ପ୍ରଶାନ୍ତିଧାରା, ମମତାଭରା, ପ୍ରାଣେପ୍ରାଣେ ଯାଏ ବହିରେ
ଜନମ ଭୂଇଁ ଆନନ୍ଦଦାୟୀ ହୃଦପଦ୍ମନାଚେ ଗାଇରେ,
ତା’ସମ କେହେବ ନାହିଁରେ
ସେହି ମୋ ଜନମ ଭୂଇଁରେ ।।୧।।
ତା’ଧୂଳିକୋଳ, କେତେ କୋମଳ, ମୃଦୁପବନ ଶୀତଳ ଜଳ,
ଜାତି ଜାତିକା ମଧୁର ଫଳ, ଶରିର ମଧ୍ୟେ ଦେଇଛି ବଳ,
ପାହାଡ଼ବଣ, ରଙ୍ଗିନ୍ ଫୁଲ, ମନକୁ ଦିଏ ମୋହିରେ
ସେହି ମୋ ଜନମ ଭୂଇଁରେ ।।୨।।
ଧନ ସମ୍ପଦ କୀରତି ଯଶ, ରଖିଗଲେ ଆମ ପୂର୍ବ ପୁରୁଷ
ବିଶ୍ୱଗାଏ ତାଙ୍କ ଗୈରବ ଗାଥା, ଭକ୍ତିଭରେ ସଦା ନୁଆଁଇମଥା
ଧରମ ଦେଶ ଭାରତବର୍ଷ, ଯୁଗେଯୁଗେ ନାମ ଏହିରେ
ଯା’ଲାଗି ଗର୍ବିତ ମୁହିଁରେ
ସେହି ମୋ ଜନମ ଭୂଇଁରେ ।।୩।।
ରଖିବା ଆମେ ତାହାରି ଟେକ, ରଣଭୂମିରେ ଦେଖାଇ ବେକ
ପ୍ରଗତି ପଥେ କରିବା ଗତି, ଦେଖାଇଦେବା ଆଦର୍ଶ ନୀତି
ମୋ ଦେଶବାଣୀ ଏହିରେ
ଭେଦଭାବ ଆମ ନାହିଁରେ
ସେହି ମୋ ଜନମ ଭୂଇଁରେ ।।୪।।
ବହୁ ଧର୍ମ ଭାଷା ଜାତି ଜାତିକା, ଗଙ୍ଗାଠାରୁ ଗୋଦାବରୀ ଦ୍ୱାରିକା
ନାନାପୂଜା ପର୍ବ ଉତ୍ସବ ପାଳନ, ଶତୃ ମିତ୍ରଭେଦ ନାହିଁରେ ଚଳନ
ଦେଶ ରକ୍ଷାପାଇଁ, ସହିକଷଣ, ରଣକ୍ଷେତ୍ରେ କେତେ ଦେଲେ ଜୀବନ
ଶହୀଦ ହୋଇଲେ ସେହିରେ
ସେହି ମୋ ଜନମ ଭୂଇଁରେ ।।୫।।
ସାହିତ୍ୟ, ସଂସ୍କୃତି, କଳା, ବିଜ୍ଞାନ, ଜ୍ଞାନୀଜନ ରଖିଗଲେ ସମ୍ମାନ
ଏ ଦେଶ ମହାନ ସାଧୁସନ୍ଥଗଣ, ରଚିଯାଇଛନ୍ତି ଧର୍ମ ଗ୍ରନ୍ଥ ମାନ
ଏହି ମୋ ଭାରତ ଭୂଇଁରେ
ଏଦେଶ ପରି କେହି ନାହିଁରେ
ସେହି ମୋ ଜନମ ଭୂଇଁରେ ।।୬।।
ଅନେକରେ ଏକ ଏ ଭାରତ ବର୍ଷ
ଅନ୍ତିମ କାଳରେ ତା’କୋଳେ ଯିବା ଶୋଇରେ
ସେହି ମୋ ଜନମ ଭୂଇଁରେ ।।୭।।
