ଅଣୁଗଳ୍ପ

ନଷ୍ଟ ଲବଙ୍ଗ

Priyadarshini Panda's odia short story Nashta Labanga

ଧୈର୍ଯ୍ୟ ଧର । ଏତେ ବେଳେ କାନ୍ଦିଲେ ଆଉ କ’ଣ ହେବ ? ସମସ୍ତେ କହୁଛନ୍ତି ତୁ କାଳେ କେଶ୍‌ ଜିତିବୁ । ଦେଖିବୁ ସାନବାବୁ ବାଜାବଜେଇ ଏଠାରୁ ଆସି ତୋତେ ରାଣୀ କରି ନେବେ । ଶୁଖିଲା ହସଟିଏ ଲବଙ୍ଗ ଓଠରେ ଫୁଟି ଉଠେ ।

ପୂର୍ବରୁ

ବାମନା ଚିହ୍ନାଇ ଦେଲା “ ଇଏ ହେଉଛନ୍ତି ସମାଜ ସେବିକା ଗାୟତ୍ରୀ ଅପା । ଏଠି କେବଳ ଅପା ବୋଲି କହିଲେ ସମସ୍ତେ ତାଙ୍କୁ ଜାଣନ୍ତି । ତାଙ୍କର ଏ ଅନୁଷ୍ଠାନଟି ନାରୀମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ଅସହାୟ ନାରୀମାନଙ୍କୁ ସେମାନଙ୍କର ନାର୍ଯ୍ୟ ଅଧିକାର ଦେବା ଏ ଅନୁଷ୍ଠାନର ପ୍ରଥମ କାର୍ଯ୍ୟ । ନଇଁ ପଡ଼ି ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା ଲବଙ୍ଗ । କେଜାଣି କାହିଁକି ତାକୁ, ତାଙ୍କ ପାଦତଳେ ଲୋଟିଯିବା ପାଇଁ ଇଚ୍ଛା ହେଉଥିଲା । ଅପା କହିଲେ, ‘ ହଉ, ହେଲା ହେଲା, ବାମନା ତୁ ଟିକେ ବାହାରକୁ ଯା, ମୁଁ ପ୍ରଥମେ ଲବଙ୍ଗଠାରୁ ଘଟଣାଟା କ’ଣ ଠିକ୍‌ରେ ଶୁଣିନିଏ ।’ ଲବଙ୍ଗ ଅଶ୍ରୁ ସଜଳ ନୟନରେ ଗୋଟି ଗୋଟି କହିଗଲା ତା ଆଶା, ନିରାଶାର କାହାଣୀ, ତାକୁ ବଳି ଚଢ଼ାଇ ସାନବାଵୁ କଣ୍ଟ୍ରାକ୍ଟି ପାଇଥିବାର କାହାଣୀ । ସବୁ ଶୁଣିସାରି ଅପା ଲବଙ୍ଗ ଆଖିରୁ ଲୁହ ପୋଛି ଦେଲେ । ତାକୁ ସାନ୍ତ୍ଵନା ଦେଇ କହିଲେ, ‘ଆଜିଠାରୁ ଲୁହପୋଛି ପକା । ତୋ କେଶ୍‌ ଆମେ ଯେତେବେଳେ ହାତକୁ ନେଲୁ, ତୁ କିପରି ନ୍ୟାୟ ପାଇବୁ, ସେ କଥା ଆମ ଅନୁଷ୍ଠାନ ଦେଖିବ । ଆମେ ଶାନ୍ତି ଓ ଆପୋଷ ମିଳାମିଶାରେ ବିଶ୍ଵାସ କରୁ । ତେଣୁ ପ୍ରଥମେ ଆମେ ତୋ ବାବୁଙ୍କ ଘରକୁ ଯିବୁ । ଯେହେତୁ ସେ ତୋତେ ନେଇ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବ୍ୟବହାର କରିଛନ୍ତି, ତେଣୁ ସେ ତୋତେ ଗ୍ରହଣ କରିବାକୁ ବାଧ୍ୟ । ଯଦି ଭଲରେ ଭଲରେ ସେ ଏ କଥା ଗ୍ରହଣ ନ କରନ୍ତି, ଆମେ ବାଧ୍ୟ ହୋଇ କୋର୍ଟରେ କେଶ୍‌ କରିବୁ ।

ତା’ ଆରଦିନ ସକାଳୁ, ସକାଳୁ ଲବଙ୍ଗ ନାରୀ ସଂଗଠନର କାର୍ଯ୍ୟାଳୟରେ ପହଞ୍ଚିଗଲା । ଗାୟତ୍ରୀ ଅପା ଆଉ ଚାରିଜଣ ମହିଳା କର୍ମୀଙ୍କୁ ସାଥିରେ ନେଇ ଲବଙ୍ଗ କାମ କରୁଥିବା ବାବୁଙ୍କ ଘରେ ପହଞ୍ଚି ଗଲେ । ବାବୁ ଓ ମା’ ଘରେ ଥିଲେ । ଅପା କୌଣସି ଗୌର ଚନ୍ଦ୍ରିକା ନ କରି ଠିକ୍‌ ଠିକ୍‌ ସବୁ କଥା କହିଗଲେ ଓ ଲବଙ୍ଗକୁ ସେମାନେ ବୋହୂ କରନ୍ତୁ ବୋଲି ଅନୁରୋଧ କଲେ ।

ଏକଥା ଶୁଣି ବାବୁ ସ୍ତବ୍ଧ ଚକିତ ହୋଇ ଚାହିଁ ରହିଲେ ହେଲେ ମା’ ନିଜ କ୍ରୋଧ ସମ୍ବରଣ କରି ନ ପାରି ଚିତ୍କାର କରି କହିଲେ, “ଏ ତ ଅତି ଅସମ୍ଭବ କଥା, ଏତେ କଥା ଘଟିଗଲା, ଆମେ କେମିତି କିଛି ଜାଣିପାରିଲୁ ନାହିଁ । ଆପଣମାନେ ଏ ବାରବୁଲି, ଛତରଖାଇ କଥାରେ ବିଶ୍ଵାସ କରୁଛନ୍ତି କିପରି ?” ‘ଆପଣ ଏତେ ରାଗୁଛନ୍ତି କାହିଁକି ? ପ୍ରଥମେ ଆପଣଙ୍କ ପୁଅକୁ ପଚାରନ୍ତୁ, ଏକଥା ସତ କି ମିଛ’, ଅପା ବୁଝାଇଲା ପରି କହିଲେ ! ‘ଦେଖନ୍ତୁ,ଏ କଥାରେ କୌଣସି ସତ୍ୟତା ନାହିଁ । ତେଣୁ ପୁଅକୁ ପଚାରିବା ଉଚିତ ହେବ ମୁଁ ଭାବୁନି “, ମା’ ଦୃଢ଼ କଣ୍ଠରେ କହିଲେ । ଏଥର ଅପା ମଧ୍ୟ ରାଗିଯାଇ କହିଲେ, “ଆପଣ ଭଲରେ ଭଲରେ ଏ ଘଟଣାର ସମାଧାନ ଯଦି ନ ଚାହୁଁଛନ୍ତି, ଆମେ ବାଧ୍ୟ ହେଇ କେଶ୍ କରିବୁ।” ଅପାଙ୍କୁ ଆଉ କହିବାକୁ ନ ଦେଇ ବଡ଼ବାବୁ କ୍ରୋଧରେ ଥରି ଥରି ଡାକ ପକାଇଲେ, ମୋହନ… ଏ ମୋହନ। ଠକ୍ ଠକ୍ ଚପଲର ଆୱାଜ କରି ଛାତ ଉପରୁ ତଳକୁ ଓହ୍ଲାଇ ଆସିଲେ ସାନବାବୁ । ଡ୍ରଇଂ ରୁମ୍‌ରେ ଲବଙ୍ଗ ସହିତ ଏ ନାରୀ ନେତ୍ରୀମାନଙ୍କୁ ଦେଖି ବିସ୍ଫାରିତ ନେତ୍ରରେ ଚାହିଁ ରହିଲେ । ଲବଙ୍ଗ ପରି ବୋକି ଓ ଲାଜକୁଳୀ ଝିଅ ଯେ ଏସବୁ କରିପାରେ, ଏ କଥା ସେ ବିଶ୍ଵାସ କରିପାରୁ ନ ଥିଲେ । “ କ’ଣ କହୁଛୁ, ଏମାନେ ଯାହା କହୁଛନ୍ତି, ତା କ’ଣ ସତ ? ଗର୍ଜି ଉଠିଲେ ବଡ଼ ବାବୁ । କ’ଣ ଏମାନେ କହୁଛନ୍ତି, ସେ କଥା ନ ଜାଣିଲେ କେମିତି କହିବି, “ ଯେତେଦୂର ପାରନ୍ତି ମୁହଁରେ ସରଳତା ଫୁଟାଇ କହିଲେ ମୋହନ । ଏମାନେ କହୁଛନ୍ତି, ତୁ କାଳେ… ନା… ଆଉ ବଡ଼ବାବୁ କହିପାରିଲେନି | ତାଙ୍କ ପାଟି ଥରି ଉଠିଲା | ଏଥର ଅପା ଦୃଢ଼ ସ୍ୱରରେ କହିଲେ, ଆପଣ କଣ୍ଟ୍ରାକ୍ଟି ପାଇବା ପାଇଁ ଲବଙ୍ଗକୁ ନେଇ ଏକ ଫାଇଭ ଷ୍ଟାର ହୋଟେଲରେ ଦୁଇଜଣ ଅଫିସରଙ୍କୁ ଉପହାର ଦେଇଛନ୍ତି । ତା’ର ଫଳ ଆଜି ଲବଙ୍ଗ ଗର୍ଭରେ ବଢ଼ିବାରେ ଲାଗିଛି । କୁହନ୍ତୁ ତ’ ଏସବୁ ସତ କି ନାହିଁ ?

– ଆଶ୍ଚର୍ଯ୍ୟର କଥା । ଯିଏ ଯାହା ମନଗଢ଼ା କାହାଣୀ କହିଦେବ, ଆପଣମାନେ ତାକୁ ବିଶ୍ଵାସ କରି ଏଠାରେ ହୋ ହଲ୍ଲା କରୁଛନ୍ତି କିପରି ?

– ଏ କାହାଣୀ ମନଗଢ଼ା ନୁହେଁ ମୋହନ ବାବୁ । ଆପଣ ସେଦିନ ପିନ୍ଧିବା ପାଇଁ ଦେଇଥିବା ଶାଢ଼ୀ ଓ ଗହଣା ଏବେ ମଧ୍ୟ ଲବଙ୍ଗ ପାଖରେ ଅଛି ।

କମ୍ପିତ ହସ୍ତରେ ଲବଙ୍ଗ ପଟୁଳାଟିଏ ଖୋଲି ଟେବୁଲ ଉପରେ ରଖିଦେଲା । ପାଟ ଶାଢ଼ୀଟିକୁ ଦେଖୁ ଦେଖୁ ଚମକି ପଡ଼ିଲେ ମା’ । ଏତ ତାଙ୍କ କାଞ୍ଚିବରମ ଶାଢ଼ୀ । କେତେ ଦିନ ହେଲା ସେ ଆଲମାରୀ ମଧ୍ୟରୁ ପାଉ ନ ଥଲେ, ଆଉ କୁଆଡ଼େ ଗଲା ବୋଲି ବୁଝିପାରୁ ନ ଥିଲେ । ୟା’କୁ କ’ଣ ଲବଙ୍ଗ ଚୋରି କରି ନେଇଛି ?

ନା, ଲବଙ୍ଗ ଚାବି ପାଇବ କୁଆଡୁ ? ଏ କାମ ନିଶ୍ଚୟ ମୋହନର । ମନକୁ ମନ ବିଚାରିଲେ ହେଲେ ମନର ଭାବକୁ ଗୋପନ ରଖି ଦୃଢ଼ ଭାବରେ କହିଲେ, “ଏ କାମବାଲୀମାନଙ୍କୁ ବିଶ୍ଵାସ ନାହିଁ, କେଉଁଠାରୁ ଏ ଶାଢ଼ୀ ଓ ଗହଣା ଚୋରିକରି ଆଣି ଏବେ ମୋହନର ନାଁ ଦେଉଥିବେ, ଆଉ ଆପଣମାନେ ତା କଥାରେ ବିଶ୍ଵାସ କରି ଅଯଥାରେ ଆମ ସମୟ ନଷ୍ଟ କରୁଛନ୍ତି । “ ଦେଖନ୍ତୁ ଆମେ ଅଯଥାଟାରେ ଏକଥା କହୁନାହୁଁ, ଏ ଶାଢ଼ୀ ଓ ଗହଣା ପିନ୍ଧି ଲବଙ୍ଗ ମୋହନ ବାବୁଙ୍କ ସହିତ ହୋଟେଲକୁ ଯିବାଟା ବାମନା ମଧ୍ୟ ଦେଖିଛି । ସେ ସାକ୍ଷୀ ଦେବ ।” ଓ, ସୁଣ୍ଡିକୁ ମାତାଲ୍‌ ସାକ୍ଷୀ, କହିଦେଇ ହୋ ହୋ ହୋଇ ହସିଲେ ଓ କହିଲେ, “ଇଏ ତ ବାମନାର ରକ୍ଷିତା । ଆଉ ବାମନା ୟା ପାଇଁ – ସାକ୍ଷୀ ନ ଦେବ କାହିଁକି ? ଚୁପ୍‌ କରନ୍ତୁ । ଏଥର ଅପା ଗର୍ଜି ଉଠିଲେ । ନିଜର ଦୋଷ ଘୋଡ଼ାଇବା ପାଇଁ ଅନ୍ୟ ମୁଣ୍ତରେ ଅଠା ବୋଲନ୍ତୁ ନାହିଁ । କ୍ରନ୍ଦନରତା ଲବଙ୍ଗ ଆଡ଼େ ଅଙ୍ଗୁଳି ଦେଖାଇ ପୁଣି କହିଲେ, ବିଚାରି ଲବଙ୍ଗ ବିଶ୍ୱାସରେ ବିଷ ପିଇଛି, ତାକୁ ବିବାହ କରି ଭଲରେ ଭଲରେ ଏ ଘଟଣାଟାର ସମାଧାନ କରିଦେବା ଆପଣଙ୍କ ପାଇଁ ମଙ୍ଗଳକର ହେବ । “କ’ଣ କହିଲେ ? ଏ କାମବାଲୀଟାକୁ ବୋହୂ କରିବି ? ଦେଖନ୍ତୁ ଆପଣମାନେ ତା’ର ଚାଲାକି ବୁଝିପାରୁ ନାହାନ୍ତି । ମୋ ପୁଅର ବାହାଘର ଆଉ ଦଶଦିନ ରହିଲା । କେମିତି ତା ବାହାଘରଟା ଭାଙ୍ଗିଦେବ, ସେଇଟା ହେଲା ୟାର ଗୋଟେ ଚାଲ୍‌ ।” ଅପା କ’ଣ କହି ଆସୁଥିଲେ, ତାଙ୍କୁ ରୋକିଦେଇ ବଡ଼ବାବୁ କହିଲେ, ଥାଉ, ଥାଉ ମହଶୟା, ଫାଲ୍‌ତୁ କଥାରେ ଆଉ ଆମର ସମୟ ନଷ୍ଟ କରନ୍ତୁ ନାହିଁ । ଏଥର ଆପଣ ଆସିପାରନ୍ତି । ଲଜ୍ଜା ଓ ଅପମାନରେ କଳାକାଠ ପଡ଼ିଯାଇଥିବା ଲବଙ୍ଗକୁ ସାଙ୍ଗରେ ଧରି ଫେରି ଆସିଲେ ସେମାନେ । ଲବଙ୍ଗ ଆଖିରୁ ଲୁହପୋଛି ଦେଇ ଅପା କହିଲେ, କାନ୍ଦୁଛୁ କାହିଁକି ? ନ୍ୟାୟ ପାଇବାର ଶପଥ ନେଇ ଲଢ଼ିବାର ନିଷ୍ପରି ଯେତେବେଳେ କରିଛୁ, ନିଜକୁ ଦୃଢ଼ କର । ଆମେ ସବୁ ତୋ ସହିତ ଅଛୁ । ଆମ ସଂଗଠନରେ ମହିଳା ଓକିଲ ଜାହ୍ନବୀ ଦେବୀ ଅଛନ୍ତି । ସେ ତୋ ସାନବାବୁଙ୍କୁ ଆଣି ଯଦି ତୋ ପାଦତଳେ ଠିଆ ନ କରାଇଛନ୍ତି, ତେବେ କହିବୁ ।” ଅପାଙ୍କ କଥା ଶୁଣି, ଲୁହ ପୋଛି କାବା ହୋଇ ଚାହିଁ ରହିଲା ଲବଙ୍ଗ ।

ସତକୁ ସତ କେଶ୍‌ ଆରମ୍ଭ ହୋଇଗଲା । ବାବୁଙ୍କ ଘରକୁ ଓକିଲ ନୋଟିସ୍‌ ଗଲା । ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ସେ ଘଟଣା ଛପା ହେଲା । ଓକିଲ ଓ ଖବରକାଗଜ ବାଲାଙ୍କ ଆଗରେ ସେଇ ଘଟଣାକୁ ବାରମ୍ବାର ବର୍ଣ୍ଣନା କରିବାକୁ ପଡ଼ିଲା ଲବଙ୍ଗକୁ । ତାକୁ ଲାଗୁଥିଲା ସତେ ଯେମିତି ଥରେ ନୁହେଁ, ବାରମ୍ବାର ତାକୁ ନଗ୍ନ କରି ଦିଆଯାଉଥିଲା । ଧର୍ଷଣ କରାଯାଉଥିଲା । କେଶ୍‌ଟିର ପ୍ରତିଟି ତାରିଖରେ ତାକୁ ନ୍ୟାୟାଳୟରେ ଉପସ୍ଥିତ ହେବାକୁ ପଡ଼ୁଥିଲା । ନ୍ୟାୟଧୀଶଙ୍କ ସାମ୍ନାରେ କାନ୍ଦି କାନ୍ଦି ସେଇ ଭୟଙ୍କର ଘଟଣାର ବର୍ଣ୍ଣନା କରିବାକୁ ପଡ଼ୁଥିଲା । ସେ ଆଉ ଗୋଟିଏ ସତର ବର୍ଷର ଅନୁଢ଼ା କିଶୋରୀ ହୋଇ ରହି ନଥିଲା | ଏ ଭିତରେ ତା ବୟସ ଯେପରି ସତରରୁ ସତୁରୀକୁ ଟପିଯାଇଥିଲା। ସ୍ଵପ୍ନଭରା ତା କୋମଳ ହୃଦୟଫଟି ଭାଙ୍ଗି ଚୁର୍‌ମାର୍‌ ହୋଇ ଯାଇଥିଲା । ନିଷ୍ଠୁର ବାସ୍ତବତାର କଷାଘାତରେ ସେ ଏକ ପୋଖତ ନାରୀରେ ପରିଣତ ହୋଇଯାଇଥିଲା ।

ସିଆଡ଼େ ବାବୁଙ୍କ ଘରେ ଓକିଲ ନୋଟିସ୍‌ ପହଞ୍ଚିଗଲା ପରେ, ସାନବାବୁଙ୍କ ବାହାଘର ଭାଙ୍ଗିଗଲା । ସତ ହେଉ କି ମିଛ ହେଉ, ଏପରି ଜଣେ ନିନ୍ଦନୀୟ ବ୍ୟକ୍ତିକୁ କିଏବା କାହିଁକ ଝିଅ ଦେବ ? ସହରର ସବୁଠାରୁ ଟାଣୁଆ ଓକିଲକୁ ବଡ଼ବାବୁ ଧରିଥିଲେ । ସେ ଓକିଲ ଲାଗିପଡ଼ି ଲବଙ୍ଗକୁ ଗୋଟେ ପେଷାଦାର ବେଶ୍ୟା ରୂପେ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ। ନାରୀ ସଂଗଠନକୁ ଧରି ଲବଙ୍ଗ ତାଙ୍କ ମହକିଲଙ୍କୁ ବ୍ଲାକମେଲ୍ କରିଵାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ । ଗୋଟିଏ ତାରିଖରୁ ଆଉ ଗୋଟଏ ତାରିଖକୁ କେଶ୍‌ ଆଗେଇ ଚାଲିଥିଲା । ବାମନା, ହୋଟେଲ ମ୍ୟାନେଜର, ହୋଟେଲ ପରିଚାରକ ଓ ଟ୍ୟାକ୍ସିବାଲା ସାକ୍ଷୀ ଦେଇଥିଲେ । ସେମାନେ ସମସ୍ତେ ସାନବାବୁଙ୍କ ସହିତ ଲବଙ୍ଗକୁ ଦେଖିଥିଲେ । ହୋଟେଲ ରେଜିଷ୍ଟାର୍‌ରେ ସାନବାବୁ ମିଷ୍ଟର ଓ ମିସେସ୍‌ ମୋହନ ମିତ୍ର ନାମରେ ରୁମ୍‌ ବୁକ୍‌ କରିଥିଲେ । ତେଣୁ କେଶ୍‌ ଜିତିବାରର ଅନେକ ଆଶା ଥିବାରୁ ଅପା ଖୁସି ଥଲେ । ହେଲେ ଖୁସି ହୋଇ ପାରୁ ନ ଥିଲା ଲବଙ୍ଗ । ତା’ କୋମଳ ସୁକୁମାର ମନଟା ଛିନ୍ନ ଭିନ୍ନ ହୋଇ ଯାଇଥିଲା, ମରି ଯାଇଥିଲା । ସେ ଏବେ ବୁଝି ପାରୁଥିଲେ ଯେ, ତାକୁ ବାବୁ, ମା ଓ ସାନବାବୁ ଭଲ ପାଉନଥିଲେ । ଯେଉଁ ମଧୁର,ମଧୁର କଥା କହୁଥିଲେ, ତା କେବଳ ଗାଟେ ଚାକରାଣୀକୁ ହାତରେ ରଖିବାର ଚାଟୁ କଥା ମାତ୍ର ।

ଲବଙ୍ଗ ଏବେ ଅଧିକାଂଶ ଦିନ ନାରୀ ସଂଗଠନରେ ରହିଯାଉଥିଲା । କାରଣ ତା ସାଇକୁ ଆସିବା ପାଇଁ ସେ ଡରୁଥିଲା | ତା ଭୟର ମୂଳକାରଣ ଥିଲା ତା ସ୍ପିତ ଉଦର । ସାଇରେ ସମସ୍ତେ ଘୂରି ଘୂରି ଆଗକୁ ବାହାରି ପଡ଼ିଥିବା ତା ପେଟଟିକୁ ଦେଖୁଥିଲେ । ଯେଉଁ ଟୋକାମାନେ ଲବଙ୍ଗକୁ ବାହା ହେବାପାଇଁ ଇଚ୍ଛା କରି ନିରାଶ ହୋଇଥିଲେ, ସେମାନେ ଏବେ ଛିଗୁଲେଇ, ଛିଗୁଲେଇ ଅନେକ କଥା କହୁଥିଲେ । କେବଳ ଚେମି ହିଁ ଲବଙ୍ଗ ଆଖିରୁ ଲୁହ ପୋଛିଦିଏ । ତାକୁ ବୁଝାଇ କହେ, “ଧୈର୍ଯ୍ୟ ଧର । ଏତେ ବେଳେ କାନ୍ଦିଲେ ଆଉ କ’ଣ ହେବ ? ସମସ୍ତେ କହୁଛନ୍ତି ତୁ କାଳେ କେଶ୍‌ ଜିତିବୁ । ଦେଖିବୁ ସାନବାବୁ ବାଜାବଜେଇ ଏଠାରୁ ଆସି ତୋତେ ରାଣୀ କରି ନେବେ । ଶୁଖିଲା ହସଟିଏ ଲବଙ୍ଗ ଓଠରେ ଫୁଟି ଉଠେ । ସାନବାବୁଙ୍କୁ ନେଇ ସବୁ ସ୍ଵପ୍ନ ହଜିଗଲା ପରେ, ଛତୁ ଉଠା କାଠ ପରି, ସାନବାବୁ ଆଉ ତା’ର କି ଦରକାରରେ ଆସିବେ | ସେ ଭଲ କରି ବୁଝିସାରିଛି ଯେ, ସାନବାବୁଙ୍କ ହୃଦୟରେ ତା ପାଇଁ ଏତେ ଟିକେ ସ୍ଥାନ ନାହିଁ । ଯେଉଁଠାରେ ପ୍ରେମ ନାହିଁ, ପ୍ରତ୍ୟୟ ନାହିଁ, ସେଠାରେ ସମ୍ପର୍କର ମୂଲ୍ୟ କ’ଣ ?

ମହିଳା ସଂଗଠନରେ ଲବଙ୍ଗ, ଅପା ଏବଂ ତାଙ୍କ ସହକର୍ମୀମାନଙ୍କ ପାଇଁ ରୋଷେଇ କରିଦିଏ, ଘର ଓଳାଏ, ବାସନ ମାଜେ | ମଝିରେ ମଝିରେ ବାମନା ତା ସହିତ ଦେଖା କରିବା ପାଇଁ ଆସେ । ଭଲ ମନ୍ଦ ପଚାରି ବୁଝେ। ବରା କି ପିଆଜି ଦୁଇଟା ଆଣିଥିଲେ, ଲବଙ୍ଗ ହାତରେ ଧରାଇ ଦିଏ । ଲବଙ୍ଗ ନାହିଁ କରିପାରେନା । କିନ୍ତୁ ଖାଇ ବି ପାରେନା । ଭଲ ମନ୍ଦ ଖାଇବାର ସରାଗ ତା ମନରୁ କେବେଠାରୁ ମରିଗଲାଣି । ବାମନା ଫେରିଗଲା ପରେ ବୁଲା କୁକୁର ମୁହଁରେ ସେ ବରା ପିଆଜି ପକାଇଦିଏ ।

ନଅ ମାସ ଗର୍ଭର ଓଜନ ଲବଙ୍ଗକୁ ଖୁବ୍‌ ଭାରି ମନେ ହେଉଥିଲା । ଛୁଆଟା ପେଟ ଭିତରେ ଏପଟ, ସେପଟ କଡ଼ ଲେଉଟାଇଲେ, ଲବଙ୍ଗକୁ ଲାଗୁଥିଲା ଯେମିତି ସେ କହୁଛି ବାହାରକୁ ଆସିବ । ତା’ର ମୁକ୍ତ ପବନ ଦରକାର । ଲବଙ୍ଗ ଖୁବ୍‌ ଶ୍ରଦ୍ଧାରେ ପେଟ ଉପରେ ହାତ ବୁଲାଇ ଆଣେ । ଚୁପି ଚୁପି କହେ, କାହିଁକି ବ୍ୟସ୍ତ ହେଉଛୁ, ବେଶ୍‌ ଆରାମ୍‌ ଓ ନିରାପଦରେ ତ ଅଛୁ । ଏ ବାହାର ଦୁନିଆଁଟା ଖୁବ୍‌ ଭୟଙ୍କର । ତୋ ପରି ଗୋଟିଏ ପରିଚୟହୀନ, ଛୁଆର ଏ ଦୁନିଆଁରେ ତିଷ୍ଠିବା ଭାରି କଷ୍ଟକର । ଚୁପ୍‌ ହୋଇଯାଏ ଛୁଆଟା ପେଟ ଭିତରେ କିଛିକ୍ଷଣ । ବୁଝିପାରେ ଅବା ଲବଙ୍ଗ ମନର ଅକୁହା ବେଦନା ।

ସେଦିନ ବାମନା ନାରୀ ସଂଗଠନକୁ ଆସି ଲବଙ୍ଗକୁ କହିଲା, ‘ ଏଇଠେ ରହିଲୁ, ସିଆଡ଼େ ତୋ ଘର ଖଣ୍ଡକ ଉଜୁଡ଼ି ଗଲାଣି । କେତେବେଳେ ଆସି ଟିକେ ଲିପା ପୋଛା କରି ଦେଇ ଯା” । ପାଣିଚିଆ ହସ ହସି ଲବଙ୍ଗ ଉତ୍ତର ଦେଲା, ‘କି ଘର ରେ ବାମନା ? ଯେଉଁ ଘରର ସ୍ଵପ୍ନ ଦେଖିଥିଲି, ସେଥିରେ ତ ଘୂଣ ଲାଗିଲା ଆଉ ଏ କୁଡ଼ିଆ ଖଣ୍ଡକ ଯାଉ ଉଜୁଡ଼ି ଯାଉ ।’ ବାମନା ଚୁପ୍‌ ଚାପ୍‌ ଚାଲିଗଲା ।

ମୁହଁଟାଣରେ ସିନା କହିଦେଲା ଲବଙ୍ଗ, ହେଲେ ତା ଜନ୍ମସ୍ଥାନ ତା ଭିଟାମାଟି ସେ ଘର ଖଣ୍ଡକ ଉଜୁଡ଼ି ଯାଉଛି ଶୁଣି ତା ଆଖିରୁ ଲୁହ ଝରିଗଲା । ସେଇଥିପାଇଁ ଦିନେ ଆସି ପହଞ୍ଚି ଗଲା ନିଜ ସାଇରେ । ତାକୁ ଦେଖୁ ଦେଖୁ କିଛି ସ୍ତ୍ରୀ ଓ ପୁରୁଷ ଘେରିଗଲେ । କିଏ କିଏ ତା’ର ଅବସ୍ଥା ଦେଖି ଆହା ଚୁ… ଚୁ… କଲେ | ସେ କେଶ୍‌ କରି ଠିକ୍‌ କରିଛି ବୋଲି କହିଲେ । କିନ୍ତୁ ଆଉ କେତେକ ମୁହଁ ମୋଡ଼ିଲେ । ଦାରୀକୁ ଠିକ୍‌ ହୋଇଛି ବୋଲି କହିଲେ । ଲବଙ୍ଗ ଚୁପ୍‌ ହୋଇ ରହିଲା । କାହାକୁ କିଛି ଉତ୍ତର ଦେଲା ନାହିଁ । ତା’ ଘରକୁ ସଫା କଲା, କିଛି ଉଇ ହୁଙ୍କା ହୋଇଥିଲା । ତାକୁ ଭାଙ୍ଗି ପକାଇଲା । ରଙ୍ଗମାଟି ଆଣି ଚାରିକଡ଼ ଲିପାପୋଛା କଲା । ତାଟି କବାଟକୁ ଆଉଜାଇ ଆଣି ଭଙ୍ଗା ଚାଳବାଟେ ଶୂନ୍ୟ ଆକାଶକୁ ଚାହିଁ ରହିଲା । ସନ୍ଧ୍ୟା ପରେ କିଏ ଗୋଟେ ତାଟି କବାଟ ବାଡ଼େଇଲା । ଦେଖିଲା ବେଳକୁ ବାମନା ହାତରେ ପୁଡ଼ିଆଟିଏ ଧରି ଠିଆ ହୋଇଛି ! ଲବଙ୍ଗକୁ ଦେଖୁ ଦେଖୁ କହିଲା, ମୁ ଜାଣିଛି ତୁ କିଛି ରୋଷେଇ କରିନଥିବୁ । ସେଥିପାଇଁ ରୁଟି ଦୁଇଖଣ୍ଡ ନେଇ ଆସିଛି । ଏମିତି ଭୋକରେ ରହି ନିଜେ କଷ୍ଟ ପାଇବା ସାଙ୍ଗେ ସାଙ୍ଗେ ପେଟର ପିଲାଟାକୁ କାହିଁକି କଷ୍ଟ ଦେଉଛୁ କହିଲୁ, ? ପୁଡ଼ିଆଟି ହାତରେ ଧରି ଠପ୍‌ ଠପ୍‌ କାନ୍ଦି ପକାଇଲା ଲବଙ୍ଗ, କହିଲା,”କାହିଁକି ଏତେ କରୁଛୁରେ ବାମନା, ମୁଁ ତୋ ଋଣ କେମିତି ଶୁଝିବି ? କିଛି କହିଲା ନାହିଁ ବାମନା, ତା ଅପରଛନିଆ ହଳଦିଆ ଦାନ୍ତ ଦେଖାଇ ହସିଦେଲା ଓ ଚାଲିଗଲା ।

ସକାଳୁ ଉଠି ଲବଙ୍ଗ ମାଠିଆଟା ଧରି ଟିଉବୱେଲ୍‌ ପାଖକୁ ଗଲା । ଘରେ ମୁହଁ ଧୋଇବାକୁ ମଧ୍ୟ ପାଣି ମୁନ୍ଦାଏ ନ ଥିଲା । ଆଜି ପୁଣି କେଶ୍‌ର ତାରିଖ ଅଛି । ଜଲଦି କାମ ସାରି ଯିବାକୁ ହେବ । ମାଠିଆଟା ବସାଇ ଦେଇ ହ୍ୟାଣ୍ଡେଲ ଦୁଇଥର ମାରିଛି କି ନାହିଁ, କାବା ହୋଇ ଚାହିଁ ରହିଲା ଲବଙ୍ଗ । ସ୍କୁଟରରେ କିଏ ତାଙ୍କ ସାଇକୁ ଆସୁଛି ? ଆରେ ଚିହ୍ନା ଚିହ୍ନା ତ ଲାଗୁଛି । ବାବୁ ଆଉ ମା” | ଲବଙ୍ଗକୁ ଦେଖି ସେମାନେ ସ୍କୁଟର ବନ୍ଦ କଲେ । ଲବଙ୍ଗ କିଂକର୍ତ୍ତବ୍ୟବିମୂଖ ହୋଇ ଠିଆ ହୋଇଥିଲା । କ’ଣ କହିବ କ’ଣ କରିବ ବୁଝିପାରୁ ନ ଥିଲା । ମା’ ଆସି ଲବଙ୍ଗ ପାଖରେ ଠିଆ ହେଲେ । ତା ହାତକୁ ଧରି କହିଲେ, “ଲବଙ୍ଗ ଆମ ମାନ ଇଜ୍ଜତ ଆଜି ତୋ ହାତରେ, ତୁ ଏ କେଶ୍‌ ଉଠାଇ ନେ । ଆମେ ତୋତେ ବୋହୂ କରିବା ପାଇଁ ରାଜି ଅଛୁ ।” ଆଃ ଏଇ କଥା ଟିକକ ଶୁଣିବା ପାଇଁ ସେ କେତେ ଆଗ୍ରହରେ ପ୍ରତୀକ୍ଷା କରି ନ ଥିଲା । ସେତେବେଳେ ଏକଥା ତ କହିଲେ ନାହିଁ, ଆଉ ଆଜି… | ଆଜି ତ ତା ଇଜ୍ଜତ ମହତ ଦାଣ୍ଡରେ ପଡ଼ି, ହାଟରେ ଗଡୁଛି । ‘କ’ଣ କହୁଛୁ ଲବଙ୍ଗ ? ମା ପୁଣି ପଚାରିଲେ । “ତୋ ସାନବାବୁ ତୋତେ ବାହାହେବା ପାଇଁ ରାଜି ଅଛି । ଖାଲି ଏ ଛୁଆଟା ଯାହା ଅସୁବିଧା କରୁଛି । ତାକୁ ଅନାଥ ଆଶ୍ରମରେ ଛାଡ଼ି ଦେବା । ତୁ ଏ କେଶ୍‌ଟା ଉଠାଇ ନେ ।” .

ଲବଙ୍ଗ ବୁଝୁଥିଲା, ଅନ୍ତରରେ ଭଲ ପାଇବା ନ ଥାଇ, ପ୍ରେମ, ପ୍ରଣୟ ନ ଥାଇ ଏଇ ଯେ, ଏମାନେ ତାକୁ ବୋହୂ କରି ନେବାକୁ କହୁଛନ୍ତି, ତା କେବଳ କେଶ୍‌ରୁ ମୁକୁଳିବା ପାଇଁ । ଆଉ ସେ ଏ ଭିତରେ ଏମାନଙ୍କୁ ହାଡ଼େ ହାଡ଼େ ଚିହ୍ନିଗଲାଣି । ତେଣୁ ଏମାନଙ୍କ କଅଁଳ କଥାର ଜାଲରେ ସେ ଆଉ ପଡ଼ିବ ନାହିଁ । ନିଜକୁ ଦୃଢ଼ କରିନେଇ କହିଲା ଲବଙ୍ଗ “ଥାଉ ମା ଆଜି ଆଉ ସେସବୁ କଥା କାହିଁକି ? ମୋର ସବୁ ସପନ ହଜିଯାଇଛି । ଏ ନିଷ୍ଠୁର ଦୁନିଆଁ ମୋତେ ଏ ଅଳ୍ପ ବୟସରେ ବହୁତ ଶିଖାଇ ଦେଇଛି । ମୁଁ ଆଉ ସାନବାବୁଙ୍କ ଯୋଗ୍ୟ ହୋଇ ନାହିଁ । ତା’ ଛଡ଼ା ସାନବାବୁ ମୋତେ ଭଲପାଆନ୍ତି ନାହିଁ ବୋଲି ଜାଣିଲା ପରେ ସାନବାବୁଙ୍କୁ ବାହା ହୋଇ ଆପଣଙ୍କ ଘରର ବୋହୂ ହେବାର ଆଗ୍ରହ ମଧ୍ୟ ମୋର ନାହିଁ । ତେଣୁ ଯାହା ହେବାର ତ ହୋଇଗଲା ଆଉ ରୁକୁଣା ରଥ ପଛକୁ ଫେରିବ ନାହିଁ ।

ଥମ୍‌, ଥମ୍‌ ହୋଇ ଫେରିଗଲେ ମା’ ଆଉ ନୀରବରେ ତାଙ୍କ ପଦାଙ୍କ ଅନୁସରଣ କଲେ ବଡ଼ବାବୁ । ଥକ୍କା ହୋଇ ବସିପଡ଼ିଲା ଲବଙ୍ଗ । ତା’ର ଇଚ୍ଛା ହେଉଥିଲା ବସୁମାତାଙ୍କୁ କହିବ, “ହେ ମା ବସୁମାତା, ଆଉ କେତେ ଲଜ୍ଜା , ଅପମାନ ଦେବୁ ? ତୁ ଫାଟି ଯା ମୁଁ ତୋ ଗର୍ଭରେ ଆଶ୍ରୟ ନେବି ।”

ଗାୟତ୍ରୀ ଅପା ଓ ଅନ୍ୟାନ୍ୟ ମହିଳା କର୍ମୀମାନେ ଶୁଣି ସେଇ ଗୋଟିଏ କଥା କହିଲେ, ମନା କରି ଦେଇ ଠିକ୍‌ କରିଛୁ ଲବଙ୍ଗ ସେମାନେ କେବଳ କେଶ୍‌ରୁ ମୁକୁଳିବା ପାଇଁ ତୋତେ ବୋହୂ କରି ନେବାକୁ କହୁଥିଲେ । ବର୍ତ୍ତମାନ ତାଙ୍କୁ ବାହାହେଲେ ତୋ ସ୍ଥାନ କେବଳ ବିନା ବେତନରର ଚାକରାଣୀ ଛଡ଼ା ଅଧିକ କିଛି ହେବନାହିଁ । ବାମନା ଶୁଣି କହିଲା, “ ଏବେ ଦେଖୁଛି ତୋର ବୁଦ୍ଧି ହେଲାଣି ଲୋ ଲବଙ୍ଗ ।” ଲବଙ୍ଗ ଆଖିରୁ ଲୁହ ପୋଛି କହିଲା, “ଠିକିଲେ ପରା ଶିଖନ୍ତି, ଏବେ ଏ ସଂସାରଟାକୁ ମୁଁ ଠିକ୍‌ରେ ଚିହ୍ନିଗଲିଣି ।” ଏତିକିବେଳକୁ ଅପା ଆସି କହିଲେ, ‘ ଗାଡ଼ିରେ ବସ, ଆଜି ଲବଙ୍ଗ କେଶ୍‌ର ଫଇସଲା ଅଛି । ଜଲଦି କୋର୍ଟକୁ ଯିବା ।’

କେଶ୍‌ରେ ଲବଙ୍ଗ ଜିତିଗଲା । ସାନବାବୁଙ୍କୁ ପାଞ୍ଚବର୍ଷ ପାଇଁ ଜେଲ୍‌ଦଣ୍ଡ ଦିଆଗଲା ଓ ପାଞ୍ଚ ହଜାର ଟଙ୍କା ଜୋରିମାନା କରାଗଲା । ତା ସହିତ ଲବଙ୍ଗ ଗର୍ଭରେ ଥିବା ପିଲାଟିର ଭରଣପୋଷଣର ସମସ୍ତ ଭାର ସାନବାବୁ ବହନ କରିବେ ଓ ଲବଙ୍ଗକୁ କ୍ଷତି ପୂରଣ ବାବଦ ପନ୍ଦର ହଜାର ଟଙ୍କା ଦେବେ ।

ବାବୁ ଓ ମା’ ମୁଣ୍ଡ ପୋତି ଚାଲିଗଲେ । ସାନବାବୁଙ୍କ ହାତରେ ହାତକଡ଼ା ପିନ୍ଧାଇ ପୋଲିସ୍‌ ନେଇଗଲା । ଲବଙ୍ଗ ଆଖିରୁ ବୋହିଯାଉଥିବା ଲୁହକୁ ଯେତେ ପୋଛିଲେ ମଧ୍ୟ ଶେଷ ହେଉ ନଥିଲା । ସେ ହୃଦୟର ସହିତ ଭଲ ପାଉଥିବା ସାନବାବୁଙ୍କର ଏ ଅବସ୍ଥା କ’ଣ ସେ ଚାହିଁଥିଲା ? ନିଜକୁ ନିଜେ ପଚାରୁଥିଲା ଲବଙ୍ଗ । ଗାୟତ୍ରୀ ଅପା ପଛଆଡୁ ଆସି ଲବଙ୍ଗ କାନ୍ଧରେ ହାତ ଥୋଇଲେ । ଖୁସିରେ ଗଦ ଗଦ ହୋଇ ଲବଙ୍ଗକୁ ଅଭିନନ୍ଦନ ଜଣାଇଲେ ଓ କହିଲେ, ‘ଲବଙ୍ଗ ତୁ ଜିତିଯାଇଛୁ । ତୋ ଅଧିକାର ଫେରି ପାଇଛୁ । ଆମ ଅନୁଷ୍ଠାନ ଯେ ତୋତେ ନ୍ୟାୟ ଦିଆଇ ପାରିଛି, ସେଥିପାଇଁ ଆମେ ସମସ୍ତେ ଖୁବ୍‌ ଆନନ୍ଦିତ । ଏତେ କଥା କହିଲା ପରେ ବି ଲବଙ୍ଗ କାନ୍ଦୁଥିବା ଦେଖି ଦୁଇ ହାତ ପାପୁଲିରେ ତା ମୁହଁକୁ ତୋଳି ଧରି ତା ଲୁହ ପୋଛିଦେଲେ ଓ କହିଲେ, ଛି ଲବଙ୍ଗ ତୋ ପରି ସାହସୀ ଝିଅ କ’ଣ ଏମିତି ଖୁସିର ମୌକାରେ କାନ୍ଦନ୍ତି ? ନିଜ କୋହକୁ ସମ୍ଭାଳି ନେଇ ଲବଙ୍ଗ କହିଲା, “ ମୁଁ ଏବେ କ’ଣ କରିବି ଅପା ? ” ଅପା ଲବଙ୍ଗର ମନକଥା ବୁଝିପାରିଲେ | ହସି ହସି କହିଲେ, ଓ ଏଇଥିପାଇଁ ଏତେ କାନ୍ଦ । ପାଖରେ ଠିଆ ହୋଇଥିବା ବାମନା ଆଡ଼େ ଦୃଷ୍ଟିପାତ କରି ଲବଙ୍ଗ କାନରେ ଚୁପିଚୁପି କହିଲେ, ଲବଙ୍ଗ, ବାମନା ତୋତେ ଖୁବ୍‌ ଭଲ ପାଏ । ସେ ତୋତେ ବିବାହ କରିବ ଓ ତୋ ପିଲାକୁ ମଧ୍ୟ ପିତୃ ପରିଚୟ ଦେବ । ଆମ ଅନୁଷ୍ଠାନ ତୁମ ଦୁଇଜଣଙ୍କର ବାହାଘର କରାଇ ଦେବ । ଏବେ ତୁ ବାମନା ସହିତ ତୋ ଘରକୁ ଯା । କହି ସାରି ଅପା ବାମନାକୁ କିଛି ଚୁପ୍‌ ଚୁପ୍‌ କହିଲେ ଓ ଗାଡ଼ି ଆଡ଼େ ହସି ହସି ଚାଲିଗଲେ । ଲବଙ୍ଗ ପଛରୁ ବଡ଼ ବିକଳରେ ଡାକିଲା, ଅପା… ବୁଲିପଡ଼ି ଠିଆ ହୋଇଗଲେ ଅପା । କ’ଣ କିଛି କହିବୁ ? ‘ଅପା ମୁଁ ବାମନାକୁ ବିବାହ କରି ପାରିବି ନାହିଁ । ମୁଁ ତାକୁ କେବେହେଲେ ଭଲ ପାଇନାହିଁ କି ଭଲ ପାଇପାରିବି ନାହିଁ । ସବୁବେଳେ ତାକୁ ବଡ଼ଭାଇ ପରି ଭାବି ଆସିଛି । ଅପା, ମୋତେ ତୁମ ନାରୀ ସଂଗଠନରେ ସ୍ଥାନ ଦିଅ । ମୁଁ ତୁମମାନଙ୍କର ବାସନ ମାଜିବି, ଲୁଗା କାଚିବି, ଯାହା କହିବ ତାହା କରିବି ଆଉ ତୁମ ସଂଗଠନରେ ରହି ପାଠ ପଢ଼ିବି ସିଲେଇ ଶିଖିବି । ଅପା ଡେରିରେ ହେଲେ ମଧ୍ୟ ମୁଁ ନିଜକୁ ଯୋଗ୍ୟ କରି ଗଢ଼ିବାକୁ ଚାହେଁ । ପୁରୁଷର ଆଶ୍ରୟରେ ଲତାଟିଏ ହୋଇ ବଞ୍ଚି ରହିବା ପାଇଁ ଚାହେଁନା । ବରଂ ନିଜକୁ ଏପରି ଉପଯୁକ୍ତ କରିବି ଯେ, ମୋ ପରି ନଷ୍ଟ ହୋଇଯାଉଥିବା ଲବଙ୍ଗମାନଙ୍କୁ ରକ୍ଷା କରିବା ପାଇଁ ସକ୍ଷମ ହୋଇପାରିବି । ସେମାନଙ୍କୁ ସମାଜରେ ସମ୍ମାନର ସହିତ ବଞ୍ଚିବାକୁ ଶିଖାଇବି । ମୋତେ ତୁମେ ଆଶ୍ରୟ ଦିଅ ଅପା… ।’

ଅପା ଅତି ବିସ୍ମୟରେ ଲବଙ୍ଗକୁ ତାଙ୍କ କୋଳକୁ ଆଉଜାଇ ଆଣିଲେ ଆଉ ପରମ ଆଦରରେ ତା ମୁଣ୍ଡକୁ ସାଉଁଳାଇ ଦେଲେ । ବାମନା ନୀରବରେ ଫେରି ଯାଉଥିଲା । ଏକା ଏକା, ବଡ଼ ବଡ଼ ପାହୁଣ୍ଡ ପକାଇ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top