ଅଣୁଗଳ୍ପ

ନଷ୍ଟ ଲବଙ୍ଗ

Priyadarshini Panda's odia short story Nashta Labanga

କେତେଦିନ ଆଉ ଏକା ଏକା ଚଳିବୁ ? ବାହା ହୋଇପଡୁନୁ । ବାମନାର ସର୍ବାଙ୍ଗରେ ଶିହରଣ ଖେଳିଗଲା । ଆଗ୍ରହରେ କହିଲା, “ ମୁଁ କ’ଣ କେବେ ମନା କରିଛି କିଲୋ ଲବଙ୍ଗ ? ତୁ… ତୁ..

ପୂର୍ବରୁ

ସେଦିନ ବାବୁଙ୍କ ଘରେ ଭାରି ପାଟିତୁଣ୍ଡ । ଲବଙ୍ଗ କାମ କରିବାକୁ ଗଲାବେଳକୁ ସାନବାବୁ ମୁହଁପୋତି ବସିଛନ୍ତି ଆଉ ବାବୁ ଓ ମା ଦୁହେଁ ମିଶି ତାଙ୍କୁ ଗାଳି ଦେଉଛନ୍ତି । କାବାହୋଇଗଲା ଲବଙ୍ଗ । ଗୋଟିଏ ବୋଲି ପୁଅ, ସେ ପୁଣି ଯୁଆନ ହେଲାଣି । ତାଙ୍କୁ କାହିଁକି ଏତେ ବକାବକି | ମା’ କହିଥାନ୍ତି, “ ଇଂଜିନିୟରଟେ ହେବୁ ବୋଲି ଭାବିଥିଲି, ହେଲେ ତୋର ତ ପାଠପଢ଼ାରେ ଜମାରୁ ମନ ନାହିଁ, ଦୁଇ ଦୁଇଥର ବି.ଏ. ଫେଲ୍‌ ହେଲୁଣି । କାହା ଆଗରେ ଏକଥା କହିବା ପାଇଁ ଲଜ୍ଜା ଲାଗୁଛି ।” ବାବୁ କହିଲେ, ଏଇ ଶେଷଥରକ ପାଇଁ ପରୀକ୍ଷାଟା ଦେଇଦେ । ଏଥର ଯଦି ଫେଲ୍‌ ହେବୁ ତା’ହେଲେ ପାଠପଢ଼ା ବନ୍ଦ | ଛି, ଛି କୁଳାଙ୍ଗାର, ମୂର୍ଖ ପୁଅ | ଦୁମ୍‌ ଦୁମ୍‌ କରି ସାନବାବୁ ତାଙ୍କ ଶୋଇବା ଘରକୁ ଚାଲିଗଲେ । ଲବଙ୍ଗର ମନଟା ଦୁଃଖରେ ଭରିଗଲା | କେମିତିକା ବାପ, ମା କେଜାଣି ? ପରୀକ୍ଷାରେ ଫେଲ୍‌ ହେଲେ ବୋଲି ସାନବାବୁଙ୍କୁ ବକୁଛନ୍ତି । ନ ହେଲା ନାଇଁ ଏବେ ପାଠ । ସାନବାବୁଙ୍କ ଏତିକି ବି.ଏ. ଫେଲ୍‌ ତ ଆମ ପଡ଼ାରେ କେହି ପଢ଼ିନାହାନ୍ତି । ଲବଙ୍ଗ ଅଳେଇଚ ପକାଇ ଭଲ ଚାହା ଟିକେ ତିଆରି କଲା | ଚା ନେଇ ସାନବାବୁଙ୍କ କବାଟ ବାଡ଼େଇ ଡାକିଲା, ହେଲେ ସାନବାବୁ କବାଟ ଖୋଲିଲେ ନାହିଁ । ଲବଙ୍ଗ ମଧ୍ୟ ସେ ଦିନସାରା କିଛି ଖାଇପାରିଲା ନାହିଁ । ତା ସାନବାବୁ ଓପାସ, ଭୋକରେ ଶୋଇଛନ୍ତି, ସେ କେମିତି ଖାଇବ ଯେ… । କେତେ ଦିଅଁ ଦେବତାଙ୍କୁ ଡାକିଲା | ମାନସିକ କରି କହିଲା, “ହେ, ଲିଙ୍ଗରାଜେ ମୋ ସାନବାବୁ ପରୀକ୍ଷାରେ ପାସ୍‌ କଲେ ତୋ ପାଖରେ ନଡ଼ିଆ ଭାଙ୍ଗିବି । ସେଦିନ ସନ୍ଧ୍ୟାବେଳକୁ ଦୁଇଟା ସିଙ୍ଗଡ଼ା ଆଣି ଦେଇଥିଲା ବାମନା | ଯେଉଁଦିନ ବାମନାର ମନ ଖୁସିଥିବ, କି ସେ ବେଶୀ ପଇସା ରୋଜଗାର କରିଥିବ, ସେଦିନ ଲବଙ୍ଗ ପାଇଁ ସିଙ୍ଗଡ଼ା ଆଣି ଦିଏ | ସେ ଜାଣେ ଲବଙ୍ଗ ସିଙ୍ଗଡା ଖାଇବାକୁ ଭଲପାଏ । ସିଙ୍ଗଡା ଦୁଇଟା ଲବଙ୍ଗ ହାତକୁ ବଢ଼ାଇ ଦେଉ ଦେଉ ବାମନା କହିଲା, ” କ’ଣ ହୋଇଛି କିଲୋ ଲବଙ୍ଗ ? ତୋ ମୁହଁ କାହିଁକି ଶୁଖିଯାଇଛି ?” ଲବଙ୍ଗ କଥା ବାଆଁରେଇଲା । କହିଲା, “ନାଇଁମ ଟିକେ ଥଣ୍ଡା ହୋଇଛି ତ, ମୁଣ୍ଡଟା ବଥଉଛି । ଅଦା, ଗୋଲମରିଚ ପକାଇ ନାଲି ଚା ଟିକେ ପିଇ ଦେଲେ ଭଲ ହୋଇ ଯିବ ଯେ ।” ବାମନା ଚାଲିଗଲା ପରେ ସିଙ୍ଗଡା ଦୁଇଟା ଜେଜିକୁ ଦେଇଦେଲା । ମନେ ମନେ ଭାବିଲା, ସାନବାବୁ ସିନା ପରୀକ୍ଷାରେ ପାସ୍‌ ହୋଇ ଚାକିରି କଲେ ବାହାଘର ହେବେ, ହେଲେ ସାନବାବୁ ଯଦି ପାସ୍‌ ନ କରନ୍ତି… କିଛି ନ ଖାଇ ଶୋଇଗଲା ଲବଙ୍ଗ | ଆଉ ସେ ରାତି କୌଣସି ମଧୁର ସପନ ଦେଖି ନ ଥିଲା ।

ତା’ ଆର ଦିନ କାମ କରିବାକୁ ଗଲା ବେଳକୁ ବାବୁଘରର ପରିସ୍ଥିତି ବଦଳି ଯାଇଥିଲା । ଶାନ୍ତିରେ ନିଃଶ୍ଵାସ ମାରିଲା ଲବଙ୍ଗ । ପୁଣି ସାନବାବୁ ପଢ଼ାପଢ଼ିରେ ଲାଗିଥିଲେ । ଲବଙ୍ଗ ମଧ୍ୟ ତା ଦିବାସ୍ଵପ୍ନରେ ହଜି ଯାଉଥିଲା । ହେଲେ ସାନବାବୁ ଦିନକୁ ଦିନ କାହିଁକି ଏମିତି ହେଉଛନ୍ତି ଯେ, ଲବଙ୍ଗ ବୁଝିପାରେ ନାହିଁ । ସକାଳୁ ବହିଖଣ୍ଡେ ଧରି ପଢ଼ାଘରେ ବସିଥିବେ, ଯେମିତି ମା ଓ ବାବୁ ଚାଲିଯିବେ, ପଞ୍ଝାକୁ ପଞ୍ଝା ସାଙ୍ଗ ଧରି ବସିଯିବେ ତାସ୍‌ କି କ୍ୟାରମ୍‌ ଖେଳିବାରେ । ଡାକ ଛାଡ଼ିବେ, ‘ ଲବଙ୍ଗ ରାଣୀ ଟିକେ ଚା କରି ଆଣିଲୁ ।” ନ ହେଲେ କହିବେ,“ ଗରମାଗରମ ପକୁଡ଼ି ଦିଟା ଛାଣି ଆଣିଲୁ” ଲବଙ୍ଗ ସବୁ କରି ଦିଏ | ପୁଣି ସାନବାବୁ ଲବଙ୍ଗକୁ ଡରାନ୍ତି, “ ଖବରଦାର ‌ ମମିଙ୍କ ଆଗରେ କିଛି କହିବୁ ନାହିଁ ।” ଲବଙ୍ଗକୁ ଏସବୁ କିଛି ଭଲ ଲାଗେନି, ତା ବୋଲି କ’ଣ ତା ସାନବାବୁ କଥା ସେ ମା’ଙ୍କ ଆଗରେ କହିଦେବ ? ହେଲେ ସାନବାବୁ କେମିତି ବୁଝୁନାହାନ୍ତି ଯେ, ପରୀକ୍ଷାରେ ସିନା ପାସ୍‌ କଲେ ଚାକିରି ଆଉ ତା’ପରେ ବାହାଘର…

ପଟି ଏବେ ବେଳ ଅବେଳରେ ବାମନା ପାଖକୁ ଆସୁଛି । ତା ବାସନ ପଡ଼ିଥିଲେ ମାଜି ଦେଉଛି । ଘର ବାହାର ଓଳାଇ ପକାଉଛି । ବାମନାକୁ ଦେଖିଲେ ତା ବଡ଼ ବଡ଼ ଦାନ୍ତକୁ ଆହୁରି ମେଲାଇ ହସୁଛି । ଛୋପରି ଟେ । ସେଦିନ ଲବଙ୍ଗର ହାତଟାକୁ ଧରି ପକାଇ କହିଲା, “ ଗୋଟେ କଥା କହିବିଲୋ ଲବଙ୍ଗ |” ଲବଙ୍ଗ ହସି ହସି କହିଲା, “କହୁନୁ, ଗୋଟେ କ’ଣ ପଣେ କହ।”

ତୁ ଟିକେ ମୋର ହୋଇ ବାମନାକୁ କହିବୁ । ସେ ଯଦି ରାଜି ହୁଅନ୍ତା ମୁଁ ତାକୁ ବାହା ହୁଅନ୍ତି ।

ହସି ହସି ଗଡି ଯାଇ ଯାଇ ଲବଙ୍ଗ କହିଲା, “ ମଲୁ ନାହିଁଲୋ ନିର୍ଲଜି | ଏଇ ଅଢେଇ ଫୁଟର ବାମନାକୁ ବାହା ହେବୁ ?

କ୍ଷତି କ’ଣ ? ତା ବୁଦ୍ଧି ତ ବହୁତ ଭଲ । ସେ ପଡାଟୋକାଙ୍କ ପରି ମଦ କି ଗଞ୍ଜେଇ ଖାଏନି । ରୋଜଗାର ତ କରୁଛି । ସୁଖରେ ରହିବା ପାଇଁ ରୂପର ବା କ’ଣ ଦରକାର ?

ତୁ ଯଦି ରାଜି ମୁଁ କିଆଁ ଆପତ୍ତି କରିବି । ହେଲେ ମୁଁ ଏଥର ତେତେ ଭାଉଜ ଡାକିବି ଲୋ ପଟି ।

ଲାଜେଇ ହସି ପଳାଇଲା ପଟି । ଲବଙ୍ଗ ମନେ ମନେ ଭାବିଲା, ବାମନା ତା’ର ବହୁତ ଉପକାର କରିଛି | ତା ବାହାଘରଟା ଯଦି ସେ ଠିକ୍‌ କରିଦିଏ, କ୍ଷତି କ’ଣ ?

ଦିନକୁ ଦିନ ବାବୁଙ୍କ ଘରେ ଅଶାନ୍ତି ବଢୁଛି । ଏଡେ ସୁନ୍ଦର ହସଖୁସିର ପରିବାରଟାରେ ସତେ ଯେମିତି କିଏ ନଜର ପକାଇ ଦେଇଛି । ବଡ଼ ବାବୁ ଏବେ ଆଉ ଆଗ ଭଳି ହସି ହସି କଥା କହୁନାହାନ୍ତି । ମା’ଙ୍କୁ ଗାଡ଼ିରେ ବସାଇ ବୁଲାଇ ନେଉ ନାହାନ୍ତି । ସବୁବେଳେ ଖବରକାଗଜ ଖଣ୍ଡେ ଧରି ଗୁମ୍ ହୋଇ ବସି ରହୁଛନ୍ତି । ଏବେ ମା’ ମଧ୍ୟ ବେଳ, ଅବେଳରେ ସାନବାବୁଙ୍କ ଉପରେ କଟ କଟ ହେଉଛନ୍ତି । ପଢ଼, ପଢ଼ ବୋଲି ସାନବାବୁଙ୍କୁ ଯେତେ କହୁଛନ୍ତି, ସାନବାବୁ ସେତିକି ସେତିକି ପଢ଼ାକତିରୁ ଦୂରେଇ ଯାଉଛନ୍ତି । ବୁଲି ବୁଲି କେତେ ରାତିକୁ ଘରକୁ ଫେରୁଛନ୍ତି । ଲବଙ୍ଗ ମନର ଦୁଃଖ ଆହୁରି ଅଧିକ ହୋଇଯାଏ । ମନେ ମନେ ଭାବେ, କେମିତି ଏ ସାନବାବୁ ବୁଝୁନାହାନ୍ତି, କେଜାଣି, ତୁମକୁ ତ ବହି ଖାତା, ସ୍କୁଟର ସବୁ ଦେଲେ । ମନ ଦେଇ କାହିଁକି ପାଠ ପଢ଼ିବନି ଯେ ? ପାଠ ପଢ଼ିଲେ ସିନା ଚାକିରି କରିବ ଆଉ ଚାକିରି କଲେ ସିନା ବାହାଘର ହେବ… । ଲବଙ୍ଗର ସବୁ ଆଶାର କୁସୁମ ଦରଫୁଟା ହୋଇ ରହିଯାଏ | ଆଉ ଲବଙ୍ଗକୁ ନେଲ୍‌ପଲିସ୍‌ ଲଗାଇବାକୁ ମନ ହୁଏନି କି ମୁଣ୍ଡରେ କ୍ଲିପ୍‌ମାରିବାକୁ ଇଚ୍ଛା ହୁଏନି । ଏବେ ମା’ ଲବଙ୍ଗକୁ ସାମାନ୍ୟ ଭୁଲ ପାଇଁ ଯା’ଛା ତା ଗାଳି ଦିଅନ୍ତି । ଲବଙ୍ଗ କିଛି ଜବାବ ଦିଏନି । ଲୁଚେଇ, ଲୁଚେଇ ଲୁହ ପୋଛେ । ମା’ଙ୍କ ମନର ସବୁ ଅଶାନ୍ତିର ମୂଳ କାରଣଟି ଯେ, ସେ ଜାଣିଛି | କେମିତି ରାଗ କରିବ ? ହେଲେ ସବୁ ରାଗ ତା’ର ଠୁଳ ହୋଇଯାଏ ସାନବାବୁଙ୍କ ଉପରେ । କେମିତି ମଣିଷ କେଜାଣି ? ଘରଟା ସାରା ଅଶାନ୍ତି ହେଉଛନ୍ତି, ମନ ଦେଇ ପାଠ ପଢ଼ନ୍ତେ ନାହିଁ । ଆଜି ଚା’ ଦେଲାବେଳେ ଆଚ୍ଛା କରି ଦୁଇପଦ ସାନବାବୁଙ୍କୁ ଶୁଣାଇ ଦେବ ବୋଲି ମନେ ମନେ ବିଚାର କରି ଗଲା ଲବଙ୍ଗ । ହେଲେ ସାନବାବୁ ତ ବହିଖଣ୍ଡେ ଧରି ବସିଛନ୍ତି । ତାଙ୍କର ଯଦି ପାଠ ନ ହେଉଛି, ସେଥିକି ଆଉ କ’ଣ କରିବେ ? ବାବୁଘରର ଏ ଅଶାନ୍ତି, ଦୁଃଖରେ ଲବଙ୍ଗ ଛଟପଟ ହୁଏ | କେମିତି ନ ହେବ । ସେ ଯେ, ତାଙ୍କ ଭିତରୁ ଜଣେ ।

ପଟି ଆସି କେତେଥର ପଚାରି ଗଲାଣି, “ବାମନାକୁ ପଚାରିଲୁ କି ? କେବେ ଆଉ କଥା ଛିଣ୍ଡାଇବୁ ?” କିଛି ଉତ୍ତର ଦେଇପାରେନା ଲବଙ୍ଗ । ନିଜ ଅଛିଣ୍ଡା ଦୁଃଖରେ ତ ସେ ଘାରି ହୋଇ ଯାଉଛି ଆଉ ପଟିକଥା ବୁଝିବ କ’ଣ ? ପଟି କହିଲା ” ଦେଖ ଆଜି ଯଦି କଥାବାର୍ତ୍ତା ନ କରିବୁ, ଆଉ ତୋ ଘରକୁ ଆସିବି ନାହିଁ ।” ହଉ କହି ଲବଙ୍ଗ ମୁଣ୍ଡ ଟୁଙ୍ଗାରିଲା ।

ସେଦିନ ରାତିରେ ବାମନାକୁ ରୁଟି ଦେଲାବେଳେ ଲବଙ୍ଗ କହିଲା, “ଗୋଟେ କଥା ତୋତେ କହିବାକୁ ଥିଲାରେ ବାମନା ।” ବମନା ଆଗ୍ରହରେ ବସି ପଡ଼ିଲା, କ’ଣ କହିବାକୁ ଅଛି କହୁନୁ ।”

କେତେଦିନ ଆଉ ଏକା ଏକା ଚଳିବୁ ? ବାହା ହୋଇପଡୁନୁ । ବାମନାର ସର୍ବାଙ୍ଗରେ ଶିହରଣ ଖେଳିଗଲା । ଆଗ୍ରହରେ କହିଲା, “ ମୁଁ କ’ଣ କେବେ ମନା କରିଛି କିଲୋ ଲବଙ୍ଗ ? ତୁ… ତୁ..

ଆରେ ନା-ନା- ମୁଁ କାହିଁକି ମନା କରିବି ? ପଟି ତ ରାଜି ଅଛି, ତୁ ବାହା ହୋଇ ଯା | କହିବୁ ତ କାଲିକୁ ପଟିକୁ ତୋ ସହିତ କଥା ହେବାପାଇଁ ଡାକିବି ।

ପଟି ନାଁ ଶୁଣୁ ଶୁଣୁ ସବୁ ସରାଗ ମଉଳିଗଲା ବାମନାର । ଛେପ ଢୋକି କହିଲା, “ନା, ଥାଉ ଏବେ ନୁହେଁ | କିଛିଦିନ ଯାଉ ଏବେ ଗ୍ୟାରେଜ୍‌ରେ ବେଶୀ କାମ ମିଳୁନି | ବଡ଼ ଅଭାବରେ ଚଳୁଛି । କହୁ କହୁ ଚାଲିଗଲା ବାମନା । ଲବଙ୍ଗ ତା ମନର କଥା ବୁଝି ପାରିଲା ନାହିଁ । ପଛଆଡୁ ବାମନାକୁ ଶୁଣାଇ ଶୁଣାଇ କହିଲା, “ ବାଡ଼ିପୋଡ଼ା କେତେବେଳେ, ହଁ, ହଁ କହୁଛି ତ କେତେବେଳେ ନା… ନା… | ସତେ ଯେମିତି ରାଜକୁମାରଟା । ୟାକୁ ସବୁ ଅନେଇ ବସିଛନ୍ତି ।”

ସାନବାବୁ ଏଥର ମଧ୍ୟ ପରୀକ୍ଷାରେ ଫେଲ୍‌ ହେଲେ । ଦୁଇ ଦିନ କାଳ ଘରେ ଚୂଲି ଲାଗିଲା ନାହିଁ । ଲବଙ୍ଗକୁ ମଧ୍ୟ ଘର ଓଳାଇବା ଛଡ଼ା ଆଉ କିଛି କାମ କରିବାକୁ ପଡ଼ିଲା ନାହିଁ । ସେ ଚା କରି, ସମସ୍ତଙ୍କୁ ନେଇ ଦିଏ । ହେଲେ କେହି ପିଅନ୍ତି ନାହିଁ । ସେମିତି ସର ପଡ଼ି ରହେ । ଲବଙ୍ଗ ନିଜେ ମଧ୍ୟ ଚା’ ଟିକେ ପିଇ ପାରେନି । କେମିତି ପିଇବ ? ତାକୁ କ’ଣ ଆଉ ଦୁଃଖ ଲାଗୁନି ? ତା ଭାଗ୍ୟ ଡୋରି ଯେ ସାନବାବୁଙ୍କ ସହିତ ବନ୍ଧା । ସ୍ଵପ୍ନ ଆଉ ସତ୍ୟ ମଧ୍ୟରେ ଏତେ ଫରକ୍ କାହିଁକି ହୁଏ । କାହିଁକି ସାନବାବୁ ଗୋଟେ ଇଞ୍ଜିନିୟର ହୋଇଗଲେନି ? କ’ଣ ବା ଅଭାବ ଥିଲା ତାଙ୍କର ?

ସନ୍ଧ୍ୟାବେଳେ ମା’ଙ୍କ ବଡ ଭଉଣୀ ଆସି ପହଞ୍ଚିଲେ । ସମସ୍ତଙ୍କୁ ବୁଝାଇଲେ । ଗୋଟିଏ ବୋଲି ତ ପୁଅ, ପାଠ ନ ପଢିଲେ ନାହିଁ । ସେଥିପାଇଁ ଏତେ ମନଦୁଃଖ କାହିଁକି ? ତୁମର କ’ଣ ଟଙ୍କା ଅଭାବ ଅଛି ? ସେ ବିଜନେସ୍ କରୁ ନ ହେଲେ କଣ୍ଟ୍ରାକ୍ଟ୍ରି କରୁ । ମାଉସୀ ନିଜେ ରୋଷେଇ କରି ସମସ୍ତଙ୍କୁ ଖୁଆଇଲେ । ତାଙ୍କ କଥା ସମସ୍ତଙ୍କ ମନକୁ ପାଇଗଲା କି କ’ଣ, ଘରର ସେ ପୂର୍ବ ଅବସ୍ଥା, ଆସ୍ତେ ଆସ୍ତେ ଫେରି ଆସିଲା । ସୃଷ୍ଟିର ନିୟମ ଏମିତି । ଯେତେ ଦୁଃଖ ଆସୁ, ସମୟ ତାକୁ ଭୁଲାଇ ଦିଏ । ମଣିଷ ପୁଣି ଝାଡ଼ିଝୁଡ଼ି ହୋଇ ବଞ୍ଚିବାର ନୂଆ ରାହାଟିଏ ବାହାର କରେ । ଲବଙ୍ଗର ମଧ୍ୟ ହଜିଯାଇଥିବା ସରାଗଟିକକ ଫେରି ଆସିଲା |

ସାନବାବୁଙ୍କ ମନକୁ କଣ୍ଟ୍ରାକ୍ଟ୍ରି କାମଟା ପାଇ ଯାଇଥିଲା ଓ ସେଥିପାଇଁ ସେ ଧାଁ ଦଉଡ଼ ଆରମ୍ଭ କରିଦେଇଥିଲେ । ଲବଙ୍ଗ ପୁଣି ଥରେ ସୁଖ ସ୍ଵପ୍ନରେ ଦିବା ସ୍ଵପ୍ନରେ ଭାସି ବୁଲୁଥିଲା । କଣ୍ଟ୍ରାକ୍ଟ୍ରି କାମଟା ଚାଲିଲେ, ସାନବାବୁ କିଛି ଟଙ୍କା ରୋଜଗାର କଲେ ବଳେ ବାହାଘର କଥା କହିବେନି କି, ନିଜକୁ ନିଜେ ବୁଝାଉଥିଲା |

ଏଣେ ଲବଙ୍ଗ ଜେଜିର ଦେହଟା ଜମାରୁ ଭଲ ରହୁନି । ସଚୁବେଳେ ଘର ଭିତରେ ଶୋଇ କୁନ୍ଥାଉଛି । ବାମନା କେତେ କୁଆଡୁ ଓଷଧ ପତ୍ର ଆଣିଦେଲାଣି । କିଛି କାଟୁ କରୁନି । ସମସ୍ତେ କହୁଛନ୍ତି, ଏସନ ବୁଢ଼ୀଟା ଚାଲିଯିବ । ଲବଙ୍ଗ ଭାବିପାରେନା । ଜେଜି ମରିଗଲେ ସେ ଏକା କେମିତି ରହିବ ? ଯେଉଁ ବାପା, ବୋଉ ତାକୁ ଏ ସଂସାରକୁ ଆଣିଥିଲେ, ସେମାନେ କେହି ତା ଚିନ୍ତା କଲେନି । ବାପଟା ତ ମଦ ପିଇ ପିଇ ମଲା । କେବେ ଭାବିଲା କି, କେମିତି ତା ବୁଢ଼ୀ ମା’ ଟା ଆଉ ଏକ ଦଶବର୍ଷର ଝିଅଟା ବଞ୍ଚିବେ । ଆଗେ, ଆଗେ ଲବଙ୍ଗ ତା ବୋଉକୁ ବହୁତ ସପୁଁ ଥିଲା । ହେଲେ ଏବେ ଭାବେ ବୋଉଟା ପଞ୍ଜାବୀ ଡ୍ରାଇଭର ସାଥୀରେ ପଳାଇ ଯାଇ ଭଲ କରିଛି । ଯାଉ ସୁଖରେ ଥାଉ । ସେ କାହିଁକି ଏଠି ରହିଥାନ୍ତା ? କେଉଁ ସୁଖ ଅବା ତା ବାପ ତାକୁ ଦେଇଥିଲା ? ଜେଜିର ଡାକରେ ଧ୍ୟାନ ଭଙ୍ଗ ହେଲା ଲବଙ୍ଗର । ତା ଜେଜି ମେଞ୍ଚେ ଓକାଳି ଦେଇ, “ ଲବଙ୍ଗକୁ ଡାକ ଛାଡୁଛି । ଲବଙ୍ଗ ଯାଇ ସେ ସବୁ ସଫା କଲା । ଶୁଖିଲା କନ୍ଥା ଖଣ୍ଡେ ପକାଇ ତା ଉପରେ ଜେଜିକୁ ଶୋଇ ଦେଲା । ଜେଜି ଲବଙ୍ଗର ମୁହଁକୁ ବଡ଼ ବଡ଼ ଆଖି କରି ଚାହିଁଲା । ଲବଙ୍ଗ ତା ପାଟିରେ ସାଗୁ ପାଣି ଟିକେ ଦେଲା ସେତକ ସାଙ୍ଗେ ସାଙ୍ଗେ ଓକାଳି ଦେଲା ଜେଜି । କ’ଣ କହିବାକୁ ଚେଷ୍ଟା କରି କହି ପାରିଲା ନାହିଁ । ନିସ୍ତେଜ ହୋଇ ଶୋଇ ପଡ଼ିଲା । ଲବଙ୍ଗ ଦଉଡ଼ି ଦଉଡ଼ି ବାମନା ପାଖକୁ ଯାଇ କହିଲା, “ ଆଜି କାମକୁ ଯା’ନାରେ ବାମନା । ଜେଜିର କାଳେ କ’ଣ ହେବ, ମୋତେ ଡର ମାଡୁଛି ।

କାମକୁ ନ ଗଲେ ଆଜି ଖାଇବି କ’ଣ?

ମୋ ପାଖରେ ପାଞ୍ଚଟା ଟଙ୍କା ଅଛି, ସେତକ ନେ, ସେଥିରେ କ’ଣ ଖାଇଦେବୁ । ହେଲେ ଆଜି ଜେଜି ପାଖରେ ଟିକେ ବ ।

ରାଜି ପଡିଲା ବାମନା । ସାରାଦିନ ଜେଜି ପାଖରେ ଜଗି ବସିଲା । ଲବଙ୍ଗ ମଧ୍ୟ ଆଜି କାମକୁ ଗଲା ନାହିଁ । ବାବୁଘରେ କାମ କରିବା ପାଇଁ ପଟିକୁ କୁହାବୋଲା କରି ପଠେଇଦେଲା ।

ସନ୍ଧ୍ୟାବେଳକୁତା ଜେଜିର ଅବସ୍ଥା ଆହୁରି ଖରାପ ହୋଇଗଲା । ସେ ଆଖି ତରାଟି ଦେଲା । ବହେ ଛାଟିପିଟି ହେଲା । ଲବଙ୍ଗ ତା ପାଟିରେ ତୁଳସୀ ପାଣି ଦେଲା । ଜେଜି ଅସହାୟ ଭାବରେ ଚାହିଁ ଲବଙ୍ଗ ମୁଣ୍ଡକୁ ଟିକେ ଆଉଁସି ଦେଲା । ସେତେବେଳକୁ ତା ପାଟି ପଡ଼ିଯାଇଥିଲା । ସେ କିଛି କହିପାରୁ ନ ଥାଏ ପରେ ପରେ ନିସ୍ତେଜ ହୋଇ ପାଟି ମେଲା କରି ପଡ଼ି ରହିଲା । ମୁଣ୍ଡଟି ଗୋଟିଏ କଡ଼କୁ ବଙ୍କିଗଲା । ବାମନା ହାଉଳି ଖାଇ କହିଲା, ଜେଜି ଆଉ ନାହିଁରେ । ଲବଙ୍ଗ । ଲବଙ୍ଗ କାନ୍ଦି କାନ୍ଦି ଜେଜି ଉପରେ
ଲୋଟି ପଡ଼ିଲା ।
.
ଲବଙ୍ଗର ବା କ’ଣ ସାମର୍ଥ୍ୟ ଅଛି ଯେ, ଜେଜିର ଶବ ଉଠାଇବ । ସୁଧକ୍ରିୟା କରିବ । ସକାଳୁ ସକାଳୁ ଖବର ଦେବାରୁ ମ୍ୟୁନିସିପାଲିଟି ଗାଡ଼ି ଆସି ଶବ ଉଠାଇ ନେଲା । ଲବଙ୍ଗ ବଡବାବୁଙ୍କଘରକୁ ଯାଇ, କନ୍ଦାକଟା କରି, ଦୁଇ ଶହ ଟଙ୍କା ଆଣି ବାମନା ହାତରେ ଧରାଇ ଦେଲା । ସେଇ ଟଙ୍କାରେ ସୁଧିକ୍ରିୟା ହେଲା । ପଡ଼ାର ପାଞ୍ଚଲୋକ ପତର ପକାଇ ଭାତ, ଡାଲମା ଖାଇଲେ ।

– ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top