ଅଣୁଗଳ୍ପ

ଡାର୍କରୁମ୍

Biraja Routray's odia short story Darkroom

ଏହି ଷ୍ଟୁଡ଼ିଓକୁ ବିବାହ ଉଦ୍ଧେଶ୍ୟରେ ଫଟୋ ଉଠାଇବା ପାଇଁ ଆଗରୁ ଆସୁଥିବା ଝିଅମାନଙ୍କୁ ଆପଣ କେତେ ମନେ ରଖିଥିବେ କି ନା ରଖିଥିବେ ମୁଁ ଜାଣେନି ! ମୋ ନାଁ ତନ୍ଦ୍ରା ପରିଜା । ଘର ସାନମାଣିକପୁର ।

ସେ ଫେରୁଥିଲା ପୁରୁଣା ଠିକଣାର ଅବଶେଷ ଖୋଜି । ଯେଉଁଠି ସେ ଛାଡ଼ି ଆସିଛି ତା’ ସୁବର୍ଣ୍ଣ ଦିନର ଛବି । ଯାହା ଦିନେ ତା’ ହାତ ପାପୁଲିର ରେଖା ପରି ହାତ ମୁଠାର ପହଞ୍ଚ ଭିତରେ ଥିଲା । ଯେତେବେଳେ ସଦା ପ୍ରସନ୍ନ ଥିଲା ତା’ ଅପ୍ରକଟ ଭାଗ୍ୟ ଦେବତାର ମିଜାଜ୍ ।

ଆଜି ସେ ପ୍ରଗଳ୍ଭ ଯାଯାବର ପରି ସେହି ବିସ୍ମୃତ ଅତୀତର ଅଦୃଶ୍ୟ ସାନ୍ନିଧ୍ୟ ଟିକେ ଚାହୁଁଥିଲା । ବୋଧେ, ସେଇଠି ଲୁଚିଥିଲା ତା’ ଅବଶିଷ୍ଟ ଜୀବନର ଆଶ୍ୱାସନା ।

ପ୍ରାୟ ଦୁଇ ଦଶନ୍ଧି ପରେ ସେ ଫେରୁଥିଲା ତା’ର ପୁରୁଣା ଠିକଣାକୁ । ସେଠି ଆଉ ଠିକଣାର ଚିହ୍ନବର୍ଣ୍ଣ କିଛି ନଥିଲା । ରାସ୍ତାର ପ୍ରଶସ୍ତୀକରଣ ସହିତ କେବେଠୁ ଅସ୍ତିତ୍ୱ ହରାଇ ସାରିଥାଏ ସେଇ ଠିକଣା । ରାସ୍ତାର ଉଭୟ ପଟରେ ନୂଆ ନୂଆ କୋଠାଗୁଡ଼ିକ ସବୁ ମୁଣ୍ଡଟେକି ସାରିଥାଏ । ବଦଳି ସାରିଥାଏ ଏହି ଛୋଟ ସହରର ନକ୍ସା ।

ତା’ର ଆନମନା ପାଦ ହଠାତ୍ କିଛି ଚିହ୍ନା ଚିହ୍ନା ବାରି ଅଟକିଗଲା ରାସ୍ତାର ବାମପାଶ୍ୱର୍ରେ । ଯେଉଁଠି ଗୋଟିଏ ପୁରୁଣା କୋଠାର ଅସ୍ତିତ୍ୱ ନେଇ ଛିଡ଼ା ହୋଇ ରହିଥିଲା ଇଲେକ୍ଟ୍ରି ଅଫିସ୍ । ସେହି ଅଫିସ୍‌ର ପାଚେରିକୁ ଲାଗି ଗୋଟିଏ ରଙ୍ଗଛଡ଼ା କ୍ୟାବିନ୍ । ଆଉ ଟିକେ ନିଶ୍ଚିତ ହେବା ପାଇଁ ସେ କ୍ୟାବିନ୍ ନିକଟକୁ ଆସିଲା । ଦୋକାନୀ ମୁହଁକୁ ଚାହିଁ ଖଣ୍ଡେ ସିଗାରେଟ୍‌ ବରାଦ କଲା । ଆଗନ୍ତୁକ ଗରାଖର ମୁହଁକୁ କେଇ ମୁହୂର୍ତ୍ତ ନିରୀକ୍ଷଣ କରି ଦୋକାନୀ ଜଣକ ଆଶ୍ଚର୍ଯ୍ୟ ଚକିତ ହେବାପରି ପଚାରି ବସିଲା, “ଆରେ… ତମେ ସେହି ସନ୍ନ୍ୟାସୀ ଭାଇ ନୁହଁ ତ ! ହାଟ ଛକରେ ଯାହାର ଷ୍ଟୁଡ଼ିଓ ଥିଲା… ହଁ… କ’ଣ ତା’ ନାଁ ଥିଲା ତ, ହଁ… ମନେ ପଡ଼ିଲା… ଷ୍ଟୁଡ଼ିଓ ମଧୁଛନ୍ଦା । ”

ବିସ୍ମୟାଭିଭୂତ ହୋଇ ମୁଣ୍ଡ ହଲାଇ ହଁ ଭରିଲା ସନ୍ନ୍ୟାସୀ । ତା’ ଦୁଇ ନୈରାଶ୍ୟଭରା ଆଖିରେ ସହସା ଖେଳି ଉଠିଲା ଏକ ଅବ୍ୟକ୍ତ ଝଲକ । ତା’ ସହିତ ଓଠ ଧାରରେ ଫୁଟି ଉଠିଲା ଚେନାଏ ହସର ଚମକ ।

ସନ୍ନ୍ୟାସୀର ଆଖିରେ ଉକୁଟି ଆସୁଥିବା ବିସ୍ମୟ ଭାବରେ ବିରାମ ଦେଇ ଦୋକାନୀ ଜଣକ ପୁଣି କହି ବସିଲା, “ଜାଣିପାରୁଛ ନା ନାହିଁ ! ମୁଁ ସେହି ସୁଦାମ, ହାଟଛକ ନୀଳାଚଳ ବଜାରରେ ମୋର ପାନ ଦୋକାନଟେ ଥିଲା । ଯୋଉଟା କି ତମ ଷ୍ଟୁଡ଼ିଓର ଠିକ୍ ସାମ୍ନାରେ ହିଁ ଥିଲା । ମନେପଡୁଛି ନା ନାଇଁ…!”

ସହସା ସନ୍ନ୍ୟାସୀର ସ୍ମୃତିକୋଷରେ ଝଲକାଏ ଆଲୁଅ ବାଜି ଗୋଟିଏ ପୁରୁଣା ନେଗେଟିଭ୍ ଜୀବନ୍ତ ଛବି ପାଲଟି ନାଚି ଉଠିଲା । ତା’ ମନର ସାଇତା ପେଡ଼ି ଭିତରେ ଆଖି ପିଚ୍ଛୁଳାକେ ଘୂରି ଚାଲିଲା ସୁଦୂର ଅତୀତର କିଛି ସ୍ମୃତି ଓ କିଛି ବିସ୍ମୃତିର ଛାୟାଛବି । ତା’ ଭିତରୁ ଏଇ ସୁଦାମ ଓରଫ୍ ସଦାର ମୁହଁଟି ଥିଲା ଅନ୍ୟତମ ।

ଖୋଜି ହେଉଥିବା ସ୍ମୃତିର ଖିଅଟିଏ ପାଇବା ପରି ଖୁସିରେ ହୋଇଉଠିଲା ଅଧିର । ସଦାର ପ୍ରଶ୍ନର ଉତ୍ତରରେ ବଡ଼ ଜୋର୍‌ରେ ମୁଣ୍ଡ ହଲାଇ ଓଠର ଫାଙ୍କରେ ସିଗାରେଟ୍ ରଖି ନିଆଁ ଧରାଇଲା । ପଛକୁ ପଛ ପାଟି ଭିତରକୁ ଧୂଆଁକୁ ଟାଣି ପୁଣି ସେୟାକୁ ଖୋଲା ଆକାଶ ଆଡ଼େ ଫୁଙ୍କ୍ ପରେ ଫୁଙ୍କ୍ ଛାଡ଼ି ଚାଲିଲା । ଆଉ କ୍ରମଶଃ ସେହି କୁଣ୍ଡଳୀ କାଟି ଶୂନ୍ୟକୁ ଉଠୁଥିବା ଧୂଆଁ ଆଡ଼କୁ ଚାହିଁ ହଜିଗଲା ନିଜ ଭାବନା ରାଜ୍ୟରେ । ଯେଉଁ ରାଇଜରେ ସେ ଛାଡ଼ି ଆସିଥିଲା ତା’ ସ୍ମୃତିର ଫରୁଆ । ସେହି ଫିଟିପଡ଼ିଥିବା ଫରୁଆରୁ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ଅବତରିବାକୁ ଆରମ୍ଭ କଲା । ଏକ ପ୍ରକାରର ବିମୁଗ୍ଧ ଭାବନାରେ ଉଲ୍ଲସିତ ହୋଇ ସେ ଭାସି ଚାଲିଥାଏ ସେଇ ଲେଉଟା ସୁଅର ଧାରେ ଧାରେ ।

ତା’ର ଯେତେବେଳେ ଅଷ୍ଟମ ଶ୍ରେଣୀରେ ନାମଲେଖା ହୋଇଥିଲା, ବାପା ତାକୁ ସାଙ୍ଗରେ ଧରି ନେଇଥିଲେ ଟାଉନ୍ ହାଇସ୍କୁଲକୁ ନାମ ଲେଖାଇବା ପାଇଁ । ପ୍ରଥମଥର ପ୍ରଧାନ ଶିକ୍ଷକଙ୍କ କୋଠରିରେ ସେ ଦେଖିଥିଲା କାନ୍ଥରେ ଟଙ୍ଗା ହୋଇଥିବା ଭଳିକି ଭଳି ପିଲାଙ୍କର ଗ୍ରୁପ୍ ଫଟୋ । ବାପା ସେୟାଡ଼କୁ ଆଙ୍ଗୁଠି ବଢେ଼ଇ କାନରେ କହିଥିଲେ, “ହେଇ ଦେଖ୍… ତୁ ଯଦି ଏହି ପିଲାମାନଙ୍କ ପରି ମାଟ୍ରିକୁଲେସନ୍ ପାସ୍ କରିବୁ, ତା’ହେଲେ ତୋର ଗ୍ରୁପ୍ ଫଟୋ ବି ଏହି କୋଠରିରେ ଟଙ୍ଗା ହେବ । ”

ବାପାଙ୍କର ସେଦିନ ସେଇ କଥାରେ ଭଲ ପାଠ ପଢ଼ିବା ପାଇଁ କେତେ ଉତ୍ସାହ ଲାଗିଲା କି ନ ଲାଗିଲା, ତା’ ପାଇଁ ସେଇଟା ଥିଲା ଦୋସରା କଥା, ହେଲେ ଯେଉଁଟା ପ୍ରଥମେ ତାକୁ ଆକର୍ଷିତ କରିଥିଲା, ସେଇଟା ଥିଲା ସେଇସବୁ କାଚଫ୍ରେମ୍ ତଳେ ଫୁଟି ଉଠୁଥିବା ଭଳିକି ଭଳି ଜୀବନ୍ତ ମଣିଷମାନଙ୍କର କଳାଧଳା ଫଟୋ । କେମିତି ଓ କିପରି ଏତେ ଜୀବନ୍ତ ଫଟୋ ସବୁ ଉଠି ପାରୁଛି । ସେହି କୌତୁହଳତା ତା’କୁ ଆଚ୍ଛନ୍ନ କରି ରଖିଥିଲା ସେହିଦିନଠୁଁ ।

କହିବାକୁ ଗଲେ, ତା’ ମୁଣ୍ଡରେ ସବାର ହୋଇଥିଲା ଫଟୋର କିମିଆ । କେମିତି ଅବିକଳ ମଣିଷର ଚେହେରା କ୍ୟାମେରାରେ ବନ୍ଦ ହୋଇ କାଗଜରେ ଛାପିହୋଇ ଯାଉଛି, ସେହି ଅନୁସନ୍ଧିତ୍ସାର ଭଉଁରି ଭିତରେ ପୂରାପୂରି ବନ୍ଧା ପଡ଼ିଯାଇଥିଲା ତା’ ଅବୁଝା ମନ । ଯାହାକୁ ଆୟତ୍ତ କରିବା ବୋଧହୁଏ ଆଉ ତା’ ପକ୍ଷରେ ସମ୍ଭବ ନଥିଲା ।

ଚାହୁଁଥିଲା ସେହି ଯାଦୁକରୀ ଯନ୍ତ୍ର କ୍ୟାମେରାଟିକୁ ଶୀଘ୍ର ହାତ ପାହାନ୍ତାରେ ପାଇବା ପାଇଁ । ତାକୁ ହାତରେ ଧରି ଭଳିକି ଭଳି ଫଟୋସବୁ ଉଠେଇ ପକାନ୍ତା । ତା’ ଚାରିପାଖର ପ୍ରିୟ ମଣିଷମାନଙ୍କର ଫଟୋ ତୋଳି ସଜାଇ ରଖନ୍ତା କାନ୍ଥରେ, ଯେମିତି ସ୍କୁଲରେ ମନଲୋଭା ଫଟୋ ସବୁ ଟଙ୍ଗା ହୋଇଥିଲା ପ୍ରଧାନଶିକ୍ଷକଙ୍କ କୋଠରିରେ ।

କଳ୍ପନା ରାଜ୍ୟରେ ରହି ସେ ଭୂଲି ଯାଇଥିଲା ଯେ ସେ ଜଉରା ମୁରଲୀଧର ଦାସର ପୁଅ ବୋଲି । ଭୂଲି ଯାଇଥିଲା ତା’ ବାପା ହାଟକୁ ହାଟ ପାଳିକରି ବୁଲି ବୁଲି ବେତାକୁ ସାଇକେଲ ପଛରେ ବାନ୍ଧି ଚୁଡ଼ିକାଚ ବିକେ ବୋଲି । ଯେବେ ହାଟ ପାଳି ନ ଥାଏ ବାପା ଘର ପିଣ୍ଡାରେ ଡେ’ ଲାଇଟ୍ ପେଟ୍ରୋମାକ୍ସ ଭଡ଼ାରେ ଦିଏ । ମେଣ୍ଟଲକୁ ଜଳାଇବା ପାଇଁ ପମ୍ପ୍ ମାରି ମାରି ଧଇଁ ପେଲିହୁଏ । ସିଏ କାହୁଁ ବା ଟଙ୍କା ଗଣି ତାକୁ କିଣି ଆଣିଦେବ ସେହି ଅପୂର୍ବ ଚିଜ କ୍ୟାମେରା ।

ଖୁବ୍ ପିଲାବେଳୁ ତା’ର ହେତୁ ହେବାଦିନ ଠାରୁ ସେ ଦେଖି ଆସିଛି ଦାରିଦ୍ର୍ୟ ସହିତ ତା’ର ପରିବାରର ସଂଘର୍ଷକୁ । ଜାତିରେ ଜଉରା ହୋଇଥିବାରୁ ଜଉ ଶଙ୍ଖା ତିଆରି ତାଙ୍କ କୌଳିକ ବୃତ୍ତି ଥିଲା । ଜଉକୁ ତରଳା ଯାଇ ନରମ କରି ହାତରେ ବଳି ତା’ ପରେ ତାକୁ କୁନ୍ଦ ଭିତରେ ପୂରାଯାଏ । ତତ୍ପରେ ମାପ ଅନୁସାରେ ସେସବୁ ଆକାର ଦିଆଯାଏ । କପଡ଼ାରେ ଘଷି ପାଲିସ କଲାପରେ ନାଲି, ହଳଦୀ, ସବୁଜ ଓ କଳା ପ୍ରଭୃତି ରଙ୍ଗ ସେଥିରେ ଚଢ଼ାଯାଏ । ତାଙ୍କ ପରିବାରର ଏହି ଜଉ ଶଙ୍ଖା ତିଆରି ବୃତ୍ତିଟି କ୍ରମଶଃ ଠପ୍ ପଡ଼ିଯାଇଥିଲା, ଯେତେବେଳେ ଫିରୋଜାବାଦ୍‌ରୁ ଶସ୍ତା ସୁନ୍ଦର କାଚଚୂଡ଼ି ଆସି ପହଞ୍ଚିଗଲା ।

ସେ ଶୁଣିଛି କେମିତି ଜଉରା କାମ ଠପ୍ ପଡ଼ିଯିବାରୁ ପେଟପାଟଣା ପାଇଁ ଅନ୍ୟବାଟ ନପାଇ ତା’ ଜେଜ ଅରକ୍ଷିତ ଦାସ କେଇ ପଇସା ପାଇଁ କେବେ ଅଦାଲତ କୋଠି ତ କେବେ କଚେରି କୋଠିରେ ହାତଟଣା ପଙ୍ଖା ଟାଣୁଥିଲେ । ରୋଗରେ ପଡ଼ି ପ୍ରାଣବାୟୁ ଯିବା ପର୍ଯ୍ୟନ୍ତ ଦୁଇ ଓଳା ଔଷଧ ଯୋଗାଡ଼ିବାକୁ ସମ୍ବଳ ନଥିଲା ଘରେ ।

ଏ ସବୁକିଛି ସେ ବୋଉ ମୁହଁରୁ ପିଲାଦିନୁ ଶୁଣି ବଢ଼ିଛି । ଅତି ଛୋଟ ବେଳର ହୋଇଥିଲେ ବି ସ୍ମୃତିକୋଷରେ ଗାର କାଟିଲା ପରି ଅକ୍ଷତ ହୋଇ ରହିଯାଇଛି ନିଜ ପରିବାରର ଏ ଦୁର୍ଦ୍ଧିନଭରା କାହାଣୀ । ତଥାପି ସେ ସେଥିରୁ କିଛି ଆହରଣ କରି ବାସ୍ତବତାର ମାର୍ଗରେ ଅନ୍ଧପରି ଧାଇଁବାକୁ ଚାହିଁଲା ନାହିଁ । ଯେମିତି ଦାରୁଣ ବାସ୍ତବତା ସହ ଯୁଝି ହେଉଥିଲେ ତା’ ଜେଜ ଅରକ୍ଷିତ ଦାସ ଓ ବାପା ମୁରଲୀଧର ଦାସ । ଆଗକୁ କ’ଣ ହେବ ସେ ନେଇ ସେ ଥିଲା ପୂରା ବେଫିକର । ସେ ଧାଇଁବାକୁ ଚାହୁଁଥିଲା ଦେଖିଥିବା ସ୍ୱପ୍ନର ପଛେ ପଛେ । ସ୍ୱପ୍ନ ତା’ ପାଇଁ ପାଲଟି ଯାଇଥିଲା ଖଣ୍ଡିଉଡ଼ା ଦେଉଥିବା ପ୍ରଜାପତିର ଚିତ୍ରିତ ଡେଣା । ସେଇ ସ୍ୱପ୍ନ ତାକୁ ଏକ ଉଚ୍ଚାଟିତ ବର୍ଣ୍ଣାଢ଼୍ୟ ଦିଗନ୍ତ ପରି ହାତଠାରି ସମ୍ମୋହିତ କରୁଥିଲା । ବାସ୍… ସେ ଆଉକିଛି ବୁଝିଲା ନାହିଁ । ପାଦ ଥାପି ଦେଇଥିଲା ସେହି ଅଙ୍କାବଙ୍କା ବନ୍ଧୁର ପଥରେ ।

ଘରୁ ଲୁଚି ଚାଲି ଆସିବାର ସପ୍ତାହକ ପରେ ପୋଷ୍ଟକାର୍ଡ ଖଣ୍ଡେ ପଠାଇଥିଲା ଘରକୁ । ପଛପଟେ ଲେଖିଥିଲା ତା’ର ନୂଆ ଠିକଣା – ଷ୍ଟୁଡ଼ିଓ ସିନେ ସାଉଣ୍ଡ, ବକ୍ସିବଜାର, କଟକ । ଚିଠି ପାଇଲା ପରେ ଘରୁ ବାପା ଆସିଥିଲେ ତାକୁ ସାଙ୍ଗରେ ଧରି ନେଇଯିବା ପାଇଁ । ଅନେକ ବୁଝାସୁଝା କଲେ, ହେଲେ ସେ ତା’ ଜିଦ୍‌ରେ ଥିଲା ଅଟଳ । “ମୁଁ ଆଉ ସ୍କୁଲ୍‌କୁ ଯିବିନାହିଁ କି ପାଠ ପଢ଼ିବି ନାହିଁ । ଏଇଠି ରହି ଫଟୋ ଉଠାଇବା କାମ ଶିଖିବି । ”

ସେତେବେଳକୁ ବୟସ ତାକୁ ପନ୍ଦର କି ଷୋହଳ ହେବଣି । ପ୍ରଥମ ଥର ପାଇଁ ଘରୁ ପାଦ କାଢ଼ି ଏତେ ଦୂରବାଟ ଯାଏଁ କଟକ କେମିତି ଆସିଲା, ତାହା ସିଏ ଜାଣେ ! ତା’ର ସେହି ଯାତ୍ରା କୌଣସି ଦୁଃସାହାସିକ ଯାତ୍ରାଠାରୁ କିଛି କମ୍ ନଥିଲା । ପକେଟରେ ପଇସାଟିଏ ସୁଦ୍ଧା ନଥାଇ, ସେ ବାହାରି ପଡ଼ିଥିଲା କଟକ । ଘରୁ ସ୍କୁଲ୍‌କୁ ଯାଉଛି କହି ବାଟରେ ଦିଗ ବଦଳାଇ ନାଲିଗୋଡ଼ି ରାସ୍ତା ଧରି ମଟର ଷ୍ଟାଣ୍ଡ୍‌ ଅଭିମୁଖେ ଚାଲି ଆସିଥିଲା । ସେତେବେଳେ ମଟର ଷ୍ଟାଣ୍ଡ୍‌ କହିଲେ, ଦୁଇଟା ବଡ଼ ଚାକୁଣ୍ଡା ଗଛ ଛାଇ ତଳୁ ଯାତ୍ରା ଆରମ୍ଭ କରୁଥିଲା କଟକ ଚାନ୍ଦିନୀ ଚୌକ୍ ଯାଏଁ ଗୋଟିଏ ସରକାରୀ ନାଲି ବସ୍ ପୁଣି ଉତ୍ତୀର୍ଣ୍ଣ ସନ୍ଧ୍ୟାରେ ନାଲିଧୂଳି ଉଡ଼ାଇ ଫେରି ଆସୁଥିଲା ସେହି ଗଛ ମୂଳକୁ ।

ମଟର ଷ୍ଟାଣ୍ଡରେ ପହଞ୍ଚି ଆସି ଦେଖେ ତ ବସ୍ ଭିତରେ ଖୁନ୍ଦାଖୁନ୍ଦି ଯାତ୍ରୀ ସାଙ୍ଗକୁ ଛାତ ଉପରେ ବି ଲୋକ । ବୁଝୁ ବୁଝୁ ସେହି ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ କେଉଁ ଅପେରା ପାର୍ଟିର ସଦସ୍ୟ ବୃନ୍ଦ । ବାସ୍, ସେ ସାହସ ଜୁଟାଇ ଚଢ଼ିଯାଇଥିଲା ବସ୍‌ର ଛାତ ଉପରକୁ ଆଉ ସାମିଲ ହୋଇଯାଇଥିଲା ସେମାନଙ୍କ ସହ । ଏଣେ ମନ ଭିତରେ ଛନକା… ପକେଟରେ ପଇସାଟିଏ ସୁଦ୍ଧା ନାହିଁ । ଯଦି କଣ୍ଡକ୍ଟର ମାଗିବସେ, ତେବେ କ’ଣ ଅବା କରିବ…? ପୁଣି ଏ ଫଟୋ ବିଦ୍ୟା ଶିଖିବା ପାଇଁ ଯେଉଁ ଠିକଣାକୁ ଛୁଇଁବା ନିଶାରେ ଏତେ ବଡ଼ ଦୁଃସାହସ କରିଥିଲା ନାଁ ସେ ଆଗରୁ କେବେ ଦେଖିଥିଲା କି ଜାଣିଥିଲା ସେଇ ଠିକଣା ବିଷୟରେ ।

କଚେରି ଛକ ଫୁଟ୍‌ପାଥ୍ ନିକଟରେ ହରେକ୍‌ମାଲ୍‌ର ପସରା ମେଲାଇ ବସିଥିବା ଖଲିଲ ଚାଚା ପାଖରୁ ସେ ପାଇଥିଲା ଏହି ଠିକଣା । ସ୍କୁଲ୍‌ରୁ ଫେରିବା ବାଟରେ ଥରେ ତା ଉଠା ଦୋକାନରୁ ପ୍ଲାଷ୍ଟିକ୍ ତିଆରି କ୍ୟାମେରା ବିକ୍ରି ହେଉଥିବାର ଦେଖିବାକୁ ପାଇଥିଲା । ସେତିକିରେ ମନ ଲାଖିଯାଇଥିଲା ତା’ର । ଅତି କୌତୁହଳତାର ସହିତ ସେହି ପ୍ଲାଷ୍ଟିକ୍ ତିଆରି କ୍ୟାମେରାଟିକୁ ଧରି ପଚାରି ବସିଥିଲା, “ଏହି କ୍ୟାମେରାରେ ଚାଚା ମୁଁ କ’ଣ ସତ ସତିକା ଫଟୋ ଉଠାଇ ପାରିବି!” ଏକ ବିସ୍ମୟଭରା ଆବେଗ ଦେଇ ସେହି ଅପୂର୍ବ ଚିଜଟିକୁ ଆଗପଛ ଓ ତଳ ଉପର କରି ହାତରେ ବୁଲାଇ ବୁଲାଇ ତନଖି ଚାଲିଥାଏ । ଯାହା ଅନାୟାସରେ ଗରାଖଙ୍କ ଭିଡ଼ ସତ୍ତ୍ୱେ ବି ଖଲିଲ ଚାଚାର ଦୃଷ୍ଟିର ବଳୟରୁ ଲୁଚିପାରି ନଥିଲା । “ଆରେ… ବେଟା ତୁ ପାଠ ପଢ଼ିଛୁ ସିନା, ହେଲେ ତୋ ମୁଣ୍ଡରେ କିଛି ଅକଲ ନାହିଁ । ଯୋଉଟାକୁ ଧରିଛୁ ସେଇଟା ସତ କ୍ୟାମେରା ନୁହେଁ । ” ପାଖକୁ ଡାକି କହିଥିଲା ଖଲିଲ ଚାଚା । ତା’ର ଫଟୋ ଉଠାଇବାର ଆଗ୍ରହକୁ ଦେଖି ସେ ହିଁ ଜଣାଇଥିଲା ‘ଷ୍ଟୁଡ଼ିଓ ସିନେ ସାଉଣ୍ଡ’ କଟକର ଠିକଣା ।

ପ୍ରଥମେ କିଛି ବର୍ଷ ସେଠି ଆସିଷ୍ଟାଣ୍ଟ୍‌ ରୂପେ ରହି କାମ ଶିଖିଲା ପରେ ସେ ସେହି ଷ୍ଟୁଡ଼ିଓର କ୍ୟାମେରାମ୍ୟାନ୍ ଭାବରେ ଦୀର୍ଘ ଦଶବର୍ଷ ଯାଏଁ କାମର ଅଭିଜ୍ଞତାକୁ ଧରି ନିଜସ୍ୱ ଷ୍ଟୁଡ଼ିଓ ତିଆରି କରିବା ନିଶାରେ କଟକ ଛାଡ଼ି ଦେଇଥିଲା । ତାହା ଅଶୀ ଦଶକର କଥା । ଷ୍ଟୁଡ଼ିଓଟିଏ କରିବା ପାଇଁ ଶେଷରେ ଏହି ନୀଳାଚଳ ବଜାରକୁ ହିଁ ବାଛିଥିଲା । ଯେଉଁଠି କଟିଥିଲା ତା’ର ଦୀର୍ଘ କୋଡ଼ିଏ ବର୍ଷରୁ ଉଦ୍ଧ୍ୱର୍କାଳର ଉତ୍ଥାନ ଓ ପତନର ବୃତ୍ତିଗତ ଜୀବନ । ଯେଉଁ ଜୀବନ ସହ ଫେଣ୍ଟାଫେଣ୍ଟି ହୋଇ ମିଶି ରହିଥିଲା ତା’ର ରୁଚି ଓ ଅଭିଜ୍ଞତା, ତା’ର ଶ୍ରମ ସାର୍ଥକତା ଏବଂ ତା’ର କଳା ଓ କାରିଗରୀ ।

ସୁଦୂର ଅତୀତର ରୋମନ୍ଥନରେ ଏକ ପରିପୂର୍ଣ୍ଣତାର ଚମକ ଖେଳିଉଠୁଥାଏ ସନ୍ନ୍ୟାସୀର ମୁଖମଣ୍ଡଳରେ । ଯେପରି ଚୂନା ଚୂନା ଲହରୀ ସବୁ ସୂର୍ଯ୍ୟକିରଣର ପରଶ ପାଇ ଝଲସି ଉଠିଥାନ୍ତି, ସେହିପରି ଅବର୍ଣ୍ଣନୀୟ ପୁଲକରେ ଉଜ୍ଜ୍ୱଳି ଉଠୁଥାଏ ତା’ର ଦୁଇ ନିସ୍ତେଜ ଆଖି । ଯାହା ପୂରି ଉଠୁଥାଏ ହାଉଯାଉ ଚିତ୍ର ଓ ଚରିତ୍ରମାନଙ୍କ ପଦପାତରେ । ମନେ ପଡ଼ିଯାଉଥାଏ ଯାନିଯାତ୍ରା, ରଜ, କୁଆଁର ପୁନେଇଁ, ଗଣେଶ ପୂଜା, ସରସ୍ୱତୀ ପୂଜା ଆଦିରେ ତା’ ଷ୍ଟୁଡ଼ିଓରେ ଫଟୋ ଉଠାଇବାକୁ ନେଇ ଲାଗିରହିଥିବା ଗହଳି । ବିଶେଷ କରି ମାଟ୍ରିକ୍ ପରୀକ୍ଷା ଆଉ କଲେଜ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କର ପାସ୍‌ପୋର୍ଟ ଫଟୋ ପାଇଁ ଥିବା ଅସମ୍ଭବ ଚାହିଦା ପ୍ରତ୍ୟକ୍ଷ ଭାବରେ ତା’ ଷ୍ଟୁଡ଼ିଓକୁ ଭାଗ୍ୟଶାଳୀ କରିଦେଇଥିଲା ।

କହିବାକୁ ଗଲେ, ସେତେବେଳେ ସେହି ଛୋଟ ନୀଳାଚଳ ବଜାରଟି ମଧ୍ୟରେ ତା’ର ଏକମାତ୍ର ଷ୍ଟୁଡ଼ିଓ ଥିଲା । ପାଖରେ ସ୍କୁଲ, କଲେଜ ଓ ଅଫିସ୍ ପ୍ରଭୃତି ଅବସ୍ଥିତ ଥିବାରୁ ପ୍ରାୟ ଅଧିକାଂଶ ସମୟରେ ଗ୍ରାହକଙ୍କର ଚାହିଦା ଲାଗି ରହିଥାଏ । ସେଥିମଧ୍ୟରୁ ଅନେକ ଚିହ୍ନା ପୁଣି ଅନେକ ଅଚିହ୍ନା । ସେହି ଚିହ୍ନା ଅଚିହ୍ନା ମଣିଷମାନଙ୍କ ମଧ୍ୟରୁ ଗୋଟିଏ ମୁହଁ ଏବେ ବି ତା’ ସ୍ମୃତିପଟରେ ଫ୍ରେମ୍‌କରା ଫଟୋ କରି ଅକ୍ଷତ ହୋଇ ରହିଯାଇଛି । ଆଜି ପୁଣି ଥରେ ସେହି ମୁହଁଟି ଝଳି ଉଠିଲା ତା’ ଗତାୟୁ ସ୍ମୃତିର ସୁଡ଼ଙ୍ଗ ପଥରେ ।

ଉତ୍ତୀର୍ଣ୍ଣ ଦ୍ୱିପ୍ରହରର ସମୟ । ସେ ଷ୍ଟୁଡ଼ିଓର ସାମ୍ନାପଟ ସୋ’କେସ୍ ପାଖରେ ବସି ପଜେଟିଭ୍ ଫଟୋଗୁଡ଼ିକର ରିଟଚିଂ କାମରେ ମଗ୍ନ ଥାଏ । ଏହି ସମୟରେ ରିକ୍ସାଟିଏ ଆସି ବ୍ରେକ୍ କଷିଲା ଷ୍ଟୁଡ଼ିଓ ସାମ୍ନାରେ । ଅତି ସନ୍ତର୍ପଣତାର ସହିତ ଶାଢ଼ୀ ପିନ୍ଧିଥିବା ଝିଅଟିଏ ଓହ୍ଲାଇ ଆସିଲା । ଶ୍ୟାମଳ ରଙ୍ଗର ଚେହେରା ହେଲେ ବି ଗୋଟିଏ ନିଖାଦ୍ ଗଢ଼ଣ ବାରି ହୋଇପଡୁଥାଏ । କ୍ୟାମେରାର ଲେନ୍ସ ଫାଙ୍କରେ ଅସଂଖ୍ୟ ଚେହେରା ପରଖି ସାରିଥିବା ଅଭିଜ୍ଞ ଫଟୋଗ୍ରାଫର ସନ୍ନ୍ୟାସୀ ପାଇଁ ଏହି ଚେହେରାଟି ଥିଲା ଯେପରି ଭିନ୍ନ ଏକ ନୂତନତାରେ ଭରପୂର । ନିଆରା ସୌନ୍ଦର୍ଯ୍ୟରେ ଢଳମଳ ଏକ ଜୀବନ୍ତ ଚିତ୍ରପଟ ।

“କ’ଣ ଫଟୋ ଉଠାଇବାକୁ ଆସିଛ…?” ସନ୍ନ୍ୟାସୀ ପଚାରିଲା ।

ସହସା ଯୁବତୀଟି କିଛି ଉତ୍ତର ନ ଦେଇ ସୋ’କେସ୍‌ରେ ସଜା ହୋଇଥିବା ଫଟୋସବୁକୁ ନିରୀକ୍ଷଣ କରିବାକୁ ଲାଗିଲା । କିଛି ସମୟର ନିରବତା ପରେ ଖୁବ୍ କୁଣ୍ଠିତ ସ୍ୱରରେ ମୁହଁ ଫିଟାଇ କହିଲା – “ଘରେ ମୋର ବାହାଘର କରିବାକୁ ଚାହୁଁଛନ୍ତି । ସେଥିପାଇଁ ଭଲ ଫଟୋଟିଏ ଉଠାଇବା ପାଇଁ ଆସିଛି । ସାଙ୍ଗମାନଙ୍କୁ ପଚାରିବାରୁ ସେମାନେ ଆପଣଙ୍କର ଏହି ମଧୁଛନ୍ଦା ଷ୍ଟୁଡ଼ିଓ ନାଁ କହିଥିଲେ । ”

ସେହି ଉତ୍ତୀର୍ଣ୍ଣ ଦ୍ୱିପ୍ରହରର ମୁହୂର୍ତ୍ତସବୁ ସନ୍ନ୍ୟାସୀକୁ ମନେହେଉଥିଲା ଏକ ବହୁ ପ୍ରତୀକ୍ଷିତ ପରୀକ୍ଷାର ଘଡ଼ି ପରି । ଜୀବନରେ ଅଗଣିତ ଫଟୋ ଉଠାଇ ବହଳ ଅଭିଜ୍ଞତାକୁ ସାଉଁଟି ସାରିଥିବା ମଣିଷଟି କେଜାଣି କେମିତି ଦୁର୍ବଳ ହୋଇ ପଡ଼ିଥିଲା ସେହି ଚେହେରା ଆଗରେ । ତା’ ଷ୍ଟୁଡ଼ିଓରେ ଥାଏ ସେତେବେଳେ ଦୁଇଟି କ୍ୟାମେରା । ଗୋଟିଏ ରୋଲିଫ୍ଲେକ୍ସ ଆରଟି ୟାସିକା । ଦୁଇଟି ପରଦାରେ ଅଙ୍କା ସିନେରୀ । ଗୋଟିଏ ଫୁଲ ବଗିଚା । ଆରଟି ଏକ ସୁଦୃଶ୍ୟ ଡ୍ରଇଁ ରୁମ୍ । ସେ ଝିଅଟିକୁ ବିଭିନ୍ନ ଭଙ୍ଗୀରେ ବସାଇ ଷ୍ଟାଣ୍ଡ ଲାଇଟ୍‌କୁ ଏପଟ ସେପଟ କରି ଏହି ଦୁଇଟି ସିନେରୀକୁ ଅଦଳବଦଳ କରି ଉଠାଇଥିଲା କେତେଗୁଡ଼ିଏ ଫଟୋ । ଯେତେସବୁ ଟେକନିକ୍ ଆଉ କଳାକୌଶଳ ସବୁତକ ବ୍ୟବହାର କରିଥିଲା ଖୁବ୍ ଆଗ୍ରହର ସହିତ ।

ଝିଅଟି ମୁହଁରେ ଯଦିଚ ଫୁଟି ଉଠୁଥାଏ ସନ୍ତୋଷର ଭାବ । ତଥାପି ମନ ଭିତରେ ଉଙ୍କିମାରି ଆସୁଥିବା ସଂଶୟକୁ ନ ଲୁଚାଇ ସେ ମୁହଁଖୋଲି ପଚାରି ବସିଲା, “ଫଟୋସବୁ ଭଲ ଆସିବ ତ? ଏହି ଫଟୋ ଉପରେ ମୋ ବାହାଘର ହେବା ନ ହେବା ନିର୍ଭର କରେ । ”

“ଚେଷ୍ଟା ତ କରିଛି ଭଲ ଫଟୋ ଉଠାଇବା ପାଇଁ । ଭରସା ରଖ । ମୋ ଷ୍ଟୁଡ଼ିଓରୁ ଫଟୋ ଉଠାଇ କେହି ଅଖୁସି ହୋଇ ଫେରି ନାହିଁ । ” ଉତ୍ତର ରଖିଥିଲା ସନ୍ନ୍ୟାସୀ ।

– “ସେ ଭରସା ତ ମୋର ଅଛି । ନ ହେଲେ, ପନ୍ଦର ମାଇଲ ଦୂରରୁ ରିକ୍ସାରେ ଏଠିକି ଧାଇଁ ଆସି ନଥାନ୍ତି । ହଉ, କେତେ ଟଙ୍କା ଆଡ଼ଭାନ୍ସ ଦେବି କୁହନ୍ତୁ, ଆଉ କେବେ ଆସିବି ଫଟୋସବୁ ନେବା ପାଇଁ?”

ସେ ନିରବ ରହିଗଲା କିଛିକ୍ଷଣ ପାଇଁ । ଝିଅଟି ପୁଣି ଥରେ ତା’ର ପ୍ରଶ୍ନକୁ ଦୋହରାଇଲା ।

– ତମ ଠାରୁ ମୁଁ ଏବେ କିଛି ଆଡ଼ଭାନ୍ସ ରଖିବି ନାହିଁ । ଫଟୋସବୁ ଆଗେ ପ୍ରିଣ୍ଟ୍‌ ହେଉ, ତା’ ପରେ ଦେଖିବା ।

– ନାଇଁ… ସେମିତି କେମିତି ହବ ! ଯାହାବି ହେଲେ ଆପଣଙ୍କୁ ଆଡ଼ଭାନ୍ସ ରଖିବାକୁ ପଡ଼ିବ । ମୋ ପାଇଁ ଏତେସବୁ ପରିଶ୍ରମ ଯେ କରିଛନ୍ତି…

– ତମେ ଯୋଉ ଉଦ୍ଧେଶ୍ୟ ନେଇ ଫଟୋ ଉଠାଇବାକୁ ଆସିଛ, ତାହା ପୂରଣ ହେଲେ ମୋ ଶ୍ରମ ସାର୍ଥକ ହେବ । ଏବେ ଥାଉ । ଫଟୋ ନେଲାବେଳେ ଏକାଥରେ ପଇସା ଦବ ।

ସେଥିରେ ଏକପ୍ରକାର ରାଜି ହୋଇଯାଇଥିଲା ଝିଅଟି । ଠିକ୍ ସପ୍ତାହକ ପରେ ଆସି ପହଞ୍ଚିଥିଲା ନେବା ପାଇଁ । ଫଟୋଗୁଡ଼ିକୁ ଦେଖି ଖୁବ୍ ଖୁସି ହୋଇ କହିଥିଲା, “ବାଃ… ବଢ଼ିଆ ହୋଇଛି ଫଟୋସବୁ । ମୁଁ ଯେମିତି ଭାବିଥିଲି, ତାହାଠାରୁ ବି ଅଧିକ ଭଲ ହୋଇଛି । ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ । ”

– “ମୁଁ ତ ଫଟୋଗ୍ରାଫର । ଭଲ ଫଟୋ ଉଠାଇବା ମୋର କାମ । ମୋର ଶ୍ରମ ସେତେବେଳେ ସାର୍ଥକ ହେବ, ଯଦି ଏହି ଫଟୋ ଦେଖି ତୁମକୁ ଜଣେ ଯୋଗ୍ୟ ବରପାତ୍ର ଜୀବନସାଥୀ ରୂପେ ବରଣ କରିନିଏ ଆଉ ତୁମେ ଖୁସିରେ ରୁହ । ତମ ପୂର୍ବରୁ ବି ଏହି ଷ୍ଟୁଡ଼ିଓରେ ଫଟୋ ଉଠାଇ ଅନେକ ଝିଅ ସେମାନଙ୍କ ସଂସାର ଗଢ଼ିଛନ୍ତି । ସେତିକିରେ ମୋର ଆନନ୍ଦ… । ”

– “ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ । ଏଇ ସୁନ୍ଦର ଫଟୋ ପାଇଁ ଆପଣଙ୍କ ଷ୍ଟୁଡ଼ିଓକୁ ମୁଁ କେବେ ଭୁଲିପାରିବି ନାହିଁ… । ”

ଝିଅଟି ସାମାନ୍ୟ ଭାବପ୍ରବଣ ହୋଇ ନିଜର କୃତଜ୍ଞତା ପ୍ରକାଶ କରି ପୁଣି କହିଥିଲା, “ଏହି ଷ୍ଟୁଡ଼ିଓକୁ ବିବାହ ଉଦ୍ଧେଶ୍ୟରେ ଫଟୋ ଉଠାଇବା ପାଇଁ ଆଗରୁ ଆସୁଥିବା ଝିଅମାନଙ୍କୁ ଆପଣ କେତେ ମନେ ରଖିଥିବେ କି ନା ରଖିଥିବେ ମୁଁ ଜାଣେନି ! ମୋ ନାଁ ତନ୍ଦ୍ରା ପରିଜା । ଘର ସାନମାଣିକପୁର । ଏହି ନାଁ ଓ ଗାଁଟିକୁ ଯେମିତି ପାଶୋରି ନ ଯିବେ । ” କହି ଝିଅଟି ଟଙ୍କା ଦେଇ ତା’ର ଫଟୋଗୁଡ଼ିକ ଧରି ବାହାରି ଯାଇଥିଲା ।

ତା’ କଥାରେ କେଇକ୍ଷଣ ପାଇଁ ଚହଲି ଯାଇଥିଲା ସନ୍ନ୍ୟାସୀ । ଏକ ଭାବବତୁରା ଆଖିରେ ଚାହିଁ ରହିଥିଲା ତା’ର ଫେରିଯିବାର ବାଟକୁ । ଚାହୁଁ ଚାହୁଁ ଆଖି ଆଗରୁ ଧୀରେ ଧୀରେ ଅଦୃଶ୍ୟ ହୋଇଯାଇଥିଲା ତା’ର ରିକ୍ସା । ସେହି ଦୃଶ୍ୟରୁ ମୁହଁ ଫେରାଇଲା ପରେ ବି କେଉଁ ଏକ ଅଜଣା ଡୋର ସନ୍ନ୍ୟାସୀର ଛାତିରେ ଗୁରେଇ ହୋଇ ରହିଯାଇଥିଲା ଯେମିତି ।

ସମୟ କିନ୍ତୁ ଗଡ଼ି ଚାଲୁଥାଏ ତା’ର ଘଟଣ ବିଘଟଣର ନିରାସକ୍ତ ସ୍ରୋତରେ । ଦିନେ ହଠାତ୍ ବିସ୍ମିତ କଲାପରି ପୁଣି ଥରେ ତନ୍ଦ୍ରା ପରିଜାର ରିକ୍ସା ଆସି ଲାଗିଥିଲା ତା’ ଷ୍ଟୁଡ଼ିଓ ସମ୍ମୁଖରେ । ଏଥର ସେ ଉଭା ହୋଇଥିଲା ଏକ ନବବଧୂର ବେଶରେ । ବେଶ୍ ମାନୁଥିଲା ତା’ ଚେହେରାକୁ ଏହି ନୂଆ ରୂପ । ମୁହଁରେ ଲାବଣ୍ୟଭରା ଉଛୁଳା ହସ ଖେଳାଇ କହିଲା, “ମୋତେ ମନେ ରଖିଛନ୍ତି ନା ଭୁଲି ଗଲେଣି ଏହା ଭିତରେ!” ସନ୍ନ୍ୟାସୀ ଆଖି ଆଗରେ ଯେପରି ଏକ ବୃନ୍ତଯୁକ୍ତ ପ୍ରସ୍ଫୁଟିତ ପୁଷ୍ପ ପୂର୍ଣ୍ଣ ସୌନ୍ଦର୍ଯ୍ୟର ପରିପାଟୀରେ ଠିଆ ହୋଇଥାଏ । ସେ ଅଭିଭୂତ ହେବା ପରି ଅପଲକ ଆଖିରେ ଚାହିଁ ରହିଥାଏ ତନ୍ଦ୍ରା ଆଡ଼କୁ ।

ମୁହଁରେ କୌଣସି ପ୍ରତ୍ୟୁତ୍ତର ନଥାଏ । ସମୟ ଫଟୋ ଫ୍ରେମ୍‌ରେ ବନ୍ଧା ଏକ ସ୍ଥିର ଚିତ୍ର ପାଲଟି ସାରିଥାଏ କେତେବେଳେ ।

– “ଅନ୍ୟମନସ୍କ ରହିଗଲେ ନା କ’ଣ? ମୁଁ ସେହି ତନ୍ଦ୍ରା ପରିଜା । ଚିହ୍ନି ପାରୁଛନ୍ତି ତ ! କିଛିଦିନ ଆଗରୁ ଆପଣଙ୍କ ଷ୍ଟୁଡ଼ିଓରୁ ଫଟୋ ଉଠାଇଥିଲି । ”

– “ହଁ… ହଁ… । ଭଲକରି ଚିହ୍ନି ପାରୁଛି । ” ନିଜ ଆବିଷ୍ଟପଣରୁ ବାହାରି ଆସି ହସ ହସ ମୁହଁରେ ଉତ୍ତର ରଖିଥିଲା ସନ୍ନ୍ୟାସୀ ।

– “ମାତ୍ର ଦୁଇଦିନ ପାଇଁ ଘରକୁ ଆସିଥିଲି । କାଲି ସକାଳୁ ଶାଶୂଘରକୁ ପୁଣି ଫେରିଯିବି । ବେଳ ହେବନି ବୋଲି ଆଜି ସମୟ ବାହାର କରି ଚାଲି ଆସିଛି । ସାଙ୍ଗରେ ଆଣିଛି ଆପଣ ଉଠାଇଥିବା ଫଟୋସବୁର ନେଗେଟିଭ୍ । ମୋତେ ତ ସବୁ ଭଲ ଲାଗୁଛି । ଆପଣ ଯାହାକୁ ବାଛିବେ ସେଗୁଡ଼ିକୁ ଆଲବମ୍‌ରେ ସାଇତି ରଖିବା ପରି ବଡ଼ ସାଇଜ୍‌ର ପ୍ରିଣ୍ଟ୍‌ କରିଥିବେ । ମୁଁ ପୁଣି ଦଶହରାକୁ ଆସିଲେ ଆପଣଙ୍କ ଠାରୁ ନେଇଯିବି । ” ଟିକେ ରହି ପୁଣି କେଇପଦ ଯୋଡ଼ି ତନ୍ଦ୍ରା କହିଥିଲା, “ଏ ବର୍ଷ କାଳୀପୂଜା ଛୁଟିରେ ସିଏ ଗାଁକୁ ଆସିବେ । ଛୁଟି ସରିଲେ ମୋତେ ସାଙ୍ଗରେ କଲିକତା ନେଇଯିବେ ବୋଲି କହିଛନ୍ତି । ତାଙ୍କର ତ କମ୍ପାନୀ ଚାକିରି । ଅଧିକ ଦାୟିତ୍ୱ । ଗାଁକୁ ଆସିବାକୁ ଫୁରସତ୍ କାହିଁ ! ଥରେ ଗଲେ ଆଉ କେବେ ଆସିବା ନ ଆସିବାର ସୁଯୋଗ ମିଳିବ ସେ କଥା କିଏ ଜାଣେ ? ସେଥିପାଇଁ ଫଟୋଗୁଡ଼ିକୁ ବଡ଼ କରି ସାଙ୍ଗରେ ନେଇଯିବାକୁ ଚାହୁଁଛି । କିଛି ନ ହେଲେ ତ ଏହିସବୁ ବିବାହ ପୂର୍ବର ଫଟୋ ମୋ କୁଆଁରୀ ଜୀବନର ସ୍ମୃତି ହୋଇ ପାଖେ ପାଖେ ଥିବ । ” ଆଶା ଓ ଆବେଗର କମ୍ପନରେ ଭରି ରହିଥିଲା ତା’ର କଣ୍ଠ ସ୍ୱର ।

କିଛିଦିନ ପରେ ଏକ ଅଲଂଘନୀୟ ଘଟଣାକ୍ରମ ଅମାବାସ୍ୟାର ଅନ୍ଧକାର ପରି ନୀଳାଚଳ ବଜାରର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟିକରି ସାରିଥାଏ । ସଂଲଗ୍ନ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ବଜାର ଉଚ୍ଛେଦର ନିଷ୍ପତ୍ତି ସରକାର ନେଇ ସାରିଥାନ୍ତି । ସେହି ବଜାରକୁ ଆଶ୍ରୟ କରି ପେଟପାଟଣା କରୁଥିବା ବ୍ୟବସାୟୀମାନଙ୍କ ମୁଣ୍ଡରେ ଭାଳେଣି ପଡ଼ି ଯାଇଥିଲା । ସମସ୍ତଙ୍କ ଦାବି ଥିଲା, ଆଗେ ବଜାର ପାଇଁ ବିକଳ୍ପ ସ୍ଥାନ । ତା’ ପରେ ଯାଇ ଉଚ୍ଛେଦ । ଏଥିପାଇଁ ବଜାର କମିଟି ତାକୁ ହିଁ ନେତା ରୂପେ ବାଛିଥିଲେ । ଦାବି ହାସଲ ପାଇଁ ସବୁଦିନ କିଛି ବ୍ୟବସାୟୀ ଭାଇଙ୍କୁ ଧରି ସେ ତହସିଲ ସମ୍ମୁଖରେ ଧାରଣାରେ ବସି ରହୁଥିଲା । ସ୍ଥାନୀୟ ଖବରକାଗଜ ପ୍ରତିନିଧିମାନଙ୍କୁ ଡାକି ପ୍ରତିଦିନ ସେମାନଙ୍କ ଦାବିର ଯଥାର୍ଥତାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଥାଏ ।

ଭାଦ୍ରବ ମାସର ମଧ୍ୟାହ୍ନ ସମୟ । ଚିକ୍କଣ ଖରାର ଦାଉ ଅସହ୍ୟ କରି ଦେଉଥାଏ ପରିବେଶକୁ । ସେଥିରୁ ବର୍ତ୍ତିବା ପାଇଁ ସାମ୍ନାପଟ ପାଲରୁ ନିଜକୁ ଘୁଞ୍ଚାଇ ସାମିଆନାର ଛାଇ ତଳକୁ ଚାଲିଆସିଲା । ହାତରେ ଧରିଥିବା ଖବରକାଗଜ ଖଣ୍ଡକୁ ମୁହଁ ପାଖରେ ବୁଲାଇ ସେହି ଅଶ୍ୱସ୍ତିପଣରୁ ନିସ୍ତାର ପାଇଁ ଚେଷ୍ଟା କରୁଥାଏ । ଏତିକି ବେଳେ ହଠାତ୍ ତା’ର ଆଖି ଲାଖିହୋଇଗଲା ଆସି ଆକାଶର ବର୍ଣ୍ଣିଳ ଦୃଶ୍ୟପଟରେ । ଗାଢ଼ ନୀଳରଙ୍ଗ ମିଶି୍ରତ ଆକାଶ ଉପରେ ଚିତ୍ରିତ ଭସା ମେଘଖଣ୍ଡସବୁ ଏକାଠି ହୋଇ ଏକ ଲୋଭନୀୟ ଛବିର ଭ୍ରମ ସୃଷ୍ଟି କରୁଥିଲେ । ତା’ର ଫଟୋଗ୍ରାଫର୍‌ର ଆଖି ପଲ୍ଲବିତ ହୋଇ ଉଠୁଥାଏ ସେହି ଅପରୂପ ଶୋଭାରେ । ସେ ଅଭିଭୂତ ହୋଇ ଉଠୁଥାଏ । ଭିତରୁ ଯେପରି କିଏ କହୁଥାଏ, “ଆରେ… ବାଃ, ଏମିତିକା ସିନେରୀ ଯଦି ମୋ ଷ୍ଟୁଡ଼ିଓ କାନ୍ଥରେ ଶୋଭା ପାଆନ୍ତା, ତା’ ହେଲେ କେତେ ଚମତ୍କାର ଫଟୋସବୁ ସେ ଉଠାଉ ନଥାନ୍ତା !” ସହସା ତା’ ସ୍ମୃତିକୋଷରେ ଚେଉଁ ଉଠିଲା ତନ୍ଦ୍ରା ପରିଜାର ମୁହଁ । “ବେଶ୍ ମାନିଥାନ୍ତା ତା’ ସୁଢ଼ଳ ଚେହେରାକୁ ଏହି ମେଘବର୍ଣ୍ଣା ଆକାଶର ସିନେରୀ ! ଆହାଃ… କେଉଁ ଇନ୍ଦ୍ରଭୂବନର ପରୀ ପରି ତା’ ଅଫୁରନ୍ତ ରୂପ ଉକୁଟି ଆସିଥାନ୍ତା ଫଟୋରେ !” ସେହି ଦୃଶ୍ୟକୁ ଚାହିଁ ଭାବାତିଶଯ୍ୟରେ ସେ ଭାସି ଯାଉଥିଲା ଦୂରକୁ ଦୂରକୁ । ଧାରଣାସ୍ଥଳର ଘୋ’ ଘା’ ଭିତରେ ବେଶି ସମୟ ଯାଏଁ ତିଷ୍ଠି ପାରି ନ ଥିଲା ତା’ର ସେହି ମଧୁର କଳ୍ପନା ।

ଏଥର ସେ ହାତରେ ଧରିଥିବା ଖବରକାଗଜ ପୃଷ୍ଠାକୁ ଖୋଲି ପଢ଼ିବାରେ ମନ ଦେଲା । ହଠାତ୍ ତା’ର ଦୁଇ ଆଖି ବିସ୍ଫାରିତ ହୋଇ ଅଟକିଗଲା ଗୋଟିଏ ନିର୍ମମ ନିଷ୍ଠୁର ଖବରର ଶିରୋନାମା ନିକଟରେ । ଖବରଟି ଥିଲା – “ଯୌତୁକ ଜୁଇରେ ତନ୍ଦ୍ରା ପରିଜା” । ଅବିଶ୍ୱାସଭରା ଆଖିରେ ଥରକୁ ଥର ପଢ଼ି ଚାଲିଥାଏ ସେହି ଖବର । ଏକ ଶକ୍ତ ଦାରୁଣ ଆଘାତ ଯେପରି ତାକୁ ପୂରାପୂରି ବିଚଳିତ କରିଦେଇଥାଏ । କିଏ ଯେପରି ହରଣ କରି ନେଇଥାଏ ତା’ ଭିତରର ପ୍ରାଣଶକ୍ତି । ମୂକ ନିର୍ବେଦ ପ୍ରାୟ ସେ ବସି ରହିଥାଏ ସ୍ଥାଣୁବତ୍ ।

ଏହି ସମୟରେ ତହସିଲଦାରଙ୍କ ପିଆଦା ଆସି ପହଞ୍ଚି ଯାଇଥିଲା ଧାରଣାସ୍ଥଳ ନିକଟରେ । ସନ୍ନ୍ୟାସୀ ଆଡ଼କୁ ଚାହିଁ କହିଲା, “ଆସ, ହାକିମ ଡାକୁଛନ୍ତି । ବଜାର ଉଚ୍ଛେଦ ନେଇ ବିକଳ୍ପ ସ୍ଥାନ ସ୍ଥିର ହୋଇଛି । ସେହି ବିଷୟରେ କମିଟି ସହ ଆଲୋଚନା କରିବେ । ”

ସେହି ସୂଚନାଟି ଯେପରି ଘୋର ନିରାଶାଭରା ବାତାବରଣରେ ଆଶାର ନୂତନ ପ୍ରାଣ ସଞ୍ଚାର କରିଦେଇଥିଲା । ସହସା ଧାରଣାସ୍ଥଳରେ ଉପସ୍ଥିତ ଥିବା ସଭିଙ୍କ ମୁହଁରେ ଚେନାଏ ଚମକ ଖେଳିଉଠିଲା । ସମସ୍ତେ ଏକଲୟରେ ଚାହିଁ ରହିଥିଲେ ତା’ରି ଆଡ଼କୁ । ମାତ୍ର ସେ ଥିଲା ପ୍ରତିକ୍ରିୟା ଶୂନ୍ୟ । ବାତ୍ୟାରୂପ ନେଉଥିବା ଏକ ନିରବ ଝଡ଼ ପରି ବିକ୍ଷୁବ୍ଧ ଓ ଅଶାନ୍ତ । ଯେପରି ଏକ ଅଦୃଶ୍ୟ ଗଭୀର କ୍ଷତ ଭିତରେ ଭିତରେ ତା’ର ଚେତନାକୁ ସଂକ୍ରମଣ କରି ଦଗ୍ଧକରି ଚାଲିଥାଏ । ଏକ ଅପ୍ରକାଶ୍ୟ ଉଦଗ୍ର ଆତୁରତାରେ ଛଟପଟ କରି ପକାଉଥାଏ । ଉଦ୍ଭ୍ରାନ୍ତ ପ୍ରାୟ ସେ ଧାରଣାସ୍ଥଳ ଛାଡ଼ି ଏକମୁହାଁ ହୋଇ ଧାଇଁ ଚାଲିଲା ଷ୍ଟୁଡ଼ିଓ ଆଡ଼କୁ । ଡାର୍କରୁମ୍ ଭିତରକୁ ପଶି ଖୋଜି ଚାଲିଲା ତନ୍ଦ୍ରା ପରିଜା ଦେଇଥିବା ନେଗେଟିଭ୍‌ ସବୁକୁ । କିଛି ସମୟ ପରେ ହାତରେ କେଇଟା ନେଗେଟିଭ୍ ଧରି ଅଣନିଃଶ୍ୱାସୀ ହୋଇ ବାହାରି ଯାଇଥିଲା କେଉଁ ଆଡ଼କୁ । ଏକ ଅଣାୟତ୍ତ ଉଦ୍‌ବେଳନର ଗ୍ରାସରେ ଲୋପ ପାଇ ସାରିଥିଲା ତା’ର ଚିତ୍ତ ଓ ଚୈତନ୍ୟ ।

ଯେତେବେଳେ ସେ ନିଜକୁ ସ୍ୱାଭାବିକ ଅବସ୍ଥାରେ ଆବିଷ୍କାର କଲା, ସେ ଥିଲା କଟକ ବଡ଼ ଡାକ୍ତରଖାନାର ମାନସିକ ଚିକିତ୍ସା ୱାର୍ଡରେ । କିଛିମାସ ପରେ ସୁସ୍ଥ ହୋଇ ଘରକୁ ଫେରିଥିଲା ସତ, ଆଉ ଫେରିଯିବାକୁ ଚାହୁଁନଥିଲା ତା’ର ପୁରୁଣା ଠିକଣାକୁ । ଯେଉଁ ଠିକଣା ତା’ ପାଇଁ ପାଲଟି ସାରିଥିଲା ଡାର୍କରୁମ୍ ପରି ଏକ ଅନ୍ଧାରୀ ସ୍ମୃତିର ଆତଙ୍କ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top