମସିହା ଜାନୁଆରୀ ମାସ ଦୁଇ ତାରିଖ ପର୍ଯ୍ୟନ୍ତ ରାଜସ୍ବ ଓ ଅବକାରୀ ବିଭାଗ ଏବଂ ତାପରେ ୧୯୯୫ ମସିହା ମାର୍ଚ୍ଚ ମାସ ପନ୍ଦର ତାରିଖ ପର୍ଯ୍ୟନ୍ତ କେବଳ ରାଜସ୍ବ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ସେ ଓଡ଼ିଶାର ଭୂମି ପ୍ରଶାସନ ଓ ରାଜସ୍ୱ ବ୍ୟବସ୍ଥାରେ ଆଣିଥିଲେ ଯୁଗାନ୍ତକାରୀ ପରିବର୍ତ୍ତନ । ଜମିଜମା ରେକର୍ଡ଼ର ଆଧୁନିକୀକରଣ, ଜମି ବିବାଦର ଦ୍ରୁତ ସମାଧାନ ଏବଂ ରାଜସ୍ୱ ସଂଗ୍ରହରେ ପାରଦର୍ଶିତା ଆଣିବାରେ ସେ ଗ୍ରହଣ କରିଥିଲେ ଅଗ୍ରଣୀ ଭୂମିକା । ତାଙ୍କର ଏହି ସଂସ୍କାରମାନ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଭୂମି ମାଲିକାନାରେ ସୁରକ୍ଷା ପ୍ରଦାନ କରିଥିଲା ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିଥିଲା । ତାଙ୍କ ହୃଦୟରେ କୃଷକ ଓ ଭୂମିହୀନ ଶ୍ରମିକଙ୍କ ଦୁଃଖ ପ୍ରତି ରହିଥିଲା ଗଭୀର ସମବେଦନା । ସେ ଦୃଢ଼ଭାବେ ବିଶ୍ୱାସ କରୁଥିଲେ ଯେ, ରାଜ୍ୟର ପ୍ରକୃତ ଉନ୍ନତି ସେତେବେଳେ ହିଁ ସମ୍ଭବ, ଯେତେବେଳେ ଭୂମି ମାଲିକାନାରେ ଅସମାନତା ଦୂର ହେବ ଏବଂ ବିକାଶର ସୁଫଳ ଗାଁର ଗରିବ ଲୋକଙ୍କ ପାଖରେ ପହଞ୍ଚିବ ।

ରାଜସ୍ୱ ମନ୍ତ୍ରୀ ଭାବରେ ସେ ରାଜ୍ୟ ବିଧାନ ସଭାରେ ଓଡ଼ିଶା ଜମିଦାରୀ ଉଚ୍ଛେଦ (ସଂଶୋଧନ) ଆଇନ, ୧୯୯୧, ଓଡ଼ିଶା ଭୂମି ସଂସ୍କାର (ସଂଶୋଧନ) ଆଇନ, ୧୯୯୦, ୧୯୯୨ ଓ ୧୯୯୩, ଓଡ଼ିଶା ସରକାରୀ ଜମି ସେଟଲମେଣ୍ଟ (ସଂଶୋଧନ) ଆଇନ, ୧୯୯୦, ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ (ସଂଶୋଧନ) ଆଇନ, ୧୯୯୪, ଓଡ଼ିଶା ଜଳସେଚନ (ବୈଧତା) ଆଇନ, ୧୯୯୨ ଓ ଓଡ଼ିଶା ଜଳସେଚନ (ସଂଶୋଧନ) ଆଇନ, ୧୯୯୩, ଓଡ଼ିଶା କୃଷି ବର୍ଷ (ସଂଶୋଧନ) ଆଇନ, ୧୯୯୨ ଓ ଓଡ଼ିଶା ସେସ୍ (ସଂଶୋଧନ) ଆଇନ, ୧୯୯୨ ଓ ୧୯୯୪, ଓଡ଼ିଶା ପ୍ରଶାସନିକ ସେବା, ଦ୍ଵିତୀୟ ଶ୍ରେଣୀ ଅଧିକାରୀଙ୍କ ନିଯୁକ୍ତି ବୈଧତା ସଂଶୋଧନ ଆଇନ, ୧୯୯୨, ଏବଂ ଓଡ଼ିଶା ଶିଳ୍ପ ବିକାଶ, ଜଳସେଚନ, କୃଷି, ପୁଞ୍ଜି ନିର୍ମାଣ ଏବଂ ବିସ୍ଥାପିତଙ୍କ ପୁନଃବସତି (ଭୂମି ଅଧିଗ୍ରହଣ) ପ୍ରତ୍ୟାହାର ଆଇନ, ୧୯୯୪ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଲୋକହିତକାରୀ ଭୂମି ସଂସ୍କାର ବିଧେୟକ ଆଗତ କରିଥିଲେ । ଏହି ବିଧେୟକଗୁଡ଼ିକ ଭୂମି ପ୍ରଶାସନକୁ ସୁଦୃଢ଼ କରିଥିଲା ।

୧୯୯୩ ମସିହାରେ ଓଡ଼ିଶା ସରକାର ରାଜ୍ୟର ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଜିଲ୍ଲାମାନଙ୍କ ସଂଖ୍ୟା ତେରରୁ ତିରିଶକୁ ବୃଦ୍ଧି କରିଥିଲେ । ଏହି ନିଷ୍ପତ୍ତିରେ ରାଜସ୍ବ ମନ୍ତ୍ରୀ ଭାବେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଏହା ଦ୍ୱାରା ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଅଧିକ ବିକେନ୍ଦ୍ରୀକରଣ ଘଟିବା ଫଳରେ ସ୍ଥାନୀୟ ସ୍ତରରେ ସହଜରେ ସରକାରୀ ସେବା ଗୁଡ଼ିକ ଉପଲବ୍ଧ ହେବାକୁ ଲାଗିଲା । ଏହି ସମୟରେ ସେ ବନ୍ୟା, ବାତ୍ୟା ଏବଂ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ମଧ୍ୟ ଗ୍ରହଣ କରିଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା । ଅବକାରୀ ବିଭାଗର ମନ୍ତ୍ରୀ ଭାବରେ ସାମାଜିକ ଅବକ୍ଷୟ ରୋକିବା ଏବଂ ଅବକାରୀ ଶୁଳ୍କରୁ ରାଜସ୍ୱ ସଂଗ୍ରହ ବୃଦ୍ଧି କରିବାର ଲକ୍ଷ୍ୟରେ ସେ ସାମାଜିକ କଲ୍ୟାଣ ଓ ଅର୍ଥନୈତିକ ସ୍ଥିରତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିମନ୍ତେ ଥିଲେ ପ୍ରୟାସରତ ।

୨୦୦୦ ମସିହା ମାର୍ଚ୍ଚ ମାସ ଛଅ ତାରିଖରୁ ୨୦୦୨ ମସିହା ଅଗଷ୍ଟ ମାସ ଛଅ ତାରିଖ ପର୍ଯ୍ୟନ୍ତ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡ଼ିଶା ରାଜ୍ୟ ସରକାରରେ ପଞ୍ଚାୟତିରାଜ ମନ୍ତ୍ରୀ ଭାବରେ କାର୍ଯ୍ୟ କରି ପଞ୍ଚାୟତିରାଜ ବ୍ୟବସ୍ଥାର ବିକାଶ ପାଇଁ ନେଇଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିଭାଗୀୟ ମନ୍ତ୍ରୀ ଭାବରେ ଓଡ଼ିଶା ଗ୍ରାମ ପଞ୍ଚାୟତ (ସଂଶୋଧନ) ଆଇନ, ୨୦୦୦ ଓ ୨୦୦୧, ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ଆଇନ, ୨୦୦୦ ଓ ୨୦୦୧, ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ସଂଶୋଧନ) ଆଇନ, ୨୦୦୦ ଓ ୨୦୦୧ ବିଧେୟକଗୁଡ଼ିକୁ ବିଧାନ ସଭାରେ ଆଗତ କରିଥିଲେ ଏବଂ ସେହି ବିଧେୟକଗୁଡ଼ିକ ଗୃହର ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିଲା । ଏହି ଆଇନଗୁଡ଼ିକ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଗ୍ରାମୀଣ ସ୍ତରରେ ସ୍ଥାନୀୟ ସ୍ୱୟଂଶାସନକୁ ପ୍ରୋତ୍ସାହନ ଦେଇଥିଲା । ଏହା ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର କାର୍ଯ୍ୟଦକ୍ଷତାରେ ବୃଦ୍ଧି କରିଥିଲା । ତାଙ୍କ ନେତୃତ୍ୱରେ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିଲା ବିଭିନ୍ନ ଯୋଜନା । ଏହା ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରି ସେମାନଙ୍କୁ ସଶକ୍ତ କରିଥିଲା । ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ପାଇଁ ତେତିଶ ପ୍ରତିଶତ ସ୍ଥାନ ସଂରକ୍ଷଣକୁ କାର୍ଯ୍ୟକାରୀ କରାଯାଇଥିଲା, ଯାହା ପୂର୍ବରୁ ସ୍ବର୍ଗତ ବିଜୁ ବାବୁଙ୍କ ଶାସନ ସମୟରେ ଆରମ୍ଭ ହୋଇଥିଲା । ଏହା ମହିଳାମାନଙ୍କୁ ଗ୍ରାମୀଣ ଶାସନବ୍ୟବସ୍ଥାରେ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଇଥିଲା । ଗ୍ରାମ ପଞ୍ଚାୟତଗୁଡ଼ିକୁ ଅଧିକ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ କରାଯାଇଥିଲା ।

ଓଡ଼ିଶା ରାଜ୍ୟ ସରକାରରେ ୨୦୦୨ ମସିହା ଅଗଷ୍ଟ ମାସ ଛଅ ତାରିଖରୁ ୨୦୦୪ ମସିହା ମେ ମାସ ଷୋହଳ ତାରିଖ ପର୍ଯ୍ୟନ୍ତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ବିଦ୍ୟାଳୟଗୁଡ଼ିକରେ ନୂତନ ଶ୍ରେଣୀଗୃହ ନିର୍ମାଣ, ପାଠାଗାର, ପାନୀୟ ଜଳ ଓ ଶୌଚାଳୟ ଭଳି ସୁବିଧା ଯୋଗାଇବା ପାଇଁ ସେ ଗୁରୁତ୍ୱ ଦେଇଥିଲେ । ଶିକ୍ଷାର ମାନ ଉନ୍ନତ କରିବା ପାଇଁ ଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗରିବ ଓ ପଛୁଆ ବର୍ଗର ପିଲାମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ମାଗଣା ପାଠ୍ୟପୁସ୍ତକ, ଗଣବେଶ ଓ ମଧ୍ୟାହ୍ନ ଭୋଜନ ଯୋଗାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ଦ୍ୱାରା ଅନେକ ପିଲା ବିଦ୍ୟାଳୟକୁ ଆସି ପାଠ ପଢ଼ୁଥିଲେ । ରାଜ୍ୟ ଗଣଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାତୀୟ ସ୍ତରୀୟ ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା । ଝିଅମାନଙ୍କୁ ବିଦ୍ୟାଳୟରେ ଅଧିକ ସଂଖ୍ୟାରେ ନାମ ଲେଖାଇବା ପାଇଁ, ପାଠ ପଢ଼ାଇବା ସେ ବିଭିନ୍ନ ଯୋଜନାର ଆରମ୍ଭ କରିଥିଲେ । ତାଙ୍କର ଏହି ଅବଦାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ସାହାଯ୍ୟ କରିଥିଲା ।

୨୦୦୪ ମସିହା ମେ ମାସ ୧୮ ତାରିଖରୁ ୨୦୦୯ ମସିହା ମେ ମାସ ୨୧ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାର କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର କୃଷି, ଓ କୃଷକମାନଙ୍କର ଉନ୍ନତି ପାଇଁ ଅନେକ ପ୍ରୟାସ କରିଥିଲେ । କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର, କୃଷକମାନଙ୍କୁ ଉନ୍ନତ ମାନର ବିହନ, ସାର, ଓ କୃଷି ଯନ୍ତ୍ରପାତି ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ଯାହା ଫସଲ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇଥିଲା । ଉଦ୍ୟାନ କୃଷି କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସୁଦୃଢ଼ କରିବା ପାଇଁ ସେ ସରକାରୀ କୃଷି ଉଦ୍ୟାନ ଗୁଡିକର ପୁନରୁଦ୍ଧାର କରିବା,ଫଳ, ପନିପରିବା ଏବଂ ମସଲା ଜାତୀୟ ଫସଲର ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସେ କୃଷକମାନଙ୍କୁ ତାଲିମ ଓ ସହାୟତା ପ୍ରଦାନର ବ୍ୟବସ୍ଥା ଭଳି ବ୍ୟବସ୍ଥା ମାନ କରିଥିଲେ । ଜୈବିକ ସାରର ବ୍ୟବହାର ଏବଂ ମାଟି ପରୀକ୍ଷା କରି କୃଷକମାନଙ୍କୁ ଉପଯୁକ୍ତ ଚାଷ ପଦ୍ଧତି ବିଷୟରେ ସଚେତନ କରାଯାଇଥିଲା । ଏହା ଦୀର୍ଘକାଳୀନ କୃଷି ଉତ୍ପାଦନକୁ ସ୍ଥିର ରଖିବାରେ ସହାୟକ ହୋଇଥିଲା । କୃଷି ଉତ୍ପାଦଗୁଡ଼ିକୁ ସିଧାସଳଖ ବଜାରରେ ପହଞ୍ଚାଇବା ପାଇଁ ମଧ୍ୟସ୍ଥିଙ୍କ ଭୂମିକା ହ୍ରାସ କରାଯାଇଥିଲା ଯାହା କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଥିଲା । ଋଣ ସୁବିଧା, ବୀମା ଯୋଜନା ଏବଂ କୃଷି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯିବା ଦ୍ୱାରା ସେମାନେ ଉପକୃତ ହୋଇଥିଲେ ।

ସେ ଓଡ଼ିଶା ବିଧାନସଭାରେ ୨୦୦୦ ରୁ ୨୦୦୮ ମସିହା ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ; ୨୦୦୦-୨୦୦୧, ୨୦୦୪-୨୦୦୫, ୨୦୦୫-୨୦୦୬, ୨୦୦୬-୨୦୦୭ ଓ ୨୦୦୭-୨୦୦୮ରେ ବାତ୍ୟା/ବନ୍ୟା ସମ୍ବନ୍ଧୀୟ ଗୃହ କମିଟି ସଦସ୍ୟ, ୨୦୦୦-୨୦୦୧ରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ବନ୍ଧୀୟ ଗୃହ କମିଟି ସଦସ୍ୟ, ୨୦୦୦-୨୦୦୩ ମଧ୍ୟରେ ତିନି ବର୍ଷ ଧରି ପଞ୍ଚାୟତି ରାଜ ବିଷୟ କମିଟି ଅଧ୍ୟକ୍ଷ, ୨୦୦୩-୨୦୦୪ରେ ସଦାଚାର କମିଟି ଓ ଭାଷାଗତ ସଂଖ୍ୟାଲଘୁ ସମ୍ବନ୍ଧୀୟ ଗୃହ କମିଟି ସଦସ୍ୟ ଏବଂ ୨୦୦୪-୨୦୦୫ରେ କୃଷି ବିଷୟ କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ, ଯାହା ତାଙ୍କର ବହୁମୁଖୀ କାର୍ଯ୍ୟଦକ୍ଷତା ଓ ନେତୃତ୍ୱକୁ ଦର୍ଶାଇଥାଏ । ତାଙ୍କର କାର୍ଯ୍ୟଦକ୍ଷତା ରାଜ୍ୟ ବିକାଶରେ ସହାୟକ ହେବା ସହ, ଜନସାଧାରଣଙ୍କ ଜୀବନରେ ମଧ୍ୟ ଦୀର୍ଘସ୍ଥାୟୀ ସକାରାତ୍ମକ ପ୍ରଭାବ ସୃଷ୍ଟି କରିଥିଲା ।

ସୁଦୀର୍ଘ ରାଜନୈତିକ ଜୀବନର ଅବଧି ମଧ୍ୟରେ ସେ ଚୀନ, ସୋଭିଏତ୍ ସଂଘ, ଜାପାନ, ତାଇୱାନ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ମାଲେସିଆ, ବର୍ମା ଏବଂ ହଂକଂ ଭଳି ଦେଶଗୁଡ଼ିକୁ ଗସ୍ତ କରିଥିଲେ; ଏହିସବୁ ବିଦେଶ ଯାତ୍ରା ତାଙ୍କୁ ବିଭିନ୍ନ ଦେଶର ସଂସ୍କୃତି, ସମାଜ ଓ ରାଜନୀତି ବିଷୟରେ ଦେଇଥିଲା ଅନେକ ନୂଆ ଅନୁଭବ, ଯାହା ତାଙ୍କ ଦୃଷ୍ଟିକୋଣକୁ ଅଧିକ ଉନ୍ନତ, ପ୍ରଶସ୍ତ ତଥା ସମୃଦ୍ଧ କରିଥିଲା, ଜନସେବା ପ୍ରତି ନୂତନ ପ୍ରେରଣା ଦେଇଥିଲା ଏବଂ ତାଙ୍କର ରାଜନୈତିକ ଓ ସାମାଜିକ ଚିନ୍ତାଧାରାକୁ ଏକ ନୂତନ ରୂପ ପ୍ରଦାନ କରିଥିଲା ।

୨୦୦୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଥିବା ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଧାରଣ ପ୍ରକ୍ରିୟାରେ ତାଙ୍କ ପାରମ୍ପରିକ କାକଟପୁର ବିଧାନସଭା ଆସନ ଦଳିତ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ହେଲା । ପ୍ରଥମେ ବିଜୁ ଜନତା ଦଳ ପକ୍ଷରୁ ନବ ଗଠିତ ଭୁବନେଶ୍ୱର(ଉତ୍ତର) ବିଧାନ ସଭା ଆସନରୁ ପ୍ରତିଦ୍ବନ୍ଦିତା କରିବା ନିମନ୍ତେ ଟିକେଟ ଦିଆଯାଇ ପରେ ପ୍ରାର୍ଥୀ ତାଲିକାରୁ ତାଙ୍କ ନାଁ କାଟି ଦିଆଯିବା ଫଳରେ ସେହି ନିର୍ବାଚନରେ ସେ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିପାରିଲେ ନାହିଁ ଏବଂ ତାଙ୍କର ସକ୍ରିୟ ରାଜନୈତିକ ଜୀବନର ଅନ୍ତ ହୋଇଥିଲା ।

ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଦାୟିତ୍ୱ ନିର୍ବାହ କରିଥିଲେ । ଯୋଜନା ବୋର୍ଡ଼ରେ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବା, ସରକାରୀ ନୀତି ଓ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟରେ ସମନ୍ୱୟ ଆଣିବା ଏବଂ ଅନେକ ଲୋକହିତକାରୀ ପଦକ୍ଷେପ ନିଆଯାଇଥିଲା ।

ଅନେକ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ କାକଟପୁର ନିର୍ବାଚନ ମଣ୍ଡଳୀରେ ସେ ବହୁ ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରି ଅନେକ ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଓ ରାସ୍ତାଘାଟ ନିର୍ମାଣ କରାଇଥିଲେ, ଯାହାଦ୍ୱାରା ସ୍ଥାନୀୟ ଜନସାଧାରଣ ବ୍ୟାପକ ଉପକୃତ ହୋଇଥିଲେ । କୃଷି କ୍ଷେତ୍ରରେ ଜଳ ସେଚନ ବ୍ୟବସ୍ଥାର ଉନ୍ନତି ଓ ଆଧୁନିକ କୃଷି ପଦ୍ଧତିର ପ୍ରସାର ଭଳି ଅନେକ ନୂତନ ସମୟୋପଯୋଗୀ ପଦକ୍ଷେପ ସେ ଗ୍ରହଣ କରିଥିଲେ ।

ତାଙ୍କ ଜୀବନର ମୂଳ ଉଦ୍ଦେଶ୍ୟ ଥିଲା ସମାଜ ସେବା । ଦୁର୍ନୀତି ବିରୋଧରେ ସେ ସବୁବେଳେ ସ୍ୱର ଉଠାଉଥିଲେ ଏବଂ ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ଚେଷ୍ଟିତ ଥିଲେ । ଏହି ସେବା ମନୋବୃତ୍ତି, ସମର୍ପଣ ଭାବ ତାଙ୍କ ପାଇଁ ଲୋକଙ୍କ ମନରେ ସୃଷ୍ଟି କରିଥିଲା ଏକ ସ୍ୱତନ୍ତ୍ର ସ୍ଥାନ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କାର୍ଯ୍ୟଶୈଳୀ, ସରଳତା ଓ ଜୀବନଦର୍ଶନ ଦ୍ୱାରା ସେ ଗଭୀରଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ତାଙ୍କ ସହ ଏକ ଆତ୍ମୀୟ ସମ୍ପର୍କ ରଖିଥିଲେ, ଯାହା ତାଙ୍କୁ ରାଜନୀତି ତଥା ଜନସେବା କ୍ଷେତ୍ରରେ ଅଗ୍ରସର ହେବାକୁ ପ୍ରେରଣା ଦେଇଥିଲା । ପଦ୍ମଚରଣ ସାମନ୍ତ ସିଂହାରଙ୍କ ଭଳି ସମକାଳୀନ ଅନେକ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତାଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା । ସେ ନିଜ ଦଳର କର୍ମୀମାନଙ୍କୁ ହୃଦୟରୁ ଭଲ ପାଉଥିଲେ, ରାଜ୍ୟର ଅଗ୍ରଣୀ ଲୋକପ୍ରିୟ ନେତା ମାନନୀୟ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ, ରାଜ୍ୟ, ଜିଲ୍ଲା, ବ୍ଲକ୍, ପଞ୍ଚାୟତ ସ୍ତରୀୟ ନେତା, ତୃଣମୂଳ ସ୍ତରର ସାଧାରଣ ଦଳୀୟ କର୍ମୀ ଏବଂ ଏପରିକି ନିଜ ରାଜନୈତିକ ବିରୋଧୀମାନଙ୍କ ସହିତ ମଧ୍ୟ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ, ଭାବନାତ୍ମକ ସମ୍ପର୍କ ବଜାୟ ରହିଥିଲା । ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଥିଲା ଏକ ବିସ୍ତୃତ, ସର୍ବାଙ୍ଗୀଣ, ସାମଗ୍ରିକ ତଥା ବ୍ୟାପକ ଦୃଷ୍ଟିଭଙ୍ଗୀ । ନୀତିଗତ ନିଷ୍ପତ୍ତି ନେବା ସମୟରେ ସେ ନିଜକୁ କେବଳ ଜଣେ ନିର୍ଦ୍ଦିଷ୍ଟ ଅଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ବା କୌଣସି ନିର୍ଦ୍ଦିଷ୍ଟ ବର୍ଗ, ରାଜନୈତିକ ଦଳ ବା ଅଞ୍ଚଳର ନେତା ଭାବରେ ଚିନ୍ତା କରୁନଥିଲେ, ବରଂ ସମଗ୍ର ଓଡ଼ିଶା ରାଜ୍ୟର ଜଣେ ବ୍ୟବସ୍ଥାପକ, ମନ୍ତ୍ରୀ ଓ ନେତା ଭାବରେ କାର୍ଯ୍ୟ କରୁଥିଲେ, ଯାହା ତାଙ୍କ ରାଜନୈତିକ ଦୃଷ୍ଟିକୋଣର ମହାନତା, ଉଦାରତା, ବିଶାଳତା ଓ ସମଗ୍ର ଓଡ଼ିଶା ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୁସ୍ପଷ୍ଟ କରୁଥିଲା ।

ଦୀର୍ଘ ଦିନର ଶାରୀରିକ ଅସୁସ୍ଥତା ପରେ ଓଡ଼ିଶା ରାଜନୀତିର ଏହି ମହାନ ପ୍ରତିଭା ୨୦୨୪ ମସିହା ଜୁଲାଇ ମାସ ପାଞ୍ଚ ତାରିଖରେ ଇହଧାମ ତ୍ୟାଗ କରିଥିଲେ । ସେ ଆଜି ସ୍ଵଦେହରେ ଆମ ମାନଙ୍କ ମଧ୍ୟରେ ନାହାନ୍ତି ସତ, କିନ୍ତୁ ତାଙ୍କର ସେବା ମନୋବୃତ୍ତି ଓ ଜୀବନ ଆଦର୍ଶ ଚିର ସ୍ମରଣୀୟ ହୋଇ ରହିବ । କାର୍ଯ୍ୟଦକ୍ଷତା, ଜନସେବା, ଅଧ୍ୟବସାୟ ଓ ନିଷ୍ଠା ବଳରେ ଜଣେ ସାଧାରଣ ଗ୍ରାମବାସୀ ଭାବରେ ଜୀବନ ଆରମ୍ଭ କରି ରାଜ୍ୟର ଉଚ୍ଚସ୍ତରର ରାଜନୈତିକ ପଦବୀ ପର୍ଯ୍ୟନ୍ତ ସେ ଯାଇ ପାରିଥିଲେ । ବିଧାନସଭାର ଉପବାଚସ୍ପତି, ବିଭିନ୍ନ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ତାଙ୍କର କାର୍ଯ୍ୟଶୈଳୀ, ମନ୍ତ୍ରୀ ଭାବରେ ରାଜସ୍ବ, ଅବକାରୀ, ପଞ୍ଚାୟତିରାଜ,ଗଣଶିକ୍ଷା, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଓଡ଼ିଶାର ବିକାଶରେ ହୋଇଛି ସହାୟକ । ଉନ୍ନତ ଦୃଷ୍ଟିକୋଣ, ମୂଲ୍ୟବୋଧ, ସଚ୍ଚୋଟତା, ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ସାଧାରଣ ଜୀବନରୁ ମଧ୍ୟ ଅସାଧାରଣ ସଫଳତା ଅର୍ଜନ କରିହୁଏ ବୋଲି ତାଙ୍କ ଜୀବନାଦର୍ଶ ଆମକୁ ଶିକ୍ଷାଦିଏ । ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ ନିମନ୍ତେ ରହିଥିବା ଅବଦାନ, ନୈତିକତାପୂର୍ଣ୍ଣ ଜୀବନ ଓ ଲୋକହିତକାରୀ ଭାବନା ନିମନ୍ତେ ତାଙ୍କର ନାମ ଓଡ଼ିଶାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିଖିତ ହୋଇ ରହିବ ଏବଂ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରଣା ଦେଉଥିବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top