ରାତି ଏଗାରଟା ଉପରେ ହେବ ସେତେବେଳେ, ହଠାତ ବୋଉର ଯନ୍ତ୍ରଣା ବଢି ଚାଲିଲା । ସଂଧ୍ୟାବେଳରୁ ଅଳ୍ପ ଅଳ୍ପ ପେଟ କାଟୁଥିଲା । କହୁଥିଲା ଖାଇବା ପିଇବାରେ କଣ ଟିକେ ଅସୁବିଧା ହୋଇଥିବ । ଥଣ୍ଡା ଖୀର କପେ ପିଇଥିଲା ସଂଧ୍ୟାବେଳେ, ସେଥିରେ କାଳେ ଏସିଡିଟି ପ୍ରୋବ୍ଲେମ ଠିକ୍ ହୋଇଯାଏ, ହେଲେ କମ ହେଲାନି ଏବେ ହଠାତ୍ ବଢିଗଲା । ଦୂର୍ଯୋଗକୁ, ବାପା ବି ସଂଧ୍ୟାବେଳେ ଟୁର୍ରେ ଚାଲିଗଲେ ।
ଘରେ ବଡଭାଇ ଅଛି, ବୋଉ ବିକଳ ହୋଇ ଡାକିଲା, ସୋନୁଭାଇକୁ, କହିଲା ବାପାରେ, ବଡ କଷ୍ଟ ହେଉଛି, ରାତି ଏଗାରଟା ବାଜିଛିି, ଯା ଟିକେ ଦେଖ, ମେଡିକାଲ ଛକରେ କେଉଁ କେମିଷ୍ଟ ଦୋକାନ ଖୋଲାଥିବ ଇନୋ ଗୋଟେ ପାଉଚ୍ ନେଇଆ । ହେଲେ ସୋନୁ ଉଠିବାକୁ ନାରାଜ୍, କହିଲା ଏତେ ରାତିରେ କୋଉ କେମିଷ୍ଟ ଦୋକାନ ଖୋଲି ବସିଥିବ ? ମୋତେ ନିଦ ଲାଗୁଛି ମୁଁ ଯାଇ ପାରିବିନି, ତୁବି ଶୋଇପଡ, ସକାଳେ ହେଲେ ନେଇ ଆସିବି ।
ବୋଉର କଷ୍ଟ ମୁଁ କିନ୍ତୁ ସହି ପାରିଲିନି । କହିଲି, ବୋଉ ମୁଁ ଯାଇ ନେଇ ଆସିବି ? ବୋଉ କହିଲା, ନାଃ, ତୁ କଣ ପୁଅ ପିଲା ହେଇଚୁ ? ଏତେ ରାତିରେ ଝିଅପିଲା ବାହାରକୁ ଯାଆନ୍ତିନି । ଶୋଇ ପଡିଲେ ମୋର ଠିକ୍ ହୋଇଯିବ, ତୁ ଯା ଶୋଇପଡ । ବୋଉର କଷ୍ଟରେ ସେତା ପଡିଯାଇଥିବା ମୁହଁକୁ ଚାହିଁଲି । ଆଖି ମୋର ଜକେଇ ଆସିଲା । ଭାବିଲି ଧନ୍ୟରେ ତୁ ମାଆ, ଏତେ କଷ୍ଟରେ ବି ମୋର ନିରାପତ୍ତା କଥା ଭାବୁଛି । ଥରେ ବୋଉ ମୁହଁକୁ ଚାହିଁଲି, କହିଲି, ମୁଁ ନେଇ ଆସୁଚି ମେଡିସିନ୍, କହି ସାଇକେଲ ନେଇ ବାହାରିଗଲି । ବୋଉ ବାରମ୍ବାର ପାଟି କରି କହୁଥାଏ ଯାଆନା, କଥା ଶୁଣିବନି ପିଲାଟା, କେଡେ ଅଣ୍ଡିରାଚଣ୍ଡି ଝିଅଟା ସତେ । ମୁଁ କେମିଷ୍ଟ ଦୋକାନ ଖୋଜୁ ଖୋଜୁ ଭାବୁଥିଲି, ବୋଉ ତାର ଗେହ୍ଲା ପୁଅକୁ ‘ମାଇଚିଆ’ କହି ପାରିଲାନି, ହେଲେ କେଡେ ସହଜରେ ମୋତେ ‘ଅଣ୍ଡିରାଚଣ୍ଡି’ ବୋଲି କହିପାରିଲା ।
