ଅଣୁଗଳ୍ପ

ପ୍ରେମ

Keshab Das's odia short story Prema

‘ସାନି, ସାନି, ମୋ’ ସୁନା ସାନି’ ବୋଲି ଆକୁଳରେ ଡକା ପକାଇ ମୁଁ ତା’ ପାଖକୁ ଦୌଡ଼ିଥିଲି ।

ବାସ୍ତବିକ୍‌ ମୁଁ ପ୍ରେମରେ ପଡ଼ିଗଲି । ସେହି ଅପରିପକ୍ଵ ବୟସରେ ଏଭଳି ଗଭୀର ପ୍ରେମରେ ପଡ଼ିବା କଥା ହୁଏତ ଆଜି ଆପଣ ବିଶ୍ୱାସ କରିପାରୁନାହାନ୍ତି, କିନ୍ତୁ ଆପଣଙ୍କ ବିଶ୍ୱାସହୀନତା ମୋ’ ମନ ତଳେ ଦିକ୍‌ ଦିକ୍‌ ହୋଇ ଜଳୁଥିବା ସେହି ସୁନ୍ଦର ପ୍ରେମ-ପ୍ରଦୀପର ଆଲୋକକୁ ତିଳେ ମାତ୍ର ଝାପ୍‌ସା କରିପାରିବ ନାହିଁ । ହଁ, ଆଉ ଗୋଟିଏ କଥା । ‘ପ୍ରେମ’ କହିଲେ ଆପଣଙ୍କ ମନରେ ଯଦି କିଛି ଲଜ୍ଜା ଉଦ୍ରେକକାରୀ, ଶାଳୀନତାହୀନ, ଅଶ୍ଳୀଳ ଅଥବା କଳୁଷିତ ଭାବନା ଆସୁଥାଏ ତା’ହେଲେ ଆପଣ ଏହି ମର୍ମଦାହୀ କାହାଣୀଟିକୁ ପଢ଼ିବା ପାଇଁ ଆଉ ମନ ବଳାନ୍ତୁ ନାହିଁ । ଏ’ କାହାଣୀ ଲେଖିଲା ବେଳେ ମୁଁ ଯେ କି କଷ୍ଟ ପାଉଛି, ତାହା ଆପଣ ମୋ’ ଆଙ୍ଗୁଳିର ଅବସ୍ଥା ନଦେଖିଲେ କଳ୍ପନା ସୁଦ୍ଧା କରିପାରିବେ ନାହିଁ ।

ମୁଁ ଗୋଟିଏ କୁକୁରର ପ୍ରେମରେ ପଡ଼ିଗଲି ।

କୁକୁର ଶବ୍ଦଟି ବ୍ୟବହାର କଲାବେଳେ ଆପଣ ଯଦି କୌଣସି ତୁଳା ଭଳି ନରମ ଧଳା ଫର ଫର ଲୋମଶ ବିଲାତି କୁକୁର କିମ୍ବା ଚାରି ଛ’ ଫୁଟ ଲମ୍ବା ଜିଭ ଲହ ଲହ କରୁଥିବା ଚିର ସଜାଗ ଦୀପ୍ତିମାନ ଚକ୍ଷୁଧାରୀ ପ୍ରବଳ ପ୍ରତାପୀ ଆଲ୍ସେସିଆନ୍ କୁକୁର କଥା ଭାବୁଥା’ନ୍ତି, ତା’ହେଲେ ଆପଣ ମୋ’ ଗଭୀର ପ୍ରେମ ସମ୍ବନ୍ଧରେ କୌଣସି ସମ୍ୟକ୍‌ ଧାରଣା କରିପାରିବେ ନାହିଁ । ଆପଣ ବାହ୍ୟରୂପ ଅଥବା ଶାରୀରିକ ଗଠନରେ ହିଁ ସନ୍ତୁଷ୍ଟ ହୋଇରହିଯିବେ । ମୁଁ କିନ୍ତୁ ସାନିର ହୃଦୟ କଥା କହୁଥିଲି, ଯେଉଁଠି ସେ ମୋ’ ପାଇଁ ସଞ୍ଚି ରଖିଥିଲା ଅମାପ ସ୍ନେହର ସମ୍ପଦ ।

x x x x

କାନ୍ଧରେ ବ୍ୟାଗଟିକୁ ଝୁଲାଇ ହସି ଖେଳି ଆମେ ସେଦିନ ସ୍କୁଲକୁ ଯାଉଥିଲୁ । ବାଟ ମଝିରେ ପଡ଼ିଥିଲା ଖାଲି ଟିଣ ପାଉଡର ଡବାଟିଏ । ଦଉଡ଼ିଯାଇ ସେଇଟିକୁ ଫୁଟବଲ୍ ଭଳି ଗୋଟିଏ ‘କିକ୍‌’ ଦେଲି । ଗଡ଼ ଗଡ଼ ଶବ୍ଦ କରି ସେଇଟା ଗଡ଼ିଗଲା କିଛିବାଟ । ଏଥର ଆରମ୍ଭ ହୋଇଗଲା ରୀତିମତ ଖେଳ । ଚାରି ଜଣ ଯାକ ମିଶି ଜଣକ ପରେ ଜଣେ ଡବାଟିକୁ କିକ୍‌ ଦେଇ ଆଗେଇ ଚାଲିଲୁ । ଡବା କିଛି ବାଟ ଆଗକୁ ଗଡ଼ିଗଲେ, ଆମେ ତା’ ପଛରେ ଉନ୍ମତ୍ତ ହୋଇ ଦଉଡ଼ୁଥିଲୁ ଏବଂ ଜୋରରେ କିକ୍‌ ଦେଉଥିଲୁ । ସେହି ପାଉଡର ଟିଣଟିର ଖେଳରେ ଆମେ ଏତେ ମାତି ଯାଇଥିଲୁ ଯେ, ଆମ ଅଜ୍ଞାତରେ କେତେବେଳେ ସେଇଟା ଯାଇ ରାସ୍ତା ଧାରରେ ଥିବା ବିରାଟ ତେନ୍ତୁଳି ଗଛ ମୂଳରେ ପଡ଼ିଲାଣି, ତାହା ଆମେ ଜାଣି ପାରିଲୁ ନାହିଁ । ହଠାତ୍‌ ଗଛ ମୂଳରେ ବସିଥିବା ଏକ ରୁଗ୍ଣ ବୁଲା କୁକୁର ଭୋ ଭୋ କରି ଆମକୁ ଗୋଡ଼ାଇ ଆସିଲା । ଆମେ ଡରରେ କିଏ କୁଆଡ଼େ ଛିନ୍ ଛତର ହୋଇ ଦୌଡ଼ିଲୁ । ଦୂରରେ ଥାଇ ଦେଖିଲୁ କୁକୁରଟି ଲାଞ୍ଜ ହଲାଇ ହଲାଇ ଗଛ ମୂଳକୁ ଫେରିଗଲା । କୌତୁହଳ ବଶତଃ ହେଉ ବା ମୋ’ର ଦୁଷ୍ଟାମୀ ଗୁଣ ଯୋଗୁ ହେଉ, ଗୋଟାଏ ଓଜନିଆ ଟେକା ରାସ୍ତା ଧାରରୁ ଗୋଟାଇ ନେଇ ମୁଁ ଖୁବ୍‌ ଜୋରରେ ସେହି କୁକୁର ଆଡ଼କୁ ଫୋପାଡ଼ି ଦେଲି ।

ମୋ’ ଲକ୍ଷ୍ୟ ଭ୍ରଷ୍ଟ ହେଲା ।

ସେହି ଗଛ ମୂଳରେ କୁନି କୁନି ଚାରୋଟି କୁକୁର ଛୁଆ ତାଙ୍କର ସେହି ରୁଗ୍ଣ ଅଥଚ ସ୍ନେହମୟୀ ଜନ୍ମଦାତ୍ରୀ ଠାରେ ସ୍ନେହ କାଙ୍ଗାଳ ହୋଇ ଉଠୁଥିଲେ । ମୋ’ ଟେକାଟି ଗୋଟିଏ ଛୁଆର ଗୋଡ଼ରେ ଦାରୁଣ ଭାବେ ଆଘାତ କଲା ।

କ’ଣ ହେଲା ଦେଖି ଯିବାକୁ ମନ ହେଉଥିଲା, କିନ୍ତୁ ସାଙ୍ଗମାନେ ଦୂରରୁ ଚେତାଇ ଦେଲେ ‘ସ୍କୁଲ ଘଣ୍ଟି ଶୁଭିଲାଣି’ । ମୁଁ ଦୌଡ଼ି ଦୌଡ଼ି ସ୍କୁଲକୁ ଚାଲିଗଲି ।

ଏକ ଅଜ୍ଞାତ ଅଭିମାନରେ ମୁଁ ଖୁବ ଉଲ୍ଲସିତ ଦେଖାଯାଉଥିଲି । ବନ୍ଧୁମାନଙ୍କ ଆଗରେ କୁକୁର ଛୁଆଟିକୁ ଟେକାରେ ଆଘାତ କରିଥିବା ବିଷୟ ଅତି ଉତ୍ତେଜନା ତଥା ଗର୍ବ ସହକାରେ ବର୍ଣ୍ଣନା କରୁଥିବାବେଳେ, ଜଣେ କହିଲା – ଇସ୍‌, ଅମି, ତୁ କଣ କଲୁ? ଜାଣିଛୁ ସାର୍ କ’ଣ କହିଥିଲେ, ଭୁଲିଗଲୁଣି କି?

ମୁଁ ସେହି ପୂର୍ବ ଉତ୍ତେଜନା ବଜାୟ ରଖି ପ୍ରଶ୍ନ କଲି – କ’ଣ କହିଥିଲେ? ସେ କହିଲା – ନିରୀହ ପଶୁପକ୍ଷୀଙ୍କୁ ଆଘାତ ଦେବା ମହାପାପ । ତୁ ଯାହା କଲୁ, ଭଗବାନ ତୋତେ ସେଥିପାଇଁ ନର୍କକୁ ପଠାଇଦେବେ ।

ଅକସ୍ମାତ ମୋ’ କଣ୍ଠନଳୀ ଶୁଖିଗଲା ଭଳି ମନେହେଲା । ତା’ର ଖୁବ ନିକଟକୁ ଯାଇ ନଇଁପଡ଼ି ମୁଁ ତା’ଠାରୁ ଦୀକ୍ଷା ନେବା ଭଳି ପଚାରିଲି – ହେଲେ, ମୁଁ ଏବେ କ’ଣ କରିବି?

ସେ ମୋ’ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସାର୍ ଆସିଗଲେ । ଆମେ ସବୁ ଚୁପ୍‌ ହୋଇଗଲୁ । କିନ୍ତୁ ସେଦିନ ମୋତେ ସ୍କୁଲରେ ଖୁବ ଅସ୍ୱସ୍ତି ବୋଧ ହେଲା । ଯେଉଁଆଡ଼େ ଚାହିଁଲେ ଖାଲି ଖାଲି ଥଣ୍ଡା ଥଣ୍ଡା ପରି ମନେହେଲା । ସ୍ୱୀୟ କୃତ ମହାପାପର ଶାସ୍ତି ସ୍ୱରୂପ ମୋତେ ନର୍କ ଯିବାକୁ ହେବ ବୋଲି ଭାବିଲା କ୍ଷଣି ମୋ’ ଦେହ ଥରି ଉଠୁଥାଏ । ପଦ୍ମ ପାଖୁଡ଼ା ଭଳି ଓଠ ଦୁଇଟି ମୋ’ର କେମିତି ଶେଥା ପଡ଼ି ଆସିଲେ ।

ସ୍କୁଲରୁ ଫେରିଲାବେଳେ ମୁଁ ଧଇଁ ସଇଁ ହୋଇପଡ଼ୁଥାଏ । କିଭଳି ଏକ ଦୁର୍ବଳତା ମୋତେ କ୍ଲାନ୍ତ କରି ଦେଉଥାଏ । ସେଇ ତେନ୍ତୁଳି ଗଛ ଠାରୁ ଅଳ୍ପ ଦୂରରେ ଠିଆ ହୋଇ ଦେଖିଲି, ଛୁଆ ଚାରୋଟି ଗଛ ମୂଳରେ ପରସ୍ପର ଉପରେ ଲଦା ଲଦି ହୋଇ ଶୋଇଛନ୍ତି । ମା’ ନଥିବାରୁ ମୁଁ ସାହସ ବାନ୍ଧି ପାଖକୁ ଗଲି । ଗୋଟିଏ ଛୁଆର ଗୋଡ଼ ବଙ୍କା ହୋଇଯାଇଥିଲା, ଆଉ କିଛି ରକ୍ତ ଶୁଖି ଖଇରିଆ ଦେଖାଯାଉଥିଲା । ମୋ’ର ସେହି ଥରିଲା ହାତରେ ନିଦ୍ରାଳୁ କୁକୁର ଛୁଆଟିକୁ ମୁଁ ଧୀରେ ଧୀରେ ଉଠାଇ ଆଣିଲି । ତେନ୍ତୁଳି ଗଛ ପାଖରେ ସେହି ପାଉଡର ଡବାଟି ପଡ଼ିଥିଲା । କିନ୍ତୁ ଏଥର ମୋ’ ମନରେ ସକାଳର ଚପଳତା ବଦଳରେ ଘୋଟି ରହିଥିଲା ବିଷାଦର କଳାମେଘ ।

x x x x

ଘରେ ପହଞ୍ଚୁ ପହଞ୍ଚୁ ଗୋଟାଏ ହଇ ଚଇ ସୃଷ୍ଟି ହେଲା । ସବୁଠାରୁ ପ୍ରଥମେ ବିବ୍ରତ ହୋଇ ଉଠିଲେ ମୋ’ ବଡ଼ ଭାଇ ।

– ଆରେ, ଆମ ଅମିକୁ ଦେଖ । କୁଆଡ଼ୁ ଗୋଟାଏ କୁକୁର ଛୁଆ ଗୋଟେଇ ଆଣିଲାଣି । ଫୋପାଡ଼୍‌, ଫୋପାଡ଼୍‌ ତାକୁ । ଏଇଟା ଘର ନା ଚିଡ଼ିଆଖାନା ?

ତା’ପରେ ବାପାଙ୍କ ପାଳି ।

– ଇସ୍‌, କି ଖଚଡ଼ ପିଲାଟା ! ତୋ’ର ଯଦି କୁକୁର ପିଲା ଦରକାର ମୋତେ କହିଲୁନି । ଜଗଦୀଶ ବାବୁଙ୍କ ଘରେ ଏଥର ତାଙ୍କ ଆଲ୍ସେସିଆନ୍ କୁକୁର ତିନି ତିନିଟା ଛୁଆ ଦେଇଛି । ସେଇଥିରୁ ଗୋଟେ ଆଣିଥା’ନ୍ତେ । କୋଉ ବୁଲା ଦେଶୀ କୁକୁର ଛୁଆଟାକୁ ଆଣି ଘରେ ପୂରେଇଲାଣି । ଏଗୁଡ଼ା ଖାଲି ଖାଇବେ, ଆଉ ଏଆଡ଼ ସେଆଡ଼ ଅସନା କରିବେ । ୟା’ଙ୍କ ଦେଇ କ’ଣ କାମ ହବ? ଚୋର ଜଗିବା ତ ଦୂର କଥା, ଚାଲିଯାଉଥିବା ଚୋରଙ୍କୁ ଡାକି ଆଣି ସିନ୍ଦୁକ ପାଖକୁ ବାଟ କଢ଼ାଇ ନେବେ । ଅମି, ଯା’, ତାକୁ ଯୋଉଠୁ ଆଣିଲୁ ସେଇଠି ଛାଡ଼ି ଦେଇ ଆ ।

କୁକୁର ଛୁଆଟି ମୋ’ ହାତରେ ଶାନ୍ତ ଶିଷ୍ଟ ଭାବେ ଶୋଇଯାଇଥିଲା । ସେ କ’ଣ ଜାଣିଛି ଯେ, ଯାହା ହାତରେ ସେ ଆରାମର ନିଶ୍ୱାସ ନେଉଛି, ସେ ହିଁ ତା’ର ଗୋଟିଏ ଗୋଡ଼ ଅଚଳ କରି ଦେଇଛି ? ମୋତେ ଭୀଷଣ ଅବଶ ଲାଗିଲା । ମୁଁ କଇଁ କଇଁ ହୋଇ କାନ୍ଦି ପକାଇଲି ।

କାନ୍ଦ ଶୁଣି ମା’ ରୋଷେଇ ଘରୁ ଉଠି ଆସିଲେ ।

– କାହିଁକି, ସେ ପିଲାଟା ସହିତ ଲାଗିଛ ? କୁକୁର ଛୁଆଟାଏ ତ ଆଣିଛି ସାପ କି ବାଘ ନୁହଁ ତ ? ଆଜି ସଉକରେ ଆଣିଛି, କାଲି ମନ ଭାଙ୍ଗିଗଲେ ଆପେ ତାକୁ ସେ ଛାଡ଼ି ଦବ । ତାକୁ ମିଛଟାରେ କନ୍ଦଉଛ କାହିଁକି କହିଲ?

ବଡ଼ ଭାଇ ଆଉ ବାପା ଉଭୟେ ନୀରବ ରହିଲେ ।

ମା’ ମୋତେ କହିଲେ – ଯା’, ସେହି ସିଡ଼ି ଘରେ ଅଖା ଉପରେ ତାକୁ ଶୁଆଇ ଦେବୁ ।

ମୁଁ ଖାଇସାରି ତା’ ପାଟି ଆଁ କରି କ୍ଷୀର ଦେଲି । ଅଳ୍ପ ଭାତ ବି ସେ ଖାଇଲା ।

ସେଦିନ ଖେଳିବା ପାଇଁ ମୋ’ ସାଙ୍ଗ ମାନେ ଡାକିବାକୁ ଆସିଲେ । ମୁଁ କିନ୍ତୁ କୁକୁରକୁ ଛାଡ଼ି ଗଲି ନାହିଁ । ଖୋଜା ଖୋଜି କରି ଢାବଲ ପଟା କେତୋଟି ଯୋଗାଡ଼ କଲି । ସେଇଥିରେ ସିଡ଼ି ଘରେ ଗୋଟାଏ ଛୋଟ ଘର ତିଆରି କଲି ।

ରାତି ହେବାରୁ ପାଠ ପଢ଼ିବାକୁ ମୁଁ ଗଲି । ହେଲେ, କୁକୁର ଛୁଆଟି କୁଁ କୁଁ ହୋଇ ଥରିବାକୁ ଲାଗିଲା । ମୁଁ ପଢ଼ା ଛାଡ଼ି ଆସିଲି । ତାକୁ ମୋ’ ଦୁଇ ହାତରେ ବଡ଼ ଯତ୍ନରେ ଉଠାଇ ଆଉଁସି ଦେଲି । ତା’ପରେ ଗୋଟିଏ ଅଖା ତା’ ଉପରେ ଘୋଡ଼ାଇ ଦେଇ କହିଲି – ହେ, ସାନି, ଚୁପଚାପ ଶୋଇଯା । କାଲି ସକାଳେ ଯାହା କଥାବାର୍ତ୍ତା । ଏବେ ମୁଁ ପଢ଼ିବି ।

ଜୀବନରେ ସେଇ ପ୍ରଥମଥର ମୁଁ ସେଇ କୁକୁରଛୁଆଟିକୁ ଆଦର କରି ଥିବାରୁ ମୋ’ ଅଜାଣତାରେ ତାକୁ ସାନି ବୋଲି ଡାକିଥିଲି । ସାନି କ’ଣ ବୁଝିଥିଲା କେଜାଣି ଚୁପ୍‌ଚାପ୍‌ ଶୋଇଗଲା । କୁଁ କୁଁ ହୋଇ ମୋ’ ପାଠ ପଢ଼ାରେ କୌଣସି ବ୍ୟାଘାତ ସୃଷ୍ଟି କଲା ନାହିଁ ।

x x x x

ସାନିକୁ ଗେଲ୍ହା କରିବା ମୋ’ର ଏକ ଦୈନନ୍ଦିନ ବ୍ୟାପାର ହୋଇ ଉଠିଲା । କେବଳ ଗେଲ୍ହା ନୁହେଁ, ତାକୁ ଠିକ୍‌ ସମୟରେ ଗାଧୋଇ ଦେବା, କ୍ଷୀର ଭାତ ଖୁଆଇବା ଆଉ ରାତିରେ ଥାପୁଡ଼ାଇ ଥାପୁଡ଼ାଇ ଅଖାରେ ଶୁଆଇବାରେ ମୁ ଅଶେଷ ଆନନ୍ଦ ଉପଭୋଗ କରୁଥିଲି ।

x x x x

ସାନି ବଡ଼ ହେଲା ।

ହେଲେ, ତା’ର ପଛ ଗୋଡ଼ଟି ଛୋଟା ହୋଇଯାଇଥାଏ ।

ଚାରିଟାବେଳେ ସାନି ମୋ’ ସହିତ ଖେଳ ପଡ଼ିଆକୁ ଆସେ । ମୁଁ ବଲ୍‌ ଦୂରକୁ ଫିଙ୍ଗିଦେଲେ ସେ ଛୋଟେଇ ଛୋଟେଇ ଦଉଡ଼ିଯାଏ, ଆଉ ପାଟିରେ ବଲ୍‌ଟିକୁ ଧରି ଫେରି ଆସେ । ସବୁଠାରୁ ମଜା ଲାଗେ ତାର ତିନି ପାଦରେ ଦୌଡ଼ିବା ଦେଖିଲେ । ମୋ’ ବନ୍ଧୁମାନେ ମଧ୍ୟ ତା’ ସହିତ ବେଶ ଖେଳନ୍ତି । ଏଣୁ ସାନି ମୋ’ର ଏକ ଅନ୍ତରଙ୍ଗ ବନ୍ଧୁ ହୋଇଯାଇଥିଲା କହିଲେ ଚଳେ ।

x x x x

ସେଦିନ ବର୍ଷାରେ ତିନ୍ତି ତିନ୍ତି ଘରକୁ ଚାଲିଆସିଲି । ଆଉ ମୋ’ ଦେହ ଖରାପ ହେଲା । ଥଣ୍ଡା ଲାଗି ଜର ହେଲା । ମୁଁ ବିଛଣାରେ ଶୋଇରହିଲି । ଚାରିଟା ବେଳେ କିଏ କୁଆଡ଼େ ବୁଲିବାକୁ ଚାଲିଗଲେ । ମୁଁ କିନ୍ତୁ ଶୋଇ ରହିଲି । ଏକା ଏକା ବଡ଼ ବିରକ୍ତ ଲାଗିଲା ।

‘ସାନି, ସାନି’, ମୁଁ ଡାକିଲି ।

ସାନି ମୋ ଡାକ ଶୁଣି ଲାଞ୍ଜ ହଲାଇ ହଲାଇ ତା’ର ସେଇ ମଧୁର ତ୍ରିପାଦ ଭଙ୍ଗୀରେ ଦୋଳାୟିତ ଗତିରେ ମୋ’ ନିକଟକୁ ଆସି ମୋ ହାତରେ ଘଷିହେଲା । ମୁଁ ତାକୁ କହିଲି – ସାନି, ମୋତେ ଜର ହେଇଚି । ଆଜି ମୁଁ ଖେଳ ପଡ଼ିଆକୁ ଯିବିନି । ତୁ ଯା ବୁଲି ଆସିବୁ । ମୋ’ ସାଙ୍ଗମାନେ ତୋତେ ଖୋଜୁଥିବେ ।

ସାନି କିଛି ଜବାବ ଦେଲା ନାହିଁ । ଖାଲି ମୋ’ ହାତରେ ଆହୁରି ଜୋରରେ ଘଷିହେଲା । ତାପରେ ଧୀରେ ଧୀରେ ମୋ’ ଶାର୍ଟଟିକୁ ଦାନ୍ତରେ ଟାଣିବାକୁ ଲାଗିଲା । ମୁଁ ତା ଉଦ୍ଦ୍ୟେଶ ବୁଝିପାରିଲି । କହିଲି – ନାଇଁ, ସାନି, ମୋ’ ସୁନାଟା ପରା, ଏମିତି କ’ଣ ଅମାନିଆ ହୁଅନ୍ତି? ମୋତେ ଆଜି ଡାକନା । ମୁଁ ଯାଇପାରିବିନି ।

ସାନି ମୋ’ ଶାର୍ଟ ଛାଡ଼ିଦେଲା । ମୋ’ ହାତରେ ଆଉ ଘଷିହେଲା ନାହିଁ । ଚୁପ୍‌ଚାପ୍‌ ବସି ରହିଲା । ମୋତେ ଜୁଳୁଜୁଳୁ କରି ଅନେକ ସମୟ ସେ ଚାହିଁ ରହିଲା ।

ଚାହୁଁ ଚାହୁଁ ତା’ ଆଖି କୋଣରୁ କିଛି ତରଳ ପଦାର୍ଥ ବୋହିବାକୁ ଲାଗିଲା । ତା’ ଗାଲଟି କ୍ରମଶଃ ଓଦା ହେବାକୁ ବସିଲା । ସାନି କାନ୍ଦୁଥିଲା । ହଁ, ମୁଁ ସ୍ପଷ୍ଟ ଭାବେ ଦେଖି ପାରିଲି, ସାନି କାନ୍ଦୁଥିଲା ।

ବର୍ଷାରେ ଭିଜି ଜର ହେଲେ ହେଲେ କିମ୍ବା ଫୁଟବଲ ଖେଳି ଗୋଡ଼ ଖଣ୍ଡିଆ ହେଲେ, ପହିଲେ ବାପା ଦି’ ବିଧା କଷି ଦିଅନ୍ତି, ନହେଲେ ବଡ଼ ଭାଇ ଗାଳି ଦିଅନ୍ତି, ଆଉ ମା’ ବିଗିଡ଼ି ଯାଆନ୍ତି । ତା’ପରେ ଔଷଧ ଦିଆଯାଏ । ତାଗିଦ କରାଯାଏ ।

କିନ୍ତୁ ସେଦିନ ଜରରେ ବିଛଣାରେ ପଡ଼ି ରହି ଖେଳିବାକୁ ଯାଇ ପାରିଲି ନାହିଁ ବୋଲି ସାନି ଆଖିରେ ଲୁହ ଜମିଯିବା ମୋତେ ଆଚମ୍ବିତ କଲା ।

ମୋ’ ଶାରୀରିକ ଅସୁସ୍ଥତାରେ ସେ କୌଣସି ସାହାଯ୍ୟ କରିନଥିଲା, କରି ପାରିବି ନଥା’ନ୍ତା । ତଥାପି ତା’ ଆଖିର ଲୁହରେ କିଛି ଅଲୌକିକତା, କିଛି ଦୈବିକ ଥିଲା, ଯାହା ମୁଁ ବୁଝିବାକୁ ଚେଷ୍ଟା କରି ମଧ୍ୟ ବୁଝି ପାରିଲି ନାହିଁ ।

x x x x

ଆପଣ ବ୍ୟସ୍ତ ହୋଇ ଉଠିଲେଣି କି?
ଗୋଟାଏ ଛୋଟା, ଜାତି ଗୋତ୍ର ହୀନ ଦେଶୀ କୁକୁରଟାକୁ ନେଇ ଏତେ କଥା କାହିଁକି ମୁଁ ଲେଖୁଛି ବୋଲି ମୋତେ ତିରସ୍କାର କରୁଛନ୍ତି କି ? ଯଦି ଏତେବେଳ ଯାଏଁ ଧୈର୍ଯ୍ୟ ଧରିଛନ୍ତି, ଏଇ ଶେଷ କଥା କେଇଟି କ’ଣ ନଶୁଣି ଉଠି ଚାଲିଯିବେ?

ହଁ, କ’ଣ କହୁଥିଲି, ସେଦିନର ସେହି ସାନି ଆଖିରେ ଲୁହ କଥା । ସାନି ଆଖିର ଲୁହ ଖୁବ ସମ୍ଭବତଃ ଗଭୀର ପ୍ରେମର ଆତ୍ମ ପ୍ରକାଶ ଥିଲା ଏବଂ ପ୍ରେମ ଭଳି ଏକ ନିରାକାର ଭାବକୁ ସାକାର ଭାବେ ଦେଖି ମୋ’ ହୃଦୟରେ ଅନେକ ମଧୁର ସ୍ପନ୍ଦନ ଜାତ ହେଲା । ଫଳତଃ, ମୋ’ ମନଗହନରେ ସାନି ପାଇଁ ଅସଂଖ୍ୟ ସୁବାସିତ ଫୁଲ ଫୁଟିଉଠିଲା ।

ସାନି ବିନା ମୋତେ ସବୁ ଅନ୍ଧାର ଦିଶିଲା ।

ପଢ଼ିବାବେଳେ ସାନି ମୋ’ ଗୋଡ଼ ପାଖରେ ବସିଥିବ । ଖାଇବାବେଳେ ମୋ’ ଆଗରେ ଆଣ୍ଠୋଇ ପଡ଼ି ମୋତେ ଚାହିଁଥିବ । ସ୍କୁଲ ଗଲେ ସେ ମୋ’ ପଛେ ପଛେ ଛୋଟେଇ ଛୋଟେଇ ଆସିବ । କ୍ଲାସ୍‌ ଦୁଆର ମୁହଁରେ ଜଗି ବସିଥିବ । ପୁଣି ଖେଳିବାକୁ ଯିବ ମୋ’ରି ସହିତ ।

ଟିକିଏ ସମୟ ପାଇଲେ ମୁଁ ସାନିର ଆଖି ଦୁଇଟିକୁ ସମ୍ମୋହିତ ହୋଇ ଚାହିଁ ରହେ । ସେଇ ଆଖିରୁ ପ୍ରଥମେ ମୋ’ ପାଇଁ ସାନିର ଲୁହ ଝରିଥିଲା । ଆଉ କାହା ନଜରରେ ତାହା ମାମୁଲି ଲୁହ ହୋଇପାରେ କିନ୍ତୁ ମୋ’ ପାଇଁ ତାହା ଥିଲା ପ୍ରେମାମୃତ ।

ମୋ’ ପଢ଼ା ପଢ଼ିରେ ବେଶ ବ୍ୟାଘାତ ଜନ୍ମିଲା । ସାନିର ଆଖି ଦୁଇଟିକୁ ଚାହିଁ ରହିବାରେ ମୋ’ର ଅଧିକାଂଶ ସମୟ ବିତୁଥିଲା । କ୍ରମଶଃ ମୋ’ର ସମସ୍ତ ପୂର୍ବ ଚଞ୍ଚଳତା ଶିଥିଳ ହୋଇ ଆସିଲା । ସାନି ସହିତ ମୋ’ର ଏଭଳି ଅସ୍ୱାଭାବିକ ଘନିଷ୍ଠତାରେ ଘରେ ସମସ୍ତେ ବିବ୍ରତ ହୋଇ ଉଠିଲେ । ମୋତେ ଏଥିପାଇଁ ଅନେକ ଥର ଗାଳି ଶୁଣିବାକୁ ହେଲା, ମାଡ଼ ଖାଇବାକୁ ହେଲା । କିନ୍ତୁ ଅବସ୍ଥାରେ କିଛି ପରିବର୍ତ୍ତନ ଘଟିଲା ନାହିଁ ।

ପରିଶେଷରେ ଠିକ୍‌ ହେଲା ମୁଁ ମାମୁଁଙ୍କ ଘରେ ରହି ପଢ଼ିବି । ସାନିକୁ ସାଙ୍ଗରେ ନେବାପାଇଁ ମୁଁ ଭୀଷଣ କନ୍ଦାକଟା କଲି । କିନ୍ତୁ ମୋ’ ଅନୁରୋଧ କେହି ରଖିଲେ ନାହିଁ ।

ମାମୁଁ ଘରେ ଗୋଟାଏ ରାତି ରହିଛି କି ନାହିଁ, ସାନି କଥା ଭାରୀ ମନେ ପଡ଼ିଲା । ମୁଁ ଲୁଚିକରି ମାମୁଁ ଘରୁ ପଳାଇ ଆସିଲି ।

କିନ୍ତୁ ଏଇ ଗୋଟିଏ ଦିନର ବ୍ୟବଧାନରେ ଅନେକ କିଛି ଅଦଳ ବଦଳ ହୋଇ ଯାଇଥିଲା ।

ସାହିରେ ପହଞ୍ଚୁ ପହଞ୍ଚୁ ଗୋଟାଏ ଦୁଃସମ୍ବାଦ ଶୁଣି ମୋ’ ମୁଣ୍ଡ ଗୋଳମାଳ ହୋଇଗଲା । ସାନିକୁ ସେମାନେ ବିଷ ଦେଇ ଦେଇଛନ୍ତି ।

ମୁଁ ସେହି ପ୍ରଶସ୍ତ ସାହି ଦାଣ୍ଡରେ ‘ସାନି’ ‘ସାନି’ ବୋଲି ଚିତ୍କାର କରି ଧାଇଁବାକୁ ଲାଗିଲି ।

ଘରେ ପହଞ୍ଚି ଦେଖିଲି…ନା, ଘରେ ପହଞ୍ଚି ମୁଁ କିଛି ଦେଖି ପାରିଲି ନାହିଁ । ମୋତେ ସବୁ ଝାପ୍‌ସା ଝାପ୍‌ସା ଦେଖାଗଲା । ସାନି ପାଇଁ ମୁଁ ଅତି ସରାଗରେ ତିଆରି କରିଥିବା ଚାରି ବର୍ଷ ତଳର ସେଇ ପୁରୁଣା ପଟା ଭାଡ଼ିରେ ସେ ନଥିଲା । ମୁଁ ବାରି ପଟକୁ ଦୌଡ଼ିଲି । ସେଠି ଗୋଟାଏ ପିଜୁଳି ଗଛରେ ଗେଲି ବନ୍ଧା ହୋଇଥିଲା । ତା’ ଆଗରେ ଗୋଟାଏ ପ୍ଲାଷ୍ଟିକ୍‌ ପ୍ଲେଟ୍ ରେ କିଛି ଅଇଁଠା ଭାତ ଆଉ ମାଂସ ଖଣ୍ଡ ପଡ଼ିଥିଲା ।

ସାନିର ଆଖି ଡୋଳା ବୁଲି ଯାଉଥିଲା । ତା’ ପାଟିରୁ ଫେଣ ବୋହି ଆସୁଥିଲା । ଆଉ ସେ ବରଡ଼ା ପତ୍ର ଭଳି ଥର ଥର କମ୍ପୁଥିଲା । ମଝିରେ ମଝିରେ ଗଁ ଗଁ କରି ଯନ୍ତ୍ରଣା ଜର୍ଜରିତ ଚିତ୍କାର କରୁଥିଲା ।

‘ସାନି, ସାନି, ମୋ’ ସୁନା ସାନି’ ବୋଲି ଆକୁଳରେ ଡକା ପକାଇ ମୁଁ ତା’ ପାଖକୁ ଦୌଡ଼ିଥିଲି ।

ବାପା, ଭାଇ, ମା’ ମୋ’ ପଛରେ ଛୁଟିଆସିଲେ । କହିଲେ – ସାନିକୁ ବିଷ ଦିଆ ହେଇଚି । ତା’ ପାଖକୁ ଯା’ ନା କାମୁଡ଼ି ଦବ ।

ମୁଁ କିନ୍ତୁ ତୀର ବେଗରେ ସାନି ପାଖକୁ ଦୌଡ଼ିଗଲି । ‘ସାନିଲୋ’ ବୋଲି କୁଣ୍ଢାଇ ପକାଇଲା ବେଳେ ସେ ମୋ’ ହାତକୁ କାମୁଡ଼ି ଦେଲା ।

ସଙ୍ଗେ ସଙ୍ଗେ ମୋତେ ହସ୍ପିଟାଲକୁ ନିଆଗଲା । ଡାକ୍ତର କହିଲେ ମୋ’ ଆଙ୍ଗୁଳିରେ କୁଆଡ଼େ ସାନିର ବିଷ ଚାଲି ଆସିଛି । ପାଗଳା କୁକୁରର ବିଷାକ୍ତ ଦାନ୍ତ ମୋ’ ଆଙ୍ଗୁଳିକୁ କାମୁଡ଼ି ଦେଇଛି । ଅପରେସନ୍ କରି ମୋ’ ଆଙ୍ଗୁଳିଟିକୁ କାଟି ଦିଆଗଲା ।

ତିନି ଦିନ ପରେ ହସ୍ପିଟାଲରୁ ଫେରି ଦେଖିଲି ସାନିର ବେକରେ ଥିବା ଚେନ୍ ଟା ପିଜୁଳି ଗଛ ମୂଳରେ ସେମିତି ବନ୍ଧାହୋଇ ପଡ଼ିଛି – ହେଲେ ସାନି ନାହିଁ ।

ଯେଉଁ ପ୍ଲାଷ୍ଟିକ୍‌ ଥାଳିଟା ମୁଁ ତା’ ପାଇଁ କିଣିଦେଇଥିଲି, ସେଥିରେ ଅଇଁଠା ଲାଗିଛି – ହେଲେ ସାନି ନାହିଁ ।

ଢାବଲ ପଟାର ଛୋଟ ଘରଟା ସେମିତି ରହିଛି – ହେଲେ ସାନି ନାହିଁ ।

ପଡ଼ିଆ ଆଡ଼େ ଯାଇ ଦେଖି ଆସିଲି, ମୋ’ ବନ୍ଧୁମାନେ ଖେଳୁଛନ୍ତି । ପଡ଼ିଆ ଅଛି, ବଲ ଅଛି – ହେଲେ ସାନି ନାହିଁ ।

x x x x

ସେହି ଦିନଠାରୁ ମୁଁ ସମ୍ପୂର୍ଣ୍ଣ ଉଦାସ ହୋଇଗଲି । ମୋତେ ସବୁ ଫିକା ଫିକା ଲାଗିଲା ।

ମୋ’ର ଏ ଅବସ୍ଥା ଦେଖି ମା’ ବେଳେବେଳେ କାନ୍ଦେ । ବାପା, ଭାଇଙ୍କ ଆଖିରେ ଲୁହ ଆସେ । କିନ୍ତୁ ସେଦିନ ସାନି ଆଖିରେ ଯେଉଁ ଲୁହ ଥିଲା – ସେ ଲୁହ କ’ଣ ମୁଁ ଭୁଲିପାରିଲି?

ଆଃ, ଭାରୀ କଷ୍ଟ ହେଉଛି । ସାନି କାମୁଡ଼ାରେ କଟା ଯାଇଥିବା ଆଙ୍ଗୁଳି ମୂଳଟା ଭୀଷଣ ଯନ୍ତ୍ରଣା ଦେଉଛି । ଅପରେସନ୍ ହେବାର କେତେ ବର୍ଷ ହେଇଗଲାଣି । ତଥାପି ସେଇ ଆଙ୍ଗୁଳି ମୂଳଟା ଯେମିତି ଜଳି ପୋଡ଼ି ଯାଉଛି । ମୁଁ ଆଉ ଲେଖି ପାରୁନାହିଁ । ସାନି ବିଷୟରେ ଆପଣଙ୍କୁ ଅନେକ କଥା କହିବାର ଥିଲା । ମୁଁ ଜାଣେ, ଏବେ ବି ଆପଣଙ୍କ ଆଖିରେ ସନ୍ଦେହର ଆଲୁଅ ଚିକ ଚିକ କରୁଛି । ଆପଣ ଗୋଟିଏ ଶିକ୍ଷିତ ଯୁବକ ଏବଂ ଗୋଟିଏ ଛୋଟା କୁକୁର ମଧ୍ୟରେ ଥିବା ମହାନ ପ୍ରେମ ପ୍ରଦୀପର ଆଲୋକକୁ ଦେଖି ପାରୁ ନାହାନ୍ତି । ଆପଣ ଆହୁରି ଦୃଷ୍ଟାନ୍ତ ଚାହୁଁଛନ୍ତି । ଆପଣ ଆହୁରି ପ୍ରମାଣ ଖୋଜୁଛନ୍ତି । କିନ୍ତୁ, ଆଃ ! ମୁଁ ଆଉ ବେଶୀ କିଛି ଲେଖି ପାରୁନାହିଁ । ମୁଁ ଯେତେ ଲେଖିଲେ ବି ଆପଣ ଏହି ମହାନ ପ୍ରେମ ସମ୍ବନ୍ଧ ସମ୍ପର୍କରେ ସଂଶୟୀ ହୋଇ ରହିଯିବେ । କାରଣ ଆପଣଙ୍କର ଦିବ୍ୟଦୃଷ୍ଟି ନାହିଁ !

— — —

(ବାର୍ଷିକ କଲେଜ ପ୍ରତିଯୋଗିତାରେ ଶ୍ରେଷ୍ଠ କ୍ଷୁଦ୍ର ଗଳ୍ପ ଭାବରେ ବିବେଚିତ ହୋଇ ଏହା ବ୍ରହ୍ମପୁର ଖଲ୍ଲିକୋଟ କଲେଜ ମେଗାଜିନ ୧୯୮୨ ରେ ପ୍ରକାଶିତ ହୋଇଥିଲା।)

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top