କବିତା

ଚାଲ ବାବା ହେବା

Brundabana Das's odia poem Chaal Baba Heba

ବାବାଗିରି ଏକ ବୂଭି ପେସା ବ୍ୟବସାୟ
ମଠ, ମନ୍ଦିର, ଆଶ୍ରମ ଗୋଟେ ଗୋଟେ ପୁଣ୍ୟ-ପଣ୍ୟଶାଳା

ଚାଲ, ବାବା ହେବା ଈଶ୍ୱର ବନିବା
ନିଜ ଉଦ୍ଧାର ପାଇଁ
ବାଛି ବାଛି କଥା ଭେଳିକିର ସମ୍ମୋହନରେ
ଧୃଷ୍ଟ ଚାଲବାଜି ମିଛ ଅଲୌକିକତାରେ
ଅଫିମ ନିଶାରେ ମସ୍‌ଗୁଲ୍‌ ଦଳଙ୍କୁ ଅନ୍ଧ କରିଦେବା
ମନ୍ତ୍ରମୁଗ୍ଧ ଅନ୍ଧ ଅନୁରାଗ ଦର୍ଶନରେ
ସେତେବେଳକୁ ଲମ୍ବି ସାରିଥିବ
ଆମ କଳାକାରନାମାର ସାମ୍ରାଜ୍ୟ
ଦୈର୍ଘ୍ୟ ପ୍ରସ୍ଥରେ ଛୁଇଁ ସାରିଥିବ ଦିଗ୍‌ବିଦିକ୍‌
ଚାରିଆଡ଼ ।

ଆମେ ବୁଝିଛୁ ସେମାନଙ୍କୁ
ତାଙ୍କ ଆକୁଳ ଅସହାୟତା ଦୁର୍ବଳ ମାନସିକତା
ତାଙ୍କ ଦୁଃଖର ଗହୀର କେତେ
ନିଜ ଆୟତରେ ନଥିବ ।
ଘଟଣା ଦୁର୍ଘଟଣା ଆଶୁ ପଦପାତର ଆତଙ୍କରେ
ଏମିତି ଭୟ ଜର୍ଜରିତ ସେମାନେ
ନା’ ବୁଝିବେ ଆମ ଚଞ୍ଚଳତା ନା’ ପଚାରିବେ ପ୍ରଶ୍ନ
ଆମ ବାକ୍‌ ଚାତୁରୀ ପ୍ରଲୁବ୍ଧ ମାୟାରେ ହଜି
ନିଃସର୍ଭ ସମର୍ଥନରେ ସରଳ ଭକ୍ତି ବିଶ୍ୱାସରେ
ଆମକୁ ବସେଇଦେବେ ରତ୍ନଖଚିତ ଦିବ୍ୟ ସିଂହାସନେ
ପାଲଟି ଯିବା ରାତା ରାତି ମଣିଷରୁ ଭଗବାନ ।

ବାବାଗିରି ଏକ ବୂଭି ପେସା ବ୍ୟବସାୟ
ମଠ, ମନ୍ଦିର, ଆଶ୍ରମ ଗୋଟେ ଗୋଟେ ପୁଣ୍ୟ-ପଣ୍ୟଶାଳା
ବିନା ପୁଞ୍ଜ ସ୍ଵଳ୍ପ ପରିଶ୍ରମରେ ଭଲ ଉପାର୍ଜନ
ସମ୍ଭୋଗ ବିଳାସ ପ୍ରାଚୁର୍ଯ୍ୟର ସହଜ ଉପଲବ୍ଧତାରେ
ଫିକା ପଡ଼ିଯିବେ ତ୍ୟାଗ ପ୍ରେମ ବଳିଦାନର
ପ୍ରକୃତ ଈଶ୍ୱରଗଣ
ସାନ୍ନିଧ୍ୟ ନାଁ’ରେ ମେଣ୍ଟାଇବା ଆମେ
ଯୌନ ଜୀବନର ଅତିଶୟ କ୍ଷୁଧା ତୃଷ୍ଣା ।

ବୁଝେଇଦେବା
ସେଇ ଈଶ୍ଵର ଯିଏ ସାକ୍ଷାତ କହେ କଥା
ହାତ ବଢେଇ ଖାଏ ସୁମିଷ୍ଟ ବ୍ୟଞ୍ଜନ ଭୋଗ
ଛୁଏଁ, ଗେଲ କରେ କୋଳ କରେ
ଦୁଃଖ ହରେ ଧନ ଅଜାଡ଼େ ଏୀଶ୍ଵର୍ଯ୍ୟ ଦିଏ
ଆଶୀର୍ବଚନ ପ୍ରତିଶ୍ରୁତିରେ ପୋତି ପକାଏ
ଆଣ୍ଠୁଆ ଗୋପାଳ ସାଜି
ନିଭୃତ କକ୍ଷରେ ଅତି ଏକାନ୍ତରେ ମହା ଆହ୍ଲାଦରେ
ବାତ୍ସଲ୍ୟ ପ୍ରେମ ନିରୀହ ସମର୍ପଣରୁ
ଉନ୍ନତ ଛାତି ଦେଖି ସ୍ତନ୍ୟପାନ କରେ ।
ଦେଖେଇଦେବା ଇନ୍ଦ୍ରଜାଲ କୁହେଳିରେ
ହାତ ପାପୁଲିରୁ ଝରି ପଡୁଥିବ ବିଭୂତି
ବୋହି ପଡୁଥିବ ପଦରୁ ମକରନ୍ଦ
ସେ ମକରନ୍ଦ ପାନ କରି
ଝରି ତରଳିଯିବେ ଭକ୍ତଜନ ଛୁଟିବ ସୁଅ
ଭରିବ ଆମ ତହବିଲ
ମିଳିବ ସ୍ଵର୍ଗସୁଖ ସମର୍ପିତ ଅକାର୍ପଣ୍ୟରେ ।

ବୁଝାଇଲେ ବୁଝିବେନି ନିର୍ବୋଧ ଦଳ
ଅଜାଡ଼ି ଦେବେ ପ୍ରାପ୍ତିଠୁଁ ଅଧିକ
ଥୋଇଦେବେ ନେଇ ଆକାଶରେ
ବସେଇଦେବେ ମହାର୍ଘ ଆସନରେ
ବନିଯିବା ଆମେ ଈଶ୍ଵର ସାକ୍ଷାତ୍‌ ଭଗବାନ ।

ଆମେ ଜାଣିଛୁ ମିଛ ଦେବତ୍ଵର କରାମତି କେତେ
ଧୁଳିଆ ବାବାଠୁଁ ସାରଥି ଯାଏଁ ଭଣ୍ଡ କାରନାମାର
ଯେତେଯେତେ ଦୃଶ୍ୟ ଅଦୃଶ୍ୟ ଫନ୍ଦି ଫିକର
ସବୁ ପର୍ଦାଫାସ ସତ୍ତ୍ଵେ
ସେମାନେ ଫସିବେ ବାରମ୍ବାର
ଆମ ନୂଆ ରଙ୍ଗ ନୂଆ କାରସାଦିରେ
ଏ ସମ୍ପୂଦ୍ଧ କେଳେଙ୍କାରି ପଛରେ ଯେତିକି
ଦାୟୀ ନୁହେଁ ଆମ ସୁବ୍ୟବସ୍ଥିତ ଭଣ୍ଡାମି
ଦାୟୀ ବେଶି ସେମାନଙ୍କ ସହଜ ଗ୍ରହଣୀୟତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top