କବିତା

ମେଳା ଲାଗିଛି

Binay Mohapatra's odia poem Mela Lagichhi

ଭିଡ଼ ଠାରୁ ଟିକିଏ ଦୂରରେ ଠିଆ
ମୁଁ ଏକା, କୁନି ଛୁଆଟିଏ,
ଭିଡକୁ ଦୂରରୁ ଟୁକ୍ ଟୁକ୍ ଦେଖୁଛି,
ଭିଡକୁ ଡର ଲାଗେ, କାଳେ ହଜି ଯିବି,

ଏଇଠି ମେଳା ଲାଗିଛି
କେତେ ଲୋକଙ୍କର ଭିଡ
କାନ୍ଧରେ କାନ୍ଧ ଘଷି ହୋଇ ଯାଏ
ଦୁଇ ପଟେ ଦୋକାନ ସଜିଛି ।
ଭଳିକି ଭଳି, ନାନା ଜାତି ଦରବ
କେତେ ଜାତି କିଣିବା ବାଲା
କିଏ ଦେଖୁଛି, କିଏ ମୂଲଚାଲ କରୁଛି
କେହି କିଛି କିଣୁଛି, ବିକୁଛି ।

ଭିଡ଼ ଠାରୁ ଟିକିଏ ଦୂରରେ ଠିଆ
ମୁଁ ଏକା, କୁନି ଛୁଆଟିଏ,
ଭିଡକୁ ଦୂରରୁ ଟୁକ୍ ଟୁକ୍ ଦେଖୁଛି,
ଭିଡକୁ ଡର ଲାଗେ, କାଳେ ହଜି ଯିବି,
ଭିଡରେ ନିଜକୁ, ହଜାଇ ଦେବି
ମନ ମୋର ଡ଼ରି ଯାଉଛି ।
ଏତେ ସାରା ଦରବ ଦେଖିଲେ
ମନ ତ ଡହଳ ବିକଳ ହେବ,
ନିଜ ପକେଟ ଅଣ୍ଡାଳିବ,
ଦରବର ଦାମ ବେଶି,
ପକେଟରେ ଧନ କମ୍
ଧନ ଥିଲେ ଅବା,
ଦରବ ସବୁ ଶସ୍ତା ଲାଗିଥାନ୍ତା,
ନ କିଣିବାର ବାହାନାରେ
ମନ ବୁଝି ଯାଆନ୍ତା ।

ଭିଡ ଠାରୁ ଏବେ ବି ଦୂରରେ,
ମୁଁ ସବୁ କିଛି ଦେଖୁଛି, ଶୁଣୁଛି,
କିନ୍ତୁ
ସେମାନେ କେହି ମୋତେ
ଦେଖି ବି ଦେଖୁ ନାହାନ୍ତି,
ମଲା ଦେହଟା ଉପରେ ଖାଲି
ଛଳନାର ଅଶ୍ରୁ ଢ଼ଳା ଚାଲିଛି ।
ଥିଲା ବେଳେ କେହି ଦେଖିଲେନି,
ଗଲା ପରେ ବାହୁନି କାନ୍ଦିବାର
ସତେ ଏଠି ପ୍ରତିଯୋଗିତା ଚାଲିଛି ।
ଏଇଠି ଏବେ ବି ମେଳା ଲାଗିଛି,
ଦରବର ମୁଲଚାଲ ହେଉଛି
ମୋ ପରେ କାହା ଭାଗେ କଣ ଆସିବ
ସେ ସବୁର ହିସାବ ଚାଲିଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top