ବୟସ ସାଥିରେ ଦୁନିଆରେ ବହୁତ କିଛି ବଦଳି ଯାଏ । ସମୟ ବଦଳେ, ଲୋକେ ବଦଳନ୍ତି, ଆଉ ଆଖ ପାଖର ଦୃଶ୍ୟ ବି ବଦଳି ଯାଏ । ସମୟ ସାଥିରେ ଆମ ଚାରି ପାଖେ ବହୁତ କିଛି ବଦଳି ଗଲା, ଆଜି ଆମ ସହର ଆଉ ଆଗ ପରି ଆଉ ଏନ୍ ଏ ସି ହୋଇ ରହି ନାହିଁ, ସେଇଟା ଏବେ ମ୍ୟୁନିସିପାଲଟି ହୋଇ ଗଲାଣି । ଆମ ଗଳିର ରାସ୍ତାଟି ମରାମତି ପରେ ଏବେ ଆଉ ଉବଡ ଖାବଡ ଖଣ୍ଡିଆ ରାସ୍ତା ହୋଇ ନାହିଁ । ସହର ର ପ୍ରାୟ ସବୁ ରାସ୍ତା ଏବେ ସିମେଣ୍ଟେଡ, ଆଉ ମେନ ରୋଡ ସବୁ ଚିକ୍କଣ ପିଚୁ ସଡକ ହୋଇ ସାରିଛି । ରାସ୍ତା କଡ ନାଳରେ ଆଉ ପଚା ସଢା ପାଣି ଜମି ରହୁନି କି ଦୁର୍ଗନ୍ଧ ହେଉନି । କିନ୍ତୁ ଏଇ ଅଦଳ ବଦଳ ଭିତରେ ଆମ ସାଇ ସେ ମୁଣ୍ଡର କେତେ ଯୁଗରୁ ଯେଉଁ ପୁରୁଣା ବର ଗଛଟା ଥିଲା, ସେଇଟା ଏବେ ଆଧୁନିକ ସହରୀକରଣର ବଳି ପଡି ଗଲା, ମେନ ରୋଡ ଚଉଡ଼ା କରିବା ପାଇଁ ତାକୁ କାଟି ଦିଆଗଲା । ଆଉ ନାହିଁ । ତମର ମନେ ଥିବ, ସେଇ ଗଛ ମୂଳେ ରଘୁଆର ଛୋଟ ଚା ଦୋକାନ ଥିଲା, ତା ବରା ଆଉ ପିଆଜି ତୁମର ଭାରି ପସନ୍ଦ ଥିଲା, ସେଇଟି ବି ଏବେ ଆଉ ନାହିଁ । ତୁମର ମନେ ପଡୁଛି ? ବଜାରରୁ ଫେରିଲା ସମୟରେ ତାରି ଦୋକାନରୁ ଆମେ ବରା ଆଉ ପିଆଜି ନେଇକି ଆସୁ ଥିଲେ । ବଜାରର କେତେ ବଡ ବଡ ରେଷ୍ଟୁରାଣ୍ଟ ସବୁ ଥିଲା, ସବୁଠି ସଂଧ୍ୟା ସମୟରେ ବରା ଆଳୁଚପ୍ ପିଆଜି ଛଣା ହେଉଥିଲା, କିନ୍ତୁ ସେ ସବୁ ଅପେକ୍ଷା ରଘୁଆର ବରା ତୁମର ବହୁତ ପସନ୍ଦ ଥିଲା !
ରଘୁଆର ସେଇ ଚା ଦୋକାନଟା ଏବେ ବଦଳି ଯାଇଛି । ସେଇଠି ଆଉ ସକାଳ ସନ୍ଧ୍ୟାରେ ବରା ପିଆଜି ଛଣା ହେବାର ବାସ୍ନା ଆସୁନି, କି ରଘୁ ତାର କୋଚଟ ଆଣ୍ଠୁ ଲୁଚା ଧୋତି ପିନ୍ଧି, ଫୁଙ୍ଗୁଳା ଦେହରେ ଥନ୍ତଲ ପେଟକୁ ଦେଖେଇ ଗରମ ତେଲ କଡେଇରେ ବରା ଛାଣିବାର ଆଉ ଦିଶୁନି । ସେ ଏବେ ନାହିଁ, ବର୍ଷେ ହେଲା ମରି ଗଲାଣି । ସେ ମଲା ପରେ ତା ପିଲାମାନେ ସେଇଠି ଗୋଟାଏ ରେଷ୍ଟୁରାଣ୍ଟ ଖୋଲିଛନ୍ତି । ବହୁତ ଭଲ କୋଠା ଘରଟିଏ କରିଛନ୍ତି । ଆଗରେ କାଚ କବାଟ, ଭିତରେ ଏ.ସି ଲାଗିଛି । ତାଆରି ଭିତରେ ନୂଆ ଫର୍ଣ୍ଣିଚର, ଖୁବ୍ ସୁନ୍ଦର ସାଜ ସଜ୍ଜା ହୋଇଛି ଭିତରଟା । ସେଠାରେ ଆଉ ଟଙ୍କାରେ ଦୁଇଟା ବରା କିମ୍ବା ଆଠଣାର ଚା କପେ ମିଳୁନି । ସେ ଦୋକାନର ନାଁ ଏବେ ରଘୁଆ ଚା ଦୋକାନ ନୁହେଁ ସେଇଟା ଏବେ ‘ରଘୁନାଥ ଏ.ସି ଫାମିଲି ରେଷ୍ଟୁରାଣ୍ଟ’ ହୋଇ ଯାଇଛି । ସେଇଠି ମହଙ୍ଗା ବ୍ରେକ୍ଫାଷ୍ଟ୍, ଲଞ୍ଚ୍, ଡିନର ସବୁ ମିଳୁଛି । ସଂଧ୍ୟା ପରେ ପରେ ବହୁତ ଗାଡି ମଟର ଜମା ହୋଇ ଯାଏ ତା ଆଗରେ, ରାସ୍ତା ଜାମ ହୋଇ ଯାଉଛି । ବଡ ବଡ ପଇସାବାଲା, ବଡ ଅଫିସର, ବଡବଡିଆ ଯେତେକ ଆସୁଛନ୍ତି ଖାଇବା ପାଇଁ । ତା ଭିତରେ କୁଆଡେ ପିଆ ପିଇ କରିବାର ସୁବିଧା ବି ଅଛି ।
ଆଗ ପରି ସଂଧ୍ୟା ପରେ ରଘୁଆ ବରା ଦୋକାନ ଆଗରେ ଆଉ ଗପର ଆସର ଜମୁନି । ତୁମର ମନେ ଥିବ, ସଂଧ୍ୟା ହୋଇଗଲା ପରେ ରଘୁଆ ଚା ଦୋକାନରେ ଆମ ସାଇର ଆଉ ଆଖ ପାଖ ଇଲାକାର ଯେତେକ ବୁଢା ବୁଢା ରିଟାୟର୍ଡ ଲୋକ ହେଉ କି ଟୋକା ଟୋକଳିଆ ବାବୁମାନେ, ସବୁ ପ୍ରକାରର ଲୋକ ଜମା ହୋଇ ଯାଉଥିଲେ ସେଇଠି । ଚା କପେ କପେ ହାତରେ ଧରି କେତେ ଗପୁଥିଲେ ତାରି ଦୋକାନର ବେଞ୍ଚରେ ବସି ।
ସାଇ ପଡିଶା କଥା ଠାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ କିଏ ହାରିବ ତାର ପୂର୍ବାନୁମାନ ହେଉ, କି ଗାଆଁ ଗଣ୍ଡାରେ କଣ ହେଉଛି, ସହରରେ କଣ ହେଉଛି ସେ କଥା ହେଉ, ଅବା ସିନେମା ହିରୋ ହିରୋଇନଙ୍କ ଆଲୋଚନା କିବା ବଜାର ଦର କାହାର ଦାମ ବଢିଲା କାହାର କମ୍ ହେଲା, କୋଉ ଅଫିସର ଲାଞ୍ଚ ନେଉଥିବା ବେଳେ ଧରା ପଡିଲା ଅବା କୋଉ ମନ୍ତ୍ରୀ କେଉଁ ଦୁର୍ନୀତି କଲା କଥା ଅବା ଆଜି କାଲିର ଆଧୁନୀକ ଝିଅ ବୋହୁ ହେଉ କି କଲେଜ ପଢୁଆ ପୁଅଙ୍କ ଫେସନ, ଲମ୍ବା ବାଳ, ଲମ୍ବା କଲି ଅବା ବେଲ ବଟମ ପେଣ୍ଟ କଥା, ସବୁରି ଚର୍ଚ୍ଚା ଏଇଠି ଏଇ ରଘୁ ଚା ଦେକାନର ଭଙ୍ଗା ବେଞ୍ଚରେ ବସି ହୁଏ । ହସର ଫୁଆରା ଛୁଟେ ଏଠି, କେବେ ଦୁଃଖରେ ଆହା ଅବା ଚୁ ଚୁ କାର ବି ଶୁଭି ଯାଏ । ସେଇଠି ଏମିତି କେବେ କଥା କଟା କଟି ରାଗ ରୁଷା ଯେ ହୁଏନି ସେ କଥା ନୁହେଁ, ସବୁ ହୁଏ ଏଇଠି, ହେଲେ, ତା ପର ଦିନ ସଂଧ୍ୟାରେ ସମସ୍ତେ ଯେତେ ବେଳେ ଏକାଠି ହୁଅନ୍ତି କାହାର କିଛି ମନେ ନଥାଏ, କାଲି ସଂଧ୍ୟାରେ କୋଉ କଥାକୁ ନେଇ କଣ ଲଢେଇ ହୋଇଥିଲା ।
ସମସ୍ତେ ସମସ୍ତଙ୍କ ଦେହପା’ ଭଲ ମନ୍ଦ ଖବର ପଚାରି ବୁଝୁଥିଲେ । ସମସ୍ତେ ଯେମିତି ଆପଣାର ଥିଲେ, ଗୋଟିଏ ପରିବାରର ଥିଲେ । ସେଇଠି ପହଞ୍ଚି ଲାଗୁ ଥିଲା ସତେ ଯେମିତି, ଜୀବନର ସବୁ ଆନନ୍ଦ ଏଇ ବନ୍ଧୁମାନଙ୍କ ଗହଳରେ ହିଁ ମିଳୁଥିଲା । ପୁରୁଣା ଦିନ ମାନଙ୍କର କେତେ ଖଟା ମିଠା ଅନୁଭୂତି ସେଇଠି କହି ଶୁଣି ମନ ହାଲୁକା ହୋଇ ଯାଉଥିଲା । କ୍ଲବ ତ ନଥିଲା ଆଖ ପାଖରେ, କିନ୍ତୁ ରଘୁଆର ଚା ଦୋକାନରେ ଏଇ ଖଟି, କେଉଁ ଗୁଣରେ, କୋଉ କ୍ଲବ ଠାରୁ କିଛି କମ୍ ବି ନଥିଲା ।
ରାସ୍ତା କଡର ନୁଆଣିଆ ଚାଳିଆ ଟିଏ, ଆଗ ପଟକୁ ରଘୁର ଚୁଲି, ଚୁଲି ନୁହେଁ ତ ସେଇଟା ଗୋଟାଏ ଭାଟି । ଗୋଟେ ପଟ ଚୁଲିରେ ଚାହା ଫୁଟୁ ଥାଏ ତ ଆରଟିରେ ରଘୁଆର ବଡ ତେଲ କଡ଼େଇଟା ବସି ଥାଏ । ପଛ ପଟକୁ ବଖରାଏ ଘର, ସେଇଟା ତାର ଷ୍ଟୋର । ସାମ୍ନାରେ ପୁରୁଣା କାଠ ସେଲ୍ଫଟିଏ, ସେଇ ସେଲ୍ଫଟା ତା ଜେଜେ ଅମଳର ସେଲ୍ଫ, ତାର ସାମ୍ନା ପଟରେ କାଚର କବାଟ ଲାଗିଥିଲା । ସେଇ ସେଲ୍ଫ ଭିତରେ ଲଡୁ, ପେଡ଼ା, ରସଗୋଲା ଗୋଲାପ ଜାମୁନ ସବୁ ଗ୍ରାହକ ମାନଙ୍କୁ ଆକର୍ଷିତ କରିବାକୁ ନିଜର ସ୍ୱାଦିଷ୍ଟ ରୂପ ଦେଖେଇ ଉଙ୍କି ମାରୁଥିଲେ । ଛଅ ସାତଟା କାଠର ପୁରୁଣା ବେଞ୍ଚ । ବସିବାକୁ ଜାଗା ନ ମିଳିଲେ, ଠିଆ ଠିଆରେ ବି ଲୋକେ ବରା ଖାଉ ଥିଲେ, ଚା ପିଉଥିଲେ, ଚା ପିଉ ପିଉ ସାଙ୍ଗ ମାନଙ୍କ ସଙ୍ଗେ ଢେର ଗପୁ ଥିଲେ । ଟେବୁଲ ନଥିଲା ତା ଦୋକାନରେ । ଟେବୁଲର କଣ ବା ଦରକାର ଥିଲା ?
ରଘୁଆ ଶାଳ ପତରର ଠୋଲାରେ ବରା, ପିଆଜି କି ପକୁଡି ପରଶି ଦିଏ । ସକାଳ ଜଳଖିଆ ସାଙ୍ଗରେ ଘୁଗୁନି ଦିଏ, କିନ୍ତୁ ସଂଧ୍ୟାରେ ଘୁଗୁନି ମିଳେନା । ଖାଲି ବରାରେ କଳା ଲୁଣ ଟିକେ ଛିଞ୍ଚି ଦିଏ, ତା ସାଥିରେ ଛଣା ହୋଇଥିବା କଞ୍ଚାଲଙ୍କା ଦୁଇଟା । କିଏ ଯଦି ମାଗେ କଟା ପିଆଜ ଖଣ୍ଡେ ଦେଇ ଦିଏ ନ ହେଲେ ନାହିଁ । ଆଜି କାଲିକା ପରି ଫାଷ୍ଟଫୁଡ୍ କି, ଚିକେନ ରୋଲ ହେଉ ଅବା ପାଓଭାଜି, ମୋମୋସ ପରି ଖାଦ୍ୟ ସେତେ ବେଳ ସମୟରେ ତ ନଥିଲା । ଅତି ବେଶିରେ କଟକି ଚାଟ୍ବାଲାଟିଏ ରେଡି ଲଗଉ ଥିଲା ରଘୁଆ ଦୋକାନ ପାଖରୁ ଟିକିଏ ଦୂରରେ, ତା ପାଖରେ ଗୁପ୍ ଚୁପ୍ ବାଲା ଠିଆ ହେଉଥିଲା ।
ରଘୁଆର ଚା ଦୋକାନ ଖାଲି ବେପାର ପାଇଁ ନଥିଲା, ଖରା ଦିନେ ତୃଷାର୍ତ୍ତ ପଥଚାରୀ ମାନଙ୍କ ପାଇଁ ଜଳଛତ୍ର ବି ବନି ଯାଉଥିଲା ସେଇଟା । ପାଣି ଗ୍ଲାସେ ମାଗିଲେ କେବେ ମନା କରେନି ରଘୁ, ବରଂ କହେ ଜଳଦାନ ମହାପୂଣ୍ୟ । ଯଦିଓ ଜଳ ପାଇଁ ସେ ଅଧ ମାଇଲ ଦୂରରେ ଥିବା କୁଅ ଉପରେ ନିର୍ଭର କରୁଥିଲା, ସେଥି ପାଇଁ ସେ ଲୋକଟିଏ ବି ରଖିଥିଲା । ଯଦି କିଏ ପଚାରେ ଏଇ ପାଖରେ ବି ତ କୁଅ ଅଛି, ଏତେ ଦୂରରୁ କାହିଁକି ପାଣି ବୋହୁଛ ? ଟିକେ ହସି ଦେଇ ରଘୁ ସାହୁ କହେ, ପାଖରେ ଥିବା କୂଅର ପାଣି ଖାରା, ପିଇବାକୁ ଭଲ ଲାଗେନା । ଦୁଇ ପଇସା ବଞ୍ଚେଇବି ବୋଲି ଲୋକଙ୍କୁ କଣ ଖାରା ପାଣି ପିଇବାକୁ ଦେବି ? ପ୍ରଚଣ୍ଡ ଗ୍ରୀଷ୍ମ ରୁତୁରେ ତାର ଚା ଦୋକାନଟି ପଥିକ ମାନଙ୍କର ଆଶ୍ରୟସ୍ଥଳ ହୋଇ ଯାଉଥିଲା, ଶୋଷିଲା ପାଇଁ ଶୀତଳ ଜଳ ବି ମିଳି ଯାଉଥିଲା ତା ପାଖରେ, ବିନା ପାଉଣାରେ । ଦିନ ଦିପହରେ ଥକାହରା ପଥିକ ବି ଦୁଇ ଘଡି ସୁସ୍ଥେଇ ପଡୁ ଥିଲେ ତାରି ବେଞ୍ଚ ଉପରେ । ବର୍ଷା ଦିନେ ଆଖ ପାଖରେ ଏଇ ଗୋଟିକ ଆଶ୍ରୟସ୍ଥଳ ଥିଲା, ବର୍ଷା ପବନରୁ ଟିକିଏ ରକ୍ଷା ପାଇବାକୁ ଲୋକେ ତା ଚାଳିଆ ତଳେ ଠିଆ ହୋଇ ଯାଉଥିଲେ ।
କିନ୍ତୁ ଆଜି ସେ ସବୁ ଦୃଶ୍ୟ ବଦଳି ଯାଇଛି, ଉଜ୍ଜଳ ଆଲୋକରେ ଚମକୁ ଥିବା ବଡ ବଡ ଗ୍ଲୋସାଇନ ବୋର୍ଡ ଆଢୁଆଳରେ ମୁହଁ ଲୁଚାଇ ନେଇଛି ରଘୁଆର ଚା ଦୋକାନ ।
ସଂଧ୍ୟାର ସେଇ ଚାହା ଖଟି ଆସରରେ, ଚା’ର ଗ୍ଲାସ ନାହିଁ, ଗରମ ଗରମ ବରାର ମହକ ନାହିଁ । ବନ୍ଧୁ ମାନଙ୍କର ଗହଳ ଚହଳ ନାହିଁ । ଏବେ ସଞ୍ଜ ନଇଁ ଗଲା ପରେ ବନ୍ଦ କବାଟ ପଛରେ, ବିଦେଶୀ ସୁରାର ବୋତଲ ଖୋଲିବାର ଶବ୍ଦ ସହିତ ବେସୁରା ପିଆଲାର ଛନକ ଶୁଭି ଯାଏ । ଆସର ତ ସେଠି ବି ଜମୁଛି, ହେଲେ ସେ ଆସରରେ ଆତ୍ମୀୟତା ନାହିଁ, ସ୍ନେହ ସୌହାର୍ଦ୍ଦ୍ୟ ନାହିଁ, ଅଛି କେବଳ ବ୍ୟବସାୟିକତା, ଲାଭ କ୍ଷତିର ହିସାବ । କାହାର କେତେ ଅଛି ଦେଖେଇ ହେବାର ପ୍ରବୃତ୍ତି । ଏଇ ଆସରରେ ଦେବା ଠାରୁ ନେବାର ଆସକ୍ତି ଅଧିକ, ଲୋଭ ପ୍ରଲୋଭନର ଖେଳ ଚାଲେ ତା’ ଭିତରେ । ମନ ଖୋଲା ହସ ନାହିଁ, ସବୁ କିଛି ମାପ ଚୁପରେ ହୁଏ, କଥା ବି ହସ ବି । ଏଠି କିଏ ନିଟ୍ ପିଏ ତ କିଏ ସୋଡା ମିଶାଇ ପିଏ । କିନ୍ତୁ ମତଲବ, ନିଶା ହେବା ନୁହେଁ, ଅସଲ ଉଦ୍ଦେଶ୍ୟ ସାମ୍ନା ବାଲାକୁ ଜତେଇ ଦେବାକୁ କି ମୁଁ କେତେ ପାଣିରେ ଅଛି, ମୁଁ କେତେ ପାରିବାର । ଚିକେନ୍ ପକୋଡା କି ମଟନ ବିରିଆନୀର ମହକରେ ଗରମ ବରାର ମହକ ସତେ ମୁହଁ ଲୁଚେଇ ଚାଲି ଯାଇଛି, ଯେମିତି ଗାଆଁର ଅଭିଆଡି କୁଆରୀ କନିଆଁର ସାଧା ସିଧା ରୂପର ସୌମ୍ୟତା, ଆଡମ୍ବର ପୂର୍ଣ୍ଣ ଆଧୁନୀକା ମଡେଲର ରଙ୍ଗମଖା ବନାବଟି ମୁହଁ ଆଗରେ ଲାଜେଇ ଯାଇଛି ।
ଆଜି ମନ ଖୋଜୁଛି ସେଇ ହଜିଲା ଦିନ ମାନଙ୍କୁ, ସାଙ୍ଗ ସାଥୀ ମାନଙ୍କର ସେଇ ଖଟିର ମେଳକୁ । ସାଙ୍ଗମାନଙ୍କ ସାଥିରେ ଏକାଠି ହୋଇ ବସିବାର ଲାଳସା । ଦି’ପଦ ମନ ଖୋଲି କଥା ହେବାର ଲୋଭ, ଟିକିଏ ବେପରୁଆ ହସ ! ଯେଉଁଠି ଦେବା ନେବାର ହିସାବ ନଥିବ, ଖାଲି ଥିବ ହୃଦୟ ଖୋଲି ପ୍ରେମ ବାଣ୍ଟିବାର ଲୋଭ । ହେଲେ ସମୟ ସାଥିରେ ପାଦ ମିଳାଇ ଆମ ସହରରେ ବହୁତ କିଛି ବଦଳି ଯାଇଛି ।
ତୁମର ମନେ ଅଛି, ଯେତେ ବେଳେ ଆମର ବଜାର ହେଉ କି ସିନେମା ଯିବାର ପ୍ରୋଗ୍ରାମ ହୁଏ, ଦିନୁଆ ରିକ୍ସାବାଲାକୁ ସେଇ ଛକରୁ ଡାକି ଆଣେ, ଭାରି ଭଲ ପିଲାଟାଏ । ପିଲା ମାନଙ୍କୁ ବି ତ ସିଏ ସ୍କୁଲ ନବା ଆଣିବା କରୁଥିଲା । ବଡ ବିଶ୍ୱାସୀ ପିଲାଟା ଥିଲା । ସିନେମା ଗଲେ ସେ ନେଇକି ହଲରେ ଛାଡି ଦେଉ ଥିଲା, ସିନେମା ସରିଲା ପରେ ସେଇଠି ଅପକ୍ଷା କରିଥାଏ, ଆମକୁ ଆଣି ଘରେ ଛାଡିବା ପାଇଁ । ସଂଧ୍ୟା ବେଳେ ବଡ ବଜାର ଛକରେ କେତେ ଯେ ଭିଡ ହୁଏ ଏଇ ରିକ୍ସାବାଲାଙ୍କ ପାଇଁ, ଆଜି କାଲି ବଜାରରେ ରିକ୍ସା ଦେଖିବାକୁ ମିଳୁନି । ଏବେ ସବୁ ଅଟୋରିକ୍ସା ହୋଇ ଗଲାଣି, ଦିନୁଆ ବି ଅଟୋଟିଏ କିଣିଛି । ତାକୁ ଡାକିବାକୁ ହେଲେ ଆଉ ଖୋଜିବାକୁ ପଡୁନି । ତା ପାଖରେ ମୋବାଇଲ ଫୋନଟିଏ ଅଛି । ନମ୍ବର ଦେଇଛି ମୋତେ । କେବେ ହସପିଟାଲ ଯିବାକୁ ହେଲେ ତାକୁ ଫୋନ କରିଦିଏ । ଆଜି କାଲି ବାହାରକୁ ଆଉ ବେଶି ଯିବା ଆସିବା କରୁନି, ବୁଢା ହୋଇ ଗଲିଣି ନା । ପୁରୁଣା ବଜାଜ୍ ସ୍କୁଟରଟା ଏବେ ବି ଅଛି, କେବେ କେମିତି ବାହାରକୁ ଗଲେ ବାହାର କରୁଛି । ରାଜୁ କହୁଥିଲା, ବାପା ସେଇଟାକୁ ବିକ୍ରୀ କରିଦେବା, ସେଥିରେ ଆଉ କିଛି ଟଙ୍କା ମିଶେଇ ଗୋଟିଏ ନୁଆ ଇଲେକ୍ଟ୍ରିକ୍ ସ୍କୁଟି କିଣିବା । ସେ କହିଲା ଏ ପୁରୁଣା ଟୁ-ଷ୍ଟ୍ରୋକ ଇଂଜିନ୍ ବେଶି ତେଲ ପିଉଛି, ଏବେ ପେଟ୍ରୋଲ କେତେ ମହଙ୍ଗା ହୋଇ ଗଲାଣି, ସ୍କୁଟର ଅପେକ୍ଷା ସ୍କୁଟି ସବୁଠୁ ବଢିଆ । ଇଲେକ୍ଟ୍ରିକ୍ ସ୍କୁଟିରେ ତେଲ ବି ଦରକାର ନାହିଁ, ଦୁଇ ଘଣ୍ଟା ଚାର୍ଜ କରିଦେଲେ ଦୁଇ ଦିନ ଆରାମରେ ବୁଲୁ ଥାଅ !
ବଜାରରେ ଆଜି କାଲି ଆଉ ବାଜାଜ ସ୍କୁଟରଟିଏ ବି ଦେଖିବାକୁ ମିଳୁନି । ହେଲେ ମୁଁ ରାଜୁକୁ ମନା କରି ଦେଲି । ତୁମର ମନେ ଥିବ କି ନାହିଁ, ଏଇ ସ୍କୁଟର ପାଇଁ ଆମେ ଆଡଭାନ୍ସ ଟଙ୍କା ଜମା କରି ବୁକିଙ୍ଗ୍ କରିଥିଲେ, ସ୍କୁଟର ପାଇଁ କେତେ ଆଗ୍ରହରେ ଆମେ ଦୁଇ ବର୍ଷ କାଳ ଅପେକ୍ଷା କରିଥିଲେ । ତୁମେ ଘର ଖର୍ଚ୍ଚରୁ କାଟି କାଟି ସବୁ ମାସରେ କିଛି କିଛି ସେଭିଙ୍ଗ କରିଥିଲ ସ୍କୁଟର ପାଇଁ । ଶେଷରେ ଯେବେ ସ୍କୁଟର ମିଳିବ ବୋଲି ଚିଠି ଆସିଲା, ସେଦିନ ସଂଧ୍ୟାରେ, ସେଇ ଦିନୁଆ ରିକ୍ସାରେ ବସି ଆମେ ଦେବୀ ମନ୍ଦିର ଯାଇଥିଲେ । ତୁମେ କେଡେ ଗର୍ବରେ ଦିନୁଆକୁ କହିଥିଲ, ହେଇରେ ଦିନୁଆ, ଏବେ ଆମକୁ ଆଉ ତୋ ରିକ୍ସା ଦରକାର ପଡିବନି । ବାବୁଙ୍କର ସ୍କୁଟର ଆସିଯିବ ଆର ସପ୍ତାହରେ ।
ଦିନୁଆ ମନ ଦୁଃଖ କରି ଥିଲା ସେଦିନ, କହିଲା ଭଲ ହେଲା ମା, ହେଲେ ଏ ଦିନୁଆକୁ ଭୂଲି ଯିବନି । ଯେବେ ଦରକାର ପଡିବ ଡାକିବ, ମୁଁ ଆସିବି । ସ୍କୁଟର ସିନା ଆସିଗଲା, କିନ୍ତୁ ଦିନୁଆ ସବୁ ବେଳେ ଦରକାରରେ ଆସୁଥିଲା, ପିଲାଙ୍କ କାମରେ । ଝିଅର ହାଇସ୍କୁଲ ସରିବା ଯାଏ ଦିନୁଆ ନବା ଆଣିବା କରୁଥିଲା ତାକୁ ।
ହଁ ସ୍କୁଟର କଥା କହୁଥିଲି ନା । ତୁମର ମନେ ଥିବ ଯେଉଁ ଦିନ ସ୍କୁଟର ଆସିଲା କେତେ ଖୁସି ହୋଇ ଥିଲେ ଆମେ ସମସ୍ତେ । ଦେବୀ ମନ୍ଦିର ନେଇ ପୂଜା କରିଥିଲେ, ମାଳ ପିନ୍ଧେଇ, ସିନ୍ଦୁର ଲଗେଇ ନାଲି କନା ଖଣ୍ଡେ ତା ବେକରେ ଗୁଡେଇ ନୂଆବୋହୁ ପରି ସଜେଇ ହୋଇଥିଲା ସ୍କୁଟରଟା । ତୁମେ ବି ତ କମ୍ ଫୁଲେଇ ହୋଇ ନଥିଲ ସେଦିନ, ଭଲ ଶାଢୀ ଖଣ୍ଡେ ପିନ୍ଧି ନୂଆବୋହୁ ପରି ସଜେଇ ହୋଇଥିଲ । ସାଇ ପଡୋଶିଙ୍କୁ ଡାକି ହାକି ସମସ୍ତଙ୍କୁ ସ୍କୁଟର ଦେଖେଇ ଥିଲ ଲଡୁ ଖୋଇବା ବାହାନାରେ । ସ୍କୁଟରରେ ଆମେ ଚାରି ଜଣ, ଝିଅ ଆଗରେ ଠିଆ ହେଲା, ତୁମେ ପଛରେ ବସିଲ, ମଝିରେ ପୁଅ ଆଉ ମୁଁ ଡ୍ରାଇଭର ସିଟରେ । ସ୍କୁଟର ପାଇଁ ସାଇ ପଡିଶା ବନ୍ଧୁ ବାନ୍ଧବ ମାନଙ୍କ ଭିତରେ ଆମର ବହୁତ ଇଜ୍ଜତ ବଢି ଯାଇଥିଲା । ସେତେ ବେଳେ କେତେ ଜଣଙ୍କ ପାଖରେ ସ୍କୁଟର ଥିଲା ଯେ ? କିନ୍ତୁ ଏବେ ତ ସମସ୍ତଙ୍କ ପାଖରେ ମୋଟର ସାଇକେଲ ହୋଇ ଗଲାଣି । କେତେ ଜଣ କାର ବି କିଣି ସାରିଲଣି ।
କେତେ ସ୍ମୃତି ଯୋଡି ହୋଇ ରହିଛି ସେଇ ସ୍କୁଟର ସାଥିରେ । ଭଲରେ ମନ୍ଦରେ ସବୁ ବେଳେ କାମରେ ଆସିଛି । କୁଆଡେ ବୁଲି ଯିବାକୁ ହେଲେ ସ୍କୁଟର, ରାତି ଅଧରେ ଦେହପା ଖରାପ ହେଲେ ହସପିଟାଲ ଯିବା ପାଇଁ ସେଇ ସ୍କୁଟର । ରାଜୁ ବି ତ ସ୍କୁଟର ଚଲେଇବା ଏଇ ସ୍କୁଟରରେ ଶିଖିଚି । ଏବେ ରାଜୁ କାର କିଣିଲା ପରେ ସ୍କୁଟରଟା ତାକୁ ପୁରୁଣା କାଳିଆ ଲାଗୁଛି । ନହେଲେ ଏଇ ସ୍କୁଟରରେ ସାଙ୍ଗ ସାଥୀଙ୍କ ସାଙ୍ଗରେ କେତେ ବୁଲିଛି ସିଏ, କେବେ କେବେ ଦେଖେଇ ହେବାକୁ ବି କଲେଜ ନେଇକି ଯାଉ ଥିଲା ସ୍କୁଟରଟାକୁ ।
ଆଜି କାଲି ସ୍କୁଟର ନେଇ ରାସ୍ତାରେ ଯିବାକୁ ଡର ଲାଗୁଛି, ଛୋଟ ଛୋଟ ପିଲାଙ୍କ ହାତରେ ମୋଟର ସାଇକେଲ, ସ୍କୁଟି ଦେଇ ଦେଉଛନ୍ତି ମାଆ ବାପା ମାନେ । ଆଖି ବୁଜି ସାପ ପରି ବୁଲେଇ ବଙ୍କେଇ ଏମିତି ଜୋରରେ ଚଲଉଛନ୍ତି ଯେ ଆଖି ବୁଜି ହୋଇ ଯିବ । ସତେ ଯେମିତି ମୋଟର ସାଇକେଲ ରେସ ହେଉଛି, ଅବା ପଛରେ କେଉଁଠି ବୋମା ପଡିଛି । ଆମ ପିଲା ବେଳର କଥା ମନେ ପଡୁଚି, ସାମାନ୍ୟ ସାଇକେଲ ଦେବା ଆଗରୁ ବାପା କେତେ ଉପଦେଶ ଶୁଣେଇ ଯାଉଥିଲେ, ଧୀରେ ଚଲେଇବୁ, ବାଆଁ ଡାହାଣ ଦେଖିକି ବୁଲାଣି ବୁଲିବୁ, ଘଣ୍ଟି କେତେ ବେଳେ କେଉଁଠି ବଜେଇବୁ, ବ୍ରେକ୍ କେମିତି ମାରିବୁ, ଇତ୍ୟାଦି ଇତ୍ୟାଦି । ହେଲେ ଆଜି ପିଲାଙ୍କୁ କିଏ କହୁଛି ନା କିଏ ଦେଖୁଛି, ସେମାନେ ମୋଟର ସାଇକେଲ ନେଇ କୁଆଡେ ଯାଉଛନ୍ତି, କେମିତି ଚଲଉଛନ୍ତି । ଏସବୁ ଜାଣିବାକୁ, ଦେଖିବାକୁ ମାଆ ବାପାଙ୍କ ପାଖରେ ସମୟ କେତେ ବେଳେ ?
ପିଲାଙ୍କ ହାତରେ ସ୍କୁଟି କି କାର ଦେବା ପଛରେ ମାଆ ବାପାଙ୍କର ସ୍ନେହ ଶ୍ରଦ୍ଧା କଥା ତ ବୁଝି ହୁଏ, କିନ୍ତୁ ଯାହା ବୁଝି ହୁଏନା ସେଇଟା ହେଉଛି ସମାଜରେ ଦେଖେଇ ହେବାର ପ୍ରବୃତ୍ତି । ମୋର ଏତେ ପଇସା ଅଛି ବା ମୁଁ ମୋ ପିଲାଙ୍କ ପାଇଁ ଏତେ ବଡ ଗାଡି କିଣି ଦେଇଛି । କିନ୍ତୁ ସେମାନଙ୍କର ଏଇ ଦେଖେଇ ହେବାର ପ୍ରବୃତ୍ତି ସେମାନଙ୍କ ଅଜାଣତରେ ନିଜର ପିଲାମାନଙ୍କୁ ଯେ ମୃତ୍ୟୁ ମୁହଁକୁ ଟାଣି ନେଉଛି ଅବା ରାସ୍ତାରେ କେଉଁ ନୀରିହ ମଣିଷର ମୃତ୍ୟୁର କାରଣ ହୋଇ ଯାଉଛି, ସେ କଥାକୁ କେହି ଧ୍ୟାନ ଦିଅନ୍ତି ନାହିଁ ।
