କୁନା ବୋଲି ଗୋଟେ ପିଲାଟିଏ ଥିଲା
ଅସନା ହୁଅଇ ଭାରି
ବାଲିରେ ଧୂଳିରେ ନିତି ଖେଳୁଥାଏ
ନଥାଏ ଜମା ଖାତିରି ।
ଗାଧୁଆ ପାଧୁଆ କରେନି ଭଲରେ
ହାତକୁ ନଧୋଇ ଖାଏ
ଗୋଡ ହାତ ସିଏ ନଧୋଇ ରାତିରେ
ବିଛଣାରେ ଯାଇ ଶୁଏ ।
ମାଛ ଧରିବାକୁ ଅସନା ପାଣିରେ
ଆନନ୍ଦରେ ପଶିଯାଏ
ସାବୁନୁକୁ ଡରି ପୋଖରୀ ପାଣିରେ
ବୁଡ ମାରି ଉଠିଯାଏ ।
ଶୁଣେ ନାହିଁ କେବେ କାହାରି କଥାକୁ
ହୁଏନି ସଫା ସୁତୁରା
ସାଙ୍ଗସାଥୀ ପରା କହୁଥିଲେ ତାକୁ
ଆସିଲା ଦେଖ କୋତରା ।
କାଛୁ କୁଣ୍ଡିଆରେ ଦେହଟା ତାହାର
ଯାଇଥିଲା ପୁରା ପୁରି
ମଳା ମଳା ଯାଦୁ ହୋଇଥିଲା ଦେହେ
କାଦୁଆର ମେଣ୍ଢା ପରି ।
ଆସିଗଲା ସତେ ଏମିତି ଦିନଟେ
ବଢିଗଲା ରୋଗ ବ୍ୟାଧି
କାମବି କଲାନି ଖାଉଥିଲା ଯେତେ
ଡାକତର ଓଉଷଧି ।
ଡିଟେଲ୍ ପାଣିରେ ଗାଧୋଇବା ପାଇଁ
କହିଲେ ଡାକ୍ତର ବାବୁ
ସଫା ଓ ସୁତୁରା ହୋଇତ ପାରିଲେ
ରୋଗକୁ କରିବ କାବୁ ।
ସେହି ଦିନ ଠାରୁ ବୁଝି ପାରି କୁନା
ସଫା ଓ ସୁତୁରା ହେଲା
କିଛିଦିନ ସଫା ସୁତୁରା ରହିକି
ରୋଗ ତାର ଭଲ ହେଲା ।
ସେହିଦିନ ଠାରୁ କୁନାଟା ବୁଝିଲା
ନହେଲେ ସଫା ସୁତୁରା
ରୋଗ ବଇରାଗ ଆସିକି ଦେହରେ
ଖୋଲିବେ ତାଙ୍କ ପସରା ।
