ପ୍ରବନ୍ଧ

ପ୍ରଖ୍ୟାତ ଇଞ୍ଜିନିୟର ଭାରତରତ୍ନ ମୋକ୍ଷଗୁଣ୍ଡମ ବିଶ୍ଵେଶ୍ଵରାୟା

Shri Nihar Ranjan Sabat's Odia Prose Prakhyat Engineer Bharatratna Mokshagundam Visvesvaraya

କେବଳ ବିଶ୍ଵେଶ୍ଵରାୟାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ନୁହେଁ, ବରଂ ଇଞ୍ଜିନିଅର ଦିବସ ପାଳନ ହେଉଛି ରାଷ୍ଟ୍ର ନିର୍ମାଣ ନିମନ୍ତେ ସମଗ୍ର ଇଞ୍ଜିନିୟର ସମାଜର ଥିବା ଉତ୍ସର୍ଗୀକୃତ ଅବଦାନର ସ୍ୱୀକୃତି ।

ପ୍ରତିବର୍ଷ ସେପ୍ଟେମ୍ବର ମାସର ପନ୍ଦର ତାରିଖରେ ସମଗ୍ର ଭାରତବର୍ଷରେ ଇଞ୍ଜିନିଅର ଦିବସ ପାଳିତ ହୁଏ । ଏହା ପ୍ରଖ୍ୟାତ ଇଞ୍ଜିନିଅର ଭାରତରତ୍ନ ସାର ମୋକ୍ଷଗୁଣ୍ଡମ ବିଶ୍ଵେଶ୍ଵରାୟାଙ୍କ ଜନ୍ମଦିନ । ଏହି ମହାନ୍ ବ୍ୟକ୍ତିତ୍ୱ କେବଳ ଭାରତର ନୁହେଁ, ବରଂ ସମଗ୍ର ବିଶ୍ୱର ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ। ୧୮୬୧ ମସିହା ସେପ୍ଟେମ୍ବର ମାସ ୧୫ ତାରିଖରେ କର୍ଣ୍ଣାଟକର ମୁଦ୍ଦେନହଲ୍ଲୀ ଗ୍ରାମରେ ବିଶ୍ଵେଶ୍ଵରାୟା ଏକ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଆର୍ଥିକ ଅସୁବିଧା ସତ୍ତ୍ୱେବି ସେ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଭ କରିଥିଲେ । ଛୋଟଛୋଟ ପିଲାମାନଙ୍କୁ ଘରୋଇ ଟ୍ୟୁସନ୍‌ କରି ନିଜର ପାଠପଢ଼ା ଖର୍ଚ୍ଚ ଯୋଗାଡ଼ କରୁଥିଲେ । ବାଙ୍ଗାଲୋରରେ ପ୍ରାଥମିକ ଶିକ୍ଷା, ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ବିଷୟରେ ସ୍ନାତକ ଏବଂ ତାପରେ ପୁନେ ସ୍ଥିତ କଲେଜ୍‌ ଅଫ୍‌ ଇଞ୍ଜିନିଅରିଂରୁ ସିଭିଲ ଇଞ୍ଜିନିଅରିଂ ବିଷୟରେ ଡିପ୍ଲୋମା ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇ ଶେଷ କରିଥିଲେ ପାଠପଢ଼ା ।

ବିଶ୍ଵେଶ୍ଵରାୟାଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିଗ ଥିଲା ତାଙ୍କର କଠୋର ଶୃଙ୍ଖଳା ଏବଂ ନୈତିକତା । ସେ ଜଣେ ଶୁଦ୍ଧ ଶାକାହାରୀ, ମଦ୍ୟପାନ ବିରୋଧୀ ଏବଂ ଅତ୍ୟନ୍ତ ସମୟାନୁବର୍ତ୍ତୀ ବ୍ୟକ୍ତି ଥିଲେ । ତାଙ୍କର ପୋଷାକ ପରିଚ୍ଛଦ ସର୍ବଦା ପରିଷ୍କାର ପରିଚ୍ଛନ୍ନ ଏବଂ ଶୃଙ୍ଖଳିତ ରହୁଥିଲା । ଏହି ଗୁଣଗୁଡ଼ିକ କେବଳ ତାଙ୍କର ବ୍ୟକ୍ତିଗତ ଜୀବନରେ ନୁହେଁ, ବରଂ ତାଙ୍କର ବୃତ୍ତିଗତ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହୋଇଥିଲା ।

ପାଠପଢ଼ା ସରିବା ପରେ ସେ ଇଂରେଜ ସରକାରଙ୍କ ଅଧୀନରେ ଇଞ୍ଜିନିଅର ଭାବରେ କିଛିଦିନ ପାଇଁ ଭାରତ ତଥା ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ କାମ କରିଥିଲେ । ଜଳ ପରିଚାଳନା କ୍ଷେତ୍ରରେ ବିଶ୍ଵେଶ୍ଵରାୟାଙ୍କ ଅବଦାନ ଅତୁଳନୀୟ । ସେ ଏକ ଅଭିନବ ସ୍ୱୟଂଚାଳିତ ବନ୍ଧ ଫାଟକ ବ୍ୟବସ୍ଥା ଉଦ୍ଭାବନ କରିଥିଲେ ଏବଂ ଏହାର ପ୍ୟାଟେଣ୍ଟ୍‌ ମଧ୍ୟ ପାଇଥିଲେ। ୧୯୦୩ ମସିହାରେ ପୁଣେ ନିକଟସ୍ଥ ଖଡ଼କୱାସଲା ଜଳାଶୟରେ ପ୍ରଥମେ ଏହି ପ୍ରଯୁକ୍ତି ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ରସିଦ୍ଧ କୃଷ୍ଣରାଜ ସାଗର ବନ୍ଧରେ ମଧ୍ୟ ଏହି ପ୍ରଯୁକ୍ତି ବ୍ୟବହୃତ ହୋଇଥିଲା । ସେ ବ୍ଲକ ସିଷ୍ଟମ ଅଫ୍ ଇରିଗେସନ୍‌ ବ୍ୟବସ୍ଥା ବିକଶିତ କରି ଜଳର ସର୍ବୋଚ୍ଚ ଦକ୍ଷତା ସୁନିଶ୍ଚିତ କରିଥିଲେ । ସରକାରୀ ଚାକିରିରୁ ଇସ୍ତଫା ଦେଇ ହାଇଦ୍ରାବାଦ ନିଜାମଙ୍କ ଅଧୀନରେ ଏକବର୍ଷ ପାଇଁ ମୁଖ୍ୟଯନ୍ତ୍ରୀ ଭାବରେ କାର୍ଯ୍ୟକରି ମୁସି ନଦୀର ବନ୍ୟା ପ୍ରତିରୋଧ ବ୍ୟବସ୍ଥା ଏବଂ ବିଶାଖାପାଟଣା ବନ୍ଦରକୁ ସାମୁଦ୍ରିକ ଅବକ୍ଷୟରୁ ରକ୍ଷା ପାଇଁ ବ୍ୟବସ୍ଥା ଭଳି ଐତିହାସିକ ତଥା ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ବିହାରର ମୋକାମା ଗଙ୍ଗା ସେତୁ ଏବଂ ତୁଙ୍ଗଭଦ୍ରା ପ୍ରକଳ୍ପ ନିର୍ମାଣରେ ତାଙ୍କର ଯାନ୍ତ୍ରିକ ପରାମର୍ଶ ହୋଇଥିଲା ଅନେକ ମାତ୍ରାରେ ସହାୟକ ।

୧୯୦୯ ମସିହାରେ ଦେଶୀୟ ରାଜ୍ୟ ମହୀଶୂରର ଦେୱାନ୍‌ଙ୍କ ନିମନ୍ତ୍ରଣ ପାଇ ସେ ମୁଖ୍ୟଯନ୍ତ୍ରୀ ଭାବରେ ଯୋଗଦେଇ ତିନିବର୍ଷ ପର୍ଯ୍ୟନ୍ତ ସେହି ପଦରେ କାର୍ଯ୍ୟ କରିଥିଲେ । ୧୯୧୨ ମସିହାରେ ମହୀଶୂର ରାଜ୍ୟର ତତ୍କାଳୀନ ମହାରାଜା ଚତୁର୍ଥ କୃଷ୍ଣରାଜ ୱାଡ଼ିଆର ତାଙ୍କୁ ଦେୱାନ୍‌ ପଦରେ ନିଯୁକ୍ତ କରିଥିଲେ । ଦେଶୀୟ ରାଜ୍ୟ ମହୀଶୂରର ମୁଖ୍ୟଯନ୍ତ୍ରୀ ଏବଂ ପରେ ଦେୱାନ ଭାବରେ କାର୍ଯ୍ୟ କରୁଥିବା ସମୟରେ ସେ କୃଷ୍ଣରାଜ ସାଗର ବନ୍ଧର ନିର୍ମାଣ ତଦାରଖ କରିଥିଲେ । କାବେରୀ ନଦୀ ଉପରେ ନିର୍ମିତ ଏହି ବନ୍ଧ ସେତେବେଳେ ଏସିଆର ବଡ଼ବଡ଼ ଜଳାଶୟଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା । ଏହା କେବଳ ଜଳସେଚନ ଓ ପାନୀୟ ଜଳ ଯୋଗାଣ ନୁହେଁ, ବରଂ ସମଗ୍ର ଅଞ୍ଚଳରେ କୃଷି ଓ ଆର୍ଥିକ ବିକାଶର ମୂଳଦୁଆ ପକାଇଥିଲା ।

ବିଶ୍ଵେଶ୍ଵରାୟାଙ୍କ ଦୂରଦର୍ଶୀ ଚିନ୍ତାଧାରା କେବଳ ଇଞ୍ଜିନିୟରିଂ କ୍ଷେତ୍ରରେ ସୀମିତ ନଥିଲା । ମହୀଶୂରର ଦେୱାନ୍‌ ଭାବରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କରିଥିଲେ । ମହୀଶୂର ସାବୁନ କାରଖାନା, ଭଦ୍ରାବତୀରେ ମହୀଶୂର ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ୱାର୍କସ, ରେଳ ସେବାର ଆରମ୍ଭ ଏବଂ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ମହୀଶୂର ପ୍ରତିଷ୍ଠା କରି ସେ ଭାରତର ଶିଳ୍ପାୟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଥିଲେ । ତାଙ୍କର ଏହି ଦୂରଦର୍ଶୀ ପଦକ୍ଷେପଗୁଡ଼ିକ ଆଜି ମଧ୍ୟ ଭାରତର ଶିଳ୍ପ ବିକାଶରେ ମାର୍ଗଦର୍ଶକ ଭୂମିକା ପାଳନ କରୁଛି । ଶିକ୍ଷା କ୍ଷେତ୍ରରେ ବିଶ୍ଵେଶ୍ଵରାୟାଙ୍କ ଅବଦାନ ଅବିସ୍ମରଣୀୟ । ୧୯୧୬ ମସିହାରେ ମହୀଶୂର ବିଶ୍ୱବିଦ୍ୟାଳୟ ଏବଂ ୧୯୧୭ ମସିହାରେ ବେଙ୍ଗାଲୁରୁରେ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ସେ ଭବିଷ୍ୟତ ପିଢ଼ିର ଇଞ୍ଜିନିୟରମାନଙ୍କ ପାଇଁ ଏକ ଦୃଢ଼ ଆଧାର ପ୍ରସ୍ତୁତ କରିଥିଲେ । ଏହି କଲେଜ୍‌ଟି ପରବର୍ତ୍ତୀ ସମୟରେ ତାଙ୍କ ନାମରେ ୟୁନିଭର୍ସିଟି ବିଶ୍ଵେଶ୍ଵରାୟା କଲେଜ ଅଫ ଇଞ୍ଜିନିୟରିଂ (ୟୁଭିସିଇ) ଭାବରେ ନାମିତ ହୋଇଥିଲା ।

୧୯୩୭ ମସିହାରେ ଓଡ଼ିଶାରେ ଭୟଙ୍କର ବନ୍ୟା ଦେଖି ମହାତ୍ମା ଗାନ୍ଧୀ ବହୁତ ଦୁଃଖୀ ହୋଇଥିଲେ । ସେ ପ୍ରଖ୍ୟାତ ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ଵେଶ୍ଵରାୟାଙ୍କୁ ବନ୍ୟା ନିୟନ୍ତ୍ରଣ ପାଇଁ ଉପାୟ ଖୋଜିବାକୁ ଅନୁରୋଧ କରିଥିଲେ । ୧୯୩୭ରେ ଗାନ୍ଧୀଙ୍କ ଅନୁରୋଧରେ ବିଶ୍ଵେଶ୍ଵରାୟା ଓଡ଼ିଶା ଆସି ୧୨ ଦିନ ଧରି ବନ୍ୟା ସମସ୍ୟାର ଅଧ୍ୟୟନ କରିଥିଲେ । ସେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ବନ୍ୟାର କାରଣ ଓ ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଥିଲା । ବିଶ୍ଵେଶ୍ଵରାୟା ସେତେବେଳେ ଉଚ୍ଚ ପାରିଶ୍ରମିକ ନେଉଥିଲେ, କିନ୍ତୁ ଗାନ୍ଧୀଙ୍କ ପ୍ରତି ସମ୍ମାନ ଓ ଓଡ଼ିଶାର ଲୋକଙ୍କ ପାଇଁ ଚିନ୍ତା କରି ସେ ମାଗଣାରେ କାମ କରିଥିଲେ । ସେ କୌଣସି ପାରିଶ୍ରମିକ କିମ୍ବା ଯାତ୍ରା ଖର୍ଚ୍ଚ ନେଇ ନଥିଲେ । ବିଶ୍ଵେଶ୍ଵରାୟାଙ୍କ ରିପୋର୍ଟରେ ବନ୍ୟା ବଢ଼ିବାରେ ମଣିଷର ଭୂମିକା ଚିହ୍ନଟ କରାଯାଇଥିଲା । ଓଡ଼ିଶାର ନେତାମାନେ ପୂର୍ବରୁ ବ୍ରିଟିଶ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରୁଥିଲେ । ସେମାନେ କହୁଥିଲେ ଯେ ଅଯୋଜିତ ଖାଲ ଓ ବନ୍ଧ ଯୋଗୁଁ ବନ୍ୟା ଅଧିକ ଭୟଙ୍କର ହୋଇଛି । ବିଶ୍ଵେଶ୍ଵରାୟାଙ୍କ ବୈଷୟିକ ବିଶ୍ଳେଷଣ ଏହାକୁ ସମର୍ଥନ କରିଥିଲା ।

ବିଶ୍ଵେଶ୍ଵରାୟାଙ୍କ ଅଧ୍ୟୟନ ଓ ପରାମର୍ଶ ଅନୁସାରେ ଓଡ଼ିଶାରେ ଆଧୁନିକ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ସ୍ୱାଧୀନତା ପରେ ମହାନଦୀରେ ହୀରାକୁଦ ବନ୍ଧ ନିର୍ମାଣ ହୋଇଥିଲା, ଯାହା ତାଙ୍କ ଯୋଜନାର ଏକ ମୁଖ୍ୟ ଫଳାଫଳ ଥିଲା । ଏହି ବନ୍ଧ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ତାଙ୍କର ଚରିତ୍ରର ସବୁଠାରୁ ଉଲ୍ଲେଖନୀୟ ଦିଗ ଥିଲା ତାଙ୍କର ନିଃସ୍ୱାର୍ଥ ସେବାଭାବ । ମହୀଶୂରର ଦେୱାନ୍‌ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ସେ ଘୋଷଣା କରିଥିଲେ ଯେ ତାଙ୍କର କୌଣସି ସମ୍ପର୍କୀୟ ବ୍ୟକ୍ତି ତାଙ୍କ ନିକଟରୁ କୌଣସି ବ୍ୟକ୍ତିଗତ ଅନୁଗ୍ରହ ଆଶା କରିବେ ନାହିଁ । ମହୀଶୂର ଆଇରନ୍‌ ୱାର୍କସରୁ ପାଇଥିବା ତାଙ୍କର ସମ୍ପୂର୍ଣ୍ଣ ବେତନ ସେ ଏକ ବୃତ୍ତିମୂଳକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଦାନ କରିଦେଇଥିଲେ । ଏହା ତାଙ୍କର ଦେଶପ୍ରେମ ତଥା ନିଃସ୍ୱାର୍ଥପର ଭାବନାର ଅତୁଳନୀୟ ଉଦାହରଣ । ଶିକ୍ଷା ଏବଂ ଶିଳ୍ପାୟନ ଦ୍ୱାରା ଗରିବ ଲୋକମାନଙ୍କର ଉନ୍ନତି ସମ୍ଭବ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ସେ ମନେ କରୁଥିଲେ ଯେ ଭାରତର ସମୃଦ୍ଧି ଏହାର ପ୍ରାକୃତିକ ସମ୍ପଦ ଏବଂ ମାନବ ସମ୍ବଳରେ ନିହିତ । ଯୋଜନାବଦ୍ଧ ଅର୍ଥନୀତିର ଶକ୍ତିରେ ସେ ଗଭୀର ବିଶ୍ୱାସ ରଖୁଥିଲେ ଏବଂ ତାଙ୍କର ଏହି ଦୃଷ୍ଟିଭଙ୍ଗୀ ସ୍ୱାଧୀନତା ପରବର୍ତ୍ତୀ ଭାରତର ବିକାଶକ୍ଷେତ୍ରରେ ମାର୍ଗଦର୍ଶକର ଭୂମିକା ଗ୍ରହଣ କରିଥିଲା । “ଶିଳ୍ପାୟନ କର ନଚେତ୍ ବିନାଶ” ଏହି ମନ୍ତ୍ରରେ ସେ ବିଶ୍ୱାସ କରୁଥିଲେ ଏବଂ ଭାରତର ଆର୍ଥିକ ସ୍ୱାବଲମ୍ବନଶୀଳତା ଓ ଦ୍ରୁତ ଶିଳ୍ପାୟନର ଥିଲେ ଜଣେ ମହାନ ପ୍ରବକ୍ତା ।

ତାଙ୍କର ଅସାଧାରଣ ଅବଦାନ ପାଇଁ ୧୯୧୫ ମସିହାରେ ବ୍ରିଟିଶ ସରକାର ତାଙ୍କୁ ନାଇଟ୍‌ ଉପାଧି ପ୍ରଦାନ କରିଥିଲେ ଏବଂ ୧୯୫୫ ମସିହାରେ ସେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ହୋଇଥିଲେ । ୧୯୬୨ ମସିହା ଅପ୍ରେଲ୍‌ ମାସ ଚଉଦ ତାରିଖରେ ୧୦୧ ବର୍ଷ ବୟସରେ ଭାରତ ମାତାଙ୍କର ଏହି କୃତୀ ସନ୍ତାନ ଇହଧାମ ତ୍ୟାଗ କରିଥିଲେ, କିନ୍ତୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଇଞ୍ଜିନିୟରିଂ ପ୍ରକଳ୍ପଗୁଡ଼ିକରେ ସକ୍ରିୟ ଥିଲେ । ବିଶ୍ଵେଶ୍ଵରାୟାଙ୍କ ସ୍ମୃତିରେ ୧୯୬୮ ମସିହାରୁ ସାରା ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ପନ୍ଦର ତାରିଖରେ ଇଞ୍ଜିନିଅର ଦିବସ ପାଳନର ପ୍ରଥା ଆରମ୍ଭ ହୋଇଥିଲା । କେବଳ ଭାରତ ନୁହେଁ, ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ମଧ୍ୟ ତାଙ୍କ ପ୍ରଭାବଶାଳୀ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ସେହି ଦିନ ଇଞ୍ଜିନିଅର ଦିବସ ପାଳିତ ହୁଏ । ଏହା ତାଙ୍କର ଆନ୍ତର୍ଜାତିକ ଖ୍ୟାତି ଏବଂ ପ୍ରଭାବର ପ୍ରମାଣ ।

ତାଙ୍କ ଜୀବନର ପ୍ରତ୍ୟେକ ପଦକ୍ଷେପ ଥିଲା ଦେଶହିତ ନିମନ୍ତେ ସମର୍ପିତ ଯାହା ପ୍ରକୃତ ସଫଳତା କେବଳ ବ୍ୟକ୍ତିଗତ ଉନ୍ନତିରେ ନୁହେଁ, ବରଂ ସମାଜ ଏବଂ ରାଷ୍ଟ୍ରର କଲ୍ୟାଣରେ ନିହିତ ବୋଲି ଆମକୁ ଶିଖାଇଥାଏ । ତାଙ୍କ ଜୀବନଦର୍ଶନ ଆମକୁ ଶିଖାଏ ଯେ ଇଞ୍ଜିନିୟରିଂ କେବଳ ଏକ ବୃତ୍ତି ନୁହେଁ, ବରଂ ଏହା ହେଉଛି ମାନବ ସଭ୍ୟତାର ଉନ୍ନତି ଏବଂ ପ୍ରଗତିର ଏକ ମାଧ୍ୟମ । ବିଶ୍ଵେଶ୍ଵରାୟାଙ୍କ ଜୀବନୀରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ । ତାଙ୍କର ସମସ୍ତ ପ୍ରକଳ୍ପ ଏବଂ ଯୋଜନା କେବଳ ତତ୍କାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୁହେଁ, ବରଂ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ମଧ୍ୟ ଆଖି ଆଗରେ ରଖି ପ୍ରସ୍ତୁତ ହୋଇଥିଲା ।

କେବଳ ବିଶ୍ଵେଶ୍ଵରାୟାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ନୁହେଁ, ବରଂ ଇଞ୍ଜିନିଅର ଦିବସ ପାଳନ ହେଉଛି ରାଷ୍ଟ୍ର ନିର୍ମାଣ ନିମନ୍ତେ ସମଗ୍ର ଇଞ୍ଜିନିୟର ସମାଜର ଥିବା ଉତ୍ସର୍ଗୀକୃତ ଅବଦାନର ସ୍ୱୀକୃତି । କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ, ଏବଂ ସ୍ପେସ୍‌ ଟେକ୍ନୋଲୋଜି ଇତ୍ୟାଦି ପ୍ରଯୁକ୍ତି ଇଞ୍ଜିନିୟରିଂ କ୍ଷେତ୍ରରେ ନୂତନ ଦିଗନ୍ତ ଉନ୍ମୋଚନ କରୁଥିବା ଆଜିର ଡିଜିଟାଲ ଯୁଗରେ ତାଙ୍କ ମୂଳ ସିଦ୍ଧାନ୍ତଗୁଡ଼ିକ ସମାନ ପ୍ରାସଙ୍ଗିକତା ସହିତ ଆମକୁ ମାର୍ଗଦର୍ଶନ କରି ଚାଲିଛନ୍ତି । ଆଜିର ଇଞ୍ଜିନିୟରମାନେ ବିଶ୍ଵେଶ୍ଵରାୟାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ସମାଜର ସବୁଠାରୁ ଦୁର୍ବଳ ବର୍ଗର କଲ୍ୟାଣ ପାଇଁ କାର୍ଯ୍ୟ କରିପାରିବେ । ତାଙ୍କର “ଶିଳ୍ପାୟନ କର ନଚେତ୍ ବିନାଶ” ମନ୍ତ୍ର ଆଜି ମଧ୍ୟ ସମାନ ପ୍ରାସଙ୍ଗିକତା ସହିତ ଆମକୁ ଆତ୍ମନିର୍ଭରଶୀଳତା ଏବଂ ନବସୃଜନର ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଇଥାଏ ।

ଇଞ୍ଜିନିଅର ଦିବସ ପାଳନ ଆମକୁ ମନେ ପକାଇଦିଏ ଯେ ପ୍ରଯୁକ୍ତି ଏବଂ ଇଞ୍ଜିନିୟରିଂ ବିଦ୍ୟା କେବଳ ଅର୍ଥ ଉପାର୍ଜନ କିମ୍ବା ବ୍ୟକ୍ତିଗତ ସଫଳତା ପାଇଁ ନୁହେଁ, ବରଂ ମାନବ କଲ୍ୟାଣ ଏବଂ ସମାଜର ସାମଗ୍ରିକ ଉନ୍ନତି ପାଇଁ ବ୍ୟବହୃତ ହେବା ଉଚିତ୍ । ବିଶ୍ଵେଶ୍ଵରାୟାଙ୍କ ଜୀବନର ଏହି ଅନୁପମ ଗାଥା ଆମକୁ ମନେ ପକାଇଦିଏ ଯେ ପ୍ରକୃତ ମହତ୍ତ୍ୱ ବ୍ୟକ୍ତିଗତ ଉପଲବ୍ଧିରେ ନୁହେଁ, ବରଂ ସମାଜର ସେବାରେ ଏବଂ ଦେଶର ଗୌରବ ବୃଦ୍ଧିରେ ନିହିତ । ଏହିପରି ଭାବରେ, ଇଞ୍ଜିନିଅର ଦିବସ କେବଳ ଏକ ଔପଚାରିକ ଜାତୀୟ ଦିବସ ନୁହେଁ, ବରଂ ଏହା ହେଉଛି ସେହି ଆଦର୍ଶ ଏବଂ ମୂଲ୍ୟବୋଧର ପୁନରାବୃତ୍ତି ଯାହା ଭାରତୀୟ ଇଞ୍ଜିନିୟରିଂ ବୃତ୍ତିର ଅଗ୍ରଦୂତ ବିଶ୍ଵେଶ୍ଵରାୟା ନିଜ ଜୀବନରେ ପ୍ରତିଷ୍ଠା କରିଥିଲେ । ତାଙ୍କର ଏହି ଅମର ଆଦର୍ଶ ଭବିଷ୍ୟତ ପିଢ଼ିର ଇଞ୍ଜିନିୟରମାନଙ୍କୁ ନୈତିକ ଦୃଢ଼ତା, ସୃଜନଶୀଳ ଚିନ୍ତାଧାରା ଏବଂ ଦେଶପ୍ରେମରେ ଅନୁପ୍ରାଣିତ କରି ଏକ ଉନ୍ନତ ଏବଂ ସମୃଦ୍ଧ ଭାରତ ଗଢ଼ିବାରେ ସହାୟକ ହେବ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top