ଅନୁବାଦ ସାହିତ୍ୟ

ଛୋଟ ସହରର ସମୁଦ୍ର

Ritika Pattnaik translated Anees Salim’s Small Town Sea into Odia as Chota Saharara Samudra.

ଦୁଃସାହସିକ ଖେଳକସରତକାରୀ ଭଳି ଆମେ ସମତାଳରେ ତଳକୁ ଓହ୍ଳାଇଗଲୁ । ବୁଦା ଡେଇଁ ମାଦାମା ଲେନ ଦେଇ ଘରକୁ ଦୌଡ଼ିଲୁ । ଅବଶ୍ୟ ଆମ ଗତିରେ ଥିଲା ନିରୀହ ମନ୍ଥରତା, ବାଧ୍ୟବାଧ୍ୟକତାରେ । ରାସ୍ତାମୋଡ଼ରେ ଆମେ ଭାପ୍ପାଙ୍କୁ ଭେଟିଲୁ ।

ପୂର୍ବରୁ

ମିଃ ଅନୱିନ୍‌, ଭେଟନ୍ତୁ, ବିଲାଲକୁ ।

ପ୍ରବେଶପଥ ଉପରେ ବେଢ଼େଇ ଥିବା କାଗଜଫୁଲର ତୋରଣ ତଳେ ଛିଡ଼ା ହୋଇଥିଲେ ଦୁଇଜଣ ବାଳକ, ସେମାନଙ୍କ ପଛରେ କାଠ ଫାଟକ ଖୋଲା ଥିଲା । ଦୁଇଙ୍କ ମଧ୍ୟରୁ ବିଲାଲ ଡେଙ୍ଗା, ଆଖି ମିଟିକା ମାରୁଥିବା ବାଳକଟି ମୁଁ ନିଜେ, ଉଚ୍ଚତାରେ କମ୍ । ଅବଶ୍ୟ ଏହି ତେରଚ୍ଛା ନଜର କ୍ଷଣିକ ପାଇଁ ଥିଲା ଓ ଫଟୋ ଉଠାଇଲା ବେଳେ ହିଁ ମୁଁ ଆଖି ମୁଦି ପକାଇଥିଲି,ସୂର୍ଯ୍ୟତେଜ ଯୋଗୁଁ ନୁହେଁ । କ୍ୟାମେରା ଲେନ୍ସର ମୋ ଉପରେ ନିବଦ୍ଧ ଦୃଷ୍ଟି ଯୋଗୁଁ ମୋ ଅସହଜତାକୁ କେବଳ ଲୁଚାଇବାକୁ ପ୍ରୟାସ କରୁଥିଲି । ବୋଗେନଭିଲ୍ଲିଆରେ ଆମର ପ୍ରଥମ ଇଦ୍‌ରେ ଏହି ଫଟୋ ଉଠାଯାଇଥିଲା । ମୁଁ ବିଲାଲକୁ ଆମ ଭୋଜିକୁ ଡକାଇଥିଲି କାରଣ ମୁଁ ତା’ର ଋଣୀ ଥିଲି । ଏହା ଆଉ ଏକ କାହାଣୀ । କିନ୍ତୁ ଏହି କାହାଣୀକୁ ମୁଁ ଏବେ ବର୍ଣ୍ଣନା କରିଦେବାକୁ ଚାହେଁ କାରଣ ଏହା ଉପନ୍ୟାସର ଅନ୍ୟ କୌଣସି ଭାଗରେ ଖାପ ଖାଇନପାରେ ।

ଭାପ୍ପା, ଚାଚୁ ୟାଜିନ, ବୁଆ ୟାସମିନଙ୍କ ଆଲମା ମାଟର ଅର୍ଥାତ୍ ସେମାନେ ପଢ଼ୁଥିବା ଟାଉନ ସ୍କୁଲରେ ମୋର ଦାଖଲ ହବାର ଏକ ସପ୍ତାହ ପରେ, ମୁଁ ବିଲାଲକୁ ପାହାଡ଼ର ଢାଲୁପଥରେ ପ୍ରଥମେ ଭେଟିଲି । ସ୍କୁଲରେ ଆମେ ଗୋଟିଏ ବେଞ୍ଚରେ ବସୁଥିଲୁ କାରଣ ଆମେ ପ୍ରାୟ ସମାନ ଉଚ୍ଚତାର ଥିଲୁ ଓ ମୁଁ ଇଚ୍ଛା କରୁଥିଲୁ ସେ ମୋଠାରୁ ଏକ ଇଞ୍ଚ୍‌ ଡେଙ୍ଗା ହେଇଯାଉ ତାହହେଲେ ମୋତେ ଆଉ ତା’ପାଖରେ ବସିବାକୁ ପଡ଼ିବନି: ତା’ ଦେହ ବସନ୍ତକାଳର କାଜୁ ବଗିଚାର ସୁଗନ୍ଧ ଭଳି ବାସୁଥିଲା ଏବଂ ମୁଁ କାଜୁ ଫୁଲକୁ ମୃତ୍ୟୁ ସହିତ ଯୋଡ଼େ । ତା’ ସହିତ ସଂଯୋଗବଶତଃ ସାକ୍ଷାତ ପରେ ଏପରି ଘଟଣା ଶୃଙ୍ଗଳା ସଙ୍ଘଠିତ ହେଲା ଯେ ଶେଷରେ ଆମେ ପରସ୍ପରର ନିକଟତର ହେଲୁ, ସହଯୋଗୀ ଥିଲୁ ଅନେକ ଛୋଟମୋଟ ଦୁଷ୍ଟ ଦୁରଭିିସନ୍ଧି ଅଭିଯାନର ।

ଏମିତି ଦିନମାନଙ୍କରେ ଭାପ୍ପା ପୂର୍ବବତ୍ ଚଳଚଞ୍ଚଳତା ଫେରିପାଇ ବାହାରେ ବୁଲିବାକୁ ଉତ୍କଣ୍ଠିତ ହେଲେ, ଏବଂ ଆମେ ଉତ୍ତରର ପାହାଡ଼ି ଢାଲୁରାସ୍ତାରେ ତଳକୁ ଲମ୍ବିଥିବା ପଥ ଦେଇ ଇତସ୍ତତଃ ଓହ୍ଳାଉଥିଲୁ । ପଥସାରା ଛୋଟିଆ ଝୁମ୍ପୁଡି ଦୋକାନମାନ ସ୍ମରଣିକା ପାଇଁ ଦୁର୍ଲଭ ଚିଜ ବିକୁଥିଲେ ଓ ଅଜବ ନାମର ଖାଦ୍ୟ ବି । ଏକ କାଫେ ବାହାରେ ମୁଁ ବିଲାଲକୁ ଦେଖିଲି କିନ୍ତୁ ଦୀର୍ଘ ମୂହୂର୍ତ୍ତଯାଏ ମୁଁଯାହା ଦେଖିଲି ବିଶ୍ୱାସ କରିପାରିଲି ନାହିଁ । କାଫେର ଭୋଜନ ଲାଗି ଉଦ୍ଧିଷ୍ଟ ସ୍ଥାନକୁ ବେଢେ଼ଇଥିବା ବାଡ଼ରେ ନଇଁପଡ଼ି ପାଦଆଙ୍ଗୁଳି ଟିପରେ ଛିଡ଼ା ହେଇଥିଲା ବିଲାଲ । ସମାନ ଡ଼ିଜାଇନର ସନ୍‌ଗ୍ଲାସ ପିନ୍ଧିଥିବା ଏକ ଶ୍ୱେତାଙ୍ଗ ଦମ୍ପତ୍ତିଙ୍କ ସମ୍ମୁଖରେ ଗୋଟିଏ ହାତ ବଢ଼ାଇ, ଅନ୍ୟ ହାତରେ ପେଟ ବାଡ଼େଇ ଭୋକ ହେଉଛି ବୋଲି ଇସାରା କରୁଥିଲା । ଖରାତେଜରେ ତ୍ୱଚାର ରଙ୍ଗ ବାଲିକାଗଜ ସଦୃଶ ପିଙ୍ଗଳ ଦେଖା ଯାଉଥିବା ସେଇ ଦମ୍ପତ୍ତି ତାକୁ ଦେଖୁଥିଲେ ଯେମିତି ଲୋକେ ରାସ୍ତାରେ ଦୁଃସାହସିକ କସରତ ଦେଖାଉଥିବା ମଣିଷକୁ ଦେଖନ୍ତି । ଅବଶ୍ୟ ମୁଖଭଙ୍ଗୀମାରେ ସାମାନ୍ୟ ଅରୁଚି ଥିଲା କିନ୍ତୁ ତାହା ଆଦର କିମ୍ବା ଅନାଗ୍ରହକୁ ସ୍ପଷ୍ଟ ସୂଚାଉବାକୁ ଯଥେଷ୍ଟ ନଥିଲା ।

ବିଲାଲକୁ ଭିକ ମାଗୁଥିବାର ଦେଖି ମୁଁ ଆଚମ୍ବିତ ହେଲି । ଟେଲିଭିଜନ୍‌ ସିରିଏଲ୍‌ ବାଦ୍‌ ମୁଁ ଏପରି କାହାକୁ ଖୋଲାଖୋଲି ବିନା ସେଙ୍କାଚରେ ଭିକ ମାଗୁଥିବା କେବେ ଦେଖିନଥିଲି । ନା ହିଁ ମୁଁ କେବେ କଳ୍ପନା କରିପାରୁଥିଲି ଯେ ସପ୍ତାହଯାକ ସ୍କୁଲରେ ପାଠ ପଢ଼ୁଥିବା କୌଣସି ଛାତ୍ର ସପ୍ତାହନ୍ତରେ ଭିକ ମାଗେ । ତାକୁ ନଜରଅନ୍ଦାଜ କରି ସମୁଦ୍ର ଦିଗକୁ ଅନେଇ, ସମୁଦ୍ରର ଗର୍ଜନକୁ କାନେଇ ମୁଁ ତାକୁ ଆଡ଼େଇ ଚାଲିଗଲି । ଆମେ ଏକ ମାଛ ବିକ୍ରୟ ଦୋକାନ ଦେଇ ପାର ହେଉଥିଲୁ । ଦୋକାନରେ ଆଜି ଦିନକରେ ଧରାଯାଇଥିବା ମାଛ ଯେଭଳି ନିଦୁଆ ଆଖିରେ ଚୂନା ବରଫଗଦାରେ ଅପେକ୍ଷାରତ ଥିଲେ । ଦୋକାନୀକୁ ପ୍ରତ୍ୟେକ ଜାତିର ମାଛର ଇଂରେଜୀ ନାମ ଜଣା ଥିଲା ଓ ସେ ଏକ ତାଲିମ୍‌ପ୍ରାପ୍ତ ସେଲସ୍ମ୍ୟାନ୍‌ ଭଳି ଭଦ୍ର ବ୍ୟବହାର କରୁଥିଲା; କାରଣ ତା’ର ଗରାଖ ପ୍ରାୟତଃ ବିଦେଶୀ ପର୍ଯ୍ୟଟକ ଥିଲେ ଓ ତା’ର ଜିନିଷସବୁ ଅସମ୍ଭବ ଭାବେ ଦାମିକା ଥିଲା । ଏତିକିବେଳେ ମୋ ନାମ ଧରି କେହି ଡାକୁଥିବାର ଶୁଣିଲି । ମୁଁ ବହୁତ ପ୍ରୟାସ କଲି ସେ ଡାକ ନଶୁଣିବା ପାଇଁ । ଏଣୁ ସେ କଣ୍ଠସ୍ୱର ଆହୁରି ଉଚ୍ଚା ହେଉଥିଲା ଏବଂ ମୁଁ ବି ତୀବ୍ରଗତିଶୀଳ ହେଲି ।

“ଆରେ ତୁ କ’ଣ କାଲ?”, ଭାପ୍ପା କଡ଼ା ସ୍ୱରରେ କହିଲେ । “ତୋତେ କେହି ଡାକୁଛି ପରା ।”

ମୁଁ ବୁଲିପଡ଼ି ବିଲାଲକୁ ଦେଖିଲି, ସେ ଦୌଡ଼ିକରି ଆସିଥିବାରୁ ତା’ ମୁହଁ ଲାଲ ପଡ଼ିଯାଇଥିଲ, ଧଇଁସଇଁ ହେଉଥିଲା ।

ସେମିତି ଧଇଁସଇଁ ହେଇ ସେ କହିଲା, “ହାଲୋ ।”

ମୁଁ ବି ହାଏ ଏବଂ ଗୁଡ଼ବାଏ ଏକାଠି କହିଦେଇ ମୋ ବାଟରେ ଚାଲିଯିବାକୁ ଚାହୁଁଥିଲି । କିନ୍ତୁ ଭାପ୍ପା ସେତେବେଳେକୁ ବିଲାଲର ହାତ ଧରି ତା’ ନାମ ଏବଂ ଠିକଣା ପଚାରୁଥିଲେ ।

“ଟାଉନ ମସଜିଦ୍ ପଛପାଶ୍ୱର୍ରେ” , ସେ କହିଲା, ସେହିପରି ଧଇଁସଇ ହେଇ ।

“ଟାଉନ ମସଜିଦ୍ ପଛରେ?”, ଭାପ୍ପାଙ୍କ ମୁହଁ ବିକୃତ କରି କହିଲେ । “ମସଜିଦ୍‌ ପଛରେ ତ ରେଲଧାରଣା ଅଛି ।”

“ମସଜିଦ୍‌ର ପରିସର ଭିତରେ”, ବିଲାଲ କହିଲା । ଭାପ୍ପାଙ୍କ ଭ୍ରୁଲତା ସେତେବେଳକୁ କୁଞ୍ଚିତ ହୋଇଆସୁଥିଲା । “ମୁଁ ଅନାଥଶ୍ରମରେ ରୁହେ”, ଅସ୍ପଷ୍ଟ ଶବ୍ଦରେ ବିଲାଲ ଯୋଡ଼ିଲା ।

ଭାପ୍ପା ହସିବାକୁ ଚେଷ୍ଟା କଲେ, ସତେ ଯେପରି ସେ ନିଜ ଅପ୍ରସ୍ତୁତ ଭାବକୁ ଲୁଚାଇବାକୁ ଚେଷ୍ଟିତ ଥିଲେ । ତଥାପି ସେ ସ୍ୱର ନରମ କରି କହିଲେ, “କାହିଁକି ପର୍ବତଶୀର୍ଷକୁ ଆସିଥିଲ?”

ବିଲାଲ ମିଛ କହିବ ବୋଲି ମୁଁ ଭାବୁଥିଲି ବରଂ ଓଠରେ ଅପ୍ରତିଭ ଲାଜୁଆ ହସଟିଏ ଖେଲାଇ ସେ କିଛି କହିଲା ନାହିଁ । ଯେଉଁ ଶ୍ୱେତାଙ୍ଗ ଦମ୍ପତ୍ତିକୁ ବିଲାଲ ଭିକ ମାଗୁଥିଲା, ସେମାନେ ସେଇକ୍ଷଣି ଆମକୁ ଅତିକ୍ରମ କଲେ ହାତ ଧରାଧରି ହୋଇ, ସେମାନଙ୍କ କେଶ ପବନରେ ଫୁର୍‌ଫୁର୍‌ ଉଡ଼ୁଥିଲା । ବିଲାଲକୁ ଦେଖି ଶ୍ୱେତାଙ୍ଗ ପୁରୁଷଜଣକ ଗାଲ ଫୁଲେଇଲେ ଓ ମହିଳାଜଣକ ନିଜ ସନ୍‌ଗ୍ଳାସ୍‌ କାଢ଼ି ବିଲାଲକୁ ଦେଖିଲେ, କୌତୁକଭରା ନଜରରେ ।

“ତୁମର ଏଠାରେ ବହୁତ ସାଙ୍ଗ ଅଛନ୍ତ”, ଭାପ୍ପା କହିଲେ ।

ସୂର୍ଯ୍ୟ ଅସ୍ତପ୍ରାୟ ଥିଲେ, ଝୁମ୍ପୁଡ଼ିବସ୍ତିରେ ଆଲୋକ ଗୋଟାଏ ପରେ ଗୋଟାଏ ଜଳି ଉଠୁଥିଲା । ଶୀଘ୍ର ଅନ୍ଧାର ହେଇଯିବ, ଟାଉନକୁ ଫେରିଯିବାକୁ ଭାପ୍ପା ବିଲାଲକୁ ମନେ ପକାଇଦେଲେ । ଅନ୍ଧାରର ନାମ ଶୁଣିବା ମାତ୍ରକେ ସତେ ଯେପରି ବିଲାଲ ଭୟରେ ଶିହରି ଗଲା, ତେଣୁ ସେ ଶୀଘ୍ର ଚାଲିଗଲା, ପର୍ବତ ନିମ୍ନଦେଶକୁ ଫେରିଯାଉଥିବା ଲୋକଙ୍କ ଛୋଟିଆ ଦଳ ସହିତ ମିଳେଇଗଲା । ରାତିରେ ମୁଁ ଭାବୁଥିଲି ଶ୍ୱେତାଙ୍ଗ ଦମ୍ପତ୍ତିଙ୍କ ସାମ୍ନାରେ ଭୋକର ଅଭିନୟ କରି ବିଲାଲ କ’ଣ ପାଇଲା ? ସେମାନଙ୍କଠୁ ପ୍ରତିଦାନରେ କେବଳ ମାତ୍ର ସ୍ମିତ ହସ ଖସାଇବାରେ ସଫଳ ହେଲା ସେ । କିନ୍ତୁ ସକାଳେ ମୁଁ ସ୍କୁଲ ଫାଟକ ଡେ଼ଇବା ମାତ୍ରକେ ଏହି ପ୍ରଶ୍ନ ର ଉତ୍ତର ମିଳିଗଲା ।

“ମୋ ପାଖରେ ଏକ ଡଲାର ଅଛି”, ସେ ଏକ ପଞ୍ଜୁରୀ ପାଖରେ ଛିଡ଼ା ହୋଇ ପକ୍ଷୀମାନଙ୍କୁ ଦାନା ଦେଉଥିଲା । “ ଭୋଜନ ବିରତିରେ ଖର୍ଚ୍ଚ କରିବା ।”

ଭୋଜନ ବିରତି ବେଳେ ମୁଁ ମୋ ଜୀବନର ପ୍ରଥମ ଡଲାର ଦେଖିଲି । ଟଙ୍କାଠାରୁ ବେଶ ପରିଚ୍ଛନ୍ନ ଓ ଆକର୍ଷକ । ତା ମଝିରେ ଥିବା ମୁହଁ କେତେବେଳେ ପୁରୁଷ ଭଳି ଦେଖାଯାଉଥିଲା ତ କେତେବେଳେ ନାରୀ ପରି । ଡଲାରଟି ହାତକୁ ଖଡ଼ଖଡ଼ିଆ ଲାଗୁଥିଲା, ମୁଲାୟମ ଦିଶୁଥିଲା ଏବଂ ଜବରଦସ୍ତ ନକଲି ମନେ ହେଉଥିଲା । ଅପରାହ୍ଣରେ ମୁଁ ବିଲାଲ ସହିତ ଦୋକାନକୁ ଗଲି; ଦୋକାନର ଗୋଟିଏ ଅଂଶରେ ଦୋକାନୀର ଆବାସିକ ଥିଲା ଏବଂ ଅନ୍ୟଟି ବ୍ୟବସାୟ ପାଇଁ ବ୍ୟବହୃତ ହେଉଥିଲା । ଦୋକାନ କୋଠରୀରେ ଜିନିଷ ଭର୍ତ୍ତି ହୋଇ ଚଟାଣସାରା ବିଛାଡ଼ିଯାଇ ହିସାବକିତାପ ପାଇଁ ସମ୍ଭବତଃ ବ୍ୟବହୃତ ପାଖ କୋଠରୀକୁ ବି ଖେଳାଇ ଯାଇଥିଲା । ତା’ମୁହଁରେ ବିରକ୍ତିସୂଚକ ଭାବ ସ୍ଥାୟୀ ଭାବେ ଲାଖି ରହିଥିଲା, କାନନିମ୍ନ ଭାଗ ଲୋମଶ ଥିଲା ଓ ତା’ଠି ବାରି କରିହେଉଥିଲା ବେପାରୀ ଢଙ୍ଗର ଚିନ୍ତିତ ସଜାଗତା । କିନ୍ତୁ କ’ଣ ହେବ, ସେ ତ ଚୋରଙ୍କଠୁ ସୁରକ୍ଷିତ ନୁହେଁ ।

“ବଦଳରେ ଟଙ୍କା ଦିଅ”, ଦୋକାନୀକୁ ଡଲାଲ ବଢ଼ାଇଦେଇ ବିଲାଲ କହିଲା । ଦୋକାନୀ ସହିତ ତା’ର ବ୍ୟବହାରରୁ ଜଣାପଡ଼ୁଥିଲା ଯେ ଏହା ପ୍ରଥମ ନୁହେଁ । ଦୋକାନୀ ଡଲାରଟି ଟର୍ଚ୍ଚ ଆଲୁଆରେ ଏପଟ ସେପଟ କରି ପରଖିଲା । “ଏକ ଡଲାଲ ଆଜି ୪୧ ଟଙ୍କା”, ସେ କହିଲା ଶେଷରେ ।

“୬୨”, ବିଲାଲ କହିଲା ।

“ତୋତେ କିଏ କହିଲା?”, ଦୋକାନୀର ମୁହଁର ବିରକ୍ତିସୂଚକ ରେଖାମାନ ଆହୁରି ଗାଢ଼ ହେଲା ।

“ଖବରକାଗଜ, ଆଜିର ତାରିଖରେ ଡଲାରଟିଏ ୬୨ ଟଙ୍କା ।”

“ଠିକ୍ ଅଛି”, ଦୋକାନୀ ଜଣକ ଡଲାଲରୁ କାଉଣ୍ଟର୍‌ରେ ଥପ୍ କରି ରଖିଲେ । “ଖବରକାଗଜ ଅଫିସକୁ ଯାଆ ଓ ତୋ ଟଙ୍କା ନେଇଆ । ଯା ।”

ବିଲାଲ ଡଲାର ବିଲଟିକୁ କାଉଣ୍ଟର୍‌ରୁ ଝାମ୍ପିନେଇ ମୋତେ ବୋକା ଭଳି ଅନୁଭବ କରାଇ ଦୋକାନ ବାହାରକୁ ଜଲଦି ଜଲଦି ଖେପିିଗଲା । ମୁଁ ସେଇଠି ଛିଡ଼ା ହୋଇରହିଲି । କିନ୍ତୁ ସେ ତୁରନ୍ତ ଫେରିଲା ଓ ଡଲାରକୁ କାଉଣ୍ଟର୍‌ରେ ଧଡ଼ାସ କରି ରଖିଲା । “ଠିକ୍ ଅଛି , ଆରଥରକୁ ମୋତେ ୬୨ ଦେବ ।”

ଯଦିଓ ଡଲାର ବଦଳରେ ଆମକୁ ଖୁବ୍ କମ୍ ଟଙ୍କା ମିଳିଥିଲା, ଦୁଇ ବୋତଲ କୋକ୍ , ଦୁଇ ଖଣ୍ଡ ପ୍ଲମ କେକ୍, ବହୁତ ବର୍ଫ କୁକିସ୍ ଭଳି ଅନେକ ଜିନିଷ କିଣିବାରେ ଉପଯୋଗୀ ସାବ୍ୟସ୍ତ ହେଲା ଓ କିଛି ଖୁଚୁରା ମଧ୍ୟ ମିଳିଗଲା । ଖୁଚରା ସବୁକୁ ବିଲାଲ ତା ଅଲଗା ଅଲଗା ପକେଟରେ ରଖିଦେଲା ଯେମିତିକି ଅନାଥଶ୍ରମର ପାହାଚ ଓହ୍ଳାଇଲା ବେଳେ ତାହା ଝଣଝାଣ ଶବ୍ଦ କରିବ ନାହିଁ । କେକ୍ ଖାଇସାରିଲା ପରେ ଓ କୋକ୍ ପିଇସାରିଲା ପରେ ପରେ ହିଁ ମୁଁ ବିଲାଲ ସହିତ ବନ୍ଧୁତା ଯୋଗୁଁ ଅନୁତପ୍ତ ହେଲି କାରଣ ଡଲାରଟି ପାଇଁ ତା’ ସହିତ ମୁଁ ଖାଦ୍ୟ ବାଣ୍ଟିଲି । ବର୍ପସ୍ କୁୁକିସ୍ ଗପ୍‌ଗପ୍ ଖାଉଖାଉ ମୁଁ ନିଷ୍ପତ୍ତି ନେଲି ଏହି ଭୋଜିର ପରିଶୋଧ କରିବ, ଯେକୌଣସି ପ୍ରକାରେ ଓ ଜଲଦି ।

ଏକ ମାସ ଉପରାନ୍ତ ମୁଁ ତାକୁ ଛୋଟ ଇଦ୍ ଅର୍ଥାତ୍ ଇଦୁଲ ଫିତର ଭୋଜିକୁ ନିମନ୍ତ୍ରଣ କଲି । ସେହିଦିନ ଭାପ୍ପା ଆମକୁ କାଗଜଫୁଲର ତୋରଣ ତଳେ ଛିଡ଼ା କରାଇ ହସିବାକୁ କହିଲେ । ବିଲାଲ ତ ସାଙ୍ଗେ ସାଙ୍ଗେ ଛାତି ଫୁଲାଇ, ମିଲିଟାରି ପୋଜ୍‌ରେ ଛିଡ଼ା ହେଇଗଲା । କିନ୍ତୁ କ୍ୟାମେରା ସାମ୍ନାରେ ମୋ ଆଖି ଝଲସିଗଲା ।

ଏ ଫଟୋ ଉଠାଇବା ନିଶ୍ଚିତ ନଥିଲା । ଛୋଟ ଇଦ୍ ପାଳନ ହେବା କି ନା ବୋଲି ଚାପା ଆଲୋଚନା ଆରମ୍ଭ ହୋଇଯାଇଥିଲା । ଭାପ୍ପାଙ୍କ ଅସୁସ୍ଥତା ପାଇଁ ଏପରି ଉତ୍ସବ ପାଳନ କରିବାକୁ ଆମକୁ ବିରତ ରହିବାକୁ ପଡ଼ିବ ବୋଲି ଭାପ୍ପୁମ୍ମା କହୁଥିଲେ କିନ୍ତୁ ବୁଆ ୟାସମିନ ପରାମର୍ଶ ଦେଲେ ଯେ ଏହି ଦିନକୁ ବେଶ ସ୍ମରଣୀୟ କରାଯିବ ସର୍ବାପେକ୍ଷା ଉଚିତ୍ ହେବ । କାରଣ ପରବର୍ତ୍ତୀ ଇଦ୍ୟାଏ ଭାପ୍ପା ଜୀବିତ ଥିବେ ନା ନାହିଁ ସନ୍ଦେହ । ତେଣୁ ଆମେ ସଂଯତ ରହି ନିରାଡ଼ମ୍ବରରେ, ବିନା ଅତିଥିରେ, ବିନା ନୂଆ ପୋଷାକରେ ଇଦ୍ ପାଳନ କରିବାକୁ ନିଷ୍ପତ୍ତି ନେଲୁ ।

ବିଲାଲକୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିବାକୁ ମୁଁ ଜୋର ଦେଇ କହିଲି । ଆଉ ସେ ଅନାଥଶ୍ରମର ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ହୋଇ ଅତରରେ ବାସ୍ନାୟିତ ଉଜ୍ଜ୍ୱଳ ସଫେଦ ଜୁବ୍ୱା ଓ ସଫେଦ ପାଇଜାମା ପିନ୍ଧି ଇମାମ୍‌ଙ୍କ ସାଇକେଲ ଚଢ଼ି ଆସିଲା । ତା ପୋଷାକ ନୂଆ ଲାଗୁଥିଲା କିନ୍ତୁ ସେଥିରୁ ନିର୍ଗତ ବାସ୍ନା ମୋତେ ଅନ୍ତିମ ସଂସ୍କାର ମନେ ପକାଇଦେଉଥିଲା । ମୋ ପିତାମାତା ଅତି ଖୁସି ହେବା ଭଳି ଅଭିନୟ କଲେ କାରଣ ସେମାନେ ଜାଣିଥିଲେ ସେ କେଉଁଠାରୁ ଆସିଛି । ବିଲାଲ ଧିରେ ଧିରେ ଲଜ୍ଜା ଛାଡ଼ି ଆମ ସହିତ ଭୋଜନ କରି ପ୍ରକୃତରେ ପେଟ ଭର୍ତ୍ତି ହେଇଗଲା ବୋଲି କହିଲା ପରେ ବି ଉମ୍ମା ଅଧିକ ଯତ୍ନରେ ତାକୁ ବାଧ୍ୟ କରି ଖୁଆଇଲେ । ଆମ ଆତିଥ୍ୟର ପ୍ରତିଦାନ ଫେରେଇବ ବୋଲି ବିଲାଲ ଅନ୍ତରରୁ ଅନୁଭବ କଲା । ଭୋଜନ ସମାପନ୍ତେ ବିଲାଲ ଉମ୍ମାଙ୍କୁ କହିଲା ଯେ ସେ ଅନାଥଶ୍ରମର ଅନ୍ୟ ଅନ୍ତେବାସୀଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ଉମ୍ମା ଭ୍ରୃଲତାକୁ ବକ୍ରାୟିତ କଲେ ଏବଂ ମୁଖର ଏପରି ଭାବଭଙ୍ଗୀ ଦ୍ୱାରା ଏହାର ରହସ୍ୟ ଜାଣିବାକୁ ବିନା ଶବ୍ଦରେ ଜଣାଇଲେ । ଗ୍ରୀଷ୍ମ ଋତୁର ଆଗମନ ମାତ୍ରେ ହିଁ ଆଶ୍ରମର ଆବାସିକ କୋଠାରେ ତା ସହିତ ନିବାସ କରୁଥିବା ସାଥୀ ଆଉ ଅନାଥ ପଦବାଚ୍ୟ ହୁଅନ୍ତି ନାହିଁ । ତାଙ୍କର ମାତାମାନେ ସେମାନଙ୍କୁ ନେବା ପାଇଁ ମସଜିଦ୍ ବାହାରେ ଏକତ୍ରିତ ହୁଅନ୍ତି । “ଅନାଥଙ୍କ ମା’ ଥାଆନ୍ତି?”, ଉମ୍ମା ପଚାରିଲେ, ଟିକେ ଦୋଦୋପାଞ୍ଚ ହେଇ । “ହଁ”, ସେ କହିଲା, ମସଜିଦ୍, ଅନାଥଶ୍ରମର ପୃଷ୍ଠପୋଷକ, ଷୋହଳ ବର୍ଷରୁ କମ୍ ପିତୃହୀନ ପିଲାଙ୍କୁ ଅନାଥ ବୋଲି ମାନନ୍ତି । କିନ୍ତୁ ବିଲାଲର କେହି ମା’ ନଥିଲେ ଗ୍ରୀଷ୍ମ ଅବକାଶ ଆରମ୍ଭରେ ତାକୁ ଭେଟି ଆସିବାକୁ ନା ତା’ର କୌଣସି ଘର ଅଛି ଯେଉଁଠାକୁ ଯାତ୍ରା ପାଇଁ ତାକୁ ବସ ଧରିବାକୁ ପଡେ଼ । ଉମ୍ମା ସହାନୁଭୂତି ସ୍ୱରୁପ ମୁଣ୍ଡ ହଲାଇଲେ ଏବଂ ତାକୁ ଅଧିକ ଖାଇବାକୁ ବାଧ୍ୟ କଲେ ।

କାଗଜଫୁଲର ତୋରଣ ତଳେ ଫଟୋ ନିଆଗଲା ପରେ ଭାପ୍ପା ବାରଣ୍ଡାକୁ ଗଲେ, ଆର୍ମଚେୟାର୍‌ରେ ଘୁମେଇ ପଡ଼ିବା ପାଇଁ ଓ ଉମ୍ମା ରୋଷେଇ ଘରକୁ, ବାସନକୁସନ ମାଜିବା ପାଇଁ । ଆମେ ପାଦ ଚିପିଚିପି ଘରସାରା ଘୁରିଲୁ, ଲିଟିଲ କାଳେ ନିଦରୁ ଉଠିପଡ଼ିବ ଶଙ୍କାରେ । ପ୍ରତି କୋଠରୀରେ ସମୁଦ୍ରର ସୁ ସୁ ଶୁଭୁଥିଲା । ବିଲାଲ ଆମ ଘରଜିନିଷକୁ ଗମ୍ଭୀର ନଜରରେ ଆକଳନ କଲା, ଆମର ସମ୍ପତ୍ତି ପରିମାଣକୁ ଆମେ ସହରରୁ ବୋହି ଆଣିଥିବା ଅନେକ କାଠ ଆସବାବପତ୍ର ଦ୍ୱାରା ମାପିଲା । ତା’ ପରେ ମୁଖ୍ୟ ଶୋଇବା କକ୍ଷକୁ ଗଲୁୁ । ଝରକା ବାହାରେ ବଗିଚା ଦେଖାଯାଉଥିଲା । ଅଦୂରରେ ଦେଖାଯାଉଥିବା ନୀଳଧାର ସମୁଦ୍ର ବୋଲି ବୁଝିବାକୁ ବିଲାଲକୁ ଅନେକ ମିନିଟ ଲାଗିଗଲା ।

“ବେଳାଭୂମିକୁ ଯିବା?”, ସେ ପଚାରିଲା

“ନା”, ଉମ୍ମା ମୋ ପାଇଁ ଉତ୍ତର ଦେଲେ । ସେ ଅଳିନ୍ଦରେ ଛିଡ଼ା ହୋଇଥିଲେ, ଅଗଣାସାରା ଖୁମ୍ପି ବୁଲୁଥିବା ପାରାମାନଙ୍କୁ ବଳକା ଖାଦ୍ୟକୁ ଦେଉଥିଲେ । ଭାପ୍ପା ପିଲାମାନଙ୍କୁ ବେଳାଭୂମିକୁ ବା ନିକଟସ୍ଥ କୌଣସି ସ୍ଥାନକୁ ଯିବାକୁ ବାରଣ କରିଛନ୍ତି । ତୁମେ ମାଡାମା ଲେନ୍‌ର ଶେଷ ମୁଣ୍ଡଯାଏ ବୁଲାବୁଲି କର । ସମୁଦ୍ର ସେଠାରୁ ଦେଖାଯାଉଛି । କିନ୍ତୁ ସେ ଉଠିବା ପୂର୍ବରୁ ଫେରିଆସିବ ।”

ମାଡ଼ାମା ଲେନ୍‌ରେ ଚାଲୁ ଚାଲୁ ପ୍ରଥମ ଥର ମୋ ମନରେ ଖିଆଲ ଆସିଲା ଯେ ବିଲାଲର ନାମକରଣ କିଏ କଲା । ତା’ ନାମର ଧାର୍ମିକ ଗୁରୁତ୍ୱକୁ ଦେଖି ମୁଁ ସନ୍ଦେହ କଲି ଇମାମ ବୋଧେ ଏହି ନାମକରଣ କରିଛନ୍ତି । ବୋଧହୁଏ ସେ ଇସ୍‌ଲାମ୍‌ ଇତିହାସରେ ପ୍ରଥମଥର ପାଇଁ ମୁଏଜିନ୍ ସାଜିଥିବା କ୍ରୀତଦାସର ନାମ ଅନୁସାରେ ତା ନାମ ବିଲାଲ ଦେଇଛନ୍ତି । ଏପରି ନାମକରଣର ପ୍ରେରଣାସ୍ରୋତ ବାବଦରେ ମଧ୍ୟ ସେ ବିଲାଲକୁ ଜଣାଇଥିବେ । ଏହାର କାରଣ ମୁଁ ଖୁବ୍ ଶୀଘ୍ର ଜାଣିଲି । ବିଲାଲ ଏକ ଗୁପ୍ତ ଆଶା ପୋଷଣ କରୁଥିଲା, ଯେ ଡାକାବାଜି ଯନ୍ତ୍ର ରଖା ସ୍ଥାନରେ ମସଜିଦର ନିଭୃତ କକ୍ଷଦ୍ୱାରରେ ଛିଡ଼ା ହୋଇ ମଧୁର ସ୍ୱରରେ ଆଜାନ ପଢ଼ିବ, ଯେପରି ତା’ସ୍ୱନାମକ କରିଥିଲା ଶତାବ୍ଦୀ ଶତାବ୍ଦୀ ପୂର୍ବେ । ସତ କହିବାକୁ ଗଲେ ମାଦ୍ରାସାର ଅଧିକାଂଶ ପିଲା ଆଜାନ ପଢ଼ିବାକୁ ସ୍ୱପ୍ନ ଦେଖୁଥିଲେ, ଆଉ ବାକି ପିଲା ଏପରି ସମ୍ଭାବନାକୁ ଭୟ କରୁଥିଲେ ।

ନଡ଼ିଆ ତୋଟାର ଧାରରେ ଥିବା କପା ଗଛରେ ଶୁଆ ଡାକ ଦେଲେ । ବିଲାଲ ତୁନି ହେଇ ଶୁଣିଲା । “ଦେଖ”, ସେ କହିଲା,ଏକ ଡାଳକୁ ଦେଖେଇ । “ସେ ଗଛରେ ଶୁଆଟେ ବସିଛି ।”

“ଅଧଡର୍ଜନରୁ ଅଧିକ ଶୁଆ ସେ ଗଛରେ ରୁହନ୍ତିି”, ମୁଁ କହିଲି । ଚିଁ ଚିିଁ ରାବ କରି ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଥିବା ଅନେକ ଶୁଆଙ୍କୁ ମୁଁ ଦେଖିଛି ।”

“ଆଉରି ବି ଆସୁଛନ୍ତି”, ସେ ଅତି ଉତ୍ସାହିତ ହୋଇ କହିଲା । “ସେଠି ଏକ ବସା ଦେଖାଯାଉଛି ।”

ତା ଆଙ୍ଗୁଠି ନିର୍ଦ୍ଧେଶ କରୁଥିବା ଦିଗରେ ଚାହିଁ ମୁଁ ଦେଖିଲି କାଠିକୁଟା, ନଡ଼ିଆ କତାର ତିଆରି ବଡ଼ ବେଲା ପରି ବସା । ଉଚ୍ଚା କପା ଗଛର ଅଗ୍ରଡାଳର ବାଙ୍କରେ ବସାଟିଏ ଦୃଶ୍ୟ ହେଉଥିଲା । ବସାଟି ପରିତ୍ୟକ୍ତ ଓ ଅଶୁଭସୂଚକ । ଚଢେ଼ଇମାନଙ୍କ ଭୂତ ଘର ପରି ଲାଗୁଥିଲା । ଚଢେ଼ଇ ଛୁଆମାନେ ଏହାକୁ ଦେଖି ଭୟ କରୁଥିବେ ।

“ଦେଖ ବସାରେ ପକ୍ଷୀ ଅଛନ୍ତି”, ସେ କହିଲା, “କାଠିକୁଟା ମଧ୍ୟରେ ମୁଁ ଜଣଙ୍କର ଥଣ୍ଟ ଦେଖିପାରୁଛି ।”

“ମୋତେ କିଛି ଦେଖା ଯାଉନି”, ମୁଁ କହିଲି ।

“ଏଇ ଦେଖ”, ସେ କହିଲା, ମୋ କାନ୍ଧରେ ହାତ ବେଢେ଼ଇ ଓ ବସା ଦିଗରେ ଆଙ୍ଗୁଠି ଦେଖେଇ । “ଦେଖିଲ?”

ମୁଁ ଥଣ୍ଟ ଦେଖିପାରିଲିନି । କିନ୍ତୁ ବସାରେ ଚଢେ଼ଇ ଛୁଆ କାଠିକୁଟାର କାନ୍ଥ ଦେଇ କ’ଣ ଦେଖିପାରୁଥିବ ଏହାର କଳ୍ପନା କରିପକାଇଲି: ଦୁଇଜଣ ବାଳକ-ଜଣେ ବିରକ୍ତିସୂଚକ ମୁଦ୍ରାରେ ଓ ଅନ୍ୟ ଜଣେ ହସହସ ମୁଖରେ-ତଳେ ଯୋଡ଼ାଯୋଡ଼ି ହୋଇ ଛିଡ଼ା ହେଇ ତା’ ଦିଗରେ ଏମିତି ଅଙ୍ଗୁଳି ଦେଖଉଛନ୍ତି ଯେପରି ତାହାର ଅସ୍ତିତ୍ୱ ହିଁ ଦୋଷାବହ । ଏକ ଛୋଟ ଚଢେ଼ଇର ଦୃଷ୍ଟିକୋଣରୁ ପ୍ରସ୍ତୁତ ସେ ଦୃଶ୍ୟ ମୋତେ ଆଜିଯାଏ ଆବିଷ୍ଟ କରିରଖିଛି । ମୁଁ ଯେବେ ବିଲାଲ କଥା ଭାବୁଥିଲି, ଗୋଟେ ହିଁ ଦୃଶ୍ୟ ଦେଖାଯାଉଥିଲା । ସେ ମୋ କାନ୍ଧରେ ହାତ ପକେଇ ଛିଡ଼ା ହେବାର । ଆଜି ବି ଅନ୍ୟମନସ୍କ ହୋଇ କେବେ କେବେ ମୁଣ୍ଡ ବୁଲେଇ ଭାବେ ତା’ହାତ ତଥାବି ମୋ କାନ୍ଧକୁ ଜଡ଼ାଇଥିବ କାଳେ ।

“ତୁମ ଘରେ ପଞ୍ଜୁରୀ ଅଛି କି?”, ସେ ପଚାରିଲା ।

“ହଁ”

“ମୁଁ ଯାଉଛି ଚଢେ଼ଇଟିକୁ ତଳକୁ ଆଣିବି”, କହି ସେ ଆଣ୍ଠୁଉଚ୍ଚା ବୁଦା ଡେ଼ଇ କପା ଗଛର ନିକଟରେ ପହଞ୍ଚିଲା ।

ଅନଭିଜ୍ଞ ଗଛ ଚଢ଼ାଳୀର ସହନଶକ୍ତି ଓ ଧୈର୍ଯ୍ୟ ପରୀକ୍ଷା ନେଇଥାଏ ପ୍ରକୃତି ଏବଂ କପା ଗଛ ସେଭଳି ପରୀକ୍ଷା ଲାଗି ପ୍ରକୃଷ୍ଟ ମାଧ୍ୟମ । କପା ଗଛର ଢାଞ୍ଚାକୁ ଦେଖ, ଦେଖ ତା ଉଚ୍ଚତା, ତା’ର ଗଣ୍ଡିର ପିଚ୍ଛିଳତା । ଗଛର ଡାଳ ମୂଳଠାରୁ ଅନେକ ଉଚ୍ଚରେ ବା ଗଛ ଅର୍ଦ୍ଧରୁ ଉଠେ । ତେଣୁ ଚଢ଼ିବା ବେଳେ ଜଣେ ସେଇ କଣ୍ଟାଳିଆ ଗଣ୍ଡିକୁ କୁଣ୍ଢାଇ ଧରିବ ଓ ଚଢ଼ିଚାଲିବ ଯେପର୍ଯ୍ୟପ୍ତ କୌଣସି ଡାଳର ବିଭକ୍ତିର ପହଞ୍ଚି ନଯାଇଛି । ଯେତେ ଉଚ୍ଚକୁ ଉଠିବ ତୁମ ଓଜନରେ ଡାଳ ଯେତିକି ଭାଙ୍ଗିପଡ଼ିବାର ସମ୍ଭାବନା ଥାଏ । ଏତିକି ଆହ୍ୱାନ କେବଳ ନୁହେଁ କପା ଗଛର ଆଉ ଏକ ଅସୁବିଧା ବି ଅଛି । ମାଟିଆ ହିଂସ୍ରକ ପିମ୍ପୁଡ଼ିଙ୍କ ଏହା ଏକ ପ୍ରିୟ ରହଣୀ ବା କ୍ରୀଡ଼ାସ୍ଥଳ । ଆଉ ଯଦି ସେମାନଙ୍କୁ ତୁମ ଦେହ ପସନ୍ଦ ଆସିଗଲା, ସେମାନଙ୍କୁ ନିର୍ବଳ କରିବାକୁ ମାତ୍ର ଏକ ହିଁ ଉପାୟ ଅଛି । ତାଙ୍କର ସେଇ ଫୁଲ୍କା ଶରୀରକୁ ଚିପିଦିଅ, ସେମାନେ ମରିଯିବେ । କିନ୍ତୁ କିପରି ଏକ ଅନାସକ୍ତ ଗଛର ଗଣ୍ଡିକୁ କୁଣ୍ଡାଇ ଧରି ଚଢ଼ୁଥିବା ବେଳେ ତୁମେ ଏପରି ଆକ୍ରମଣାତ୍ମକ ପିମ୍ପୁଡ଼ିମାନଙ୍କ ସହିତ ଲଢ଼ିପାରିବ ? ଏସବୁ ଅସୁବିଧାକୁ ଆଡେ଼ଇ ବିଲାଲ ପାଣିରେ ମାଛ ପହଁରିବା ଭଳି ଗଛରେ ଚଢ଼ିଗଲା, ଗୁଣ୍ଡୁଚିମୂଷାର ସହଜିଆ ଡ଼ଙ୍ଗରେ । ଖୁବ୍ ଶୀଘ୍ର ସେ ଗଛର ପ୍ରଥମ ଡାଳର ଖୁନ୍ଦାରେ ଛିଡ଼ା ହୋଇଥିଲା । ଚାରିଆଡ଼କୁ ଅନାଉଥିଲା । କିନ୍ତୁ ବେଲାସମ ବସାଟି ତଥାପି ବହୁ ଦୂରରେ ଥିଲା । ନୂଆ ଡାଳମାନଙ୍କରେ ପ୍ରତ୍ୟେକ ଥର ପାଦ ଦେବା ମାତ୍ରେ କାଳେ ତାହା ଭାଙ୍ଗିଯିବ ବୋଲି ମୁଁ ସତର୍କ ରହୁଥିଲି । ପିମ୍ପୁଡ଼ି ଆକ୍ରମଣ କଲେ ବିଲାଲ ଧଡ଼ାସ୍ କରି ଖସି ପଡ଼ିବାର ଆଶଙ୍କା କରି ମୁଁ ଏପରି ସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥିଲି । କିନ୍ତୁ ଏପରି କିଛି ହେଲା ନାହିଁ ଓ ବିଲାଲ ଗଛ ଚଢ଼ି ଚାଲିଥିଲା । ଥରକରେ କିଛି ପାଦ । ଶେଷରେ ବସା ନିକଟରେ ପହଞ୍ଚିଯାଇଥିଲା ।

“କିଛି ନାହିଁ”, ସେ କହିଲା, ତଳକୁ ଅନେଇ, ହତାଶ ହେଇ । “ ବସା ତ ଖାଲି ପଡ଼ିଛି ।”

“ତଳକୁ ଆ”, ମୁଁ କହିଲି । “ଚାଲ, ଆମେ ହେଲିପାଡ଼କୁ ଯିବା ।”

“ଦେଖ”, ସେ ହଠାତ୍ ବଡ଼ ପାଟିରେ ଅତି ଉତ୍ସାହରେ କହିଲା । ସତେ ଯେପରି ତା’ଠାରୁ ୩୦ ଫୁଟ ତଳେ ଥାଇ ଗୋଇଠିରେ ଟେକି ହୋଇ ସେ ଯାହା ଦେଖଉଛି ମୁଁ ବି ଦେଖିପାରିବି ।

“କ’ଣ ଦେଖିଲୁ?”, ମୁଁ ପଚାରିଲି ।

“ଗୋଟେ ପୁରୁଣା କାଳିଆ ଜାହାଜ”, ତା ସ୍ୱର ଥରୁଥିଲା, ବିସ୍ମୟରେ ।

ମୋତେ ହସ ମାଡ଼ିଲା ।

“ଦୁଇଟା । ଦୁଇଟା ସ୍କୁନର । ଆଉ ଅନେକ ଆରବୀୟ”

ମୋ ହସିବା ବନ୍ଦ ହୋଇଗଲା ।

“ମୁଁ ଭାବୁଛି ସେମାନେ ହଜିଯାଇଛନ୍ତି ନହେଲେ ସେମାନେ ଏପଟକୁ କାହିଁକି ଆସିବେ?”

ମୁଁ କପା ଗଛକୁ ଗାଳି ଦେଲି, ତା’ର ଅରମ୍ୟ ଉଚ୍ଚତା ଯୋଗୁଁ, ଏବଂ ମୋର ଗଛ ଚଢ଼ିବାର ଅକ୍ଷମତା ଲାଗି ମୁଁ ନିଜକୁ ଘୃଣା କଲି ।

“ତୁ ଆଉ କ’ଣ ଦେଖି ପାରୁଛୁ?”

“ତୋପ, ବଡ଼ କାଠ ବାକ୍ସଗୁଡ଼ିଏ ଏବଂ ପତାକା ଦେଖାଯାଉଛି ।”

“ଆଉ?”

“ତୁମେ ଉପରକୁ ଆସି ନିଜେ ଦେଖୁନ?”, ସେ କହିଲା , ତା’ସ୍ୱରରେ ସାମାନ୍ୟ ଅଧୀରତା ଥିଲା ।

“ନା, ଭାପ୍ପା ମୋତେ ଗଛ ଚଢ଼ିବାକୁ ମନା କରିଛନ୍ତି ।”

ସେ ତଳକୁ ଅନେଇ ମତେ ଦେଖିଲା, ତା’ ମୁହଁରେ ମୋ ପ୍ରତି ବିଦ୍ରୁପତ୍ମାକ ହସ ଲାଖିରହିଥିଲା । ତା’ ପରେ ସେ ନଜର ବୁଲାଇନେଲା ।

“ଆଃ ସେଥି ମଧ୍ୟରୁ ଗୋଟିଏ ସମୁଦ୍ର ଦସ୍ୟୁଙ୍କର ଜାହାଜ”, ସେ ବଡ଼ ପାଟିରେ କହିଲା । “ମଣିଷ ଖପୁରି ଓ ଖଣ୍ଡାର ଚିହ୍ନ ଥିବା କଳା ପତାକା ଉଡ଼ୁଛି ସେଥିରେ ।”

ମୁଁ ଘରକୁ ଦୌଡ଼ିଯାଇ ଦସ୍ୟୁଙ୍କ ବିଷୟରେ ଉମ୍ମାଙ୍କୁ ଅବଗତ ବା ଚେତାଇ ଦେବାକୁ ବ୍ୟଗ୍ର ହୋଇଉଠୁଥିଲି ।

“ଓଃ!”, ସେ କହିଲା, ତା’ ସ୍ୱର ଭୟାତୁର ଶୁଭୁଥିଲା । “ଏବେ ଏବେ ଜଳଦସ୍ୟୁଙ୍କ ଜାହାଜରୁ ଆରବୀୟଙ୍କ ଜାହାଜକୁ ଗୁଳିମାଡ଼ ହେଲା ।”

ମୋତେ ଲାଗିଲା ସତେ ଯେପରି ଫିକା ଶବ୍ଦ ଶୁଣିଲି, ତୋଟାର ଗହଳ ଭିତରୁ । ସତେ ଯେପରି ବହୁତ ନଡ଼ିଆ ତଳେ ଖସି ପଡ଼ିଲେ ।

କ’ଣ ହେଲା?”, ମୁଁ ପଚାରିଲି, ବ୍ୟଥିତ ହୋଇ ।

“ଗୋଟେ ମିନିଟ୍‌ ଦେ, କହୁଛି”, ଆଁଟା କରି ଦୂରକୁ ଆଶ୍ଚର୍ଯ୍ୟଚକିତ ହୋଇ ଅନେଇ ରହି ସେ କହିଲା ।

ମୁଁ ଅପେକ୍ଷା କଲି । ମୋ କପାଳ ଝାଲେଇ ଯାଉଥିଲା ।

ହେ ଆଲ୍ଲା!”, ସେ କୁନ୍ଥେଇଲା ଭଳି ଆବାଜ କଲା । ତା’ର ଗୋଟିଏ ହାତ ମୁଣ୍ଡରେ ଥିଲା ।

“ଆରବମାନଙ୍କ ଜାହାଜକୁ ତୋପମାଡ଼ ଯୋଗୁଁ ସେଥିରୁ ଧୂଆଁ ବାହାରୁଛି ।”

“କ’ଣ ଆରବମାନେ ଜାହାଜରୁ ଡେ଼ଇପଡ଼ୁଛନ୍ତି?”

“ରୁହ, ଦେଖେ ।”

କିନ୍ତୁ ମୁଁ ଆଉ ଅପେକ୍ଷା କରିପାରୁନଥିଲି । ମୁଁ କେବେ ବି ଜଳଦସ୍ୟୁ ବା ଆରବଙ୍କୁ ସ୍ୱଶରୀରରେ ତରବାରୀ ବାହାର କରି ଲଢ଼ୁଥିବା ଅବସ୍ଥାରେ ଦେଖିନି । କଣ୍ଟାବୁଦା ଡେଇଁ ଡେଇଁ ମୁଁ କପା ଗଛ ନିକଟରେ ପହଞ୍ଚିଗଲି । ଚପଲ ଖୋଲି ମୋ ଝାଲୁଆ ପାପୁଲିକୁ ସାର୍ଟରେ ପୋଛିଲି, ତଥାପି ଗଛ ଚଢ଼ିବାକୁ ସାହସ କରିପାରିଲିନି ।

“ଏବେ ଆରବମାନେ ଗୁଳିବର୍ଷଣ କରୁଛନ୍ତି ।”, ବିଲାଲ ଗଛ ଉପରୁ ଚିତ୍କାର କଲା ।

ଯୁଦ୍ଧଭୂମିରୁ ଖବର ମୋତେ ଖୁସି ଦେଲା । ମୋର ଆରବମାନଙ୍କ ପ୍ରତି ସମବେଦନା ଥିଲା । ଇଦ୍ ଭଳି ଦିନରେ ସେମାନେ ଖୁସି ମନେଇବେ କ’ଣ ଗୋଳାବାରୁଦ, ତୋପରେ ବ୍ୟସ୍ତ ରହି ଶତ୍ରୁକୁ ସମ୍ଭାଳୁ ସମ୍ଭାଳୁ ସେମାନଙ୍କ ଅପରାହ୍ନ କଟିଗଲାଣିି; ତାହା ପୁଣି ଉତ୍ସବଆହ୍ଳାଦିତ, ଭୂରିଭୋଜନରେ ଆପ୍ୟାୟିତ, ନିଦେଇ ପଡ଼ିଥିବା ସହର ତଟ ପାର ହେଲାବେଳେ ।

“ଜଳଦସ୍ୟୁଙ୍କ ଜାହାଜକୁ ତୋପମାଡ଼ ହେଇଛି’, ସେ କହିଲା, ତା’ର ଅତିଉତ୍ସାହରେ ଗଛଟି ସାମାନ୍ୟ ଦୋହଲିଗଲା ।

“କ’ଣ ଜଳଦସ୍ୟୁମାନେ ଡେଇଁପଡ଼ୁଛନ୍ତି ?”, ମୁଁ ପଚାରିଲି

“ନା ଜଳଦସ୍ୟୁମାନେ ଦଳ ଦଳ ହେଇ ପାଣିରେ ପହଁରୁଛନ୍ତି”, ବିଲାଲ ହସିହସି କହିଲା ।

ମୁଁ ଗଛଗଣ୍ଡିକୁ ଗୋଡ଼ରେ ଜଡ଼ାଇ ଧରି ଉପରକୁ ଚଢ଼ିଲି, ମୋ ପ୍ରଥମ ସାମୁଦ୍ରିକ ଯୁଦ୍ଧ ଦେଖିବା ପାଇଁ । ପର୍ବତଶୀର୍ଷର ନୀରବତା ଚହଲିଯାଉଥିଲା, ନଡ଼ିଆ ବଗିଚାରେ ପ୍ରତିଧ୍ୱନିତ ହୋଇ ବୋହି ଆସୁଥିବା ଗୁଳିଗୋଳା ବର୍ଷଣ ଶବ୍ଦରେ ।

“ଜଳଦସ୍ୟୁଙ୍କ ଜାହାଜ ଡୁବିଯାଉଛି ।”

ମୋର ପ୍ରାଥମିକ ଭୟ ଥିଲା ଜଳଦସ୍ୟୁଙ୍କ ଜାହାଜ ଡୁବିଯିବ ସମୁଦ୍ରର ଅଥଳ ଗର୍ଭକୁ ଏବଂ ମୁଁ ଗଛ ଉପରେ ପହଞ୍ଚିବା ପୂର୍ବରୁ ଆରବୀୟ ଜାହାଜ ଦୃଶ୍ୟତାର ପରିଧିରୁ ଅଦୃଶ୍ୟ ହୋଇଯିବ । ମୁଁ ଜଲଦି ଜଲଦି ବେଢ଼ଙ୍ଗିଆ ଭାବେ ଚଢ଼ିଗଲି । ମୋ ଜଙ୍ଘ ଗଛର ରୁକ୍ଷ ଗଣ୍ଡିରେ ଘସିହୋଇ ହେଉଥିଲା । ପ୍ରଥମ ଡାଳରେ ପହଞ୍ଚିଛି କି ନା ମୋତେ ଲାଗିଲା ଗଛ ହଲିଲା ଏବଂ ପତ୍ରର ଖସ୍‌ଖାସ୍ ଶବ୍ଦ କାନରେ ପଡ଼ିଲା । ମୁଁ ଉପରକୁ ଦେଖିଲି । ବିଲାଲ ଗଛଗଣ୍ଡି ଦେଇ ତଳକୁ ଆସୁଥିଲା । ପରସ୍ପର ସହିତ ଧକ୍କା ହେବାର ସମ୍ଭାବନା ଥିଲା ।

“ଜଲଦି ଓହ୍ଲେଇ ଯା”, ସେ କହିଲା, “ତୋ ଭାପ୍ପା ଘର ବାହାରକୁ ଆସି ଆମକୁ ଖୋଜିଲେଣିି ।”

ଦୁଃସାହସିକ ଖେଳକସରତକାରୀ ଭଳି ଆମେ ସମତାଳରେ ତଳକୁ ଓହ୍ଳାଇଗଲୁ । ବୁଦା ଡେଇଁ ମାଦାମା ଲେନ ଦେଇ ଘରକୁ ଦୌଡ଼ିଲୁ । ଅବଶ୍ୟ ଆମ ଗତିରେ ଥିଲା ନିରୀହ ମନ୍ଥରତା, ବାଧ୍ୟବାଧ୍ୟକତାରେ । ରାସ୍ତାମୋଡ଼ରେ ଆମେ ଭାପ୍ପାଙ୍କୁ ଭେଟିଲୁ ।

“ବେଳାଭୂମିକୁ ଯାଇଥିଲ?”, ସେ ପଚାରିଲେ ।

“ନା ତ”, ଆମେ ଏକ ସେଙ୍ଗ କହି ଉଠିଲୁ । ଭାପ୍ପା ମୋ ପାଦରେ ବାଲିକଣା ଖୋଜିଲେ ଓ କିଛି ନପାଇ ବୁଲିପଡ଼ି ଘରକୁ ଚାଲିଲେ, ନିଦନିଦୁଆ ଆଖିରେ । ଗଛ ଉପରେ ଧୂସରିଆ ଧୂଆଁ ଉଠୁଥିଲା ।

“ଦିନର ଏହି ସମୟରେ କିଏ ଅଗ୍ନିକ୍ରାଡ଼ା ରଚୁଛି?”, ଭାପ୍ପା ଖାସ୍ କାହାକୁ ନ ଅନେଇ କହିଲେ ।

ବିଲାଲ ଓ ମୁଁ ପରସ୍ପରକୁ ଚାହାଚାହିଁ ହେଲୁ । କେବଳ ଆମେ ଜାଣିଥିଲୁ ଧୂଆଁ ଏକ ଜାହାଜରୁ ଉଠୁୁଛି । ସମ୍ଭବତଃ ଜଳଦସ୍ୟୁଙ୍କ ପତାକା ଉଡ଼ୁଥିବା ଜଳଯାନରୁ । ସତରେ କେବେ କେବେ ସମୁଦ୍ରକୂଳିଆ ଛୋଟିଆ ସହରରେ ହଠାତ୍ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ବି ଘଟିଥାଏ !

ଅନାଥଶ୍ରମକୁ ଫେରିବାକୁ ବିଲାଲର କୌଣସି ଶୀଘ୍ରତା ନଥିଲା । କିନ୍ତୁ ଯେବେ ପର୍ବତଧାରରେ ଅସ୍ତାଞ୍ଚଳ ସୂର୍ଯ୍ୟର ନାଲି ରେଖା ଦେଖାଦେଲା ଭାପ୍ପା ତାକୁ ମନେ ପକାଇଦେଲେ ଯେ ଶୀଘ୍ର ଅନ୍ଧାର ହେଇଯିବ । ସେ ସାଇକେଲ ଚଢ଼ି ଚାଲିଯିବାର ତୁରନ୍ତ ପରେ ଉମ୍ମା ପାରପେଟରେ ବସି ବିଲାଲର କାହାଣୀ, ସନ୍ଧ୍ୟା ୭ଟାରେ ଟେଲିିଭିଜନରେ ପ୍ରସାରିତ ହେଉଥିବା ଏକ କାହାଣୀତୁଲ୍ୟ ବୋଲି କହିଲେ । ଏବଂ ପରବର୍ତ୍ତୀ ଦିନମାନଙ୍କରେ ସେ ସେଇ ସିରିଏଲ ଦେଖୁଥିବା ବେଳେ ବିଲାଲ ବିଷୟରେ ପଚାରୁଥିଲେ, ତାକୁ ଅନାଥ ବୋଲି ସମ୍ବୋଦିତ କରି ଓ ସେତେଦିନଯାଏ ଏପରି ସିରିଏଲ ଦେଖିଚାଲିଲେ ଯେପର୍ଯ୍ୟନ୍ତ ସେ ଅତ୍ୟନ୍ତ ଦୁଃଖୀ ହୋଇପଡ଼ି ଆଉ ଏପରି ସୋ ଦେଖିଲେ ନାହିଁ ।

ସେଇ ସନ୍ଧ୍ୟାରୁ ସ୍କୁଲ୍‌ରେ ବିଲାଲ ନିକଟରେ ବସିବାକୁ ମୁଁ ଆଉ ସେଙ୍କାଚ କଲି ନାହିଁ । ଆଶ୍ଚର୍ଯ୍ୟଜନକ ଭାବେ ତା ଦେହରୁ କାଜୁ ବାସ୍ନା ଆଉ ଆସୁନଥିଲା । ବୋଧହୁଏ ବାସୁଥିଲା କିନ୍ତୁ ମୁଁ ବାରିପାରୁନଥିଲି ବରଂ ମୋତେ ଏକ ବିଚିତ୍ର ସନ୍ତୋଷ ମିଳୁଥିଲା ଯେବେ ମୁଁ ଜାଣିଲି ବିଲାଲ ଦେହଗନ୍ଧର ଉତ୍ସ ବିଷୟରେ, ଗନ୍ଧ ଯାହା ବିଲାଲ ଅଜାଣତରେ ନିଜ ସହିତ ସ୍କୁଲକୁ ଘେନିଆସୁଥିଲା । ଅନାଥଶ୍ରମର କିଛି ଗଜ ଦୂରରେ କବରସ୍ଥାନ ଥିଲା ଏବଂ ଲୁଗାଶୁଖା ଦଉଡ଼ି କବରସ୍ଥାନ ଓ ଅନାଥଶ୍ରମ ମଝିରେ ଟଙ୍ଗାଯାଇଥିଲା । ପବନର ମୃଦୁ ଧକ୍କା ବି କାଜୁଗଛରୁ ଫୁଲବର୍ଷା କରୁଥିଲା ଏବଂ କାଜୁଫୁଲରୁ କେବଳ ମୃତ୍ୟୁ ଏବଂ ଦୁଃଖର ବାସ୍ନା ଆସୁଥିଲା ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top