ଆମ ସଂସ୍କୃତିରେ ପୂଜ୍ୟପୂଜା ଏକ ବିଶେଷ ପରମ୍ପରା ଯାହା ଗୋଟେ ସୂତ୍ରରେ ପୂର୍ବ ପୁରୁଷ ସହିତ ପରପିଢିକୁ ସଂପର୍କିତ କରିଥାଏ । ସେମାନଙ୍କ ସାମାଜିକତା, ମହାନତା, ବଦାନ୍ୟତା ଓ ଜୀବନ-ସଂଗ୍ରାମ ସହିତ ଆମକୁ ପରିଚିତ କରାଏ । ଜୀବନର ସକଳ ପ୍ରତିରୋଧକ ସତ୍ତ୍ୱେ ମଣିଷ କିପରି ଗୋଟେ ବନ୍ଧନହୀନ ମୁକ୍ତ ସମାଜର ସ୍ୱପ୍ନ ଦେଖିପାରେ, ଅନ୍ଧକାରର ବକ୍ଷ ଚିରି ଆଲୋକର ସନ୍ଧାନ ପାଇପାରେ, ସ୍ରୋତର ପ୍ରତିକୂଳତାକୁ ଲଂଘି ଲକ୍ଷ୍ୟରେ ପହଞ୍ଚିପାରେ, ସେସବୁର ଗୋଟେ ଗୋଟେ ଉଦାହରଣ ହେଉଛନ୍ତି ପୂର୍ବସୂରୀଙ୍କ ଜୀବନ ଚରିତ । ସେମାନେ ଅସରନ୍ତି ନୈତିକ ଓ ସାମାଜିକ ଶିକ୍ଷା ମାଧ୍ୟମରେ ଆମକୁ ପରିପକ୍ୱ କରିଥାନ୍ତି । ପୂଜ୍ୟପୂଜା ମାଧ୍ୟମରେ ଆମେ ଆମ ଅତୀତ ସହିତ ସେବେକାର ସମାଜକୁ ଭେଟିଥାଉ । ବିଭିନ୍ନ ଯୋଦ୍ଧା, ସଂଗ୍ରାମୀ, ସମାଜସେବୀ, ସାହିତ୍ୟିକ ତଥା ବଦାନ୍ୟ ବ୍ୟକ୍ତବିଶେଷଙ୍କ ଜୀବନ ସଂଘର୍ଷକୁ ବୁଝି ସେସବୁକୁ ନିଜ ଜୀବନରେ ପ୍ରତିଫଳିତ କରିପାରୁ ।
ପୂର୍ବସୂରୀମାନଙ୍କୁ ଜାଣିବାର ପ୍ରୟାସ ଓ ସେମାନଙ୍କର ଆମ ସମାଜ, ଜାତି ତଥା ଦେଶ ପ୍ରତି ଥିବା ଅବଦାନକୁ ବିସ୍ମରି ନଯିବା ପାଇଁ ବିଶେଷ ଆୟୋଜନ ହେଉଛି ପୂଜ୍ୟପୂଜା ଯାହା ବିଭିନ୍ନ ବାଗରେ ବିବିଧ ସ୍ଥାନରେ ବହୁ ବର୍ଷରୁ ପ୍ରଚଳିତ । ସ୍ଥାନବିଶେଷରେ ଏହା ବେଶ୍ ସମ୍ମାନ ଓ ଆନ୍ତରିକତାର ସହ ଆୟୋଜିତ ହୋଇ ଗାରିମା ବୃଦ୍ଧି କରୁଥିବାବେଳେ ଅଳ୍ପ କିଛି ସ୍ଥଳରେ ଏସବୁ ଗୋଟେ ପ୍ରକାରର ବ୍ୟତିକ୍ରମ ପାଲଟି ଯାଇଛି ! ସେଠାରେ ଏହାକୁ ପ୍ରହସନ ବା ଗୋଟେ ପ୍ରକାରର ଫେସନ୍ ବୋଲି କହିଲେ ଅତ୍ୟୁକ୍ତି ହେବନି । ଏହାର ପରୋକ୍ଷରେ ରହିଛି ଆୟୋଜକଙ୍କ ଆତ୍ମପ୍ରଚାର ଓ ପ୍ରସାର । ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହାସଲ ପରେ ସେସବୁ ଆତ୍ମବିଳସତା ବା ବିଜ୍ଞାପନ ମେଢ ସଦୃଶ ପ୍ରତୀୟମାନ ହେଉଛି । ଅନେକ ସ୍ଥାନରେ ଆନ୍ତରିକତା ବିହୀନ ଆୟୋଜନ, ଆୟୋଜକଙ୍କ ଅହମିକା-ପ୍ରଦର୍ଶନ ମୂଳଭିତ୍ତି ଭୂମି ପାଲଟିଯାଇଛି ।
ଆତ୍ମପ୍ରଚାରସର୍ବସ୍ୱ ବ୍ୟକ୍ତିବିଶେଷ ସୁନାମ ଅର୍ଜନ କରିଥିବା ନିଜ ପିତାମହ/ହୀ ବା ପିତା /ମାତାଙ୍କ ନାମରେ ସ୍ୱତନ୍ତ୍ର ସଭା ସମିତି ଆୟୋଜନ କରି ପ୍ରଚାର ପ୍ରସାର ଦ୍ୱାରା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରୁ ଆର୍ଥିକ ଫାଇଦା ହାସଲ କରି ପ୍ରତିଷ୍ଠା ଲାଭ କରିପାରିଛନ୍ତି । ଅବଶ୍ୟ ଏଥିରେ ପୂର୍ବସୂରୀମାନଙ୍କର ଅପମାନ ହୋଇନାହିଁ କିନ୍ତୁ ସେ ଆଳରେ ସମ୍ମାନିତ ବା ସମ୍ବର୍ଦ୍ଧିତ ଅତିଥିମାନଙ୍କୁ ଭିନ୍ନ ଭିନ୍ନ ବାଗରେ ଅପମାନିତ କରାଯାଇ ଆସିଛି । ପ୍ରତିବର୍ଷ ନୀତିନିୟମ ପରିବର୍ତ୍ତିତ କରାଯାଇ ପ୍ରତିଭାମାନଙ୍କୁ ଅନ୍ଧାରରେ ରଖି ସମ୍ମାନ ଆଳରେ ଅସମ୍ମାନିତ କରିବାକୁ ପଛାଉନାହାନ୍ତି ସମ୍ମାନନୀୟ ପୂର୍ବସୂରୀମାନଙ୍କ ଉତ୍ତରାଧିକାରୀମାନେ ! ନା ନିଜ ପ୍ରତିଶ୍ରୁତି ରକ୍ଷା କରିବାରେ ତତ୍ପରତା ଦେଖାଉଛନ୍ତି ନା ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରୁଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟ ! ଉଦାରତା ଆଳରେ କୁଟିଳତା ଓ ପ୍ରବଂଚନା ପ୍ରଦର୍ଶିତ କରିବା ଦ୍ୱାରା କିଛି ପ୍ରତିଭା ଅପମାନିତ ହୋଇ ଦୁଃଖରେ ଫେରୁଛନ୍ତି ! ପୂର୍ବରୁ ଜ୍ଞାନୀଗୁଣୀମାନେ କହିଯାଇଛନ୍ତି – ଯେଉଁ ତ୍ରୁଟିକୁ ସୁଧାରି ହେବ ନାହିଁ ସେଭଳି ତ୍ରୁଟି ଅକ୍ଷମଣୀୟ ।
ପ୍ରକାଶ ଥାଉ କି ପ୍ରଥମରୁ ପ୍ରଚାର ପ୍ରସାର ପାଇଁ ଲୋଭନୀୟ ଅଫର୍ ଭାବେ କିଛି ଆର୍ଥିକ ପୁରସ୍କାର ଘୋଷଣା କରାଯାଇ ଲୋକପ୍ରିୟତା ହାସଲ ପରେ ଏହାର ପରିମାଣକୁ ବର୍ଷକୁ ବର୍ଷ ହ୍ରାସ କରାଯାଉଛି ! ଏଭଳି ବ୍ୟବସ୍ଥା କେତେଦୂର ଠିକ୍ ବିଚାର କରାଯାଉ । କହିବା ବାହୁଲ୍ୟ ପୁରସ୍କାର ରାଶିକୁ ଅନାବଶ୍ୟକ ଭାବେ ଅନ୍ୟ ପ୍ରତିଭାଙ୍କ ସହିତ ଅଦଳବଦଳ ବି କରାଯାଉଛି ! ଏମିତି ବି ହୋଇପାରନ୍ତା ସମାନ ଅର୍ଥକୁ ଦୁଇ ଭାଗ କରାଯାଇ ଉଭୟ ପ୍ରତିଭାଧାରୀଙ୍କୁ ଦିଆଯାଇ ଉଭୟଙ୍କ ସମ୍ମାନ ରକ୍ଷା କରାଯାଇପାରନ୍ତା କିମ୍ବା ପୂର୍ବସୂରୀଙ୍କ ବ୍ୟକ୍ତିତ୍ୱ ଅନୁଯାୟୀ ନିର୍ଦ୍ଧିଷ୍ଟ ଅର୍ଥରାଶି ପ୍ରଦାନ ଆରମ୍ଭରୁ ଶେଷପର୍ଯ୍ୟନ୍ତ ପ୍ରଚଳିତ ହୋଇପାରନ୍ତା । କିନ୍ତୁ ତାହା ନହୋଇ ଯାହା ପ୍ରଥମରୁ ପ୍ରଚଳିତ ହୋଇଆସୁଛି ହଠାତ୍ ତାକୁ ବାଦ୍ ଦିଆଯାଇ ଅନ୍ୟ ନିମନ୍ତ୍ରିତ ପ୍ରତିଭାକୁ ସେହି ଅର୍ଥରାଶି ଥିବା ପ୍ୟାକେଟ୍ ମଞ୍ଚ ଉପରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଦିଆଯିବା ଓ ସବୁଠାରୁ ବିଡମ୍ବନାର କଥା ହେଉଛି ତାହା ବକ୍ତବ୍ୟରେ ନସୂଚାଇବା – ଏସବୁ ଅପରିଣାମଦର୍ଶିତା ନା ଜାଣିଶୁଣି ଅପମାନିତ କରିବାର ଷଡଯନ୍ତ୍ର ? ଏସବୁ ସାଧାରଣରେ ଆଲୋଡନ ସୃଷ୍ଟି କରିବା ସ୍ୱାଭାବିକ ।
ବିଡମ୍ବନାର କଥା ଏହାକୁ ତଥାକଥିତ ଉପସ୍ଥିତ ସଦସ୍ୟମାନେ ସମର୍ଥନ ବି କରିଯାଆନ୍ତି ! ଗୋଟେ ଅନ୍ଧପ୍ରବଣତାର ବଶ ହୋଇ ଅନ୍ୟାୟ କରିବା ଓ ସାମ୍ନାରେ ଅନ୍ୟାୟର ମୂକ ସାକ୍ଷୀ ପାଲଟିବା ସମାନ କଥା ! ଏଭଳି ପ୍ରବଂଚନାଧାରୀମାନଙ୍କ ସମ୍ବର୍ଦ୍ଧନା ପର୍ବ ଅପମାନ ପର୍ବ ଭାବେ ଶେଷ ହେବା ପରେ ମଧ୍ୟ ସେମାନଙ୍କଠାରେ କୌଣସି ଅନୁଶୋଚନା ଲକ୍ଷ୍ୟ କରାଯାଏ ନାହିଁ, ଯାହା ପୂର୍ବସୂରୀଙ୍କ ସମ୍ମାନରେ ଆଞ୍ଚ ଆସେ କି ନା ତାହା ବିଚାର୍ଯ୍ୟ ।
ପ୍ରଶ୍ନ ଉଠେ- ସମ୍ମାନ ନାମରେ ଯାହାଙ୍କୁ ଅସମ୍ମାନିତ କରାଗଲା ସେ କଣ କେବେ ନିଜ ସ୍ୱାଭିମାନକୁ ଅନ୍ୟ କାହା ହାତରେ ମଥିତ ହେବା ଦେଖିପାରିବେ ନା ଉପହସିତ ହୋଇ ନିଜକୁ କ୍ଷମା କରିପାରିବେ? ଦ୍ୱିତୀୟ କଥା ହେଲା ପ୍ରତିଶ୍ରୁତି ହେଉଛି ଯେକୌଣସି ଅର୍ଥରାଶିଠାରୁ ବଡ, ତାହା ପାଳିତ ନହୋଇ ଛଳନାରେ ଶେଷ ହେବା ଦ୍ୱାରା ସଂସ୍ଥାର ଗାରିମା ବୃଦ୍ଧି ପାଏ କି ହ୍ରାସ ପାଏ, ବିଚାର୍ଯ୍ୟ । ଏହି ସମ୍ବେଦନଶୀଳ ପ୍ରସଂଗକୁ ଉଚିତ୍ ବୋଲି ଆୟୋଜକ ତର୍କ କରିବା ତାଠାରୁ ଅଧିକ ଦୁଃଖଦାୟକ ।
ପ୍ରକାଶ ଥାଉ କି ସଂସ୍ଥା ସେତେବେଳେ ସମୃଦ୍ଧ ହୁଏ ଯେତେବେଳେ ପୁରସ୍କାର ରାଶି, ମାନ ଓ ଯୋଜନା ବୃଦ୍ଧି ପାଏ । ହ୍ରାସ ହୁଏନା । କିଛି ନହେଲେ ବି କେବଳ ଉପଢୌକନ ଓ ମାନପତ୍ରରେ କାମ ଚଳିଯାଇପାରେ । ଅର୍ଥରାଶି ପ୍ରଦାନ କରିବା ଜରୁରୀ ନୁହେଁ କିନ୍ତୁ ମଞ୍ଚ ଉପରେ ପ୍ୟାକେଟ୍ର ହେରଫେର ଅନ୍ୟାୟ ବା ବିଧିବଦ୍ଧ ଷଡଯନ୍ତ୍ର । କିନ୍ତୁ ପ୍ରତିଶ୍ରୁତି ପାଳନ ନକରି ଜାଣିଶୁଣି ଜଣକର ଅଧିକାରକୁ ଅନ୍ୟକୁ ପ୍ରଦାନ କରିବା କେଉଁ ପ୍ରକାରର ବିକୃତ ମାନସିକତା ହୋଇପାରେ, ତାହା କେବଳ ସଂପୃକ୍ତ ବ୍ୟକ୍ତି କହିପାରିବେ । ଯଦି କୁହାଯିବ କୌଣସି କାନକୁହାଙ୍କ କଥାରେ ଏପରି କରାଯାଇଛି ତେବେ ସେଭଳି ପ୍ରତିଭାକୁ ଚୟନ କରିବା ବି ଅନୁଚିତ ଥିଲା । ଯଦି ଚୟନ କରାଗଲା ତେବେ ନ୍ୟାୟପୂର୍ଣ୍ଣ ଆଚରଣ ଆବଶ୍ୟକ ଥିଲା । ସଂସ୍ଥା କିଛି ଜୁରୀ ସଦସ୍ୟଙ୍କ ଦ୍ୱାରା ପ୍ରତିଭା ଚୟନ କରନ୍ତି । ସେ ଅନୁସାରେ ପ୍ରତିଭାମାନଙ୍କୁ ସତ୍ୟ ସୂଚାଇବା ଦେବା ଉଚିତ୍ । ତାହା ନକରି ପ୍ରୋପାଗଣ୍ଡା ମାଧ୍ୟମରେ ଅପମାନିତ କରି ଫେରାଇବା ଯେତିକି ଦୁର୍ଭାଗ୍ୟଜନକ ସେତିକି ଲଜ୍ଜ୍ୟାଜନକ ।
ଅବଶ୍ୟ ଏଭଳି ଦୁର୍ଦ୍ଧଶାର ସମ୍ମୁଖୀନ ସମସ୍ତେ ହୋଇନଥାନ୍ତି । ତେଣୁ ସେ ଯନ୍ତ୍ରଣା ସମସ୍ତେ ବୁଝିପାରିବେନି । ଏଭଳି ପ୍ରତିଭାଧାରୀଙ୍କୁ ଚୟନ କରାନଯାଉ ଯାହାଙ୍କ ସହିତ ହୀନ ଚକ୍ରାନ୍ତ କରାଯାଇ ପାରିବ । ତାଠାରୁ ଭଲ କାହାକୁ ଆଦୌ ସମ୍ବର୍ଦ୍ଧିତ ନ କରିବା । ପୂଜ୍ୟପୂଜା ବାହାନାରେ ପ୍ରତିଭାମାନଙ୍କୁ ସମ୍ମାନିତ ନାମରେ ଅପମାନିତ କରିବା ଯେଉଁମାନଙ୍କ ଚିରାଚରିତ ଷଡଯନ୍ତ୍ର ଓ ଯେଉଁମାନେ ଏହାର ମୂକ ସାକ୍ଷୀ ସେମାନଙ୍କ ହୃଦୟ ନିଶ୍ଚିତ ଭାବରେ ସଂକୁଚିତ । ପୂଜ୍ୟପୂଜା ପରମ୍ପରାରେ ସଂସ୍ଥାର ପୁରୁଖା ଲୋକଙ୍କୁ ଅଣଦେଖା କରିବା ମଧ୍ୟ ଅସୌଜନ୍ୟ ।
ସେମାନେ କେବଳ ନିଜ ପୂର୍ବପିଢିଙ୍କ ନାମରେ ରସ ଆସ୍ୱାଦନ କରିବା ନିମନ୍ତେ ନିତାନ୍ତ ବ୍ୟଗ୍ର ହୋଇ ବିଭିନ୍ନ ଆୟୋଜନ କରି କିଛିକାଂଶରେ ସଫଳ ହେବା ପରେ ନିଜର ଅସଲି ରଙ୍ଗ ଦେଖାଇଥାନ୍ତି । ଏଭଳି ମୁଖାପିନ୍ଧାମାନଙ୍କ ଅତୀତ ଯେତେ ଗୌରବାବହ ହେଲେ ବି ସେମାନଙ୍କ ହୀନମନ୍ୟତା ଓ ଅବିବେକୀପଣିଆ ଦ୍ୱାରା କୋଉଠି ନା କୋଉଠି ସେମାନଙ୍କ ନିଷ୍ଠାପରତାରେ କଳଙ୍କି ଲାଗେ । ଅବଶ୍ୟ ଏମାନେ ଆଗକୁ ବି ଏ ହୀନ ପ୍ରକ୍ରିୟା ଜାରି ରଖିବେ । ଏସବୁ ଜାଣିବା ପରେ ବି କିଛି ସମ୍ମାନଲୋଭୀ ସେ ସ୍ଥାନକୁ ଯାଇ ପ୍ରଶଂସାରେ ସେମାନଙ୍କୁ ପୋତି ପକାଇବେ । ସଂକୁଚିତ ଭାବନାର ଏ କୁତ୍ସିତ ଖେଳ ଚାଲୁ ରହିବ । କାରଣ ସ୍ୱାଭିମାନ ସମସ୍ତଙ୍କର ନଥାଏ । ନା ଆୟୋଜକଙ୍କର ନା କିଛି ପ୍ରତିଭାଙ୍କର ।
ଅବଶ୍ୟ ପୂର୍ବସୂରୀଙ୍କ ପାଇଁ ମନତଳେ କ୍ଷୋଭଭରା ଦାଗଟିଏ ରହିଯିବ ନିଶ୍ଚୟ । ସେମାନେ ବି କଣ କରିପାରିବେ ଯଦି ସେମାନଙ୍କ ବଂଶଜ ସେମାନଙ୍କ ଗୌରବାବହ ଅତୀତର ଜରାଜୀର୍ଣ୍ଣ ରୂପକୁ ପ୍ରଦର୍ଶିତ କରିବେ ! ଶେଷରେ ଏଭଳି ପୂଜ୍ୟପୂଜା ନହେଉ ଯାହାଦ୍ୱାରା ପୂଜ୍ୟଙ୍କ ସମ୍ମାନରେ ଆଂଚ ଆସିବ ବା କୌଣସି ପ୍ରତିଭାର ଅମର୍ଯ୍ୟାଦା ହେବ । କାହା ମନରେ କ୍ଷୋଭ ରଖି କିମ୍ବା କାହାକୁ ଅପମାନିତ କରି ଦୁଃଖ ଦେଇ କୌଣସି ପୂଜା ବା ଆୟୋଜନ କଣ ସଫଳ ହୁଏ ! ଆୟୋଜକମାନଙ୍କୁ ଅନୁରୋଧ ଯଦି କୌଣସି ଅନୁଷ୍ଠାନରେ ପ୍ରତିଭାପୂଜା କରୁଥାନ୍ତି, ତେବେ ନିର୍ମଳ ମନୋଭାବ ସହିତ କରନ୍ତୁ ଯଦ୍ଧ୍ୱାରା ଆପଣା ମହତପଣ ବଜାୟ ରହିବ । ଫଳରେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ହୃଦୟରେ ଚିରକାଳ ସଶ୍ରଦ୍ଧ ବିରାଜମାନ କରିବେ । କୁଟିଳ ଆଚରଣ ଦ୍ୱାରା ନିଜ ହୀନମନ୍ୟତାକୁ ପ୍ରକାଶ କରି ଅନ୍ୟକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କଲେ ସମ୍ମାନ ପରିବର୍ତ୍ତେ ସମସ୍ତଙ୍କର ଅସମ୍ମାନ ହେବ । ଫଳରେ ପୂଜ୍ୟପୂଜାର ଘୋର ଅପମାନ ହେବ ।