କବିତା

ନାରୀ

Brundabana Das's odia poem Naaree

ଅନେକ ଆକାଶ ତଳେ
ସେ ଏକା ଏକା ଏକ ଅବୁଝା ସୂର୍ଯୋଦୟ
କୋମଳ ରଶ୍ମିରେ ବେଶ୍ କମନୀୟ
ତାକୁ କିନ୍ତୁ ଅପେକ୍ଷା କରିଥାଏ ମୋଟେ ସରୁନଥିବା
ନିଆଁ ଜରଜର ଏକ ଅବାଧ୍ଯ ସମୟ ।

ଯେଉଁଠି ଫୁଟୁ ବଗିଚାରେ କି ଅପନ୍ତରାରେ
ସେ ଫୁଲ
ମହକିବ ରୂପ ବିଞ୍ଚିବ
ତା’ ମହକକୁ ବାରି ବାରି ପହଞ୍ଚି ଯିବ ମଧୁମକ୍ଷିକା ।

ଖରାଧାସରେ ସିଝୁଥିବ
କ୍ରମଶଃ
ତା’ ପାଖୁଡା ସବୁ ମଳିନ ପଡି ଆସୁଥିବ
ପବନରେ ହଲି ହଲି
କେତେବେଳେ ଖସି ପଡିବ ଯେ ଡେମ୍ଫରୁ
ସେତେବେଳକୁ
ତା’ ମଉଳା ପାଖୁଡାରେ ଅଙ୍କା ହୋଇ ସାରିଥିବ
କେତେ ଦଂଶନର ଚିତ୍ରଲିପି ।

ଫୁଲ ପରି ନାରୀ
ଅସଂଖ୍ଯ ନକ୍ଷତ୍ର ଗହଣରେ
ପାହାନ୍ତି ଆକାଶର କେଉଁ କୋଣରେ ଜଳୁଥିବ
କୁଆଁତାରା ହୋଇ
ଏକଲା ନକ୍ଷତ୍ର
ତା’ ଅସ୍ତିତ୍ୱର ଚୌହଦିରେ କେତେ ନିଆଁ
କେତେ ଜ୍ୱଳନ
ଧର୍ଷିତ ସମୟ ତା’ ସାଥି
ଜଞ୍ଜାଳ ତା’ ଗଳାହାର
ପ୍ରତିକ୍ଷା ତା’ ପାଇଁ ଅଜଣା ଆତଙ୍କ
ପ୍ରେମ ତା’ ପାଇଁ ଅନେକ ଧୋକାର ଠିକଣା ।

ଖୋଜିବାରେ ବିରାମ ନଥାଏ ବୋଲି
ସେ ଖୋଜୁଥାଏ
ଏକ ପରିପୂର୍ଣ୍ଣ ସମୟକୁ
ଏକ ଫଳଭର୍ତ୍ତି ଗଛହୋଇ
ମାଟି ଛୁଇଁବାକୁ କେତେ ସେ ଆତୁର ନ’ହୁଏ !
ସକଳ ସାମର୍ଥ୍ଯ ଦେଇ
ମାଟି ପିଣ୍ଡୁଳାକୁ ଜୀବନ୍ଯାସ ଦେଉଥାଏ
ସୋହାଗ ଅଜାଡି ବାରମ୍ବାର ଅଗ୍ନିରେ ପଶୁଥାଏ
ଏମିତି ପରୀକ୍ଷା ଦେବା
ବୋଧେ ତା’ର
ସର୍ବକାଳୀନ ଭାଗ୍ଯରେ ଲେଖା ।

ଅନେକ ଆକାଶ ତଳେ
ସେ ଏକା ଏକା ଏକ ଅବୁଝା ସୂର୍ଯୋଦୟ
କୋମଳ ରଶ୍ମିରେ ବେଶ୍ କମନୀୟ
ତାକୁ କିନ୍ତୁ ଅପେକ୍ଷା କରିଥାଏ ମୋଟେ ସରୁନଥିବା
ନିଆଁ ଜରଜର ଏକ ଅବାଧ୍ଯ ସମୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top