୧୯୨୮ ମସିହାରେ ସାଇମନ କମିଶନଙ୍କ ଭାରତ ପରିଦର୍ଶନରେ ଆସିଥିବାବେଳେ ଜାତୀୟ କଂଗ୍ରେସ ତାକୁ ବର୍ଜନ କରିଥିବା ବିଷୟ ପୂର୍ବରୁ କୁହାଯାଇଛି । ଓଡ଼ିଶା କଂଗ୍ରେସ ପକ୍ଷରୁ ଏହି ସାଇମନ କମିଶନକୁ ବର୍ଜନ କରାଯାଇଥିଲା ମାତ୍ର ନୂତନ ପ୍ରଦେଶ ଗଠନ ପାଇଁ ସୁପାରିଶ କରିବା କ୍ଷମତା ଏହି କମିଶନଙ୍କର ଥିବାରୁ ଉତ୍କଳ ସମ୍ମିଳନୀ ପକ୍ଷରୁ କେତେକ ସଭ୍ୟ ଏହି କମିଶନଙ୍କୁ ଭେଟି ସମ୍ପୂର୍ଣ୍ଣ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ପାଇଁ ସ୍ମାରକ ଲିପି ଦେଇଥିଲେ । ସେତେବେଳର ବିହାର ଓଡ଼ିଶା ପ୍ରଦେଶର ବ୍ୟବସ୍ଥାପକ ସଭା ପକ୍ଷରୁ କମିଶନଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶାର ଯେଉଁ ୬ ଜଣ ସଭ୍ୟ ଥିଲେ ସେମାନଙ୍କ ଭିତରେ ୪ ଜଣ କଂଗ୍ରେସ ସଭ୍ୟ ବିହାର କଂଗ୍ରେସ ସଭ୍ୟଙ୍କୁ ସମର୍ଥନ କଲେ ମାତ୍ର ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା ଏହି ଦୁଇଜଣ ଅଣକଂଗ୍ରେସ ସଭ୍ୟ ଉତ୍କଳ ସମ୍ମିଳନୀର ବ୍ରଜସୁନ୍ଦର ଦାସ ପ୍ରମୁଖ ଅନ୍ୟ କେତେକ ସଭ୍ୟ ପାଟନା ଯାଇ ସାଇମନ କମିଶନଙ୍କୁ ଭେଟି ସ୍ମାରକ ପତ୍ର ଦେଇ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ସମ୍ୱନ୍ଧରେ ଆଲୋଚନା କରିଥିଲେ । ସେହିପରି କମିଶନଙ୍କ ମାନ୍ଦ୍ରାଜ ଗସ୍ତ ବେଳେ ଆଶାର ସମ୍ପାଦକ ଶଶୀଭୂଷଣ ରଥ ପ୍ରମୁଖ କମିଶନଙ୍କ ସହିତ କଥାବାର୍ତ୍ତା କରି ଗଞ୍ଜାମ ଜିଲ୍ଲାର ଦାବୀ ଉପସ୍ଥାପିତ କରିଥିଲେ । ମାତ୍ର ଏହି କାର୍ଯ୍ୟକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଥିଲା ।
ସାଇମନ କମିଶନ ଓଡ଼ିଆଭାଷୀଙ୍କ ଦାବୀର ଯଥାର୍ଥତା ଉପଲବ୍ଧି କରି ମତ ପ୍ରକାଶ କଲେ ଯେ ୧୯୧୨ ମସିହାରେ ଗଠିତ ବିହାର-ଓଡ଼ିଶା ପ୍ରଦେଶ ଗଠନ ଭାରତର ପ୍ରଦେଶମାନଙ୍କ ଭିତରେ ସର୍ବାପେକ୍ଷା ଅବାସ୍ତବ । ଯେଉଁ ତିନୋଟି ଅଞ୍ଚଳ ଘେନି ଏହା ଗଠିତ ହୋଇଛି, ସେମାନଙ୍କର ଭିତରେ କେବଳ ପ୍ରାକୃତିକ ଗଠନ ଦୃଷ୍ଟିରୁ ନୁହେଁ, ସାମାଜିକ, ଭାଷାଗତ ଓ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଏଗୁଡ଼ିକ ଭିତରେ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ନାହିଁ । ଓଡ଼ିଶାର ଦାବୀ ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ କରିବା ପାଇଁ ସାଇମନ କମିଶନ ମେଜର ଅଟଲିଙ୍କ ସଭାପତିତ୍ୱରେ ଗୋଟିଏ କମିଟି ଗଠନ କଲେ । ଅଟଲି କମିଟି ମତ ପ୍ରକାଶ କଲେ ଯେ, ଓଡ଼ିଆଭାଷୀ ଲୋକଙ୍କ ଦାବୀ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଏବଂ ଏହା ପଛରେ ଓଡ଼ିଆଭାଷୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି । ତେଣୁ ଏହି କମିଟି ମାନ୍ଦ୍ରାଜର ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ପାଇଁ ସୁପାରିଶ କରିଥିଲେ । କମିଟି ଶେଷରେ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକୁ ମିଶାଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ମତ ପ୍ରକାଶ କରିଥିଲେ । ଏହି କମିଟି ପୂର୍ବତନ ଗଡ଼ଜାତ ଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ପାଇଁ ସୁପାରିଶ କରିଥିଲେ ।