ପରିବେଶ ହେଉଛି ଆମକୁ ଚାରିପାଖରେ ଘେରି ରହିଥିବା ଥିବା ପ୍ରାକୃତିକ ଜଗତ, ଯେଉଁଠାରେ ଜଳ, ବାୟୁ, ମାଟି, ଗଛଲତା, ପଶୁପକ୍ଷୀ, କୀଟପତଙ୍ଗ, ଅଣୁଜୀବ ଓ ମଣିଷ ଏକାଠି ହୋଇ ରହିଥାନ୍ତି । ଏହା କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ, ବରଂ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯେଉଁଠାରେ ସମସ୍ତ ଜୀବ ପରସ୍ପର ସହିତ ସମ୍ପର୍କିତ ଓ ନିର୍ଭରଶୀଳ । ପରିବେଶ ଆମକୁ ବଞ୍ଚିବା ପାଇଁ ଶୁଦ୍ଧ ବାୟୁ, ପାନୀୟ ଜଳ, ଖାଦ୍ୟ, ବସ୍ତ୍ର ଏବଂ ବାସସ୍ଥାନ ପରି ଆବଶ୍ୟକ ସମସ୍ତ ଉପାଦାନ ଯୋଗାଇ ଦିଏ । ଏହା ଆମକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ହୋଇ ବଞ୍ଚିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
ବାୟୁ ଆମର ପ୍ରାଣବାୟୁ ଅମ୍ଳଜାନ ଯୋଗାଇ ଦିଏ, ଯାହା ବିନା ଜୀବନ ଅସମ୍ଭବ । ଜଳ ଆମ ଶରୀରରେ ଜୀବନ ସଞ୍ଚାର କରେ ଏବଂ ମାଟିରେ ବିଭିନ୍ନ ପ୍ରକାର ଫସଲ ଚାଷ ହୋଇ ଖାଦ୍ୟଶସ୍ୟ, ତୈଳବୀଜ, ଫୁଲଫଳ, ପନିପରିବା, ମସଲା, ଔଷଧ ତଥା ବସ୍ତ୍ର ନିମନ୍ତେ କପା ଆଦିର ଉତ୍ପାଦନ ହୋଇଥାଏ । ବୃକ୍ଷଲତା ଅମ୍ଳଜାନ ଉତ୍ପାଦନ କରିବା ସହିତ ଜଳବାୟୁ ନିୟନ୍ତ୍ରଣ, ମୃତ୍ତିକା କ୍ଷୟ ରୋକିବା ଓ ପରିବେଶରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଅନ୍ତି । ଗଛ, ମନୁଷ୍ୟ, ପଶୁପକ୍ଷୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ଖାଦ୍ୟଶୃଙ୍ଖଳ ତଥା ଖାଦ୍ୟଜାଲିର ଏକ ଅଂଶ ଭାବରେ ପରିବେଶରେ ସନ୍ତୁଳନ ବଜାୟ ରଖନ୍ତି ।
ଆଧୁନିକ ଯୁଗରେ ମଣିଷର ଅନିୟନ୍ତ୍ରିତ କାର୍ଯ୍ୟକଳାପ ଯୋଗୁଁ ପରିବେଶ ପ୍ରଦୂଷଣର ଶିକାର ହେଉଛି । କାରଖାନା ଓ ଯାନବାହନରୁ ନିର୍ଗତ ଧୂଆଁ ତଥା ବିଭିନ୍ନ ପ୍ରକାର ବିଷାକ୍ତ ବାଷ୍ପ, ପ୍ଲାଷ୍ଟିକ୍ ଓ ରାସାୟନିକ ପଦାର୍ଥର ଅପବ୍ୟବହାର, ଏବଂ ଅନିୟନ୍ତ୍ରିତ ଜଙ୍ଗଲକଟା ପରିବେଶକୁ କ୍ଷତି ପହଞ୍ଚାଉଛି । ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟା ଜନିତ ରୋଗ, ଜଳ ପ୍ରଦୂଷଣ ଯୋଗୁଁ ବିଭିନ୍ନ ଜଳବାହିତ ରୋଗ, ପାନୀୟ ଜଳର ଅଭାବ ଓ ମୃତ୍ତିକା ପ୍ରଦୂଷଣ ଯୋଗୁଁ ଖାଦ୍ୟ ଉତ୍ପାଦନରେ ହ୍ରାସ ଘଟୁଛି । ଏହା କେବଳ ମଣିଷର ଜୀବନକୁ ପ୍ରଭାବିତ କରୁନାହିଁ, ବରଂ ଅନ୍ୟ ଜୀବଜନ୍ତୁ ଓ ଗଛଲତାଙ୍କ ଅସ୍ତିତ୍ୱକୁ ମଧ୍ୟ ବିପଦରେ ପକାଉଛି ।
ଆଜି ପ୍ଲାଷ୍ଟିକ୍ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଛି । ଏହାର ସ୍ଥାୟୀତ୍ୱ, କମ୍ ମୂଲ୍ୟ ଏବଂ ବିବିଧ ଉପଯୋଗିତା ହେତୁ ପ୍ଲାଷ୍ଟିକ୍ ସାରା ବିଶ୍ୱରେ ବ୍ୟାପକ ଭାବେ ବ୍ୟବହୃତ ହେଉଛି । କିନ୍ତୁ, ଏହାର ଅତ୍ୟଧିକ ବ୍ୟବହାର ଏବଂ ତ୍ରୁଟିପୂର୍ଣ୍ଣ ପରିଚାଳନା ହେତୁ ପ୍ଲାଷ୍ଟିକ୍ ଆଜି ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ହୋଇଛି । ପ୍ଲାଷ୍ଟିକ୍ ପ୍ରଦୂଷଣର ମୂଳ କାରଣ ହେଉଛି ଏହାର ଅତ୍ୟଧିକ ଉତ୍ପାଦନ ଏବଂ ବ୍ୟବହାର । ପ୍ଲାଷ୍ଟିକ୍ ବ୍ୟାଗ୍, ବୋତଲ, ଖାଦ୍ୟ ପ୍ୟାକେଜିଂ, ଏବଂ ଏକକାଳୀନ ବ୍ୟବହାର ଯୋଗ୍ୟ ସାମଗ୍ରୀ ଆଦି ସାରା ବିଶ୍ୱରେ ବ୍ୟାପକ ଭାବେ ବ୍ୟବହୃତ ହେଉଛି । ପ୍ଲାଷ୍ଟିକ୍ ପ୍ରଦୂଷଣର ପ୍ରଭାବ ବିଶ୍ୱବ୍ୟାପୀ ପରିବେଶ, ଜୀବଜନ୍ତୁ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି । ସମୁଦ୍ର ହେଉଛି ପ୍ଲାଷ୍ଟିକ୍ ଆବର୍ଜନାର ଏକ ପ୍ରମୁଖ ଉତ୍ସ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ସମୁଦ୍ରରେ ପହଞ୍ଚୁଛି, ଯାହା ଜଳଚର ପ୍ରାଣୀଙ୍କ ଉପରେ ମାରାତ୍ମକ ପ୍ରଭାବ ପକାଉଛି । ମାଛ, କଇଁଛ, ଡଲ୍ଫିନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବ ପ୍ଲାଷ୍ଟିକ୍କୁ ଖାଦ୍ୟ ଭାବି ଖାଇଦେଉଛନ୍ତି, ଯାହା ସେମାନଙ୍କର ମୃତ୍ୟୁର କାରଣ ହେଉଛି । ଏହା ସହିତ, ପ୍ଲାଷ୍ଟିକ୍ ଆବର୍ଜନା ସମୁଦ୍ରରେ ଜମା ହୋଇ ପ୍ରଶାନ୍ତ ମହାସାଗରର “ଗ୍ରେଟ୍ ପାସିଫିକ୍ ଗାର୍ବେଜ୍ ପ୍ୟାଚ୍” ପରି ବିଶାଳ ଆବର୍ଜନା ଦ୍ୱୀପ ସୃଷ୍ଟି କରୁଛି । ପ୍ଲାଷ୍ଟିକ୍ ଆବର୍ଜନା ମାଟି ଏବଂ ଜଳାଶୟକୁ ମଧ୍ୟ ପ୍ରଦୂଷିତ କରୁଛି । ମାଟିରେ ଜମା ହେଉଥିବା ପ୍ଲାଷ୍ଟିକ୍ ମାଟିର ଉର୍ବରତା ହ୍ରାସ କରୁଛି ଏବଂ କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି । ନଦୀ ଏବଂ ହ୍ରଦରେ ପ୍ଲାଷ୍ଟିକ୍ ମିଶିବା ଦ୍ୱାରା ଜଳର ଗୁଣବତ୍ତା ହ୍ରାସ ପାଉଛି, ଯାହା ମଣିଷ ଏବଂ ଜୀବଜନ୍ତୁଙ୍କ ପାଇଁ ବିପଦଜନକ । ମାଇକ୍ରୋପ୍ଲାଷ୍ଟିକ୍ ଖାଦ୍ୟଶୃଙ୍ଖଳ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରୁଛି । ଏହା କ୍ୟାନ୍ସର, ହରମୋନ ଅସନ୍ତୁଳନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହେଉଛି । ଏହା ସହିତ, ପ୍ଲାଷ୍ଟିକ୍ ଜାଳିବା ବେଳେ ନିର୍ଗତ ହେଉଥିବା ବିଷାକ୍ତ ବାଷ୍ପ ଶ୍ୱାସକ୍ରିୟା ଜନିତ ରୋଗ ସୃଷ୍ଟି କରୁଛି । ପ୍ଲାଷ୍ଟିକ୍ ପ୍ରଦୂଷଣ ଜୈବ ବିବିଧତାକୁ ମଧ୍ୟ କ୍ଷତି ପହଞ୍ଚାଉଛି । ଉଦାହରଣ ସ୍ୱରୂପ, ପକ୍ଷୀ ଏବଂ ଅନ୍ୟାନ୍ୟ ଜୀବ ପ୍ଲାଷ୍ଟିକ୍ ଜାଲରେ ଛନ୍ଦିହୋଇ ମରୁଛନ୍ତି । ଏହା ପରିବେଶ ସନ୍ତୁଳନକୁ ବିପର୍ଯ୍ୟସ୍ତ କରୁଛି । ପରିବେଶକୁ ପ୍ରଦୂଷଣରୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ବୃକ୍ଷରୋପଣ, ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ପୁନଃଚକ୍ରଣ, ଓ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ମାଧ୍ୟମରେ ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା ।
ପୃଥିବୀ ପରିବେଶର ସୁରକ୍ଷା ନିମନ୍ତେ, ମିଳିତ ଜାତିସଂଘ ଆନୁକୂଲ୍ୟରେ ୧୯୭୨ ମସିହା ଜୁନ ମାସରେ ସ୍ୱିଡ଼େନ ଦେଶର ରାଜଧାନୀ ଷ୍ଟକହୋମ ନଗରୀରେ ଅନୁଷ୍ଠିତ ଏକ ଐତିହାସିକ ସମ୍ମିଳନୀରେ ବିଶ୍ୱ ସ୍ତରରେ ଏକ ବାର୍ଷିକ ଉତ୍ସବ ପାଳନ କରିବାପାଇଁ ସ୍ଥିର କରାଯାଇଥିଲା । ସେହି ସମ୍ମିଳନୀର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ୧୯୭୩ ମସିହା ଜୁନ ମାସ ପାଞ୍ଚ ତାରିଖରେ ବିଶ୍ଵବ୍ୟାପୀ “କେବଳ ଏକ ପୃଥିବୀ” ଡାକରା ଦେଇ ପାଳନ କରାଯାଇଥିଲା ପ୍ରଥମ “ବିଶ୍ୱ ପରିବେଶ ଦିବସ”। ମାନବ ସମାଜକୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରାଇବା ନିମନ୍ତେ ସେହିଦିନଠାରୁ ପ୍ରତିବର୍ଷ ଜୁନ ମାସ ପାଞ୍ଚ ତାରିଖ ଅନ୍ତର୍ଜାତୀୟ ସ୍ତରରେ “ବିଶ୍ୱ ପରିବେଶ ଦିବସ” ଭାବରେ ପାଳିତ ହୋଇ ଆସୁଅଛି । ସରକାର, ସଂଗଠନ, ବିଭିନ୍ନ ଗୋଷ୍ଠୀ ଏବଂ ବ୍ୟକ୍ତିଗତ ସ୍ତରରେ ସାରା ବିଶ୍ୱର ଲୋକମାନେ ବୃକ୍ଷରୋପଣ, ସଫେଇ ଅଭିଯାନ, ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଏବଂ ବିଭିନ୍ନ ଗଣମାଧ୍ୟମରେ ପୃଥିବୀକୁ ଶୁଦ୍ଧ, ସୁସ୍ଥ, ଏବଂ ସୁନ୍ଦର କରି ଗଢ଼ିବା ପାଇଁ ତାର ପ୍ରଚାର ପ୍ରସାର କରି ଏହି ଉତ୍ସବକୁ ପାଳନ କରିଥାନ୍ତି ।
“ପ୍ଲାଷ୍ଟିକ୍ ପ୍ରଦୂଷଣକୁ ଶେଷ କରିବା।” ହେଉଛି ଚଳିତ ୨୦୨୫ ବର୍ଷରେ କୋରିଆ ଗଣରାଜ୍ୟ ଦ୍ୱାରା ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ । ଏହା ଜଳ, ବାୟୁ, ମୃତ୍ତିକା ଏବଂ ସମୁଦ୍ରଠାରୁ ଆରମ୍ଭ କରି ଆମେ ଖାଉଥିବା ଖାଦ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପ୍ଲାଷ୍ଟିକ୍ କିପରି ପ୍ରବେଶ କରି ହାନିକାରକ ପ୍ରଭାବ ସୃଷ୍ଟି କରୁଛି ତାହାକୁ ପ୍ରତିପାଦିତ କରେ । ଆଗାମୀ ଭବିଷ୍ୟତକୁ ପ୍ଲାଷ୍ଟିକ୍ ପ୍ରଦୂଷଣର ଭୟାବହତାରୁ ମୁକ୍ତ କରିବାକୁ ପ୍ରୟାସୀ ହେବା ପାଇଁ ଏହା ମାନବଜାତିକୁ ଉତ୍ସାହ ଏବଂ ପ୍ରେରଣା ଦିଏ । ୨୦୪୦ ମସିହା ସୁଦ୍ଧା କୋରିଆର ଜେଜୁଦ୍ୱୀପକୁ “ପ୍ଲାଷ୍ଟିକ୍ ଶୁନ୍ୟ ଦ୍ୱୀପ” ଭାବରେ ପରିଣତ କରିବା ଲକ୍ଷ୍ୟରେ ସେଠାକାର କର୍ତ୍ତୃପକ୍ଷ, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରି ସେଠାକାର ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ପ୍ଲାଷ୍ଟିକ୍ ପ୍ୟାକେଜିଂ ହ୍ରାସ କରିବାକୁ, ଏବଂ ସ୍ଥାନୀୟ ବାସିନ୍ଦା ତଥା ପର୍ଯ୍ୟଟକମାନଙ୍କୁ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନଯାପନ କରିବାକୁ ପ୍ରେରଣା ଦେଉଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ, କୋରିଆ ଗଣରାଜ୍ୟ ଦେଖାଉଛି ଯେ କିପରି ସାମୁହିକ ଦୃଷ୍ଟିକୋଣ ଏବଂ କାର୍ଯ୍ୟପ୍ରଣାଳୀ ଏକ ଦ୍ୱୀପ କିମ୍ବା ଅଞ୍ଚଳକୁ ପ୍ଲାଷ୍ଟିକ୍ ଉପରେ ଥିବା ନିର୍ଭରଶୀଳତାରୁ ମୁକ୍ତ ହେବାରେ ସାହାଯ୍ୟ କରିପାରିବ । ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କ୍ଷେତ୍ରରେ ଜେଜୁଦ୍ୱୀପର ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ଅନୁକରଣୀୟ । ସାରା ବିଶ୍ୱରେ ପରିବେଶ ପ୍ରତି ସଚେତନତାର ଏହିପରି ଅନେକ ପ୍ରେରଣାଦାୟୀ ଉଦାହରଣ ରହିଛି।
ପରିବେଶ ହେଉଛି ଆମ ଜୀବନର ମୂଳାଧାର । ଏହା କେବଳ ଆମ ବର୍ତ୍ତମାନ ପାଇଁ ନୁହେଁ, ବରଂ ଆମର ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଏକ ଅମୂଲ୍ୟ ସମ୍ପଦ । ତେଣୁ ପରିବେଶକୁ ପ୍ରଦୂଷଣରୁ ସୁରକ୍ଷା ଦେବା ଓ ତାହାର ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ଆସନ୍ତୁ, ଆମେ ସମସ୍ତେ ଏକତ୍ରିତ ହୋଇ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବା ଓ ଏହାର ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସଙ୍କଳ୍ପ ନେବା ।
