ଏଇଠି ମେଳା ଲାଗିଛି
କେତେ ଲୋକଙ୍କର ଭିଡ
କାନ୍ଧରେ କାନ୍ଧ ଘଷି ହୋଇ ଯାଏ
ଦୁଇ ପଟେ ଦୋକାନ ସଜିଛି ।
ଭଳିକି ଭଳି, ନାନା ଜାତି ଦରବ
କେତେ ଜାତି କିଣିବା ବାଲା
କିଏ ଦେଖୁଛି, କିଏ ମୂଲଚାଲ କରୁଛି
କେହି କିଛି କିଣୁଛି, ବିକୁଛି ।
ଭିଡ଼ ଠାରୁ ଟିକିଏ ଦୂରରେ ଠିଆ
ମୁଁ ଏକା, କୁନି ଛୁଆଟିଏ,
ଭିଡକୁ ଦୂରରୁ ଟୁକ୍ ଟୁକ୍ ଦେଖୁଛି,
ଭିଡକୁ ଡର ଲାଗେ, କାଳେ ହଜି ଯିବି,
ଭିଡରେ ନିଜକୁ, ହଜାଇ ଦେବି
ମନ ମୋର ଡ଼ରି ଯାଉଛି ।
ଏତେ ସାରା ଦରବ ଦେଖିଲେ
ମନ ତ ଡହଳ ବିକଳ ହେବ,
ନିଜ ପକେଟ ଅଣ୍ଡାଳିବ,
ଦରବର ଦାମ ବେଶି,
ପକେଟରେ ଧନ କମ୍
ଧନ ଥିଲେ ଅବା,
ଦରବ ସବୁ ଶସ୍ତା ଲାଗିଥାନ୍ତା,
ନ କିଣିବାର ବାହାନାରେ
ମନ ବୁଝି ଯାଆନ୍ତା ।
ଭିଡ ଠାରୁ ଏବେ ବି ଦୂରରେ,
ମୁଁ ସବୁ କିଛି ଦେଖୁଛି, ଶୁଣୁଛି,
କିନ୍ତୁ
ସେମାନେ କେହି ମୋତେ
ଦେଖି ବି ଦେଖୁ ନାହାନ୍ତି,
ମଲା ଦେହଟା ଉପରେ ଖାଲି
ଛଳନାର ଅଶ୍ରୁ ଢ଼ଳା ଚାଲିଛି ।
ଥିଲା ବେଳେ କେହି ଦେଖିଲେନି,
ଗଲା ପରେ ବାହୁନି କାନ୍ଦିବାର
ସତେ ଏଠି ପ୍ରତିଯୋଗିତା ଚାଲିଛି ।
ଏଇଠି ଏବେ ବି ମେଳା ଲାଗିଛି,
ଦରବର ମୁଲଚାଲ ହେଉଛି
ମୋ ପରେ କାହା ଭାଗେ କଣ ଆସିବ
ସେ ସବୁର ହିସାବ ଚାଲିଛି ।
