ଅସରାଏ ବର୍ଷା ଏଇ ପାହାଡ଼ ଘେରା ଇଲାକାରେ ଭରିଦିଏ ଅଦ୍ଭୂତପୂର୍ବ ସତେଜତା । ନରମ ସୂର୍ଯ୍ୟ, ଖଡ଼ଖାଇ ନଦୀର ପଥରକଙ୍କର ବିଛୁରିତ ତୋଫା ସୁଅ । ଶାଳଗଛ ସମୂହର ପ୍ରାଣବନ୍ତ ହରିଆଳିରେ ଭାରି ରହିଥିଲା ଏକ ସାମଗ୍ରୀକ ତଟକାତ୍ୱ । ଗେଷ୍ଟ ହାଉସ ଖୋଲା ସବୁଜ ଜିପ୍ ସତେକି ଏଇ ତଟକାତ୍ୱର ଏକ ଗତିଶୀଳ ସ୍ଥୁଳ ଦାୟାଦ ।
ଡ୍ରାଇଭର ବ୍ୟତୀତ ଜିପ୍ରେ ଥିଲେ ତିନିଜଣ ବରିଷ୍ଠ ବାସିନ୍ଦା । କିଷ୍କିନ୍ଦା ବ୍ଲକ୍ର ବିଡ଼ିଓ ଆରକ୍ଷଣ ପାତ୍ର, ଚନ୍ଦନ ଲାଲ ଲୁହାଖଣିର ଜେନେରାଲ୍ ମ୍ୟାନେଜର୍ ବି.ଜେ. ଦେଶମୁଖ ଏବଂ ଲେଡି ପର୍ସନାଲ ଅଫିସର ମିସ୍ ସେଲି ।
ଚପଲ ଛେଳିଟିଏ ଅତର୍କିତ ଭାବେ ଜିପ୍ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଟିଙ୍କୁମାଝି କଷିଦେଲା ବ୍ରେକ୍ – ତାର ଚପଲ ରହିତ ଖୋଲା ପାଦରେ । ଛେଳିଟି ଅବଶ୍ୟ ବର୍ତ୍ତିଗଲା । ହେଲେ ଗତିର ଜଡତ୍ୱ ଯୋଗୁଁ ମିସ୍ ସେଲୀଙ୍କ ନରମ ଓଠ ସ୍ପର୍ଶ କଲା ଆରକ୍ଷଣ ପାତ୍ରଙ୍କ ମଶୃଣ ଚନ୍ଦାର କିୟଦଂଶ । ତିଳେ ହେଲେ ଅପ୍ରସ୍ତୁତ ବୋଧ ନ କରି ମିସ୍ ସେଲି କହିଲେ, “କେତେ କ୍ୟୁଟ୍ ଛେଳିଟା ମ !’ ସତେ କି ଏଇ କିଛି ସମୟ ପୂର୍ବର ଘଟଣା ଘଟିଛି ସୁଦୂର କୌଣସି ଅଚିହ୍ନା ଗ୍ରହରେ ।
“ଛେଳିର ଭବିତବ୍ୟ କଦାପି ରୋଡ଼ ଦୁର୍ଘଟଣାଜନିତ ମୃତ୍ୟୁ ହୋଇ ନ ପାରେ । ” ଡ୍ରାଇଭର ବ୍ରେକ୍ କସିବାର ଅଯୋୖକ୍ତିକତା ସପକ୍ଷରେ ଏହା ଥିଲା ଶ୍ରୀଯୁକ୍ତ ଦେଶମୁଖଙ୍କ ବିରକ୍ତି । ଯଦିଓ ପ୍ରକୃତ ବିରକ୍ତିର ଉତ୍ସଥିଲା ବ୍ରେକ୍ଜନିତ ବ୍ୟାପାରରେ ଅଚାନକ ଆପ୍ୟାୟିତ ହୋଇଥିବା ପାତ୍ରବାବୁଙ୍କ ଚନ୍ଦାଅଞ୍ଚଳ ।
ଆରକ୍ଷଣ ପାତ୍ର ଏଯାଏ ପ୍ରକୃତିସ୍ଥ ହୋଇ ପାରି ନ ଥିଲେ । କଥା ହେଲା ତାଙ୍କ ଶରୀରର ଉପରାର୍ଦ୍ଧରେ ସ୍ଫୁରିତ ହେଉଥିଲା ଏକ ତଡ଼ିତ୍ପ୍ରାୟ ସମ୍ମୋହନୀ ସ୍ରୋତ ଏବଂ ତଳାର୍ଦ୍ଧରେ ବଟ ବୃକ୍ଷର ଜଡତା । ଶରୀର ଉଭୟ ପାର୍ଶ୍ଵର ଏଇ ଅସଂହତି ଯୋଗୁଁ ସେ ପ୍ରକୃତିସ୍ଥ ହୋଇ ପାରୁ ନ ଥିଲେ । ତାଙ୍କ ପ୍ରିୟ ଜ୍ୟୋତିଷ ପୁଣ୍ଡରୀକାଷ ଶର୍ମା ଏକଦା ଭବିଷ୍ୟବାଣୀ କରିଥିଲେ “କୋଷ୍ଠୀରେ ଉଚ୍ଚ ସମ୍ମାନ, ଖ୍ୟାତି ଅଛି । କିନ୍ତୁ ତୋର ପ୍ରାରବ୍ଧ । ଯୌବନରେ ତୁ ହେବୁ କେଶହୀନ । ହେଲେ ଆଶ୍ଚର୍ଯ୍ୟର କଥା ତୋର କେଶାହୀନ ଗୋଲ ମୁଣ୍ଡଟିର ଲେଖା ଅଛି ସୁନ୍ଦରୀର ସାହଚର୍ଯ୍ୟା” ।
ଭବିଷ୍ୟବାଣୀର ସହଚର୍ଯ୍ୟର ସ୍ଥାୟୀତ୍ୱ ଦିଗରେ ଟିପ୍ପଣୀ ନ ଥିଲା । ଅତଏବ ତାହା ଘଟିଲା ମୁହୂର୍ତ୍ତକ ପାଇଁ ଛେଳି-ମାନବ-ଜିପ୍-ଘଟିତ ବ୍ୟାପାରରେ ।
ସମସ୍ତଙ୍କ ଗନ୍ତବ୍ୟସ୍ଥଳ ହେଲା ପାହାଡ଼ ଘେରା ଗେଷ୍ଟ୍ ହାଉସ୍-ଯାହା ପ୍ରାୟ ଦୁଇବର୍ଷ ହେଲା ବନ୍ଦ ପଡିଥିଲା । ମାତ୍ର ଚାଳିଶଟି ଟଙ୍କା ଅଗ୍ରିମ ଦେଇ ବୁକ କରିଛନ୍ତି ମି. ଦେଶମୁଖ । ଜଣାନାହିଁ – ସେଠି କେହି ଥିବେ କି ନାହିଁ ।
ମିସ୍ ସେଲୀ ହଠାତ୍ କହିଲେ “ଦେଖନ୍ତୁ ଏଇ ଶାଳଗଛ ଗୁଡିକର ଗ୍ରୀନ୍ ଫଲୀଏଜ୍କୁ । ଏହାହିଁ ହେଉଛି ଟ୍ରପିକଲ୍ ଅଞ୍ଚଳର ଗ୍ରୀନ୍ ହେଲ୍ଥ । ସତେକି ପ୍ରତ୍ୟେକ ବୃକ୍ଷ ଜିମ୍ନାସିୟମ୍ରେ ଦିଶୁଥିବା ସୁଠାମ ମସଲ ଦର୍ଶନ ପହିଲମାନଙ୍କ ପୋଜ୍ରେ ବିଦ୍ୟମାନ । ”
ମି.ଦେଶମୁଖଙ୍କ ଗୋରା ତକ୍ତକ୍ ମୁହଁରେ ମୋଟା ଫ୍ରେମ୍ର ସନ୍ଗ୍ଳାସ୍ ସୃଜୁଥାଏ ଏକ ପ୍ରକାର ବୁଦ୍ଧିମତା ଓ ସାତ୍ତ୍ଵିକତାର ଭ୍ରମ । ଯଦିଓ ମିସ୍ ସେଲି ଫଲିଏଜ୍ କଥା ଉଠାଇଲା ବେଳେ ଦେଶମୁଖ ସାହେବ ମିସ୍ ସେଲିଙ୍କର ଆଖିଏ ଭରି ଫଲିଏଜ୍ ସେବନ କରି ସାରିଥିଲେ ।
ମିସ୍ ସେଲି କହି ଚାଲିଥିଲେ ।
-“ମୁଁ ବୁଝି ପାରୁନି ଆପଣଙ୍କ ଫରେଷ୍ଟ ଡିପାର୍ଟମେଣ୍ଟର ମଗଜରେ ଏଇ କ୍ଷୀଣକାୟ, ଅସୁସ୍ଥ, ପତ୍ରହୀନ ଓ ଅଯଥାରେ ଡେଙ୍ଗା ଇଉକ୍ଲିପଟାସ ଗଛଗୁଡ଼ିକୁ ଆମଦାନୀ କରିବାର ଆଇଡ଼ିଆ କିଏ ରୋପଣ କଲା ?”
ମି. ଦେଶମୁଖ ପୋଖତ ମାଇନିଂ ଲୋକ । ବନ୍ୟ ବିଭାଗ କି ତା’ର କାରବାର ବିଷୟରେ ତାଙ୍କର ଯଦିଓ ବିଶେଷ ଧାରଣା ନ ଥିଲା ସେ ସବିଶେଷ ଏକ ଟିପ୍ପଣୀ ଦେଲେ ।
-” ପ୍ରକୃତରେ ଇଉକ୍ଲିପଟାସ ୟୁରୋପର ମରୁଭୂମିରେ ଉପୁଜୁଥିବା ଏକ ଶୁଷ୍କ ଗଛ । ଏହାର କୌଣସି ଟିମ୍ବର ଭେଲ୍ୟୁ ନାହିଁ । ନାଁ ଅଛି ପତ୍ର ସମ୍ଭାର । ଯେ କୌଣସି ସାଧାରଣ ୟୁରୋପୀୟଙ୍କୁ ଭାରତରେ ସମ୍ମାନ ଦେଲାଭଳି ଗଛଟିର ପ୍ରାପ୍ୟ ହୋଇଛି ଦେଶୀ ଗ୍ଲେମର୍ । ”
– “ଓଃ ! ମି. ଦେଶମୁଖ । ୟୁ ଆର୍ ବ୍ରିଳିଏଣ୍ଟ୍ । ” ଆଖି ନଚାଇ କହିଲେ ମିସ୍ ସେଲି । ମିସ୍ ସେଲି । ମିସ୍ ସେଲି ସେମିତି କହିବାବେଳେ ସତେ କି ଏକ ସମ୍ମୋହନୀ ବାସ୍ନା ଚହଟୁଥିଲା । ସେଥିରେ ସଜ୍ଞାହୀନ ହେବା ପାଇଁ ବ୍ୟାକୁଳ ଥିଲେ ଦେଶମୁଖ ।
– ମି. ଦେଶମୁଖ ମନାସୁଥିଲେ ଏଥର ଅଚାନକ ବାଘଟିଏ ଆସି ଯାଅନ୍ତାକି ଅତର୍କିତଭାବେ ! ହେଲୀ ଟିଙ୍କୁ ମାଝୀ ବ୍ରେକ କସନ୍ତା ନା ନାହିଁ ! ମାଝୀଙ୍କର ଆତ୍ମ ସମ୍ମାନ ଖୁବ୍ । ସେ ବାଘ ହେଉ କି ଛେଳି ।
ଗେଷ୍ଟ୍ ହାଉସ୍ ପହଞ୍ଚିସାରିଥିଲେ । ଟିଙ୍କୁ ମାଝୀ ଏଥର ହର୍ଣ୍ଣ ଦେଲା ।
ଖାଲି ଗାମୁଛାଟାଏ ଅଯତ୍ନରେ ଘୋଡ଼ିହୋଇ ଲୋକଟା ବାହାରିଲା । ଗେଟ୍କୁ ଦୁଇ ହାତରେ ଖୋଲିଲାବେଳେ ଯଉ ପ୍ରାଗ୍ଐତିହାସିକ ଧ୍ୱନିର ସୃଜନ ହେଲା – ତା’ର ଶବ୍ଦ ତରଙ୍ଗରେ ଆହତ ହେଲେ ଅନେକ ବିହଙ୍ଗ ।
ମି. ସେଲି ପ୍ରାୟ ଲମ୍ଫ ରୀତିରେ ଅବତରଣ କଲେ । ବିଡ଼ିଓ ମହାଶୟ ପ୍ରକୃତିସ୍ଥ ହୋଇ ତାଙ୍କ ଚନ୍ଦାରେ ପୁଣି ଥରେ ହାତ ମାରିଲେ । ମିସ୍ ସେଲି ସତରେ କେତେ ସୁନ୍ଦରୀ !
ରାତି ହୋଇ ନ ଥାଏ । ମିସ୍ ସେଲି ତିନୋଟି ପ୍ରକାଣ୍ଡ ଆରାମ୍ ଚେୟାର୍କୁ ସ୍ଫୁର୍ତ୍ତି ସହକାରେ ପାଖାପାଖି ଯୋଡ଼ିଦେଲେ । ଏ ଭିତରେ ଗାମୁଛା ପରିହିତ ଲୋକଟି ହଁପ୍ ପ୍ୟାଂଟ୍ ଓ ଧଳା ଗଞ୍ଜିଟିଏ ପିନ୍ଧି ପକାଇ ଥାଏ । ବୋଧେ ମିସ୍ ସେଲୀଙ୍କ ପ୍ରତି ସମ୍ଭ୍ରମତା ଯୋଗୁଁ କିମ୍ବା ସେଇଟା ହିଁ ତା’ର ଡ୍ରେସ୍ କୋଡ଼, ସେ ତିନୋଟି ଚା’ ଅର୍ଡର କଲେ ।
ଦଶ ମିନିଟ୍ ପରେ ଚା’ ବି ଆସିଲାନି । କଥା କ’ଣ ।
ମିସ୍ ସେଲି ଖୋଦ୍ କିଚେନ୍କୁ ପ୍ରବେଶ କଲେ । ଲୋକଟି ତଟସ୍ଥ ହୋଇ ଆଖି ଜୁଳୁଜୁଳୁ କରୁଛି ।
-“କଣ ହେଲା ଭାଇ !”- ପଚାରିଲେ ମିସ୍ ସେଲି – “ଚା କାହିଁ !”
“ଆଜ୍ଞା ଚିନି ନାହିଁ – ଗୁଡରେ କରିଦେବି । ”
“ଆରେ ଥାଉ ସେମିତି ବିନା ଚିନିରେ ଦେଉନୁ । ”
ଅଗତ୍ୟା ତିନି କପ୍ ବିନା ଚିନି ଚା ପରିବେଷଣ କଲା ରିଙ୍କୁ ମାଝୀ । ଠିକ ଏକାଭଳି ଦେଖିବାକୁ ।
ଗେଷ୍ଟ ହାଉସ୍ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏଇ ନିଭୃତ ଇଲାକାର ବିଡିଓ ବାବୁଙ୍କ ନିଜସ୍ୱ ଚର୍ଚ୍ଚା, ଚନ୍ଦନ ଲାଲ ମାଇନିଂ କମ୍ପାନୀର ବାଣିଜ୍ୟିକ ସ୍ୱାର୍ଥ ଦୃଷ୍ଟିରୁ । ଚର୍ଚ୍ଚା କୌଣସି ଦାମୀ ହୋଟେଲ୍ରେ ବି କରାଯାଇପାରନ୍ତା, ହେଇ ପାତ୍ର ସାରଙ୍କ ଇଚ୍ଛା ଏଇ ଇଲାକାର ନିଶୀ ଯାପନ । ଅତଏବ ସମସ୍ତ ବ୍ୟବସ୍ଥା । ଶେଷପର୍ଯ୍ୟନ୍ତ ରାନ୍ଧୁଣିଆଟିଏର ଆସିବାର ଥିଲା । ହେଲେ ତା’ ଗାଁ ରେ କେହି ଆତ୍ମୀୟଙ୍କୁ ଭୁତ ପ୍ରବେଶ ସଂକ୍ରାନ୍ତରେ ସେ ଆସିପାରିଲାନି ।
ଆପାତ ଦୃଷ୍ଟିରୁ ଆକସ୍ମିକ ଛେଳି ଆବିର୍ଭାବ ଚର୍ଚାରେଟି ସୁନିଶ୍ଚିତ ସୁକ୍ଷ୍ମ ପରିଯୋଜନାର ଆଭାସ ଦେଉଥିଲା । ଏଇ ସମୟରେ ଅଳ୍ପଅଳ୍ପ ଛଡ଼ାରେ ବ୍ଳାଷ୍ଟିଙ୍ଗ ଶବ୍ଦ ସହ ହେଲା ହାଲୁକା ଭୂମିକମ୍ପ । ସେଥିରେ ବସିଥିବା ଚେୟାର୍ ସହ ଟେବୁଲରେ ରଖାହେଇ ଥିବା ଚା ଏବଂ କାନ୍ଥ ଦୋହଲିଗଲା । ଦେଶମୁଖ ସାହେବ ଭାବୁଥିଲେ ଏଇ କମ୍ପନଟି ଯଦି ମିସ୍ ସେଲୀଙ୍କ ସୁକ୍ଷ୍ମ ଅବୟବ ପର୍ଯ୍ୟନ୍ତ ସୀମିତ ଥାଆନ୍ତା, ତେବେ ସେ ଜାତୀୟ କମନୀୟ ଦୋଳନର ଦୃଷ୍ଟାନ୍ତ ହୋଇଥାଆନ୍ତା ଅଦୃଷ୍ଟପୂର୍ବ । କିନ୍ତୁ ତାଙ୍କ ନରମ ଚିନ୍ତନକୁ ଖାତିର ନ କାରି ପାତରବାବୁ ହଠାତ ପାଟି କଲେ –
“କିହୋ ଦେଶମୁଖ୍ ସାହେବ । ଏଆଟା କଣ ଦେଖୁଛି – ଏଇ ଯଉଁ କମ୍ପନ, ଆପଣଙ୍କ ବ୍ଳାଷ୍ଟିଙ୍ଗ ତ ଆମ ଖଡଖାଇ ବନ୍ଧକୁ କ୍ରାକ୍ କରିଦେବ । ଆପଣଙ୍କୁ ଏଠି ମାଇନିଂ କରିବାକୁ କିଏ ପରମିଶନ ଦେଲା ?”
-ଚା କପ୍କୁ ପାଟି ପାଖକୁ ନେଇ ଅଥଚ ନ ପିଇ କହିଲେ ଦେଶମୁଖ୍ ସାହେବ ।
– ଦେଖନ୍ତୁ ସାର୍ । ଏଇଟା ସାଧାରଣ କଥା । ବ୍ଳାଷ୍ଟିଙ୍ଗ ହେଲେ ଏମିତି କମ୍ପନ ହୁଏ । କାନ୍ଥ ଦୋହଲେ । କିନ୍ତୁ ଆପଣ ଗୋଟିଏ ପ୍ରଶ୍ନରେ ଉତ୍ତର ଦିଅନ୍ତୁ ମାଇନିଂ ଲାଇସେନ୍ସ ଆଗ ମିଳିଲା ନା ଡ୍ୟାମ୍ ଆଗ ହେଲା ?
-ଅବଶ୍ୟ ମାଇନିଂ ବହୁତ ଦିନରୁ ଅଛି ।
– ତେବେ ଏ ସମସ୍ତ ବିଷୟ ଅବଗତି ସତ୍ତ୍ୱେ ଏଠି ଡ୍ୟାମ କାହିଁକି ହେଲା ?
– ଆଦିବାସୀ ଅଧ୍ୟୁଷିତ ଏ ପଥୁରିଆ ଅଞ୍ଚଳରେ କ’ଣ ଲୁହାପଥର ବୁହାଇ (ପ୍ରକାରାନ୍ତେ ଜଳସେଚନ । ଚାଷ ହୁଅନ୍ତା ?? ଆଚ୍ଛା ବାବୁ ତମ ମାଇନିଂ ଆଗ ହେଲା ନା ଆଦିବାସୀମାନେ ଆଗ ଆସିଲେ ।
– “ସାର୍ ମୁଁ ଐତିହାସିକ ନୁହେଁ । ” – କହିଲେ ମି.ଦେଶମୁଖ୍ । ଯଦିଓ ମିସ୍ ସେଲୀଙ୍କ ସହ ପ୍ରାଗ୍ଐତିହାସିକ ଯୁଗାକୁ ଚାଲିଯିବାକୁ ତାଙ୍କର ବାରମ୍ବାର ଇଚ୍ଛା ହେଉଥିଲା ।
– ଯା ବି ହେଉ ମି ଦେଶମୁଖ୍ ଏହା ଏକ ଗଭୀର ଚିନ୍ତାର ବିଷୟ । ଖଡ଼ଖାଇ ଡ୍ୟାମ ଏବଂ କେନାଲ ସୁରକ୍ଷା ଆମର ଦାଇତ୍ୱ । ମୁଁ କଲେକ୍ଟର ଙ୍କୁ ଲେଖିବି ।
– ସାର୍ ଲେଖନ୍ତୁ । ହେଲେ ବର୍ତ୍ତମାନ ନୈଶାହାରରେ ଆପଣଙ୍କ ହରିଣ ମାଂସ ରୋଷ୍ଟ୍ ହୋଇ ସାରିଛି – ସାର୍ ଆପଣଙ୍କ ପରମିଶନ ହେଲେ ଏଇ ଡ୍ରିଙ୍କ୍ଟା ବି ରେଡ଼ି କରିବି ।
– ହେଉ ହେଲା ମିସ୍ ସେଲୀଙ୍କ ପାଇଁ ତ ଏକ ପେଗ୍ ବନାଅ ।
– ସାର୍ ମିସ ସେଲି ସମ୍ପୂର୍ଣ୍ଣ ଟିଟଟ୍ଲର । ଅର୍ଥାତ ସ୍ପର୍ଶ ବି କରି ନାହାନ୍ତି ।
ବିଡ଼ିଓ ଚିନ୍ତା କଲେ ଜୀବନରେ ମିସ ସେଲି ଆଉ କେତେ କଣ …ସ୍ପର୍ଶରୁ ବଞ୍ଚିତ ଥିବେ ।
ମିସ ସେଲୀ କଉଠୁ ଏକ ଚିକ୍କଣ ପଥର ଶୁନ୍ୟରେ ତୋଳି ପଚାରିଲେ “ଏଇଟା ଖାଆନ୍ତି ଆଇରନ୍ ଓର୍ ନୁହଁ କି – ଏଇ ଚକ୍ଚକ୍ରୁ ମୁ ନିର୍ଭୁଲରେ କହି ପାରିବି – ଏଥିରେ ନିହାତି ଶତକଡ଼ା ୬୮% ଆଇରନ୍ ଅଛି । ”
– ମିସ ସେଲି, ଆପଣ ଯାହା ଧରିଛନ୍ତି ସେଇଟା କ୍ୱାର୍ଜ – ତେଣୁ ଚକ୍ଚକ୍ ହେଉଛି । ସେଥିରେ ତିଳେମାତ୍ର ଆଇରନ୍ ନାହିଁ ।
ମିସ ସେଲି ବ୍ୟଥିତ ହେଲେ । ବିଡ଼ିଓ ତାଙ୍କୁ ଏମିତି ଅନୁକମ୍ପା ସହ ଅନାଇଲେ ସତେକି ତାଙ୍କର ସମ୍ପୂର୍ଣ୍ଣ ଚନ୍ଦାଞ୍ଚଳ ଦରକାର ପଡିଲେ ସେ ଲିଜ୍ ରେ ଦେଇଦେବେ ତାଙ୍କ ବ୍ୟଥା ନିବାରଣ ପାଇଁ । ପଥର ତ ପଥର । ଦେଶମୁଖ ଏତିକି ବୁଝୁନି – ଗୋଟିଏ ସୂକ୍ଷ୍ମ କାରୁକଳା ରଚିତ ସୁନ୍ଦରୀ ଆଗରେ ଲୁହାପଥରର ତାରିଫ୍ କରୁଛି ? ବେୱକୁଫ୍ !
ଏ ଭିତରେ ମିସ ସେଲି ଗାଧୋଇବାକୁ ଚାଲି ଯାଇଥିଲେ । ବିଡ଼ିଓ ହରିଣ ରାଷ୍ଟ ଗୋଟାଏ ପିସ୍ ହାତକୁ ନଉନଉ ପଚାରିଲେ ମିସ ସେଲି କୋଉ କଲେଜରେ ପାଶ ଆଉଟ୍ ?
ଆୱା ଏକ୍ସ ଆଏସ୍ଏସ୍ ରାଞ୍ଚି !
ଶୁଣିଛି ସେଠି ପୁଅ ଝିଅ ମିଶି ଗୋଟେ ରୁମ୍ରେ ରୁହନ୍ତି – ପଚାରିଲେ ବିଡ଼ିଓ ।
ବାହା ହୋଇଛନ୍ତି ?
ଆଜ୍ଞା ମୋର ଦି’ଟି ପୁଅ ଗୋଟିଏ ଝିଅ ।
ନା ନା, ମୁଁ ମିସ ସେଲିଙ୍କ କଥା କହୁଛି ।
ଏଇ ସମୟରେ ଅନକଟିଆରରେ ସାମ୍ନାକୁ ଆସିଯାଇ ଥିବା ଭିଜା କେଶକୁ ହାଲ୍କା ପଛକୁ ଠେଲି ପ୍ରବେଶ କଲେ ମିସ ସେଲି ।
ଅତଏବ ବିବାହ ପ୍ରସଙ୍ଗଟି ଅମିମାଂସିତ ରହିଲା ।
– ମ୍ୟାଡ଼ାମ ! ମି ଦେଶମୁଖ କହୁଥିଲେ ଆପଣ ଇତିହାସର ଛାତ୍ରୀ ଥିଲେ । ଏ ଇଲାକାକୁ ଦେଖି, ଲାଗୁନି ଯେମିତି କୌଣସି ପ୍ରାଗ୍ଐତିହାସିକ ଯୁଗର ଭୂଖଣ୍ଡ ଆୟୁତ ବିବର୍ତ୍ତନ ମଧ୍ୟରେ ଆମ ଅଞ୍ଚଳ ସହିତ ଆସି ମିଶି ଯାଇଛି ?
ପ୍ରାୟ ସଶବ୍ଦରେ ଗୋଟିଏ ଚୁଇଁଗମ୍ର ରାପର ଖୋଲି ପାଟିରେ ପକାଇବାକୁ ଯାଉ ଯାଉ ମିସ ସେଲି ହଠାତ୍ ରହିଗଲେ ଏବଂ ସେଇଟିକୁ ବିଡ଼ିଓ ବାବୁଙ୍କୁ ସଲ୍ଲଜ ଯାଚି, ନିଜେ କାଳ୍ପନିକ ଚୁଇଁଗମ୍ ଚୋବାଇବାର ଭଂଗିରେ ଉତ୍ତର ଦେଲେ –
– “ଦେଖନ୍ତୁ ସାର୍, ଆପଣଙ୍କ ଜିଜ୍ଞାସାର ପରିସର ଇତିହାସ ନୁହେଁ । ଭୂତାତ୍ତ୍ୱିକ । ଯେମତ ହରପ୍ପା ସଭ୍ୟତାର ପୁରୁଷକୁଳ ହେଟ୍ରୋ ସେକ୍ସୁଆଲ ଥିଲେ ନା ହୋମୋ ସେକ୍ସୁଆଲ ? ଏକ ରତି ବୈଜ୍ଞାନିକ ପ୍ରଶ୍ନ ନ ହୋଇ ଏକ ଐତିହାସିକ ପ୍ରଶ୍ନ । ” କିଛି ସମୟ ପାଇଁ ତାଙ୍କ ଚୁଇଁଗମ୍ ଯଚା ହୋଇ ନଥିବାର ଅସନ୍ତୋଷ ଯୋଗୁଁ ଚୁପ ବସିଥିବା ଦେଶମୁଖ ସାହେବ ହଠାତ୍ ଉତ୍ସାହ ମୁଖର ହୋଇ ପଚାରିଲେ –
– “ସେଲି, ତା ହେଲେ ଖଜୁରାଓର ପରିସର କଣ ? ଉତ୍ତୁଙ୍ଗ ଶିଳ୍ପକଳା ନା ଉନ୍ନତ ରତିବିଜ୍ଞାନ ?” ତାଙ୍କ ମନର ସମସ୍ତ କୁତ୍କୁତ୍ ସତେକି ବୁଦ୍ବୁଦ୍ ହୋଇ ସୃଷ୍ଟି କରିଛି ଏଇ ପ୍ରଶ୍ନର କଳେବର ।
ସେଇଟା ନିର୍ଭର କରିବ ଆପଣଙ୍କ ମାନସିକ ପ୍ରସ୍ତୁତି ଉପରେ । ଆପଣଙ୍କ ଅନ୍ତଃସ୍ୱର ଯଦି ଶିଳ୍ପୀ, ସେ ଆହରଣ କରିବ ଗଗନ ଶିଳ୍ପକଳା । ନଚେତ୍ …
ଗେଷ୍ଟ୍ ହାଉସ୍ର ପରିବେଶ ସୃଷ୍ଟି କରୁଥିଲା ଏକ ପ୍ରକାର ଭୌତିକ ନିର୍ଜାତନା !
ଅତ୍ୟନ୍ତ ଉତ୍କଣ୍ଠିତ ହୋଇ ମି ଦେଶମୁଖ ପୁନରାବୃତ୍ତି କଲେ -” ନଚେତ୍ ?? ନଚେତ୍ କ’ଣ ? ”
– ଆପଣ ଉତ୍ତର ଖୋଜିବା ଦିଗରେ ନିଜସ୍ୱ କଳ୍ପନାର ଆଶ୍ରା ନେଇ ସାରିଛନ୍ତି ଯଦି, ମର୍ସ ଶାବ୍ଦିକ ଉତ୍ତର ପାଇଁ ଏତେ ଉତ୍କଣ୍ଠା କାହିଁକି ?
କିନ୍ତୁ ମନେରଖନ୍ତୁ, ଅନେକ ସମୟରେ ଆମ ଧ୍ୟାନ ଧାରଣା ବାହାରେ ରହିଛି ଏକ ଅଦୃଶ୍ୟ ଅଥଚ ସକ୍ରୀୟ ପରିସର । ସେଠାରେ ସ୍ୱପ୍ନ, କଳ୍ପନା, ବାସ୍ତବତା ମଧ୍ୟରେ ବ୍ୟବଧାନ କ୍ଷୀଣରୁ କ୍ଷୀଣତର ହୋଇପାରେ !
କ୍ଷୁବ୍ଧପ୍ରାୟ ବିଡ଼ିଓ ପଚାରିଲେ -“ସେମିତି କେମିତି ହେବ ମ୍ୟାଡ଼ାମ୍ ! ଟିଙ୍କୁ ଡ୍ରାଇଭର ହେଲା ମାଝୀ । ଏହା ସ୍ୱପ୍ନ ନୁହେଁ । ଆପଣ ସୁନ୍ଦରୀ । ଏହା ମୋର କଳ୍ପନା ନୁହେଁ । ”
ଏତେ ସହଜ ଭାବେ ବିଡ଼ିଓ ମାଝୀର ମାଝୀତ୍ୱ ଏବଂ ସେଲିର ସୌନ୍ଦର୍ଯ୍ୟ ବୟାନ କଲା – ଅଥଚ ଜମି ସଂକ୍ରାନ୍ତୀୟ ବ୍ୟାପାରରେ ସାମାନ୍ୟ କଥା ପାଇଁ ‘ଏତଦ୍ୱାରା’, ‘ଏଥୁଅନ୍ତେ’ ଇତ୍ୟାଦି ଶବ୍ଦସବୁ ଯୋଡି ଫର୍ଦ ପରେ ଫର୍ଦ ଲେଖା କରାଇ ଖର୍ଚ୍ଚାନ୍ତ କରାନ୍ତା । କି ଅଦ୍ଭୁତ ମଣିଷ – ଚିନ୍ତା କଲେ ମି. ଦେଶମୁଖ । “କିସ ପୁଣି ଦେଖା ନ ଯାଏ ମାଇଁ ରହିଥିଲେ ପାଖରେ !”
ମିସ ସେଲି ହଠାତ୍ ସମସ୍ତଙ୍କୁ ଚମତ୍କୃତ କଲେ ।
“ଟିଙ୍କୁ ଡ୍ରାଇଭର ମାଝୀ ହେବା ହୁଏତ ସ୍ୱପ୍ନ ନୁହେଁ – ହେଲେ ଟିଙ୍କୁର ଅସ୍ତିତ୍ୱ ସମ୍ଭନ୍ଧରେ ଆପଣ ନିଶ୍ଚିତ କି ?”
– ମାନେ !
– ମାନେ ହେଲା, ବନ୍ୟ ବିଭାଗର ରିପୋର୍ଟ ଅନୁସାରେ ଏ ଅଞ୍ଚଳରେ ହରିଣ ନାହାନ୍ତି । ଏଇ ନିର୍ଜନ ଇଲାକାରେ ଆପଣଙ୍କ ପାଇଁ ହରିଣ ରୋଷ୍ଟ୍ କିଏ ଯୋଗାଡ଼ କଲା ?
– ତା’ ହେଲେ !
– ଆପଣ କେବଳ କଳ୍ପନା କରିଛନ୍ତି ଯେ, ଆପଣ ହରିଣ ରୋଷ୍ଟ୍ ଖାଇଲେ ବୋଲି । ସତ୍ୟ ଓ କଳ୍ପନା ମଧ୍ୟରେ କିଛି ତଫାତ୍ ବାରି ପାରିଲେ କି ?
– ଅର୍ଥାତ୍ ?
– ଅର୍ଥାତ୍ ରାସ୍ତାରେ ଟିଙ୍କୁ ଧକ୍କା ଦେଇଥିବା ଜନ୍ତୁଟି କ’ଣ ସତରେ ବର୍ତ୍ତୀ ଥିଲା । ଯଦି ବର୍ତ୍ତଥିଲା ତାହା ଛେଳି ଥିଲା ନା ହରିଣ – ଆପଣ ନିଶ୍ଚିତ ହୋଇ ପାରିବେ କି ?
– ଅଫ୍କୋର୍ସ ! ସେଇଟା ଅଲ୍ବତ୍ ଛେଳି ଥିଲା । ଆପଣ ବିଡ଼ିଓ ଏକେ ପାତ୍ରକୁ ବୁଝାଇବେ ଛେଳି କ’ଣ, ହରିଣ କ’ଣ ?
– କୁହନ୍ତୁ ଛେଳି କ’ଣ ?
– ମାନେ ଗୋଟିଏ ନିରୀହ ଜୀବ !
– ଟିଙ୍କୁ ମାଝୀ ବି ନିରୀହ ଥିଲା ।
– ଥିଲା ମାନେ ! କୁଆଡେ ଗଲା ! ସେ ଚିତ୍କାର କଲେ । ଆବେ ଟିଙ୍କୁ କୁଆଡେ ଗଲୁ !
– ଟିଙ୍କୁ, ଦେଶମୁଖ ସାହେବ, ମୁଁ, ଆପଣ ଏବଂ ଛେଳି ମଧ୍ୟରୁ କିଏ ଥିଲା ଏବଂ କିଏ ଅଛି – ଆପଣ ନିଶ୍ଚିତ ହୋଇ ପାରିବେ କି ? ପଚାରିଲେ ସେଲି ।
ଚିତ୍କାରରେ ରିଙ୍କୁ ବାହାରି ଆସିଲା ପୁରୁଣା ଗାମୁଛା ଘୋଡାଇ ।
-“ସାର୍ ଭାଇ ତ ଦି ବର୍ଷ ହେଲା ମରିଯାଇଛି ” ।
ଏଇ ସମୟରେ ଲାଇନ ଚାଲିଗଲା । ବିରାଜମାନ ହେଲା ବନ୍ୟାସଦୃଶ ଅନ୍ଧାର । ଲାଗ୍ଲାଗ୍ ଦୁଇ ତିନିଟା ଚିତ୍କାର ଶୁଣାଗଲା ।
– “ଜିପ୍ କିଏ ଡ୍ରାଇଭିଂ କରୁଥିଲା -“…
– ସେଲି … ସେଲି … । ସେଲି କ’ଣ କହୁଥିଲା ଭୂତାତ୍ତ୍ୱିକ – ନା ଭୂ ତାତ୍ତ୍ୱିକ ? ସେଲି କଣ ଅଶରିରୀ । ନା ଜଣେ ଅଶରିରୀ ଏତେ ସୁନ୍ଦର ହୋଇ ନ ପାରେ !
ଗୋଟିଏ ପୁରୁଣା ଗେଷ୍ଟ ହାଉସ୍ରେ କୌଣସି ଅଜ୍ଞାତ କାରଣରୁ ମିଳିଥିବା ଦି’ଜଣ ବରିଷ୍ଟ ବ୍ୟକ୍ତିଙ୍କ ମୃତ ଶରୀର ସମ୍ବନ୍ଧୀୟ ଘଟଣାଟି ଏ ଗଳ୍ପର ପୃଷ୍ଠଭୂମି ନୁହେଁ ।
